STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଜ୍ଞାନାଞ୍ଜନ

ଜ୍ଞାନାଞ୍ଜନ

5 mins
0

କ୍ଷୁଦ୍ରଗଳ୍ପ - ଜ୍ଞାନାଞ୍ଜନ
ରଚନା - ପଞ୍ଚାନନ ଜେନା
ତାରିଖ -୦୯-୦୭-୨୦୨୬
---+++++++++++++++++
  ମୋ ସ୍ୱର୍ଗୀୟ ବାପା ସୁରେନ୍ଦ୍ର ଜେନା ଓ ତାଙ୍କ ବାଲ୍ୟ ବନ୍ଧୁ ସ୍କୁଲ ବେଳର ସାଙ୍ଗ ସମରେନ୍ଦ୍ର ସାମଲ ଆମ ଘରକୁ ଆସିଲେ ମୋ ଜେଜେମା କହନ୍ତି ତଥା ଅନେକ ବାର ବଦନ୍ତି " କ୍ଷୀର -ନୀର ଆସିଗଲେ " । ସେ କଅଁଳ କୈଶୁରରେ ଏ " କ୍ଷୀର-ନୀର ସଂପର୍କ" ସବୁର ଅର୍ଥ ମୁଣ୍ଡରେ ପଶୁ ନ ଥିଲା ଜମାରୁ ।

 ବୟସ ଦୈଡିଲା । ବଡ଼ ହେଲି । ପାଠପଢା ପରେ ଶିକ୍ଷକ ହେଲି । ଏକା ଏକା ବେଚଲର୍ ଲାଇଫ୍ କାଟୁଥିବା ବେଳେ କ୍ଷୀର ଉତୁରିବା ତଥା କ୍ଷୀର ଫାଟିବା ଏବଂ ଛିଡିବା ଇତ୍ୟାଦି ସମସ୍ୟାର ବାରମ୍ବାର ସମ୍ମୁଖିନ ହେବା ପରେ ମନରେ ସେହି କ୍ଷୀର-ନୀର ସଂପର୍କ ବିଷୟରେ ଅତ୍ୟଧିକ ତଥା ଅହେତୁକ ଜିଜ୍ଞାସା ବଳବତ୍ତର ହେଲା । ଏତେ ଅଧିକରୁ ଅଧିକତର ହେଲା ଯେ ଉଠେଇ ବସେଇ ଦେଲାନି |

 ମୋର ଅନ୍ତରଙ୍ଗ ବନ୍ଧୁ ଅମୂଲ୍ୟ ସିଂହ ସହିତ ଫୋନରେ ବାର୍ତ୍ତାଳାପ କରୁ କରୁ କଥା ପ୍ରସଙ୍ଗରେ କ୍ଷୀର- ନୀର ପ୍ରସଙ୍ଗ ଉଲ୍ଲେଖ କରନ୍ତେ , ସେ ତା'ର ଓକିଲିଆ ହାମବଢ଼ା ନୀତି ନ୍ୟାୟରେ କହି ପକେଇଲା -- କ୍ଷୀର ଉତୁରିବା ସମୟରେ କେଇ ବୁନ୍ଦା ନୀର ଛାଟିଦେଲେ , କ୍ଷୀର-ନୀରର ମହାମିଳନ ହୁଏ ଏବଂ ଏହି ପର୍ବରେ ଫୁଲି ଉଠୁଥିବା କ୍ଷୀର ନୀରର ସାଙ୍ଗିଆ ପାଇ ତଥା ନିବିଡ଼ତମ ବନ୍ଧୁତ୍ବର ସ୍ଵାଦ ସାନିଧ୍ଯ ପାଇ ଶାନ୍ତ କାନ୍ତ କମନୀୟ ନମନୀୟ ହୋଇଯାଏ ।" ହଁ ହାଁ କହୁଥିଲି ସତ ମାତ୍ର ଏମିତି ଦର୍ଶନ ଭିତ୍ତିକ ତର୍କ ସଂଗତ ପ୍ରବଚନ ଶୁଣି ମୁଣ୍ଡଟା ଟିଣ ପାଲଟି ଗଲା ଜାଣ ।

 ବିଶ୍ଵବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ କାଳଜୟୀ ତର୍କ " ମାଛ ଓ ମାପଦଣ୍ଡ '' ମନ ଭିତରକୁ ଧସେଇ ପଶି ଆସୁଥିଲା । " ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ପ୍ରତିଭା ରହିଛି । କିନ୍ତୁ ଯଦି ଆପଣ ମାଛକୁ ଗଛ ଚଢିବା କ୍ଷମତା ଅଧାରରେ ବିଚାର କରିବେ , ତେବେ ସେ ସାରା ଜୀବନ ନିଜକୁ ଅଯୋଗ୍ୟ ବୋଲି ବଚାର କରିବ ।" (Everybody is a genius. But if you judge a fish by its ability to climb a tree, it will live its whole life believing that it is stupid''.

 ସବୁ ଓକିଲ ମହୋଦୟ ମାନନୀୟେଷଙ୍କୁ ଏକା ମାପଦଣ୍ଡରେ ମାପିବା ଅନୁଚିତ । ବନ୍ଧୁ ଅମୂଲ୍ୟ ପରି ଅତୁଲ୍ୟ ଦାର୍ଶନିକ ଓକିଲ ପେଶାରେ କ୍ଵଚିତ ମିଳନ୍ତି ।

 ପୁଣି ମନରେ କିନ୍ତୁ ଘାରିଲା । ସଂପ୍ରତି ଜନଗଣନା କାର୍ଯ୍ୟ ପୂରା ଭାରତବର୍ଷରେ ଜୋରସୋରରେ ଚାଲିଛି । କରୋନା ମହାମାରୀ ପାଇଁ ୨୦୨୧ ମସିହାରେ ହୋଇ ପାରିନଥିଲା । ସେହି ଚଳିତ ଜନ ଗଣନା ପରିସଂଖାନରେ ଏମିତି ବିରଳ ପ୍ରଜାତିମାନଙ୍କୁ ଚିହ୍ନଟ କରିବାର ସ୍ତମ୍ଭଟେ ରଖିଲେ କେମିତି ହୁଅନ୍ତା ?

 ପୁଣି ମୁଣ୍ଡକୁ ସେହି କିନ୍ତୁ ଟେ ଖାଇଲା ଘାଇଲା ମାରିଲା । ଘର ଘର ବୁଲି ଖରା ତରାରେ ଜନଗଣନା ତଥ୍ୟ ସଂଗ୍ରହ କରୁଥିବା ଶିକ୍ଷକ- ଶିକ୍ଷୟତ୍ରୀ ବନ୍ଧୁ-ବାନ୍ଧବୀ ତଥା ବନ୍ଧୁପତ୍ନୀ ମାନେ ମୁଁହ ଫୁଲେଇ ତର୍କ କରିବେ ତଥା ତୁଣ୍ଡ କମାଣରୁ କ୍ଷେପଣାସ୍ତ ଖାଲି ଫଙ୍ଗିବେ ଦାଗିବେ ଯେ ମୋତିମଞ୍ଜ ବଜାର ରାସ୍ତାରୁ ଫାଣ୍ଡି ଛକ ଯାଏଁ ଲମ୍ବିଥିବା ନାକ ସିଧା ରାସ୍ତାରେ ଯାଇ ହେବନି ।

 ମିଛ କହିଲି , ଚାନ୍ଦିପୂରରୁ ଚାନ୍ଦବାଲି-ଚୌଦାର ଯାଏ ଚାଲିବାକୁ ହଲିବାକୁ ଦେବେନି ବୋଧେ। କେବେ କେମିତି ଭେଟ ହେଲେ ବାଟରେ ଘାଟରେ ହାଟରେ ଆଉ ନିସ୍ତାର ରହିବ କି ଏ ଦୀନ ହୀନ ଅକିଞ୍ଚନ ଉଦ୍ଭଟ ଚିନ୍ତକର । ବନ୍ଧୁ-ବାନ୍ଧବୀଙ୍କର ବନ୍ଧୁକ ବିନ୍ଧିବ ଛାତି ଫଟେଇ ଫୁଟେଇ ଗର୍ଜିବ ଅବଶ୍ୟ I

 ଏମିତି ତେଲ ଲୁଣର ଜଞ୍ଜାଳକୁ ମୁଣ୍ଢେଇ ଜୀବନ ଦୈଡୁଥାଏ ଜୀବନର ବଡ଼ଦାଣ୍ଡରେ ଅବିରତ ତଥା ଅବିରାମ ଗତିରେ । କିନ୍ତୁ ଶୟନେ ସପନେ ଅବା ଜାଗରଣେ, ସେହି କିନ୍ତୁ ଟା ଡ଼ାଗରା ଉକୁଣି କାମୁଡିବା ପରି ବେଳ ଅବେଳରେ ମନ ମଗଜକୁ ଅସ୍ତବ୍ୟସ୍ତ କରୁଥାଏ । ଭାବୁ ଭାବୁ ମନ ମସ୍ତିସ୍କଟା ଭାରି ଭାରି ଲାଗେ । କପାଳ କପୋଳରେ ଘିମିରି ପରି ଟୋପା ଟୋପା ଝାଳ ଉକୁଟି ଉଠେ ସଚିତ୍ର ପବିତ୍ର ଝୋଟିଚିତ୍ର ପରି ।

 ଦିନେ ଏମିତି ମୋବାଇଲରେ ରିଲସ୍ ଦେଖୁ ଦେଖୁ ଅଗତ୍ୟା ଏକ ଅଡିଓ ମ୍ୟାସେଜ୍ ଶୁଣିବାକୁ ମିଳିଲା । ହିନ୍ଦୀରେ କଥିତ ଭାଷଣ ପ୍ରବଚନର ସାରାଂଶ କ୍ଲିଷ୍ଟ ଥିବାରୁ ଅନେକ ଥର ଶ୍ରବଣ କରୁ କରୁ ଏମିତି ସ୍ପର୍ଶକାତର ନିଷ୍କର୍ଷ ବାହାରିଲା ।

 କ୍ଷୀର ଆଉ ନୀରର ବନ୍ଧୁତା ବହୁତ ପୁରୁଣା । ପୂରାପୂରି ପ୍ରାକ୍ ଐତିହାସିକ କାଳରୁ । ଯେତେବେଳେ ଦୁହେଁ ମିଶନ୍ତି , କ୍ଷୀର ପ୍ରକୃତ ବନ୍ଧୁ ଭାବରେ ତ୍ୟାଗ ତର୍ପଣ ଅର୍ପଣ ସମର୍ପଣ ମର୍ମରେ ନୀରକୁ ଆଦରି ନିଏ , କୋଳେଇ ନିଏ କୃଷ୍ଣ- ସୁଦାମା ପରି ତଥା ନିଜର ଧଳା ରଙ୍ଗରେ ରଙ୍ଗେଇ ଦିଏ । ଅର୍ଥାତ୍ କ୍ଷୀର ପାଇଁ ନୀର ନିଜର ଅସ୍ତିତ୍ୱକୁ ବିସର୍ଜନ କରିବାକୁ କୁଣ୍ଠାବୋଧ ବି କରେନି । ଆଉ ସ୍ବାର୍ଥପର ମଣିଷ ଯେତେବେଳେ ନିଆଁରେ କ୍ଷୀରକୁ ଗରମ କରେ ନିଜର ସ୍ୱାର୍ଥ ସାଧନ ପାଇଁ , କ୍ଷୀର-ନୀର ସଂପର୍କରେ ଫାଟ ସୃଷ୍ଟିକରେ , ନୀର ବାଷ୍ପ ହୋଇ ଉଡିଯାଏ ସରିଯାଏ ମରିଯାଏ ଜଳିଯାଏ । ନୀରର ଏହି ବିଚ୍ଛେଦକୁ ସହ୍ୟ କରି ପାରେନି ଅନ୍ତରଙ୍ଗ ବନ୍ଧୁ କ୍ଷୀର । ଛାତି ଫାଟି ଯାଏ ତାର । ଦୁଃଖରେ ମ୍ରୀୟମାଣ ହୋଇ ଫୁଲି ଉତୁରେ ଓ ନିଆଁରେ ନିଜକୁ ଆହୁତି ଦେବାକୁ ସ୍ୱତଃ ଡେଇଁ ପଡ଼େ । ଆଉ ସେହି ସମୟରେ କିଛି ସହୃଦୟ ମଣିଷ ମାନେ ଜାଣତରେ ହେଉ ବା ଅଜାଣତରେ ହେଉ, କେଇ ବୁନ୍ଦା ନୀର ଛାଟି ଦିଅନ୍ତି ଭତୁରୁଥିବା କ୍ଷୀର ଭାଣ୍ଡକୁ , ଉତକ୍ଷୀପ୍ତ କ୍ଷୀର ତୁରନ୍ତ ଶାନ୍ତ ହୋଇଯାଏ । ରାଗ ଜୁଆରରେ ଉଟ୍ଟା ଆସିଯାଏ ସଙ୍ଗେ ସଙ୍ଗେ । କ୍ଷୀର ଭାବିବସେ ଯେ ତାର ହଜି ଯାଇଥିବା ସାଙ୍ଗ ତଥା ବାଷ୍ପ ହୋଇ ପଳେଇ ଯାଇଥିବା ବନ୍ଧୁ ପୁଣି ଫେରି ଆସିଛି । ସେ ସହସା ରାଗକୁ ଚଳୁ କରି ପିଇ ପକାଏ , ଶାନ୍ତ ସୁଧିର ହୋଇ ତଳେ ବସିପଡ଼େ ଯଦିଓ ପୋଡ଼ା ପୋଡ଼ା , ମୁହଁ ହାତ ଜଳି ଯିବାର ଗନ୍ଧର ଦଣ୍ଡ କ୍ଷୀରକୁ କଡାଗଣ୍ଡାରେ ଦେବାକୁ ପଡ଼େ ।

 କାନ ମୂଳରେ ମଧ୍ୟପ୍ରଦେଶ ରାଜ୍ୟର ଇନ୍ଦୋର ସହର ନିବାସୀ ବିଶ୍ଵପ୍ରସିଦ୍ଧ ଉର୍ଦ୍ଧୁ କବି ଓ ଲେଖକ ରାହତ୍ ଇନ୍ଦୋରୀ ମହୋଦୟଙ୍କ ସାୟରୀ ଯେମିତି କିଏ କହି ଶୁଣେଇ ଦେଲା - "कुर्बानी के बिना कोई मुकाम नहीं मिलता, यूँ ही किसी को आसमान नहीं मिलता। हर ख़ुशी की अपनी एक कीमत होती है, जन्नत भी उसे मिलती है जो मौत का इम्तिहान देता है।" ମନେ ମନେ ଏହାର ଏମିତି ଓଡ଼ିଆ ରୂପାନ୍ତରକୁ ଗୁଣୁଗୁଣୁ ହୋଇ ପ୍ରୟାସ କରୁଥିଲି । "ବିନା ତ୍ୟାଗରେ କିଛି ବି ମିଳେନା ବିନା ସଂଘର୍ଷରେ ଭାଗ୍ୟର ଦ୍ୱାର ବି ଖୁଲେନା ପ୍ରତ୍ୟେକ ସଫଳତା ପଛରେ ଲୁଚିଥାଏ ଅନେକ ତ୍ୟାଗର ଇତିହାସ ସ୍ୱର୍ଗଲୋକ ପାଇଁ ବି ମୃତ୍ୟୁକୁ ଦେବାକୁ ପଡେ କଡ଼ା ଜୋରିମାନା । "

 ଆଉ କହିବାକୁ ବୁଝିବାକୁ କିସ ବା ରହିଲା । କ୍ଷୀର-ନୀର ସଂପର୍କ କୁହ ବା ଜେଜେମାର ସୁରେନ୍ଦ୍ର- ସମରେନ୍ଦ୍ର ବନ୍ଧୁତାର ମହନୀୟତା କୁହ , ସବୁରି ମୂଳରେ ରହିଛି ସେହି ନୈସର୍ଗିକ ବନ୍ଧୁତାର ମହନୀୟ ଉଦାହରଣ । ଏହି କମନୀୟ ନମନୀୟ ତତ୍ତ୍ୱକୁ କହି ଚାଲିଛନ୍ତି ମଣିଷ ସଭ୍ୟତାର ଆରମ୍ଭ ଦିନରୁ । ଜଣେ ବନ୍ଧୁ ଅନ୍ୟ ଜଣଙ୍କର ବିଚ୍ଛେଦକୁ ସହି ନ ପାରି ନିଜ ଜୀବନକୁ ଶେଷ କରିବାକୁ ବି ପଛେଇବ ନାହିଁ ।

ସାଙ୍ଗ ସାଥିରେ ଗୋଳେଇ ମିଶେଇ ରହିଲେ ଜୀବନ ରଙ୍ଗୀନ ରଙ୍ଗମଞ୍ଚ , ନ ରହିଲେ ଜୀବନ ରଖି କି ଲାଭ ? ହାଏ ! କେତେ ଶତାବ୍ଦୀ ବିତି ଯାଇଥିଲେ ବି ଏହି ମହନୀୟତାକୁ ଆଜିର କଳା ମୁଣ୍ଡିଆମାନେ ବୁଝି ହେଜି ପାରୁଛନ୍ତି କି ? କାଳିଆ ସାଆନ୍ତ ମୋ କଳା ବାମନ ମୋ ଶ୍ରୀକ୍ଷେତ୍ର ଜହ୍ନ। ଏହି କ୍ଷୀର-ନୀର ଜ୍ଞାନାଞ୍ଜନକୁ ଅନ୍ତରଙ୍ଗ ସୁରେନ୍ଦ୍ର-ସମରେନ୍ଦ୍ର ବନ୍ଧୁମାନଙ୍କ କପାଳରେ ତିଳକ ପରି ଭାସ୍ଵର କରିବା ହେବେ । ଏତିକି ଆଶା ଓ ଭରସା ସହିତ ରହୁଛି କାରଣ ଗ୍ୟାସ ଉପରୁ ପୁଣି କ୍ଷୀର ଉତୁରିବ ଉତୁରିବ ହେଲାଣି ନୀର ଭାଣ୍ଡରୁ ।


Rate this content
Log in

Similar oriya story from Inspirational