ମନ୍ତ୍ର ଭକ୍ତି
ମନ୍ତ୍ର ଭକ୍ତି
ଚିଲ ମାଇଁଙ୍କର ଦୁଃଖଦ ୧୧ ଦିନ ଆଜି । ଦୀର୍ଘ ସାତ ଆଠ ବର୍ଷର ଗୋଡ଼ଭଙ୍ଗା ଚଟୁଆ ଖସିଯିବା ଜନିତ ଅଚଳ ଅବସ୍ଥା ଘୁଷୁରା ନୁସୁରା ପରେ ଦଶ ଦିନ ପୂର୍ବରୁ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ୯୦ ବୟସରେ ।ତାଙ୍କ ଗାଁ ଡାଙ୍ଗପିଟାରେ ଆଜି ଗହଳ ଚହଳ ସକାଳ ପହରୁ । ସାନ ପୁଅ ଗାଣ୍ଡୁଆ ମାମୁଁ ମୁଖାଗ୍ନି ଦେଇଛନ୍ତି । ତେଣୁ ଧୋବ ଫରଫର ଧୋତି ଗଞ୍ଜି ପିନ୍ଧି ଅଣ୍ଟାରେ ନାଲି ଗାମୁଛା ବାନ୍ଧି ପୂଜା ଆସ୍ଥାନ ନିକଟରେ ବରାଦ ବ୍ୟବସ୍ଥା ବୁଝୁଥାନ୍ତି ତଦାରଖ କରୁଥାନ୍ତି ।
ଦିନ ୯ଟା ବେଳକୁ କୂଳ ପୁରୋହିତ ପାଗଲା ନନା ଆସି ଆସ୍ଥାନ ସମ୍ଭାଳୁ ସମ୍ଭାଳୁ କର୍ମକାଣ୍ଡ ଶୁଦ୍ଧିକ୍ରୀୟାର ସମସ୍ତ ଭୋଗ ରାଗ ପଞ୍ଚପୁଷ୍ପ ପଞ୍ଚପଲ୍ଲବ ପଞ୍ଚଗବ୍ୟ ଦୁବ ବରକୋଳିପତ୍ର ଗଙ୍ଗାଜଳ କଳସୀ ଗାମୁଛା ସୁପାରୀ ଅକ୍ଷତ ଖୁଚୁରା ପଇସା କଦଳୀ ପତ୍ର ଇତ୍ୟାଦି ସଜାଡୁ ସଜାଡୁ କର୍କଶ ବଜ୍ର ଗମ୍ଭୀର କଣ୍ଠରୁ ବୈଦିକମନ୍ତ୍ରର ଗୁରୁଗମ୍ଭୀର ଧ୍ବନି ପୂରା ପରିବେଶକୁ ମନ୍ତ୍ରାକ୍ରାନ୍ତ ତଥା ପବିତ୍ରରୁ ପବିତ୍ରତମ ଆୟୋଜନରେ ଅନୁରଣିତ କରୁଥିଲା ।
ନନାଙ୍କ ମୁଖାରବିନ୍ଦରୁ ସ୍ନାନମନ୍ତ୍ରଟି ଏମିତି ଉଚ୍ଚରିତ ହେଲା ----- -----
"ଗଙ୍ଗେ ଚ ଯମୁନେ ଚୈଵ
ଗୋଦାବରୀ ସରସ୍ଵତୀ
ନିର୍ମଦେ ତାପ୍ତି କାବେରୀ
ଜଳେ ଅସ୍ମିନ୍ ସନ୍ନିଧିମ୍ କୁରୁ ।'"
ସମବେତ ଲଣ୍ଡିତମସ୍ତକ ଗଙ୍ଗାକୂଳିଆ, କେଇ ଡଜନ ଘାଟିଆ , ଗଙ୍ଗା ଘାଟିଆ ଭଣଜା, ଅନେକ ବୃଦ୍ଧ ବୟୋଜେଷ୍ଠ ବନ୍ଧୁ ବାନ୍ଧବମାନେ ନାସିକା କୁଞ୍ଚନ ଏପଟ ସେପଟ ଚାହାଁ ମୁହାଁ ହେଲେ । ତ୍ରିକାଳଦର୍ଶୀ ସଂସ୍କୃତବର୍ଷୀ ଜ୍ଞାନି ବାଗ୍ମୀ ପଣ୍ଡିତେ ପାଗଲା ନାନା । ଖଣ୍ଡମଣ୍ଡଳରେ ଜଣେ ପ୍ରସିଦ୍ଧ ପ୍ରବଚନକାରୀ ରାମାୟଣ ପାରାୟଣ ବ୍ୟାଖ୍ୟାକାରୀ । ଜଗନ୍ନାଥ ସଂସ୍କୃତି ବିଶାରଦ ତଥା ଘଣ୍ଟା ଘଣ୍ଟା ଧରି ଶାସ୍ତ୍ର ପୁରାଣ ଗୀତା ସଂହିତା ମାଳିକା ଇତ୍ୟାଦି ଉପରେ ଚୁମ୍ବକୀୟ ତଥ୍ୟଭିତ୍ତିକ ଉକ୍ତି ଶ୍ଳୋକ ଲୋକକଥା ଉଦ୍ଧାର କରି ବିଜ୍ଞାନ ସମ୍ମତ ମୁଦ୍ରାରେ ଶ୍ରୋତା ମଣ୍ଡଳୀଙ୍କୁ ବାନ୍ଧି ରଖି ପାରନ୍ତି ଘଣ୍ଟା କଣ୍ଟାର ଇଷତ୍ ଇଶାରାକୁ ବେଖାତିର କରି । ଶାଣିତ ତଥା କୋମଳ ବଚନ ର ମାୟାଜାଲରେ ମୋହ କରି ପକାନ୍ତି ଶ୍ରୋତା ମଣ୍ଡଳୀଙ୍କୁ ।
"ନନା କେମିତି ମନ୍ତ୍ରରେ ଭୂଲ ଉଚ୍ଚାରଣ କରିପାରିବେ ! କେବେ ନୁହଁ --- ଆପଣ ମାନଙ୍କ କାନ ଭୂଲ ଶୁଣିଥାଇ ପାରେ ।--- ମହାନ୍ତି ଘରର ବଡ଼ ଜ୍ବାଇଁ ବଡ଼ ପିଉଷାବାବୁ ଅଭିଳାଷ ମହାନ୍ତି ଅନ୍ୟ ମାନଙ୍କ କାନ ମୂଳରେ ଫୁସ୍ ଫାସ୍ କହୁଥିଲେ ।
" ତୁମେ ଏମିତି ବାର ଚାଉଳିଆ କଥା ଶ୍ରୀତୁଣ୍ଡରେ ନନାଙ୍କ ବିରୁଦ୍ଧରେ ଧରୁଛ । ତୁମ ଜିଭ ଆଉଡୁଛି କେମିତି ? "--- --- ଗାଁ ର ମୁଖିଆ ରବୀନ୍ଦ୍ର ବିଶ୍ଵାଳ ବାବୁ ବି ରାହା ଧରିଲେ ।
ଗୋପା ମାମୁଁ ଆଗକୁ ଆସି ଏମିତି କିଛି କହିଲେ ----
" ଓ ହୋ ଭାଇମାନେ ! ମତିଭ୍ରମ ହେଲାଣି ବୋଧେ । କାନ ଡାକ୍ତରଙ୍କୁ କାଳିପଦାରେ କେ.ବି.ଆର.ରେ ଦେଖାଅ ଆଗ । ବୁଝିଲ ଟି । ଇ.ଏନ.ଟି ସ୍ପେଶିୟାଲିଷ୍ଟ ସାର୍ ପ୍ରତି ଶନିବାରରେ ଆମ୍ରୀ ହସପିଟାଲ ଭୂବନେଶ୍ଵରରୁ ଆସନ୍ତି । ପାଗଲା ନାନା ଦେବତୁଲ୍ୟ ପୂଜାରୀ ପ୍ରତିମ । ଭଗବାନଙ୍କ ପାଖ ଲୋକ । ତାଙ୍କ ଭଳି ଜ୍ଞାନି ଗୁଣୀ ଲୋକ ଏ ଖଣ୍ଡ ମଣ୍ଡଳରେ ପଞ୍ଚୁପାଲି ରୁ ଯାମକୁଣ୍ଢାଯାଏ ମାତ୍ର ଗୋଟିଏ ବି ନାହିଁ । ଆମର ଆଜି ସୌଭାଗ୍ୟର ଦିନ । ନନା ଆମ ଘରର କୂଳ ପୋରହିତ । ପଣ୍ଡା ଘର କେତେ କାଳରୁ ଆମର ଯନମାନ । ତୁମେ ଗୋଟେ ବାଲାଙ୍ଗୀ ଚଲେଇଛ କଣ ନା ନନା ମନ୍ତ୍ର ଭୂଲ ପଢୁଛନ୍ତି । ଧେତ୍ । ଚୁପ୍ ରୁହ । ତୁନି ରହୁନ ।
ଚାପା ଗୁଞ୍ଜରଣ ଖେଳିଗଲା ଉପସ୍ଥିତ ଟେଣ୍ଟ ତଳେ ନାଲି ଚୌକିରେ ବସିଥିବା ଶହ ଶହ ଲୋକମାନଙ୍କ ମଧ୍ୟରେ । ନନା ଭୂଲ ମନ୍ତ୍ର ଉଚ୍ଚାରଣ କରିଦେଲେ । ଶ୍ରାଦ୍ଧକର୍ମ ଶୁଦ୍ଧିକ୍ରୀୟା ଅପବିତ୍ର ହୋଇଗଲା । ପାଗଲା ନନା ଭଳିଆ କର୍ମକାଣ୍ଡିଆ ବ୍ରାହ୍ମଣ ପୁଙ୍ଗବ ପୁଣି ଏମିତି ଭୂଲ ଭଟକା ନିଜ ଅଜାଣତରେ କହି ଦେଲେ କି ? କହୁ କହୁ ଜିଭରୁ ମନ୍ତ୍ରଟି ଖସରି ଗଲା କି ? ନନାଟା ଆମର ଟିକିଏ ବେଶି ତୁରୁତୁରିଆ ହରଵରିଆ । ହାତ ଓ ପାଟି ମଧ୍ୟରେ ପ୍ରାୟ ସନ୍ତୁଳନ ରହୁନି ଆଜି କାଲି ଉତ୍ତରଣ ବୟସରେ ବା ଗରମ ଗୁଳୁଗୁଳିରେ । ଜ୍ଞାନଗାରିମାରେ ଟିକିଏ ଏଣ୍ଡ ଦୋଷ ନନାଙ୍କର ଟିକିଏ ଅହଁକାରୀ ଗୁଣ ହୀରାରେ ସ୍ଫଟିକ ପରି ବାହାରି ପଡ଼ୁଛି ପ୍ରାୟ ।
ଏମିତି କିମ୍ଭୁତ କିମ୍ଭାକାର କପୋଥ କଥନ
ପାଗଲା ନାନା କାନକୁ ଯିବା ପୂର୍ବରୁ ସେ ଅନୁମାନ କରିନେଲେ । ସେ ପ୍ରକାଣ୍ଡ ଜ୍ଞାନି ବ୍ୟକ୍ତି , ପ୍ରଚଣ୍ଡ ଧିଶକ୍ତି ଧାରଣ ଧାରୀ ଚିତା ଚୈତନ ଶୁକ୍ଳ ବସ୍ତ୍ର ପରିଧାନ ପ୍ରସାରି । ଲଫାଫା ଶୁଙ୍ଗି ଭିତରେ ଲୁଚିଥିବା ଗୁପ୍ତ ଶୁପ୍ତ ରହସ୍ୟ କହି ପାରିବା ଲୋକ । ମଣିଷ ତିଆରି କରିବା ଲୋକ। ଭଡୁଥିବା ପକ୍ଷୀର ପର ଗଣିବା ଚାଲାକ ଚତୁର ଲୋକ । ତେଣୁ ସେ ପରିସ୍ଥିତିର ଗୁରୁତ୍ଵ ବୁଝିପାରିଲେ ।
ନିଜ ଆଡୁ ନିଜ ତରଫରୁ ଜନତା ଜନାର୍ଦ୍ଦନଙ୍କୁ ସଂବୋଧନ କରି କହି ବସିଲେ --- ହଇ ହୋ ଭଦ୍ରେ! ମଉସା ମାଉସୀ ମାନେ ,ଭାଇ ଭଉଣୀମାନେ । ମୁଁ ସିନ୍ଧୁ ବଦଳରେ ତାପ୍ତି କାହିଁକି ମନ୍ତ୍ରରେ କହିଲି ? ଏହି କଥା ପାଇଁ ବୋଧହୁଏ ଆପଣମାନଙ୍କ ମଧ୍ୟରେ ଚାପା ଉତ୍ତେଜନା ଖେଳିଯାଇଛି ।
ବନ୍ଧୁଗଣ ! ଆପଣମାନଙ୍କ ଗୋଚରାର୍ଥ ନିମିତ୍ତ ମୁଁ କିଛି କହୁଛି ଆଜିର ସମୟକୁ ନେଇ , ବର୍ତ୍ତମାନରେ ଆବର୍ତ୍ତମାନ ପୃଷ୍ଠଭୂମୀକୁ ନେଇ । ମୋର ତର୍କ ଓ ଯୁକ୍ତିକୁ ଧ୍ୟାନ ପୂର୍ବକ ଶ୍ରବଣ କରିବେ , ଅନ୍ତକରଣରେ ତର୍ଜମା କରିବେ , ବିବେକ ଦ୍ଵାରା ଅନୁମୋଦନ କରିବେ , ଜ୍ଞାନର ପରିଭାଷା ଦ୍ଵାରା ପରିମାର୍ଜିତ କରିବେ ବୋଲି ଏ ଅଧମ ବ୍ରାହ୍ମଣର ଯୋଡହସ୍ତ ଆବେଦନ ।
ବେଦରୁ ଉଦ୍ଧୃତ ସ୍ନାନ ମନ୍ତ୍ରଟି ଏହିପରି ।
" ଗଙ୍ଗେ ଚ ଯମୁନେ ଚୈଵ
ଗୋଦାବରୀ ସରସ୍ଵତୀ
ନର୍ମଦେ ସିନ୍ଧୁ କାବେରୀ
ଜଳେ ଅସ୍ମିନ୍ ସନ୍ନିଧିମ୍ କୁରୁ ।"
କରତାଳିରେ ଚିଲ ମାଇଁର ଶୁଦ୍ଧିକ୍ରୀୟାସ୍ଥଳ କଂପି ଉଠିଲା । ଅନ୍ୟ କାମରେ ବ୍ୟସ୍ତ , ରୋଷେଇ ପରିବା କଟାରେ ତ୍ରସ୍ତ , ଅନେକ ଦିନର ଅକୁହା କଥା ପ୍ରୀୟଜନଙ୍କୁ ଦେଖି ଆଖି ଆଗରେ ରଖି ମସ୍ତ ମହିଳାମାନେ ବି ସବୁ ଆସର ଅଭିସାର ଭଙ୍ଗ କରି ଆସ୍ଥାନ ଜମେଇ ଦେଲେଣି ପାଗଲା ନାନାର ପାଚିଲା ତଥା ଚୁଗୁଲିଆ ବଗୁଲିଆ କଥା କେଇପଦ ଶୁଣିବାକୁ ।
କିନ୍ତୁ ମୁଁ ଜାଣି ଜାଣି ଏହି ପବିତ୍ର ସ୍ନାନ ମନ୍ତ୍ରଟିକୁ ଏମିତି ପଢିଲି ----
"ଗଙ୍ଗେ ଚ ଯମୁନେ ଚୈଵ
ଗୋଦାବରୀ ସରସ୍ଵତୀ
ନର୍ମଦେ ତାପ୍ତି କାବେରୀ
ଜଳେ ଅସ୍ମିନ୍ ସନ୍ନିଧ୍ଯମ୍ କୁରୁ ।"
ମୋର ଧୃଷ୍ଟତା ଏତିକି ଯେ ମୁଁ ମାତ୍ର ଗୋଟିଏ ଶବ୍ଦ ବଦଳେଇ ଦେଉଛି ଜାଣିଶୁଣି କରି । ଗୋଟିଏ ନଦୀର ନାମ ସିନ୍ଧୁ ପରିବର୍ତ୍ତେ ତାପ୍ତି ବ୍ୟବହାର କରିଛି ବର୍ତ୍ତମାନ 2023 ପରିସ୍ଥିତି ଅନୁଯାୟୀ । ଏବଂ ଏହି ଆଶୁ ପରିବର୍ତ୍ତନ ଶ୍ରବଣ ମାତ୍ରକେ ଆପଣମାନେ ନାସିକା ଜୁଞ୍ଚନ ବା ଟୁପୁରୁ ଟାପର ଆରମ୍ଭ କରି ଦେଇଛନ୍ତି ।
ସ୍ଵାଭାବିକ ପ୍ରତିକ୍ରୀୟା ଆପଣ ମାନେ ଫୁଟେଇ ଛନ୍ତି । ଆପଣ ମାନଙ୍କୁ ହାତ ଯୋଡି ନମସ୍କାର କରୁଛି କି ଆପଣମାନେ ସେହି ଅତୀତ ଜମ୍ବୁଦୀପର ସଚ୍ଚା ଦାୟାଦ ପ୍ରବୃଦ୍ଧ ଉତ୍ତରସୁରୀ । ସେହି ଅନନ୍ତ ଅତୀତ ବଂଶୀୟାନ ବଂଶଧର ମାନଙ୍କର ପଦାଙ୍କ ଅନୁସରଣ କରି ଚାଲିଛନ୍ତି ଦମ୍ଭରେ ଗର୍ବରେ । ଅନେକ ଅନେକ ସାଧୁବାଦ ଜଣାଉଛି ସଭିଙ୍କୁ ସମସ୍ତ ସମବେତ ମା' ମାଉସୀ ଭଉଣୀ ମାନଙ୍କୁ , ପିଲା ଛୁଆ ଆବାଳ ବୃଦ୍ଧ ବନିତାଙ୍କୁ ।
କଥାର ମୂଳ ବିନ୍ଦୁ ଟି ହେଲା ସିନ୍ଧୁ ବଦଳରେ ତାପ୍ତି , ସିନ୍ଧୁ ନଦୀ କୁ ଛାଡି ତାପ୍ତି ନଦୀ କୁ ମୁଁ କାହିଁକି ଗ୍ରହଣ ଗଲି । ବୋଧହୁଏ ଠିକ୍ ଧରିଛନ୍ତି । ମୂଳ ଗେଣ୍ଡୁ ହେଲା ଏଇଟା ।
ଆପଣମାନେ ସବୁ ବିଦିତ ଥିବେ ଯେ ସିନ୍ଧୁନଦୀର ଉତ୍ପତ୍ତି ମାନସରୋବର ହ୍ରଦରୁ ଯାହାକି ତିବ୍ବତ ପ୍ରଖଣ୍ଡରେ ଚୀନ ଦେଶରେ । ସେହି ସିନ୍ଧୁ ନଦୀର ଶେଷ ତ୍ରିକୋଣଭୂମୀ ସ୍ଥଳ ହେଲା କରାଚି , ଆରବସାଗର ଯାହାକି ପାକିସ୍ଥାନ ଦେଶରେ । ପୂରା ଲମ୍ବାଇ ଉତ୍ପତ୍ତିରୁ ପରିସମାପ୍ତି ମଧ୍ୟରେ ହେଲା ୩୧୮୦ କି.ମି. । ଭାରତରେ କେବଳ ୭୧୦ କି.ମି. ଯାହାକି ବର୍ତ୍ତମାନ ପାକ୍ ଆକୁପାଏଡ କାଶ୍ମିର ରେ । ଅର୍ଥାତ୍ ପାକିସ୍ଥାନ କରାୟତ୍ତରେ । କହିବାର କଥା ଯେଉଁ ନଦୀ ଭାରତରେ ନାହିଁ , ସେହି ନଦୀର ନାମ ରେ କେମିତି ବା ଆମେ ଶୁଦ୍ଧି ହେବା , ପବିତ୍ର ହେବା , ଘିଅ ମହୁ ପାଇ ପୂର୍ବପୁରୁଷଙ୍କୁ ଉଦ୍ଧାର କରିବା ? କହିଲେ ଆପଣମାନେ ସମବେତ ସୁଧୀଜନେ ?
ପୁଣି ତର୍କ ଉଠିବ ! ବେଦରେ ଥିବା ମନ୍ତ୍ରରେ ସିନ୍ଧୁ ନଦୀର ନାମ ଭୂଲରେ ଲିପିବଦ୍ଧ ଥିଲା କି ? ନାଁ -- କଦାପି ନୁହଁ -- କୁତ୍ରାପି ନୁହେଁ । କେବେ ବି ନୁହଁ । ବେଦ ରଚୟୀତା ଯୋଗୀ ରୂଷି ମାହା ମନୀଷୀମାନଙ୍କୁ ଦଣ୍ଡବତ । ସେମାନେ ସଭ୍ୟତାର ଆରମ୍ଭରେ ଯାହା ଦେଖିଛନ୍ତି ତାହା ଲେଖିଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ୍ୟ ।
ମନେ ପକାନ୍ତୁ ସୁଧିଜନେ ବିଚାରକ ମଣ୍ଡଳୀ । ସିନ୍ଧୁନଦୀ କୂଳରେ ପରା ହରପ୍ପା - ମହେଞ୍ଜୋଦାରୋ ପ୍ରାଚୀନ ନଦୀଘାଟୀ ସଭ୍ୟତା ଗଢିଉଠିଥିଲା ପ୍ରାଚୀନ ଯୁଗରେ ଖ୍ରୀଷ୍ଟପୂର୍ବ ୧୫୦୦ ରୁ ୨୬୦୦ ମଧ୍ୟରେ ଅନୁମାନ କରାଯାଏ । ସମକାଳୀନ ସମୟରେ ମେସୋପଟାମିଆ ସଭ୍ୟତା ଆଜିର ଇରାକ୍ କରାନର ନଦୀ ଟାଇଗ୍ରୀସ -ଇଉଫ୍ରେଟେସ୍ କୂଳରେ ବି ମୁଣ୍ଡ ଟେକିଥିଲା । ଖାଲି ସେତିକି ନୁହଁ । ଆଜିର ଆଫ୍ରିକୀୟ ଦେଶ ଇଜିପ୍ଟରେ ମିଶ୍ର ସତ୍ୟତା ଦୁନିଆର ସବୁଠାରୁ ଲମ୍ବା ନଦୀ ନାଇଲ୍ କୂଳରେ ଓ ଚୀନ ସତ୍ୟତା ହୁଆଙ୍ଗ-ହୋ କୂଳରେ ଗଢି ଉଠିଥିଲା ସେହି ପ୍ରାଚୀନ ଯୁଗରେ ଅନ୍ଧାରୀ ସମୟରେ । ଗୁଗୁଲ୍ ଗୁରୁଙ୍କ ଠାରୁ ମଧ୍ୟ ଜାଣିପାରିବେ । ଭକିପିଡ଼ିଆ ମଧ୍ୟ ଚେକ୍ କରିପାରିବେ ।
ସୁଧି ଶ୍ରୋତାରଣ । ଆପଣମାନେ ଜାଣି ବହୁତ ଖୁସି ହେବେ ଯେ ସେହି ସିନ୍ଧୁ ନଦୀର ନାମ ବେଦରେ ୧୭୬ ବାର ଉଲ୍ଲେଖ ରହିଛି । ଅପରନ୍ତୁ ଆମ ପ୍ରୀୟଦେଶ ଆମ ସମସ୍ତଙ୍କର ଜନ୍ମଭୂମୀ ଭାରତର ନାମ ଇଣ୍ଡିଆ ସେହି ସିନ୍ଧୁ ଶବ୍ଦରୁ ଆଗତ । ଗ୍ରୀକ୍ ମାନେ ସିନ୍ଧୁ ନଦୀ କୁ ଇଣ୍ଡାସ୍ ଉଚ୍ଚାରଣ କଲେ ଓ ଇଣ୍ଡାସ୍ ନଦୀ କୂଳରେ ଅବସ୍ଥିତ ଦେଶକୁ ଇଣ୍ଡିଆ କହିଲେ - ଇଣ୍ଡିଆର ଲୋକଙ୍କୁ ଇଣ୍ଡୁ ବା ହିନ୍ଦୁ କହିଲେ । ସେତେବେଳେ ଆମ ଦେଶ ଏକ ଉପମହାଦେଶ ରୂପେ ପଶ୍ଚିମରେ କାବୁଲ-କାନ୍ଦାହାର (ଆଫଗାନିସ୍ଥାନ ) ଠାରୁ ପୂର୍ବରେ ଜାଭା-ସୁମାତ୍ରା-ମାଳୟ ( ଇଣ୍ଡୋନେସିଆ ) ପର୍ଯ୍ୟନ୍ତ, ଭତ୍ତରରେ ହିମାଳୟ ଠାରୁ କନ୍ୟାଭମାରୀ ଯାଏଁ ବ୍ୟାପିଥିଲା । ମହାକବି କାଳିଦାସ ତାଙ୍କ ବିଶ୍ଵ ବିଖ୍ୟାତ ପୁସ୍ତକ କୁମାରସମ୍ଭବମ଼ରେ ଉଲ୍ଲେଖ କରିଛନ୍ତି ---
ଅସ୍ତିତ୍ତରସାମ୍ ଦିଶି ଦେବତାତ୍ମା ହିମାଳୟ ନାମ ନଗାଧୀରାଜ8
ପୂର୍ବାପରୌ ତୋୟନିଧୀ ବିଗ୍ରାହ୍ଯ ସ୍ଥିତଃ ପୃଥିବ୍ୟା ଇବ ମାନଦଣ୍ଡ8 ।
ଆମ ଦେଶର ମହିମା ମଣ୍ଡିତ ବୈଦିକ ପଣ୍ଡିତମାନେ , ମୌର୍ଯ୍ୟ- କୁଶାଣ- ଗୁପ୍ତବଂଶୀୟ ରାଜା ମହାରାଜା ଗଜପତି ଛତ୍ରପତି ସମ୍ରାଟମାନେ ପୂରା ଦେଶକୁ ଏକତାର ରଜ୍ଜୁରେ ବାନ୍ଧି ଲୋକମାନଙ୍କ ମଧ୍ୟରେ ଜାତୀୟତା ବା ଭାରତୀୟତାର ବିଜ ବପନ କରିଥିଲେ । ତେଣୁ ସେହି ପଶ୍ଚିମ ପଟର ଅଞ୍ଚଳମାନଙ୍କ ପାଇଁ ଦେଶ ମାନଙ୍କ ପାଇଁ ସିନ୍ଧୁନଦୀ ସ୍ୱର୍ଣ୍ଣଗର୍ଭା ଥିଲା । ତେଣୁ ବେଦ କାରମାନେ ସିନ୍ଧୁନଦୀକୁ ସ୍ନାନସୂତ୍ରରେ ଆବଦ୍ଧ କରିଥିଲେ । ଯଥାର୍ଥତା ବି ରହିଥିଲା ସେ ସମୟରେ ।
କିନ୍ତୁ ଆଜିର ଦିନରେ ସେହି ସିନ୍ଧୁ ନଦୀ ପାକିସ୍ଥାନରେ ମୂଖ୍ୟତ ପ୍ରବାହିତ । ସେହି ସିନ୍ଧୁ ନଦୀର ପାଣି ପିଇ, ସେହି ସିନ୍ଧୁ ନଦୀର ଉର୍ବର ପଟୁ ମାଟିରେ ଫଳୁଥିବା ଖାଦ୍ୟଶସ୍ୟ ଖାଇ ବଳୁଆ ହୋଇ ଆମ ଦେଶକୁ ସନ୍ତାସବାଦୀ ହୋଇ ଲୁଚି ଛପି ଆସୁଛନ୍ତି ଓ ଭୂସ୍ୱର୍ଗ ଜାମ୍ମୁ କାଶ୍ଚିର କୁ ରକ୍ତ ରଞ୍ଜିତ କରିଚାଲିଛନ୍ତି ଗୁଳି ଗୁଳା ବମ୍ ଧମାକାରେ , କେତେ ପୁଲିସ ଯବାନ ମାନଙ୍କୁ ସହିଦ୍ କରୁଛନ୍ତି, କେତେ ମା-ବାପାଙ୍କୁ ପୁତ୍ର ଛେଉଣ୍ଡ ତଥା କେତେ ସଧବା କୂଳବଧୁମାନଙ୍କୁ ବିଧବା ସଜଉଛନ୍ତି ନିତି ପ୍ରତିଦିନ ? ଦୈନିକ ଏଭଳି ନରସଂହାର ସମ୍ବାଦପତ୍ର - ଦୂରଦର୍ଶନ -ସାମାଜିକ ଗଣମାଧ୍ୟମର ପୃଷ୍ଠା ଆବୋରି ରହୁଛି । ଆପଣ ମାନେ କୁହନ୍ତୁ । ଆପଣମାନଙ୍କର ରକ୍ତରେ ବାମ୍ଫ ବାହାରୁଥିବ ନିଶ୍ଚୟ ରାଗରେ କୋହରେ ଦୁଃଖରେ କ୍ରୋଧରେ । ଭାରତର ଜାତୀୟ ପତାକା ତ୍ରିରଙ୍ଗା ରେ ଘୋଡେଇ ହୋଇ ଭାରତ ମା'ର ବୀର ସନ୍ତାନ ସହୀଦ ହୋଇ ସେହି ସିନ୍ଧୁନଦୀକୂଳର ସନ୍ତ।ସବାଦୀର ଆତ୍ମଘାତୀ ବିସ୍ଫୋରଣ ଓ ଆକ୍ରମଣରେ ଗାଁ ଶ୍ମଶାନରେ ପହଞ୍ଚେ ଓ୧୬ ତୋପ ସଲାମୀରେ ଶେଷକୁତ୍ୟ ସଂପନ୍ନ ହୁଏ , ଆପଣ ମାନଙ୍କର ପ୍ରତିକ୍ରୀୟା କ'ଣ ହୁଏ କହି ପାରିବିନି ? ୫୮ ବର୍ଷିଆ ୫୨ କେଜିଆ ପତଳା ନହନହକା ଫଡଙ୍ଗା ବ୍ରାହ୍ମଣ ଦେହରେ ସଇତାନ୍ ସବାର ହୋଇଯାଏ । କ୍ରୋଧରେ ଅଗ୍ନିଶର୍ମା ପାଲଟି ଯାଏ ମୁଁ । କ'ଣ ବା କରି ପାରିବ ଏ ଛାର ପୂଜକ । ତେଣୁ ମନ୍ତ୍ରଶକ୍ତି ମାଧ୍ୟମରେ ଦେଶଭକ୍ତି ଦେଖେଇବାକୁ ଯାଇ ମୁଁ ଏପରି କରିଅଛି । ମନ୍ତ୍ରରେ ଅଳ୍ପ ଟିକିଏ ପରିବର୍ତ୍ତନ କରି ମନ୍ତ୍ରଭକ୍ତି ମାଧ୍ୟମରେ ସେହି ଅଗଣିତ ବୀର ସହୀଦ ମାନଙ୍କ ପାଇଁ ମୋର ଉତ୍ସର୍ଗୀକୃତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଅଛି ।
ସେତେବେଳେ ସିନ୍ଧୁ ନଦୀ ଆମ ବିଶାଳ ଭାରତ ଉପମହାଦ୍ଵୀପ ପାଇଁ ଆଣିର୍ବାଦର ଲହର ଥିଲା , ତେଣୁ ସେହି ସିନ୍ଧୁ ନଦୀକୁ ସମ୍ମାନ ଦେଇଥିଲେ ମୋର ସମ୍ମାନନୀୟ ପୂର୍ବ ସୁରୀ ମାନେ ।
କିନ୍ତୁ ଆଜି ସେହି ସିନ୍ଧୁ ନଦୀ ଜଳରେ ପରିପାଳିତ , ନଦୀ କୂଳରେ ପ୍ରତିପାଳିତ , ନଦୀ ଅବବାହିକାରେ ବସତି ସ୍ଥାପିତ , ଅଧୁନା ପାକିସ୍ଥାନରେ ତାଲିବାନ୍ ତଥା କୁଖ୍ୟାତ ଆତଙ୍କବାଦି ଶକ୍ତି ରୂପରେ ଆମ ମାତୃଭୂମୀ ଭାରତ କାହିଁକି ପୂରା ବିଶ୍ଵ ଆଜି ରକ୍ତ ରଞ୍ଜିତ ।
ତେଣୁ ଆପଣ ଜନତା ଜନାର୍ଦ୍ଦନ । ଆପଣମାନେ ଜ୍ଞାନିଗୁଣି ବିଚାରକ ମଣ୍ଡଳୀ । ଆପଣ ମାନେ ଠିକ୍ ବୁଝି ପାରୁଥିବେ । ମୁଁ ଜଣେ ସଚ୍ଚା ଭାରତୀୟ ହିସାବରେ ଦେଶଭକ୍ତିର ପରାକାଷ୍ଠା ଦେଖେଇଛି ମୋର ମନ୍ତ୍ରଭକ୍ତି ସହକାରେ। ମୁଁ ଜାଣୁଛି ମୁଁ ବୈଦିକ ଯୁଗର ସୀମାରେଖା ଲଂଘନ କରି ଧୃଷ୍ଟତା କରିଛି , ଅପରିଣାମ ଦର୍ଶିତାର ପରିଚୟ ଦେଇଛି , ଅହଁଙ୍କାର ସର୍ବସ୍ବ ହୋଇ ଆଜି ଭଳି ପବିତ୍ର ଶୁଚିକ୍ରୀୟା ଦିନରେ ଉପସ୍ଥିତ ବନ୍ଧୁ ବାନ୍ଧବ ଗଣମାନ୍ୟ ବ୍ୟକ୍ତିଙ୍କୁ ବହୁତ ଅସୁବିଧାରେ ପକେଇଛି , ସେଥିପାଇଁ ଏ ଅକିଞ୍ଚନ କ୍ଷମାପ୍ରାର୍ଥୀ । ଯେ କୌଣସି ଦଣ୍ଡାଦେଶ ଶୁଣାଇବେ ମଥାପାତି ସହିନେବି । ସମବେତ ବିଚାରକ ମଣ୍ଡଳୀର ସମଷ୍ଟିଗତ ଦଣ୍ଡ ଶିରୋଧାର୍ଯ୍ୟ ମମଃ ।
କହିବା ବାହୁଲ୍ୟ ! ଉପସ୍ଥିତ ଜନତା , ଉପବେଷ୍ଟିତ ଗହଳି ଚହଳି ସମୂହ ଛିଡ଼ା ହୋଇ ଦଣ୍ଡାୟମାନ ମୁଦ୍ରାରେ ସମୂହ କରତାଳିର କଳରୋଳ ମାଧ୍ୟମରେ ପାଗଲା ନାନାଙ୍କର ପାଣ୍ଡିତ୍ୟ ଆଗରେ ନତମସ୍ତକ ମୁଦ୍ରାରେ ଅଭିବାଦନ ଅଭିବନ୍ଦନ ଅଭିନନ୍ଦନ କରୁ କରୁ ତାଙ୍କର ଦେଶଭକ୍ତି ଭାରତପ୍ରୀତିର ଗୌରବଗାଥାର ମହାଯାଗତିକ ସ୍ରୋତରେ ଅବଗାହନ କରି ଅମୃତାନନ୍ଦ ଅନୁଭବ କରୁଥିଲେ ହର୍ଷୋଲ୍ଲାସରେ ମନ୍ତ୍ରଭକ୍ତିର ତାଳେ ତାଳେ ।
ଚିଲ ( ଶୁକ୍ମଣୀ) ମାଇଁଙ୍କର ୧୧ ଦିନ ଶୁଦ୍ଧକର୍ମ ପାଲଟି ଯାଇଥିଲା ଚେତନା ଭାବନା ଜାଗ୍ରତ ଜାଗରଣର ସଙ୍କେତ ପ୍ରଦାନ ଦିନ । କିଛି ପୁରୁଖା ପୁରୁଣା କାଳିଆ ବୁଢା-ବୁଢୀ ପାଗଲା ନାନାଙ୍କ ହସ୍ତରୁ ତୁଳସୀ ପତ୍ର-ଗଙ୍ଗାପାଣି ନେବା ପୂର୍ବରୁ ତାଙ୍କୁ ଏମିତି ଶ୍ରଦ୍ଧାରେ ଭକ୍ତିରେ ଅନୁକଂପାରେ କରୁଣାରେ ଖୁସିରେ ଅବଲୋକନ କରୁଥିଲେ ଯେ ଲାଗୁଥିଲା ଯେମିତି ମନ୍ତ୍ରଉକ୍ତିରେ ଶକ୍ତି ଉତ୍ପାଦନ କେନ୍ଦ୍ର ପ୍ରତ୍ୟେକ ହୃଦୟରେ ସ୍ଥାପନ କରିପାରିଛନ୍ତି ।
ବିଶ୍ଵାସ କରିବେନି ଆପଣମାନେ , ଚିଲ ମାଇଁଙ୍କର ପାନ ଖିଆ ହସ ହସ ମୁଁହ ଗେଣ୍ଡୁ ମାଳରେ ହସୁଥିଲା ଫଟୋଚିତ୍ରରେ କିନ୍ତୁ ଅଇଲା ଗଇଲା ଲୋକେ ଆଖିଓଦା କରି ଆସୁଥିଲେ ଓ ଯାଉଥିଲେ ।