STORYMIRROR

Panchanan Jena

Inspirational

4  

Panchanan Jena

Inspirational

ପେନ୍ଥା ପେନ୍ଥା ଅତୀତ

ପେନ୍ଥା ପେନ୍ଥା ଅତୀତ

4 mins
0

କ୍ଷୁଦ୍ରଗଳ୍ପ - ପେନ୍ଥା ପେନ୍ଥା ଅତୀତ
ରଚନା - ପଞ୍ଚାନନ ଜେନା
 ତାରିଖ -୩୦-୦୬-୨୦୨୬
 +++++++++++++++++
 କଥାରେ କହନ୍ତି ତଥା ଗୁଗବେ ବଦନ୍ତି କି ଖରାଛୁଟି ଓ ମାମୁଁଘର ପିଲାବେଳର ସବୁଠାରୁ ଅଧିକ ମନେ ପଡୁଥିବା ଅତୀତ ଅନୁରାଗ । ମାତ୍ର ମୋ କ୍ଷେତ୍ରରେ ପୂରା ବ୍ୟତିକ୍ରମ । କାରଣ ଆମ ଘର ଆଉ ମାମୁଁଘର ରାସ୍ତାର ଦୁଇପାଖ | ତେଣୁ ସବୁ ବେଳେ ଆମେ ପାଞ୍ଚ ଭାଇ ଭଉଣୀ ମାମୁଁଘରେ କମ୍ ଅଜାଘରେ ବେଶି ରହିଥାଉ ।

 ଏବେ ବି ମନେ ପଡୁଛି ଅଜାଘରେ ବିତେଇଥିବା ସେଇ ସବୁ ଐନ୍ଦ୍ରଜାଲିକ ବାଲ୍ୟ କୌଶୁର ବେଳର ଅଭୂଲା ଅଲିଭା ସ୍ମୃତି ସଂପଦ । କିନ୍ତୁ ବେଶି ମନେପଡେ ପାକଲା ଆଈର ସେ ଚାବିପେନ୍ଥା।

 ସେ ଖାଲି ଚାବିପେନ୍ଥା ନ ଥିଲା,ଥିଲା ପୂରା ଘରର କର୍ତ୍ତବ୍ୟ-ଦାୟିତ୍ୱ,ଭଲପାଇବା ଆଉ ତ୍ଯାଗର ସନ୍ତକ-ପ୍ରତୀକ । ସବୁବେଳେ ବୁଢୀଆଈର ପଣତ କାନିରେ ଝୁଲୁଥାଏ ସତେ ଯେମିତି କୁହୁକ ମୁଣିର ଖୋଲା ଦ୍ୟୋତକ । ଆମେ ବେଳେବେଳେ ଛୁଇଁ ଦେଲେ କି ହଲେଇ ଦେଲେ, ଠାକୁର ଆଈ ବୁଲିପଡ଼ି କେବଳ ମୁରୁକି ହସିଦିଏ । ତା ପାନଖିଆ ପାକୁଆ ପାଟିଟା କିଛି ସମୟ ପାଇଁ ମେଳାରେ ଉପର ତଳ ଘୁରୁଥିବା ଚକା ଭଉଁରୀ ପରି ବିଭୋର ରାଗରେ ଅନୁରଣିତ ହେଇଯାଏ ।

 ମୋ ପାକୁଆ ଆଈର ଗୋଟେ କାଠ ଆଲମାରୀ ମଧ୍ୟ ଥାଏ । ବୀର ଦର୍ପରେ ମଝିଘର କାନ୍ଥ ପାଖରେ ଠିଆହୋଇଥାଏ । ଆଈ ବି ଥରେ ନୁହଁ ଅନେକ ଥର ଗର୍ବରେ କହୁଥାଏ କି ସେ ଯୌତୁକରେ ଆଣିଛି ବୋଲି । ତା' ବାପା କୁଆଡ଼େ ବେଙ୍ଗଲ ପାନପାରୁଳିଆ ଗାଁର ଉସ୍ତାଦ୍ କାଠ ମିସ୍ତୀଙ୍କୁ ଡକେଇ ରଖେଇ ଖୋଏଇ ପିଏଇ ଗୋଟିଏ ମାସ ପର୍ଯ୍ୟନ୍ତ ବନେଇ ଥିଲେ ଖୋଦ୍ ବାହାଘର ପରେ ଆଈଙ୍କୁ ଉପହାର ଦେବା ପାଇଁ । ସେହି ସବୁ କଥା ଆଈ କେତେ ଥର ଆମ ଆଗରେ କହିଥିବ ମନେ ପଡୁ ନାହିଁ , କିନ୍ତୁ ପ୍ରେତ୍ୟେକ ଥର କହୁଥିଲେ ଆମକୁ ନୂଆ ନୂଆ ଗପ କାହାଣୀ ପରି ଲାଗେ ଆଉ ଆଈର ଫୁଲେଇ ପଣ ବି ଅଳ୍ପ ବହୁତେ ବାରିହୋଇ ପଡ଼େ ।

 ସେହି କାଠ ଆଲମାରୀ ଭିତରେ ସେ କି ଅପୂର୍ବ ଜିନିଷ ଲୁଚେଇ ରଖିଥାଏ କେଜାଣି, ସବୁବେଳେ କୁରୁଣ୍ଡିବା ପିତ୍ତଳ ତାଲାଟେ ଝୁଲୁଥାଏ । ଝାରପଡ଼ା ଜେଲ ରେ ବି ଏତେ କଡ଼ା ପହରା ହେଉ ନ ଥିବ । ଆଲମାରୀ ଟି ଭାରି ସୁନ୍ଦର କମକୁଟ ହେଇଥାଏ । ରଂଗ ଦିଆଯାଇ ଭଲ ଦିଶେ ବି I ସବୁଠୁ ବଡ କଥା ହେଲା ସେଇଟା ସବୁବେଳେ ଆଈ ଆଈ ବାସେ। ପିଲାଦିନୁ ଦେଖିଛି ଆଈ ସେ ଆଲମାରୀ କାହାକୁ ଛୁଇଁବାକୁ ଦିଏନି । କେବେ କେବେ ସେ ଖୋଲିଲା ବେଳେ ଚୁପ୍ ଚାପ୍ ମୁଁ ଯାଇ ଠିଆ ହୁଏ, କଣ ଅଛି ଦେଖିବାକୁ ଇଛା ପ୍ରବଳ କିନ୍ତୁ ଶରୀର ଦୁର୍ବଳ। କଣେଇ କରି ବାଜ ପକ୍ଷୀ ପରି , ଲୁଚି ଲୁଚି ପଣତ ତଳେ ଆଣ୍ଠେଇ କରି ଦେଖି ପକାଏ । ସେହି ଦୁର୍ବାର ଉତ୍କଣ୍ଠା ମନରେ କେତେ ଯେ ଅପାର ଆନନ୍ଦର ଧାରା ପ୍ରବାହ ଆଣିଦିଏ , ଭାବି ବସିଲେ ଦେହ ସିତେଇ ଯାଏ ।

 କିଏ କହେ ! ଅତୀତ ବଡ଼ କଷ୍ଟ ଦାୟକ ତଥା ପିଡ଼ା ବାହକ | ମାତ୍ର ମୁଁ କହିବି ! ଛାତି ଫଟେଇ ଡେଙ୍ଗୁରା ବାଡ଼େଇ କହିବି , ଦାଣ୍ଡ ଦୁଲୁକେଇ ତୁଣ୍ଡ ଲହରେଇ ଚିଲ୍ଲେଇ ଚିଲ୍ଲେଇ କହିବି ଅତୀତ ବି ଆନନ୍ଦଦାୟକ ତଥା ଅନନ୍ତ ଅନ୍ତହୀନ ଆନନ୍ଦର ପରିଚାୟକ ପରିସାୟକ ।

 ଯାହା ମନେପଡୁଛି କିଛି ତ ସେମିତି ନ ଥାଏ ସେଥିରେ । ଅଳ୍ପ କିଛି ଖୁଚୁରା ଟଂକା ପଇସା ରଖିଥାଏ ତା ଛୋଟ ଡବାରେ । ଗହଣା ତ ସେମିତି କିଛି ନ ଥିଲା, ଯାହା ନିତି ଦିନିଆ ପିନ୍ଧି ଥିଲା । କେବଳ କାଚ - କତୁରି କେଇ ଖଣ୍ଡ | ଆଉ ବାକି କିଛି ଚାଇନା ପଥୁରୀ, ଶଂଖ ବାସନ ପୂଜା ଅର୍ଚ୍ଚନା ବେଳେ ବାହାରେ । ଦୁଇ ଚାରି ଖଣ୍ଡ ସୂତା ଶାଢୀ଼ କର୍ପୂର ଦେଇ ଚାରି ଚଉତା କରି ରଖିଥାଏ,ବାସ୍। ଶଂଖା, ରୂପା କଣ୍ଟା ତଥା ସିନ୍ଦୁର ଫରୁଆ କେତେ କୋଣରେ ଯାଙ୍କା ହୋଇଥାଏ । ଶାଢ଼ୀ ଗହଣା ସେତେବେଳେ ସହଜେ କିଣି ହୁଏନି । ସଉକ ଥିଲେ ପଇସା ନ ଥାଏ, ପଇସା ଥିଲା ବେଳକୁ ସଉକ ସବୁ ମରିଯାଇଥାଏ କି ସରିଯାଇଥାଏ । ଜୀବନ ବୋଧେ ଅନେକ ଅଳ୍ପ ବହୁତ ସିଖେଇ ବୁଝେଇ ଦେଇଥାଏ ।

 ତଥାପି ଆଈର ସେ କାଠ ଆଲମାରୀ ପ୍ରତି ଅଦ୍ଭୁତ ଆକର୍ଷଣ, ଆଉ ତାର ଚାବିପେନ୍ଥା ହେଉଛି ତାର ସବୁଠାରୁ ମୂଲ୍ଯବାନ ଜିନିଷ। ପଣତ କାନିରେ ଫଳକାନ୍ଧି ଓହଳିବା ପରି ଓହଳି ପଡିଥାଏ ଆଈର । ଆଈର ଜୀର୍ଣ୍ଣଶୀର୍ଣ୍ଣ ନହକା ବ୍ୟକ୍ତିତ୍ବ ଓଜନିଆ ଲାଗେ । ଆଈ ସାକ୍ଷାତ ମାଆ ସାଆନ୍ତାଣୀ ତଥା ଠାକୁର ଘରେ ଫଟୋରେ ଥିବା ଲକ୍ଷ୍ମୀ ଠାକୁରାଣୀ ପରି ଲାଗନ୍ତି ।

 ବାହାଘର ପରେ ଯେତେବେଳେ ଘରକୁ ଯାଉ ଆଈ ସେ ଆଲମାରୀରେ ଆମ ଭଲପାଉଥିବା କିଛି ଶୁଖିଲା ଖାଦ୍ୟ ବି ମଗେଇ ରଖିଥାଏ, ଗଲା ମାତ୍ରେ କାଢ଼ିକି ଥୋଇ ଦିଏ ପରଶି ଦିଏ । କହେ ଭଲପାଉ ବୋଲି ତୋ ମାମୁଁଙ୍କ ହାତରେ ମଗେଇ ରଖିଥିଲି । ତା ଭଲପାଇବା ଦେଖି ଆଖି ଛଳଛଳ ହେଇଯାଏ । ଲାଗେ ସବୁ ଆଈମାନେ ବୋଧହୁଏ ଏଇମିତି। ମିଛ ଦୁନିଆରେ ନିର୍ଭେଜାଲ ସୃଷ୍ଟି ।

 ଆଈ କେବେଠାରୁ ଚାଲି ଗଲାଣି ଆରପାରିକୁ , ଆକାଶରେ ତାରା ହେଲାଣି ମୋ ମେଟ୍ରିକ୍ ପାସ୍ ବର୍ଷରୁ । ଆଈ କେବେ ମରେନି ତ,ମରେ ସିନା ତାର ମର ଶରୀର । ହେଲେ ସେ ତ ଜୀଇଁ ରହିଥାଏ ଆଲମାରୀର ସେଇ କାଠରେ, ଚାବିପେନ୍ଥାର ଲୁହାରେ, ପୁରୁଣା ଶାଢ଼ୀର କର୍ପୂର ବାସ୍ନାରେ ଆଉ ତା ପିଲା-ଝିଲା ନାତି-ନାତୁଣୀମାନଙ୍କ ସ୍ମୃତି ସିଲଟରେ- ମଲାଟରେ । ଆଈ ଗଲା ପରଠୁ ସତେ ଯେମିତି ସେ ଚାବିପେନ୍ଥାଟି ନିର୍ଜୀବ ହେଇ ପଡିରହିଚି।

 ବଡ଼ ମାଇଁ କିନ୍ତୁ ଏବେ ବି ସଜେଇ ସାଇତି ରଖିଛନ୍ତି ସେ ଆଲମାରୀ ଆଉ ଚାବିପେନ୍ଥା । ଏବେ ବି ମାମୁଁ ଘରକୁ ଅକାଳେ ସକାଳେ ଗଲେ, ସେ କାଠ ଆଲମାରୀକୁ ଛୁଇଁବାକୁ ଇଛା ହୁଏ, ତା ଦେହରୁ ବାହାରୁଥିବା ଆଈ ଆଈ ବାସ୍ନା ବିମୋହିତ କରି ନିଏ ମୋତେ। ଆଖି କୋଣରୁ ଅଜାଣତରେ ନିଗିଡି ପଡେ ଲୁହ କେଇ ବୁନ୍ଦା । ଆଈକୁ ମୁଁ ତା'ରି ଭିତରେ ଦେଖିପାରେ ଭାବିପାରେ ତଥା କଳ୍ପିପାରେ ତାର ସେହି ସ୍ନେହିଳ ଅନାବିଳ ପରଶ ତଳେ କୁଢ଼ କୁଢ଼ ସ୍ନେହଶୀଷ ।

 ପେନ୍ଥା ପେନ୍ଥା ଅତୀତ ମୋତେ ମୋହିତ ବିମୋହିତ କରୁଥାଏ କେବଳ ଛଳଛଳ ଅନର୍ଗଳ ।


Rate this content
Log in

Similar oriya story from Inspirational