ଖଣ୍ଡ ଖଣ୍ଡ ଖଣ୍ଡିଆଭୂତ
ଖଣ୍ଡ ଖଣ୍ଡ ଖଣ୍ଡିଆଭୂତ


ନନା ଚା' ଦୋକାନରେ ସକାଳୁ ସକାଳୁ ଗାଁର ମୌସୁମୀ ଅଧିବେଶନ ଆରମ୍ଭ ହୋଇଯାଏ ।ମର୍ଣ୍ଣି ଉଆକ୍ ନାଁରେ, ପେଟ ଝଡ଼େଇବା ବାହାନାରେ, ଡାଇବେଟିସ୍ କମେଇବା ଆଳରେ ଆଖ ପାଖ ଗାଁର କିଛି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଖଟି ଜମାନ୍ତି । ଚା' ତ ପିଅନ୍ତି ଅବଶ୍ୟ, ଚା' ପିଇବା ତ କେବଳ ବାହାନା,କିନ୍ତୁ ଏହି ଅବସରରେ ଦେଶ ଦୁନିଆର ଖବର ଠୁଁ ଆରମ୍ଭ କରି ମଣିପୁର ଦଙ୍ଗା ଠୁଁ ଆରମ୍ଭ କରି ଚନ୍ଦ୍ରଯାନ-୩ ର ବିକ୍ରମ -ଲ୍ୟାଣ୍ଡର ଓ ପ୍ରଜ୍ଞାନ-ରୋଭର ବିଷୟରେ ଦୈନିକ ଆପଡେଟ୍, ମୋଦି ସରକାର ବିରୁଦ୍ଧରେ ଅବିଶ୍ଵାସ ପ୍ରସ୍ତାବକୁ ନେଇ ପାର୍ଲିୟାମେଣ୍ଟରେ ତର୍କ ବିତର୍କ ଠୁଁ ଆରମ୍ଭ କରି ଓଡିଶାରେ ସୁର ଭାଇଙ୍କର ଜନ୍ମଦିନ ପାର୍ଟିରେ ଆ-ଥୁ ଓ ମାତି ଚାଲ ଇତ୍ୟାଦି, ଆଠ ଦଶ ପଞ୍ଚାୟତକୁ ନେଇ ପଚାଷ- ଷାଠିଏ ଗାଁ -ମଫସଲର ଅଳି -କନ୍ଦିର ଭଲ-ଭେଲ ତୁଣ୍ଡବାଇଦ ଉପରେ ସାରଗର୍ଭକ ଆଲୋଚନାରେ ମୁଣ୍ଡ- ତୁଣ୍ଡବି ଖେଳାନ୍ତି ଖୋଲନ୍ତି
।
ନନା ଦୋକାନର ଆଉ ଗୋଟିଏ ଆକର୍ଷଣ ଥାଏ ।" ସମାଜ "ଦୈନିକ ଖବରକାଗଜ ଟା ପଢିବାକୁ ମିଳେ । ତେଣୁ କିଛି ଅଣ-ଚା' ପିପାସୀ ଅଭିଭାବକ ମଧ୍ୟ ବେଞ୍ଚ ଉପରେ କିଛି ସମୟ ପଛକୁ ଜାକିଦେଇ ଚୁମ୍ବକରେ ଆଖି ପକେଇ ଆଣନ୍ତି । ଘରେ ପତ୍ନୀଙ୍କର ସିରିଏଲ୍ ଯୋଗୁଁ ଟିଭିରେ ଖବର ମନା, ପୁଅ -ଝିଅଙ୍କର ଡିଜିଟାଲ ପାଠ ଯୁଗରେ ମୋବାଇଲରୁ ବଂଚିତ ହେଉଥିବା ତଥାକଥିତ ବୁଦ୍ଧିଜୀବୀମାନେ ମଧ୍ୟ ସମୟ ସୁବିଧା ଦେଖି ଅନ୍ତତଃ ପାଞ୍ଚ-ଦଶ ମିନିଟ୍ ବସିବାକୁ "ସମାଜ " ପଢିବାକୁ କୁଣ୍ଠାବୋଧ କରନ୍ତି ନାହିଁ ।
ଗଦା ରାଉତ ସକାଳୁ ସକାଳୁ ଧାନ ବିଲକୁ ବାହାରିଛି ବୋଧେ । କାନ୍ଧରେ ନାଲି ଖୋର୍ଦ୍ଧା ଗାମୁଛା ପକେଇ, ପାଟିରେ ପାନ ଖଣ୍ଡେ ଚୋବେଇ ଚୋବେଇ, ସାଇକେଲ ପଛରେ କୋଦାଳ ଲଦେଇ କ୍ଷେତ ଆଡ଼କୁ ବାହାରିଛି ବୋଧେ । ତଳା ପଡ଼ିବ କରଞ୍ଜଗଛ ପଦାରେ ବୋଲି କହୁଥିଲା । ଗତ ଦୁଇ-ତିନି ଦିନର ଲଗାଣ ବର୍ଷା ଫଳରେ ଷୋଳଷା ପାଣ୍ଠରେ ପାଣି ଲାଗି ଯାଇଛି । ପୂରା ଜଳମଗ୍ନ ସବୁ ଚାଷଜମି ।
ରାସ୍ତାରେ ନନା ଚା' ଦୋକାନ । ଗହଳି ଚହଳି ସେତେ ନାହିଁ । "ସମାଜ " ଉପରେ ଟିକେ ଆଖି ପକେଇବାର ଇଚ୍ଛାକୁ ସମ୍ଭରଣ କରିପାରିଲାନି ଗଦା ରାଉତ । ମ୍ୟାଟ୍ରିକୁଲେଟ ୧୯୯୬ ମସିହାରୁ । ପାଠର ମହତ ବୁଝେ । ଗରିବି ଓ ପରିବାରର ଆର୍ଥିକ ପରିସ୍ଥିତି ପାଇଁ ସିନା ଆଗକୁ ପାଠ ପଢି ପାରିନି, କଲେଜରେ ନାମ ଲେଖେଇ ପାରିନି, କିନ୍ତୁ ପୁଅ-ଝିଅର ପାଠପଢ଼ାକୁ ଅଗ୍ରାଧୀକାର ଦିଏ | ବଡ ପୁଅ ଦୀପକ ରାଉତକୁ ସୁଦୂର ରାଜସ୍ଥାନ କୋଟା ସହରରେ ଆଇଆଇଟି କୋଚିଂରେ ଛାଡିଛି ଜମି କେଇ ଘୁଣ୍ଟ ବିକିଦେଇ । ପୁଅ ଗାଁ ରେ ପ୍ରଥମ ଆଇଆଇଟିଆନ୍ ହେବ ବୋଲି । ସବୁବେଳେ ସାଉଥ ଆଫ୍ରିକାର ପ୍ରଥମ କଳା ରାଷ୍ଟ୍ରପତି ନେଲସନ୍ ମାଣ୍ଡେଲାଙ୍କର ଆପ୍ତବାକ୍ୟକୁ ଦୋହରାଇ ଥାଏ ଗଦା ଭାଇ -- " ଶିକ୍ଷା ଏମିତି ଗୋଟେ ଅସ୍ତ୍ର ଯିଏ ଗରିବିକୁ ହରେଇ ପାରିବ ।"
ସମାଜ -ପ୍ରଥମ ପୃଷ୍ଠା ବାଁ ପଟ ପାଖରେ ଥିବା ବ୍ୟଙ୍ଗ କବି ଜ୍ଞାନ ରଥଙ୍କ " ଜନେ ହସିବେ " ଚାରିପଦି ପଢିଗଲା ଗଦା ରାଉତ ଏଇମିତି ।
"ଡେଙ୍ଗୁ ମେଲେରିଆ ନ ହେବ କେମିତି
ଯାହା ଏଠି ପରିମଳ
ଚାରିଆଡ଼େ ପଚା ନାଳ ନରଦମା
ମଶାଙ୍କ ଅନ୍ତୁଡିଶାଳ
ସ୍ୱାସ୍ଥ୍ୟ ସେବା ଦୁରୁବଳ
ମଣିଷ ହେଜୁନି ସ୍ଥିତି ପରିସ୍ଥିତି
ହକାରି ଆଣୁଛି କାଳ ।"
ଗଦା ଭାଇ ଟିକିଏ ମୁରୁକି ହେଲା । ସତ କଥା ତ । ଚାରିଆଡ଼େ କଳା ମଚ ମଚ ଡାମୁକା ମଶା ମାନଙ୍କର ବିରାଟ ଫଭଜ । ମଣିଷ କଥା ଛାଡ଼, ଗାଈ-ଗୋରୁଙ୍କ ପାଇଁ ବି ଆଜି କାଲି ଧୂଆଁ ବି କାମ କରୁନି, ବଡ଼ ବଡ଼ ମଶାରୀ ଦରକାର ପତୁଛି ।
ପୁଣି ଦ୍ଵିତୀୟ ପୁଷ୍ଠାର ରାଶିଫଳ ଆଡକୁ ମୁଣ୍ଡ ବୁଲେଇବା ବେଳକୁ ଆଖିରେ ବଡ଼ ବଡ଼ ଅକ୍ଷରରେ ଥିବା ମୂଖ୍ୟ ଖବର ଉପରେ ଆଖିଟା ଲାଖିଗଲା ଗଦା ଭାଇର ।
" କୋଟା ପାଲଟିଛି ଆତ୍ମହତ୍ୟା ରାଜଧାନୀ ", ଏବର୍ଷ ଗଲାଣି ୨୧ ଛାତ୍ରୀଛାତ୍ରୀଙ୍କ ଜୀବନ " ଦେଶର କୋଚିଂ କ୍ୟାପିଟାଲ ସୁଇସାଇଡ ସିଟିର ଦୁର୍ନାମ ମୁଣ୍ଡାଇଛି " ଇତ୍ୟାଦି ଇତ୍ୟାଦି ।
ଏକା ନି8ଶ୍ୱାସକେ ହେଡ ଲାଇନ ପଢିଦେଲା । ଛାତିରେ ଛନକା ପଶିଲା । ଦିପୁ ଟା ଭଲରେ ଅଛି ତ କୋଟାରେ ? ଜୟ ଜଗନ୍ନାଥ ମନେ ମନେ ରଟୁଥାଏ କିନ୍ତୁ ପଢି ଚାଲିଥାଏ ତଳକୁ ତଳକୁ ।
ଜୟପୁର,୧୬/୮:
ଭାରତର କୋଚିଂ କ୍ୟାପିଟାଲ ଦ୍ଭାବେ ପରିଚିତ ରାଜସ୍ଥାନର କୋଟା ସହର ଆତ୍ମହତ୍ୟାର ରାଜଧାନୀ ରୂପେ ମଧ୍ୟ ଦୁର୍ନାମ ମୁଣ୍ଡାଇଲାଣି । କାରଣ ନିୟମିତ ବ୍ୟବଧାନରେ ଜଣେ ପରେ ଜଣେ ଛାତ୍ର କିମ୍ବା ଛାତ୍ରୀଙ୍କ ମୃତଦେହ ଏଠାରେ ଠାବ ହେଉଛି । ଏହି କ୍ରମରେ ଓଡ଼ିଶାର ଢେଙ୍କାନାଳରୁ ଆସି ଆଇଆଇଟି ପ୍ରସ୍ତୁତି ଚଳେଇଥିବା ୧୮ ବର୍ଷୀୟ କୋଚିଂ ଛାତ୍ର ମାଷ୍ଟର ଦୀପକ ଜେନାଙ୍କ ଝୁଲନ୍ତା ମୃତଦେହ ତାଙ୍କ ରୁମ୍ ରୁ ପୋଲିସ ଜବତ କରିଛି । ପୂରା ଦେଶ ୭୭ତମ ସ୍ଵାଧୀନତା ଦିବସ ପାଳନ କରୁଥିବା ବେଳେ, ଦୀପକ ଜେନା ନିଜ ରୁମରେ ରହିଥିଲା ଓ ପାଗଳପ୍ରାୟ ପ୍ରତିଦ୍ଵନ୍ଦିତାରେ ନିଜକୁ ସମ୍ଭାଳି ନ ପାରି ପୂରାଦିନ ମାନସିକ ଡିପ୍ରେସନର ଶିକାର ହୋଇଥିବାର ଅନୁମାନ କରାଯାଉଛି । କେବଳ ଅଗଷ୍ଟ ମାସରେ ଏହା ହେଉଛି ଚତୁର୍ଥ ଆତ୍ମହତ୍ୟା । ଗତ ଜାନୁୟାରୀରୁ ଅଦ୍ୟାବଧି ୨୧ ଛାତ୍ରୀଛାତ୍ର ଆତ୍ମହତ୍ୟା କଲେଣି ।
ଆଖିରେ ଆଖିଏ ଲୁହ । ଦୀପକ ନାମ ଟା ମନରେ ଅଣଚାଷ ପବନ ବୁହେଇ ଦେଲା । ଆମ ଦୀପୁ କ'ଣ ଏହି ଦୀପକ ଜେନା । ଆଉ ପଢି ପାରିଲାନି । ନାଁ ହେଇ ନ ଥିବ । ଜିଲ୍ଲା ବାଲେଶ୍ଵର ବଦଳରେ ଢେଙ୍କାନାଳ, ରାଉତ ବଦଳରେ ଜେନା ଟିକିଏ ଅଲଗା ଭାବିବାକୁ ଖୋରାକ ଦେଲେ ବି ମନରେ କ୍ଷଣିକ ଚିନ୍ତା ଆସି ବାଟ ଓଗାଳି ଦେଲା । ଖବରକାଗଜରେ ଟାଇପ୍ କରିବାରେ ଭୂଲ ହେଇଥାଇ ପାରେ । ମୁଣ୍ଡଟା ରିମ୍ ଝିମ୍ ଦୁମ୍ ଦୁମ୍ ଲାଗିଲା । କ୍ଷେତକୁ ଆଉ ଯିବ କ'ଣ ଘର ମୁଁହା ସାଇକେଲ ହ୍ୟାଣ୍ଡଲ ଟା ବୁଲେଇଲା । ଘରକୁ ସହଳ ସହଳ ଫେରି ଆସିଲା ଗଦା ଭାଇ ।
ମନ ରେ ଗୋଟେ କିନ୍ତୁ କିନ୍ତୁ ଲାଗି ରହିଥିଲା । ପୁଅ ଦୀପୁ ଭଲରେ ଅଛି ତ ! ତାର କିଛି ଅସୁବିଧା ହେଇନି ତ ! ଜେଇଇ ମ୍ୟାନରେ ମାର୍କ କମ୍ ଯୋଗୁଁ କିମ୍ଵା କମ୍ ରାଙ୍କ ଯୋଗୁଁ କିଛି ଭୂଲ କଦମ ଉଠେଇ ଦେଇନି ତି ? କହୁଥିଲା କି ଫିଜିକ୍ସ ଟିକେ ବୁଝିବାକୁ କଷ୍ଟ ହେଉଥିଲା । ତେଣୁ ପାରଫରମେନସ୍ ଖରାପ ହେଇଥିଲା । ବେଚ୍ ରେ ୮୦୦ ଜଣ, କ୍ଲାସରେ ୪୦ ଜଣ ପିଲାମାନଙ୍କ ଭିତରେ ବେଷ୍ଟ ଦେବା କଷ୍ଟକର ହେଉଛି ବୋଲି ପୁଅ ଆଗରୁ କହୁଥିଲା ।
ଜେଇଇ ରେଜଲ୍ଟ ବାହାରିଲା କି ? ହେଇପାରେ ନ ବାହାରିଥିବ ଫଳ। ଏନଟିଏର ମନମୁଖୀ ଇଚ୍ଛା । ପୁଅର ଫୋନ ଆସିଥିବ । ଆଉ ଅଧିକ ବେଶି ଭାବି ପାରିଲାନି ଗଦା ଭାଇ । ସାଇକେଲ ପ୍ୟାଡାଲ ଉପରେ ଖାଲି ପାଦ ପାହୁଣ୍ଡର ପ୍ରହାର ଆଉ କପାଳରୁ ନିର୍ଗତ ଝାଳରୁ ଜଣା ପଡ଼ୁଥିଲା ମଧ୍ୟମ ବର୍ଗର ପ୍ରତିନିଧି ଗଦା ଭାଇ ଭିତରେ କେଉଁ ପ୍ରକାର ଭୟ ଓ ଆଶଙ୍କାର ଛାୟାଚିତ୍ର ଆଙ୍କି ଯାଇଛି !
ହଉ ହେଲା ! ଆଉ ଅଧିକା କିଛି ଭାବିବାକୁ, ଆଉ ପାଦେ ଆଗକୁ ଯାଇ ଦୀପୁ ଜେଇଇ ମ୍ୟାନ ପରୀକ୍ଷାରେ କ୍ଵାଲିଫାଏ କରିପାରିନି ଇତ୍ୟାଦି ଭାବି ପାରିଲାନି । ହୃଦୟରେ ବିରାଟ ଶୂନ୍ୟତା । ଭବିଷ୍ୟତ ଅନ୍ଧାର ଦିଶୁଥାଏ ।
ଏହିଭଳି ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଘରେ ପହଞ୍ଚୁ ପହଞ୍ଚୁ ଧର୍ମପତ୍ନୀ ଲକ୍ଷ୍ମୀକୁ ପିଣ୍ଡାରେ ମୁଁହ ଶୁଖେଇ ବସିଥିବାର ଦେଖିଲା । ଚିନ୍ତା ଚାରିଗୁଣ ବଢିଗଲା ପରି ଲାଗିଲା ଗଦା ଭାଇକୁ । ନିହାତି କିଛି ଅଘଟଣ ଘଟିଗଲା କି ?
ହୋଇ ହୋ ଦୀପୁ ବୋଉ । କ'ଣ ହେଲା କି ? ତୁମ ଦେହ ଭଲ ନାହିଁକି ? ରୋଷେଇ ହେବନି କି ? ଆଜି ଭାତ ଖିଆ ହେବ କି କାହିଁ ?
ନାଁ ! ସେମିତି କିଛି ନାହିଁ । ଯାଉଛି ! ଭାତ ଗ୍ୟାସରେ ବସେଇଛି । ତୁମେ ଟିକେ ଚିନ୍ତିତ ଲାଗୁଛ ? କିଛି ଏମିତି ସେମିତି ଦ୍ଭାବୁଛ କାହିଁକି ?
ଶୁଣୁଛ ! ତୁମ କପାଳରେ ଏତେ ଝାଳ କାହିଁକି ? ପାଣି ଗିଲାସ ହାତକୁ ଦେଉ ଦେଉ ପଚାରି ଦେଲେ ପତ୍ନୀ ଲକ୍ଷ୍ମୀ ।
ଦୀପୁ ଫୋନ କରିଥିଲା କି ? କାନ୍ଧ ଗାମୁଛାରେ ଝାଳ ପୋଛୁ ପୋଛୁ ଗଦା ଭାଇ ଧୀମା ସ୍ଵରରେ ପଚାରିଦେଲେ ।
ହଁ !
ରେଜଲ୍ଟ ବାହାରି ଗଲା ଜେଇଇ ମ୍ୟାନ ର କି ?
ହଁ ! ସ୍ତ୍ରୀ ଲକ୍ଷ୍ମୀ ଏମିତି ଏକଶଦ୍ଦି ଉତ୍ତର ଦେଇ ଚାଲିଥାଏ ।
ଗଦା ଭାଇକୁ ଆଉ ବେଶି କିଛି ପଚାରିବାର ଆବଶ୍ୟକତା ନ ଥିଲା । ପୁଅର ଭଲ ଫଳ ହେଇଥିଲେ ସ୍ତ୍ରୀ ତ ନିଜେ ହସି ହସି ଖୁସି ଖୁସି ସବୁ କଥା ନ ପଚାରିବା ଆଗରୁ ବଲର ବଲର ହେଇ କହି ସାରନ୍ତାଣି । ଗଦା ଭାଇ ସବୁ ଅନୁମାନ କରିନେଲା । ଅଭାବୀ ମଣିଷ ହେଲା ତ କ'ଣ ? ଅନୁଭବରେ ତ ପୂରା ପାଚିଲା, ଗଛ ପାକଲା ।
ଦୀପୁ ବହୁତ ଟେନ୍ ସନ୍ ରେ ଥିବ !
ହଁ !
କାହିଁକି ? କେତେ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ, ଅଳ୍ପ କେଇ ହଜାର କ୍ୱାଲିଫାଏ ଜେଇଇ ଏଡଦ୍ଭାନ୍ସ ପାଇଁ କରିଥିବେ । ସେମାନଙ୍କ ଭିତରେ ଦୀପୁର ନାଁ ନ ଥିବାରୁ ଦୁଃଖ ଲାଗିଥିବ ତାକୁ ।
ହଁ ! ବହୁତ ମନ ଦୁଃଖ କରୁଥିଲା । ଫୋନରେ କାନ୍ଧି ପକେଇଲା । ବାପାଙ୍କ ସ୍ୱପ୍ନକୁ ମୁଁ ସାକାର କରି ପାରିଲିନି ବୋଉ, ସୁନା ଥାଳି କୁଣ୍ଡିଆ ଜମି ୧୦ ଘୁଣ୍ଟକୁ ଶାଗ ମାଛ ଦରରେ ବିକି ମୋତେ କୋଟା ଏଲେନ୍ ରେ ଛାଡିଥିଲେ ଆଉ ମୁଁ ଅଭାଗା କିଛି କରି ପାରିଲିନି -- ମୁଁ ହାରିଗଲି ବୋଉ ! ମୁଁ ବାପାଙ୍କୁ ବି ଜୀବନ ଯୁଦ୍ଧରେ ହରେଇ ଦେଲି ! ବାପାଙ୍କ ସ୍ଵାଭିମାନ ଅଭିମାନକୁ ମାଟିରେ ମିଶେଇ ଦେଲି ---- ଭୋ ଭୋ କରି ଦୀପୁ ବୋଉ ଲକ୍ଷ୍ମୀ ବି କାନ୍ଧି ପକେଇଲେ ।
କ'ଣ କହିଲା ଦୀପୁ । ମୋ ପାଇଁ ବେଶୀ ଦୁଃଖିତ । ଆଉ ତୁମେ ଦୀପୁ କୁ ବୁଝେଇ ଦେଇ ପାରିଲନି । ତୁମେ ପରା ମା' । ଦୀପୁ ପରା ତୁମ ଆତ୍ମଜ । ତା'ର ସବୁ ସୁଖଦୁଃଖ ରେ ତୁମେ ପାଖେ ପାଖେ ରୁହ । କ'ଣ ବା କହିବି ଆଉ ?
ହଉ ଶୁଣ ! ଏହା ତ ସବୁ ବାପା ଭାବନ୍ତି । ସବୁ ପୁଅ ପାଇଁ ସ୍ୱପ୍ନ ପାଳନ୍ତି, ତ୍ୟାଗ କରନ୍ତି । ପାଗଳ କଉଁଠି କାର । ବେକାର କଥା ସବୁ ମୁଣ୍ଡରେ ପୁରେଇଲାଣି ଦୀପୁ । ସବୁ ସାଙ୍ଗ- ସୁଆଙ୍ଗର ଅସର । କୋଟା ରେ ରହି ମୁଣ୍ଡରେ ଖଣ୍ଡିଆଭୂତ ସବାର ହେବାକୁ ବସିଲାଣି । ଆଉ କିଛି କହୁଥିଲା କି ?
" ପଙ୍ଖାରେ ଝୁଲି ପଡିବାକୁ ମନରେ ଭାବନା ଆସୁଛି କହୁଥିଲା --- ପୁଣି ଦୀପୁ ବୋଉ ଭୋ ଭୋ କରି ରଡି ଛାଡି କାନ୍ଦି ପକେଇଲେ ।
ଗଦା ଭାଇ ଟିକେ ବେଶି ଉତ୍ତେଜିତ ହେଲେ । ରାଗରେ ତମ ତମ ହେଇ -- ମୁର୍ଖ କଉଁଠିକାର ! ଅସଲ କଥା ଏତେ ଡେରିରେ କହୁଛ ?
ଘର ଭିତରକୁ ଦୈଡ଼ି ଗଲେ ଗଦା ଭାଇ । ଫୋନକୁ ଉଠେଇ ଆଣିଲେ ଚାର୍ଜିଙ୍ଗ ପ୍ଲକ୍ ରୁ ଖୋଲି କରି । ପୁଅ ଦୀପୁ କୁ ଫୋନ ଡାଏଲ କଲେ ।
ରିଙ୍ଗ ହେଲା । ରିଙ୍ଗ ହେଇ ହେଇ ବନ୍ଦ ହେଇଗଲା । ସେ ପଟୁ ଦୀପୁ ନିରୁତ୍ତର । ଖବର କାଗଜର ଦୁଃଖଦ ସମାଚାର ମୁଣ୍ଡରେ ଖାଲି ଚକ୍କର ମାରୁଥିଲା ।
ପୁଣି ଆଉ ଥରେ ଫୋନ ଲଗେଇଲେ ଗଦା ଭାଇ। ମନରେ ଖୁବ୍ ଟେନସନ୍ । କିଛି ଅଘଟଣ ଘଟିଗଲା କି ? ଦୀପୁ କିଛି ଭୂଲ କଦମ ଉଠେଇ ଦେଲା କି ? ପାପ ମନ ତ ମଣିଷର । ଦୁଃଖ ବେଳେ ବେଶି ଖରାପ ଭାବନା ସବୁ ମୁଣ୍ଡରେ ପଶେ ଆଉ ଆଉଜି ବସେ ।
ପୁଣି ତୃତୀୟ ଥର ଫୋନ ଲଗେଇଲେ ଗଦା ଭାଇ । ମନରେ ଅନୁଶୋଚନା ଅତ୍ୟଧିକ । ମନ ମାନୁ ନ ଥାଏ ।
ଯାହା ହେଉ ପୁଅ ଦୀପୁ " ହ୍ୟାଲୁ ବାପା ! ପ୍ରଣାମ " କହିଲାରୁ ଗଦା ଭାଇ ଓ ଲକ୍ଷ୍ମୀ ଭାଉଜଙ୍କର ଶରୀରରେ ଜୀବନ ପଶିଲା ଜାଣ । ଗୋଟାପଣେ ଦୁଇ ପ୍ରାଣୀ ଝାଳରେ ତିନ୍ତି ଥରୁ ଥିଲେ କଦଳୀପତ୍ର ଯେମିତି ଥରେ ଆଶୁ ବାତ୍ୟା ପବନର ଭାବି ଆଶଙ୍କାରେ ।
ଖୁସିରେ ଥା । ତୁ କ'ଣ ତୋ ବୋଉକୁ ଏଆଡୁ ସେଆଡ଼ୁ ଅଗଡମ-ବଗଡମ କହୁଥିଲୁ ଫୋନରେ ।
ନାଁ ବାପା ! ସେମିତି କିଛି କହିନି ତ ?
ହଁ ରେ ଦୀପୁ ! ତୋ କଥାରେ ଆଜି ଚଞ୍ଚଳତା ନାହିଁ ? ମନ ଦୁଃଖ କରିବୁନି --- ----
ବାପା ! ମୋତେ କ୍ଷମା କରିଦେବେ ବାପା --- ସରି ବାପା ----
କ'ଣ ରେ ଦୀପୁ : କ୍ଷମା କରିବି ! କ'ଣ କହୁଛୁ ତୁ ଆଜି । ତୁ ଠିକ୍ ରେ ଅଛୁ ତ ! ତୋ ମୁଣ୍ଡ କାମ କରୁଛି ତ ! ତୁ କ'ଣ କିଛି ପାପ କାମ କରିଛୁ କି ? ଚୋରୀ ବା ଅନୈତିକ କାଣ୍ଡ ଘଟେଇଛୁ କି ?
ନାଁ ବାପା ! ମୁଁ ଫେଲ ହେଇଗଲି । ମୁଁ ପାସ୍ କରି ପାରିଲିନି ବାପା ।
କ'ଣ ହେଲା ସେଇଠୁ ।
ତୁମ ସ୍ବପ୍ନ ଭାଙ୍ଗିଗଲା ବାପା !
ପାଗଳ ପିଲା କଉଁଠିକାର । ମୋ ସ୍ବପ୍ନ ନ ଥିଲା ତୁ ଆଇଆଇଟି ଇଂଜିନିୟର ହେବୁ । ସେଇଟା ପରା ତୋର ଲକ୍ଷ୍ୟ ତୋର ଟାର ଗେଟ୍ ଥିଲା । ମୁଁ ପରା ବାପା ହିସାବରେ ସେହି ତୋହରି ଲକ୍ଷ୍ୟ ପ୍ରାପ୍ତି ପାଇଁ ଆବଶ୍ୟକ ଇନ୍ଧନ ଯୋଗାଇଥିଲି ।
ଯାହା ଭି ହେଉ ବାପା ! ତୁମ ମୁଁହରେ କାଳି ଲଗେଇ ଦେଲି ବାପା ! ତୁମ ଗର୍ବ ଦମ୍ଭ କୁ ଭାଙ୍ଗି ଚୁରମାର କରିଦେଲି ନା ବାପା ! ମୋତେ କ୍ଷମା କରିଦେବ ପୁଅ ଗୁଣେ । ମୁଁ ଜାଣେ ମୋ ଭୂଲ ଅକ୍ଷମଣୀୟ, ମୋତେ ତଥାପି ଅବୋଧ ନିର୍ବୋଧ ପୁଅ ନ୍ୟାୟରେ ଶେଷ ଥର ପାଇଁ ଛାଡି ଦେବ ବାପା ।
ନାଁ ରେ ପୁଅ ଦୀପୁ । ତୁ ତ କିଛି ଖରାପ କାମ କରିନୁ, ତୁ କୌଣସି ଝିଅ-ମହିଳା ବର୍ଗକୁ ଅପମାନିତ କରିନୁ, ମୋ ମୁଁହରେ କାଳି ଦାଗ ଲାଗିବ ବା କାହିଁକି ? ହଁ ! ତୁ ଫେଲ ହେଇଗଲୁ କାଗଜ ପରୀକ୍ଷାରେ । ଆଉ ଥରେ ଦେବୁ । ଆର ବର୍ଷକୁ ଦେବୁ । ଆହୁରି ପରିଶ୍ରମ କରିବୁ । ଏକା ମାଘରେ ଶୀତ କ'ଣ ଯାଏ ନା ଏକା ଶ୍ରାବଣରେ ବର୍ଷାଋତୁରେ ଇତି ହୁଏ ? ସବୁ ପରା ଚକର ଅଖ ପରି । ଘୁରୁଛି ଘୁରୁଥିବ । ଆଜି ତୋ ଭାଗ୍ୟ ତଳକୁ ଟିକେ ତଳେଇ ଯାଇଛି, ଆଗାମୀ ବର୍ଷରେ ପୂରା ଶୀର୍ଷରେ ରହିବିନି କି'ଏ କହି ପାରିବ ଦାନ୍ତରେ ତୀରଣ ଦେଇ ।
ହଁ ବାପା । ଫେଲ ହେବାର ପରିଣାମ କ'ଣ ହେବ ତାହାଲେ ।
କ'ଣ ହେବ ଭାବୁଛୁ । ଛେନା ଗୁଡ଼ ହେବ । ହଁ ! ତୁ ଏ ବର୍ଷ ଇଂଜିନିୟରିଙ୍ଗ କଲେଜରେ ଅଧ୍ୟାପନ କରିପାରିବୁ ନାହିଁ । ତୋର କିଛି ସାଙ୍ଗ ସାଥି ତୋତେ ଡେଇଁ ଆଗକୁ ଗୋଟେ କ୍ଲାସ ବାହି ପଳେଇବେ । ଯାଆନ୍ତୁ ସେମାନେ । ରାସ୍ତା ସରୁଛି ନା କଲେଜ ପଳଉଛି । ଆର ବର୍ଷକୁ ତାଙ୍କରି ପଛେ ପଛେ ତୁ ବି ତାଙ୍କଠାରୁ ଭଲ କଲେଜରେ ନାମ ଲେଖେଇବୁ । ଉଣାଅଧିକ ରେଗିଙ୍ଗରେ କୋହଳ ମିଳିବ ତୋତେ ଦୀପୁ । ବି ପଜିଟିଭ ମାଇଁ ଚାଇଲଡ ।
ମୁଁ ବୁଝୁଛି ବାପା । ମୋ ମନ କିନ୍ତୁ ମାନୁନି । ଆମାନିଆ ମନଟା ବେଳେ ବେଳେ ଅସ୍ଥିର ହୋଇ ପଡୁଛି । ଫେଲ ହେବା ସର୍ବ ଭାରତୀର ପରୀକ୍ଷାରେ କ'ଣ କମ୍ ବୋଲି ଭାବି ହେବ କି ?
ହଁ ରେ ଦୀପୁ । ତୁ ଯାହା ଭାବୁଛୁ ଆଦୌ ଠିକ୍ ନୁହଁ । ତୁ ପରା ଏହି ବିଶାଳ ଜୀବନର ଏକ କ୍ଷୁଦ୍ରାତିକ୍ଷୁଦ୍ର ଅଙ୍ଗ । ଜୀବନରେ ଅନେକ ପାବଚ୍ଛ ଅଛି, ଖାଲି ଡାକ୍ତର - ଇଂଜିନିୟର - ଆଇଏସ-ଓଏସ ହେବା କ'ଣ ଲକ୍ଷ୍ୟ । ଏହି ସବୁ ଖାଦ୍ୟ କମେଇବାର ଗୋଟେ ଗୋଟେ ମାଧ୍ୟମ ମାତ୍ର ପୁଅ । ଆଉ ମନେ ରଖିଥିବୁ ପୁଅ - ସଚ୍ଚୋଟ ଭାବରେ ରୋଜଗାର କରିବାକୁ ଅନେକ ପନ୍ଥା ରହିଛି । ମୁଁ ଥିବି କି ନ ଥିବି ସେତେ ବେଳକୁ ମୁଁ ବି ଜାଣିନି ।
କିନ୍ତୁ ବାପା ! ମୁଁ ଅଲଗା କିଛି ଭାବୁଥିଲି ।
କ'ଣ କହୁନୁ ?
ମୁଁ ଭାବୁଥିଲି କି ମୁଁ ଯେଉଁ ଯାଗାରେ କାମ କରିବି ଆପଣଙ୍କୁ ଗର୍ବ ଅନୁଭବ ହେବ, ସମାଜରେ ଆପଣଙ୍କର ମୋ ପାଇଁ ମାନ ସମ୍ମାନ ବଢିବ, ଆପଣ ମୋର କୃତିତ୍ଵକୁ ଛାତି ଫୁଲେଇ ସମସ୍ତଙ୍କ ଆଗରେ କହି ନିଜକୁ କୃତାର୍ଥ ମଣିବେ ।
ନାଁ ରେ ପୁଅ । ଭୂଲ ଭାବୁଛୁ । ମୋର ଗର୍ବ ତୁ ରେ ଦୀପୁ । ମୋର ମାନ ସମ୍ମାନ ଅଭିମାନ ସବୁ ତୁହି । ତୋ ବିଷୟରେ ଛୋଟ ବେଳୁ ସବୁ ଭଲ ଶୁଣି ଆସିଛି ! ଏହାଠାରୁ ଆଉ ଅଧିକ ପ୍ରତିଷ୍ଠା କିଛି ଦରକାର ନାହିଁ ରେ ଦୀପୁ ।
ଏମିତି କେମିତି ହେବ ।
ହଁ ରେ ଦୀପୁ । ତୋ ମୁଣ୍ଡରେ ପଶିଥିବା ବାବୁନାଭୂତ କୁ ବାହାର କରି ଦେ, ଖଣ୍ଡିଆ ଭୂତ ପରିକା ଚିନ୍ତାଧାରାକୁ ଫିଙ୍ଗି ଦେ । ଭାବି ଦେଖ ! ତୋ ଜେଜେବାପା କୌଣସି ଚାକିରୀ କରି ନଥିଲେ ଜଣେ ସାଧାରଣ କୃଷକ ଥିଲେ, ତୋ ବାପା ଅର୍ଥାତ୍ ମୁଁ କଲେଜ ଯାଇ ପାରି ନ ଥିଲି, ତା ମାନେ କଣ ଆମେ ବଂଶର ନାକ କାଟିଦେଲେ, ତା ମାନେ କଣ ଆମେ ଆତ୍ମହତ୍ୟା କରିଦେଲେ, ଗଛରେ ଦଉଡି ଲଗେଇ ଗାଁ ମୁଣ୍ଡ ବରଗଛରେ ଝୁଲି ପଡିଲେ ।
ହଁ ବାପା । ମୁଁ କିଛି ବୁଝି ପାରୁନି ? ମୋ ମୁଣ୍ଡଟା ଗୋଳମାଳ ହୋଇ ଗଲାଣି । ମୁଁ ସବୁ ବୁଝି ଯାଉଛି । ପୁଣି ମୋର ବିଫଳତାର ବେତାଳ ପିଠିରେ ଲାଉ ହୋଇ ପଡୁଛି, ମୁଣ୍ଡରୁ କାନ୍ଧକୁ ହପାଙ୍ଗ ହପାଙ୍ଗ ଡେଇଁ କିମ୍ଭୁତକିମ୍ଭାକାର କୁ-ଚିନ୍ତା ଚେତନାର ମନ୍ତ୍ରଣା କାନରେ ଫୁସ୍ ଫାସ୍ କରି କହୁଛି । ମୋ ମୁଣ୍ଡଟା ଗରମ ହେଇ ଯାଉଛି ବାପା । ମୋତେ ଭୋକ ଲାଗୁନି, ନିଦ ଆସୁନି । ରାତିସାରା ଖାଲି ଗଡ ପଡ଼ ହେଉଛି ବାପା ।
ମୁଁ ବୁଝୁଛି ସବୁ । ଏ ସବୁ ବିଷୟରେ ବେଶି ଭିତରିଆ ଚିନ୍ତା କରିବୁନି । ଯାହା ହେଲା ସବୁ କୁ ପାସୋରି ଦେବୁ । ମନ ଲଗେଇ ପୁଣି ଥରେ ଆରମ୍ଭ କରି ଦେ ପାଠପଢ଼ା । ଭଗବାନ ତୋ ଭାଗ୍ୟରେ ଯାହା ଲେଖିଛନ୍ତି ତାହା ହିଁ ହେବ । ଖାଲି ତୁ ମନ ଦେଇ ପରିଶ୍ରମ କରି ଚାଲିଥା ।
ହଁ ଶୁଣ ! ୩୦ ତାରିଖରେ ରାକ୍ଷୀ ପୂର୍ଣ୍ଣମୀ । ତୁ ଛୁଟି ନେଇ ଘରକୁ ଆସେ । ଆମେ ସବୁ ମିଶିକରି ମନେଇବା, ତୋ ବୋଉ ହଳଦୀ ପତର ପିଠା ବନେଇବ ।
ହଁ ବାପା !
ହଁ ରେ ପୁଅ । ତୁ ଏଥିର ଘରକୁ ଆସିଲେ ଦେଖିବୁ ତୁ ଲଗେଉଥିବା ଗୁଆ ଗଛ କେତେ ଲମ୍ବା ହେଲାଣି । ନୂଆ ଚାମ୍ପ ପକେଇଲାଣି । ଆର ବର୍ଷ ଆଡ଼କୁ ଗାଦୁଲ - ମାଦୁଲ ଗୁଆକାନ୍ଧି ସବୁ ଫଳିବ ଓହଳିବ । ତୁ ଲଗେଇ ଥିବା ଜାମୁରୋଳ ଗଛତଳେ ମହୁ ବାକ୍ସ ବସେଇଛି । ତୁ ଆସିଲେ ଭାଙ୍ଗିବା । ପୂରା ତାଜା ମହୁ ଖାଇ ବୁ ଏଥର ।
ଅନ୍ୟ ପଟୁ ପୁଅ ଦୀପୁ ହସି ହସି କହୁଥିଲା -- କ'ଣ ଛୋଟ ପିଲା ପରି ବାପା ତୁମେ କହୁଛ, ମୁଁ ପରା ବଡ଼ ହେଲିଣି ।
ଏମିତି କଥା କି ? ମୋହରି ବିଲେଇ ମୋତେ ମ୍ୟାଉଁ ମ୍ୟାଉଁ କହୁଛି ? ମୋତେ ବୁଦ୍ଧି ଶିଖଉଛି ।
ବୁଝିଲୁ ପୁଅ । ବୃଦ୍ଧି ଅଧିକ ଭଲ ନୁହଁ । ମୋ ପରି ପିଲାଳିଆମୀ ବଂଚେଇ ରଖିବୁ । ବାଲ୍ୟ କୈଶୁର ଚପଳାମୀ ପାଖେ ପାଖେ ସାଇତି ରଖିବୁ । ଜୀବନର ଭତ୍ଧାନ ପତନରେ ବହୁତ ସାହାର୍ଯ୍ୟ କରିବ ।
ହଁ ବାପା ! ବୁଝିଗଲି । ଲମ୍ବା ନିଃଶ୍ଵାସ ପ୍ରଶ୍ଵାସର ସ୍ଵର-ଶବ୍ଦ ଫୋନରେ ସଫା ସଫା ଶୁଭୁଥିଲା । ପ୍ରଣାମ ବାପା । ରହୁଛି ।
ବାପାଙ୍କ ସହିତ କେଇପଦ କଥା ଅମୃତ ଭଳିଆ ଲାଗିଲା ଦୀପୁ କୁ । ଛାତରୁ ଓହଳିଥିବା ପଙ୍ଖାରେ ଝୁଲିବା କଥା ଭାବିବା ବଦଳରେ ଥଣ୍ଡା ପବନ ସବୁ ଉଡି ଆସି ମନ-କନ୍ଦର ଆତ୍ମା-ଅନ୍ଦରରେ ତାକୁ ଜୀବନ ଜିଇଁବାର ନୂଆ କଳା-କୌଶଳ, ଡ୍ରିପ୍ରେଶନ ହଟେଇବାର ଗୁରୁମନ୍ତ୍ର ତଥା ଖଣ୍ଡିଆଭୂତିଆ କୁ-ଚିନ୍ତା ମାନଙ୍କୁ ଖଣ୍ଡ ବିଖଣ୍ଡ ଶ୍ରୀଖଣ୍ଡ କରିବାର ଜ୍ଞାନ-ବିଜ୍ଞାନ ଶିଖେଇ ଚାଲିଥିଲା ଯେମିତି ।