suchismita Panda

Drama Fantasy Others

4.1  

suchismita Panda

Drama Fantasy Others

କୋହ

କୋହ

7 mins
750


    ଅଗଣିତ ପୂର୍ଣ୍ଣିମାକୁ ବିଦାୟ ଦେଇ କେତେ କେତେ ଅମାବାସ୍ୟାର ଅନ୍ଧାର ସହ ସମ୍ମୁଖୀନ ହୋଇ ବିତେଇ ଚାଲିଛି ଅନେକ ବର୍ଷକୁ; ରକ୍ତ, ମାଂସର ଶରୀରରେ ଆଶ୍ରୟ ନେଉଥିବା ଆତ୍ମାଟି । ଶୁଦ୍ଧ, ପବିତ୍ର ସିଏ । ଜାଣେନା ଛନ୍ଦ କପଟ । ଠକାମିର ପରିସୀମା ଠାରୁ ଖୁବ୍ ଦୂରେ ସେ । ବୟସ ଧୀରେ ଧୀରେ ଶେଷ ସ୍ତମ୍ଭ ପଟକୁ ଗଡି ଚାଲୁଥିଲେ ମଧ୍ୟ ଦେହକୁ ଛୁଇଁନି ସ୍ବାର୍ଥପରତାର ଛିଟା । ଅନ୍ଧାକାର ବଶବର୍ତ୍ତୀ ସେ କେବେ ହୋଇନାହାନ୍ତି । ଅତଏବ, ଯଦି ଗୋଟିଏ ଧାଡିରେ ବର୍ଣ୍ଣନା ଦିଆଯାଏ ତେବେ ଜଣେ ନିଷ୍ଠାପର, ମଣିଷ ପରି ମଣିଷ ହେଉଛନ୍ତି ସେ । 

     ବଡ ଆଶ୍ଚର୍ଯ୍ୟ ଲାଗେ କିନ୍ତୁ । ଏତେ ଭଲ ମଣିଷର ବର୍ତ୍ତମାନର ଅବସ୍ଥାକୁ ଦେଖି । ବୟସ ହେଇନି, କିମ୍ବା ବୟସ ତାଙ୍କୁ ସେଇ ଅବସ୍ଥାରେ ପହଞ୍ଚେଇ ନାହିଁ କିନ୍ତୁ ରୋଗ କଣ ବା ନ କରି ପାରେ ତାହା ପ୍ରମାଣିତ ହୁଏ ତାଙ୍କର ଅବସ୍ଥା ଆଗରେ । ପ୍ରକୃତରେ ତାଙ୍କୁ ସେଇ ଅବସ୍ଥାରେ ଦେଖି ଆପଣା ଛାଏଁ ମନରେ ପ୍ରଶ୍ନ ଉଠେ ଯେ ସେ କେଉଁ କର୍ମର ପ୍ରାୟଶ୍ଚିତ କରୁଛନ୍ତି ! ଉତ୍ତର ମିଳେ ଠାକୁରଙ୍କୁ ହିଁ ଜଣା ସବୁ ଯେହେତୁ ଉପରେ ଥାଇ ସମସ୍ତ କାର୍ଯ୍ୟ କଳାପର ହିସାବ ସେ ହିଁ ତ ରଖୁଛନ୍ତି । ଗଣିତରେ ସୂତ୍ର କଷିଲା ପରି ଜୀବନର କର୍ମକୁ କଷାକଷି କରି କିଛି ଯୋଗ, ବିୟୋଗ ଦ୍ବାରା ଉପଯୁକ୍ତ ଫଳାଫଳ ନିର୍ଣ୍ଣୟ କରନ୍ତି ସେ । ସେହି ନୀତିରେ ଆଜି ସୁଧୀର ବାବୁଙ୍କ ଗଣତି ହୋଇଛି ବୋଧ ହୁଏ । 

    ତହସିଲ ଅଫିସରେ କାର୍ଯ୍ୟ କରୁଥିବା ଜଣେ ସାଧାରଣ କର୍ମଚାରୀ ହେଉଛନ୍ତି ସୁଧୀର ବାବୁ । ଉଚ୍ଚାସନର ପଦବୀରେ ରହି ସେ ବାବୁ ଆଖ୍ୟା ପାଇ ନାହାନ୍ତି ବରଂ ତାଙ୍କ ଉତ୍ତର ଗୁଣ, ଚିନ୍ତା ଚେତନା ଓ ବ୍ୟବହାର ଯୋଗୁଁ ସଭିଏଁ ଖୁସିରେ ତଥା ସମ୍ମାନ ଭାବେ ବାବୁ ଲଗାଇ ଡାକ ଦେଇଥାନ୍ତି । ଦିନକର ଘଟଣା । ଅଫିସରୁ ଫେରୁଥିଲେ ଘରକୁ । ଅଳ୍ପ ବାଟ ଦୂରରେ ହିଁ ଘର ତାଙ୍କର । ପନ୍ଦର ମିନିଟର ବାଟ ମାତ୍ର ଯାହା । ତେଣୁ ସେ ସବୁବେଳେ ଚାଲି ଚାଲି ଯିବା ଆସିବା କରନ୍ତି । ସେଦିନ ମଧ୍ୟ ଯାଉଥାନ୍ତି ରାସ୍ତାରେ ଏବଂ ଅଚାନକ କିଛି ଅସୁସ୍ଥତା ଅନୁଭବ କରନ୍ତି । ଯାହା ଫଳରେ ଆଗକୁ ଚାଲିବା ପାଇଁ ସାହାସ ନ କରି ଘଡିଏ ରହି ଯାଇଥାନ୍ତି କୌଣସି ଏକ ଦୋକାନର ବାରଣ୍ଡା ଉପରେ । କିଛି ସମୟ ପରେ କିଛି ମାତ୍ରାରେ ସୁସ୍ଥତା ଅନୁଭବ ହେବା ପରେ ପୁଣି ହୋଇପଡନ୍ତି ଘରମୁହାଁ । ଘର କହିଲେ ତାଙ୍କ ମଂଗଳ କାମନା କରୁଥିବା ମାଁ, ସଂସାରରେ ହାତ ଧରି ଚାଲୁଥିବା ତାଙ୍କ ପତ୍ନୀ ଏବଂ ତାଙ୍କୁ ନେଇ ଏକ ଛୋଟିଆ ତିନି ପ୍ରାଣୀର ସଂସାର । ବାହାଘରକୁ ସାତ ବର୍ଷ ବିତିଯାଇଛି ହେଲେ ଠାକୁର କୋଳକୁ ଶୂନ୍ୟ ହିଁ ରହିଛନ୍ତି । ସେଇ ଏକା ଗୋଟିଏ କାରଣକୁ ନେଇ ବେଳେ ବେଳେ ମନ ଦୁଃଖ କରନ୍ତି ପୁଣି ସବୁ ଭୁଲିଯାଇ ପ୍ରଭୁଙ୍କ ନିଷ୍ପତ୍ତିକୁ ହସି ହସି ଗ୍ରହଣ କରିଥାନ୍ତି ।  

     ସେ ଦିନ ଯେ ଗୋଟିଏ ଦିନ ଥିଲା ତା ନୁହେଁ । ସେ ଦିନଠୁ ହିଁ ସେଇ ଅସୁସ୍ଥତା ଅନୁଭବର ଆରମ୍ଭ ଥିଲା । ତା ପରଠୁ ପ୍ରତ୍ୟେକ ପନ୍ଦର କୋଡିଏ ଦିନର ବ୍ୟବଧାନ ପରେ ସେମିତି ହିଁ କିଛି ସମୟ ପାଇଁ ଅସୁସ୍ଥତାର ଅନୁଭବ ଲାଗୁଥାଏ । କେବେ କେମିତି ତ ଅଫିସର ଟେବୁଲ ଉପରେ ମୁଣ୍ଡଟି ରଖିଦେଇ କିଛି ସମୟ ପାଇଁ ଆରାମ ନେବା ପରେ ପୁଣି ନିଜର କାମ କରନ୍ତି । ଏମିତି କଷ୍ଟେ ମଷ୍ଟେ କାହାକୁ କିଛି ନକହି ସେ ବଢି ଚାଲୁଥାନ୍ତି ଜୀବନର ପଥେ ଆଗକୁ ଆଗକୁ ।

      ପ୍ରାୟ ତିନି ମାସ ବିତିଗଲାଣି ଏଇ ଭିତରେ । ବୁନ୍ଦା ବୁନ୍ଦା ପାଣିରୁ ସମୁଦ୍ର ସୃଷ୍ଟି ହେବା ପରି ଅଳ୍ପ ଅଳ୍ପ ଦେହ ଖରାପ ଯାହା ପରବର୍ତ୍ତୀ ସମୟରେ ମିଶିଯାଇ ଭୀଷଣ ରୂପ ନେଇଯାଏ । ଅଧରାତିରେ ପରିସ୍ଥିତି ଏତେ ଭୟଙ୍କର ହୁଏ ଯେ ତାଙ୍କୁ ଡାକ୍ତରଖାନା ନେବାକୁ ପଡେ । କିଛି କିଛି ପରୀକ୍ଷା ରାତିରେ ହୁଏ ଆଉ କିଛି ସକାଳେ । ଛିନ୍ନ ଛିନ୍ନ କରି ସବୁ ପରୀକ୍ଷା ନିରୀକ୍ଷା କରିବା ପରେ ଜଣାଯାଏ କି ସୁଧୀର ବାବୁଙ୍କୁ କୌଣସି ଏକ ସାଧାରଣ ରୋଗରେ ଆକ୍ରାନ୍ତ କରିନାହିଁ । କର୍କଟର ଜାଲରେ ସେ ବନ୍ଧା ପଡିଛନ୍ତି । ପେଟର ଠିକ୍ ଉପରକୁ ଏବଂ ଛାତିର ତଳକୁ ବଢି ବଢି ଚାଲିଛି ମାଂସ ପିଣ୍ତ କେତେ ବର୍ଷ ପୂର୍ବରୁ । ଯେଉଁଟି ପରେ କର୍କଟର ରୂପ ନେଇ ପହଞ୍ଚିଛି ଶେଷ ପାହାଚରେ । ଜୀବନର ଲାଗିଛି ବାଜି । ଶେଷ ମୂହୁର୍ତ୍ତରେ ଚାଲିଛି କେବଳ ଅର୍ଥର ଖେଳ ଏବଂ ପ୍ରଭୁଙ୍କୁ କୃପାଭିକ୍ଷା । ରେଣୁକା ସୁଧୀର ବାବୁଙ୍କ ପତ୍ନୀ ପାରୁ ପର୍ଯ୍ୟନ୍ତ ସବୁ ପ୍ରକାର ଚେଷ୍ଟା କରିଚାଲିଛନ୍ତି । ନିଜ ସିନ୍ଦୁରକୁ ବଂଚେଇ ରଖିବା ପାଇଁ ହାତରେ ଝଟକୁଥିବା ଦୁଇ ପଟ ଶଂଖାକୁ ବିକ୍ରି କରି ଦେଇଛନ୍ତି । କେମୋ ଲାଗୁଛି । ଦେହ ସଂପୂର୍ଣ୍ଣ ଶୁଖି ଯାଇ ଛୋଟ ଛୁଆଙ୍କ ଭଳି ଦେଖାଗଲେଣି । କଳା ମିସ ମିସ ବାଳ ବଦଳରେ ମୁଣ୍ଡଟି ଦିଶୁଥାଏ ଚନ୍ଦା । ପୂର୍ବରୁ ଦେଖିବାକୁ ମଣିଷ ଯଦି ବର୍ତ୍ତମାନ ଦେଖେ ସେ କଦାପି ବିଶ୍ବାସ କରିପାରିବ ନାହିଁ ନିଜ ଆଖିକୁ । ଗୋଟିଏ ପଟେ ଶରୀର କ୍ଷୀଣ ହୋଇଚାଲିଛି ତ ଅନ୍ୟ ପଟେ ଲାଗିଛି ବିକ୍ରୟର ବଜାର । ସୁନା, ରୁପା, ତମ୍ବା, କଂସା ଠୁ ଆରମ୍ଭ କରି ଜମି ଏପରିକି ଘରକୁ ମଧ୍ୟ କର ଲଗେଇ ସାରିଲେଣି । ବନ୍ଧୁ ପରିଜନ ଆଗେ ହାତ ପତେଇ ସାହାଯ୍ୟ ମଧ୍ୟ ମାଗୁଛନ୍ତି । 

     ଦେଖୁ ଦେଖୁ ଚାରିମାସ ଚାଲିଗଲା । ସୁଧୀର ବାବୁଙ୍କ ଅବସ୍ଥା ଏବେ ମଧ୍ୟ ପୂର୍ବ ପରିକା ହିଁ ଚାଲିଛି । ଘରେ ବୁଢୀ ଶାଶୁମାଁଙ୍କ ସହ ରୋଗିଣା ସ୍ବାମୀଙ୍କ ଦାୟିତ୍ବ ରେଣୁକା ଉପରେ । କୌଣସି କ୍ଷେତ୍ରରେ ସାମାନ୍ୟ ଅବହେଳା ଅବଶୋଷ ରେ ପରିଣତ ହେବାର ଭୟ ସବୁବେଳେ ଘାରୁଥାଏ । କିନ୍ତୁ ଘର ! ଘରର ଦୂରାବସ୍ଥା ସ୍ଥିତି ଭାରି କନ୍ଦାଉଥାଏ । ଦିନକୁ ଦିନ ସବୁକିଛି ସରି ସରି ଚାଲିଛି । ଏମିତି କି ଗଣ୍ଡେ ଖାଇବା ମଧ୍ୟ ଠିକ୍ ରୂପେ ମିଳିବ କି ନାହିଁ ସେକଥା ବି ଭାଗ୍ୟ ହିଁ ଜାଣିଥାଏ । ତଥାପି ସେ ନିଜର କର୍ତ୍ତବ୍ୟ କରେଚାଲୁଥାଏ ଚୁପ୍ ଚାପ୍ କୋହ ସବୁକୁ ପିଇ ପିଇ ।

      ଆତ୍ମାଟି ତ ବଂଚି ରହିଥାଏ ସତ ହେଲେ ନା' ସେ ଆରାମ ରେ ଗୋଟିଏ ମୂହୁର୍ତ୍ତ ହେଲେ ଶାନ୍ତିର ନିଃନିଃଶ୍ବାସ ନେଇ ପାରୁଥାଏ ନା' ସତ୍ୟର ଦୁନିଆରେ ଭବିଷ୍ୟତ ପାଇଁ କିଛି ସ୍ଥାୟୀ ସ୍ବପ୍ନ ବୁଣି ପାରୁଥାଏ । କିଂ କର୍ତ୍ତବ୍ୟ ବିମୁଢ ହୋଇ ସ୍ତ୍ରୀର କାନ୍ଧରେ ସକଳ ଭାର ବୋହାଇ ଦେଇ ସେ ଅସମୟରୁ ହୋଇପଡିଥାଏ ବୋଝ । ଘର ଖର୍ଚ୍ଚ, ଖାଇବା ପିଇବା, ଔଷଧ ଆଦି ସବୁ ପାଇଁ କେମିତି ଓ କେଉଁଠି ପଇସା ଆସୁଛି ସେକଥା ଭାବି ଭାବି ସୁଧୀର ବାବୁଙ୍କ ରକ୍ତଚାପ ବଢିଯାଉଥାଏ । ଯାହା ତାଙ୍କ ଦେହକୁ ଆଉ ଟିକିଏ ଟାଣି ନେଇଥାଏ ଖରାପ ହେବାକୁ । ତେଣେ ରେଣୁକା କେମିତି ଏତେ ସବୁ ଖର୍ଚ୍ଚ ସମ୍ଭାଳି ଚାଲୁଛି ତା ଉତ୍ତର ଯେତେ ଥର ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଜାଣିବାରେ ଅସମର୍ଥ ରହିଯାଇଛନ୍ତି । ରେଣୁକା କେବେ ହେଲେ ବି ସଠିକ୍ ଉତ୍ତର ନଦେଇ କଥାକୁ ବୁଲେଇ ଦେଇ ଦ୍ବନ୍ଦରେ ଛାଡିଦିଏ ତାଙ୍କୁ । 

      କଅଁଳ ବୟସ ତଥାପି ରୋଗ କରିଦେଇଛି ବର୍ତ୍ତମାନ ବାର୍ଦ୍ଧକ୍ୟ । କଅଁଳ ବୟସରେ ଅନେକ କିଛି ସ୍ବପ୍ନ ଦେଖିଥିଲା ଆଖି; ହେଲେ ଦେହରେ ଆଉ ଥାଏ କଣ ଯେ ସେ ଭବିଷ୍ୟତକୁ ନେଇ ସ୍ବପ୍ନ ସଜେଇବେ । ଶରୀରଟା କେବଳ ଯାହା ଧକ୍ ଧକ୍ କରୁଛି ପବନର ଚାପ ଖେଳ ମାଧ୍ୟମରେ । ପବନଟି ଯଦି ରହିଯାଏ ଅଧା ବାଟରେ ତେବେ ସବୁ ସରିଲା ସେଠି । ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ନେଇ ଏମିତି ଅନେକ କଥା ସବୁ ଭାବି ଭାବି ମନ ଓଜନିଆ ହୋଇପଡେ । ଆଖି ସେଇ ଭାରକୁ ସମ୍ଭାଳି ନପାରି ଗଡାଇ ଦିଏ ବୁନ୍ଦା ବୁନ୍ଦା ଲୁହ । କିନ୍ତୁ ସେଇ ଲୁହକୁ ଲୁକ୍କାୟିତ ରଖିବା ନିହାତି ଜରୁରୀ । ରେଣୁକାର ଆଖିରେ ଯଦି ପଡିଯିବ ତେବେ ଦୁଃଖ ଦ୍ବିଗୁଣିତ ହୋଇପଡିବ । ସେହି ହେତୁ କୋହ ସବୁକୁ ମନରେ ବାନ୍ଧି ରଖି, ଆଖିକୁ ନ ବହିବା ପାଇଁ ଅନୁରୋଧ କରି ଜୀବନର ପଥରେ ପୁଣି ସଂଗ୍ରାମ କରିଚାଲନ୍ତି ।

     କର୍କଟ ସହ ସଂଗ୍ରାମ କରିବାର ସାତ ମାସ ବିତିଗଲା । ସ୍ବାସ୍ଥ୍ୟ ସୁଧାର ଅଭିମୁଖେ ଗତି କରିବା କମେଇ ଦେଇ ବିପରୀତ ଦିଗେ ଶୀଘ୍ର ଆଗେଇ ଚାଲିଛି । ଡାକ୍ତର ମଧ୍ୟ ମୁହଁ ଖୋଲି କହିବାକୁ ଆରମ୍ଭ କରିଲେଣି । ଆନୁମାନିକ କିଛି ମାସର ଯାହା ସେ ହେଉଛନ୍ତି କଳାକାର । ସୁଧୀରଙ୍କୁ କିନ୍ତୁ ଏତେ କଥା କୁହା ଯାଇନାହିଁ । ରେଣୁକା ଏକା ପିତା ଔଷଧ ପିଇଲା ପରି ପିଇ ଦେଇଛି ସତକୁ । ତା ବ୍ୟତୀତ ଅନ୍ୟ କିଛି ରାସ୍ତା ବି ନଥାଏ ଆଗରେ । ବିଶାଳ ସଂସାରରେ ସେ ଏକା ନିଜ ପାଇଁ ନିଜର ସାହା ଭରଷା । 

      ଦିନେ ସକାଳୁ ରେଣୁକା ଦେଖେ ସୁଧୀରଙ୍କ ଦେହେ ଖଇ ଫୁଟା ତାତି । ଆଖି ଖୋଲି ଦେଖି ପାରୁନାହାନ୍ତି । ସଂଗେ ସଂଗେ ଡାକ୍ତର ଆସନ୍ତି । କିଛି ଔଷଧ ଦେଇ ଚାଲିଯିବାର ଅଧ ଘଣ୍ଟା ପରେ ଜର କମିଯାଏ ସେ ଆଖିରେ ଦେଖନ୍ତି । କିନ୍ତୁ ପୂର୍ବ ପରି ସେଇ ଆଖିରେ ଚମକ ଆଉ ଦେଖିପାରନ୍ତି ନାହିଁ ରେଣୁକା । ରୁକ୍ଷତା, ଶୁଷ୍କତା ସ୍ପଷ୍ଟ ବାରି ହୋଇପଡୁଥାଏ । ପାପ ମନରେ ପାପ ଛୁଇଁଲା । ଏସବୁ ଦେଖି ରେଣୁକାର ଅନୁମାନ ହେଲା ଆଉ ହାତ ଗଣତି କିଛି ଦିନ ଯାହା ବାକି ରହିଛି ।

       ଜ୍ବର ଆସିବା ଏବଂ ମୂର୍ଚ୍ଛା ଯିବା ଦିନକୁ ଦିନ ବଢି ଚାଲିଲା । ଚେଇଁ ରହିବାର ସମୟ କମିଗଲାଣି । ବେଶୀ ସମୟ ଶୋଇବାକୁ ଭଲ ପାଇଲେଣି । ଯେଉଁ କିଛି ସମୟ ଦେଖୁଛନ୍ତି ସେତେବେଳେ ରେଣୁକା ଆଗେ ନିଜର ପରିସ୍ଥିତି ଏବଂ ତାଙ୍କ ଯୋଗୁଁ ମିଳିଥିବା ଦୁଃଖ କଥା କହି ରେଣୁକାକୁ କ୍ଷମା ମାଗୁଛନ୍ତି । କାନ୍ଦୁଛନ୍ତି । ନିଜକୁ ସମସ୍ତ ଦୁଃଖର ଦୋଷୀ ଭାବି ଅନୁତାପରେ ଛଟପଟ ହୋଇ ପଡୁଛନ୍ତି ।         ଖରାବେଳର ସମୟ । ରେଣୁକା ବସିଥାଏ ମୁଣ୍ଡପାଖେ । ଆଉଁସି ଦେଉଥାଏ ମୁଣ୍ଡକୁ । ବଡ ବଡ ନିଃଶ୍ବାସ ଚାଲିଥାଏ । ରେଣୁକା ଏସବୁ ଦେଖି ଆଉ ଅଳ୍ପ କିଛି ସମୟ ବାକି ରହିଛି ବୋଲି ବୁଝି ସାରିଥାଏ । ଆଉଁସି ଦେଉଥିବା ବେଳେ ସୁଧୀର ରହି ରହି କହନ୍ତି ତୁ ମୋ ପାଇଁ ନିଜ ସୁଖକୁ ଜଳାଞ୍ଜଳି ଦେଇ ଦେଲୁ । ସେଥିପାଇଁ ତୋ ପାଖେ ସବୁବେଳେ ରୂଣୀ ମୁଁ । ଆଉ ଅଧିକ କିଛି କହେଇ ନଦେଇ ରେଣୁକା କହେ ଏତେ ଦିନ ଧରି ସେ କିଛି କହିବାକୁ ଚାହେଁ ହେଲେ ସାହାସ ନଥିଲା । ହେଲେ ଆଜି ସେ ନକହି ଏତେ ମାତ୍ରାରେ ଅବ୍ୟକ୍ତ କୋହକୁ ଧରି ପୂରା ଜୀବନ ବଂଚି ପାରିବ ନାହିଁ । ରେଣୁକାର କଥା ଶୁଣି ସୁଧୀର ପଚାରନ୍ତି କଣ ସେ ସବୁ । କହିଦେ ଆଜି । ହୁଏତ କାଲିକି...। ଚୁପ୍ କରେଇ ଦେଇ ରେଣୁକା କହେ :-

ତୁମେ ସବୁବେଳେ ପଚାରିଛ ଏତେ ସବୁ ଖର୍ଚ୍ଚ ପାଇଁ ଅର୍ଥ ଆସୁଛି କେଉଁଠୁ ! କେମିତି ! ହେଲେ ମୁଁ ସବୁବେଳେ କଥାର ଉତ୍ତର ବୁଲେଇ ଦେଇଥିଲି । ଆଜି ସତଟା ପ୍ରକାଶ କରୁଛି । ମୁଁ ବ୍ୟବସାୟ କରୁଛି । ଯେଉଁଠି ମୋ ପରିଚୟ ବଦଳିଯାଇଛି । 

ସୁଧୀର: ବ୍ୟବସାୟ ! କି ବ୍ୟବସାୟ ?

ରେଣୁକା: ଦେହ ବ୍ୟବସାୟ ! ମୁଁ ଆଉ ତୁମ ରେଣୁକା ହୋଇ ରହି ନାହିଁ । ପାଲଟି ଯାଇଛି ଅଭିସାରିକା ରେଣୁକା । ଯେଉଁଠି ନିଜକୁ ନିଜେ ବିକ୍ରି କରି ଉପାର୍ଜନ କରୁଛି ଅର୍ଥ । ନିଜର ଶରୀରର ଅଙ୍ଗ ଉପରେ ଲଗାଉଛି ଦାମ । ପ୍ରତିଦିନ ରାତ୍ରିର ଅନ୍ଧାରରେ ଅପେକ୍ଷା କରୁଛି ନିଜର ଗ୍ରାହକମାନଙ୍କୁ । ସୁଧୀର: ଏ କଣ ସବୁ କହୁଛ ରେଣୁକା । ତୁମେ ପରିସ୍ଥିତି ଆଗରେ ଏମିତି ହାର ମାନି ନେଲ ! ଆଜି ପ୍ରକୃତରେ ମୋ ଅବସ୍ଥାକୁ ଧିକ୍କାର ଲାଗୁଛି । ଘୃଣା ଆସୁଛି ଏଇ ଜୀବନ ପ୍ରତି । ମୋ ପାଇଁ ଏସବୁ ଘଟିଲା । ମୁଁ ହିଁ ତୁମକୁ ପର ଶଯ୍ୟାଶାୟୀ କରିଦେଲି । ଛି ଛି । କି ଲାଭ ଏମିତି ଜୀବନର ! 

ରେଣୁକା: ମୋତେ କ୍ଷମା କର । ମୁଁ ବାଧ୍ୟ ହେଲି ଏ ପଙ୍କରେ ବୁଡି ଯିବାକୁ । ଭାବିଥିଲି କେବେ ହେଲେ ଏସବୁ କହିବି ନାହିଁ ହେଲେ ମୋ ଭିତରେ ଭିତରେ ରହି ରହି ସମସ୍ତ ଘଟଣା ମୋତେ ଅବ୍ୟକ୍ତ କୋହ ଦେଇ ଚାଲୁଥିଲେ । ସେଇ କୋହର ଭାରରୁ ଟିକେ ସନ୍ତୁଷ୍ଟ ହେବାକୁ କହିଦଲି ସବୁ ।


ସୁଧୀର: ଅଳ୍ପ ସମୟ ପାଇଁ ଏଇ ନିଃଶ୍ବାସ ଉପରେ ବିଶ୍ବାସ ଥିଲା । ଏତେ ଦିନ ଧରି ଏସବୁ ନକହି ଚୁପ୍ ରହିଥାଅ କିନ୍ତୁ ଆଜି କହିଦେଇ ନିଜର ଅବ୍ୟକ୍ତ କୋହକୁ ମୋ ଭିତରେ ଝରାଇ ଦେଇ ମୋତେ ଅବ୍ୟକ୍ତ ଅନୁବେଦନାରେ ଭରିଦେଲ । ଦୀର୍ଘ ମାସ ଯେଉଁଠି ଚୁପ୍ ରହିଗଲ ସେଠି କିଛି ସମୟ ଆଉ ଚୁପ୍ ରହି ଯାଇଥାନ୍ତ । ହୁଏତ ମୁଁ ଶାନ୍ତିରେ ମୃତ୍ୟୁକୁ ଗ୍ରହଣ ତ କରିପାରି ଥାନ୍ତି । ଏବେ ତ ଏଇ ମୃତ୍ୟୁ ବି ଜଳାଉଛି ବହୁତ । ହସୁଛି ମୋ ନିଜ ଉପରେ । ଧିକ୍କାର କରୁଛି ମୋର ଭାଗ୍ୟକୁ ନେଇ । 

      ରେଣୁକା ଆଉ କିଛି ନ କହି କେବଳ ଗଡାଇ ଚାଲିଛି ଲୁହ । ସୁଧୀର ମଧ୍ୟ ସାନ୍ତ୍ବନା ଦେବା ପ୍ରତିବଦଳରେ ତା ଲୁହ ସହ ନିଜ ଲୁହକୁ ମିଶେଇ ଦେଇଛନ୍ତି । କଠୋରୀର ଶାନ୍ତ ପୂର୍ଣ୍ଣ ବାତାବରଣକୁ କେବଳ ଭଙ୍ଗ କରୁଛି ତୁନି ତୁନି ହୋଇ କାନ୍ଦି ଉଠୁଥିବା ମନର ଧକେଇ ଶଦ୍ଦ । କିଛି ସମୟ ପରେ ରେଣୁକା ଅନୁଭବ କରୁଛି ସୁଧୀର ଶାନ୍ତ ହୋଇ ପଡିଛନ୍ତି । ରେଣୁକା ତାଙ୍କୁ ଡାକିଛି, କୋଳେଇ ଧରିଛି ହେଲେ ଆଉ କୌଣସି ହଲଚଲ ନାହିଁ ଦେହରେ । ସବୁକିଛି ସରିଯାଇଛି । ଚାଲିଯାଇଛି ଆତ୍ମା । ପଡିରହିଛି ଶରୀର କାଠ ହୋଇ । ସବୁକିଛିର ଘଟି ଯାଇଛି ଅନ୍ତ । 


      


Rate this content
Log in

Similar oriya story from Drama