Panchanan Jena

Tragedy

4  

Panchanan Jena

Tragedy

ଆଇନା ପଛର ଅନ୍ଧାର

ଆଇନା ପଛର ଅନ୍ଧାର

12 mins
292



ପ୍ରବାସରେ କୁହ ବା ଦାଦନରେ, ଘରେ କୁହ ବା ବାହାରେ, ଚାନ୍ଦମଣି ଗାଁରେ କୁହ ବା ବାଲେଶ୍ଵର ସହରେ, ପଲ୍ଲୀରେ କୁହ ବା ଦିଲ୍ଲୀରେ, ଆମ ଭାବୁଆ ମୋ, ଆମ ଭାବଗ୍ରାହୀ ବେହେରା ମୋ, ସେହି ବାବା ଚାନ୍ଦେଶ୍ଵର ଶିବ ମନ୍ଦିର ଆଗରେ ସନିଆ ବେହେରା ପୁଅ ମୋ,ଖାଣ୍ଟି ଓଡ଼ିଆ । ଦୀର୍ଘ ପାଞ୍ଚ ବର୍ଷ ହେଲା ସାଉଦି ଆରବରେ କାମ କରେ । ସାରଜା ସହରରେ ଜଣେ ପାଣି-ପାଇପ୍ ମିସ୍ତ୍ରୀ ଭାବେ କାମ କରେ । ମାସକୁ ଦରମା ଭାରତୀୟ ମୁଦ୍ରାରେ ୫୫,୦୦୦ ଟଙ୍କା ରୋଜଗାର କରେ ବୋଲି ଗାଁରେ ଖବର ।


କିନ୍ତୁ ସାରଜାରେ ରହି କିଛି ଓଡ଼ିଆ ଅଭ୍ୟାସ ଛାଡି ପାରିନି । ସଚ୍ଚା ଓଡ଼ିଆ ପୁଅ ହିସାବରେ କିଛି ନିତିଦିନିଆ ଦେହ ଆଇବାସିଆ ଆଭ୍ୟାସ ପାଖରେ ବନ୍ଧା, ଛନ୍ଦା ତଥା ନଛୋଡ଼ବନ୍ଧା ଭାବୁଆ ଆମର ।


ପଖାଳ ଖାଇବା, ନାଲି ଗାମୁଛା ଅଣ୍ଡାରେ ଭିଡ଼ିବା ଆଉ ସକାଳୁ ସକାଳୁ ଉଠୁ ଇଠୁ ସମାଜ ଖବରକାଗଜଟା ସମାଜ ଇ-ପେପରଟା ମୋବାଇଲରୁ ବାଲେଶ୍ଵର ସଂସ୍କରଣଟା ଡାଉନଲୋଡ଼ କରିବା ଓ ହେଡ ଲାଭନ ଜୋର ଜୋରରେ ପଢିବା । ଯେମିତି ନ ପଢିଲେ ସକାଳୁ ସକାଳୁ ପେଟ ସଫା ହୁଏନା ଭାବୁଆ ବାବୁଙ୍କର । ବିଦେଶରେ ବି ପବନ । ମା' ରାଣ ! ଓଡ଼ିଆ ଯେଉଁଠି ଗଲେ, ଛାପ ରହିଥିବ ନା !


ବିରକ୍ତିକର ଅରୁଚିକର ଲାଗିଲେ ବି ଦାନ୍ତ ନେଫେଡି ଖୁସି ସରାଗରେ ଓଡ଼ିଶା ପ୍ରତି ନିଜ ଜନ୍ମମାଟି ପ୍ରତି ଅହେତୁକ ଭଲ ପାଇବାର ସ୍ଵତଃସ୍ଫୁର୍ତ୍ତି ଉଦ୍‌ବେଳନ ଲାଗେ । ବିଦେଶ ମାଟିରେ ରହି, ଘର ପରିବାର ଠାରୁ ଯୋଜନ ଯୋଜନ ଦୂରରେ ରହି, ଆତ୍ମୀୟ ସୋଦର ମାନଙ୍କୁ ନ ଦେଖି ଓଡ଼ିଆ ପୁଅର ପ୍ରାଣ ସତ୍ତାରେ ଯେଉଁ ଅଭାବ ରହିଥାଏ, ଖବର କାଗଜ ମାଧ୍ୟମରେ ଓଡ଼ିଆ ଅକ୍ଷର ସହିତ ଆଜିର ମୂଖ୍ୟ ଖବର ଚୁମ୍ବକୀୟ ଢଙ୍ଗରେ ନିଜେ ପଢି -ଜାଣି ଅନ୍ୟ ସାଙ୍ଗ ସାଥୀଙ୍କୁ ଶୁଣେଇ ପ୍ରକାରାନ୍ତରରେ ଉତ୍କଳ ପ୍ରୀତି ଜଗେଇ ଉଦ୍ରେକ କରିବାର ଅଭିନବ ଉପାୟ ବାହାର କରିଛନ୍ତି ଭାବୁଆ ମହାଶ୍ରୟ । ସାଧୁବାଦ ଅସରନ୍ତି ମିଳେ ପ୍ରବାସି ଓଡ଼ିଆ ମାନଙ୍କ ଠାରୁ । ବେଳେ ବେଳେ ଓଲଟା ବି ମିଳେ । କଞ୍ଚା ଗାଳିରେ କିଛି ଅନ୍ତରଙ୍ଗ ସାଙ୍ଗସାଥି ପୋତି ପକାନ୍ତି କାରଣ ପାହାନ୍ତି ପ୍ରହରର ସୁଖ ନିଦ୍ରାରେ ବ୍ୟାଘାତ ଘଟିଲେ ଖବର ପଠନ-ପାଠନରେ । ରାଗ ବଦଳରେ ଖୁସି ଝରୁଥାଏ, ହସ ଖେଳିଯାଏ ଭାବୁଆ ବାବୁଙ୍କ ମୁଖମଣ୍ଡଳରେ । ଓଡିଆଙ୍କ ଗାଳି ସଂସ୍କୃତ ଭାଷା ଠୁଁ ବି ବେଶି ମଧୁର ସରସ ସୁନ୍ଦର ଲାଗେ ବିଦେଶ ମାଟିରେ ସାରଜା ତତଲା ମରୁଭୂଇଁରେ । ଯେମିତି ଅସରାଏ ବର୍ଷାର ଆଗମନରେ ଚାଷୀ ଖୁସି, ବିଦେଶରେ କଞ୍ଚା ଓଡ଼ିଆ ମା'-ଭଉଣୀ ଗାଳି ଆତ୍ମତୃପ୍ତି ଆଣିଦିଏ ।


ଆଜି ଶୁଭ ଉତ୍କଳ ଦିବସ ଏପ୍ରିଲ ୦୧ ତାରିଖ । ସମଗ୍ର ବିଶ୍ଵ ଏପ୍ରିଲ ଫୁଲ୍‌ (ବୋକା ) ଦିବସ ପାଳୁଥିବା ବେଳେ ଓଡ଼ିଶା ୧୯୩୬ ମସିହାରୁ ଭାରତ ସ୍ଵାଧିନ ହେବାର ୧୧ ବର୍ଷ ପୂର୍ବରୁ ନିଜକୁ ନିଜ ଅଞ୍ଚଳକୁ ଓଡ଼ିଆ ଭାଷାଭାଷୀ ଭଉଣୀ ଭାଇଙ୍କୁ ଧରି ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଥିବାର ଗୌରବ ଗାଥା କାନରେ ଅନୁରଣିତ ହେଉଥିଲା ସକାଳ ପ୍ରହର ପୂର୍ବରୁ । ଉତ୍କଳର ବରେଣ୍ୟ ବରପୁତ୍ରମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ବଳିଦାନ, ଦାସ - ସେନାପତି-ମେହେର- ଗଜପତି -ଦାଶଙ୍କ ତ୍ୟାଗପୂତ ସମର୍ପଣକୁ ମନେପକାଇ ଶ୍ରଦ୍ଧାଂଜଳି ପ୍ରଦାନ କରିବାକୁ ଇଚ୍ଛା କରୁଥିଲା ମନେ ମନେ ଭାବୁଆ ।


ଖବରକାଗଜର ପୁଷ୍ଠା ଖୋଲୁ ଖୋଲୁ, ଗୋଟିଏ ପରେ ଗୋଟିଏ ପେଜ୍‌ ଓଲଟାଉ ଓଲଟାଉ ମନରେ ମଗଜରେ ମସ୍ତିସ୍କରେ ଶୀରା ପ୍ରସିରାରେ ଧମନୀରେ ଖୁସିର ଲମ୍ବା ଲହରୀ ଖେଳିଗଲା ---- ଭୁବନେଶ୍ଵର- ଦୁବାଇ ସିଧା ବିମାନ ଉଡିବ ମେ' ୧୫ ରୁ, ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଟାରମିନାଲ୍-୨ ରୁ ଟିକେଟ ବିକ୍ରୀ ୦୧ ଏପ୍ରୀଲରୁ, ଉତ୍କଳ ଦିବସରେ ମହାମହିମ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରବାସୀ ଦୁବାଇ ବାସୀ ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ଭେଟି ---- ଇତ୍ୟାଦି ଇତ୍ୟାଦି ମୂଖ୍ୟ ଖବର ପଢି ଓଡ଼ିଶାକୁ ଗାଁକୁ ଘରକୁ ଫେରିବାକୁ ପ୍ରବଳ ଇଛା ହେଲା । ବହୁ ଦିନରୁ ସୁପ୍ତ ମୃତ ଘର ଲେଉଟାଣୀର ଚର୍ଚା ପୁଣି କଡ଼ ଲେଉଟିଲା । ଭାବନାରେ ଗାଁ ଦାଣ୍ଡ, ଘର ଅଗଣା, ବାପା-ବୋଉ, ଦୁଇ ଅପା, ଓଡ଼ିଆ ଖାଦ୍ୟ-ତିଅଣ, ପୂଜା-ପାର୍ବଣ ଭାବୁଆକୁ ଖୁସି ସାଗରରେ ଭବୁଟୁବୁ କରେଇବା ଆରମ୍ଭ କରିଦେଲେ ।


ଦୀର୍ଘ ପାଞ୍ଚଟି ବସନ୍ତ ଅତିବାହିତ କରି ସାରିଲାଣି ଭାବୁଆ ସାରଜାରେ ।

ପ୍ରଥମ ବର୍ଷ କରଜ ସୁଝିବାରେ ଗଲା । ଦ୍ଵିତୀୟ ଓ ତୃତୀୟ ବର୍ଷର ଟଙ୍କା ଦୁଇ ସାନ ଭଉଣୀ ବାହାଘରରେ ଖର୍ଚ୍ଚ ହେଲା । ଚତୁର୍ଥ ବର୍ଷ କିଛି ଟଙ୍କା ବଂଚେଇ ସଂଚେଇ ଥିଲା ଘରକୁ ଆସିବା ପାଇଁ, କିନ୍ତୁ ବାପାଙ୍କ ଦେହ ଅଚାନକ ଖରାପ ହେବାରୁ ସେଇ ଅର୍ଥ ସବୁ ଆମ୍ରୀ ହସପିଟାଲ ଭୁବନେଶ୍ଵରରେ ବାପାଙ୍କ ଚିକିତ୍ସା ବାବଦରେ ଖର୍ଚ୍ଚ ହେଲା । ଘରକୁ ଆସିବା ସ୍ବପ୍ନ ସ୍ୱପ୍ନରେ ରହିଗଲା ଆଉ ବାପା ବି ଆରପାରିକୁ ଚାଲିଗଲେ ଆମ ସମସ୍ତଙ୍କୁ ଦୁଃଖ ସାଗରରେ ଭସେଇ ଦେଇ। କରେ। ନା ମହାମାରୀର କରାଳ ଲେଲିହାନ ଶିଖାର ବିସ୍ତାର ଯୋଗୁଁ ପୂରା ଦୁନିଆ ଘରେ ନଜରବନ୍ଦୀ । ଭାବୁଆ ବାପାଙ୍କ ମଲା ମୁଁହରେ ନିଆଁ ବି ଦେବାକୁ ଆସି ପାରିଲାନି । ସତରେ ବଡ଼ ହତଭାଗା ହୀନକର୍ମା ପୁଅ ଭାବୁଆ । ବାପାଙ୍କ ଶେଷ ଦର୍ଶନ ଦଣ୍ଡବତ ପ୍ରଣିପାତ ବି ଭାଗ୍ୟରେ ନାହିଁ ? 


ଘରେ ବିଧବା ବୁଢୀ ମା' ଏକାକୀ ରହୁଥିଲେ ମଧ୍ୟ ଘରକୁ ଆସିବାକୁ ଛାତିରେ ଦମ୍ଭ ନ ଥିଲା । କାରଣ ପକେଟ ଶୂନ୍ୟ ଓ ବ୍ୟାଙ୍କ ଖାତାରେ ବି ବାଲାନସ୍ ଶୂନ । କେଉଁ ମୁଁହରେ ଘରକୁ ଫେରିବ କହିଲ ଦେଖି : 


ପୁଅ ପିଲା ଭାବଗ୍ରାହୀ । ଯୁଆନ ହେଲାଣି । ଧିରେ ଧିରେ ସବୁ ଜ୍ଞାନ ଗୁପତ କଥା ମନକୁ ହେଜିଲାଣି । ଖାଲି ହାତରେ ଗାଁକୁ ଗଲେ ଲାଜ ମାଡିବନି । ଆତ୍ମସମ୍ମାନ ବି ଗୋଟେ ଅଛି ନା ନାହିଁ ? 


ମନରେ ଘରକୁ ଫେରି ଆସିବାର ଇଚ୍ଛା ପ୍ରବଳ ହେଉଥିଲେ ବି ପକେଟ ଶୂନ୍ୟ ତଥା ଆନୁସଂଗିକ ଅପମାନ ବୋଧ ଭାବଗ୍ରାହୀ ବାବୁଙ୍କୁ ବାରମ୍ଵାର ନ ଆସିବାକୁ ବାଧ୍ୟ କରୁଥିଲା ।


ମା' କହୁଥିଲା - ଆମର ପଇସା ପତ୍ର ଦରକାର ନାହିଁ । ଦୀର୍ଘ ପାଞ୍ଚ ବର୍ଷ ହେଲା ତୋତେ ମୁଁ ଦେଖିନି, ମୋ ଆଖିରେ ମୋତିଆବିନ୍ଦୁ ହେଲାଣି । ପରଳ ପଡିଗଲାଣି । ତୋତେ ମୁଁ ଆଉ ଦେଖି ପାରିବିନି ରେ ଭାବୁଆ । ତୁ ଯାଇ ରହିଲୁ କାହିଁ କେତେ ଦୂର ସାତ ଦରିଆ ତେର ନଈ ଡେଉଁ । ତୋ ବାପା ବି ଚାଲାକି କରି ଛୁ" ମନ୍ତର ମାରିଲେ ଆର ପାରିକୁ ଯେ, ମୋ ହାତ ପାଉଛି ଯେ ତୁମ ଦୁହିଁଙ୍କୁ କିଛି କହିବି ? ରାତିରେ ବିଛଣାରେ ଏକା ଏକା । କାଉ କୋଇଲି କେହି କେଣେ ନାହିଁ ? ଘର ଜଞ୍ଜାଳ ସବୁ ମୁଁ ଆଉ ସମ୍ଭାଳି ପାରୁନିରେ ଭାବୁଆ ? ନଇଁ ଗଲିଣି ସଂସାର ଯାକର ବୋଝ ମୁଣ୍ଢେଇ ମୁଣ୍ଡେଇ । 


ଭାବୁଥିଲି ଏହି ଫଗୁଣରେ ତୋ ବାହାଘର କରିବି ବୋଲି ମନସ୍ଥ କରିଥିଲି । ପାଖ ରାଣୀଖୁଡ଼ି ଗାଁର ମକରା ସାହୁର ସୁନାନାକୀ ଗୌରାଙ୍ଗୀ ଝିଅଟେ ଦେଖିଥିଲି । ଜାତକ ବି ମିଳେଇ ଥିଲି । ପୁରା ରାଜଯୋଟକ । ଷୋଳ ଅଣା ମିଶିଛି । 


ଆଜିକାଲିକା ମୋବାଇଲ ଯୁଗର ଝିଅ ଘିଅ । ପୁଅର ଫଟୋ ଦେଖି କାହିଁ ମାନିବ ମେଞ୍ଚଡ ଟୋକୀଟା । ବାପା-ଦାଦା ଡରରେ କିଛି କହୁନି ତୁଣ୍ଡ ଖୁଲି । କିନ୍ତୁ କିଏ ନ କହିବ, ତା'ର ଅଭିଆଡି ମନ ବଦଳି ଯିବିନି ତରଳି ଯିବିନି ? ଆଉ ଆମ ଭାବୁଆ କହୁଛି ମୁଁ ଘରକୁ ଆସି ପାରିବିନି । ପୁଅ ର ଦେଖା ନାହିଁ, ନାତି ର ନାଁ ଗୋପାଳିଆ । 


ପୁଣି ଭାବିଲା ବୁଢୀ । ଲାଗୁଛି ନୂଆ ବୋହୁ ହାତ ପରସା ମୋ ଭାଗ୍ୟରେ ନାହିଁ ବୋଧେ । ନିଜ ସୁନାତ ଭେଣ୍ଡି, ପର ଝିଅକୁ କାହିଁକି ଦାୟୀ କରିବି କହିଲ ଦେଖି । ହାଏ ରେ ବିଧାତା ! କିଛି ଗୋଟେ କରିଦେ ଚମତ୍କାର । ପୁଅ ଭାବୁଆ କଣ୍ଠରେ ବସି ତା' ମନରେ ଘରକୁ ଆସିବାର ଉତ୍କଣ୍ଠା ଭରିଦେ ଜଗନ୍ନାଥ । ମାନସିକ ରହିଲା । ତୋ ବଡ ଦେଉଳରେ ନେତ ବାନ୍ଧିବ ମୋ ନାତି । କଥା ରହିଲା ମୋ' କାଳ କାଳକୁ । ନ ବାନ୍ଧିଲେ ନେତ, ଚମଚଟା ହେଇ ତୋ ଉତ୍ତର ଦ୍ଵାରରେ ପାତକୀ ଜୀବନ ଜିଇଁବି । ତ୍ରିବାର ସତ୍ୟ ମହାବାହୁ । --- ହାତ ଉପରକୁ କରି ବୁଢୀ ଶୂନ୍ୟକୁ ଚାହିଁ ମନେ ମନେ କିଛି ଗୁଣୁଗୁଣେଇ ଶୁଣି ଶୁଣେଇ କହୁଥିଲା ଓ ଲୁହ ଝରେଇ ଚାଲିଥିଲା ।


ପ୍ରତ୍ୟେକ ଦିନ ଫୋନରେ ସେହି ଗୋଟିଏ କଥା । " ପୁଅ ଭାବୁଆ ! ମୋର ଟଙ୍କା ପଇସା ଦରକାର ନାହିଁ ରେ । ତୁ ପରା ମୋର ଗଣ୍ଠିଧନ । ମୋର ତୁହି ଦରକାର । କରୁଣା ବଢିଲାଣି ପୁଣି । ତୁ ଧାର କରଜ କରି ଟିକଟ ଟା ଯେନ ତେନ ପ୍ରକାରେଣ କରି ଭଡ଼ାଜାହାଜରେ ଉଡି ପଳେଇଆରେ ମୋ ଧନ । ସେ ବିଦେଶ ମାଟି ଛାଡି ଦେ । ଢେର ଦିନ ରହିଲୁ । ଗୋଟେ ଅଧେ ନୁହେଁ ରେ ଭାବୁ ଆ -- ପାଞ୍ଚ ବରଷ - ୧୮୨୫ ଦିନ, ୩ ଲକ୍ଷ ସପ୍ତାହ, କେତେ ଅୟୁତ ନିୟୁତ ମିନିଟ, କେତେ ଖର୍ବ- ପରାର୍ଧ ସେକେଣ୍ଡ । ମୁଁ ପାଠ ପଢିନି ବୋଲି ମୋତେ ଏବାଡୁ ସେବାଡୁ ଆଡ଼ବାୟା କଥା କହି ବୋକୀ ଭାବିଲୁ କି ? ପାଠ ପଢିନି ବୋଲି ମୁଁ କଣ ଗଣିବା ହିସାବ କରିବା ଶିଖିନି ? ମୋ ହାତ ରେଖାରେ ପରା ସବୁ ହିସାବ ସବୁ ମିଶାଣ ଫେଡାଣ । କିସ ଭାବୁଛୁ କି ଭାବୁଆ ? ତୋ ମା' ଟି ପରା । ତୋତେ ପରା ଜନମ ଦେଇଛି । ତୁ ମୋ ଆଗରେ ବଲାଙ୍ଗି ଦେଖେଇବୁ ।


ବଡ଼ ଭଉଣୀ ଶାନ୍ତି ଅପା ତୁଣ୍ଡରେ ବି ସେହି ଗୋଟିଏ କଥା ଭିଡ଼ିଓ କଲ୍ କଲେ ବା ହ୍ଵାଟ୍ସଆପ୍ ଚାଟିଙ୍ଗ କଲେ । " ଶୁଣୁଛୁ ଭାବୁଆ ! ପଇସା ପତ୍ର ଦେହର ମଳି ପରା ବାପା ଆମକୁ ଶିଖେଇ ଥିଲେ । ଆମର ସେ ସବୁ କିଛି ବି ଦରକାର ନାହିଁ । ଆମର ଖାଲି ଦରକାର ସାନ ଭାଇ ଭାବୁଆ ସ୍ନେହର ଭାବଗ୍ରାହୀ ଆମ ଆଗରେ ସ-ଶରୀରରେ ଛିଡ଼ା ହେଇଛି । ରଜ- ସଂକ୍ରାନ୍ତିରେ, ପର୍ବ ପର୍ବ।ଣୀରେ ଆମ ଗହଣରେ ବସି ଖୁସି ଗପ କରୁଛି । ମୋ ହାତ ରନ୍ଧା ସୁସ୍ଵାଦୁ ଖାଦ୍ୟ ବ୍ୟଞ୍ଜନକୁ ଚାଟି ଖାଉଛି ଆଉ ମୋ ପଣତ କାନିରେ ମୁଁହ ପୋଛି କହୁଛି, ଶାନ୍ତି ଅପା ! ବୁଝିଲୁ ! ବିଦେଶରେ ଏ ସବୁ ସ୍ନେହ ଶ୍ରଦ୍ଧା ନାହିଁ ରେ ଅପା । ଆମେ ଗରିବ ହେଇ ପାରୁ, କିନ୍ତୁ ଶାଗ ପଖାଳରେ ବି ଆମେ ତୃପ୍ତ । ଛେନା ଛତୁ ଆମର କିସ ହେବ କହିଲୁ ? ତୁ ପଳେଇ ଆ । ତୁ ଜଲଦି ଧାଇଁ କି ଆସି ଯା ?

" ଦୁବାଇ ରୁ ଦୌଡି ଦୌଡି କାହିଁକି ଚାଲି ଚାଲି ଆସିବ ? ବୋକୀ କଉଁଠି କାର । ସାନ ଭାଇ ପ୍ରେମ ଖାଲି ଉଛୁଳି ପଡୁଛି । କେଉଁଠି ଥୋଇବି ?--- ଭିଣେଇ ଭାଇଙ୍କର ତୀର୍ଯ୍ୟକ ବାକ୍ୟବାଣ ଭିତରେ ଲୁଚି ରହିଥିବା ଅସରନ୍ତି ଭଲ ପାଇବାର ବାସ୍ନା ବେଶ୍ ଅନୁଭବ କରି ପାରୁଥିଲା ଫୋନରେ ଝାପସା ଝାପସା ଶୁଣି ଶୁଣି । ମନେ ମନେ କୁରୁଳି ଉଠୁଥିଲା ବଡ଼ ଆପାର ଆନ୍ତରିକ ବିଶାଳ ହୃଦୟ ଆଗରେ । ଘରକୁ ଆସିବାର ଆଗ୍ରହ, ଗାଁ ଦାଣ୍ଡର ମହକ, ଘର ଅଗଣାର ସବୁ ଚିତ୍ର ଭାବୁଆ ମୁଣ୍ଡରେ ଗୋଳେଇ ଘାଣ୍ଟି ଫେଣ୍ଚେଇ ମିଶେଇ ପୂରା ପୁରି ଗେଲ ରସରେ ଫେଶ ।


ମଝିଆଁ ବାସ ଅପା । ବାସନ୍ତି ଅପା ସମସ୍ତେ ଡାକିଲେ ବି ଭାବୁଆ ଛୋଟ ବେଳୁ ବାସ ଅପା ଡ଼ାକେ । ବେଳେ ବେଳେ ରାଗରେ ବାସ ନା ବାସଙ୍ଗ ଫଟା ମୃଦଙ୍ଗ କହି ଦାନ୍ତ ଦେଖେଇଲେ ମିଛି ମିଛିକା ଝିମିଟି ଖେଳ ବି ଲାଗି ଯାଉଥିଲା । ବାସ ଅପା ସହିତ କେଇ ପଦ ଫୋନରେ କଥା ହେଇଗଲେ, ସବୁ ପିଲା ଦିନର ସୁନ୍ଦର ଶୈଶବ ବେଳରେ ନସର ପସର ହସ କାନ୍ଦର ପଛକୁ ପଛ ସରୁ ନ ଥିବା କଥା- ନଥା ସବୁ ଗୋଟି ଗୋଟି ମନ ପଟଳକୁ ଧାଇଁ ଆସନ୍ତି । କେତେ କାଖେଇଚି ମୋତେ ମୋ ବାସ ଅପା । ମୋ ପାଇଁ କେତେ କଳି କଜିଆ କରିଛି, କେତେ ମାଡ-ଗାଳି ବି ଖାଇଛି, କେତେ ଗଞ୍ଜଣା- ଓଲଗୁଣା ସହିଛି, କିନ୍ତୁ ସବୁବେଳେ ଢାଲ ପରି ଛାଇ ପରି ଜଗିଛି ଆପଦ ବିପଦରୁ । ସବୁ ମନରେ ସାଇତା । ସବୁ ମନ ମସ୍ତିସ୍କର ହାଡ଼ ଡିସ୍କର ପାରମାନେଣ୍ଟ ମେମୋରୀରେ ସେଭଡ୍‌। ଭୁଲିବାର ନୁହେଁ । ଆମେ ଦୁଇ ଭାଇ ଭଉଣୀ ପରା ଆଗଲା- ପିଛିଲା । ସବୁ ବେଳେ ଜିନ୍ ରୁ ବନ୍ଧ। । ଡିଏନଏ ଷ୍ଟ୍ରକଚରରେ ଛନ୍ଦା ।

ସବୁ ବୁଝିପାରେ ଭାବୁଆ । ଭାବନାର ସୂଅରେ ଆଖି କୋଣରେ ଆପେ ଆପେ ଝଲକି ଉଠେ କେଇ ବୁନ୍ଦା ଲୁହ । ପୋଛିବାକୁ ଇଛା ବି ହୁଏନା । ମନରେ ଅହେତୁକ ଅନବରତ ଅବଦମିତ ଘରକୁ ଫେରିବାର ଇଚ୍ଛାଫୁଲ ନିତି ଫୁଟେ । ମାତ୍ର ପଇସାର ଘୋର ଅନଟନ ତଥା କର୍ତ୍ତବ୍ୟର ମହଣ ମହଣ ବୋଝ ଆଗରେ ସବୁ ଟାଇଁ ଟାଇଁ ଫିସ୍‌ ହେଇଯାଏ । ଧୂଆଁ ବାଣ ଭଳିଆ କିଛି କ୍ଷଣ ପରେ କୁଆଡେ ମିଳେଇ ଉଭେଇ ଯାଏ । 


ଯାହା ବି କୁହ ଭାବୁଆ ବି ଜଣେ ମଣିଷ ପୁଅ । ତା'ର ବି ଗୋଟିଏ ହୃଦୟ ଅଛି ମନପ୍ରାଣ ଅଛି । ମା' ର କରୁଣ ଭଦାସୀ ଆଖି ଆଗରେ, ଶାନ୍ତି ଅପାର ସ୍ନେହ ଶ୍ରଦ୍ଧା ସାଙ୍ଗରେ, ବାସ ଅପାର ଥୁନ୍‌ ଥୁନିଆ ମେଘୁଆ ମୁଁହ ପାଖରେ ଭାବୁଆର ଟାଣ ଚଟାଣ ପରି ଦମ୍ଭ ବାଲିବନ୍ଧ ପରି ଭୁସୁଡିଗଲା । କାରଣ କାହାରି ଟଙ୍କା ପଇସା ଦରକାର ନାହିଁ, କେବଳ ଭାବୁଆର ରକ୍ତ ମାଂସର ଶରୀର ତଥା ଛନ ଛନ କନ କନ ଭାବନାରେ ଗୁଣମୁଗ୍ଧ ସୁସ୍ଥ ସବଳ ହସ ହସ ମୁଖ ଆସର ।

ମନରେ ସାହାସ ବାନ୍ଧିଲା । ସାଙ୍ଗ ସାଥିଙ୍କ ଠାରୁ କିଛି ହାତ ଉଧାରୀ କରି ଇଣ୍ଡିଗୋ ଗୋ ଏୟାର ଉଡାଜାହାଜରେ ଟିକଟ କରିନେଲା ଅନ୍ ଲାଇନ୍ ରେ ମୋବାଇଲ୍‌ ରେ । ପୁଣି ଦୁବାଇରୁ ସିଧା ଭୁବନେଶ୍ଵର । ଆସିଥିବା ବେଳେ 6କାଣାର୍କ ଏକସ୍ପ୍ରେସରେ ମୁମ୍ବାଇ ଓ ସେଠାରୁ ଦୁବାଇ ଫ୍ଲାଇଟ୍ । କେତେ କଷ୍ଟ ଦହଗଞ୍ଜ । ଏଥିର ସବୁ ସ୍ଵାହା । ସିଧା ସାଉଦି ଆରବରୁ ଭୁବନେଶ୍ଵର । ମାତ୍ର କେଇ ଘଣ୍ଟାର ରାସ୍ତା । ବିଶ୍ୱାସ କରି ପାରୁ ନ ଥିଲା ନିଜକୁ ଭାବୁଆ ଯେ ସେ ଘରକୁ ଫେରୁଛି ।


ଭାବିଲା ମୁଣ୍ଡ ଉପରେ ସେମିତି କିଛି ବଡ଼ ବୋଝ ନାହିଁ କାନ୍ଦେଇବାକୁ । ଗାଁ ରେ କିଛି କାମଧନ୍ଦା କିରି ଚଳିଯିବି । ଗୋଟେ ହାର୍ଡ଼ୱ୍ଵାର ଷ୍ଟୋର କରି ଗାଁ ମାର୍କେଟରେ ବସିଯିବି । ମା'-ପୁଅ ଦୁଇ ପ୍ରାଣୀର କୁଟୁମ୍ବ । ଦୁଇ-ଚାରି ମୁଠା ଫୁଟେଇ ଦେଲେ କାଲିକି ପଖାଳ ବଳିବ ।

ସବୁ ଭାବନାର ଅନ୍ତ ଘଟିଲା । ଶୁଭ ଦିନ ଆସିଲା । ଭାବୁଆ ପାଞ୍ଚ ବର୍ଷର କର୍ମଭୂମୀ ଦୁବାଇ ସହର ଛାଡି ଭୁବନେଶ୍ଵର ଓ ପରେ ପରେ ପାଣି କୋଚ୍ ଶୀତତାପ ନୀୟନ୍ତ୍ରୀତ ବସ୍ ରେ ବସି ଗାଁରେ ପହଁଚିଲା ମୁଁହ ସଞ୍ଜବେଳେ । 

ଘରେ ସେଦିନ ଗହଳ ଚହଳ । ଗାଁ ଟା ଯାକର ମରଦ-ମାଇପେ ପିଲା-ଝିଲା ସବୁ ଭାବୁଆ ଘର ପିଣ୍ଡାରେ ଅଗଣାରେ ଘରେ ବାହାରେ ରାସ୍ତାରେ ଦାଣ୍ଡରେ । ସମସ୍ତେ ବେଶ୍ ଖୁସି ଚଳ ଚଞ୍ଚଳ । ପାଞ୍ଚ ବର୍ଷର ଲମ୍ବା ବ୍ୟବଧାନ ପରେ ଗାଁର ମରଦ ପୁଅ ହଟ୍ଟା କଟ୍ଟା ଗଜା ନିଶୁଆ ଟାଣୁଆ ଯବାନ ପୁଅ ଗାଁକୁ ଫେରିଛି । କରୁନା ମହାମାରୀ କେତେ ସାନ ବଡ଼ଙ୍କୁ ତା'ର ଲୁହା ଠାରୁ ଶକ୍ତ ପଞ୍ଜାରେ କବଳିତ କରି ଆରପାରିକୁ ପଠେଇ ଦେଲା । କେହି କିଛି କରି ପାରିଲେ କି ? ଭାବୁଆ ତ ବିଦେଶରୁ ନୁହଁ ଯମରାଜ ମୁହଁରୁ ଫେରି ଆସିଛି । ସମସ୍ତ ସମବେତ ଜନତା ଜନାର୍ଦ୍ଧନଙ୍କ ମୁଖ ମଣ୍ଡଳରେ କେବଳ ସେହି ଗୋଟାଏ ବାକ୍ୟ ।


ଭାବୁଆର ବୁଢୀ ମା' କୁ ଦେଖିବାର ଥିଲା । ଶ୍ରୀର୍ଣ୍ଣକାୟା ଆଜି କିଛି ଅପୂର୍ବ ଅନିର୍ବଚନୀୟ ମୁଦ୍ରାରେ ଚଳଚିତ୍ରରେ ରଙ୍ଗୀନ ରଙ୍ଗମଞ୍ଚ ପରି ଚଳ ଚଞ୍ଚଳ । ଆଖିରେ ଖୁସି ଲୁହର ଉତ୍ତାଳ ତରଙ୍ଗ । ମନରେ ଖୁସି ଫୁଲର ଭାବ ଉମଙ୍ଗ । ନିଜ ନୟନ ପିତୁଳାକୁ ହାତ ପାଆନ୍ତ୍ରାରେ ପାଇ ଦୀର୍ଘ ପାଞ୍ଚ ବର୍ଷର ବିନିଦ୍ର ରଜନୀ ପରେ, ଖାଲି କୁଣ୍ଢେଇ ଧରି ବୋକ ପରେ ବୋକ, କପାଳରେ ଚୁମା ପରେ ଚୁମା, ଚିବୁକରେ ମଥାରେ ଖାଲି ସ୍ନେହିଳ ପରଶ । ସତରେ ମା'- ପୁଅର ନୈସର୍ଗିକ ମିଳନ ପର୍ବ ସମସ୍ତଙ୍କୁ ସ୍ତବ୍ଧ କରିଥିଲା ଆଖି କୋଣ ସହିତ ପଣତ କାନି ବି ଭିଜେଇ ଥିଲା ।


ଦ୍ଵିତୀୟ ଦିନ ବଡ଼ ଅପା ଶାନ୍ତି ଅପା ଘରକୁ ଯିବାକୁ ମା' ଆଗରେ ପ୍ରସ୍ତାବ ରଖିଲା ଭାବୁଆ । ଶାନ୍ତି ଅପାକୁ ଦେଖା କରିବାକୁ ଦଶ କିଲେମିଟର ଦୂର ମଧୁପୁରା ଗାଁ ଯିବାକୁ ମା' କୁ କହିଲା । ବୁଢୀ ମା' ବି ରାଜି ହୋଇଗଲା ଅବିଲମ୍ବେ । ନେବ କ'ଣ ? ଖାଲି ହାତରେ କ'ଣ ଯିବ ? ପାଞ୍ଚ ବର୍ଷ ପରେ ଅପା ଘରକୁ ଯାଉଛି, ବିଦେଶରୁ ଫେରନ୍ତା ମାମୁଁ ଭଣଜା-ଭାଣିଜିଙ୍କ ପାଇଁ କିଛି ମିଠା-କପଡ଼ା ବିନା ଯିବ କେମିତି ? ଶାନ୍ତି ଅପା ତ କହୁଥିଲା ମୋର କିଛି ପଇସା-ଜିନିଷ ଦରକାର ନାହିଁ, ଖାଲି ତୋତେ ଦୁଇ ଆଖି ପୁରେଇ ଦେଖିବି । 

ଯାହାହେଉ ଏମିତି ସେମିତି ଆଲୋଚନା-ପର୍ଯ୍ୟାଲୋଚନା ମା'-ପୁଅ ମଧ୍ୟରେ ଚାଲିଲା କେଇ ଘଣ୍ଟା । ଜଳଖିଆ ପରେ ମା' ଝୁଲାରେ କିଛି ଶାଗ- ନଡ଼ିଆ -ତରକାରୀ କଦଳୀ ପୁରେଇ ଭାବୁଆ ହାତରେ ଦେଲା । ଭାବୁଆ ବାପାଙ୍କ ପୁରୁଣା ସାଇକେଲରେ ଚାଲିଲା ଶାନ୍ତି ଆପାର ଶାଶୁ ଘରକୁ । 


ଘଣ୍ଟାଏ ପରେ ମଧୁପୁରା ରେ ପହଞ୍ଚିଲା ଭାବୁଆ । ସମସ୍ତେ ଖୁସି । ଭିଣୋଇ - ଅପାର ଶାଶୁ - ଶ୍ୱଶୁର ଆହୁରି ଖୁସି । କୁନି ଭଣଜା-ଭାଣିଜୀ ମାମୁଁ ଆସିଛି କହି ଘର ଦୁଆର କମ୍ପେଇ ଦେଉଥାନ୍ତି । ରଘୁଆ କୁ ଖୁସି ଲାଗିଲା ଯାହାହେଉ ଶାନ୍ତି ଅପା ଖୁସିରେ ଅଛି, ଚଳ ଘର ତଥା ଭିଣୋଇର ମଧୁପୁରା ମାର୍କେଟର ଟାଇଲ ଓ ସାନିଟାରୀ ଦୋକାନ ବି ଭଲ ଚାଲିଛି । ଜମି ବାଡ଼ି ଷୋଳଶା ପାଣ୍ଠରେ ପାଞ୍ଚ-ଛଅ ଏକର ତିନି ଫସଲିଆ କେନାଲ କୂଳିଆ । ମାଂସ ଭାତ ଖାଇ ସଂଧ୍ୟାବେଳକୁ ୧୦୦ ଟଙ୍କା ଭଣଜା ଓ ଭାଣିଜୀ ହାତରେ ଦେଇ ଘରକୁ ଖୁସି ଖୁସି ଫେରିଲା । ଆପା ମନା କରୁଥିଲା ଓ ଅପାର ଶାଶୁ ଆଉ ଥରେ ଆସିବାକୁ ବାରମ୍ଵାର କହୁଥିଲା ।


ତୃତୀୟ ଦିନ ବାସ ଅପା ଘରକୁ ଯିବାର ଥିଲା । ପକେଟରେ ପଇସା ଶୂନ । ଖାଲି ହାତରେ ଯିବାକୁ ମନରେ ତିଳେମାତ୍ର ଇଚ୍ଛା ହେଉ ନ ଥିଲା ଭାବୁଆର । ମାତ୍ର ମା'ର ଶତ ଶତ ଅନୁରୋଧ ତଥା ବାସ ଅପା ବାହାଘର ପରେ କେମିତି ଦିଶୁଥିବ, ଏହି ସବୁ କଥାକୁ ଭାବି ଭାବି ଆତ୍ମସମ୍ମାନକୁ ପଛକୁ ଠେଲିଦେଇ ୩୦ କିଲୋମିଟର ଦୂର ଆରୁଆଦାମ ଗ୍ରାମରେ ପହଞ୍ଚିଲା । ଘର ପଛରେ ବିରାଟ ପହଣା ଗଡ଼ିଆ । ଭିଣୋଇ ଭାଇ ସଳା ଆସିବା ଖୁସିରେ ଜାଲ ପକଉଥାନ୍ତି । ବଡ଼ ବଡ଼ ରୋହି-ଭାକୁତ- ମହୁରାଳି ସବୁ ଧରାହେଲା । ଖୁବ୍ ଧୁମ୍ ଧାମ୍ ରେ ଦ୍ଵି-ପହରେ ଭୋଜନ ପର୍ବ ସମାପନ ହେଲା । ବାସ ଅପା ସହ ବସି ନିରୋଳାରେ କେତେ ଖୁସି ଗପ ହେଲା । ଘରକୁ ଫେରୁ ଫେରୁ ମନେ ମନେ ସରଗ ପୁରୀରେ ଥିବା ବାପାଙ୍କ କଥା ବାରମ୍ଵାର ମନକୁ ଆସୁଥିଲା । ଯାହାହେଉ ଦୁଇ ଅପାକୁ ଭଲ ଘରେ ବାହା ଦେଇଛନ୍ତି । ଅଭାବ - ଅସୁବିଧାର ତିଳେମାତ୍ର ଚିହ୍ନ ବର୍ଣ୍ଣ ନାହିଁ । ହସିଲା-ଖେଳିଲା ପରିବାର ଅପା ଦୁଇଙ୍କର ନିଜ ଆଖିରେ ଦେଖି ଅତି ପାଖରୁ ଦେଖି ଖୁସିରେ ଆଖି ଛଳ ଛଳ ହେଇଗଲା ଭାବୁଆର । କିଛି ଟଙ୍କା ପଇସା ଆପା ଓ କୁନି ଭଣଜା ହାତରେ ଦେଇ ନ ଆସିବାର ଦୁଃଖ ବି ହେଉ ନ ଥିଲା । 

ସଞ୍ଜ ବୁଡୁବୁଡୁ ରଘୁଆ ଘରେ ପହଞ୍ଚିଲା । ମା' ସଞ୍ଜବତୀ ତୁଳସୀ ଚଉରା ପାଖରେ ଲଗଭ ଥିଲା । ଶଙ୍ଖ ଫୁଙ୍କୁ ଥିଲା । ଗୋଡ଼ ହାତ ଧୋଇ ମା' ପାଖରେ ବସୁ ବସୁ ଅପା ମାନେ ଫୋନରେ କହିଥିବା କଥା ରଘୁଆର କାନରେ ପଡିଲା ----

" ଭାଇ ପାଞ୍ଚ ବର୍ଷ ପରେ ଦୁବାଇରୁ ଆସିଛି, ବିଦେଶରୁ ମାଲାମାଲ ହେଇ ଆସିଛି, ଛୁଆ ମାନକୁ ୧୦୦ ଟଙ୍କା ଧରେଇ ଦେଲା । ଆମେ ତ ଏତେ କମ୍ ବି ଭିକାରୀ- ଫକୀରକୁ ବି ଦେଉନେ ? ଭିଣୋଇ କୁଆଡ଼େ କହୁଥିଲେ କିଛି ମିଠା ନ ଆଣିଲା ନାହିଁ ଛୁଆ ମାନଙ୍କ ପାଇଁ କିଛି ଇମ୍ପୁଟେଡ଼ ଘଡ଼ି କି ମୋବାଇଲ, ବଡ଼ ଅପା ପାଇଁ ସୁନାର ମୁଦି କିମ୍ଵା ହାର ଖଣ୍ଢେ ବି ଆଣି ପାରିଲାନି ? 


ବାସ ଅପାର ଶାଶୁ କୁଆଡେ ଖୁବ୍ ଖୁଣ୍ଟା ମାରି ଶୁଣେଇ ଶୁଣେଇ କହୁଥିଲେ କି, ଭାବୁଆ ଟା ଆସିଲା ପ୍ରଥମ ଥର ଭଉଣୀ ଘରକୁ, ଭିଣୋଇ ଘରକୁ ଖାଲି ହାତରେ, କି ମାମୁଁ ହୋ ! ଗୋଟିଏ ବୋଲି ଭଣଜା । ୫ ଟଙ୍କିଆ କୁରୁ କୁରି ପ୍ୟାକେଟ୍ ଟି ବି ହାତରେ ଧରେଇ ପାରିଲାନି ? ୧୦ ଟଙ୍କା ବି ହାତରେ ଦେଇ ପାରିଲାନି । ବିଚରା ମାମୁଁ ଦେଇଛି କହି ଗାଁ ଦାଣ୍ଡରେ କୁଦି କି କହି ପାରିଲାନି ଆମ ରଘୁ ଟା। ଧିକ୍ ତୋ ଭାବୁଆ ବିଦେଶ ଫେରନ୍ତା ମାମୁଁ । 

ମା' ଆଖିରେ ଲୁହର ବୈତରଣୀ -- ପୁଅ ଭାବୁଆ ବି ଲୁହରେ ଆକ୍ତାମାକ୍ତା । ଲାଗୁଥିଲା ଯେମିତି ନାକ କାଟି ଯାଇଛି ବେହେରା ବଂଶର- କୂଳ - ମାନ ସମ୍ମାନର । ଦୀର୍ଘ ପାଞ୍ଚ ବର୍ଷରେ ପେଟକୁ କାଟି କେତେ କଷ୍ଟ କରି ରାତି ବିରାତି ନ ମାନି ଉଭର ଟାଇମ କରି ଯେଉଁ ଗଦା ଗଦା ପଇସା କମେଇଥିଲା ଦୁବାଇରେ, ସବୁର ହିସାବ ଗୋଟି ଗୋଟି ଆଖି ଲୁହରେ ଭାସି ଭାସି କୂଳ କିନାରା ପାଉ ନ ଥିଲା । 

ମନ ରେ ଶତ ଶତ ପ୍ରଶ୍ନବାଣ । ଘର ବାହୁଡା ଭୂଲ ହେଇ ଗଲା କି ? ଫୋନରେ ଶୁଣିଥିବା ସ୍ନେହ ବୋଳା କଥା ଅପା ମାନଙ୍କର ଛଳନା ଥିଲା କି ନିଖୁଣ ଅଭିନୟ ଥିଲା କି ? ସଂପର୍କ ଓ ଆତ୍ମୀୟତାର ମାପଦଣ୍ଡ ବି ଟଙ୍କା ପଇସାରେ ତଉଲା ଯାଏ କି ? 


ରାତି ସାରା ନିଦ ହେଲାନି । ବିଛଣାରେ ଖାଲି ଗଡ଼ ପଡ଼ । ଏପଟ ସେପଟ । ଉଠିଥିବା ସମସ୍ୟାର ସମାଧାନ ମିଳୁନି ଓ ସମ୍ମୁଖିନ ହେବ।କୁ କିଛି ଉପାୟ ଆସୁନି ।

ପାହାନ୍ତି ହେଉ ହେଉ ଦେଖାଗଲା ବ୍ୟାଗ୍ ସଜାଡୁଛି ରଘୁଆ -- ପୁଣି ଫେରିଯିବ ବିଦେଶ ମାଟିକୁ । ରୋଜଗାର ନାହିଁ ତ ମାନ ସମ୍ମାନ ଛାଡ଼ ଆତ୍ମସମ୍ମାନ ବି ପଦାରେ ରାଜ ରାସ୍ତାରେ ଦି' ଗଣ୍ଡାରେ ନିଲାମ ହେବ ।

ବୁଢୀ ମା' ବି ପଣତ ଭିଜେଇ ରଘୁଆ କୁ ଘରେ ରହିବାକୁ ଘରେ ରହି କିଛି ବ୍ୟବସାୟ କରିବାକୁ କହି ପାରୁ ନ ଥିଲା । 

ପୁଣି ଅନ୍ଧର ଲଉଡ଼ି ଫେରିଯିବ ପରଦେଶ, ଭାଗ୍ୟକୁ ଆଦରି ଚୁପ୍ ଚାପ୍ ଖାଲି ଲୁହ ଝରେଇ ପୁଅର ପଛେ ପଛେ ବସଷ୍ଟପ୍ ଯାଏ ଚାଲିଥାଏ ।


Rate this content
Log in

Similar oriya story from Tragedy