STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଆଞ୍ଜୁଳା ଆଞ୍ଜୁଳା ପଣା

ଆଞ୍ଜୁଳା ଆଞ୍ଜୁଳା ପଣା

4 mins
15

କ୍ଷୁଦ୍ରଗଳ୍ପ ----ଆଞ୍ଜୁଳା ଆଞ୍ଜୁଳା ପଣା
ରଚନା - ପଞ୍ଚାନନ ଜେନା
ତାରିଖ -୨୦-୦୭-୨୦୨୫

କହିରଖେ ଆପଣମାନେ ବୈଶାଖ ଝାଞ୍ଜି ସମୟରେ ବେଲପଣା ପିଇଥିବେ , ତେନ୍ତୁଳି ପଣା ବି ପିଇଥିବେ ଭାଙ୍ଗର ପ୍ରାବଲ୍ୟକୁ କମେଇବାକୁ ଗ୍ଲାସରେ କିମ୍ବା ବେଲାରେ ଅବା ଗିନାରେ | ମାତ୍ର ପଣାକୁ ପୁଣି ଆଞ୍ଜୁଳାରେ ପିଇବା ଅବିଶ୍ଵସ୍ୟ ହେଉଥିଲେ ବି ବିଶ୍ଵସନୀୟ । କାରଣ ମୁଁ ସେହି ଅନିର୍ବଚନୀୟ ପଣାକୁ ନିଜ ହାତରେ ଗଣ୍ଡୁଷ ଭରି ପାନ କରିଛି ଥରେ ନୁହେଁ , ଶହେ ନୁହଁ ହଜାର ଥର , ହଜାର ନୁହଁ ଲକ୍ଷେ ଥର , ଅୟୁତ ନୁହଁ ପରାର୍ଦ୍ଧେ ଥର ମନକୁ ଶାନ୍ତି କରି ହାକୁଟି ମାରି  । ନୋହିଲେ ମୁଁ ବି ଅବିଶ୍ୱାସର ଦୋଛକିରେ ଆପଣ ମାନଙ୍କ ପରି ଛନ୍ଦି ହୋଇଥାନ୍ତି ।

ମୋ ପିଲାବେଳର କଥା | ମୋ କୌଶୁର ଚପଳତାରେ ଆପ୍କୁତ ହେବାର କଥା | ଲାଗୁଛି ୧୯୮୦-୮୧ ମସିହାର କଥା | ମୋର ଯାହା ଝାପସା ମନେ ପଡୁଛି ତୃତୀୟ କି ଚତୁର୍ଥ ଶ୍ରେଣୀର କଥା | ଦଉଡିଲଗା ଖଣ୍ଡିଆ ପ୍ୟାଣ୍ଟ ଛଡା ଆଉ ଦେହ ଢ଼ାଙ୍କିବାକୁ ଆଉ କିଛି ବି ପରିଧାନ କରୁ ନ ଥିଲି ।

ସ୍ୱର୍ଗତଃ ବଡ଼ ମାଇଁ ବନିଶିରେ ମାଛ ଧରିବାରେ ଉସ୍ତାଦ । ବିଶେଷ କରି ଘରକୁ କୁଣିଆ ମଇତ୍ର ମାନେ ଆସିଲେ ବଡ଼ ମାଇଁ ବ୍ୟତିବ୍ୟସ୍ତ ହୋଇ ପଡନ୍ତି । ବିଭିନ୍ନ ଅନ୍ନ ବ୍ୟଞ୍ଜନ ରାନ୍ଧି କରି ବଳେଇ କରି ଖୁଏଇ ବାରେ ସିଦ୍ଧହସ୍ତା | ବିଡ଼ମ୍ବନାର ବିଷୟ ସବୁ ବନ୍ଧୁ ବାନ୍ଧବ ଅଭ୍ୟାଗତ ଠିକ୍ ଭାତ ଖାଇବା ବେଳ ଗଡିଗଲେ ଆସି ଦାଣ୍ଡ ପିଣ୍ଡାରେ ପହଞ୍ଚିବେ । ତେଲ ଚିକିଟା କାଠ ଚୌକିରେ ବସି ଢ଼ାଳେ ପାଣିରେ ଗୋଡ଼ ଧୋଉ ଧୋଉ ବଡ଼ ମାଇଁଙ୍କର ରୋଷେଇ ଘରେ ଚେଁ ଚାଁ ଶବ୍ଦ ଆଗନ୍ତୁକ ମାନଙ୍କର ଦ୍ୱିପ୍ରହର ଭୋକକୁ ଆହୁରି ବଢ଼େଇ ଦିଏ ବୋଲି ତୁଣ୍ଡରେ ଦାଣ୍ଡରେ କହିବାର ଶୁଣାଯାଏ । 

ଦିନକର କଥା | ଚାରି ପାଞ୍ଚଜଣ କୁଣିଆ ପୋଷ୍ଟ ଅଫିସ ବିଭାଗର ଉଚ୍ଚ ପଦସ୍ଥ ଅଫିସର ଜଳେଶ୍ବରରୁ ଆସି ପହଞ୍ଚିଲେ ବେଳ ଗଡିଗଲା ପରେ l ଅର୍ଥାତ୍ ଭାତ ଖିଆ ସରିଲା ପରେ | ଦ୍ୱିପ୍ରହର ଅତିକ୍ରାନ୍ତ ହେଲା ପରେ | କାରଣ ମଝିଆଁ ମାମୁଁ ଆମ ବଗଦା ଗାଁ ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟର ଥାଆନ୍ତି ।

ଯାହା ହେଉ ବଡ଼ ମାଇଁ ଖାଇ ନ ଥିଲେ । ମଣିଷ ବଞ୍ଚିଗଲା ।  ପରିବାରର ମାନ ଇଜ୍ଜତ ଦି ଗଣ୍ଡା ଦି କଡ଼ା ହେଉ ହେଉ ରହିଗଲା ।
 ତେଣୁ ସେ ଅଗତ୍ୟା ଶିଳରେ ବତୁରା ଚାଉଳକୁ ବାଟିଦେଲେ ଆଉ ପିଠଉ କରିଦେଲେ | ବନଶି ଖଡ଼ାରେ ମାଛ ଧରିବାକୁ ଥୋପ ରେଡି ହେଇଗଲା |

ପୋଖରୀ ଘାଟକୁ ଯାଉ ଯାଉ ସାନବୋହୁ ସାହୁ ଝିଅକୁ ଫୁସ ଫୁସ କରି କହିଲେ ଯେମିତି ପିଣ୍ଡା ଖଟରେ ବସିଥିବା ଅଫିସର ମାନେ ଶୁଣି ପାରିବେନି | ଅର୍ଥାତ୍ ଆସନ ପାରି ଦେବାକୁ , ପାଣି ଢ଼ାଳ ଗିଲାସ ବସେଇ ଦେବାକୁ , ଲୁଣ ସଡେଇ ବି ପାଖରେ ରଖି ଦେବାକୁ , ଭାତ ବି କଂସା ଥାଳିରେ  ବାଢି ଦେବାକୁ ଟିକେ ମଠ ମଠ କରି । ଅର୍ଥାତ ବିଲମ୍ବ କରିବୁ । ଏହି ସବୁ କାମ ଦାମ ଭିତରେ ମାଛ ଧରା ଦେଇ ଆସିଯିବ ।
ବଡ଼ ମାଇଁ ଧାଇଁଲେ ଘର ପହଣା ଗଡିଆ ଏକଡ଼ାଳିଆରୁ  ବିହାନିଆ କରାଣ୍ଡି କେଇ ଗଣ୍ଡା ବନିଶି ଖଡ଼ା ହାଯ୍ୟରେ ଟାଣି ଆଣିବାକୁ , ଧରି ଆଣିବାକୁ ପିଠାକୁ ଥୋପ ବନିଶି କଣ୍ଟାରେ ଗୁନ୍ଥି ଦେଇ | ତାକୁ ଗରମ ତେଲ କଢ଼ାରେ ଛାଣି ଆଣିଲେ ଭାଜି ଦେଲେ ପିଆଜ କଞ୍ଚା ଲଙ୍କା ଓ ଜିରା ଦେଇ ଦନ୍ତମୂଳି ହେଇଯିବ | ଆଉ ଅମୀଷ ବାସରେ ପେଟ ପୁରା ଭାତଖିଆ ବି ସରିଯିବ । ପେଟତୃପ୍ତି ତ ଆତ୍ମତୃପ୍ତି ।

ସମୟ ବହୁତ କମ୍ । ନାହିଁ କହିଲେ ଚଳେ । ମାଛ ଖାଲି ବନିଶିରେ ଥୋପ ଗିଳୁ ମିଳୁ ଛାଟି ବାକୁ ପଡିବ । ମୋ ପରି ଜଣେ ଅକିଞ୍ଚନ ଭଣଜା କୁ ନେଲେ ଖାଳି ଧରି କରାଣ୍ଡି ମାଛକୁ କୁଢି ପୁରେଇ ବାକୁ , ପୁଣି ମଝିରେ ମଝିରେ ଆଣି ସାନ ମାଇଁକୁ ଦେବାକୁ ରୋଷେଇ ଘରେ ।

ବନିଶିରେ ପ୍ରଥମେ ପୋଖରି ଘାଟକୁ ଜୋର ସୋରରେ ଚବର୍ ଚବର୍ କରି ଘାଣ୍ଟି ଦେଲେ ବଡ଼ ମାଇଁ । ମାଛ ଧରିବାରେ ପୋଖତ ଉସ୍ତାଦ ବୋଲି ମୋତେ ଜଣା ଥାଏ ।ଡାହାଣିଆ ଖରା ପୋଖରୀ ପାଣି ଉପରେ ପଡିଥାଏ । ଲାଗୁଥାଏ ରଙ୍ଗ ଉତ୍ସବ ଅନୁଷ୍ଠିତ ହେଉଛି । ବେଳ ମଥାନ ଉପରୁ ଅଳ୍ପ ଟିକେ ଢ଼ଳି ଯାଇଥାଏ । କାଚକେନ୍ଦୁ ପାଣିରେ ବନିଶିର ପାହାର ପଡନ୍ତେ ପାଣି ଛିଟିକା ମାରି ଉପରକୁ ଡେଉଁ ଥାଏ l ସତେ ଯେମିତି ସେହି ମୃଦୁ ବନିଶି ଖଡା ପ୍ରହାର ପାହାର ବଳରେ ହେଉ ବା ସୂର୍ଯ୍ୟ ରଶ୍ମିର ପ୍ରତିଫଳନରେ ଦେଉ ,ପୂରା ପାଣି ଛାଟ ପଡନ୍ତେ ଛିଟକା ପୋଖରି ପାଣି ତଥା  ଡେଉଁଥିବା ପାଣି ସବୁ  ହୀରା ନୀଳା ମୋତି ମାଣିକ୍ୟ ମିଶାମିଶି ଫେଣ୍ଟାଫେଣ୍ଟି  ପଣା ପରି ଝଲମଲ କରୁଥାଏ | ମୁଁ ବିଚରା ପାଞ୍ଚ ସାତ ବର୍ଷର ମେଞ୍ଚତ ଟୋକା ସତ ସତିକା ପଣା ଭାବି ଆଞ୍ଜୁଳା ଆଞ୍ଜୁଳା ଧରି ପକାଏ ଯେମିତି କ୍ରିକେଟ ବଲକୁ କ୍ୟାଚ କରିବା ମୁଦ୍ରାରେ । ଆଉ ସେହି ଅମୂଲ୍ୟ ପଣାକୁ ଅତୁଲ୍ୟ -ପାଣି-ପଣାକୁ ପିଇ ଚାଲିଥାଏ ସତ ସତିକା ରନ୍ନ ରଞ୍ଜିତ ରତ୍ନ ଖଚିତ ପଣା ସରବତ୍ ଭାବି |

ମାଛ କୁଢ଼ା ଗଲା ଚୁଲିକି । ମୁଁ ପଣା ପିଇବାରେ ବ୍ୟସ୍ତ l କରାଣ୍ଡି ମାଛ ଡେଉଁଥାନ୍ତି ପୋଖରୀ ଆଡିରେ ଛଟ ପଟ ଏପଟ ସେପଟ l ପେଟ ଉଲଟାଇ ସୁଲଟାଇ ଡେଉଁଥାନ୍ତି । ଜୀବନକୁ ବାଜି ଲଗେଇ  କାରଣ ଜୀବନ ମରଣ ସମସ୍ୟା । କେତେଟା ଡେଇଁ ଡେଇଁ ପୋଖରୀ ପାଣି ଉପରେ ପଡି ନୂତନ ଜୀବନ ଦାନ ପାଇବା ପରେ ଫେରାର । ମୁକ୍ତିର ଆନନ୍ଦ | ନୂଆ ଜୀବନ । ନବକଳେବର ପାଇବାର ଖୁସିରେ ପାଣି ଭିତରେ ମିଳେଇ ଗଲେ ଅଚିରେ ।

ବଡ଼ ମାଇଁ ଦେଖୁଥିଲେ ମୋ ଖୁସିର ଉତ୍ସ । ମୋ ରତ୍ନ ମିଶ୍ରିତ ପଣା ପିଇବାର ଖୁସି ଝଲକ | 

ପ୍ରତ୍ୟେକ ୧୫ -୨୦ କରାଣ୍ଡି ମାଛ ଧରିଲା ପରେ ଜାଣି ଶୁଣି ବନିଶି ଖଡ଼ାକୁ ପୋଖରି ପାଣିରେ ପୁଣି ବାଡେଇ ଦିଅନ୍ତି ଦରାଣ୍ଡି ଦିଅନ୍ତି  ହକଳେଇ ଦିଅନ୍ତି । ପାଣି ଛିଟିକି ପଡିବ ପୁଳା ପୁଳା ଆଉ ମୁଁ ଧରିବା ପାଇଁ ଆତୁର ହେବି ତତ୍ପର ହେବି | ଇନ୍ଦ୍ରଧନୁସି ରଙ୍ଗରେ ରଙ୍ଗାୟିତ ପାଣି ଧାରକୁ ଅଞ୍ଜୁଳାରେ ଦୁଇ ପାପୁଲିରେ ଧରି ଆକଣ୍ଠ ପିଇ ଚାଲିବି | ଅମୃତ ପଣା , ଅମୃତ ମଣୋହୀ ।

ପରେ ପଛେ ପୋଖରୀରେ ଗାଧୋଇଲା ବେଳେ ପହଁରିଲା ବେଳେ ଗଣେଷ ପୂଜାରେ କଇଁଫୁଲ ତୋଳିବା ବେଳେ ପାଣିକୁ ଆଞ୍ଜୁଳାରେ ପୁରେଇ ଉପରକୁ ଫୋପାଡ଼ି ପୁଣି ପାପୁଲିରେ ଧରିବାରେ ବି ସେହି ଅବର୍ଣ୍ଣନୀୟ ରତ୍ନଗର୍ଭା ପଣାର ଆସ୍ୱାଦନ କରୁଥାଏ |

ଆହୁରି ଏପ୍ରିଲ ମାସରେ ସକାଳୁଆ ସ୍କୁଲ ପରେ ପୋଖରି ବୁଡ଼ା ସମୟରେ ସେହି ପଣା ପିଆ ଆଜି ବି ମନେ ପଡିଗଲେ ହସ ବି ଲାଗେ ଆଉ ବୋକା ମାଧିଆ ପରି ନିଜକୁ ମଣୁଥାଏ |

ସତରେ 'କ'ଣ ସେ ଅତୀତର ସ୍ବର୍ଣ୍ଣାଭ ଦିନସବୁ ଆଉ ଫେରିବନି ?


Rate this content
Log in

Similar oriya story from Inspirational