STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଜୀବନ ପାତ୍ର ମୋ ଭରିଛ କେତେ

ଜୀବନ ପାତ୍ର ମୋ ଭରିଛ କେତେ

7 mins
5

କ୍ଷୁଦ୍ରଗଳ୍ପ - ଜୀବନ ପାତ୍ର ମୋ ଭରିଛ କେତେ
ରଚନା - ପଞ୍ଚାନନ ଜେନା
ତାରିଖ -୦୬-୧୧-୨୦୨୫
+++++++++++++++
 ନିରୋଳା ପ୍ରହର । ନିସ୍ତବ୍ଧ ବାଲେଶ୍ବର ସହର । ନୀରବ ବ୍ୟାସକବି ମାଟିର ଅନନ୍ତ ଆସର | ନୀଥର କୁଳୁକୁଳୁ ନାଦିନୀ ବୁଢ଼ାବଳଙ୍ଗର ନଦୀତୀର | ଆଉ ଏହି ଏକାନ୍ତ ମୁହୁର୍ତ୍ତମାନଙ୍କ ଆବର୍ତ୍ତରେ ଧାନ - ମୀନ-ପାନର ସୂର୍ଣ୍ଣପ୍ରସୁ ଭୂଇଁର କୂଳମଣ୍ଡଳ କରିଥିବା ମୋର ଅତି ନିଜର ଆପଣାର ଅଗ୍ରଜ ପ୍ରତୀମ ଯୁଗଯନ୍ମା ସନ୍ତାନମାନଙ୍କ ଉପରେ ଏକ ବିହଙ୍ଗାବଲୋକନ କଲେ , କତିପୟ ଜଣାଶୁଣା ହସହସ ମୁହଁ ମନ ଆଇନାରେ ଭାସି ଉଠନ୍ତି | ସେହି ପ୍ରାତଃ ସ୍ମରଣୀୟ ଜନଗଣମନର ହୃଦୟ ସିଂହାସନରେ ମୁକୁଟ ବିହୀନ ଗଜପତି ଦଳପତି ହିସାବରେ ଶୋଭାବର୍ଦ୍ଧନ କରି କର୍ମମୟ ଜୀବନର ସୁମଧୁର ଛାପ ଛାଡିଯାଇଥିବା ହାତ ଗଣତିରେ ଆସୁଥିବା ଆଗ ଧାଡ଼ିର ଉଜ୍ଜଳ ଜ୍ୟାତିସ୍କମାନଙ୍କ ମଧ୍ୟରେ ଅନ୍ୟତମ ବିଶିଷ୍ଟ ବକ୍ତା ପ୍ରବକ୍ତା ତଥା ମନ ତଳେ ସାଇତା ସମ୍ମାନନୀୟ ଅଧିବକ୍ତା କିଛି ଦିଶି ଯାଆନ୍ତି। ସେ ହେଉଛନ୍ତି ବହୁପ୍ରତିଭାଧର ବଡ଼ ଭାଇ ମୋର ଆପଣଙ୍କର ତଥା ସମଗ୍ର ବାଲେଶ୍ଵର ବାସିଙ୍କର ପ୍ରୀୟସେବକ ସ୍ୱର୍ଗତଃ ଶ୍ରୀଯୁକ୍ତ ଗୌରୀ କୁମାର ରାଉତ ମହୋଦୟ ମାନନୀୟେଷୁ ସମୀପେଷୁ ।
 ଆଶ୍ଚର୍ଯ୍ୟ ହେବାର କଥା ତଥା ଆଶ୍ଚର୍ଯ୍ୟ ଚକିତ ହେବାର ବ୍ୟଥା । ଆଜି ସେହି ଚୁମ୍ବକୀୟ ବ୍ୟକ୍ତିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଆଜିର ଏହି ବର୍ଣ୍ଣାଢ଼୍ୟ ସୁଅବସରରେ ଅନେକ ତୁଙ୍ଗ ଉତ୍ତୁଙ୍ଗ ବ୍ୟକ୍ତିମାନେ ଅନେକ ଚିତ୍ତାକର୍ଷକ ଓ ଆଶ୍ଚର୍ଯ୍ୟଜନକ ଉପାୟରେ ଗୌରୀବାବୁଙ୍କୁ ମନେ ପକେଇବେ , କହି ଭାବବିହ୍ୱଳ ହେବେ , ସ୍ମୃତି ରୋମନ୍ଥନ କରି ପରିବେଶକୁ ଅନୁରଣିତ କରିବେ । ମୁଁ ଜଣେ ସାଧାରଣ କାର୍ଯ୍ୟକତ୍ତା , ସାମାନ୍ୟ ସାନଭାଇ ଆଉ ଗୌରୀ ବାବୁଙ୍କ ପରି ଜଣେ ଅସାଧାରଣ ବାଲେଶ୍ବର ଧରା ଧରିତ୍ରୀ ଧରଣୀର ବହୁମୁଖୀ ପ୍ରତିଭାଧାରୀ ରାଜନେତାଙ୍କୁ ଟିକିଏ ବ୍ୟକ୍ତିଗତ ସ୍ପର୍ଶରେ ଉଲ୍ଲେଖ କରିବାକୁ ଚାହେଁ , ହୃଦୟର ଗଭୀରତମ ପ୍ରଦେଶରୁ ଆନୀତ ସ୍କୃତି ଫୁଲରେ ପୁଷ୍ପାଞ୍ଜଳୀ ପୁଟରେ ପୂଜିବାକୁ ଚାହେଁ । ମୁଁ ତାଙ୍କୁ ନିକଟରୁ ଜାଣିଥିଲି, ତାଙ୍କ ସହିତ କାମ କରିବାର ସୌଭାଗ୍ୟ ପ୍ରାପ୍ତ କରିଥିଲି , ତାଙ୍କୁ ଦେଖିଥିଲି ମୋର ଚର୍ମ ଚକ୍ଷୁରେ ଏବଂ ମୋର ହୃଦୟର ସ୍ପନ୍ଦନରେ ତଥା ଆତ୍ମା ବନ୍ଦନରେ ଅନୁଭବ କରୁଥିଲି ।

 ଏକାଧାରାରେ ଗୌରୀ ବାବୁ ପ୍ରଗତିଶୀଳ ଚିନ୍ତାଧାରର ଅଗ୍ରଦୂତ , ସକାରାତ୍ମକ ଶକ୍ତିର ଉତ୍ସକୂପ , ମାନବୀୟ ଭାବନାରେ କୂଳବୁଦ୍ଧ , ମାନବ ସମ୍ବଳର ସମ୍ବଳିତ ଗଣ୍ଠିଲି ତଥା ସରଳ ବିରଳ ତରଳ ବ୍ୟକ୍ତିତ୍ଵରେ ସମାହିତ ଜଣେ ଜଣାଶୁଣା ଦରଦୀ ବଡ଼ଭାଇ । କଥାରେ କହନ୍ତି ବିଦ୍ୱାନ ବଦନ୍ତି ଆଦିଗରୁ ଶଙ୍କରାଚାର୍ଯ୍ୟଙ୍କ ଶବ୍ଦପୁଞ୍ଜ- ପୁନରପି ଜନମମ୍ , ପୁନରପି ମରଣମ୍ ,ପୁନରପି ଜନନୀ ଜଠରେ ଶୟନମ୍। ଅର୍ଥାତ୍ ଜନ୍ମ ଅଛି ମାନେ ମୃତ୍ୟୁବି ନିଶ୍ଚିତ , ଅବିଶ୍ୱାସ୍ୟ ହେଲେ ବି ଅବଶ୍ୟମ୍ଭାବି ତଥା ଅବିସମ୍ବାଦିତ ନିରାଟ ସତ୍ୟ । ଆଉ ଯଦି ସେହି ନଶ୍ବର ଜୀବନ ଅନ୍ୟ କାହାର କାମରେ ବିନିଯୋଗ ହୋଇପାରିଲା, ଅନ୍ୟର ଉପକାରରେ ବିଶେଷକରି ସମାଜ କଲ୍ୟାଣରେ ଉପଯୋଗ ହୋଇପାରିଲା ତାହା ହିଁ ତ ପରମ ସୌଭାଗ୍ୟ । ଗୌରୀ ଭାଇଙ୍କ ଏହି ପରି ଆଦର୍ଶ ମୂଳକ ଚିନ୍ତା ଚେତନା ବେଳ ଅବେଳରେ ମନ ମସ୍ତିସ୍କକୁ ଧସେଇ ପଶିଆସେ ଉତ୍ତରା ପବନ ପରି ଆଉ ପ୍ରେରିତ କରେ ସମାଜସେବାରେ ଦଶଗୁଣା ଉତ୍ସାହରେ ଆଗକୁ ପାଦ ପକେଇବାକୁ l

 ପ୍ରକୃତିପ୍ରେମୀ ଗୌରୀବାବୁ ଜଣେ ଅଜ୍ଞାକାରୀ ପୁଅ । ବାପା - ବୋଉଙ୍କ ପାଦଛୁଇଁବାର ଅନେକ ଅଲିଭା ଦିନକୁ ମନେ ରଖିଛି ଏ ଅଧମ ଅକିଞ୍ଚନ ସାନଭାଇ । ବ୍ୟକ୍ତିଗତ ଜୀବନରେ ଜଣେ ମିଷ୍ଟଭାଷୀ ପରୋପକାରୀ ଅମାୟିକ ମିଳନପ୍ରୀୟ ତଥା ସାଲିସ ବିହୀନ ସଂପର୍କର ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ପ୍ରବୀଣ ଧୂରିଣ ରାଜନେତା ଥିଲେ । ଅନ୍ୟର ମନରେ ଘର କରିବାର ଅପୂର୍ବ କଳା କୌଶଳ ଲୁଚେଇ ରଖିଥାନ୍ତି ତଥା ସମୟ ସୁବିଧା ଦେଖି ହସହସ ମୁଁହରେ ପ୍ରୟୋଗ କରି କୃତକାର୍ଯ୍ୟ ହେବାର ଅନେକ ବଳିଷ୍ଠ ଉଦାହରଣ ଆଜି ବି ଜଳଜଳ ହୋଇ ମନେ ପଡି ଯାଉଛି l ଯଦିଓ ବିଜୁ ଜନତା ଦଳର ସଂକଟ ମୋଚନ ଭାବରେ ପରିଚିତ ଥିଲେ କିନ୍ତୁ ଦଳମତ ନିର୍ବିଶେଷରେ ସବୁ ଦଳୀୟ କର୍ମୀମାନଙ୍କ ସହିତ ସୁସଂପର୍କ ରଖିବାକୁ ସତତ ଚେଷ୍ଟିତ ଥିଲେ । ବାହାଘର , ବ୍ରତଘର , ମୃତାହ କର୍ମ ତଥା ପୂଜା ପାର୍ବଣରେ ସର୍ବାଗ୍ରେ ଉପସ୍ଥିତ ରହି ପରିସ୍ଥିତିକୁ ସମ୍ଭାଳି ନେବାରେ ଗୌରୀବାବୁଙ୍କ ବଳିଷ୍ଠ ବ୍ୟକ୍ତିତ୍ୟ ଆଗରେ ବାଲେଶ୍ବର ମାଟି ପାଣି ପବନ ସଦା ସର୍ବଦା ଋଣୀ ହୋଇ ରହିବ ଓ ରହିଥିବ ।

 ରାଜନୈତିକ ପରିବାରରେ ଜନ୍ମଗ୍ରହଣ କରିଥିଲେ ହେଁ , ପ୍ରାକ୍ତନ ବାଲେଶ୍ଵର ମାଟିର ଯଶସ୍ଵୀ ବିଧାୟକ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ରାଉତ ତଥା ମହିୟସୀ ମାତା ଲକ୍ଷ୍ମୀପ୍ରୀୟା ଦେବୀଙ୍କ କୋଳମଣ୍ଡନ ୨୩ ନଭେମ୍ବର ୧୯୫୯ ମସିହାରେ କରିଥିଲେ ହେଁ , ତାଙ୍କଠାରେ କେବଳ ନିଷ୍କପଟ ସାଧାରଣ ମଣିଷର ଚିତ୍ର ଚରିତ୍ର ଦେଖିବାକୁ ପାଇଥିଲି , ଅସାଧାରଣ ଆଚରଣ ତଥା ଉଚ୍ଚାରଣର ଆଭାସି ସଙ୍ଗମ ଅଙ୍ଗେନିଭେଇଥିଲି | ଚାରି ଭଉଣୀ ଓ ଦୁଇ ଭାଇଙ୍କ ସହିତ ବିଶାଳ ଯୌଥ ପରିବାରରେ ଲାଳନପାଳନ ହୋଇଥିବା ଯୋଗୁଁ ଗୌରୀବାବୁଙ୍କ ଠାରେ ସମସ୍ତଙ୍କୁ ସାଥିରେ ନେଇ ସଂସ୍ଥା ଗଢିବା , ସମସ୍ୟା ଆସିଲେ ସମବେତ ଭାବରେ ଛାତି ପତେଇ ଲଢ଼େଇ କରିବା , ରାତି ରାତି ଉଜାଗର ସହି ସମସ୍ୟାର ସମ୍ୟକ ସମାଧାନ ଖୋଜିବା ତଥା ଗୁରୁଜନଙ୍କର ଆଶିର୍ବାଦ ଓ ସାନମାନଙ୍କର ପରାମର୍ଶକୁ ମନକର୍ଣ୍ଣ ଧ୍ୟାନ ଦେଇ ଶୁଣିବା, ଆକଣ୍ଠ କରିବା ଏବଂ ଶେଷରେ ସମସ୍ତଙ୍କୁ ସୁହେଇଲା ଭଳି ସମାଧାନ ପେଡି ପୋଟଳା ଖୋଲିଦେବାର ଝଲକ ଦେଖିଛି ଏ ଦୀନ ହୀନ ଅକିଞ୍ଚନ ଥରେ ନୁହଁ ଅନେକ ଥର , ଅସରନ୍ତି ଅବସର |

 ମାଟିମନସ୍କ ପ୍ରାଣସତ୍ତାରେ ନିମମ୍ନ ତପସ୍ଵୀ କହିଲେ ଅତ୍ୟୁକ୍ତି ହେବନାହିଁ ଗୌରୀ ବାବୁଙ୍କୁ । ନିଜ ଜନ୍ମମାଟି ସାହାଦା ଗାଁ ତାଙ୍କ ପାଇଁ ଭୂସ୍ବର୍ଗ ଥିଲା କାରଣ କଥା କଥାକେ ସେହି ଜନ୍ମମାଟିର ଉଚ୍ଚାରଣ ତାଙ୍କ କପୋଥକଥନରେ ବାରମ୍ବାର ଆସି ଯାଉଥିଲା ସ୍ବତଃସ୍ଫୁର୍ତ୍ତ ଉଦବେଳନ ମାଧ୍ୟମରେ | ସେହି ସାହାଦା ମାଟି ମଟାଳରେ ସେ ଛାଡି ଯାଇଛନ୍ତି ମାଟିର ମଣିଷମାନଙ୍କୁ ନିଃସ୍ଵାର୍ଥ ଭଲ ପାଇବାର ଅମୀୟ ସ୍ୱାକ୍ଷର , ଫୁଟେଇ ଯାଇଛନ୍ତି କାକର ବୁନ୍ଦାରେ ଝଲମଲ ହୀରକ ମହ୍ଲାର , ଗଜୁରେଇ ଦେଇଛନ୍ତି ମଳିମୁଣ୍ଡିଆ କୃଷକମାନଙ୍କ ମୁଁହରେ ସ୍ଵର୍ଣ୍ଣାଭ ହସ୍ତାକ୍ଷର । ଗର୍ବର ସହିତ ମୁଁ କହିବାକୁ ଚାହେଁ ଯେ ଗୌରୀ ବାବୁଙ୍କ ସ୍ୱର୍ଗାରୋହଣ ଦିନ ୩୦ ନଭେମ୍ବର ୨୦୨୪ ତାଙ୍କୁ କାୟମନୋବାକ୍ୟରେ ଭଲ ପାଉଥିବା ଲକ୍ଷ ଲକ୍ଷ ଜନତାଙ୍କର ଲୋତକରେ ଆକ୍ତାମାକ୍ତା ଜନସମୁଦ୍ର । ଭୂଲି ପାରୁନି ସେହି ଲୋମଟାଙ୍କୁରା ଦୃଶ୍ୟରେ ଲୁଚି ରହିଥିବା ଅମ୍ଳାନ ସ୍ନେହ ତଥା ଭଲପାଇବାର ଦ୍ରଷ୍ଟବ୍ୟ ଉଦାହରଣ | ସଲାମ୍ ଗୌରୀବାବୁ , ଏ ମାଟି ମା' ପାଇଁ ତୁମେ ଅଜେୟ ଅମର ତଥା ଚିର ଭାସ୍ୱର ଯୁଗେ ଯୁଗେ କାଳେ କାଳେ ଯାବତ୍ ଉଉଁଥିବ ଭାସ୍କର |

 ଆନୁଷ୍ଠାନିକ ସଙ୍ଗଠକ ତଥା ବଳିଷ୍ଠ ବ୍ୟକ୍ତିତ୍ବରେ ଧନୀ ଥିଲେ ଗୌରୀବାବୁ । ସବୁବେଳେ ଗୁଡ଼ୁ ଗ୍ରାମପଞ୍ଚାୟତ ,ଚାନ୍ଦିପୁର ଥାନା , ସାହାଦା ଉଚ୍ଚ ବିଦ୍ୟାଳୟ , ଫକୀରମୋହନ ମହାବିଦ୍ୟାଳୟରେ , ବାଲେଶ୍ଵର ଆଇନ ମହାବିଦ୍ୟାଳୟ ଇତ୍ୟାଦି ଅନୁଷ୍ଠାନମାନଙ୍କ ପାଇଁ ସ୍ବପ୍ନ ଦେଖୁଥିଲେ , ଆଉ ଦୁଇ ପାଦ ଆଗକୁ ବଢ଼େଇ ନେବାରେ ପାରୁ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଥିଲେ । ନିଜର କର୍ମକ୍ଷେତ୍ର ଧର୍ମକ୍ଷେତ୍ର କୁରୁକ୍ଷେତ୍ର କହି ନୂଆ ଚିନ୍ତାଧାରାର ଆଢୁଆଳରେ ବୁଣି ପାରୁଥିଲେ ବିକାଶର ମଞ୍ଜି , ଚାରା ଲଗେଇ ପାରୁଥିଲେ ଦୂରଦୃଷ୍ଟିର ପରିଚୟ ଦେଇ | କହିବାକୁ ବାଧ୍ୟ ହେଉଛି , ସବୁ ବିଦ୍ୟାଳୟ , ଉଚ୍ଚ ବିଦ୍ୟାଳମ୍ଭ , ମହାବିଦ୍ୟାଳୟମାନଙ୍କୁ ଗୌରୀ ବାବୁଙ୍କ ପରି ସୁଛାତ୍ର ମିଳୁ କାରଣ ତାଙ୍କର ନିଃଶ୍ୱାସ ପ୍ରସ୍ୱାସରେ ରକ୍ତ ପ୍ରବାହରେ ଶିରା ପ୍ରସିରାରେ କେବଳ ସେହି ସ୍ଵଅନୁଷ୍ଠାନମାନଙ୍କର ନବକଳେବର ଶୟନେ ସପନେ ଅବା ଜାଗରଣେ କିପରି ସମ୍ଭବ ହେବ ତା'ର ମାନଚିତ୍ର ନେଇ ଘୁରି ବୁଲୁଥିଲେ ପଚାରି ହେଉଥିଲେ । ଆଭୂମ ପ୍ରଣାମ କରୁଛି ଅନ୍ତର ତଳର ଅନନ୍ତ ପ୍ରଦେଶରୁ ଏହି ପରି କରିତକର୍ମା ବିଶ୍ଵକର୍ମା ଗୌରୀ ଭାଇଙ୍କୁ ।

 ସମାଜସେବାର ପୃଷ୍ଠଭୂମୀରେ ସବାର ହୋଇ ରାଜନୀତିର ବଡ଼ଦାଣ୍ଡରେ ପାଦ ଦେଉ ଦେଉ ଅନେକ ମାନ ସମ୍ମାନରେ ସମ୍ମାନିତ ହୋଇଥିଲେ ଗୌରୀ ବାବୁ | ୧୯୭୭ ମସିହାର ବିଧାନସଭା ନିର୍ବାଚନରେ ପିତୃଦେବଙ୍କ ପାଇଁ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ରାଉତ ମହୋଦୟଙ୍କ ମଙ୍ଗୁଆଳ ସାଜି ଜନତା ଦଳର ଟିକେଟରେ ବିଜୟୀ କରିବାରେ ସକ୍ଷମ ହୋଇଥିଲେ ବାଲେଶ୍ଵର ନିର୍ବାଚନ ମଣ୍ଡଳରୁ | ତୃଣମୂଳ ସ୍ତରରୁ ଗୌରୀବାବୁ ପାହାଚ ପରେ ପାହାଚ ଚଢ଼ି ଅନେକ ରାଜନୈତିକ ସୋପାନ ଅବଲମ୍ବନ କରିଥିଲେ । ମନେ ପଡିଯାଏ ତାଙ୍କର ସୁଦୀର୍ଘ ରାଜନୈତିକ ଜୀବନର ଉର୍ଦ୍ଦ୍ବଗାମୀ ପାହାଚ । ୧୯୮୬ ମସିହାରୁ ଛାତ୍ର ରାଜନୀତି , ପଞ୍ଚାୟତ ରଣାଙ୍ଗନ ତଥା ବିଜୁ ଜନତାଦଳରେ ଉପସଭାପତି ପଦରେ ଆସୀନ ହେବାର ପଛରେ ଥିବା ଲମ୍ବା ସଂଘର୍ଷ ସହିତ ଲୋକଙ୍କ ମଧ୍ୟରେ ଜଣେ ପରିଚିତ ମୁହଁ । ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ପର୍ଶୁରାମ ପାଣିଗ୍ରାହୀ ମହୋଦୟ ହୁଅନ୍ତୁ କିମ୍ବା ପ୍ରାକ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନାଥ ମହାନ୍ତି ମହୋଦୟ ହୁଅନ୍ତୁ ଅଥବା ପ୍ରାକ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ଅନନ୍ତ କୁମାର ଦାସ ମହୋଦୟ ହଅନ୍ତୁ ଅବା ପ୍ରାକ୍ତନ ସାଂସଦ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଜେନା ମହୋଦୟ ହୁଅନ୍ତୁ , ବିଜୁ ଜନତା ଦଳରେ ଏକ ସ୍ଵତନ୍ତ୍ର ପଦବୀ ଗୌରୀ ବାବୁଙ୍କ ପାଇଁ ସଂରକ୍ଷିତ ହୋଇ ରହିଥାଏ ପରି ଲାଗୁଥିଲା । ଦଳ ପାଇଁ ସର୍ବାଦୌ ସମର୍ପିତ ସେବକ ହିସାବରେ ଜଣେ ପ୍ରଥମ ଫକ୍ତିର ରାଜନେତା ହିସାବରେ ସର୍ବୋଚ୍ଚ ସ୍ତର ଠାରୁ ତଳସ୍ତରର ସହକର୍ମିମାନଙ୍କ ସହିତ ନିରବଛିନ୍ନ ସମାନ୍ତରାଳ ସଂପର୍କ ରଖି ପାରୁଥିଲେ । ପ୍ରଖର ସ୍ମରଣ ଶକ୍ତି ତଥା ପ୍ରବୀଣ ସାରଥୀ ପରି ଦିନ ରାତିକୁ ଏକାକାର କରି ଦଳକୁ ଜିତାପଟ କରିବା ପାଇଁ ଯେଉଁ ପ୍ରକାର ମୂଲ୍ୟ ଦେବାକୁ ସର୍ବଦା କର୍ମତତ୍ପର ହୋଇଉଠୁଥିଲେ । ଏପରି ବିରଳ ପ୍ରଜାତିର ରାଜନେତାଙ୍କୁ ବର୍ଷେ ପୂର୍ବରୁ ହରେଇ ବିଜୁ ଜନତା ଦଳ ଜଣେ ସଚ୍ଚୋଟ ସତ୍ୟନିଷ୍ଠ ପରୋପକାରି କର୍ମକର୍ତ୍ତାଙ୍କୁ ହରେଇ ନାହିଁ ବରଂ ବାଲେଶ୍ଵର ମା' ତାର ପ୍ରୀୟ ସନ୍ତାନକୁ ହରେଇ ଝୁରି ହେଉଛି ରୋଦନ କରୁଛି ଗୁମୁରି କାନ୍ଦୁଛି ଛାତି ବିଦାରି ରୁଧିର ବୁହେଇ ଚାଲିଛି । ସେହି ଶୂନ୍ୟସ୍ଥାନ ବହୁ ଦିନ ଧରି ଅପୂରଣୀୟ ରହିଲେ ଦଳ ପାଇଁ ଅନେକ କ୍ଷତି ହେଇପାରେ ବୋଲି ମୋର ଅନୁମେୟ ।

 କହିରଖେ , କେବଳ କ୍ରିକେଟରେ ହିଁ ହ୍ୟାଟ୍ରିକ୍ ହୁଏ ଜଣାଥିବ । ମାତ୍ର ଅନ୍ୟ ଏକ ହ୍ୟାଟ୍ରିକ୍ ରେକର୍ଡ କରିଛନ୍ତି ଗୌରୀ ବାବୁ ଯାହା ତାଙ୍କୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିବ ବାଲେଶ୍ବର ମୁଖରିତ ଇତିହାସର ପୃଷ୍ଠାରେ ଯୁଗେ ଯୁଗେ । ୨୦୧୨ ରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ବ୍ରିଟ( Balasore Regional Improvement Trust ) ଚେୟାରମ୍ୟାନ ପଦ ଅଳଙ୍କୃତ କରିବାର ସୌଭାଗ୍ୟ ପ୍ରାପ୍ତି କରିବାରେ ଗୌରୀ ଭାଇ ଅନନ୍ୟ ଉଦାହରଣ ସ୍ଥାପିତ କରି ଯାଇଛନ୍ତି । ତାଙ୍କର ଅଲିଭା ପଦଚିହ୍ନର ଛତ୍ରେ ଛତ୍ରେ ପ୍ରୀୟ ବାଲେଶ୍ବର ସହରର ଉତ୍‌ଥାନ ତଥା ଉଡ୍ଡୀୟମାନ ଭବିଷ୍ୟତ ଅଙ୍ଗାଙ୍ଗୀ ଭାବେ ଜଡିତ ଆଉ ସେହି ମଙ୍ଗଳମୟ ମାହେନ୍ଦ୍ରବେଳାର ଭାସ୍ୟକାର ହିସାବରେ ଗୌରୀଭାଇ ରହିବେ ରହିଥିବେ ସମୟ ସାଗର ତୀରେ ସୁନେଲି ରୂପେଲି ତରଙ୍ଗ ମାଳାର ଯୁଆର ଭଟ୍ଟାରେ ।

 ଛାତି ତଳେ ପୁଞ୍ଜଭୂତ କୋହର ଦେଦୀପ୍ୟମାନ କୋଳାହଳ । ମନ ତଳେ ଅକୁହା କଥାର କୁଢ଼ କୁଢ଼ ଲୋକଟାଙ୍କୁରା ମାନବତାର ବାଣୀ ଝଙ୍କାର । କେବେ ବି ଭୂଲି ହେବନି ସେହି ଦୁଇ ଦିନ l ଯେଉଁ ଦୁଇ ଦିନ ମୋ ଜୀବନର କଳାବାଦଳ ପରି ହଠାତ୍ ଘୋଟି ଆସିଥିଲା ଏବଂ ମୋତେ କ୍ରନ୍ଦନରତ ଶିଶୁ ଶାବକ ପରି ଚଳିତ ଶକ୍ତିହୀନ କରି ଦେଇଥିଲା , ସେହି ଭଳି ଘଡିସନ୍ଧି ମୁହୁର୍ତ୍ତରେ ଗୌରୀ ବାବୁ ଜଣେ ଦରଦୀ ବଡ଼ ଭାଇ ହିସାବରେ ତାଙ୍କର ବିଶାଳ ଛାତି ତଳେ ଆଶ୍ରୟ ଦେଇଥିଲେ , ତାଙ୍କର ମାନବିକତାର ଶୁଦ୍ଧ ପବିତ୍ର କାନ୍ଧରେ ମୋ ଆକ୍ତାମାକ୍ତା ଶରୀରକୁ ସାହାରା ଦେଇଥିଲେ । ପୂରା ଦିନ ମୋ ପାଖରେ ରହିଥିଲେ ବସିଥିଲେ ବୁଝେଇଥିଲେ ପ୍ରବୋଧନାର ଚନ୍ଦନ ପ୍ରଲେପରେ ମୋର ଭାରାକ୍ରାନ୍ତ ମନକୁ ବାରମ୍ଵାର ହାଲୁକା କରିବାର ଯେଉଁ ପ୍ରଚେଷ୍ଟା ଯୋଜନା କରିଥିଲେ , ତାହା କଦାପି ଭୂଲି ହେବନି ମୋ ଦ୍ୱାରା । ମୋର ମାଆ ଓ ବାବା ଯଉଁ ଦିନ ସ୍ବର୍ଗାରୋହଣ କରିଥିଲେ ଅର୍ଥାତ ( ସେହି ଦୁଇ ତାରିଖ ) | ଗୌରୀ ବାବୁଙ୍କର ବିପଦ ସମୟରେ ଅଯାତିତ ସ୍ନେହ ଓ ଭଲ ପାଇବା ମୋର ଜ୍ଞାତି କୁଟୁମ୍ବ ବନ୍ଧୁ ସହୋଦର ମାନଙ୍କଠାରୁ ଏତେ ଭିନ୍ନ ନିଆରା ଥିଲା ଯେ ଆଜି ବି ମୋର ମନ ଚୈତନରେ ବିଜୟ କେତନ ଉଡେଇ କହି ଯାଉଛି ସେହି ମୁରୁକି ହସର ପଛେ ପଛେ ଅନେକ ଅସରନ୍ତି କରୁଣ କାହାଣୀର ଲେପ ପ୍ରଲେପ ତଥା ପ୍ରତିବିମ୍ବର ପରାର୍ଦ୍ଧେ ପ୍ରମାଣ କାୟମନୋବାକ୍ୟରା ପରୋପକାର ।

ଉପସଂହାରରେ ସ୍ବର୍ଗତ ଶ୍ରୀଯୁକ୍ତ ଗୌରୀ କୁମାର ରାଉତ ବାବୁଙ୍କ ଅବଦାନାର୍ଥେ ସମ୍ମାନାର୍ଥେ କେବଳ ଏତିକି ଯଥାର୍ଥ ହେବ ବିଶ୍ଵବିଖ୍ୟାତ ଋଷୀୟ ଲେଖକ ଲିଓ ଟଲଷ୍ଟୟଙ୍କ ଉକ୍ତି --If you feel pain , you are alive . But if you feel the pain of others , you are human .


Rate this content
Log in

Similar oriya story from Inspirational