ମୁକ୍ତାବାର୍ଷିକୀର ଚପଳଛନ୍ଦ
ମୁକ୍ତାବାର୍ଷିକୀର ଚପଳଛନ୍ଦ
ହଲରେ ପଶୁ ପଶୁ ବାଟ ଓଗାଳିଲେ ରାଜନୀତି ବିଜ୍ଞାନର ଶିବ ମିଶ୍ର ଓ ରସାୟନ ବିଜ୍ଞାନର ଦୁର୍ଗା ସାହୁ । ହାତ ଛାତି ମିଳନ ପର୍ବ ସରୁ ସରୁ କିଛି ଦୁଇ ଧାଡ଼ିଆ କବିତା ଆସର ଜମି ଗଲା ----
ତୁମେ ଆଉ ମୁଁ ଓ ସେ ସବୁ ଆସିଛେ ଫେରି
ବାଣୀମଞ୍ଚର ଅଭୂଲା ସମୟକୁ ସାଙ୍ଗରେ ଧରି
ଡାକୁଛି ସରାଗେ ଆଖି ଠାରି ଶୁଶୁରି ମାରି
ତିରିଷ ବର୍ଷ ବୟସକୁ କିଏ ପଚାରେ
ତିରିଷିଆ ବସନ୍ତକୁ କିଏ ବା ଧରେ
ବାଉନରେ ଯଭବନ ମାରୁଛି ବାଉନ୍ସର୍
କେଚ୍ ଧରିବାକୁ ହାତ ମୁଁହ ଖୋଲା କର୍
ବେ ପଞ୍ଚୁ ମେଲା କର୍ ଠିଆମେଲା କର୍
କବାଟ ଖୋଲା କରୁନୁ ବେ ଅଲବତ୍ କର୍ ।
ପୁରୀ ବଡ଼ପଣ୍ଡା ବଡ଼ ଦାଣ୍ଡର ମୁରବୀ ପଣ୍ଡା ଶିବ ମିଶ୍ରେ କହିଲେ ତୁରନ୍ତ ----
କାହିଁ କରୁଛି କେଁ କଟର ----
କାହିଁ କିକ୍ ମାରୁଛୁ ବେ ଏଗାର ବାର ----
ଦୁର୍ଗା ଆମର ଟିକିଏ ନାଟକୀୟ ଢଙ୍ଗରେ ପଦ ଲାଳିତ୍ୟକୁ ଚୋରା ଛନ୍ଦକୁ ଯତିପାତକୁ ସରସ ସୁନ୍ଦର ସାବଲୀଳ କରିବାକୁ ଯାଇ କବିତା ଯୋଡିଦେଲା ---
ଖୋଲିବ କଂସା କବାଟ କରିବ କେଁ କଟର
ଲାଇସେନସ୍ ନେ ବେ ପଞ୍ଚୁ ଆଜି
ହାତରେ ଧରେଇ ଦେଲି ଗେଞ୍ଜି ଗୁଞ୍ଜି
ଚାବି ପେନ୍ଥା ନେଥା ନେଇ କର ହରଫେର
ଆଜି ପରା
ମୁକ୍ତାବାର୍ଷିକୀ ବନ୍ଧୁମିଳନ ଅମୃତ ଆସର
ମାଡିଚାଲ ବେ ଗାଡି ମଟର
ଗଡେଇ ଦେ
ଉଡ଼େଇ ଦେ
ଚଢେଇ ଦେ
ମଡ଼େଇ ଦେ
ଫୁଲ ଗିୟର
ବରଂ ଫାଟିଯାଉ ଟିଭବ୍ ଟାୟାର ।
ପୁଣି ହାଃ ହାଃ ହାଃ --- ହୁ ହାଃ ହାଃ ହାଃ ।
ଗରମ ସୁପ୍ ର ଚୁଷକି ନେଉ ନେଉ ଆଖି ଆଗରେ ପଡ଼ିଗଲା ଗୋଲ ଗୋଲ ଗୋଲିଆ ।
"ଆବେ ପଞ୍ଚୁ "----କହି କୋଳାକୋଳି କୁଣ୍ଢାକୁଣ୍ଢି।ଆଗେ ପେଟ ଦୁଇ ମିଶିଲେ ହସି ହସି । ପରେ ଛାତି କାନ୍ଧ ହାତ ମିଶିଗଲେ ଆକଣ୍ଠ ଚିତ୍ତରେ ଖୁସି ଖୁସି । ଛାତିରେ ଯାବୋଡି ଧରିବାରେ ଗୋଲିଆର ଦୀର୍ଘ ୩୦ ବର୍ଷର କୃଷ୍ଣକଳା ଆଖି ଆଗରେ ଚଳଚିତ୍ରର ରଙ୍ଗିନ ପରଦା ପରି ଭାସି ଚାଲୁଥିଲା । ଅନିଲ କାପୁର ଭଳିଆ ଲୋମଶ ମାଂସଳ ଛାତି ତଳେ ଅନେକ ଦରଦ - କରୁଣା - ଦାୟିତ୍ଵ- ବନ୍ଧୁତ୍ଵର ଛଳ ଛଳ ଜଳଛବି ଦିଶି ଯାଉଥିଲା ।
ଗୋଲିଆ ଅର୍ଥ ଗୋଲକ ସାମଲ ସ୍ଟାଟିଟିକସ୍ ବିଭାଗର । ମଥାରେ ବାଳ କିଛି ପତଳା ଲାଗୁଛି କିନ୍ତୁ ଆଖିରେ ଯେଉଁ ଚମକ ଯେଉଁ ଛଟକ ଯେଉଁ ଯାକ ଯମକ, ଦିଶୁଥିଲା ପୂରା ପଚିଷ ବର୍ଷର ମାର୍ଶାଘାଇ ଭେଣ୍ଡିଆ ଟୋକା , ବାଉନ ବର୍ଷରେ ନି ପୂରା ଯୌବନ ଛନ ଛନ ।ମସ୍ତିରେ ଯଉଁ ଦୈତ୍ୟ ନୃତ୍ୟ ପରିବେଷଣ କଲା କୁନାର "ଡମ୍ ଡମ୍ ଡିଗା ଡିଗା" ର ତାଳେ ତାଳେ , ଜିଉରେ ହାଡ଼ ନ ଥିବ କାହାରି ଦ୍ଵିତୀୟ ସଂସାର କରିବାକୁ ମନା କରିବାକୁ , ଖୋଲମ ଖୋଲା ପ୍ରେମ କରିବାକୁ ଖାଣ୍ଟି ଚବିଶ କ୍ୟାରେଟ୍ ହଲମାର୍କ ଶୁଦ୍ଧ ସୁନାମୁଣ୍ଡା ,ଅନେକ ଅପ୍ରକାଶ୍ୟ କାହାଣୀର ଗୁପ୍ତ ସୂତ୍ରଧର , ଅନେକ ଅକୁହା ଗଳ୍ପର ଅଳ୍ପ ସମ୍ଭାର ସମାଚାର , ବାଣୀମଞ୍ଚର ଜଣେ ଦୁଃଖ ସୁଖିଆ କୌତୁକିଆ ଯୋଗସୂତ୍ରକାର । ଜୟ କଳା ।
ବହୁତ ଦୁଃଖ ଓ କୋହଭିଜା ମନରେ କହିବାକୁ ଯାଉଛି କି ଆମେ ସମସ୍ତେ ବାଣୀ ବିହାର ଛାଡିବାର ଦୀର୍ଘ ୩୦ ବର୍ଷରେ ଆମର ୨୫ ଜଣ ସହପାଠିନୀ-ସହପାଠୀମାନଙ୍କୁ ହରେଇ ସାରିଛେ । ସେହି ଅନ୍ତରଙ୍ଗ ଅନ୍ତରୀକ୍ଷ ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା ଓ ପୁଷ୍ପାଞ୍ଜଳି ପ୍ରଦାନ ଆମ ସମସ୍ତଙ୍କ ମନରେ ନିମ୍ନ କେତୋଟି କଥା କୁ ବାରମ୍ଵାର ସ୍ମରଣ କରେଇ ଦେଉଥିବ ନିଶ୍ଚୟ ---
୧. କ୍ଷଣ ଭଙ୍ଗୁର ଜୀବନ ଓ ଜୀବନ କାଳ ଅବଧି । ତେଣୁ ଆମେ ନିଜକୁ ଭାଗ୍ୟବତୀ-ଭାଗ୍ୟବାନ ମଣିବା ଯେ ଆମେ ସମୟର କ୍ଷଣେ କ୍ଷଣେ ସ୍ୱାସ୍ଥ୍ୟର ଯତ୍ନ ନେବା । ପେଟ ବଢି ଯାଇଛି , ବାଳ ଝଡି ଯାଇଛି , ସୁଗର ବୋଲ ମାନୁନି , ମଧୁମେହ ଦାଉ ସାଧୁଛି , ଏମିତି ଅନେକ ଅୟୁତ ନିୟୁତ ସମସ୍ୟା ଭିତରେ ଜିଇଁବାକୁ ହେବ । କାରଣ ଆଗାମୀ ବନ୍ଧୁମିଳନରେ ପୁଷ୍ପାଞ୍ଜଳୀ ପ୍ରଦାନ ଚିଠାରେ ନାଁ ଟି ନ ରହୁ । ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥ ସେଇଆ କରନ୍ତୁ । ଘଣ୍ଟ ଘୋଡେଇ ରଖନ୍ତୁ ବାଣୀମଞ୍ଚର ଏହି ବର୍ଦ୍ଧିତ ପରିବାରକୁ କରୁଣାଶ୍ରୀତ ଚରଣାଶ୍ରୀତ କରି କରେଇ ।
୨. ମେ ମାସ ୨୮ ତାରିଖ ଆମ ସମସ୍ତଙ୍କ ପାଇଁ ସ୍ଵରଣୀୟ ରହିବ କାରଣ କେହି ଜଣେ ବି ଅର୍ଦ୍ଧ ଶତକୀୟ ବର୍ଷରେ ପଦାର୍ପଣ କରିଥିବାର ଲାଗୁ ନଥିଲେ କି ଦିଶୁ ନ ଥିଲେ । ସେହି ଯୁବା ସୁଲଭ ଉଦ୍ଦାମତା , ହସ ହସ ସମ୍ଭାଷଣ ସରସତା , ଫଟୋ ପାଇଁ ଅଙ୍ଗଭଙ୍ଗୀ ନାଟକୀମ୍ଭତା, ମହୁବୋଳା ଆତ୍ମୀୟତା , ମିଶ୍ରିବୋଳା ସରସତା , ଗୁଣୁଗୁଣୁ କବିତା , ଆଖିରେ ଆଖିରେ ଖୋଜୁଥିବା ଚଞ୍ଚକତା , ନାଚରେ ତିଲ୍ଲୀନତା , ଖାଦ୍ୟ ପାନୀୟରେ ଲୋଭନୀୟତା , ସର୍ବୋପରି ସ୍ଵାଧିନଚେତା ଲଗାମ ଛଡ଼ା ସ୍ଵତନ୍ତ୍ରତା । ସେହି ମହନୀୟତା ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଆମ ସମସ୍ତଙ୍କର ହୃଦୟତନ୍ତୀରେ ଅନୁରଣିତ ହେଉ , ମହକିତ ଚହଟିତ ହେଉ ଚଉପାଶ ଦଶଦିଶ ତଥା ସୁ-ଗନ୍ଧର ସୁବାସରେ ଜନ ଜୀବନ କଲ୍ଲୋଳିତ ହେଉ ।
୩. ବାଣୀବିହାର ଆମକୁ ଆମ ଗୋଡ଼ରେ ଛିଡ଼ା ହେବାକୁ ଗୁରୁମନ୍ତ୍ର ଦେଇଛି । ଜୀବନର ବଡ଼ଦାଣ୍ଡରେ , ସମାଜର ଚଳା ପଥରେ ଆମ୍ଭମାନଙ୍କୁ ପ୍ରତିଷ୍ଠା ମାନ ସମ୍ମାନ ଇଜ୍ଜତ ମହତ ଇତ୍ୟାଦିର ଟ୍ୟାଗ୍ ଲଗେଇବାରେ ସେହି ୧୯୯୧-୯୩ ଦୁଇ ବର୍ଷର ଅବଧି ଅମୂଲ୍ୟ ସୁଧାନିଧି । ସେ ସମୟର ବନ୍ଧୁତ୍ୟ, ସଖ୍ୟ ତଥା ସହୋଦର ପଣିଆ, ପ୍ରେମ କାହାଣୀ ଆଜି ବି ଚିର ଅମ୍ଳାନ । ଆମ ଭିତରେ ବହୁତ ବିଷମତା ରହିଥିବ, ପାତର ଅନ୍ତର ନୀତି ଆଦର୍ଶ ବି ଥିବ, ସେ ସବୁ କୁ ଓଁ ସ୍ଵାହା କହି ବାଣୀମଞ୍ଚର ସର୍ବକାଳୀନ ସର୍ବାଙ୍ଗୀନ ଉତ୍ତରୋତ୍ତର ଉନ୍ନତି ଦିଗରେ ଆମେ ସମସ୍ତେ ସତତ ଚେଷ୍ଟିତ ହେବା ହିଁ ହେବା ।
୪. ବନ୍ଧୁମିଳନ କାର୍ଯ୍ୟକ୍ରମ କଥନ- ଭୋଜନ - ନାଚ-ଗୀତ ମନୋରଞ୍ଜନ -- ଏ ସମସ୍ତ ମସ୍ତିର ଖୋରାକ ଯୋଗାଇବାରେ ସମର୍ଥ ଥିଲା କହିବାରେ ଅତ୍ୟୁକ୍ତି ନାହିଁ । ମାତ୍ର ମାନସିକ ସ୍ତରରେ ହଜି ଯାଇଥିବା ଭାଇଚାରାର ପୁଣି ଭଦ୍ ଘାଟନ , ଆଖି ଖୋଲି ଦର୍ଶନ ଶ୍ରବଣ ସହିତ ଅତୀତର ରୋମନ୍ଥନ ମାଧ୍ୟମରେ ସକାରାତ୍ମକ ଶକ୍ତି ସଞ୍ଚୟ ନିଶ୍ଚୟ ସମସ୍ତଙ୍କୁ ନିଜ ନିଜର ଅଜାଣତରେ ମନ ମସ୍ତିସ୍କରେ ପୁରେଇ ଛାଡିଥିବ । ସେହି ସୁନେଲି ସିହରଣ ସମସ୍ତଙ୍କୁ ଚଳଚଞ୍ଚଳ କରୁଥାଉ ଆଉ ଗୁପ୍ ରେ ହସକଥା- ନୀତିକଥା- କବିତା ତଥା ମନଛୁଆଁ ଭିଡ଼ିଓ ମାଧ୍ୟମରେ ଆମେ ସମସ୍ତଙ୍କର ନିକଟରେ ହୋଇ ରହିଥାଉ ।
ବାଣୀମଞ୍ଚର ପ୍ରେମ କୁମାର ଚିର କୁମାର ଚିତ୍ରଗୁପ୍ତ ହେଉଛନ୍ତି ଉମାଶଙ୍କର ଶତପଥି । ବେଶି ଖୁସି ନ ଥିଲା ବଡ଼ି ଲାଙ୍ଗୁଏଜ୍ ରୁ ଜଣା ପଡ଼ୁଥିଲା । କାରଣ ରବିବାରିଆ ନିରାମିଶାଷୀ ଆଜନ୍ମ ଆଇଁଷିଆ ସ୍ୱାମୀଙ୍କର ହବିଷ ପାଳନ । ସମସ୍ତଙ୍କୁ ଦେଖୁଛି ଗଣ୍ଠି ଚୋବେଇ ବାରେ ବ୍ୟସ୍ତ ବିବ୍ରତ । ବିଚରା ଉମା ଟା I
ବନ୍ଧୁମିଳନ ପର୍ବର ଆଗାମୀ ଅଧ୍ୟାୟ ଶୀତ ଦିନରେ ହେଇ ଓ ପୂରା ୨୪ ଘଣ୍ଟିଆ ୨୪୦୦ ଟଙ୍କିଆ ହେଉ ରାତି ଦିନିଆ ହେଉ କିଛି ଘଣ୍ଟିଆ ନ ହେଉ । ଖୁସିର କ୍ଷଣ ମସ୍ତିର ଛଟା ଅତ୍ୟନ୍ତ ପକ୍ଷେ ଗୋଟିଏ ପୂରା ଦିନ ରହୁ । ଦୂର ଦୁରିଆ ଅଞ୍ଚଳରୁ ଆସୁଥିବା ବାନ୍ଧବୀ-ବନ୍ଧୁ ମାନଙ୍କ ଶରୀର ପିଡ଼ାଦାୟକ ନ ଦେଉ । ପଦାର୍ଥବିଜ୍ଞାନ ଓ ସଂସ୍କୃତ ବିଭାଗର କମ ସଂଖ୍ୟାରେ ଯୋଗଦାନ ଚିନ୍ତାଜନକ ଥିଲା । କଣ୍ଟା କଞ୍ଚା କମଳାକାନ୍ତ୍ ଜେନା ର ଦୁଃଖ ସହି ହେବନି ଭାଷାରେ I ପଦ୍ମଜାର ଦୁଃଖ ବି ତତେଃଧିକ । ମାଡ଼ି ଚାଲ ବନ୍ଧୁଗଣ ବନ୍ଧୁକ ଧରି ।
୨୫୦ ରୁ ଅଧିକ ପଞ୍ଜିକରଣ କରିଛନ୍ତି ଏବଂ କେବଳ ତାଙ୍କର ବର୍ତ୍ତମାନର ପଦ-ପଦବୀ- ସ୍ଥାୟୀ ଠିକଣା ଯୋଡିକରି ବାଣୀବିହାର ୧୯୯୧-୯୩ ଡାୟରେକ୍ଟୋରୀ ଡିଜିଟାଲ ଫର୍ମାଟ୍ ରେ ପ୍ରକାଶିତ ହେଲେ ସମସ୍ତଙ୍କର ବହୁ ତତ୍କାଳିକ ସମସ୍ୟାର ସମାଧାନ ହୋଇପାରନ୍ତା । ପରିସଂଖ୍ୟାନ ବିଭାଗ ଦାୟିତ୍ଵ ଗ୍ରହଣ କଲେ ସର୍ବାଦୌ ସୁଖକର ହୁଅନ୍ତା ।
ଆମ ସମୟର ବାଣୀବିହାର ଛାତ୍ରସଂଘର ଜେନେରାଲ ସେକ୍ରେଟାରୀ ଭାଇଜାନ୍ ସାହିରୁଲ ହକ୍ ବାଲେଶ୍ଵର ଫଉଜଙ୍କୁ ଧରି ଦଳବଳେ ପହଥିଲେ ପୂରା ଵିଶ୍ଵାସ ମୁଦ୍ରାରେ । ୨୭ ତାରିଖରୁ ଅଦୈତ୍ୟ ବାଗକୁ ବାଲିଆପାଳ ମାଟିରୁ ଧରି ନିଜ ଘରେ ଖୁଏଇ ପିଏଇ ସତ୍କାର କରି ପୁଣି ବନ୍ଧୁମିଳନ ପର୍ବରେ ସକ୍ରୀୟ ଅଂଶଗ୍ରହଣ କରେଇ ରାତ୍ରିଯାପନ ବାଲେଶ୍ଵରରେ କରେଇ ସଶରୀରେ ପୁଣି ଆଜି ୨୯ ତାରିଖରେ ଛାଡି ଆସିଲା ୩୦ ରସଗୋଲା ଖୁଏଇ ପିଏଇ ।
ଅନ୍ୟ ଏକ ଅନାବିଷ୍କୃତ ଦିଗ ଉପରେ ସାହିରୁଲ୍ ତଥା ବାଲେଶ୍ୱରିଆ ବର୍ଗର ଅନ୍ୟ ମାଷ୍ଟରିଆ ତଥା ପୋଲିସିଆ ସଦସ୍ୟଙ୍କର ମନ କଥା । ଥରେ ଚାନ୍ଦିପୁରରେ ଆୟୋଜନ ହେଇ ଦୁଇ ଦିନିଆ ବନ୍ଧୁମିଳନ ସମ୍ମୀଳନି । ସାଗର କୂଳର ତାଜା ତାଜା ପବନ ସହିତ ହୁଅନ୍ତା ମତୁଆଲା ମନ ଆଉ ମନ ତଳେ ଚୁପ୍ ଚାପ୍ ଚେଇଁ ଶୋଇଥିବା ଯୌବନ । ପହଞ୍ଚିବା ତୁମର ଅନ୍ୟ ସବୁ ବାଲେଶ୍ଵରିଆ ମୁଣ୍ଡରେ ମୁଣ୍ଡେଇ ନେବେ ସରାଗରେ ସମର୍ପଣରେ ଆତିଥ୍ୟତା ପୂର୍ବକ --- ଅତିଥି ଦେବେ। ଭବଃ । ଆଗଚ୍ଛ ଅସମାକମ୍ ଗୃହମ୍ ।
ବାଣୀମଞ୍ଚର ସବୁ ଝିଅ ପିଲାମାନଙ୍କର ବିନ୍ଧାସ୍ ନୃତ୍ୟ ନିପୁଣତା " ରଙ୍ଗବତୀ ରଙ୍ଗବତୀ କନକଲତା " ଗୀତର ତାଳେ ତାଳେ ଦେଖି ମନକୁ ସ୍ଵତଃ ଆସୁଥିଲା --- ଆମ ଝିଅମାନେ ଆଦୌ କମ୍ ନୁହନ୍ତି । ଏକ ଆରେ କୁ ବଳି । ମୌକା ପାଇଲେ ଚଉକା ଛକା ମାରିପାରିବେ । ସମସ୍ତେ ବହୁତ ସୁନ୍ଦର ଲାଗୁଥିଲେ । କଣ୍ଢେଇ ପରି ସଜେଇ ହୋଇ ଘର ଦ୍ଵାର ତେଲ ଲୁଣର ଜଞ୍ଜାଳକୁ ଛାଡି ଧାଇଁ ଆସିଛନ୍ତି ଦିବ୍ୟ ବନ୍ଧୁତ୍ଵର ଡାକରାରେ ନିର୍ମଳ ବନ୍ଧୁମିଳରେ ଇଶାରାରେ ଇଶତ୍ ଇଙ୍ଗିତରେ । ଭସା ଭସା ଆଖିମାନେ ଯେମିତି କାହାକୁ ଖୋଜୁଥିଲା , ପୋଟଳ ଚିରା ଆଖିମାନେ ଯେମିତି କାହାର ପ୍ରତୀକ୍ଷାରେ ଥିଲେ , ଆୟତ ଆଖିମାନେ ଯେମିତି ଚାହିଁ ରହିଥିଲେ ସେହି କଳ୍ପିତ ଇପ୍ସିତ ନାୟକ ମାନଙ୍କର ଉପସ୍ଥିତି । ଦୀର୍ଘ ୩୦ ବର୍ଷ ବିତି ଯାଇଥିଲେ ବି ଖିଲି ଖିଲି ହସରେ ମଖମଲି ସଦବାଜରେ ନହୁଲି ଅନାରକଲି ପରିପାଟିରେ ଖୁସି ବଳୟ ଆଙ୍କି ପାରିଥିଲେ । ପୂରୁଣା ଭାବ-ପ୍ରେମ-ସ୍ନେହ ସବୁ ପୁଣି ଥରେ ଆଙ୍କୁରିତ ହେବାର ଉପକ୍ରମ କରୁଥିବାର ଦେଖିବାକୁ ମିଳିଲା ଯେମିତି ଲମ୍ବା ପତ୍ରଝଡ଼ା ପରେ କଆଁଳ କିଶଳୟ ଗଜୁରେ ମୁଣ୍ଡ ଟୁଙ୍ଗାରେ । ଅନେକ କଣ୍ଠଶିଳ୍ପୀମାନେ କୋକିଳକଣ୍ଠିମାନେ ସ୍ୱର ଝଙ୍କାର ଅର୍କେଷ୍ଟାର ମତିଭ୍ରମ ଆସର ବସେଇ ଥିଲେ । ଅନେକ ବାନ୍ଧିବୀମାନେ ନାଚି ଗାଇ ହାତରେ ହାତ ଛନ୍ଦି ପାଦରେ ପାଦ ମିଶେଇ ଆନନ୍ଦ ମୁଖର ପରିବେଶ ସୃଷ୍ଟି କରି ପାରିଥିଲେ । ବହୁଳ ସଂଖ୍ୟାରେ ଝିଅ ପିଲାମାନେ ଯୋଗଦେଇ ମୁକ୍ତାବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଉତ୍ସବମୁଖର କରିଦେଲେ ।