ଅଲିଭାଦାଗ
ଅଲିଭାଦାଗ
ଶୁଣୁଛ ଭାଇନା ! ତିନୋଟି ତିନି ଟଙ୍କିଆ ଥାଳା ଦେବେ କି ଆଜ୍ଞା ? ଭାତ ଖାଇବା ଥାଳା ?ଗ୍ରୀନ ଗ୍ରୀନ ଥାଳା । ଅଭିକା ପଇସା ନାହିଁ କିନ୍ତୁ । ମୁଁ କାଲି ଦେଇଦେବି ଦଶ ଟଙ୍କା । ନଅ ଟଙ୍କା ବଦଳରେ ଦଶ ଟଙ୍କା ।-----
କେହି ଜଣେ ନେହୁରା ହେଇ କହୁଥିଲେ କିମସ୍ ( କଳିଙ୍ଗ ଇନ୍ଷ୍ଟିଚୁୟୁଟ ଅଫ୍ ମେଡିକାଲ ସାଇନସ୍ ) ,ପଟିଆ ଭିତରେ ଥିବା କ୍ୟାଣ୍ଟିନ ମାଲିକଙ୍କୁ । କେହି ଜଣେ ବାପା ଅନୁନୟ ବିନୟ ମୁଦ୍ରାରେ ଦୁଃଖ ବଖାଣୁ ଥିଲେ କ୍ୟାଣ୍ଟିନ କାଉଣ୍ଟର ଆଗରେ । କେହି ଜଣେ ଘରର ମୁରବୀ ଗହଳି - ଖଚାଖଚ ଭିଡ଼କୁ ଖାତିର ନ କରି ନିଜର ଅସହାୟତାକୁ ଶାନ୍ତ ସରଳ ତରଳ ଭାବରେ ଟୋକନ୍ କାଉଣ୍ଟରରେ ବସିଥିବା ଜିନ୍-ଟି-ସାର୍ଟ ଆବୃତ ଫ୍ରେଞ୍ଚକଟ୍ କାଚମାର୍କା ଗୁଟୁକା ପାକୁଳି କରୁଥିବା ସାର୍ ଙ୍କୁ ଦୋହରାଇ ଚାଲିଥିଲେ ।
ଗହଳି ଭିତରେ ସପୂର୍ଣ୍ଣ ନୀରବତା । ଝାଳ - ଗୁଳୁଗୁଳି ଭିତରେ ହୁଳିହୁଳିର ଚାପା ଗୁଞ୍ଜରଣ ।ଧାଡିରେ ଛିଡ଼ା ତିରିଶ - ଚାଳିଶ ସନ୍ଧିସ୍ସ୍ତୁ ଭୋକିଲା ଲୋକଙ୍କର କଣ୍ଟାସିଆ ଷାଠିଏ-ଅସି ଆଖି ଟର୍ଚ୍ଚ ଲାଇଟ୍ ପକେଇଲା ପରି ମୁଁହ ଚାହାଁଚୁହିଁ । ପ୍ରଶ୍ନବାଚୀ ଦୃଷ୍ଟିକୋଣରେ ମନେ ମନେ ନାହିଁ ନ ଥିବା ଚିନ୍ତା ଚେତନାର ସ୍ଵର ଆରମ୍ଭ କରିଦେଇଥିଲେ ଚୁପ୍ ଚାପ୍ । ମୂକ ନୀରବ ଦ୍ରଷ୍ଟା ସାଜି ବିଚରା ବିନା ପଇସାରେ ତିନୋଟି ତିନି ଟଙ୍କିକିଆ ଶାଳପତ୍ରରେ ତିଆରି ଥାଳି ମାଗୁଥିବା ନୀରିହ ହତୋତ୍ସାହ ବ୍ୟକ୍ତି ଆଡ଼କୁ ତୀକ୍ଷଣ ନାସିକା କୁଞ୍ଚନ କରି ଚାଲିଥିଲେ ମୌନାବତାର ଖୋଳପା ଭିତରୁ ଭିତରୁ ।
ମନକୁ ଆସୁଥିଲା ସେହି ପୁରାତନ ସୁଗମ ସଂଗୀତ ଖୋକା ଭାଇ ସ୍ଵର୍ଗୀୟ ଅକ୍ଷୟ ମହାନ୍ତିଙ୍କର । ପୂରା ପରିସ୍ଥିତିକୁ ଫିଟ୍ ବସୁଥିଲା ।
"ଦେଖରେ ଭାଇ ଦେଖ
କଇଁଛ କାଢିଛି ବେକ
ଦେଖରେ ଭାଇ ଦେଖ
ବିକିଗଲା ସବୁ ଭେକ଼ ।"
ପୁଣି କିଛି ସମୟ ନିରବତା ଭଙ୍ଗ କରି ଥାଳା ମାଗୁଥିବା ମହାଶୟ ପୁଣି ବିନୟାବନ୍ତ ମୁଦ୍ରାରେ , ବରୁଣାସିକ୍ତ ନୟନ ଯୁଗଳକୁ ବିଗଳିତ ଠାଣିରେ , ମଧୁରରୁ ମଧୁରତର ବାଣୀରେ ପୁଣି କିଛି କହୁଥିଲେ । ଗଳା ମଝିରେ ଛେପ ସହିତ ଶବ୍ଦ-ଭାବ-ନିରାସା-ପଇସା ଶେଷର ପରସ୍ତ ପରସ୍ତ ଗ୍ଳାନିବୋଧ ବୋଧେ କିଏ ବୁଝୁ କି ନ ବୁଝୁ ଫଟା କପାଳଟା ବୁଝି ପାରିଲା ବୋଧେ । ଟୋପା ଟୋପା ଝାଳୁଆ ଭାଷାରେ କପାଳ ସ୍ଲେଟରେ ଏମିତି କିଛି ଲେଖିବାର ଉପକ୍ରମ କରୁଥିଲା ---
"ଆରେ ଅର୍ବାଚୀନ ଭୀରୁ ଅମୃତ ସନ୍ତାନ ସର୍ବେ । ହାତ ବଢେଇ ପାରୁନ ଅସହାୟ ଭାଇ ପାଇଁ, ଭାଇଚାରା ପାଇଁ କେବଳ ମାତ୍ର ୧୦ ଟଙ୍କା ଦେଇ ପାରୁନ । ଗରିବ ହେଇ ଯିବ କି ? ଧିକ୍ ଏ ଜୀବନ ! ଶତ ଧିକ୍ ଏ ଯୌବନ ତଥା ଭଦ୍ରମୁଖା ତଳେ ଲୁଚି ରହିଥିବା ସବୁ ଶଳା ବେଇମାନ ଓ ହାରାମ ଯାହା ଶଇତାନ । ଲାଜ ଲାଗୁନିରେ ବେହିଆ ଦଳ । ଜାଗି ପାରୁନରେ ଦୁର୍ବଳ , ଉଠି ପାରୁନରେ ମାଇଚିଆ ଭେଣ୍ଡିଆ ଦଳ ।"
"କ୍ଷମା କରିବେ ସାର୍ ! ଦେଇ ପାରିବିନି ଜମା । ତିନୋଟା ଥାଳା କଣ କହୁଛ ? ଗୋଟାଏ ବି ନୁହଁ । କାରଣ କମ୍ପୁଟରରେ ବିଲ୍ କାଟିବାକୁ ପଡିବ । ଦେଖେଇ ବାକୁ ପଡିବ । ଅସମ୍ଭବ ଆଜ୍ଞା ! ଦିନ ଶେଷରେ ହିସାବ ମିଶିବନି ।
-- କ୍ୟାଣ୍ଟିନ୍ କର୍ମଚାରୀ ରୋକ୍ ଠୋକ୍ ଭାବରେ ରୋବଟ୍ ପରି ଉତ୍ତର ଦେଲା କମ୍ପୁଟରରେ ବାମ କରୁ ଜରୁ ।
ଭଦ୍ରବ୍ୟକ୍ତିଙ୍କ ମୁଖମଣ୍ଡଳ ଦେଖିବାର ଥିଲା । ପୂରା ନିରାସା ହତାସା ନେସିଥିଲା ଚେହେରାରେ ଯେମିତି ମେଞ୍ଚେ କାଦୁଅ ଲାଗିବା ପରି
। ଦାଢି ସବୁ ଯେମିତି ବଢି ବଢି ଗଲେ ଲମ୍ବିଗଲେ । ଚମକୁ ଥିବା ଚେହେରା ହସୁଥିବା ଚେହେରା ଗପୁଥିବା ବେହେରା ମୁହୂର୍ତ୍ତ ମାତ୍ରକେ ପାଣ୍ଡୁରା ପାଉଁଶିଆ ପଡିଗଲା । କେଇ ଧାଡି ଶବ୍ଦ ଯେମିତି ମହାଶୟଙ୍କର ସବୁ ରକ୍ତ ଶୋଷି ଶୋଷି ସାରି ଦେଲା ।
ବିଷର୍ଣ୍ଣ ବଦନରେ ବିଚରା ପୁଣି କହିଲେ ତିନୋଟି ନ ହେଲା ନାହିଁ ଗୋଟିଏ ଥାଳା ଦେଲେ ଚଳେଇ ନେବା । ମା' ପୁଅ ଅପେକ୍ଷା କରିଥିବେ ସର୍ଜରି ଉଆଡ୍ ରେ । ପାଖରେ ୧୫୦ ଟଙ୍କା ଥିଲା । ଦୁଇଟା ସାଧା ମିଲ୍ ପାର୍ସଲ ନେଇଛି ଦେଖନ୍ତୁ । ଗୋଟିକୁ ୭୫ ଲେଖାଏଁ ଦେଇଛି । ଯଦି ଦୟାକରି ଗୋଟିଏ ଥାଳା ବି ଦିଅନ୍ତେ , ଆମେ ତିନି ପ୍ରାଣୀ ଏଡ଼ଜଷ୍ଟ କରି ନିଅନ୍ତେ । ଦ୍ଵି ପ୍ରହର ଖରାବେଳରେ ମୁଠାଏ ଭାତ ଖାଇ ପାରନ୍ତେ ନିତି ପ୍ରାଣୀ । ଟିକେ ଦେଖନ୍ତୁ ଆଜ୍ଞା ।
ସବୁ କାମ ଚାଲିଥିଲା ପୂର୍ବବତ୍ କ୍ୟାଣ୍ଟିନରେ । ଲମ୍ବା ଧାଡ଼ି ସରୁ ନ ଥିଲା । ବରଂ ଆହୁରି ଲମ୍ବା ବାଙ୍କିଆ ହୋଇ ରାସ୍ତା ଉପରକୁ ଯେମିତି ଲମ୍ଫ ପ୍ରଦାନ କରୁଥିଲା । ଥେଣ୍ଟକାଲା ପରି ସମଗ୍ର ଭୋଜନ ବିଳାସୀ ଜନତା ଜନାର୍ଦ୍ଦନ ବିଚିତ୍ର ଆଚରଣ କରୁଥିଲେ । ସ୍ୱକର୍ମ ସ୍ୱଧର୍ମ କରି ଚାଲିଥିଲେ । ଅର୍ଥାତ୍ ଖାଇ ଚାଲିଥିଲେ ବିରାମ ହୀନ ଭାବରେ । ଏପଟେ ଗୋଟେ ପରିବାର ଭୋକିଲା ରହିଗଲା । ଯେମିତି ଶୁଣି ନାହାନ୍ତି କିଛି । ଜଣେ ନିରୀହ ବ୍ୟକ୍ତିର ଅର୍ତ୍ତନାଦ କର୍ଣ୍ଣ ଗହ୍ଵର ପାଖରେ ପହଞ୍ଚି ପାରୁନିର ନାଟକୀୟ ଅଭିନୟ ।
" ବିଲ୍ ନ କାଟି ଏମିତି ଗୋଟେ ତଳେ ପଡ଼ିଥିବା ପଙ୍ଖା ପବନରେ ଭଡୁଥିବା ଦୋଳି ଖେଳୁଥିବା ଚିରା ଖଣ୍ଡିଆ ଖଣ୍ଡେ ଅଧେ ଥାଳା ଦେଉନ ଭାଇ , ଦେଇ ଦେଉନ ଭାଇ । ଏମିତି ଫ୍ରୀ ରେ । ଚଳେଇ ଦେଲେ ସବୁ ଚଳିବ , ଚଳେଇ ଦେଲେ ସବୁ ଦୈଡିବ ଭାଇ---
ଜଣେ ଛୋଟା ବ୍ୟକ୍ତି ଟିକିଏ କର୍କଶିଆ ଭାଷାରେ କାଉଣ୍ଟର ସମ୍ଭାଳୁଥିବା ସାର୍ ଙ୍କୁ କହିଲା । ଉଦ୍ଧାମ ସୈନିକ ପରି ଲାଗୁଥାନ୍ତି । ବାଁ ପାଦରେ କିଛି ବ୍ୟାଣ୍ଡେଜ୍ । ତେଣୁ ଛୋଟେଇ ଚାଲିଥାନ୍ତି । କାରଣ ଭାବନାରେ ସେ ଦାର୍ଶନିକ ପରି ବାଚନିକ ଢଙ୍ଗରେ ସମସ୍ୟାର ଆଶୁ ସମାଧାନ କରିଦେଲା । ଦିବ୍ୟାଙ୍ଗ ସେ । ଯଥାର୍ଥରେ ସେ ପୁଣ୍ୟାଙ୍ଗ ।
କଥା ଟି ବୋଧେ ମନକୁ ପାଇଲା ଦୋକାନ ସେଲସମ୍ୟାନର । କୋଣରେ ପଡ଼ିଥିବା ତିନୋଟି ଥାଳି ଆଣି ମହାଶୟକୁ ଦେଲେ ସରାଗରେ । କହିଲେ କାଲି ୧୦ ଟଙ୍କା ଦେଇ ବିଲ୍ କାଟି ନେବେ ।
"ଧନ୍ୟବାଦ୍ ସାର୍ " ---କହି ଥାଳା ତିନୋଟିକୁ ଧରି ମହାଶୟ ଖୁସି ଖୁସି ବାହାରକୁ ବାହାରିଲେ । ଚାଲିରେ ପରାସ୍ତ ବାପାର ଫେରି ଆସିଥିବା ସମ୍ମାନ ସ୍ୱର୍ଣ୍ଣାଭ ପଦଚିହ୍ନ ପରି ଲାଗୁଥିଲା । କପାଳରେ ଭାଙ୍ଗି ମାରୁଥିବା ଝାଳ ବିନ୍ଦୁ ସବୁ ସକାଳର କାକର କଣିକା ପରି ଝଟକୁ ଥିଲେ ଲେଖୁଥିଲେ ଗଡ଼ ଜିତି ଯାଇଥିବାର ପରାକାଷ୍ଟାରେ ।
ମାତ୍ର ବିଡ଼ମ୍ବନାର ଉପପାଦ୍ୟ ମୋ ପାଇଁ ଭିନ୍ନ ଆସର ସଜେଇ ଥିଲା । ଦେଖିଲି ପକେଟରୁ ପଇସା ବାହାର କରି ଥଣ୍ଡା ପାନୀୟ କିଣୁଛନ୍ତି ସେହି ଦୁଃସ୍ଥ କ୍ୟାଣ୍ଟିନ ମହାଶୟ କିମସ୍ ମୁଖ୍ୟ ଫାଟକ ବାଁ ପାଖରେ ଥିବା ଫାଷ୍ଟ ଫୁଡ୍ ଦୋକାନରୁ ଓ ସପରିବାର ଫାଣ୍ଟା ପିର ଫାଣ୍ଟାସି କରୁଛନ୍ତି ଆଘ୍ରାଣ ଭୋଜନ ପରେ ଅଳ୍ପ ବ୍ୟବଧାନରେ ।
ଆପଣ ମାନେ କୁହନ୍ତୁ , ଶ୍ରେଷ୍ଠ ନାଟ୍ୟକାର ପୁରସ୍କାର କାହାକୁ ଦେବା ?.
ମୋ ମନରେ କିନ୍ତୁ ଅଲିଭାଦାଗ ରହିଗଲା ସବୁଦିନ ପାଇଁ ଅଙ୍ଗାରାକ୍ଷରରେ ଲିପିବଦ୍ଧ ହୋଇ ଖୋଦିତ ହୋଇ ।