STORYMIRROR

Siddhartha Tripathy

Tragedy Fantasy Inspirational

4.0  

Siddhartha Tripathy

Tragedy Fantasy Inspirational

ଗରୀବ କିଏ

ଗରୀବ କିଏ

5 mins
794



   ଗାଆଁ ସାହୁକାରଙ୍କ ପୁଅ ବିକ୍ରମ। ସୁନ୍ଦର ଚେହେରା ।ସହରରେ ପାଠପଢି ଉଚ୍ଚଶିକ୍ଷିତ। ଆଜି ଫେରୁଛି ଗାଆଁକୁ।ଶରତ ଋତୁ ଆସିଲେ ଦେଖାଦିଏ କାଶତଣ୍ଡୀର ସମ୍ଭାର। ମଳୟ ପବନରେ ବାରିହୁଏ ପାର୍ବଣର ବାସ୍ନା ସହ ମହିଷାମର୍ଦ୍ଦିନୀଙ୍କ ଆଗମନ।ଘରସାରା ଚଳଚଞ୍ଚଳ, ଏକେ ତ ପାର୍ବଣର ଋତୁ, ଦ୍ୱିତୀୟତଃ ଏତେ ବର୍ଷ ପରେ ପଢାସାରି ବିକ୍ରମ ଘରକୁ ଆସୁଛି।

        ସେଇ ଗାଆଁର ବାପମାଆ ଛେଉଣ୍ଡ ଯୁବତୀ ରୁପା ଜମିଦାର ଘରେ କାମକରି ପେଟପୋଷେ। ସାହୁକାର ସ୍ତ୍ରୀ କହିଲେ, ଏଇ.....ଶୁଣୁଛ, ଦେଖ ରୁପା ବିକ୍ରମର ରୁମ୍ ଟା ସୁନ୍ଦର ସଜେଇ ଦେଇଛି । ଗାଆଁ ଝିଅ ହେଲେ କଣ ହେଲା, ପୁରା ସହରୀ ଢାଞ୍ଚାରେ ଘରଟିକୁ ସଜେଇ ଦେଇଛି। ଆମର ସ୍ନେହକାଙ୍ଗାଳ ବିକ୍ରମଟା ଖୁସି ହୋଇଯିବ। ବାରମ୍ବାର ତାର ଗାଆଁ ଛାଡି ସହରରେ ବସବାସ ପ୍ରସ୍ତାବ ହୁଏତ ବଦଳାଇ ଦେବ। ତାଛଡା ରୁପା କହୁଥିଲା, ମାଆ ଛୋଟରୁ ମାଆକୁ ଦେଖିନି। କିନ୍ତୁ ତମେ ମୋତେ ସ୍ନେହ ଦେଇ ବଡ କରିଛ। ଏକମାତ୍ର ପୁତ୍ରର ଗାଆଁ ଛାଡି ସହରରେ ବସବାସ ପାଇଁ ତମେ ଦୁହେଁ ଚିନ୍ତିତ। ହେଲେ ବ୍ୟସ୍ତ ହୁଅନାହିଁ, ବିକ୍ରମବାବୁଙ୍କୁ ନଦେଖିଲେ କଣ ହେଲା, ମୁଁ ନିଶ୍ଚୟ ତାଙ୍କ ମନ ପରିବର୍ତ୍ତନ କରିଦେବି। କଣ ଗୋଟିଏ ହିସାବ କରୁକରୁ ପାୱାରଚଷମାଟି ତଳକୁ କରୁକରୁ "ହଁ " କହିଲେ ସାହୁକାରେ।

       ନିର୍ଦ୍ଧାରିତ ଦିନରେ ପହଞ୍ଚିଗଲା ବିକ୍ରମ। ରାଜକୀୟ ଠାଣି, ରାଜକୀୟ ଚେହେରା। ବିକ୍ରମର ସମସ୍ତ ଦାୟିତ୍ବ ନେଇଥିଲା ରୁପା। ବିକ୍ରମ କହିଲା, ଏ... ରୁପା, ତୁ ତ ସହର ଦେଖିନୁ, ସହରର ଚାଲିଚଳନ, ସହରୀ ସଭ୍ୟତା ଜାଣିଲୁ କେମିତି। ରୁପା କହିଲା ବିକ୍ରମବାବୁ, ମୁଁ ମୁର୍ଖ ନୁହଁ ମ, ଗାଆଁର ସବୁଠାରୁ ପାଠୁଆ ଝିଅ। ତମ ମାଆଙ୍କ ଦୟାରୁ ଗାଆଁରେ ମାଟ୍ରିକ ଯାଏଁ ପଢିଛି। ଠୋ ଠୋ ହସୁଥିଲା ବିକ୍ରମ, ରୁପାର ସରଳ ଉତ୍ତର ଶୁଣି।

    ହଉ ବାବୁ, ଦେଖ ଗାଆଁର ଧାଡିକି ଧାଡି ନଡିଆ ଗଛ, ତମ ବଗିଚାରେ ଛୁଆମାନଙ୍କର ଡାହିମାଙ୍କୁଡି ଖେଳ, ଗାଆଁ ମୁଣ୍ଡ ବରଗଛରେ ପକ୍ଷୀଙ୍କର କଳରବ, ଗାଆଁପାଖ ପୁଷ୍କରିଣୀ ଏସବୁ କଣ ସହରରେ ମିଳିବ ?

     କଥାକଥାରେ ଲକ୍ଷ୍ୟ କଲା ରୁପା, ତାର ସୁଢଳ ଯୌବନ ଉପରେ ନଜର ଗାଢି ରହିଛନ୍ତି ବିକ୍ରମବାବୁ। ସିଧାସଳଖ ତାଗିଦ କଲା ରୁପା, କହିଲା ବିକ୍ରମବାବୁ ଗାଆଁଝିଅଙ୍କ ଈଜ୍ଜତ ତାଙ୍କ ପାଇଁ ସବୁକିଛି। ଶୁଣିଛି ସହରୀଝିଅଙ୍କ ଲୁଗାବଦଳାଇବା ପରି ପ୍ରେମିକ ବଦଳାଇବା ଅଭ୍ୟାସ। ବର୍ଷ ବର୍ଷ ବାହାନହୋଇ ଏକାଠି ରହିବା ପରେ ବାହାଘର ନିଷ୍ପତ୍ତି ନିଅନ୍ତି। ପାଶ୍ଚାତ୍ଯ ସଂସ୍କୃତିର ଅନୁକରଣ। ହେଲେ ଗାଆଁରେ ସେସବୁ ନାହିଁ। ଲାଜେଇଯାଇ ନିଜକୁ ସମ୍ଭାଳି ନେଲା ବିକ୍ରମ।

       ଅନିଚ୍ଛାସତ୍ତ୍ୱେ ରୁପାସହ ଗାଆଁସାରା ଘୁରିବୁଲି ଗାଆଁର ଐତିହ ,ସଂସ୍କୃତି ସବୁ ଦେଖିବାକୁ ଲାଗିଲା ବିକ୍ରମ। ବିକ୍ରମ ରୁପାକୁ କହିଲା, ରୁପା ମୋବାଇଲରେ ମୋର ଗଳ୍ପ ପ୍ରକାଶ ପାଏ। ମୁଁ ଗଳ୍ପ ଲେଖିବାର ପ୍ରେରଣା ପାଏ। ରୁପା କହିଲା ମୋବାଇଲର ଗପ ଓ ମହାମନିଷୀ, ଓଡିଶାର ବିଶିଷ୍ଟ ଲେଖକଙ୍କ ଭିତରେ ବହୁତ ଫରକ। ମୋବାଇଲରେ ଲିଖିତ ଗଳ୍ପରେ ଚାଟୁତା, ପ୍ରେମନିବେଦନ ଏସବୁ ଥାଏ। ହସିହସି ବିକ୍ରମ କହିଲା, ଧେତ୍ ପାଗଳୀ, ଏଇ ଦେଖ ମୁଁ ଆଜି ଗଳ୍ପଟିଏ ଲେଖିଛି " ଜହ୍ନର ଜନ୍ମଦିନ " । ମୋର ଗଳ୍ପକୁ ଷାଠିଏ ଜଣ ପଢିଛନ୍ତି ଓ ସୁନ୍ଦର ମତାମତ ଦେଇଛନ୍ତି।

       ବିକ୍ରମ ଲିଖିତ ଗଳ୍ପଟି ପଢି ହସିଉଠିଲା ରୁପା। ବିକ୍ରମ ଆଶ୍ଚର୍ଯ୍ଯ ହୋଇ ପଚାରିଲା, ମୁଁ ତ ଦୁଃଖ ଗଳ୍ପ ଲେଖିଛି ଓ ବଡବଡ ଲେଖକ/ ଲେଖିକା ମତାମତ ବି ଦେଇଛନ୍ତି, ଅଥଚ ହସିଲୁ କାହଁକି ? ରୁପା କହିଲା ବିକ୍ରମବାବୁ ସାହିତ୍ୟ ଏମିତି ଲେଖି ସମୟ ଅତିବାହିତ କରିବା ନୁହେଁ। ସାହିତ୍ୟ ମତାମତ ବା ମିଥ୍ୟା ପ୍ରଶଂସାର ଆଶାୟୀ ନୁହେଁ। ଭୁଲ୍ ଲେଖାକୁ ପ୍ରଶ୍ରୟ ଦେଇ ମିଥ୍ୟା ବାହାବା ଦେବା ସାହିତ୍ୟ ନୁହେଁ। ସାହିତ୍ୟ ସରସ୍ୱତୀ, ସାହିତ୍ୟ ସାଧନା। ଆପଣଙ୍କ ଲେଖାରେ ତିରିଶ ଧାଡିରେ ତିରିଶ ବନାନ ଭୁଲ୍। ବିକ୍ରମ କହିଲା ଆରେ ନା ନା ତୁ ଭୁଲ୍ ବୁଝିଲୁ। ଏଗୁଡାକ ଟାଇପ୍ କଲାବେଳେ ଭୁଲ୍ ହୋଇଥିବ। ରୁପା ସହଜରେ ଛାଡିବା ଜନ୍ତୁ ନୁହଁ। କହିଲା, ହଉ ମାନୁଛି ତମ କଥା ଠିକ୍ ।ହେଲେ ଗଳ୍ପର ଧାରା କାହିଁ।

      ଚିଡିଉଠି ମୋବାଇଲ ଛଡେଇ ନେଇ ବିକ୍ରମ କହିଲା, ଶଃ ମ୍ୟାଟ୍ରିକ ଫେଲ୍ ଝିଅ ମତେ ସାହିତ୍ୟ ଶିଖାଉଛି।କହିଲା ବିକ୍ରମ ବୁଝିଲୁ ରୁପା ଆଜି ଗୋଟିଏ ପ୍ରସିଦ୍ଧ ଲେଖକଙ୍କ କବିତା ମନେ ପଡୁଛି, ଯାହା ତୋ ପାଇଁ ପ୍ରଯୁଜ୍ୟ ::

" ଅନ୍ଧ ରାଜ୍ୟକୁ ଗ

ଲି ଦର୍ପଣ ବିକି,

କନ୍ଧ ହାତରେ ଦେଲି ଗୋଦାନ ଟେକି ।

ଜଡା ସଂଗତେ କଲି ଖଡା ରନ୍ଧନ,

କାମୁଡା ଘୋଡା ମୁଖେ ଦେଲି ଚୁମ୍ବନ।।"

   

 ହସିହସି ରୁପା କହିଲା, ତମ ଇସାରା ବୁଝୁଛି ବାବୁ, ମୂର୍ଖ ହେଲେବି ସାହିତ୍ୟ ରୁଚି ଅଛି। ତମ ଲେଖା ଷାଠିଏ ଜଣ ପଢିଛନ୍ତି, କିନ୍ତୁ ମୋବାଇଲର ଫଟୋରୁ ଜାଣିପାରୁଛି ସେଇ ଛୋଟଝିଅ ପ୍ରପୋ ଏତେ ସୁନ୍ଦର ଲେଖି ବି ତା ଗଳ୍ପର ପାଠକ ସଂଖ୍ୟା କମ୍। ବିକ୍ରମ କହିଲା, ଆରେ ମୁଁ ଅନ୍ୟ ଲେଖକଙ୍କ ଲେଖାକୁ ପ୍ରଶଂସା କରେ ଓ ସେମାନେ ବି ମୋ ଲେଖାକୁ। ଏଇଟା ପରା ପ୍ରଚାରପ୍ରସାରର ଯୁଗ। *ରୁପା କହିଲା ତାହେଲେ ଏଠି ସାହିତ୍ୟ ଆସିଲା କେଉଁଠୁ*? ଚିଡିଉଠି ବିକ୍ରମ କହିଲା, ଛାଡ ନା ତୋ ସାଙ୍ଗରେ ଯୁକ୍ତି କରିହେବ, ନା ତତେ ବୁଝେଇହେବ। ଚାଲ୍ ଗାଆଁ ମୁଣ୍ଡ ଆମ୍ୱତୋଟାପଟେ ଘୁରିଆସିବା। ବାହାରିଗଲେ ଦୁହେଁ।

      ଏମିତି ଘୁରିବୁଲୁବୁଲୁ ହୋଇଗଲା ପ୍ରେମ। ପ୍ରେମର ଅନଳରେ ଝାସ ଦେଲାବେଳେ ଉପଦେଶ ଦେଉଥିବା ଗରୀବ ଝିଅଟି ଭୁଲିଗଲା ସେ ଚାକରାଣୀ ଓ ଯାହାକୁ ଭଲପାଉଛି ସେ ମାଲିକ। ଏଇ ବୋଧେ ପ୍ରେମ। ନିଜର ବିଶ୍ବାସ ସେଦିନ ସୁଦ୍ରୁଢ ହୋଇଥିଲା ଯେଉଁଦିନ ସୁନ୍ଦର ସଜଫୁଟା ଗୋଲାପଟିଏ ନେଇ ତା କେଶରେ ଖୋସିଦେଇ ବିକ୍ରମ କହିଥିଲା, "ଆଜି ମୋ ଜହ୍ନର ଜନ୍ମଦିନ। "

          ଭାବବିହ୍ବଳ ହୋଇ ରୁପା କହିଉଠିଲା, ମୁଁ ତ ଅନାଥ। ମୋ ଜନ୍ମଦିନ ନିଜେ ଜାଣିନାହିଁ। ତା ଗାଲରେ ଶକ୍ତ ଚୁମ୍ବନ ଦେଇ ବିକ୍ରମ କହିଲା, ଆଜିଠାରୁ ଏଇ ଦିନଟି ତୋର ଜନ୍ମଦିନ। ଆଜି ସହର ଘୁରିଆସିବା। ଘରେ ଆମେ ସହର ଘୁରିଆସୁଛୁ କହି ନେଇଚାଲିଗଲା ରୁପାକୁ। ସହର ଘୁରିଘୁରି ମଧ୍ୟାହ୍ନ ଭୋଜନ ସୁନ୍ଦର ତାରକା ହୋଟେଲରେ ସମାପନ କଲେ। ଟିକେ ସ୍ନେହବୋଳା କଥାରେ ରୁପା ଭୁଲିଗଲା ନିଜର ଅସ୍ତିତ୍ବ। ନଦୀ ମିଶିଗଲା ସାଗରରେ। ସୁରମ୍ୟତାରକା ହୋଟେଲରେ ଜୀବନର ଶ୍ରେଷ୍ଠ ଜମାପୁଂଜି ଖର୍ଚ୍ଚ କରିଦେଲା ରୁପା। ଫେରିଗଲେ ଗାଆଁକୁ।

        ପ୍ରେମରୁ ପ୍ରଣୟର ପରିଣତି ସ୍ଵରୂପ କିଛିଦିନ ପରେ ଗର୍ଭବତୀ ହେଲା ରୁପା। ଘରସାରା ଜାଣିପାରିଲେ। ଦୋଷୀସାବ୍ୟସ୍ତ ହୋଇ ତଡା ଖାଇଲା ରୁପା। ଗାଆଁରେ ନିଶାପ ବି ହେଲା। ସେଇଠି ବି ବିକ୍ରମ ନିର୍ଦ୍ଦୋଷ ଓ ଦୋଷୀ ପ୍ରମାଣିତ ହେଲା ରୁପା। ବିକ୍ରମ କହିଲା ଏସବୁ ସେ କିଛିଜାଣେନାହିଁ। ଲାଗିଗଲା ଜହ୍ନରେ କଳଙ୍କ।

           ବହୁତ କାକୁତିମିନତି ପରେ ବି ବାସନ୍ଦହେଲା ରୁପା। ଭିଟାମାଟି ଛାଡି ପହଞ୍ଚିଲା ସହରର ରେଳଷ୍ଟେସନ। ଭିକ୍ଷାବ୍ରୁତ୍ତି କରି ବଞ୍ଚିବା ଛଡା ଅନ୍ୟରାସ୍ତା ନଥିଲା। ଆଜି ସେଇଦିନ, ଯେଉଁଦିନ ବିକ୍ରମ ପାଳିଥିଲା, ଜହ୍ନର ଜନ୍ମଦିନ। ସଂଯୋଗବଶତଃ ଆଜି ତା ପୁଅର ଜନ୍ମଦିନ।

    ଠୁକୁଠୁକୁ ଫୁଙ୍ଗୁଳାଦେହରେ ଟୁକୁରୁଟୁକୁରୁ ଚାଲୁଥିବା ପୁଅକୁ କହୁଥିଲା, ଧନରେ, ଆଜିପରା ମୋ ଜହ୍ନର ଜନ୍ମଦିନ। ହେଲେ ନାହିଁ ଆଜି ତାରକା ହୋଟେଲର ସୁସ୍ୱଦୁ ଭୋଜନ। କିଏଜଣେ ସହ୍ରୁଦୟ ବ୍ୟକ୍ତି ଦେଇଥିବା ଦୁଇଟି ବରାରୁ ଗୋଟିଏ ଧରେଇଦେଇଥିଲା ପୁଅ ହାତରେ। ନିଜେ ଦୁଇଦିନ ହେଲା ଉପବାସ। ଅନତି ଦୁରରୁ ଠିକ୍ ଜାଣିପାରୁଥିଲା ହଡାବଳଦ ପରି ବିକ୍ରମ ଗୁଡାଏ ଜିନିଷ ପିଠିରେ ଲଦି ଆଗକୁ ବଢୁଛି, ପଛରେ ତା ସ୍ତ୍ରୀ କର୍କଶ ସ୍ୱରରେ କିଛି ଆଦେଶ କରୁଛି। ବିକ୍ରମ ଚିହ୍ନିଛି କି ଚିହ୍ନି ଅଜଣା ହେଉଛି ରୁପାକୁ ସେ କଥା ରୁପା ବୁଝିପାରୁନି କି ବୁଝିବାକୁ ଚେଷ୍ଟା ବି କରୁନାହିଁ।

    ହଠାତ ବଣିଟିଏ ଆସି ବସିଗଲା ରୁପା ପାଖରେ। ବୋଧେ ଭୋକିଲା ବଣିଟି ବିଶ୍ବାସରେ ପହଞ୍ଚି ରୁପାଠାରୁ ଖାଦ୍ୟର ଆଶାକରୁଥିଲା। ଏପଟେ ଟ୍ରେନକୁ ଅପେକ୍ଷା କରିଥିବା ବିକ୍ରମର ସ୍ତ୍ରୀ ଷ୍ଟେସନରେ ବସି ଖାଇଚାଲିଥିଲା, ଭୋକିଲା ବିକ୍ରମ ଖାଦ୍ୟ ଆଡକୁ ଲୋଲୁପ ଦ୍ରୁଷ୍ଟିରେ ଅନେଇ ରହିଥିଲା। ଲେଖକ ବିକ୍ରମ ଦେଖୁଥିଲା ରୁପାର ସହ୍ରୁଦୟତା। ଧ୍ୟାନଭଙ୍ଗକରି ସ୍ତ୍ରୀ କହୁଥିଲେ ସେ ପାଗଳୀ, ଅସନା ଭିକାରୁଣୀକୁ କଣ ଅନେଇ ରହିଛ? ମୋର ଏଇ କିଛି ଜଳଖିଆ ବଳି ଯାଇଛି ଖାଇନିଅ। ଖାଦ୍ୟର ଅପବ୍ୟବହାର କରିବା ନାହିଁ। ସୁନା ବାଧ୍ୟ ଛୁଆ ପରି ସ୍ତ୍ରୀର ଅସନା ଅଇଁଠା ପାଟିରେ ଦେଉଦେଉ ଅନୋଉଥିଲା, ରୁପାହାତରୁ ଶାନ୍ତିରେ ଖାଉଥିବା ବଣି ଓ ଅଭାବ ଭିତରେ ପ୍ରାଚୁର୍ଯ୍ୟ ସାଉଁଟିଥିବା ରୁପାକୁ ଓ ସ୍ତ୍ରୀର ଅପରିଷ୍କାର ଅଇଁଠା ଥାଳିକୁ।

ପ୍ରଶ୍ନ କରୁଥିଲା ନିଜକୁ ନିଜେ। ଧନୀ କିଏ ? ସେ ନା ରୁପା ?? ଉତ୍ତର ଅମୀମାଂସିତ। ପୁଣି କହୁଥିଲା ଆରେ ନା ନା ଉତ୍ତର ଅମୀମାଂସିତ ନୁହେଁ, ପ୍ରକ୍ରୁତ ଧନୀ ଏଇ ରୁପା ନିଶ୍ଚୟ!!!!



Rate this content
Log in

Similar oriya story from Tragedy