କ୍ଷୁଦ୍ରଗଳ୍ପ - ଖାଲି ଭରସା ରଖିଲେ ହେଲା
ରଚନା - ପଞ୍ଚାନନ ଜେନା
ତାରିଖ -୧୯-୦୫-୨୦୨୫
ଗତ ମେ ମାସ ୧୬ ତାରିଖରେ ନବୋଦୟ ବିଦ୍ୟାଳୟ ସମିତି, ନୋଇଡ଼ା ଦ୍ୱାରା ବିଭାଗୀୟ ପରୀକ୍ଷା ଦେବାକୁ ଆମେ କତିପୟ ନବୋଦୟରେ କାର୍ଯ୍ୟରତ ଶିକ୍ଷକ ସାଙ୍ଗମାନେ ଦିଲ୍ଲୀ ଯାତ୍ରା କରିବା ବେଳର କିଛି ଚୁମ୍ବକୀୟ ଘଟଣା ସହିତ ଜଡିତ କିଛି ଭାବମୟ ବିଭୁମୟ ମୁହୁର୍ତ୍ତ ।
କଟକ ରେଳ ଷ୍ଟେସନରେ ତେଜସ୍ ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଯାତ୍ରା ସମୟରେ ମୁଣ୍ଡଳି ନବୋଦୟର ବହୁ ଚର୍ଚ୍ଚିତ ବହୁ ଆଦୃତ ସମାଜ ବିଜ୍ଞାନ ଶିକ୍ଷକ ନୀଳକଣ୍ଠ ମିଶ୍ରଙ୍କ ପାନଖିଆ ପାଟିରୁ ଭିନ୍ନ ଢ଼ଙ୍ଗର ହାତଯୋଡ଼ା "ଜୟ ଜଗନ୍ନାଥ" ସମ୍ବୋଧନ ଅନେକ ସହଯାତ୍ରୀଙ୍କ ମନରେ ଭାବାନ୍ତର ସୃଷ୍ଟି କରିଥିଲା ନିଶ୍ଚୟ | କାରଣ ବର୍ଷେ ତଳେ ଆବେଦନ ହେଇଥିବା ପରୀକ୍ଷା , ପହଲଗାମ୍ ଘଟଣା ସହିତ ଭାରତ ପାକିସ୍ଥାନ ଯୁଦ୍ଧର ଘନଘଟା ଭିତରେ ପରୀକ୍ଷା ହେବାର ଅନିଶ୍ଚିତତା ଶତ ପ୍ରତିଶତ ଲାଗୁଥିବା ଭିତରେ ଟିକେଟ ଶେଷ ମୁହୁର୍ତ୍ତରେ କନଫର୍ମ୍ ହେବାର ଯେଉଁ ଗଳଦଘର୍ମ ଆଲୋଡ଼ନ , ସେହି ଏକା ଜାଣନ୍ତି ନରହରି , ବାକି ସବୁ ଗଲେ ଖଣ୍ଡଗିରି ଉଦୟଗିରି ଲଲିତଗିରି ଆଉ ଶେଷରେ ନୀଳଗିରି |
ପୁଣି ଦୀର୍ଘ୍ଯ ଦିନର ବନ୍ଧୁ ତଥା ନବୋଦୟ ତ଼େଙ୍କାନାଳରେ କାର୍ଯ୍ୟରତ ପଞ୍ଚାନନ ଜେନା ସହିତ ଏକା ବଗିରେ ଏକା ବର୍ଥରେ ପାଖାପାଖି ସିଟ୍ ରେ ବସି ରାଜଧାନୀ ଯାତ୍ରା ନୟନ ବିଷ୍ଫାରିତ ଘଟଣା ନୁହଁ ତ ଆର କିସ କହିବା । ପଦାର୍ଥ ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ପଣ୍ଡାଙ୍କ ଆଶ୍ଚର୍ଯ୍ୟ ଚକିତ କଥା - ପ୍ଲାନ କରିକି ଟିକେଟ କରି ଥିଲେ ନା କଣ ? ପୂରା ରାଜଯୋଟକ ମେଳ, ଯାତ୍ରାକାଳରେ କରିବ ଖେଳ --;-- ପୂରା ଇତିହାସ ବିଭାଗ ପାଖରେ ବସିଲେ ନବୋଦୟର ଇତିହାସ ପଦାରେ ପଡି ଯିବନି ତ --- --- ଇତ୍ୟାଦି ହାସ୍ୟ ରସାତ୍ମକ ମନ୍ତବ୍ୟ ଶୁଣି "ନୀଳ ନନା " ମୁରୁକି ହସିଲେ ଆର ଜୟ ଜଗନ୍ନାଥ କହି ସମସ୍ତଙ୍କୁ ଚୁପ୍ କରିଦେଲେ |
ରାଜଧାନୀ ବିଦ୍ୟୁତ ଶକଟ ଗଡି ଚାଲିଲା ମାଡ଼ି ଚାଲିଲା ଭାରତର ରାଜଧାନୀ ଅଭିମୂଖେ । ବସୁ ବସୁ ଜଳଖିଆ । ମସଲା ମିଶା ଚାହା । ପାଣି ବୋତଲ ରେଳ ନୀର । ଏ ସବୁ ବ୍ୟସ୍ତତା ଭିତରେ ନୀଳକଣ୍ଠ ସାର୍ ମୋବାଇଲରେ ଦେଖୁଥାନ୍ତି ୧୮ ତାରିଖ ଫେରିବା ଟିକେଟର ସ୍ଥିତି | କାରଣ ଆରଇସି ୨୧ ଦେଖଉଛି ସୁପରଫାଷ୍ଟ ପୁରୁଷୋତ୍ତମ ଏକସ୍ ପ୍ରେସରେ | ଚାଟ ନଟ୍ ପ୍ରୀପେୟାରର୍ଡ । ଶେଷ ଆଶା ଓ ଭରସା ଏହି ଶେଷ ଝଲକରେ ।
କେତେ କଥା କେତେ ବ୍ୟଥା । କଲେଜ ବେଳରୁ ଆରମ୍ଭୀ ଗଲା ଯେ କଥା ସରିବାର ନାଁ ଧରୁ ନ ଥାଏ । ୟୁଟୁବରୁ ପାଠ ପଢ଼ା ଚାଲିଥାଏ ମଝିରେ ମଝିରେ । ବାଲେଶ୍ବର ବନ୍ଧୁ ପ୍ରଶାନ୍ତ କୁମାର ବିଶ୍ୱାଳ ସାରଙ୍କୁ ବି ଫୋନ ବି ହେଲା କି ଡିଲକ୍ସ ପାନ କୋଡିଏ ଟଙ୍କାର ଭାଙ୍ଗି ଆଣିବ ଷ୍ଟେସନ ଛକରୁ | ସକାଳୁ ହରବର ତରବରରେ ଆଉ ପାନ ଦୁଇ ଚାରିଟା ବନେଇ ଆଣିବାକୁ ସମୟ କୁଆଡେ କୁଳେଇଲାନି | ଠାକୁର ପୂଜା ବି ଠିକରେ ଠିକରେ କରି ପାରି ନ ଥିବାରୁ ମନରେ ଅବଶୋଷର ଝଲକ ବେଶ୍ ଅନୁମେୟ ।
ପୁଣି ନୀଳକଣ୍ଠ ସାର କହିଲେ କି ଆରଇସି ୧୧ କୁ ଖସି ଆସିଲାଣି । ଆଇଆରଟିସିରୁ ମ୍ୟାସେଜ୍ ଆସିଛି ମୋବାଇଲକୁ । ସତରେ କେତେ ଆଶାବାଦୀ ଆମେ ସବୁ । ଧାଡିଏ ଦୁଇ ଧାଡିର ସନ୍ଦେଶ ମୁଁହର ଭୂଗୋଳ ଇତିହାସବୁ ବଦଳେଇ ଦେଇଥାଏ । .ହେଇ ଦେଖୁନ ! ନୀଳ ନନାଙ୍କ ମୁଁହରେ ପୂରା ପ୍ରଶାନ୍ତିର ଭାବ । ହସକୁରା ମୁଖ ମଣ୍ଡଳକୁ ପୂରା ଚମ୍ପା ଫୁଲିଆ ଫୁଲ ବଗିଚାରେ ସୋରିଷ ଫୁଲିଆ ଗାଲ ଉଉଁରୀ | ସ୍ପେଶାଲ କଫିରୁ ତୋକେ ତୋକେ ପିଉ ପିଉ ନୀଳ ମାଷ୍ଟର ଆମର ଏକ ଅତିନ୍ଦ୍ରୀୟ ରାଜ୍ୟରେ କୌଣସି ଗୁଣରେ ଗଜପତି ଦଳପତି ମହାରାଜା ଠାରୁ କୌଣସି ଗୁଣରେ କମ୍ ବୋଲି କହି ହେବନି | କେବଳ ମୁକୁଟ କିରୀଟ ଯାହା ନାହିଁ ସିନା ।
ଏମିତି କଥା ବାର୍ତ୍ତା ଆଳରେ ୧୭ ତାରିଖ ଦିନ ୧୧ ପାଖା ପାଖି ଦିଲ୍ଲୀରେ ଉହ୍ଲେଇଲୁ । ପରୀକ୍ଷା ପାଇଁ ପାଠ କିଛି କିଛି ଦେଖୁ ଥିଲୁ କେବଳ ଖାନାପୁର୍ତ୍ତି କରିବା ପାଇଁ | କହିବା ବାହୁଲ୍ୟ ! ଚଉବନରେ ଯଉବନ ଆଉ ପାଠ ପଢିବାକୁ ମନକୁ ଆସୁନି ଉତ୍କଣ୍ଠା ଘନଘନ କି କନକନ । ଘରେ ଘରଣୀମାନଙ୍କର ପ୍ରଶ୍ନବାଣରେ ବାରମ୍ବାର ଘାଇଲା ହେଲା ପରେ ସୁପ୍ତ ସିଂହ ପରି ଜାଗି ଉଠି କେବଳ ପରୀକ୍ଷା ମଇଦାନକୁ ଝପଟି ପଢିବାକୁ ବାଧ୍ୟ ହୋଇଛୁ ସିନା । ଭିତରେ ଭିତରେ କେଉଁ ପ୍ରକାର ଭୟ ତଥା ବିଫଳତାର ଭଜାଣି ଖରସ୍ରୋତା ଯେ ବହୁଛି ନ କହିବା ହିଁ ଭଲ ? କହିଦେଲେ ସବୁ ଇଜ୍ଜତ ମହତ ପଦାରେ ପଡି ହାଟରେ ବାଟରେ ଗଡିବ | ଅସମ୍ଭାଳ ହେବ ଆତ୍ମ ସମ୍ମାନରେ ,ଅନ୍ତ ସଲିଳା ଅସ୍ମିତା ଉପରେ ଅଙ୍କୁଶ ଲାଗିଯିବ ଯେ !
ମେଟ୍ରୋରେ ପୁଣି ଯାତ୍ରା ଆରମ୍ଭ ହେଲା ଓଡିଶା ସଦନ ଦ୍ଵାରକା ସେକ୍ଟର ୧୪ ଆଡକୁ I ନୂଆଦିଲ୍ଲୀ ୟୋଲେ ଲାଇନ୍ ମେଟ୍ରୋ ଷ୍ଟେସନ ଠାରୁ ବିଜୟ ଚୈକ , ପୁଣି ବ୍ଲୁ ଲାଇନରେ ଦ୍ୱାରକା ଅଭିମୁଖେ । ନୀଳ ନନା ଆମର ଦିଲ୍ଲୀ ଦରବାରକୁ ହାଜିରା ପକେଇବାକୁ ଆସନ୍ତି ବାରମ୍ବାର । ବର୍ଷକୁ ଅନ୍ୟୁନ ତିନି ଚାରି ଥର ଜେନିଭିଏସଟି ଦସ୍ତାବିଜ ଜମା କରିବାକୁ ସିବିଏସି ଅଫିସକୁ ଆସି ଦିଲ୍ଲୀର କୋଣ ଅନୁକୋଣକୁ ଘାଣ୍ଟି ପକେଇଛନ୍ତି | ନୀଳ ସାର୍ ଆଗରେ ଅଗ୍ରଗାମୀ ପଥ ପ୍ରଦର୍ଶକ ଆମେ ସବୁ ପଛେ ପଛେ ପରିବ୍ରାଜକ ।
ନୀଳ ସାର୍ ଅନଲାଇନରେ ଆମ ପାଇଁ ଦୁଇ ଦିନ ଆଗରୁ ବୁକ୍ କରିଥିଲେ ଓଡିଶା ସଦନ । ପୂରା ଓଡିଆ ଅସ୍ମିତାରେ ଭରପୂର ଗେଷ୍ଟ ହାଉସ -ପ୍ରସ୍ତର ନିର୍ମିତ ଅର୍କକ୍ଷେତ୍ର କୌଣାର୍କ ଚକ , ରଘୁରାଜପୁରର ପଟ୍ଟଚିତ୍ର ଓ ତୈଳଚିତ୍ର, ଓଡିଆ କ୍ୟାଲେଣ୍ଡର ସବୁ ଦେଖି ମନରେ କୌତୁହଳ ହେବା ବେଳକୁ ଓଡ଼ିଶା ସଦନର ସତ୍ତ୍ଵାଧିକାରିଣୀ ଶ୍ରୀମତୀ ସସ୍ମିତା ସେନାପତିଙ୍କର କରିବଦ୍ଧ ଜୟ ଜଗନ୍ନାଥ କହିବା , ଆମ୍ଭ ମାନଙ୍କୁ ସମ୍ବୋଧନ କରିବା ମନକୁ ଅମୃତ ଅନୁଭବରେ କୋରି ପକେଇଲା | ରୁମ ନମ୍ବର ୪୦୩ - ପୂରା ଫାଇଫ୍ ଷ୍ଟାର ହୋଟେଲ , ସଫା ସୁତରା , ଏସି , ଟିଭି ତଥା ଅନ୍ୟାନ୍ୟ ବହୁ ପ୍ରକାର ସୁଖ ସୁବିଧା । ମନେ ମନେ ଯେଉଁ ଅନୁଶୋଚନା ଥିଲା କି ନାଶିକା କୁଞ୍ଚନ ହେଉଥିଲା କି କେମିତିକା ହୋଟେଲଟିଏ ହେବ , ସବୁ ବିଳାସ ପ୍ରୀୟ ରହଣି ଦେଖି ଦୁଇ ଦିନ ଅଧିକା ରହିବାକୁ ମନରେ ସ୍ବତଃ କୌତୁହଳ ଆପେ ଆପେ ଜାଗି ଉଠିଲା | ନୀଳ ସାର ନମସ୍କାର ଅନୁଚ୍ଚାରିତ ଶବ୍ଦ ପାରାବାର ମାଧ୍ୟମରେ ସାଧୁବାଦ ଜିଉ ଅଗରେ ଆସିଗଲା l ପୂରା ଓଡ଼ିଆ ଖାଦ୍ୟ - ଡାଲମା , ସନ୍ତୁଳା , ଭେଣ୍ଡି ଆଳୁ ଭଜା ସହିତ ଗରମ ଗରମ ଭାତ ବା ରୁଟି ଲାଗୁଥିଲା ଯେମିତି ଓଡିଶାରେ କଉଁ ମଇତ୍ର ଘରେ ଚକାପାରି ଖାଉଛେ ।
ରାତ୍ରୀରେ କେଇ ଘଣ୍ଟାର ସୁଖ ନିଦ୍ରା ପରେ ୧୮ ତାରିଖ ରବିବାର ଆସିଲା । ଯୁଦ୍ଧର ଦିନ , ପରୀକ୍ଷାର ଦିନ , ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ୨.୩୦ ଅପରାହ୍ନରେ ହେବ ନୂଆ ଦିଲ୍ଲୀରେ | ଆମେ ପରୀକ୍ଷା ପାଇଁ ବ୍ୟସ୍ତ ବିବ୍ରତ ହେଉଥାଉ , ଏ ବହି ସେ ବହି , ଏ ଡାଏରୀ ସେ ଡାଏରୀ ତଥା ୟୁଟ୍ୟୁବ ଭିଡିଓ ଦେଖୁଥାଉ , ଆଲୋଚନା ବି କରୁଥାଉ | ମାତ୍ର ମିଶ୍ର ସାରଙ୍କ ମୁଣ୍ଡରେ ସେହି ଗୋଟିଏ ଭୂତ ସବାର I ଫେରିବା ଟିକେଟ କନଫର୍ମ ହେଲା କି ନାହିଁ | ବାରମ୍ବାର ପିଏଆର ଚେକ୍ , ରିଚେକ୍ କରୁଥାନ୍ତି | ସେହି ଆରଇସି ୧୧ | ତଳକୁ ଖସିବାର ନାମ ନେଉନି । ଆମେ ଯେତେ କହିଲେ ବି ଯେ ଚାର୍ଟ ପ୍ରିପେୟାର ହୋଇନି , ଆହୁରି ୨୪ ଘଣ୍ଟା ବାକି ଅଛି , ନିଶ୍ଚୟ କନଫର୍ମ ହେବ । ମାତ୍ର ଆମ କଥା ଏ କାନରେ ପଶି ସେ କାନରେ ବାହାରି ଗଲାପରି ନୀଳ ନନା ତାଙ୍କର ସେହି ମଞ୍ଜି କଥାକୁ ମୁଣ୍ଡରେ ପଶେଇ ରଖିଛନ୍ତି ।
ଜଳଖିଆରେ ଚକୁଳି ଡାଳମା ଖାଇ ଆମେ ଦ୍ଵାରିକା ସେକ୍ଟରେ ୧୪ ରୁ ମୋଟ୍ରୋ ଧରିଲୁ ବୈଶାଳୀ ଅଭିମୂଖେ । ଦୀର୍ଘ ଏକ ଘଣ୍ଟାର ଯାତ୍ରା ପରେ ନିର୍ମାଣ ଭବନରେ ଉଲ୍ଲେଇଲୁ , ବ୍ୟାଟରୀ ଅଟୋରେ ପରୀକ୍ଷା କେନ୍ଦ୍ରରେ ଉହ୍ଲେଇଲୁ , ପ୍ରାୟତଃ ଛଅଟା ପରେ ପରୀକ୍ଷା ସାରି ଫେରିଲୁ ନୂଆ ଦିଲ୍ଲୀ ଷ୍ଟେସନ ।
ରାତ୍ରୀ ୧୦.୪୦ ରେ ପୁରୁଷୋତ୍ତମ ଛାଡିବ |
ମାତ୍ର ନୀଳ ସାରଙ୍କ ସେଣ୍ଟର ଝିଲମିଲ ପାଖ ହଂସରାଜ ସ୍ମାରକ ସିନିୟର ସେକେଣ୍ଡାରୀ ବିଦ୍ୟାଳୟ ଥିଲା । ଆମ ସହିତ ବିଜୟ ଚୌକ ଆସିବା ପରେ ସେ ରେଡ ଲାଇନରେ ଅନ୍ୟ ରାସ୍ତାରେ ଯାଇଥିଲେ । ପରୀକ୍ଷା ପରେ ରାତି ନଅଟା ବେଳକୁ ନୂଆ ଦିଲ୍ଲୀ ଷ୍ଟେସନରେ ପ୍ଲାଟଫର୍ମ ଷ୍ଟେସନରେ ଭେଟ ହେଲା ।
ପରୀକ୍ଷା କେମିତି ହେଲା ପଚାରୁ ପଚାରୁ ନୀଳକଣ୍ଠ ସାର ତାଙ୍କ ଆଡ଼ୁ କହି ବସିଲେ କି ଟିକଟ ଟା ସେହି ଆରଇସି ୧୧ | କିନ୍ତୁ ଦୁଃଖ ନାହିଁ | କାରଣ କିଛି ନା କିଛି ବ୍ୟବସ୍ଥା ଠାକୁରେ କରିବେ ନିଶ୍ଚୟ | ବସିବାକୁ ଜାଗାଟେ ମିଳିଛି । ରାତିରେ ଶୋଇବା ଯାହା ଚିନ୍ତା । ଖୁସି କଥା ଯେ ତୁମ ସମସ୍ତଙ୍କର ଟିକେଟ କନଫର୍ମ ହେଇ ଯାଉଛି । ଚଳେଇ ନେବା | ମୋର ପୂର୍ଣ୍ଣ ଭରସା , ଆରାଧ୍ଯନାଥ ଜଗତରନାଥ ଶ୍ରୀଜଗନ୍ନାଥ ନିଶ୍ଚୟ ସୁନ୍ଦର ବ୍ୟବସ୍ଥା କରିବେ ଅବଶ୍ୟ |
ମୁଁ ଖାଲି ବଲବଲ ନୀଳ ସାରଙ୍କୁ ଦେଖୁଥିଲି । ଅବଲୋକନ କରୁଥିଲି ଆପାଦ ମସ୍ତକ | ମୋତେ ଲାଗୁଥିଲା ନୀଳ ନାନାଙ୍କର ମତିଭ୍ରମ ହେଲାଣି | ବାରମ୍ବାର ସେହି ଗୋଟିଏ ସମସ୍ୟାକୁ ଘାଣ୍ଟି ଦରାଣ୍ଡି ସେ ପୂରା ଭିତରେ ଭିତରେ ଭାଙ୍ଗି ପଡିଛନ୍ତି । ଅମ ପରିକା ଅକାଳକୁସ୍କାଣ୍ଡ ମାନଙ୍କୁ ବୁଝେଇବାକୁ ଯାଇ ଧର୍ମର ଦ୍ୱାହି ଠାକୁରଙ୍କ ସାହାରା କଥା କହି ଅସଲ ଦୁଃଖକୁ ବୁଲେଇ ବଙ୍କେଇ ଏମିତି ସେମିତି ପ୍ରବଚକ ଧର୍ମପ୍ରଚାରକ ମାନଙ୍କ ପରି କହୁଛନ୍ତି । କି କଷ୍ଟ ରାତିସାରା ଢ଼ାଉକ ପରି କୁଜେଇ କୁନ୍ଥେଇ ବସିବା , ଢୁକେଇ ଢୁଳେଇ ଆଖି ଲାଲ କରିବା ଯେତେବେଳେ ପାଖ ଆଖରେ ସମସ୍ତେ ଖାଇ ପିଇ ଶୋଇ କାନ ଫଟା ଘୁଙ୍ଗୁଡି ମାରୁଥିବେ |
ଉଦ୍ଘୋଷଣା ହେଲା କି ୧୬ ନମ୍ବର ପ୍ଲାଟଫର୍ମରେ ନୂଆଦିଲ୍ଲୀ - ପୁରୀ ସୁପରଫାଷ୍ଟ ଏକସ୍ ପ୍ରେସ ଆସୁଅଛି । ଚଳଚଞ୍ଚଳ ହୋଇ ଉଠିଲା ସ୍ଥାଣୁ ପଡିଥିବା ନିର୍ଜିବ ଦିଶୁଥିବା ପ୍ଲାଟଫର୍ମ । ସତେ ଯେମିତି ନୂଆ ଜୀବନ ଆସିଗଲା ନୂଆ ସଂଜିବନି ମନ୍ତ୍ର ପରି ଲୌହପଥ ଗାମିନୀର ଗୁରୁ ଗମ୍ଭୀର ନାଦରେ ।
ବେଳେ ବେଳେ ବୁଝି ହୁଅନି ଅବୁଝା ମନର ଅମାନିଆ ପଣ , ଅମାନିଆ ମଣିଷର ଅବୁଝା ମାନସିକତା | ଉପରେ ଡିସପ୍ଲେ ବୋର୍ଡରେ ବଗି ଲେଖା ହୋଇଛି , ସମସ୍ତେ ଜାଣି କି ବି ଧାଁ ଦୌଡ଼ , ସତେ ଯେମିତି ସମସ୍ତଙ୍କୁ ପଛରେ ପକେଇ ଆମେ ଭିତରକୁ ଯାଇ ନିଜ ସିଟଟାକୁ ଅକ୍ତିଆର କରିଦେବା । ମଣିଷର ମାନବରୁ ମହାମାନବର ଯାତ୍ରା ପଥରେ ଏପରି ଅପରିଣାମ ଦର୍ଶିତା ମୋ ମତରେ ଆଦୌ ଶୋଉନିଅ ନୁହଁ |
ଯାହା ବି ହେଉ , ଆମେ ଯିଏ ଯାହାର ବଗିକୁ ପଶିଲୁ । ମୋର ଥିଲା ତ୍ରି ଟାୟାର ବି ୫- ୧୪ , ନୀଳ ନନାଙ୍କର ବି ୪- ୩୧ , ଅନ୍ୟ ମାନଙ୍କର ବି ୪ , ବି ୨ ଇତ୍ୟାଦିରେ ଥିଲା । ଆମେ ସମସ୍ତେ ଦୁଃଖି ଥିଲୁ ନାଳ ସାରଙ୍କ ପାଇଁ କାରଣ ସେ ଆମକୁ କଟକରୁ ନେଇ ଆସିଲେ , ଓଡିଶା ଭବନ ନେଲେ ପୁଣି ଫେରିଲା ବେଳକୁ ଶେଷରେ ତାଙ୍କରି ଟିକଟ ଅଟକିଗଲା ମଝି ବାଟରେ | ମୁଁହରେ କହୁ ନ ଥିଲେ ବି ମନେ ମନେ ଅନୁଶୋଚନାର ଏକ ଭବ୍ୟ କୁହେଳିକା ମନ ମସ୍ତିକରେ ଶୋକ ଶୋଚନା ଅବଶ୍ୟ ସୃଷ୍ଟି କରୁଥିଲା ନୀଳ ସାରଙ୍କ ପାଇଁ I
ଟ୍ରେନର ଗତି ଯବରଦସ୍ତ ଥିଲା । ରାତ୍ରୀ ୧୦.୪୦ରେ ଛାଡୁ ଛାଡୁ ଲଗେଜ ସଜାଡୁ ସଜାଡୁ ବିଛଣା ପକଉ ପକଉ ରାତି ୧୧.୨୦ ହେଲା । ଶୋଇବାକୁ ଯାଉଛି ଉପର ବର୍ଥକୁ I ମୋବାଇଲରେ ବିଙ୍ଗ୍ ଶବ୍ଦ ହେଲା ।
ଖୋଲି ଦେଖିଲି ନୀଳ ନନାଙ୍କ ମ୍ୟାସେଜ୍ । ଶୋଇବାକୁ ସିଟ ଟେ ମିଳିଗଲା । ତୁମେ ସବୁ ମାନୁ ନ ଥିଲ । ମନେ ମନେ ମୋ କଥା ଶୁଣି ମାନିବାର ଅଭିନୟ କରୁଥିଲ । ମାତ୍ର ମୋର କହିବାର ହେଲା ଖାଲି ଭରସା କରିଲେ ହେଲା । ଖାଲି ତନ ମନ ଧ୍ୟାନ ଚଇତନ ଲଗେଇ ଶୁଦ୍ଧ ଚିତ୍ତରେ ସେହି ପରମ କାରୁଣିକଙ୍କ ଚରଣ କମଳରେ ଭରସା କରିଲେ ହେଲା | ସେ ହିଁ ସମସ୍ୟା ଦେବାର ଲୋକ , ସେ ହିଁ ସମସ୍ୟା ସମାଧାନର ବାହକ | କେବଳ ପୂର୍ଣ୍ଣବ୍ରହ୍ମରେ ବିଶ୍ୱାସ କରିଲେ ହେଲା ।
ପୁଣି ସେ ଲେଖିଛି , ଆରଏସିର ଅନ୍ୟଜଣେ ବୟସ୍କ ମଉସା କଟକ ଯିବେ । ତାଙ୍କୁ ନୀଳ ନନା ତାଙ୍କର ସିଟଟା ଦେଲେ ଶୋଇବାକୁ | ସେ ନିଜେ ତାଙ୍କ ପାଦ ପାଖରେ ବସିକି ରାତି ପୁହେଇ ଦେବେ ।
ନୀଳ ନନାଙ୍କର ଏପରି ମହତ ପଣ ଦେଖି ପାଖ ବର୍ଥରେ ଥିବା ମହିୟସି ମହିଳା ଜଣେ ତାଙ୍କ ଦୁଇ ଜାଆଁଳା କୁନି ପୁଅମାନଙ୍କ ପାଇଁ ଦୁଇଟି ସିଟ ବୁକ୍ କରିଥିଲେ ହେଁ ଗୋଟିଏ ସିଟରେ ଦୁଇ ପୁଅଙ୍କୁ ଗୋଟିଏ ସିଟରେ ଶୋଏଇ ଦେଇ ଉପର ସିଟ ନୀଳ ନନାଙ୍କୁ ତାଙ୍କ ଆଡ଼ୁ ଉପଯାଚି କହିଲେ - କ୍ଷମା କରିବେ ସାର୍ ! ଆପଣ ଉପର ବର୍ଥରେ ଶୋଇ ପାରିବେ ।
ନୀଳ ସାରଙ୍କ ଠାକୁରଙ୍କ ଉପରେ ପୂରା ବିଶ୍ୱାସ ଓ ଭଗବାନଙ୍କ ଉପରେ ସଂପୂର୍ଣ୍ଣ ଭରସା ଶେଷରେ ସମସ୍ୟାର ସମାଧାନ ସେହି ମହିୟସି ମହିଳାଙ୍କ ମାଧ୍ୟମରେ ଦୃଢିଭୂତ ହେଲା ।
ଏଣୁ ସମସ୍ତେ କହିବା ଆନନ୍ଦେ ଏକବାର ହରିବୋଲ , ଦୁଇ ବାହୁ ପ୍ରସାରୀ ପୁଣି କହିବା ହରିବୋଲ | ଆଉ ଯେଉଁମାନେ ଏହି କ୍ଷୁଦ୍ରଗଳ୍ପ ମାଧ୍ୟମରେ ଖାଲି ଭରସା କରିଲେ ହେଲାର ଝଲକ ଅନୁଭବ କରି ପାରିଲେ , ପୁଣି କହିବେ ହରିବୋଲ ।