Panchanan Jena

Inspirational

3  

Panchanan Jena

Inspirational

ଆକାଶେ କି ରଙ୍ଗ ଲାଗିଲା ?

ଆକାଶେ କି ରଙ୍ଗ ଲାଗିଲା ?

5 mins
212



ବୁଝିଲୁ ମା' ଅନୀତା ! ଅତୀତକୁ ବାରମ୍ଵାର ମନେ ପକେଇଲେ , ପୁରୁଣା ସ୍ମୃତିକୁ ବାରମ୍ଵାର ଝୁରି ହେଲେ ତୋ'ର ବର୍ତ୍ତମାନ ବି ଦୋହଲି ଯିବ । 

ବୁଝିଲୁ ଝିଅ ! ବିଗତ କଥାରେ ଆଉଟୁ  ପାଉଟୁ ହୋଇ ଲୁହ ଝରେଇଲେ ତୋର ଆଗାମୀ ଭବିଷ୍ୟତ ବି ରସାତଳଗାମୀ ହେବ, ସବୁ ଆଶା ଉରସା ଛିନ୍ନ ଭିନ୍ନ ନିଶ୍ଚିହ୍ନ ହେବ ହିଁ ହେବ । ଛାତିକୁ ପଥର କଲେ ଚଳିବନି , ଘର କୋଣରେ ପଡି ରହି ଦୁର୍ବଳା ଲହୁଣି ପିତୁଳା ହେଲେ ଆଦୌ ମାନି ବନି ବରଂ ମନକୁ ଚଳ ଚଞ୍ଚଳ ଚପଳ କରି ଅଭିନୟ କରିବାକୁ ହେବ କାରଣ ପଥ ଯେ ବହୁ ଦୂର । ଯାତ୍ରା ବି ବନ୍ଧୁର ।


ସିଦ୍ଧାର୍ଥ ଟିଭିରେ ବିଧବା ଶାଶୁମାଙ୍କ ସହିତ ଇଚ୍ଛା ନ ଥିଲେ ବି ଯାତ୍ରା-ରଙ୍ଗମଞ୍ଚ କୋଣାର୍କ ଗଣନାଟ୍ୟର ବହୁ ଚର୍ଚ୍ଚିତ ସୁପରହିଟ୍ ନାଟକ "ଉଛୁଳା ନଈର ମୁକୁଳା ସୁଅ" ଦେଖୁ ଦେଖୁ ଏହି ସଂଳାପଟି ମନକୁ ବେଶ୍ ପାଇଲା ବୋହୁ ସୁରଭିକୁ ।


ସ୍ଵାମୀ ଆର୍ମି ଆଫିସର ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରା ପୁଲବାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହେବାର ଦୁଇ ମାସ ବିତି ଯାଇଥିଲେ ବି ନିଜକୁ ସମ୍ଭାଳି ପାରୁ ନ ଥାନ୍ତି । ଲମ୍ବା ଛୁଟିରେ ଅଛନ୍ତି ବ୍ଳକ୍ ଅଫିସରୁ । ବୁଢୀ ଶାଶୁ-ମା' ୮୫ ବର୍ଷର ହୃଦରୋଗୀ । ପୁଅ-ଝିଅଙ୍କ ଆଗାମୀ ଭବିଷ୍ୟତ ଅନ୍ଧାରଗର୍ତ୍ତରେ । 


ସତେ ଯେମିତି ଏହି ସଂଳାପ କେଇପଦ ସଦ୍ୟ ବୈଧବ୍ୟ ଯନ୍ତ୍ରଣାରେ ଜର୍ଜରିତ ସୁରଭି ମ୍ୟାଡାମ୍ ଙ୍କୁ କମର ସଳଖିବାକୁ ଖୋରାକ୍ ଦେଇଦେଲା । ଦୁଇ ମାସର ଛାତିଥରା ଅନୁଶୋଚନା ସବୁକୁ ପୋଛି ପକେଇଲେ । ମନେ ମନେ ମନକୁ ବୁଝେଇ ସୁଝେଇ ଦେଲେ ଏବଂ ଦୁଇ ପିଲାଙ୍କ ପାଇଁ , ବୃଦ୍ଧା ଅସିତିପର ପାଚିଲା ପତର ଶାଶୁମା'ଙ୍କ ପାଇଁ ନିଜ ସହିତ ବୁଝାମଣା କରିନେଲେ ।


 କାଲି ଠୁଁ ମୁଁ ଅଫିସ ଯିବି ନଅରୁ ଚାରି । ମୋ ପାଇଁ ନୁହଁ , ମୋ ଭବିଷ୍ୟତ କ୍ୟାରିୟର ପାଇଁ ନୁହଁ , ଆଗାମୀ ପ୍ରମୋଶନ୍‌ ପାଇଁ ଆଦୌ ନୁହଁ , ବରଂ ଆମ ପିଲା- ପିଲିଙ୍କ ପାଇଁ , ଆମ ବବଲୁ-ବବଲି ପାଇଁ , ଆମ ରଶ୍ମୀରଞ୍ଜନ -ରଶ୍ନୀତାର ସୁନେଲି ଭବିଷ୍ୟତ ପାଇଁ । ମୋତେ ଚାକିରି କରିବାକୁ ପଡିବ , ରୋଜଗାର କରିବାକୁ ହେବ --- ଇତ୍ୟାଦି --- ଇତ୍ୟାଦି ।


ଏହି ସବୁ ଭାବନା ଭିତରେ ବୋହୁ ସୁରଭି କେତେ ବେଳେ ଶୋଇ ଯାଇଛି ସେ ବି ଜାଣି ପାରିନି । କେତେ ବେଳେ ସକାଳ ବି ହେଲାଣି ଜଣା ପଡିନି । ସତେ ଯେମିତି କାହାର କରାଘାତରେ , କାହାର ଗୁରୁଗମ୍ଭୀର ବଜ୍ରାନାଦରେ , କାହାର ଆର୍ମି କମାଣ୍ଡ ଭଳିଆ ରୋକ୍ ଠୋକ୍ ଡାକରେ ହଠାତ୍ ନିଦ ଭାଙ୍ଗିଗଲା ।


ପତି ପରମେଶ୍ଵର ରାମଚନ୍ଦ୍ର ଯେମିତି କହୁଥିଲେ , ତୁମେ ଉତ୍ତମ ଫଇସଲା ନେଇଛ ସୁରଭି , ତୁମେ ସର୍ବୋତ୍ତମ କଦମ୍ ନେବାକୁ ଯାଉଛ । ତୁମେ ପରା ଭାରତମାତାର ବୀର ସୈନିକ କମାଣ୍ଡର ବେହେରା ବାବୁଙ୍କ ଧର୍ମପତ୍ନୀ , ତୁମେ ପରା ଦେଶ ମାତୃକାର ଚରଣଦାସୀ ବୀରା ରମଣୀ । ଡରିବାର ନାହିଁ କି ପଛେଇବାର ନାହିଁ । ମୁଁ ମଣିଷ ରୂପରେ ସିନା ତୁମ ପାଖରେ ନାହିଁ , କିନ୍ତୁ ତୁମ ପାଖେ ପାଖେ ଛାୟା-ମାୟା ପରି , ତୁମ ଆବର୍ତ୍ତମାନରେ ସଦା ସର୍ବଦା ରହିଥିବି ଯଗିଥିବି । ବିପଦ-ଆପଦରେ ଚଟ୍ଟାଣ ପରି ଠିଆ ହୋଇ ଆମ ପରିବାରକୁ ରକ୍ଷା କରି ଆସୁଥିବି ।


ସୁରଭିର ମନରେ ସାତ ସିଂହୀର ବଳ ସତେ ଯେମିତି ଆତଯାତ ହେବାକୁ ଲାଗିଲା । ଶାଶୁ ମା'ଙ୍କୁ ତା' ନିଷ୍ପତ୍ତି ଶୁଣେଇଲା ପରେ ସେ ବି ସ୍ନେହରେ କୁଣ୍ଢେଇ ପକେଇଲେ କପାଳରେ ଚୁମାଟିଏ ଦେଲେ ।


 ହେ ଭଗବାନ ! ହେ ନୀଳାଦ୍ରୀଶ ! କେତେ ଦୁଃଖ ଆଉ ଦେଖେଇବୁ ମୋତେରେ କଳା ଠାକୁର । ବାଲ୍ୟ ବିଧବା କଲୁ, ସହିଗଲି କୋଡ଼ରେ ପୁଅକୁ ଦେଖି । ସେହି ଭେଣ୍ଡିଆ ପୁଅ ମରଣ ବି ମୋ ଆଖି ଦେଖିଲା । ମୋତେ ଆଗେ ଯମପୁରକୁ ନ ନେଇ କାହିଁକି କନ୍ଦେଇ ମାରୁଛୁରେ ବଳିୟାର ଭୁଜ । ଶାଶୁମା' ବାହୁନି ବାରେ ଲାଗିଗଲେ ।


ଘଣ୍ଟା କଣ୍ଡାରେ ଯେମିତି ଅସମ୍ଭବ ବଳ ଆସିଯାଇଥିଲା । ପୂରା ଦମ୍ ରେ ଦୈଡ଼ୁଥିଲା ପରି ଲାଗୁଥିଲା ବୋହୁ ସୁରଭିକୁ । ଗାଧୋଇ ପାଧୋଇ ସାରି ମୁଣ୍ଡ କୁଣ୍ଡେଇ ବାକୁ ଯେମିତି ଡ୍ରେସିଙ୍ଗ ଟେବୁଲ ଆଇନା ଆଗରେ ଛିଡା ହୋଇଛି , ପାଦ ତଳୁ ଭୂଇଁ ଯେମିତି ଅପସରି ଗଲା । 


କପାଳରେ ଟିକିଲି ନାହିଁ , କାନ - ନାକ- ବେଳ -ହାତ ଖାଲି ଖାଲି । ଧଳା ଶାଢୀ ରେ ଆବୃତା ରୋଗୀଣା ହାଡ଼କଣ୍ଟାର ଶରୀରକୁ ଦେଖୁ ଦେଖୁ ବେନି ଚର୍ମଚକ୍ଷୁରେ ଲୁହର ଶ୍ରାବଣ ନିର୍ଧୁମ ବର୍ଷିଗଲେ ଆପେ ଆପେ ଯେମିତି ଲଘୁଚାପଜନିତ ବର୍ଷାଟା କୂଳ ଛୁଇଁଲା ।


କାନ୍ଦୁରା ଆଖିରେ ଭାବୁଥିଲା ସୁରଭି - ସତରେ କେତେ ହତଦ୍ଭାଗିନୀ ଟାଏ । ଭାଗ୍ୟରେ ସ୍ୱାମୀ ସୁଖ ନାହିଁ । ଲମ୍ବା ଛୁଟିରେ ଘରକୁ ଆସିଲେ ସବୁ ବେଳେ କୁହନ୍ତି ଟିକେ ଷ୍ଟାଇଲିସ୍ ହୁଅ ଆଧୁନିକା ହୁଅ । ଟିକେ ସଜେଇ ମ6ଜଇ ମହକେଇ ଦିଅ । ବାଛି ବାଛି ନୂଆ ପ୍ରିଣ୍ଟର ନୂଆ ଡିଜାଇନର ରଙ୍ଗ ବେରଙ୍ଗର ଶାଢୀ ନିଜେ ବାଛି ଆଣିବେ ଦୋକାନରୁ, ପୁଣି ମ୍ୟାଚିଙ୍ଗ କାଳଫୁଲ, ଚୁଡି , ଟିକିଲି , ବଳା , ଆହୁରି କେତେ କ'ଣ ? ଆଉ ସରପ୍ରାଇଜ୍‌ କରି ବ୍ୟାଗ୍ ବଢେଇ ଦେବେ । କହିବେ ରାତିରେ ଭେଟ ହେବ । 


ଆଖି ବୋଲ ମାନିବାକୁ ନାରାଜ ଲାଗୁଥିଲା । ଗତ ୧୫ ବର୍ଷର ରଙ୍ଗରସ ଆଜି ସବୁ ଧୋଇ ଦେବାକୁ ଯେମିତି ପଣ କରିଛି । ସୁରଭିର ଜୀବନକୁ ରଙ୍ଗହୀନ ରଙ୍ଗବିହୀନ କରି ଛାଡିବ ।

ପାନ ଡବା ଖୋଜୁ ଖୋଜୁ ଘର ଭିତରକୁ ପଶି ଆସିଲେ ଶାଶୁମା' । ଲୋତକରେ ଆକ୍ରାମାକ୍ତା ବିଧବା ବୋହୁକୁ ଦର୍ପଣ ଆଗରେ ଦେଖି ସବୁ ବୁଝିଗଲେ । ଅନୁଭବି ପାଚିଲା ମଣିଷ । ମଥାରେ ସିନା ବାଳ କେତୋଟି ଧୋବ ଫରଫର ଅଲରା ଉତୁରି ଭଡ଼ୁଛି , ଅନ୍ତର ତଳେ ତ ବହୁଛି ସ୍ନେହ ମହ୍ଲାର । ସେ ବି ଅଶ୍ରୁ ଛଳ ଛଳ ମୁଦ୍ରାରେ ମୁଁହକୁ ପଣତକାନିରେ ଘୋଡେଇ ନେଇ ଆଢ଼େଇ ଗଲେ ।


ମନକୁ କ'ଣ ଆସିଲା କେଜାଣି, ପାଖ ଆଲମାରି ଖୋଲି ପକେଇଲେ ଖୋଜି ଅଣ୍ଡାଳି ପକେଇଲେ । ପୁଅ ରାମକୁ ଭଲ ଲାଗୁଥିବା ଗୋଟେ ସୁନ୍ଦର ଆକାଶିଆ ରଙ୍ଗର ଲମ୍ବା ଧଡ଼ିବାଲା ଶାଢୀ ବାହାର କଲେ ଶାଶୁମା' । ବୋହୁ ସୁରଭି ବେକରେ ପକଭ ପକଉ , ପିନ୍ଧି ଅଫିସ ଯିବାକୁ ହୁକୁମ ଦେଉ ଦେଉ କହୁଥିଲେ ---

'ମୋ' ପୁଅ ପରା ଅଫେରା ରାସ୍ତାର ପଥୀକ । ସେ ମରି ଯାଇଛି । ସେ ଆଉ ଫେରିବିନି । ଆଉ ମୁଁ ଯେବେ ତୋର ରଙ୍ଗହୀନ ବିଧବା ବେଶ ଦେଖିବି , ମୋ ପୁଅ ଦୁନିଆରେ ନାହିଁ ବୋଲି ବେଶି ଅନୁଭବ ହେବ ବୋହୁ । ମୋତେ ବେଶି କାନ୍ଦ ମାଡିବ । ମୁଁ ମରିଯିବି କେଇଟା ଦିନ ଭିତରେ ।


ମୋ କଥା ମାନି ନେ ବୋହୁ । କିଏ କ'ଣ କହିବ ସେ କଥାକୁ କାହିଁକି ଡରୁଛୁ ? ଲୋକଙ୍କ କାମ ହେଲା କହିବା । ମୁଁ ତୋ ମା' କହୁଛି । 


ବାହାଘର ପରେ ତୁ ଯେମିତି ସୁନାନାକୀ କଣ୍ଢେଇ ପରି ସଜେଇ ହୋଇ ଆମ ଏରୁଣ୍ଡି ବନ୍ଧ ଡେଉଁ ଆସିଥିଲୁ, ତୁ ଯେମିତି ଦୀର୍ଘ ୧୫ ବର୍ଷର ଘର ସଂସାରୀ ଭିତରେ ନୂଆବୋହୁ ପରି ପାଉଁଜର-ଚୁଡି- ଶଙ୍ଖାର ରୁଣୁଝୁଣୁ ଆବାଜରେ ଘର ଅଗଣାକୁ ମହକେଇ ରଖିଥିଲୁ, ସେମିତି ରହିବୁ ହସିବୁ ଖେଳିବୁ ଆଫିସବୁ ଯିବୁ ଆସିବୁ । 


ଭାବିଲୁ ବୋହୁ । ମୁଁ ଆଉ କେତେ ଦିନର ବାଟୋଇ । ହଳଦିଆ ପାକଲା ପତ୍ର I କେତେବେଳେ ଝଡି ପଡିବି ମୋତେ ବି ଜଣା ନାହିଁ । ବରଂ ମୋ ବୋହୁର ସଧବା ସଣ୍ଠଣା ଘରକରଣା ଭିତରେ ମୋ ପୁଅ ବଂଚିଥିବାର ଆଭାସ ପାଉଥିବି । ଆଉ କେଇ ବର୍ଷ ବଂଚି ଯିବି ବୋହୁ ଖୁସିରେ ଖୁସିରେ ।


ଶୁଣ ଶୁଣ ବେ ସମାଜର ବଡପଣ୍ଡା ମାନେ , ମୂରବୀ ଲାଟ୍ ସାହେବ ମାନେ ! କାନ ଖୋଲି ଶୁଣ ବେ ! ବେହେରା ବଂଶର କୂଳବୋହୁ ମୋ ରୋଜଗାରିଆ ବୋହୁ ସୁରଭି ବିଧବା ଦିଶିବନି , ରଙ୍ଗ ବିହୀନ ଧଳା ଶାଢୀ ପିନ୍ଧିବିନି, ସଧବା କୂଳ ଭୁଆଶୁଣିମାନଙ୍କ ପରି ଗଭାରେ ଗଜରା ଲଗେଇବ , ଶଙ୍ଖା-କତୁରି -ଚୁଡି-ଟିକିଲି-ଅଳତା ନାଇବ । ସ୍କୁଟି ଚଢି ଅଫିସ ଯିବ ଆସିବ । 


ମୋ ପୁଅ ତ ମରିଗଲା , ତା' ସହିତ ମୋ ବୋହୁ ବି ମରିବ - ପ୍ରାୟଶ୍ଚିତ କରିବ କାହିଁକି ? ମୋ ବୋହୁ ସୁରଭିର ଜୀବନ ଧମନୀରେ , ମନ-ଅସ୍ତିତ୍ୱରେ ମୋ ପୁଅ ରାମର ରଙ୍ଗ-ରସ-ଅଭ୍ୟାସ ସବୁଦିନ ପାଇଁ ଦୋଳି ଖେଳୁଥାଉ । ରଙ୍ଗହୀନ ଜୀବନ-ଦଣ୍ଡ ମୋ ବୋହୁ କାହିଁକି ପାଇବ ?


ଚୁପ୍ ଚୁପ୍ ! ସାଲା ବାଲାଙ୍ଗୀ ଲଗେଇବ ନା ଶଳେ ହାରାମଯାଦା ଦଳ --ବଳ- ସକଳ । 


କାନ୍ଧରେ ଉହଳିଥିବା ଶାଢୀକୁ ଛାଡି ସୁରଭି ଶାଶୁମା'ଙ୍କୁ ଯାବୋଡ଼ି ଧରିଲା ଭକ୍ତି ଶ୍ରଦ୍ଧା ସମ୍ମାନରେ । ଶାଶୁ-ବୋହୁଙ୍କ କାନ୍ଦଣା ଲହରୀ ଭିତରେ , ଦୁଇ ବିଧବାଙ୍କ ଧଳା ରଙ୍ଗର ଶାଢି ଆଢୁଆଳରେ ଆଜି ଭନ୍ଦ୍ରଧନୁର ସାତରଙ୍ଗ ଦୋଳି ଖେଳିବାକୁ ଉଦ୍ୟତ ଉଦ୍ୟମ ଆରମ୍ଭ କରୁ କରୁ ଲେଖିଦେଲା --- ଆକାଶେ କି ରଙ୍ଗ ଲାଗିଲା ?


Rate this content
Log in

Similar oriya story from Inspirational