ଖୁସି ଲହରୀ
ଖୁସି ଲହରୀ
ଅଣୁ ଗଳ୍ପ - ଖୁସି ଲହରୀ
ରଚନା - ପଞ୍ଚାନନ ଜେନା
ତାରିଖ -୨୭-୦୨-୨୦୨୬
++++++++++++++++
ଆମ ବଗଦା ଗାଁ ମଝିରେ ଲମ୍ବିଥିବା ଅଙ୍କା ବଙ୍କା ଅଣଓସାରିଆ ନିତିଦିନିଆ କଚ୍ଚା ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ସାମିଲ ହେବାର ଖବର ଯେମିତି ସରପଞ୍ଚ ବାବୁଙ୍କ ମୁଖାରବିନ୍ଦରୁ ନିର୍ଗତ ହେଲା , ଜଙ୍ଗଲ ନିଆଁ ପରି ଜଗତିପୁର ଗ୍ରାମପଞ୍ଚାୟତରେ କାହିଁକି ପୂରା ଖଣ୍ଡ ମଣ୍ଡଳରେ ବ୍ୟାପିଗଲା । ଛୋଟ ମୋର ଗାଁ ଟିରେ ଖୁସିର ଲହରୀ ଖେଳିଗଲା ବୋଲି ଅନୁମେୟ ହେଲା l
କାଳିଆ ପ୍ରମାଣିକ ଚା' ଦୋକାନ ଯାହାକୁ ଆମ ଅଦଭୁତିଆ ପଦାର ବିଧାନସଭା କୁହନ୍ତି, ତାହାରି ଆଗରେ ଭୀଷଣ ଗହଳି ଚହଳି | ସୋରିଷ ପକେଇବାକୁ ବି ଜାଗା ନାହିଁ | ଭେଣ୍ଡିଆ ଟୋକା କଥା ଛାଡ , ବୁଢ଼ା ଧୂଡା ସବୁ ବି ଘରୁ ପାଦ କାଢ଼ି ବାଡି ଠୁକି ଠୁକି ଛକ ପାଖରେ ହାଜର ।
ସବୁରି ମୁଁହରେ କେବଳ ସେହି ଗୋଟିଏ କଥା । ଯାହାହେଉ , ଡେରିରେ ହେଉ ପଛେ ଗାଁ ସଡ଼କର ରୂପରେଖ ବଦଳିଯିବ , ନାଲି ମାଟିର ସଡ଼କ ଙ୍କକ୍ରୀଟ ହେବ , କାଦୁଅ ପଚପଚ ବର୍ଷା ଦିନିଆ ଚିତ୍ର ଦେଖିବାକୁ ଆଉ ମିଳିବନି | ସବୁଋତୁ ଭିତ୍ତିକ ପକ୍ବା ସଡ଼କ ହେଲେ ବସ୍ ଚଳାଚଳ କରିବ , ୧୦୮ ଆମ୍ବୁଲାନସ୍ ସୁବିଧାରେ ରୋଗୀମାନଙ୍କୁ ଡାକ୍ତରଖାନା ନେଇ ପାରିବ , ଲକ୍ଷ୍ମୀ ବସ୍ ଗଡିବ ତଥା ବ୍ଳକ୍ ଯିବାକୁ , ତହସିଲ ଅଫିସ ଯିବାକୁ , କଲେଜ ଯିବାକୁ , କୋର୍ଟ କଚେରୀ ଯିବାକୁ ସହଜ ସହଳ ହେବ । ସତରେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପରିକଳ୍ପନା ଥିଲା ଯେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଗାଁକୁ ସହର ନଗର ତଥା ରାଜଧାନୀ ସହିତ ଯୋଡି ଦେଲେ ଯୋଗାଯୋଗ ଓ ଗଗନାଗମନର ସ୍ବର୍ଣ୍ଣିମ ଯୁଗ ଆରମ୍ଭ ହେବ |
ପାଖରେ ବସିଥିବା ମାର୍କଣ୍ଡିଆ ଭାଇ ଖୁସିରେ ଆତ୍ମହରା ହେଉଥିଲା ମନେ ମନେ । ଯାହାହେଉ ଚିପସ୍ ଓ ବାଲିର ମହରଗ ଯୁଗରେ ସୁଯୋଗ ଟିଏ ମିଳିଯିବ ରାତିରେ ହାତସଫେଇ କରିବା ପାଇଁ। ଅଧାଖଣ୍ଡିଆ ତୁଳସୀ ଚଉରା , ଗୁହାଳ ଘର ଚଟାଣଟା କଂକ୍ରିଟ ହେବାର ଖୁସିକୁ ଅନୁମାନ କରି ବେଶ୍ ଉତ୍ଫୁଲ୍ଲିତ ହେଉଥିଲା ।
ସିରିଏଲ୍ ଦେଖୁଥିବା ଫସା କାକା ଘର କାନ୍ଦୁଣୀ କାକୀଙ୍କ ଖୁସି ଚାରିଗୁଣ ବଢିଯିବାର ଲାଗୁଥିଲା । ସିଏ ଖାଲି ତରକ ମରକ ହେଉଥିଲେ ଘର ବାହାରକୁ ଚାହିଁ ଚାହିଁ । ପାଣି କଳ ପାଖଟା ସବୁବେଳେ ଅସନା ରହୁଛି । ଏହି ମୌକାରେ ଚୌକାମାରି ମାଜିଆ ପଲସ୍ତରା କରିଦେବି | ଦୁଇ ଚାରି ବ୍ୟାଗ୍ ବିକିଦେଇ ଟାଇଲସ୍ ଲଗେଇ ଦେବି ଆଉ ବାବୁଲି ବିଶ୍ୱାଳ ମାଇପ ଯେଉଁ ଛାତି ଫୁଲେଇ କୁଲା ଢ଼ାଉଁ ଢାଉଁ କରେ ଫି କଥାରେ , ତା ଗରବ ଚୂନା କରିବି l
ମୋବାଇଲରେ ରିଲସ୍ ଦେଖୁଥିବା ବନା ଭାଇ ଭାବୁଥିଲା ଯାହା ହେଉ ଗୁଟୁକା ବନ୍ଦ ଯୁଗରେ ମଦ ପିଇବାକୁ ଭଲ ରାସ୍ତାଟେ ସରକାର ଦେଇଛନ୍ତି l ରାତାରାତି ଦୁଇ ଚାରିଟା ଚିପସ୍ ବ୍ୟାଗ୍ କୌଶିକ ଭାଇ ଦୋକାନରେ ପହଞ୍ଚାଇଦେଲେ କେତେ ବିଅର୍ ପିଇବୁ ନେ | ଦେଶି ମହୁଲି ପିଇ ପିଇ ମୁଁହରୁ ଖାଲି ଆମ୍ବିଳା ହାକୁଟି ଆସୁଥିଲା । ଯାହାହେଉ ମଝିରେ ମଝିରେ ଶିବଦାତା ଗୁଜୁରାତି ମିଶା ପାନଖଣ୍ଟେ କଳରେ ଜାଙ୍କି ଇଂଲିସ ରମରୁ ଗିଲାସେ ଗିଲାସେ ଟାଙ୍କି ଦେଇ ସରପଞ୍ଚ ପୁଅ ବାହାଘରରେ ଡିଜେ ଆଗରେ ନାଗୀନ ନାଚ ଖୁବ୍ ଜାକଜମକରେ ନାଚିହେବ । ମାଗଣା ଖିଆ ସମୟ ସରିଲା ଜାଣ ।
ପରଦିନ କନ୍ଟ୍ରାକଟର ବାର ଚକିଆ ଗାଡିରେ ରାସ୍ତା କଡ଼ରେ ଟିପସ୍ ଢାଳୁଥିବା ଧୂଳିଧୂଆଁରେ ସତେ ଯେମିତି ଗ୍ରାମବାସୀଙ୍କର ବିଭିନ୍ନ କିସମର କିମ୍ଭୁତକିମ୍ଭାକାର ଖୁସି ଲହରୀ ଉପର ମୁଁହା ହୋଇ ପବନ ତରଙ୍ଗରେ ମିଳେଇ ଯାଉଥିଲା ।
