ମହିଳା ସଶକ୍ତିକରଣ
ମହିଳା ସଶକ୍ତିକରଣ
ସମୟ ଅପରାହ୍ନ ଚାରିଟା ବାଜି ପାଞ୍ଚ ମିନିଟ ।ତାରିଖ ୦୪-୦୯-୨୯୨୪ । ଦିନ ବୁଧବାର । ଯାତ୍ରା ରାଉଲକେଲା ଇଣ୍ଟରସିଟି ସୁପରଫାଷ୍ଠରେ । ଷ୍ଟେସନ ତାଳଚେର ରୋଡରୁ ରାଉଲକେଲା ଜଙ୍କସନ୍ ପର୍ଯ୍ୟନ୍ତ । କାରଣ - ପିଉସୀ ଝିଅ ପୁଅ - ପୁତୁରାର ବି ଟେକ୍ ଏଡମିଶନ ବିପିୟୁଟି, ରାଉଲକେଲାରେ ୦୫-୦୯-୨୦୨୪ ରେ । ଆମେ ଡି- ଫର୍ଥ ସିଟ୍ ସଂଖ୍ୟା ୩୨,୩୩ ଏବଂ ୩୪ ରେ ବସିଥାଉ ।
ଅଭାବନୀୟ ଘଟଣାଟି ଦେଖିଲା ଏ ନେତ୍ର ।ସମ୍ୱଲପୁର ସିଟି ଷ୍ଟେସନ ପରେ ପରେ ଜଣେ ଲମ୍ବାବପୁ ଧାରି ୨୦-୨୨ ବର୍ଷର ଭେଣ୍ଡିଆ ପିଲାଟିଏ ଖାଲି ଦେହରେ ତଳେ ଆଣ୍ଠେଇ ଆଣ୍ଠେଇ ଗୋଟେ ନାଲି ରଙ୍ଗର ପୁରୁଣା ଟିସାର୍ଟ ଧରି ଟ୍ରେନର ସିଟ ତଳେ ପଡିଥିବା ବାଦାମ ଚୋପା, ବିସ୍କୁଟ କାଗଜ , କୁରକୁରେ ତଥା ଲେଜ୍ ର ରେପର୍ , ଖାଲି ପାଣି ବୋତଲ ଇତ୍ୟାଦି ଇତ୍ୟାଦି ଝାଡୁ ମାରିବା ପରି ସଫେଇ କରି ଚାଲିଥାଏ । ଅଳ୍ପ ଅଳ୍ପ ଛେଳି ଦାଢି ପରି ଗୋଛାଏ ବାଳ ଗଜୁରି ଥାଏ ଲମ୍ବା ଦାଢିରେ । ଝଙ୍କାଏ କୁଞ୍ଚୁକୁଞ୍ଚିଆ ବାଳ ମଥାରେ କାନ ଉପରକୁ ଝୁଲି ରହିଥାଏ । ତେଲ ଲାଗିନାହିଁ କେତେ ଦିନରୁ ବୋଧେ । ଗାଧୋଇ ନ ଥିଲା ପଶି ଦିଶୁଥାଏ ଯୁବକଟି । ପୂରା ଅପରିସ୍କାର ଦିଶୁଥାଏ ପୁଅଟା ।
ଆମେ ସମସ୍ତେ ଜାଣୁ ଯେ ଝାଡୁ ସରିବା ପରେ ସେ ପିଲାଟି ପଇସା ମାଗିବ ଇତ୍ୟାଦି ଇତ୍ୟାଦି । ମାତ୍ର କିଛି ନୂଜନତା ଭରି ରହିଥିଲା ଆଜିର ଏହି ଘଟଣାରେ ।
ପିଲାଟି ମୂକ ପରି ଖାଲି ଯାତ୍ରୀ ମାନଙ୍କ ଆଖିରେ ଆଖି ମିଶେଇ ନେହୁରା ହେଉଥିଲା , ପେଟ ଦେଖେଇ ଖାଇନାହିଁ କହି କିଛି ପଇସା ଦେବାକୁ ଇଙ୍ଗିତ କରୁଥିଲା , ଅଶ୍ରୁ ଛଳ ଛଳ ଆଖିରେ କରୁଣ ମୁଖାରବିନ୍ଦରେ ଅନୁନୟ ବିନୟର ନିପୁଣତା ଫୁଟେଇ ଇଶାରାରେ କହୁଥିଲା କି କିଛି ପଇସା ଦେଲେ ମୋ ପେଟରେ ଦାନା ପଡ଼ନ୍ତା ତଥା ଉପରେ ବସିଥିବା ଈଶ୍ଵର ତୁମର ମଙ୍ଗଳ କରନ୍ତେ ।
କି ଜୀବନ୍ତ ଅଭିନୟ । ଏମିତି କଳାତ୍ମକ ଗୁଣମୁଗ୍ଧ ନିପୁଣ ଅଭିନୟ ଆପଣ ଶିବାନୀ ଅଥବା ବିଶ୍ଵ ଦରବାର ଅପେରା ପ୍ୟାଣ୍ତଲରେ ଦେଖି ନ ଥିବେ । ମିଛ କହୁନି ! ଆଖି ପଲକ ମାରିବାକୁ ଭୁଲିଯିବେ ଆଜ୍ଞା ।
ଯାହା ବି ହେଉ , ପିଲାର ନିଖୁଣ ମୂକାଭିନୟରେ ଅନେକ ଯାତ୍ରୀଙ୍କର ପଥର ହୃଦୟରେ ଦୟା ଭାବନା ଉଦ୍ରେକ ହେଲା । ଏକ - ଦୁଇ-ପାଞ୍ଚ-ଦଶଟଙ୍କା ପର୍ଯ୍ୟନ୍ତ ଲୋକେ ବଦାନ୍ୟତାର ଦ୍ବାହି ଦେଇ ଅତି ଯତନରେ ପିଲାଟିର ମଇଳା ପାପୁଲିରେ ଦେଉ ଦେଉ ନିଜକୁ କୃତାର୍ଥ ମଣୁଥିବାର ଛଟା ମୁଖମଣ୍ଡଳର ହାବ ଭାବରୁ ଅନୁମେୟ ହେଉଥିଲା ।.
କିଛି ବ୍ୟକ୍ତି "ରୂହ " କହି ପିଲାକୁ ତଳେ ବସେଇ ରଖିଲେ ଏବଂ ବ୍ୟାଗ ଅଣ୍ଡାଳି ଅଣ୍ଡାଳି ପ୍ୟାକେଟ୍ ଦରାଣ୍ଡି ଦରାଣ୍ଡି , ପର୍ସର ଚେନ୍ ଖୋଲି ମନ୍ଥି ଚାଲିଥିଲେ ଯେମିତି ବହୁତ କିଛି ୧୦୦-୨୦୦ ଟଙ୍କା ଦାନ କରିବେ । ହେଲା ବେଳକୁ ମାତ୍ର ଦୁଇ ଟଙ୍କିଆ କଏନ୍ ଟିଏ ମାତ୍ର ।ଅନ୍ୟ ସହ ଯାତ୍ରୀମାନେ ସତୃଷ୍ଣ ନୟନରେ ଫୁଟାଣିଆ ଦୃଶ୍ୟକୁ ଉପଭୋଗ କରୁଥିଲେ ମୋବାଇଲ୍ କେଞ୍ଚାରୁ ସାମାନ୍ୟ ଅବ୍ୟାହତି ନେଇ ।
ଜଣେ ବୟସ୍କ ଭଦ୍ରବ୍ୟକ୍ତି ଆଉ ସମ୍ଭାଳି ପାରିଲେ ନାହିଁ ଏ ପ୍ରହସନ । ସମସ୍ତଙ୍କୁ ଶୁଣେଇ କହିଲେ - ଏ ପିଲା ମାନେ ସବୁ ଅସାମାଜିକ ତତ୍ତ୍ଵ । ଝାଡୁ ମାରିବା ଭଳି ସସ୍ତା ଉପାୟ ମାଧ୍ୟମରେ ପଇସା ନେଇ ମଦ - ଗଞ୍ଜେଇ ତଥା ଅନ୍ୟ ନିଶାଦ୍ରବ୍ୟ ପାନ କରିବେ । ନିବୃତ୍ତ ରହିଲେ ଭଲ ହୁଅନ୍ତା । ମୁଁ ନିୟମିତ ଯାତ୍ରା କରେ ଏହି ଟ୍ରେନରେ । ଏମିତିକା ଘଟଣା ଦେହସୁଆ ହେଲାଣି । ବୁଝନ୍ତୁ ଆପଣ ମାନେ , ହେଜନ୍ତୁ ସଚେତନ ନାଗରିକମାନେ ।
ସମସ୍ତେ ଶୁଣିଲେ । ମନେ ମନେ ବୋଧେ ତର୍ଜମା କରିଲେ । କିଛି ପ୍ରଭାବ ପଡିଲାନି ଜଣା ଗଲା ।
ଜଣେ ଭଦ୍ର ମହିଳା ତାଙ୍କ ନୂଆ ଚକ୍ ଚକ୍ ଟଙ୍ଗା ଭ୍ୟାନିଟି ବ୍ୟାଗ୍ ଓହ୍ଲେଇ ଆଣିଲେ ହୁକ୍ ରୁ , ଜିପ୍ ଖୋଲିଲେ , ଛୋଟ ମନିପର୍ସ ଖୋଲିଲେ ଆଉ ସମସ୍ତଙ୍କୁ ଦେଖେଇ ଶୁଣେଇ ୫୦ ଟଙ୍କା ଦେଲେ ଓ କହିଲେ ପେଟେ ଭାତ-ତରକାରୀ ଖାଇନେବୁ । ପିଲାଟା କୃତ୍ୟ କୃତ୍ଯ ମୁଦ୍ରାରେ ତଳେ ଦଣ୍ଡବତ ମାରି ଆଗେଇଲା ଅନ୍ୟ ସିଟ୍ ଆଡ଼େ ବୀର ବିକ୍ରମ ବେଗରେ ।
ଅନ୍ୟ ଜଣେ ମାଉସୀ କୁନି ନାତି ଟୋକା ହାତରେ ଦୁଇ ଟଙ୍କା ବୋଧେ ମୁଠେଇ ଦେଲେ ଆଉ କାନରେ କିଛି କହିଲେ । ନାତିଆ ଟୋକା ଯାଇ ସେ ଭିକାରୀ ପିଲାକୁ ପଛରୁ ଛୁଇଁଲା । ପଛକୁ ମୁଁହ ବୁଲେଇବା ମାତ୍ରେ ତା ହାତରେ ଧରେଇ ଦେଲା ଜେଜେମାର ଟଙ୍କା କେଇଟା ଆଗ ଦାନ୍ତଫକ୍ତି ଦେଖେଇ ମୁରୁକେଇ ଦେଲା । ଭିକାରୀ ପିଲା ବି ପ୍ରତ୍ୟୁତ୍ତରରେ ମଇଳା ଦାନ୍ତ ଦେଖେଇ ଜିଗିଡି ଦେଲା ଯେମିତି ଛାତ ଉପରେ ମାଙ୍କଡ ଦାନ୍ତ ଦେଖାଏ ଢେଲା ମାରିଲା ବେଳେ । ସମବେତ ଯାତ୍ରୀମାନେ ଘଟଣାକୁ ବେଶ୍ ଉଲ୍ଲସିତ ଉଚ୍ଚାଟ ଭାବରେ ଉପଭୋଗ କରୁଥିଲେ ।
ସେ ପିଲା ଆମ ବଗିରୁ ଗଲା ଯାଏଁ ଏମିତି ଅନେକ ଛୋଟ ମୋଟ ଘଟଣା ଭିନ୍ନ ଭିନ୍ନ ରୂପରେଖ ନେଇ ଆମ ଆଖି ଆଗରେ ଅଭିନିତ ହେଉଥିଲା । ମନରେ ସ୍ଵତଃ ପ୍ରଶ୍ନ ଉଠୁଥିଲା ---
ଭିକାରୀ ବ୍ୟବସ୍ଥା ଭାରତରୁ ଜମାରୁ ହଟିବ ନାହିଁ । ମୁଁ ଚ୍ୟାଲେଞ୍ଚ ନେଉଛି, ଛାତି ଠୁକେଇ କହୁଛି ।
ଆମେ ଭାରତୀୟ ମାନେ ସତରେ କେତେ ସରଳ , ଅଧିକନ୍ତୁ ଆମେ ଓଡିଆ ମାନେ ସରଳରେଖା ପରି ସରଳ । ଯେତେ ବିଜ୍ଞାନ ପ୍ରଗତି କରୁ ଆମେ ଆମ ସରଳତାକୁ ଛାଡି ପାରିବାନି । ସାପ କାତି ଛାଡ଼ି ରହି ପାରିବ କି ? ଆମେ ଆମ ବିଭୁଦତ୍ତ ସରଳତା କେମିତି ଛାଡ଼ିବୁ ଯାହା ଆମ ଜେନୋମ୍ ମ୍ୟାପିଙ୍ଗ୍ ରୁ ପାଇଛେ ?
କଥା କ'ଣ କି ? ଆମେ ମାନେ ଅଳ୍ପରେ ସନ୍ତୁଷ୍ଟ ମଣିଷ ମାନେ । ସରଳ ନିଷ୍କାପ ହୃଦୟ ପଖାଳ ପ୍ରୀୟ ଉତ୍କଳୀୟ ମାନଙ୍କର ସରଳତା ପରା ଗହଣା ଉତ୍ତରୀୟ । ମୁଣ୍ଡ କାଟ ହେଇ ପାରେ ମାତ୍ର ଅସ୍ଥି ମଜ୍ଜା ଡେଇଁ ଆତ୍ମାରେ ବସି ଥିବା ସରଳ ସ୍ୱଭାବ ଛାଡି ହେବନି ।
ତୋ ବାକ୍ୟ ତୁହି ରକ୍ଷାକର
ଅସତ୍ୟ ନୁହଁ ସୌଦାଗର
ବାରମ୍ଵାର ଅନ୍ତର ଥରେଇ ଭାଗବତର ଏହି ଅମର ବାଣୀ ମନେ ମନେ ଅନୁରଣିତ ହେଉ ଥିଲା ।
ହଠାତ୍ ଜଣେ ମହିଳାଙ୍କର ଚିତ୍କାର ସବୁ ଭାବନା ଆଲୋଚନାରେ ବିରାମ ଚିହ୍ନ ଲଗେଇ ହେଲା । ଭଦ୍ର ମହିଳା ଚିଲ୍ଲେଇ କରି କହୁଥିଲେ କି -- ସେହି ମୂକ ଭିକାରୀ ପିଲାଟି ଯିଏ ସିଟ୍ ତଳ ସଫା କରୁଥିଲା ଏବଂ ୫୦ ଟଙ୍କା ସେ ଯାହାକୁ ଦେଇଥିଲେ , ସେହି ପିଲାଟି " ପତଲି କମର୍ ତେରି ତିରଛି ନଜର୍" ଗୀତ ଗାଇ ଗାଇ ଦୌଡି ଦୌଡି ପଳେଇ ଗଲା ଅଗତ୍ୟା ଏହି ବାଟେ ।
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ଯରେ ଶୀତଳ ଯୁଦ୍ଧର ଭୟାବହତା ଆରମ୍ଭ ହୋଇ ସାରିଥିଲା । ମହିଳା ଜଣକ ନିଜେ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଖଲ୍ଲୀକୋଟ ମହାବିଦ୍ୟାଳୟରୁ ପାଇଛନ୍ତି ଓ ଅଧୁନା ଅତାଭିରା ବ୍ଳକରେ କିରାଣୀ ହିସାବରେ କାର୍ଯ୍ୟରତ । ବୁଝି ପାରୁଥିବେ ଜ୍ଞାନ ବିଜ୍ଞାନ ରସାୟନ ଭିନ୍ନ ସୋପାନ ଆଉ ସରଳ ବିଶ୍ୱାସ ପୂରା ମନୋବିଜ୍ଞାନ । ଧେତ୍ । ଭାବିଲା ବେଳକୁ ମୁଣ୍ଡଟା ଟିଣ ହେଲାପରି ଅନୁମେୟ ହେଉ ଥିଲା ।
ଭଦ୍ର ମଉସା ପୁଣି କହୁଥିଲେ- ଅନ୍ୟ ବଗିରେ କେହି ଜଣେ ସେ ମୂକ ଭିକାରୀ ପିଲାର ମୂଖା ଖୋଲି ଦେଇଛି , ତାକୁ ଦି ଚାରି ବିଧା ଦେଇ ଧରିବାକୁ ତଥା ପୋଲିସରେ ଜିମା ଦେବାକୁ ଧମକ ଦେବା ବେଳରେ ପିଲାଟି ଦୌଡି ପଳେଇ ଆସିଛି ଖସି ଆସିଛି । ଗୋଟିଏ ଦୁଇଟି ବଗି ପରେ ରାଗୁଆ ଲୋକଟା ନ ଥିବା ଦେଖି ସେ ଖୁସିରେ ବିପଦ ଶୂନ୍ୟ ମୁଦ୍ରାରେ ହିନ୍ଦୀ ଗୀତ ଗାଇ ଧାଉଁଛି ।
କଥା ଏଠାରେ ସରିଥିଲେ ଏ କାହାଣୀ ଲେଖିବା ପାଇଁ ଆଗ୍ରହୀ ହୋଇ ନ ଥାନ୍ତି ।
ଝାରସୁଗୁଡ଼ା ଷ୍ଟେସନ୍ ଅତିକ୍ରାନ୍ତ ହୁଅନ୍ତେ ପୁଣି ଅନ୍ୟ ଜଣେ ସିଟ୍ ତଳ ଝାତୁ ମାରିବା ପାଇଁ ଆସିଗଲେ । ପୁଅ ପିଲାଟି ରୋଗା ଲାଗୁଥିଲେ । ଗୋଟିଏ ଗୋଡ଼ ଛୋଟେଇ ଛୋଟେଇ ପକଉଥିଲେ । ଆମ ବର୍ଥ ପାଖକୁ ଆସି ସୁନ୍ଦର ପରିସ୍କାର ଭାବରେ କାଇଁଚ ପହଁରା ଧରି ଧିର ଭାବରେ ତଳେ ପଡିଥିବା ଜୋତା ଓ ବ୍ୟାଗ୍ କୁ ନ ଛୁଇଁ ଅତ୍ୟନ୍ତ ସାବଧାନର ସହିତ ପରିସ୍କାର ପରିଚ୍ଛନ୍ନ କରୁଥାନ୍ତି ଯେମିତି ବୋଉ ଆମ ଅଗଣା-ବାରଣ୍ଡା ସକାଳୁ ସକାଳୁ ସଫା କରୁଥାଏ , ପହଁରା ଧରି ଦାଣ୍ଡ ଉଳଉ ଥାଏ ।
ପୂରା ୨୦-୩୦ ମିନିଟ ସମୟ ନେଇ ପତଳା ନହକା ନହକା ପିଲାଟି ସମସ୍ତ ଯାତ୍ରୀଙ୍କୁ ଥରେ ବିହଙ୍ଗାବଲୋକନ କରିନେଲା । ଯେମିତି ତ୍ରିକାଳ ଦର୍ଶି ସବ୍ ଜାନତା । ମୁଁହ ଦେଖି ମୁଠା ମୁଠା ଭାବନା କଳ୍ପନା ସବୁ ପଢି ପକଉଛି ।
ଜଣେ ବୟସ୍କା ମହିଳାଙ୍କୁ ତା'ର ପ୍ରଥମ ଶିକାର କରିବାକୁ ମନସ୍ଥ କଲା ବୋଧେ । ମାଉସୀଙ୍କ ପାଦ ଛୁଇଁ କିଛି ସଲାମୀ ପ୍ରଣାମୀ ଦେବାକୁ କହିଲା ଆଖି ଛଳ ଛଳ କରି ମନକୁ ଶ୍ରାବଣ ମାସ ମେଘ ଥମ୍ ଥମ୍ ଆକାଶ ପରି ।
ବିଚରା ବୁଢୀ ମାଉସୀର ସରଳତା ପୁଣି ତରଳି ଗଲା , ଉଛୁଳି ଗଲା । ମା' ର ମନରେ କରୁଣା ଉଙ୍କି ମାରିଲା । ସଙ୍ଗେ ସଙ୍ଗେ ସେ ତାଙ୍କ ପୁରୁଣା କାନ୍ଧ ବ୍ୟାଗରୁ କିଛି ରେଜା ପଇସା ବାହାର କଲେ ଆଉ ସବୁ ସେ ଗରିବ ଭିକାରୀ ପିଲା ହାତରେ ଝଣ୍ ଝଣ୍ କରି ଦେଇ ଦେଲେ ।
ପିଲାଟି ଖୁସି ହେବା ବଦଳରେ , ସାଷ୍ଟାଙ୍ଗ ଦଣ୍ଡବତ ବଦଳରେ ଖୁଚୁରା ତକ ତନ୍ନ ତନ୍ନ କରି ଓଲଟ ପାଲଟ କରିଲା ଏବଂ ରାଗରେ
ମାଉସୀ ଉପରକୁ ଫୋପାଡି ଦେଇ କହୁଥିଲା ---
ସବୁ ଅଚଳ ସୁଉକି , ଅଧୁଳି ଆଠ ଦଶଟା -- ରଖିଥା ଦୁଇ ମହଲା କୋଠା ତିଆରି କରିଲେ କାମରେ ଆସିବ । ପାଦ ଶ୍ମଶାନ ଭୂଇଁ ଯିବାକୁ ବ୍ୟଗ୍ର ହେଲାଣି , କିନ୍ତୁ ଲୋଭ ଛାଡି ହେଉନି । ଏମିତି କିଛି ଅଭଦ୍ର ଅପରିଣାମଦର୍ଶି ଶବ୍ଦ ବାକ୍ୟ ଫୋପାଡି ଦେଇ ଅନ୍ୟ ବର୍ଥକୁ ଯିବା ବେଳକୁ ମାଉସୀ ପୁଅକୁ ଧକ୍କା ଦେଲା । ମାଉସୀ ପୁଅ ଟଇଲେଟ ଯାଇ ଫେରୁଥିଲେ । ଦୁଇ ଚାରି ଧାଡି ଶୁଣି ସେ ସବୁ ଆମୂଳଚୁଳ ବୁଝିଗଲେ ।
ତା' ହାତକୁ କସି କି ଧରିଲେ , ବିଧା ପରେ ଥପଡ଼ ପିଠିରେ ଆଉ ଗାଲରେ ଥୋଇ ଚାଲିଥିଲେ ।
କହୁଥିଲେ -- ଏକେତ ଭିକାରୀ କିନ୍ତୁ ମୁଁହ ପୂରା ଶାଣ ଦିଆ କତୁରୀ ।
ସେହି ଯଉଁ ରସାୟନ ବିଜ୍ଞାନୀ ଭଦ୍ର ମହିଳା ଥିଲେ ତାଙ୍କୁ ଆଉ କିଏ ସମ୍ଭାଳେ । ଖାଲି ଠାଏ ଠାଏ ଚାପଡ଼ ସହିତ ଚୂଳଗୋଛାକୁ ଧରି ଉତ୍ତମ ମଧ୍ୟମ ବିରାମ ହୀନ ଭାବରେ ଚାଲିଥାଏ ।
ମରିଗଲି -- ମରିଗଲି -- ଭୂଲ ହେଇଛି -- ଆଉ କେବେ ଅଭଦ୍ରାମୀ କରିବିନି -- ଇଷତ୍ ଶୁଭୁଥାଏ ---
ବ୍ରଜରାଜନଗର ଷ୍ଟେସନ୍ ଆସିଲା ବୋଧେ । ସେ ପିଲାକୁ ଜିଆରପି ଜିମା ଦେଇ ସେହି ଠକାମୀର ଶିକାର ଭଦ୍ର ମହିଳା ଜଣକ ଅଚିରେ ମନ୍ଦ ମନ୍ଦ ହସି ସିଟରେ ବସିବା କ୍ଷଣି ସମବେତ କରତାଳିରେ ଭୂରି ଭୂରି ପ୍ରସଂସାର ସମ୍ବର୍ଦ୍ଧନା ଜ୍ଞାପନରେ ଲାଜେଇ ଯାଇ ଦୁଇ ହାତ ଯୋଡି ପୁଣି ଛିଡା ହୋଇଗଲେ ସମ୍ମାନର ପ୍ରତିଦାନରେ ପ୍ରତିଜ୍ଞାପନରେ ।
" । ଏହାକୁ କୁହନ୍ତି ଅସଲି ମହିଳା ସଶକ୍ତିକରଣ । ଖାଣ୍ଟି ଚବିଶ କ୍ୟାରୋଟ । ଆମ ଝିଅ ପାଇଁ ଆଉ ଥରେ ବଜାଅ କରତାଳି " - ସଭ୍ୟ ମଉସାଙ୍କ ପାନ ଖିଆ ହସ ହସ ମୁହଁରେ ଏହି କେଇ ପଦ କୋଟି ଲାବଣ୍ୟନିଧି ପାଇଲା ପରି ଲାଗୁଥିଲା ।