Panchanan Jena

Abstract Inspirational

4  

Panchanan Jena

Abstract Inspirational

ପଙ୍କରୁ ପଙ୍କଜ

ପଙ୍କରୁ ପଙ୍କଜ

4 mins
222



ଲେଙ୍କା ବାବୁଙ୍କ ସହିତ କଥା ହେଉ ହେଉ ଆଜିର ପରିବାର ଓ ସଂସ୍କାର, ଆଚାର ଓ ବିଚାର ବିଷୟରେ ଏମିତି କିଛି କଥା ଶୁଣିଲେ କି ନବୋଦୟ ବିଦ୍ୟାଳୟ, ସରାଙ୍ଗର ଶିକ୍ଷକ ବିଶ୍ଵାଳ ବାବୁଙ୍କୁ ଆଦୌ ବିଶ୍ଵାସ ହେଉ ନ ଥିଲେ ବି ନିଚ୍ଛକ ଅଙ୍ଗେ ନିଭେଇବା କଥା ଶୁଣି ବେଶ୍ ଖୁସି ଓ ଆଶ୍ଚର୍ଯ୍ୟ ଲାଜିଥିଲା । 

ଲେଙ୍କା ବାବୁଙ୍କର ଢ଼େଙ୍କାନାଳ ସହରରେ ଗଣେଶ ବଜାରରେ ବହି ଦୋକାନ ଟେ ଅଛି । ଥରେ କେନ୍ଦ୍ରୀୟ ବିଦ୍ୟାଳୟର ଯୁନିଫର୍ମ ପିନ୍ଧି ଜଣେ ୧୦-୧୨ ବର୍ଷର ପୁଅଟେ ଦୋକାନକୁ ଆସିଲା ଓ ଗୋଟିଏ ରଙ୍ଗ ପ୍ୟାକେଟ୍, ରଙ୍ଗ ପେନସିଲ୍ ଇତ୍ୟାଦି ମାଗିଲା । ପଇସା ଦେବା ବଦଳରେ ହାତରେ ମୁଠେଇ ଦୌଡି ପଳେଇଲା। ଆଖି ପିଛୁଳାକେ କୁଆଡେ ଉଭାନ ହେଇଗଲା । 


ବହି ଦୋକାନର ଅନ୍ୟ କର୍ମଚାରୀ ମାନେ ବ୍ୟସ୍ତ ବିବ୍ରତ ହୋଇ ପିଲା ପଛରେ ଗୋଡ଼େଇ ଧରିବାକୁ ତତ୍ପର ହେବାର ଦେଖି ସ୍ୱୟଂ ଲେଙ୍କା ବାବୁ ଇଂଗିତରେ ବାରଣ କଲେ । ---"ବ୍ୟସ୍ତ ହୁଅନା । ପୁଅ ଟା ପାଖରେ ପଇସା ନାହିଁ ବୋଧେ । ଘରୁ ଆଣି ପରେ ଦେଇଦେବ ଦେଖିବ । କେଇଟା ଟଙ୍କା କି ? ମାତ୍ର ୩୭ ଟଙ୍କାର । ହଉ ଦେଖାଯାଉ କ'ଣ ହେଉଛି ।"


ଦୋକାନକୁ ସେହି ବୟସର ପିଲାମାନେ ମଧ୍ୟ ଆସନ୍ତି । ଦିନେ ସମୟ ସୁବିଧା ଦେଖି ଲେଙ୍କା ବାବୁ ରଙ୍ଗ ପ୍ୟାକେଟ୍ ଧରି ଧାଇଁ ପଳେଇଥିବା ପୁଅ ବିଷୟରେ ପଚାରନ୍ତେ ଏମିତି ଉତ୍ତର ପାଇଥିଲେ ।

--- ବୁଝିଲେ ଅଙ୍କଲ୍ ! ସେ ଆମରି କ୍ଲାସର ବିକାଶ । ବିକାଶ ମିଶ୍ର । ତାଙ୍କ ବାପା ତରୁଣ କାନ୍ତି ମିଶ୍ର ପୋଲିସ । ଭଲ ପାଠ ପଢେ । ସବୁଥିରେ ଏକ ନମ୍ବର । କିନ୍ତୁ ଘରୁ ସପୋଟ ମିଳେନି । ସିଏ ଖାତା , କଲମ , ପେନସିଲ୍‌ , ରବର ବି ଚୋରି କରିନିଏ ଆମ ବ୍ୟାଗରୁ । ମାଡ଼ ଖାଇ ଲାଣି କେତେ ଥର ।"


ଆସନ୍ତା କାଲି ଆମ ବିଦ୍ୟାଳମ୍ବରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ହେବ । ବିକାଶ ଲଲ ଛବି ଆଙ୍କେ । ଘରେ ରଙ୍ଗ ଡବା , ରଙ୍ଗ ତୂଳି ପାଇଁ ପଇସା ଦେଇ ନ ଥିବେ । ସେଥିପାଇଁ ସେ ଏ ସବୁ ଆପଣଙ୍କ ଦୋକାନରୁ କିଣିବାକୁ ଆସିଛି । ପଇସା ନ ଥିବାରୁ ବୋଧେ ଦଉଡି ପଳେଇ ଯାଇଛି । 


ସାଙ୍ଗ ପିଲା ମାନଙ୍କ ମୁଁହରୁ ଲେଙ୍କା ବାବୁ କଥା ତ ଶୁଣୁଥିଲେ ଛାତ୍ର ବିକାଶର, ମାତ୍ର ମନରେ ଉଁକି ଉଠୁଥିଲା ଢେଙ୍କାନାଳ ସହରର ବରିଷ୍ଠ ପୋଲିସ ଅଧିକରୀ ଶ୍ରୀଯୁକ୍ତ ତରୁଣକାନ୍ତି ମିଶ୍ରଙ୍କ ବଳିଷ୍ଠ ବ୍ୟକ୍ତିତ୍ଵ , ସୁଠାମ ଗୋରା ତକତକ ଚେହେରା , ବିରାଟ ତିନି ତାଲା ବିଶିଷ୍ଠ ଘର ରଥ ଗଡ଼ା ପାଖରେ । ଯାହା ଶୁଣାଯାଏ ମଦ୍ୟପାନରେ , ପାର୍ଟି ଫଙ୍କସନ୍ ରେ ହାତ ଖୋଲା ଖର୍ଚ୍ଚ କରନ୍ତି । ଭଲ ପୋଷାକ ପିନ୍ଧନ୍ତି , ଭଲ ଖାଇବା ପିଇବା । ହୋଣ୍ଡା ସିଟି ଚାରି ଚକିଆଟେ ଘରର ଶୋଭା ବର୍ଦ୍ଧନ କରେ । ତାଙ୍କ ପୁଅ ପୁଣି ଏମିତି ? ପୁଅର ପାଠପଢ଼ା ପାଇଁ ଏତେ ଭଦାସୀନତା ? ପୋଲିସ ଘରେ ଚୋର । କି ଅଘଟଣ କହିଲ ଦେଖି । କାହିଁ ମେଳ ଖାଉନି କିଛି ?


 ପରିବାର , ଘର , ଖାନଦାନି ଓ ଆଭିଜାତ୍ୟ ଗୋଟେ ପାଖରେ , ପୁଅ ବିକାଶର ନାହିଁ ନ ଥିବା ଆଚାର ବ୍ୟବହାର ଅନ୍ୟ ଦିଗରେ । ମନକୁ କେତେ ପ୍ରକାରେ ବୁଝେଇ ସୁଝେଇ ଆପୁଡେଇ ଚାଲିଥିଲେ ଲେଙ୍କା ବାବୁ , କିନ୍ତୁ ପରନ୍ତୁ ଅଧିକନ୍ତୁ ମନ ମାନୁ ନଥିଲା ଏମିତିକା ବେତୁକୀ ସଂସ୍କାର ପାଇଁ , ଏମିତିକା ଅଖାଡୁଆ ଚାଲି ଚଳଣ ପାଇଁ । ଯଦି ମିଶ୍ର ଘରିଆ ସଂଭ୍ରାନ୍ତ ବ୍ରାହ୍ମଣ ଘରର ପିଲାମାନେ ଏମିତି କୁସଂସ୍କାର ଓ ଖରାପ ଅଭ୍ୟାସର ବଶବର୍ତ୍ତୀ ହେବେ , କହିବା କାହାକୁ ? ଯଦି ପୋଲିସ ଅଧିକାରୀଙ୍କ ପୁଅ ଦୋକାନରୁ ଜିନିଷ ନେଇ ପଇସା ଦେବିନି , ମାରିବା ଆଗରୁ ଛୁ" ମନ୍ତର ମାରିବେ , କହିବା କାହାକୁ ? ନାଲିସ୍‌ କାହା ନାଁରେ କରିବା ?

ଏମିତି ଅନେକ ଅବାନ୍ତର ଅବାସ୍ତବ ପ୍ରଶ୍ନ ସବୁ ଲେଙ୍କା ବାବୁଙ୍କ ମନ ମସ୍ତିସ୍କକୁ କୋରି ସାରିଲେଣି । କିନ୍ତୁ --- ସମାଧାନର ବିନ୍ଦୁ ବିସର୍ଗ ଆସୁ ନ ଥାଏ , ମିଳୁ ନ ଥାଏ । କ"ଣ ହେବ ଏ ସମାଜର ? 

ଦୁଇ ଦିନ ପରେ ସଂଧ୍ୟା ବେଳେ ସେହି ବିକାଶ ମୁଣ୍ଡ ତଳକୁ କରି ଲେଙ୍କା ବହି ଦୋକାନରେ ଆସି ପହଞ୍ଚିଲା । ଚାଲିରେ ଗ୍ଲାନିର ସ୍ୱାକ୍ଷର । ଅପରାଧି ପରି ମୁଣ୍ଡ ନୁଆଁଇ ଲେଙ୍କା ବାବୁଙ୍କ ପାଖକୁ ଗଲା । ଛାତି ସାର୍ଟ ପକେଟରୁ କିଛି ବାହାର କରି ଲେଙ୍କା ବାବୁଙ୍କ ଆଡକୁ ବଢେଇ ଦେଲା ଥର ଥର ହାତରେ । ଦୋକାନର ଅନ୍ୟ କର୍ମଚାରୀ ମାନେ ଆଖି ତରାଟି ଏହି ଅଭାବନୀୟ ଦୃଶ୍ୟ ଉପଭୋଗ କରିବା ମୁଦ୍ରାରେ ।

 ଲେଙ୍କା ବାବୁ ଦେଖିଲେ ଶହେ ଟଙ୍କିଆ ନୋଟ ଖଣ୍ଡେ । ଛୋଟ କାଗଜ ଟୁକୁଡ଼ା ଟିଏ । ମୋଡି ମକଚି ଯାଇଅଛି । ଖୋଲିଲେ ଲେଙ୍କା ବାବୁ ଅତି ସନ୍ତର୍ପଣରେ । ସୁନ୍ଦର ମାଛ ମଞ୍ଜି ଅକ୍ଷରରେ କେଇ ଧାଡ଼ି ।

"" ସମ୍ମାନନୀୟ ଲେଙ୍କା ବାବୁ , ଏ ଅଧମ କୁ ନିଜ ହତଭାଗ୍ୟ ପୁତ୍ରମଣି ଭାବି କ୍ଷମା କରିଦେବେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରବଳ ଇଚ୍ଛା ହେଲା । କିନ୍ତୁ ଆବଶ୍ୟକୀୟ ଉପକରଣ କିଣିବା ଲାଗି ପଇସା ନ ମିଳିବାରୁ ମୁଁ ବାଧ୍ୟ ହୋଇ ଏମିତି ଗର୍ହିତ କାର୍ଯ୍ୟ କରି ପକେଇଲି । ମୁଁ ପ୍ରଥମ ପୁରସ୍କାର ପାଇଛି । ଆପଣଙ୍କ ଦୋକାନର ଜିନିଷ ମୋତେ ସ୍ଵତନ୍ତ୍ର ପରିଚୟ ଦେଇଛି ।ସେହି ଅର୍ଥରୁ ଆପଣଙ୍କ ବାକି ପଇସା କାଟି ନିଅନ୍ତୁ ଆଜ୍ଞା ।"

ଇତି , 

ଆପଣଙ୍କର ଦଣ୍ଡାଶୟୀ

ବିକାଶ ମିଶ୍ର ।"


ଲେଙ୍କା ବାବୁଙ୍କ ଆଖି କୋଣ ଛଳଛଳ କଳକଳ ଢଳଢଳ ହେଇ ଆସିଲା । ପୁଅ ବିକାଶକୁ ୧୦୦ ଟଙ୍କା ଫେରସ୍ତ ଦେଉ ଦେଉ ମଥାରେ ଡାହାଣ ହାତ ବୁଲେଇ ଆଣୁ ଆଣୁ କହୁଥିଲେ--- ତୋ" ପାଇଁ ଲେଙ୍କା ବହି ଦୋକାନର ଦ୍ଵାର ସବୁ ଦିନ ପାଇଁ ଖୋଲା ରହିଲା , ପୂରା ଠିଆ ମେଲା ରହିଲା , ମନଇଚ୍ଛା ତୁ ନେଇ ପାରିବୁ ବିନା ପଇସାରେ । ମନେ ରହିବ ଟି ! " 

ସମସ୍ତ ସମବେତ କ୍ରେତା ଜନତା ଓ କର୍ମଚାରୀ ବିକାଶର ପାହୁଣ୍ଡ ପରେ ପାହୁଣ୍ଡ ପକେଇ ପାହାଚ ପରେ ପାହାଡ଼ ଓଲ୍ଲେଇବାର କଳା ଓ କୌଶଳକୁ ନୟନ ବିସ୍ଫାରିତ ଢଙ୍ଗରେ ଅବଲୋକନ ଅବଲେହନ କରି ଚାଲିଥିଲେ ଯେମିତି ଆଜି କିଛି ଅପୂର୍ବ ଅନିର୍ବଚନୀୟ ନାଟକର ଶେଷ ଦୃଶ୍ୟ ସମାପ୍ତ ହେଉଥିଲା ନିରବ ନୀଥର ମୁଦ୍ରାରେ ।


Rate this content
Log in

Similar oriya story from Abstract