Panchanan Jena

Inspirational

4  

Panchanan Jena

Inspirational

ମା' ଠାକୁରାଣୀ

ମା' ଠାକୁରାଣୀ

8 mins
311



ମହାନଦୀ ପୋଲ ଉପରେ ସାଲିମାର୍- ପୁରୀ ଧଭଳି ଏକସ୍ ପ୍ରେସ୍ ଧାଉଁଥିଲା ଅପେକ୍ଷାକୃତ ଧିମା ଧିମା ଗତିରେ ସୁଁ ସୁଁ ଗୁଁ ଗୁଁ ଗିଡ୍‌ ଗିଡ୍ ଢକ୍ ଢକ୍ ଢାକ୍ ଢାକ୍ କରି । ଲାଗୁଥିଲା ଯେମିତି ଦଶହରା ସନ୍ଧିପୂଜା ବେଳେ କୁକୁଡ଼ା ପର ଲଗା ବଡ଼ ବଡ଼ ଢ଼ାକ ବାଜା ପ୍ରଥମେ ପ୍ରଥମେ ବାଜିଲେ ଶୁଭେ ଯେପରି । ଘର୍ଘର ନାଦ ତ ନ ଥିଲା କିନ୍ତୁ ଶୃତିକଟୁ ଅବଶ୍ୟ ଥିଲା । 


ଊଣାଅଧିକେ ଯାତ୍ରୀ ଝରକା ଫାଙ୍କରେ ମହାନଦୀର କୃଶ ନୀଳ ଜଳରାଶିକୁ ଦେଖୁ ଦେଖୁ , ବିସ୍ତିର୍ଣ୍ଣ ବାଲୁକା ପ୍ରାନ୍ତର ଦେଖୁ ଦେଖୁ ଛତିଶଗଡ଼- ଓଡିଶା ଜଳ ବଣ୍ଠନ ବିବାଦକୁ ନେଇ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଇ ଚାଲିଥିଲେ । 


" ବୁଝିଲ ଭାଇନା ! କ'ଣ ବା ଆଉ କହିବି ? ତଳକୁ ଚାହିଁ ଦେଖନ୍ତୁ । ଓଡ଼ିଶାର ବଡ଼ନଦୀ ହା' ହା' କାର କରି ଚିକ୍କାର କରୁଛି । ଅଥଚ ! ଆମ ନବୀନା ସରକାର ତ ନାକରେ ସୋରିଷ ତେଲ ପକେଇ କୁମ୍ଭକର୍ଣ୍ଣ ନିଦରେ ଶୋଇଛି । ତାକୁ ଭଠେଇବ କିଏ ? --- ପାଖ D1 ର ୨୧ ନମ୍ବର ଯାତ୍ରୀ କହିଲେ ଟିକିଏ ଅଶୂୟା ସୂଚକ ନାଶିକା କୁଞ୍ଚକ ଢ଼ଙ୍ଗରେ । ଯେମିତି ସିଏ ଅନ୍ୟ ରାଜନୈତିକ ଦଳର ଜଣେ ସଚ୍ଚା ସମର୍ଥକ । ଶାସକ ବିଜୁ ଜନତା ଦଳ ଉପରେ ଖାଲି ବିଷ ଅତ୍କାରି ଫୁତ୍କାରି ବିଷଧର କାଳିଆ ନାଗ ପରି ଖାଲି ଫଁ ଫଁ ହେଉଥିଲେ ।


" ଉଚ୍ଚତମ ନ୍ୟାୟାଳୟ ଦ୍ଵାରା ଟ୍ରିବ୍ୟୁନାଲ ପରା ଗଠିତ ହେଇଛି । ଆପଣ ଜାଣି ନାହାନ୍ତି ବୋଧେ । ଓଡ଼ିଶା ଗସ୍ତରେ ପରା ଅନୁସନ୍ଧାନ କାରୀ ଦଳ ଅଛନ୍ତି । ତେଲ ନଦୀ ପକଳ୍ପ , ଇନ୍ଦ୍ରାବତୀ ତଥା ମାଛକୁଣ୍ଡ ପ୍ରକଳ୍ପ ପରୀକ୍ଷା ନୀରୀକ୍ଷା କରୁଛନ୍ତି । ୧୯୭୫ ପାଖରୁ ଏହି ସବୁ ବ୍ୟାରେଜର ଜଳ ଧାରଣ କ୍ଷମତା କ୍ରମଶଃ ହ୍ରାସ ପାଉଛି ବୋଲି ଯୁକ୍ତି ଉପସ୍ଥାପନ କରିବାରୁ ଛତିଶଗଡ଼ ସରକାର ପରା ମହାନଦୀ ଉପରମୁଣ୍ଡରେ ଥିବା ସବୁ ଛୋଟ ବଡ଼ ବ୍ୟାରେଜର ଗେଟ୍ ରାତି ଅଧିଆ ଖୋଲି ଦେବାକୁ ବାଧ୍ଯ ହେଲା ଓ କଟକ ମୁଣ୍ଡୁଳି ବ୍ୟାରେଜ୍ ରେ ପାଣିର ସ୍ତର ବୈଶାଖ ମାସଠାରୁ ବହୁତ ଉପରେ ।---- ଅନ୍ୟ ଜଣେ ଯାତ୍ରା ଆହତ ପକ୍ଷୀ ଭଳି ତୀର୍ଯ୍ୟକ୍ ମୁଦ୍ରାରେ ଆପାଦମସ୍ତକ ଅବଲୋକନ କରି ବେଶ୍ ତଥ୍ୟଭିତ୍ତିକ କିଛି କହିଲେ । କେତେ ଏକ ପାଖିଆ ଶୁଣିବେ ଯେ !


ଅନତୀ ଦୂରରେ ୪୫-୫୦ ବର୍ଷୀୟା ଜଣେ କୃଣାଙ୍ଗୀ କୋମଳାଙ୍ଗୀ ବଙ୍ଗୀୟ ମହିଳା ଭ୍ୟାନିଟି ବ୍ୟାଗ୍ ମଧ୍ୟରେ ସାଇତା ମନି ପର୍ସରୁ ଖୁଚୁରା ପଇସା ଖୋଜିବାରେ ବ୍ୟସ୍ତ ଲାଗୁଥିଲେ । ଦଶଟଙ୍କିଆ- ପାଞ୍ଚ ଟକିଆ- ଦୁଇ ଟଙ୍କିଆ କଏନ୍‌ ହାତକୁ ଆସୁଥାଏ କିନ୍ତୁ ମନରେ ବିରକ୍ତି ପ୍ରକାଶ ପାଉଥାଏ । ବୋଧହୁଏ ଟଙ୍କିକିଆ କଏନ୍‌ ଖୋଜୁଥାଆନ୍ତି ଭଦ୍ର ମହିଳା ଜଣକ । ଅଣ୍ଡାଳୁ ଥାଆନ୍ତି ଯେମିତି ଘର ପଚା ଗତିଆରେ ଖୋବି ମଡ଼େଇ ଦେଇ କାଦୁଅ କୁ ମନ୍ଥାଳି ହକାଳି ହନ୍ତାଳି ପକେଇଲେ ମାଛ ହାତ ମୁଠାକୁ ଆସିଯିବ । ଏଠାରେ ସେଠାରେ କେଉଁଠାରେ ଖୁଚୁରା ପଇସା ଲୁଚିଗଲା କି ? ଏପଟ ଚେନ୍‌ ସେପଟ ଚେନ୍‌ ସାଇଡ୍‌ ପକେଟ୍ --ସବୁ କୁ ଥରେ ଦି ଥର ତନ୍ନ ତନ୍ନ କରି ଦରାଣ୍ଡି ଉରାଣ୍ଡି ଉଲଟି ପୁଲଟି ଟଙ୍କିକିଆ କଏନ୍ ଖୋଜା ଅଭିଯାନ ଯେମିତି ଚଳେଇଥିଲେ । ଲାଗୁଥିଲା ଅପରେଶନ୍ ମହାନଦୀ ଚଳେଇଛନ୍ତି ଛଳେ ବଳେ କୌଶଳେ ଝାଳେ ନାଳେ ବାହୁବଳେ ଲୁଚିଥିବା ଫସିଥିବା ଟଙ୍କିକିଆ କଏନ୍‌ ମାନଙ୍କୁ ଉଦ୍ଧାର କରିବାକୁ ।


ହଠାତ୍ ମୁଁହରେ ଖୁସିର ଇସ୍ତାହାର । କୋଟିନିଧି ପାଇଲା ପରି ଲାଗୁଥିଲା ତାଙ୍କର ଆଚାର ବ୍ୟବହାର । ସେହି କଏନ୍‌ ଟିକୁ କୁନି ଝିଅ ମୁଣ୍ଡରେ ଛୁଏଁଇ ମହାନଦୀକୁ ଫିଙ୍ଗିଦେଲେ ମନେ ମନେ କିଛି ମନ୍ତ୍ର କହି କହି । ପୋଲର କଡ଼େ କଡ଼େ ଥିବା ବିଶାଳ ଖମ୍ବମାନଙ୍କ ମଧ୍ୟରେ ଥିବା ଫାଙ୍କା ସ୍ଥାନକୁ ଭେଦି ଟଙ୍କାଟିଏ ମହାନଦୀ ଜଳରେ ଟୁବ୍ କରି ପଡିଲା ବୁଡି ଗଲା । ଖୁବ୍ ଖୁସି । ଆନନ୍ଦରେ ଆତ୍ମହରା ମହିଳା ଜଣକ ପୁଣି ଥରେ ହାତ ଯୋଡି ମହାନଦୀ କୁ ଜୁହାର କରୁଥିଲେ । 


" କାହିଁକି ପଇସା ଫୋପାଡିଲେ ମହାନଦୀ କୁ ? କିଛି ମାନସିକ ଥିଲା କି ? ଏମିତି ସବୁବେଳେ କରନ୍ତି କି ? ପଇସା ଫୋପାଡିଲା ବେଳେ ମୁଣ୍ଡରେ ଛୁଏଁଇ ଦେଲେ କିଛି ସୁଫଳ ମିଳେ କି ? ଯଦି ପଇସା ପାଣିରେ ସିଧା ନ ପଡ଼ି ଲୁହା ଖମ୍ବରେ ପ୍ରଥମେ ବାଜିବା ପରେ ପାଣିରେ ପଡିଥାନ୍ତା , କିଛି ଅଶୁଭ ଶକୁନ ର ସୂଚନା ମିଳିଥାନ୍ତା କି ? ଯାତ୍ରା ପଥରେ କିଛି ଅମଙ୍ଗଳର ଆଶଙ୍କା ଆଶିଥାଆନ୍ତା କି ?

 ଅଜଣା ଅଚିହ୍ନା ସହଯାତ୍ରୀଙ୍କ ପାଖରୁ ଏମିତି ଅତର୍କିତ ପ୍ରଶ୍ନ ସବୁ ଶୁଣି ଲାଗୁଥିଲା ଯେମିତି ୟୂକ୍ରେନ୍‌ ଉପରେ ଋଷିଆର ରାତି ଅଧୂଆ ରକେଟ୍ ମାଡ଼ ହେଲା କି ?


 ଉତ୍ତର କ'ଣ ଦେବେ, ସର୍ବାଗ୍ରେ କେଉଁ ପ୍ରଶ୍ନୋତ୍ତର କହିବେ ଭାବୁ ଭାବୁ କଛି କହି ପାରିଲେନି । କେବଳ ଫିକା ସ୍ମିତହାସ୍ୟ ମୁଖମଣ୍ଡଳରେ ଯାହା ଅସହାୟତାର ସମ୍ୟକ ସୂଚନା ଦେଉଥିଲା ।


" ମା' ଶିଖେଇଥିଲା । ମୁଁ ବି ଜାଣିନି । ବୋଧହୁଏ ମହାନଦୀ ମାତା କୁ ପୂଜାପାଠ । ଆମ ଭାରତୀୟ ପରଂପରା ପରା । --- ହସି ହସି ଭଦ୍ର ମହିଳା ନିଜ ଆଡୁ ତର୍କ ଦେଇ ଚାଲିଥିଲେ ମିଶାମିଶା ବଙ୍ଗଳା ଓ ହିନ୍ଦୀରେ । ବେଶ୍ ମାନୁଥିଲା ହସ ହସ ବନ୍ଧାଦେହୀ ମହିୟସୀ ମହିଳାଙ୍କ ମୁଁହରେ ଯଦିଓ ଅଧାଅଧି ବୁଝା ପଡ଼ୁ ନ ଥିଲା ଆକ୍ଷରିକ ଭାବରେ । ଏମିତି ବି ହୁଏ ସୁନ୍ଦରୀ ତରୁଣୀ ମାନଙ୍କ ମୁଖାରବିନ୍ଦରୁ ନିଃସୃତ ବାଣୀ ବୁଝା ପଡ଼ୁ ନ ଥିଲେ ବି, କାନ ପାଖରେ ଅପହଞ୍ଚ ଥିଲେ ବି ସ୍ମିତହାସ୍ୟର ରଙ୍ଗୀନ ଛଟାରେ ମୁଣ୍ଡ ଟୁଙ୍ଗାରିବାକୁ ପଡ଼େ । ବୁଝିଲେ ଆଜ୍ଞା ! ମହିୟସୀ ମହିଳାଙ୍କୁ ସମ୍ମାନ ଦେବା ପରା ଆମ ଭାରତୀୟ ସଂସ୍କୃତିରେ ।


ମନକୁ କିନ୍ତୁ ପାଉନଥିଲା ଉତ୍ତର ଟା I ଆଉ କିଛି ଅଧିକ ସଠିକ ତାର୍କିକ ଯୁକ୍ତି ଚାହୁଁଥିଲା ।

 ବ୍ୟାକୁଳତା ଭରିଯାଇଥିଲା । ଉତ୍କଣ୍ଠା ବଢି ଯାଉଥିଲା ।


କ'ଣ କରାଯାଇପାରେ ? କି''ଏ ଦେଇ ପାରିବ ସଠିକ୍ ଉତ୍ତର ?  


ବୋଉ ଦେଇ ପାରିବ ବୋଧେ ! ବହୁତ ପୂଜା ପାଠ କରେ ଘରେ ବାହାରେ ଯାତ୍ରା ସମୟରେ। ବ୍ରତ ଉପାସ ବି କରେ । ନିର୍ଜଳା ଏକାଦଶୀ ବି । ମୁଣ୍ଡ ନୁଆଁଇ ନୁଆଁଇ ହାତ ଯୋଡି ଯୋଡି କେତେ ଦେବ ଦେବୀମାନଙ୍କୁ ଡାକି ଚାଲିଥାଏ ତା'ର ଥଳ କୂଳ ମୂଳ ଜଣା ପଡ଼େନି । ବୋଧହୁଏ ବୋଉ କହିପାରିବ ଅସ୍ଥାଗତ ବିଶ୍ୱାସ ସମ୍ମତ ନଦୀ ମା'ର ପୂଜା ଅର୍ଚ୍ଚନା ସହିତ ଟଙ୍କା କ୍ଷେପଣ ସନ୍ଦର୍ଭରେ ।


ପୁଣି ଦ୍ଭାବାନ୍ତର ।ଧେତ୍ । ସେ ତ ମରହିଟିଆ ଅ--ଆ--- ବେଣ୍ଟି କାଟି ନ ଥିବା ବୁଢୀଟେ । ଦସ୍ତଖତ ବି ଶିଖିନି ବୋଲି ବ୍ୟାଙ୍କ୍‌ ରେ ଖାତା ଟା ଖୋଲିବାକୁ କି ହଇରାଣ ହରକତ । ଟିପ ଚିହ୍ନରେ ଦସ୍ତଖତ ମ୍ୟାଚ୍ କରିବାକୁ କମ୍ପୁଟର ଅସମର୍ଥ କହୁଛନ୍ତି ବ୍ୟାଙ୍କ ମ୍ୟାନେଜର ବାବୁ। କେତେ ଥର ମଟର ସାଇକେଲ୍‌ ପଛରେ ବସେଇ ଖାତା ଖୋଲିବା ପାଇଁ ନେଇଛି ମା'କୁ ଆଉ କେତେଥର ପାଦରୁ ଚପଲ ଖସି ପଡ଼ିଛି, ରହ ରହ କହି ପୁଣି କିଛି ଦୂରରୁ ଗୋଟିଏ ପଟ ଉଠେଇ ଆଣି ପିନ୍ଧିଥିବା ମା' ର ଅସହାୟ ମୁଖମଣ୍ଡଳ ମହାନଦୀର ନୀଳ ଜଳରାଶିରେ ଭାସି ଉଠିଲା । ବାର୍ଦ୍ଧିକ୍ୟ ଭତ୍ତାଟା ମିଳି ପାରୁନି ମା'କୁ ଯଦିଓ ସାତ ଘର ଛୁଇଲାଣି ସେ । ତା' ଠୁ କେତେ କମ୍ ବୟସର ଫେନ୍ତି ଅପା । ଶ୍ରମ କାଡ୍‌, କାଳିଆ ଯୋପଜା, ମୋଦୀ ଯୋଯନା, ସ୍ୱାସ୍ଥ୍ୟ ବୀମା ସହିତ ଭତ୍ତା ବି ପାଇଛି । ମା'ର କିଛି ହେଇ ପାରୁନି ବୋଲି ବହୁତ ଦୁଃଖ କରେ । କୁଆଡ଼େ ଡିଜିଟାଲ୍‌- ଫିଜିଟାଲ୍‌ -ମଥାଟାଲ୍ ଇଣ୍ଡିଆ ଚାଲିଛି ବୋଲି ଯୋଗିଆ ଭାଇ ଘରେ କହେ ।


ପାରିହେବନି ଏ ବାଇମନକୁ । ଉତ୍ତର ଖୋଜୁ ଖୋଜୁ କୁଆଡ଼େ ଦିଶାହରା ଦିଗଭୂଲା ଓଲିଆ ଗାଈ ପରି ଏପଟ ସେପଟ ଏ ଗଳି ସେ ଗଳି ଏ ଡିହ ସେ ଡିହ ଦରାଣ୍ଡି ଉରାଣ୍ଡି ହେଉଛି କିନ୍ତୁ ନିଜ ଗୁହାଳକୁ ରାସ୍ତା ମିଳୁନି ।


ଲୌହପଥ ଗାମିନୀର ଗବାକ୍ଷରେ କେବଳ ବୋକା-ନିର୍ବୁଦ୍ଧିଆ ଛାତ୍ର ଭଳିଆ ଅନନ୍ତ ଜଳରାଶିକୁ ବେଳେ ବେଳେ ତଥା ଅସୀମ ସସୀମ ଦିଗ୍ ବଳୟକୁ ଅବଲୋକନ କରୁଅଛି । ଧୀର ସମୀରଣ ଖାଲି ମୁଣ୍ଡ ଉପରେ ବଢିଥିବା ଗୋଛାଏ ବାଳ ସହିତ ଯାହା ଚଳା ଚଳା ଭଉଁରୀ ମାମୁଁ ଘର ଚଉଁରି ଖେଳୁଛି । 


ସତରେ ମହାନଦୀର ପ୍ରାକୃତିକ ସୁଷମା ମନୋରମ । ଆଖି ପାଉ ନ ଥିବା ଆଗାଧ ଜଳରାଶି । ଗଭୀର ନ ଥିଲେ ବି ପାଣିର ବିସ୍ତିର୍ଣ୍ଣ ସୂଦୁଇ ପ୍ରସାରୀ ପ୍ରାନ୍ତର ମନରେ ଭାବାନ୍ତର ସୃଷ୍ଟି କରେ । ନୀଳ ଚେଳ ପରିହିତା ମହାନଦୀ ମା'ର ଲମ୍ବା ପଣତ ଖୁବ୍ ମନୋରମ । କେତେ ଜଳଜ ମାନଙ୍କୁ ଧାରଣ କରିଛି ଅକଳନୀୟ । ପୁଣି ସୁନେଲି ବାଲୁକା ରାଶିକୁ ଦେଖି ଲାଗୁଛି ରୂପସୀ ମହିୟସୀ ଉତ୍କଳ ରମଣୀମାନେ ମହାନଦୀରେ ବୁଡ ପକେଇ ସାରି କେଶ ପ୍ରସାଧନ କରି ସାରି ଓଦା ବସନକୁ ଗୋରା ଦେହକୁ ଖରାରେ ଶୁଖେଇବା ବେଳେ ବାଉଳା ପବନଟା ଚଗଲା ମତୁଆଲା ପବନଟା ପଣତ କାନିକୁ ଉଡ଼େଇ ତୁଡେଇ ନେଉ ନେଉ ନାଭିକେନ୍ଦ୍ରଟା କେନ୍ଦ୍ରୀଭୁତ କରି ଦେଉଛି । ସୁନା ଆଉଟା ଗୋରା ତକ୍ ତକ୍ ତନୁ ବଲ୍ଲରୀ ପୂରା ବାଲିକୁଦର ଭ୍ରମ ସୃଷ୍ଟି କରୁଛି ନୁହେଁ ତ !


 ଧୀବରମାନେ ହୁଲି ଡଙ୍ଗାରେ ମାଛ ମାରିବାରେ ବ୍ୟସ୍ତ । ଦଳେ ପକ୍ଷୀ ଚିଁ ଚାଁ କରି ଭତିଗଲେ ଉଦ୍ଭାନ୍‌ ହୋଇଗଲେ ନିମିଷକେ । ଲାଗୁଛି ପୋଲ ଖମ୍ବରେ ବସିଥିଲେ ଥକ୍କା ମେଣ୍ଟଉଥିଲେ । ଦୁଃଖସୁଖ ହେଉଥିଲେ । ମିଟିଙ୍ଗ୍ ଏବଂ ଚାଟିଙ୍ଗ୍ କରୁଥିଲେ । ବିଜୁଳି ଶକଟର ବିକଟାଳ ଶବ୍ଦରେ ପକ୍ଷୀସଭା ଅବିଲମ୍ବେ ଅନିଶ୍ଚିତ କାଳ ପାଇଁ ଭଙ୍ଗ କରିଥିବେ ପକ୍ଷୀ ମନ୍ତ୍ରୀମଣ୍ଡଳର ବାଚସ୍ପତି ଆପାତକାଳୀନ ଜରୁରୀକାଳୀନ ଶବ୍ଦ ପ୍ରଦୂଷଣର କୁ-ପ୍ରଭାବକୁ ଆକଳନ କରି ।


ଓହୋ ! ପାରିହେବନି ଏ ଅବୋଲକରା ମନ ଚଇତନ କୁ । 


ବାପା କୁ ପଚାରିଲେ ବେଷ୍ଟ ହେବ । କାରଣ ପେଷାରେ ଶିକ୍ଷକ । ପୁଣି ସ୍ନାତକୋତ୍ତର ଇତିହାସ ଶିକ୍ଷକ । ମନକୁ ଟିକିଏ ପ୍ରବୋଧନା ମିଳିଲା ପରି ଲାଗିଲା । କିଂଚିତ ଉଦଦେଶ ଦ୍ଭାବାବେଗର ଉପଶମ । 


"ପୁଅ --କିଛି ଖୋଜୁଛ କି ?"


କାହାର ମିଶ୍ରି ବୋଳା ମଧୁର ସମ୍ବୋଧନରେ ମନରେ ପୁଣି ଭାବାନ୍ତର । ମୁଣ୍ଡ ବୁଲେଇ ଦେଖିଲା ବେଳକୁ ଜଣେ ବୟସ୍କ ଜେଜେମା ବୟସର ବୁଢୀ ଲୋକଟେ । ସମ୍ବଲପୁରୀ ଶାଢୀ ପରିହିତା ମଥାରେ ପଣତ । ପାନ ଖିଆ ପାଟିରେ ସ୍ମିତହାସ୍ୟ ଫୁଟେଇ ଆଖି ଇସାରାରେ ପାଖରେ ଖାଲିଥିବା ସ୍ଥାନ କୁ ଆସିବାକୁ ଇଙ୍ଗିତ କରୁଛନ୍ତି ଡାକୁଛନ୍ତି ସହାସ୍ୟ ବଦନରେ ।


ଆପେ ଆପେ ପହଞ୍ଚି ଗଲି ଆପଣାଛାଏଁ । ଜାଣି ପାରିଲି ନାହିଁ । ନିମ୍ନଗା ବେଗବତୀ ନଈ ପରି ଧାଇଁ ଆସିଲି । ବସୁ ବସୁ ପାଦ ଛୁଇଁ ପ୍ରଣାମ କରିଦେଲି ।

ହଁ ରେ ପୁଅ ? ମୁଁ କ"ଣ କହୁ ଥିଲି କି , ନଦୀ ମାନେ ପରା ମାନବ ସଭ୍ୟତାର ବାର୍ତ୍ତାବହ । ତୁମେ ତ ସୁଶିକ୍ଷିତ ଭଚ୍ଚଶିକ୍ଷିତ ଲାଗୁଛ୍ । ପ୍ରାଚୀନ ମାନବ ସଭ୍ୟତା ସବୁ ନଦୀ କୂଳରେ ଗଢି ଉଠିଥିବାର ଅନେକ ଉଦାହରଣ ତୁମେ ସବୁ ବହିରୁ ଜାଣିଛ । ଯେମିତି ସିନ୍ଧୁଘାଟୀ ସଭ୍ୟତା ଭାରତରେ , ହୁଆଙ୍ଗ ହୋ ସଭ୍ୟତା ଚୀନରେ , ନୀଳନଦୀ ସଭ୍ୟତା ମିଶ୍ର ଦେଶରେ , ଟାଇଗ୍ରୀସ୍- ଇଉଫ୍ରେଟସ୍‌ ସଭ୍ୟତା ମେସୋପଟାମିଆରେ ସବୁ ଗଢି ଉଠିଥିଲା ।ପ୍ରସ୍ତର ମାନବ ଅସଭ୍ୟ ମାନବ ଜଙ୍ଗଲୀ ମାନବ ମାନଙ୍କୁ ନଦୀ ମାନେ ଖାଦ୍ୟଶସ୍ୟ ମିଠାପାଣି ଗମନାଗମନ ପଶୁପାଳନ ଇତ୍ୟାଦି ସଭ୍ୟତାର ନୂଆ ଦିଗନ୍ତ ବିକାଶ କରିବା ପାଇଁ ପ୍ରଥମ ସୁବିଧା ନଦୀକୂଳର ପଟୁମାଟି ହିଁ ଯୋଗେଇଥିଲା । 


ମାଆ ମାନେ ସେମିତି ବିନା ଦ୍ଵିଧାରେ ବିନା ଅନୁମତିରେ ଛୁଆ ମାନଙ୍କର ସବୁ ପ୍ରକାର ଅଳି ଅର୍ଦ୍ଧଳିକୁ ପୂରଣ କରିଥାନ୍ତି , ନଦୀ ମାନେ ସେହି ଚିରନମସ୍ୟା ମା' ପରି ମାନବ ଜାତିର ଉତ୍ଧାନ ଦିଗରେ ଆଲୋକ ବର୍ତ୍ତିକା ହୋଇ ସେ ଯୁଗରୁ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ଆଜି ପର୍ଯ୍ୟନ୍ତ ସାହାଯ୍ୟର ଆକୁଣ୍ଠ ହସ୍ତ ପ୍ରସାର କରି ଦେଇ ଚାଲିଛନ୍ତି ବାଣ୍ଟି ଚାଲିଛନ୍ତି ଅବିରାମ ଗତିରେ । ତେଣୁ ମୋ' ମତରେ ନଦୀ ମାନେ ଯୁଗେ ଯୁଗେ ବନ୍ଦନୀୟା ମହନୀୟା । ଆମ ମା' ଠାରୁ ନଦୀ ମାତା ଆହୁରି ବିରାଟ ବିଶାଳ କଳ୍ପଦ୍ରୁମ ସମ ସଙ୍କଟମୋଚନୀ ଅନ୍ନପୂର୍ଣ୍ଣା ।


ସଭ୍ୟ ମାନବ ପ୍ରଗତିର ସୋପାନ ଅବଲମ୍ବନ କରି ଚଢି ଚାଲିଲା ଯୁଗ ପରେ ଯୁଗ ଶତାବ୍ଦୀ ପରେ ଶତାବ୍ଦୀ । ମନରେ ଆସିଲା ପ୍ରତିଦାନର ପରିଶୋଧର ଆଦ୍ଵାନ । ଜ୍ଞାନ ବିଜ୍ଞାନର ଚକ୍ଷୁ ଖୋଲିଦେଲା ଆଜାତିତ ଦାନ ବଦଳରେ ଭକ୍ତି ଶ୍ରଦ୍ଧା ଆସ୍ଥାର ନୂତନ ଦ୍ଵାର । ପୂଜାପାଠର ଆବାହନ ସଂସ୍ଥାପନ । ତେଣୁ ଯେଉଁ ନଦୀ ମା' ତାର ମାନବ ସନ୍ତାନ ମାନଙ୍କୁ ପାଳି ଆସିଛି ଆବହମାନ ଯୁଗରୁ, ସେହି ଚିରସ୍ରୋତା ନଦୀ ମା' ଙ୍କର ପଦବନ୍ଦନା କରିବାର ସୁଯୋଗ ସୃଷ୍ଟି ଗଲା । ମନ୍ତ୍ର ରଚିଲା ବେଦ ପୁରାଣରେ, ତୀର୍ଥସ୍ଥଳ ଗଢିଲା ନଦୀଟାପୁରେ, ସହର ବଜାର ନଗର ସବୁ ଛତୁ ଫୁଟିଲା ପରି ବସେଇଲା ନଦୀକୂଳରେ । ପ୍ରସ୍ତର ଗାତ୍ରରେ ଫୁଟେଇଲା ପଞ୍ଚତିର୍ଥର ସାର୍ଥକତା ଯଥାର୍ଥତା । ମନ୍ଦିର ମାଳିନୀ ନଗର ସହରର ଛତ୍ରେ ଛତ୍ରେ ସେହି ନଦୀ ମା' ଗୁଣଗାନ ଆବାହନ କରି ଆସୁଛି ସେହି ପ୍ରାଚୀନ ପ୍ରସ୍ତର ଯୁଗରୁ ମନ୍ଦିର ମାଳିନୀ ପୂଜା ସ୍ଥଳ ଗଢି ।


ପୁଅ ! ପାଣି ବୋତଲ ଠିପି ଖୋଲିଦେଲ । ବାଁ ହାତରେ ବ୍ୟାଗରୁ ବାହାରି କରି ପାଣି ବୋତଲ ଦେଉ ଦେଉ ବୁଢୀ ମାଉସୀ ଜଣଙ୍କ ଏମିତି କିଛି କହିଲେ । ତଣ୍ଟି ଶୁଖି ଗଲାଣି । ଏଡେ ବଡ ଭାଷଣ ଦେବା ତର୍କ ସଙ୍ଗତ କଠିନ ବ୍ୟାପାର ନୁହେଁ କି ?


କେଇ ଢୋକ ଢ଼କ ଢ଼କ କରି ପାଣି ଅଧା ବୋତଲ ସାରି ଦେଲେ ବୁଢୀ ମାଉସୀ । ଟିକିଏ ସାଷ୍ଟମ ହେଲେ । ପଣତ କାନିରେ ମୁଁହ ପୋଛି ନେଲେ । 


ପୁଅ ! ମୁଣ୍ଡ ବିନ୍ଧୁଛି କି ? ମୋର ଅବାନ୍ତର ବକର ବକର ଅଭ୍ୟାସଟା ତୁମ ମୁଣ୍ଡବ୍ୟଥାର କାରଣ ପାଲଟି ଯିବାକୁ ବାଧ୍ୟ କରିପାରେ । ମୁଁ ଟିକିଏ ଅଧିକା କହେ । ଗପୁଡି ସ୍ୱଭାବର ।


ବୁଝିଲ ପୁଅ ! ଘରେ ପୂଜା ହେଉଥିବ । ତୁମେ ମନ୍ଦିର ଯାଉଥିବ । ତୁମେ ବ୍ରାହ୍ମଣ ଗୋସେଇଁଙ୍କୁ ପୂଜାରୀ ମହାଶୟଙ୍କୁ କିଛି ଟଙ୍କା ପଇସା ଦିଅ କାହିଁକି ?


କଥା କ'ଣ କି ? ବିଶ୍ୱାସ ଅଛି ପୂଜାପାଠ କରି ଯଯମାନ ଯଦି ପୂଜକ ମହାରାଜଙ୍କୁ ଦକ୍ଷୀଣା ନ ଦେଲେ , ସବୁ ନିଃସ୍ଫଳା ହେଲା ଜାଣ । ସେହି ନୀତିରେ ଚିରା ଚରିତ ଧାରାରେ ମୁଖ୍ୟତଃ କଉଡି ଚାଉଳ ଭୋଜ୍ଯ ଖୁଚୁରା ପଇସା ନୋଟ୍ କାଳ କ୍ରମେ ଦକ୍ଷିଣା ହିସାବରେ କ୍ରମବିକାଶ ଧାରା ରେ ଚଳି ଆସୁଛି ।


ନଦୀ ମା'ର ପୂଜାପାଠ ପାଇଁ ପଇସା ଫୋପାଡିବାର ନିୟମ କେଉଁ ବେଦ ପୁରାଣରେ ଲିଖିତ ଅଛି କି ନାହିଁ ମୋର ଅଗୋଚର । ଥାଇ ବି ପାରେ । କିନ୍ତୁ ଆମର ଦାନ ଦକ୍ଷିଣା ପରମ୍ପରା କାଳକ୍ରମେ ଏହି ସ୍ଥିତିରେ ପହଞ୍ଚିଛି ଯେ ନଦୀ ମା'କୁ ଯୁହାର ହେଇ ଅନୁନ୍ୟ ଟଙ୍କାଏ ଦେଲେ ତା'ର ଆରାଧାନ ବନ୍ଦନା ପୂଜା ଅର୍ଚ୍ଚନା ସାର୍ଥକ ହେବ । ପଇସା ନ ଫୋପାଡିଲେ ବି ହେବ । ଯୁଗ ଯୁଗରୁ ପାଳୁଥିବା ମାନବ ଜାତିର କିଞ୍ଚିତ ଶ୍ରଦ୍ଧା ସମର୍ପଣ ହେବ ବୋଲି ଭାବିନେବା ହିଁ ଶ୍ରେୟସ୍କର ହେବ ।


ଦେଖିଲ ପୁଅ ! ତୁମ ଗୁଗୁଲ୍ ବାବା କୁ ପଚାରିଲ ଭୁବନେଶ୍ଵର ଷ୍ଟେସନ ଆସିବ କେତେ ବେଳେ ?


ହେଇ ଆସିଗଲା ନା' କଣ ? ପ୍ଲାଟଫର୍ମ ଚାରି ଦିଶିଲାଣି । ହଉ ରେ ପୁଅ । ଖୁସିରେ ଥା । ଖୁସି ବାଣ୍ଡୁଥା । ଚାଲିଲି । ପୁଣି ଦେଖା ହେବ ।

ଜଗନ୍ନାଥ ମହାପ୍ରଭୁ କଲ୍ୟାଣ କରନ୍ତୁ କହି ମୋ ମୁଣ୍ଡରେ ହାତ ଆଉଁଷି ଦେଇ ମଖମଲି ହସ ବଣ୍ଟି ଦେଇ ସେହି ତଥାକଥିତ ମହିୟସୀ ବୁଢୀ ମାଉସୀ ଓହ୍ଲେଇ ଗଲେ ଓ ଜନଗହଳି ଭିତରେ ଅଦୃଶ୍ୟ ହୋଇଗଲେ ।


ଶ୍ରଦ୍ଧାରେ ଭକ୍ତିରେ ସମର୍ପଣରେ ମୋର ଦୁଇ ହାତ ଅଲକ୍ଷ୍ୟରେ ଉପରକୁ ଉଠି ଯାଇଥିଲା ସେହି ବୁଢୀ ମାଉସୀଙ୍କ ପାଇଁ । କାରଣ ନୁହେଁ ସିଏ ମୋର ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେଇ ସନ୍ଦେହ ମୋଚନ କରିପାରିଲେ । ବରଂ ମୋତେ ଚୁପ୍ କରେଇ ଦେଲେ ତର୍କରେ ଜ୍ଞାନରେ ପ୍ରଜ୍ଞାରେ ପ୍ରଭାବରେ ସାକ୍ଷାତ୍‌ ମହାନଦୀ ଠାକୁରାଣୀ ପରି ସିଦ୍ଧି ବୁଦ୍ଧି ପ୍ରଦାୟିନୀ ମା' କାତ୍ୟାୟିନୀ କରୁଣାଦାୟିନୀ ବରଦାପ୍ରଦାୟିନୀ । ଜୟ ମା' ମହାନଦୀ ।


Rate this content
Log in

Similar oriya story from Inspirational