suchismita Panda

Romance Fantasy Others

4  

suchismita Panda

Romance Fantasy Others

ଅଜଣା ମିତ

ଅଜଣା ମିତ

4 mins
303


        ରେଳଷ୍ଟେସନ ପାଖେ ଘରଥାଏ ବୋଲି ସକାଳ ଭ୍ରମଣରେ ପ୍ଲାଟଫର୍ମ ପଟେ ଗୋଟେ ପରିକ୍ରମା ଲଗାନ୍ତି ଆଲୋକ । ଏଇ ସବୁଦିନର ଭ୍ରମଣ ଭିତରେ ସେ ଏକ ବନ୍ଧୁ ମଧ୍ୟ ପାଇଯାଇଥାନ୍ତି । ଯାହାଙ୍କ ସହ ତାଙ୍କ ଦେଖା ହୋଇଥିଲା ପ୍ଲାଟଫର୍ମ ନମ୍ବର ଏକରେ ଥିବା ବହି ଦୋକାନ ଆଗେ । ଦୁହେଁ ଗୋଟିଏ ହିଁ ବହି ଖୋଜୁଥିଲେ, ସଂଯୋଗକୁ ଦୋକାନରେ ଥିଲା ଖଣ୍ଡିଏ ମାତ୍ର । ବୟସରେ ବଡ ଥିବାରୁ ଆଲୋକ ନିଜେ ନଆଣି ସେଇ ଅଚିହ୍ନା ବ୍ୟକ୍ତି ଜଣକ ହାତକୁ ବଢେଇ ଦେଲେ ବହିଟି । ବ୍ୟକ୍ତି ଜଣକ ବହିଟିର ପଇସା ଦେଇ ହସି ହସି ବହିଟିର ପ୍ରଥମ ପାଠକ ଆପଣ ହେବେ କହି ଆଲୋକଙ୍କୁ ଦେଇ ଦେଲେ । ଏଇ ପ୍ରଥମ ଦେଖାର ମଧୁର ଆଳାପ ଏବଂ ଆପଣାର ମନୋଭାବ ଦୁହିଁଙ୍କୁ ନିକଟତର କଲା । 

    ଦୁହେଁ ସବୁଦିନ ସେଇ ବହି ଦୋକାନ ଆଗେ ଭେଟ ହୁଅନ୍ତି । ସେଠୁ କିଛି ବାଟ ଏକାଠି ବାଟୋଇ ହୋଇ ଚାଲନ୍ତି ଏବଂ ପୁଣି ନିଜ ନିଜ ପଥେ ପଲେଇଯାନ୍ତି । ଏଇ ଦୁହିଁଙ୍କ ଭିତରେ ଆରମ୍ଭ ହୋଇଥିବା ସଂପର୍କର ସାକ୍ଷୀ ଥାଏ ସେଇ ଦୋକାନବାଲା । ଏଇ ଭିତରେ ଆଲୋକ ବହିଟି ପଢିସାରି ଫେରେଇ ଦେଇସାରିଥାଏ । ତା ପରେ ମଧ୍ୟ ସେମାନଙ୍କ ବନ୍ଧୁତ୍ବରେ କୌଣସି କ୍ଷୀଣତ୍ବ ଦେଖାଯାଏ ନାହିଁ । ସେ ଦୁହେଁ ଅଳ୍ପ ସମୟ ଭିତରେ ଏତେ ନିଜର ହୋଇଯାଇଥନ୍ତି ଯେ କହି ହେବନି କି ସେମାନେ ଆଗକୁ ଅଚିହ୍ନା ଥିଲେ । ପ୍ରଥମେ ତ ଆଲୋକ ଡରୁଥିଲେ ବୟସରେ ବଡଥିବା ବ୍ୟକ୍ତିଙ୍କ ସହ ବନ୍ଧୁତାର ସଂପର୍କ ଗଢିବେ ନା ସମ୍ମାନ ଜଣେଇ ଭଦ୍ରତାର ବ୍ୟବହାର କରିବେ ବୋଲି । ହେଲେ ଧୀରେ ଧୀରେ ସେମାନଙ୍କ ଆତ୍ମୀୟତା ସେମାନଙ୍କୁ ବନ୍ଧୁ କଲା । ବୟସର ପାର୍ଥକ୍ୟ ଥିଲେ ମଧ୍ୟ ସେମାନେ ଭଲ ବନ୍ଧୁ ହୋଇ ସୁଖଦୁଃଖର ସହଚରୀ ହେଲେ । 

      ସବୁଦିନ ପରି ସେଦିନ ମଧ୍ୟ ସେମାନଙ୍କ ଦେଖା ହେଲା ବହି ଦୋକାନ ଆଗେ; ହେଲେ ସେଦିନ ଦୋକାନଟି ବନ୍ଦ ଥାଏ । ପୂର୍ବରୁ କେବେ ବନ୍ଦ ହେବାର ତ ସେମାନେ ଦେଖିନଥିଲେ ତଥାପି ସେଦିନ କାହିଁକି ବନ୍ଦ ଅଛି ବୋଲି ଏତେ ଆଉ ଧ୍ୟାନ ଦେଇନଥିଲେ । ଦିନେ କି ଦି ଦିନ ନୁହେଁ ଏମିତି ଲଗାତାର ସାତ ଆଠ ଦିନ ବନ୍ଦ ହେବାପରେ ଦୁହିଁଙ୍କ ମନରେ କାରଣ ଜାଣିକାର ଅଭିଳାଷା ବଢିଲା । ଆଖ ପାଖ ଦୋକାନୀଙ୍କଠୁ ସେମାନେ ଜାଣିବାକୁ ଚେଷ୍ଟା କଲେ । 

      ଆଲୋକ ଥିଲେ ଜଣେ କର୍ମଚାରୀ । ତାଙ୍କୁ ସମୟ କମ । ହେଲେ ତାଙ୍କ ବନ୍ଧୁ ଅବସର ଜୀବନରୁ ସମୟ ବାହାର କରି ଦୋକାନୀକୁ ନେଇ ତଥ୍ୟ ସଂଗ୍ରହ କରନ୍ତି । ୟା ଠୁ ତା ଠୁ ଯାହା ମିଳେ ସବୁକୁ ଏକଜୁଟ କରି ଦୁଇ ବନ୍ଧୁ ଦୋକାନୀର ଘରେ ଯାଇ ପହଞ୍ଚିଯାନ୍ତି । ଦୁଇ ବନ୍ଧୁଙ୍କୁ ନିଜ ଅଗଣାରେ ପାଇ ଦୋକାନୀଟି ଭାବବିହ୍ବଳ ହୋଇଉଠେ । ଆଶା କରିଥିବା ଲୋକଙ୍କ ଯେଉଁ ଦାଣ୍ଡରେ ପାଦ ପଡିନଥାଏ ସେଠି ସେ ଦୁହିଁଙ୍କ ଉପସ୍ଥିତ ପର ଏବଂ ନିଜରର ମହତ୍ତ୍ଵକୁ ବୁଝେଇ ଦେଉଥାଏ । 

     ଦୋକାନୀଟି କିଛି ସମୟ ପରେ ନିଜ ପତ୍ନୀ ପାଖକୁ ନେଇଯାଏ । ଯାହାଙ୍କ ପାଇଁ ସେ ଏତେ ଦିନ ଧରି ଦୋକାନ ବନ୍ଦ କରିଛି ତାଙ୍କ ସହ ଦେଖା କରେଇ ଦିଏ । ଅତୁଟ ପ୍ରେମ ସେ ଦୁହିଁଙ୍କ । ବାଲ୍ୟକାଳକୁ ଦୁହେଁ ଦୁହିଁଙ୍କୁ ଜାଣନ୍ତି । ସାମାନ୍ୟ କିଛି ଦୂରେ ଘର ଥାଏ ଦୁହିଁଙ୍କ । ଏକାଠି ଦୁହିଁଙ୍କ ପାଠପଢା ମଧ୍ୟ । ସବୁ ସମାନ କିନ୍ତୁ ଆର୍ଥିକ ଦୃଷ୍ଟିରୁ ଝିଅ ଘରଠୁ ପୁଅ ଘର ଅଧିକ ସମୃଦ୍ଧ । ଝିଅର ବାପା ଦିନ ମଜୁରୀ କଲେ ପୁଅର ବାପାଥାନ୍ତି ସରକାରୀ କର୍ମଚାରୀ । ତଥାପି ଏତେ ସବୁ ପାତର ଅନ୍ତର କଥା ନବୁଝି ପୁଅ ମନ ବିକିଦିଏ ଝିଅଠି । 

    ସମାଜର ନୀଚ ଦୃଷ୍ଟି କିନ୍ତୁ ଦୁହିଁଙ୍କ ସଂପର୍କକୁ ସହମତି ଜଣାଏ ନାହିଁ ବୋଲି ଦୁହେଁ ଅନ୍ଧାର ରାତିର ଛାତିଚିରି ପଳେଇ ଆସନ୍ତି ସହରକୁ । ସହରରେ କିଛି ବର୍ଷ ବେଶ କଷ୍ଟରେ ଲଢେଇ କରି ବଂଚିବାକୁ ପଡେ । ପରେ ରେଳଷ୍ଟେସନରେ ଛୋଟିଆ ଚା' ଦୋକାନ ଆରମ୍ଭ କରନ୍ତି । ଭାଗ୍ୟ ସହଯୋଗ କରେ । ବ୍ୟବସାୟ ବଢିଚାଲେ । ଦୋକାନ ବଡ କରିବାକୁ ବିଚାର କରି କିଛି ଖାଇବା ସହ ପଢିବାକୁ ମଧ୍ୟ ମନ ପସନ୍ଦର ବହି ଆଣିଲଗାନ୍ତି । ଜୀବନରେ ପରିବର୍ତ୍ତନ ଆସେ । ମୁଠାଏ ଖାଦ୍ୟ ପାଇଁ ଆଉ ସଂଗ୍ରାମ କରିବାକୁ ପଡେନି । ପିଲାଙ୍କୁ ନେଇ ସଂସାର କରେ ଜୀବନଟି ଗୋଟିଏ ପ୍ରକାରରେ ସୁନ୍ଦର ଥାଏ ହେଲେ ସେଇ ସୁନ୍ଦର ସଂସାରରେ ନିଜ ଲୋକଙ୍କ ଅଭାବ ସବୁବେଳେ ବିଚଳିତ କରୁଥାଏ । 

     ଧୀରେ ଧୀରେ ସମୟ ବଢିଲେ ପରେ ଜୀବନର ଆୟୁଷ କମେ । ହଠାତ୍ ଜଣାପଡେ ଯେ ପତ୍ନୀ ଯକୃତ ସମସ୍ୟାରେ ପୀଡିତ । ଯକୃତ ଏକ ପ୍ରକାରରେ ସଂପୂର୍ଣ୍ଣ ଖରାପ ହୋଇସାରିଛି ତେଣୁ ଯକୃତ ପରିବର୍ତ୍ତନ ହିଁ ବଂଚିବାର ଏକ ଶେଷ ରାସ୍ତା । ହେଲେ ଏତେ ଅଳ୍ପ ସମୟ ଭିତରେ ଯକୃତ ଖୋଜିବା ପୁଣି ଟଙ୍କାର ବନ୍ଦୋବସ୍ତ କରିବା କଷ୍ଟ ହୋଇପଡେ । ତେଣୁ ମୃତ୍ୟୁ ସହ ସମ୍ମୁଖୀନ ହେବା ପୂର୍ବରୁ, ପତ୍ନୀଙ୍କୁ ଚିରଦିନ ପାଇଁ ଦୂରେଇ ଦେବା ପୂର୍ବରୁ ସେ ତାଙ୍କ ସହ ସବୁତକ ମୂହୁର୍ତ୍ତ ବଂଚିବାକୁ ଚାହାଁନ୍ତି । ଆଖିର ମଣି ଆଖିରୁ ଚାଲିଯିବା ପୂର୍ବରୁ ମନ ଭରି ସବୁ ଦେଖି ଦେବାକୁ ଚେଷ୍ଟା କରନ୍ତି । ତେଣୁ ଦୋକାନ ଗଲେ ସକାଳୁ ରାତି ହେଇଯିବ ଆଉ ଏତେ ଦୀର୍ଘ ଘଣ୍ଟାର ଦୂରତା ତାଙ୍କୁ ଅଜସ୍ର ଦୁଃଖ ରାଶି ଲେଖିଦେବ । 

     ଦୁଇ ବନ୍ଧୁଙ୍କ ଆଖିରେ ଲୁହ ଭରିଦିଏ ସବୁତକ କାହାଣୀ । ସେମାନେ ଦୋକାନୀଙ୍କ ପାଇଁ କିଛି ଚେଷ୍ଟା ନିଜପଟୁ ଆରମ୍ଭ କରନ୍ତି । ଯକୃତ ଖୋଜିବା ସହ ଆର୍ଥିକ ସାହାଯ୍ୟ ପାଇଁ ମଧ୍ୟ ଗୁହାରୀ କରନ୍ତି । ହେଲେ ଦୁଃଖର କଥା ଯେ ଏତେ ସବୁ ଚେଷ୍ଟାକୁ ବିଫଳର ମୋହର ଲଗେଇ ତାଙ୍କ ପତ୍ନୀ ଜୀବନ ଲଢେଇରେ ହାରି ସଭିଙ୍କୁ ହରେଇ ଦିଅନ୍ତି । 

      ଏଇ ଭିତରେ ଦୋକାନୀ ସହ ଦୁଇ ବନ୍ଧୁ ଖୁବ ଅନ୍ତରଙ୍ଗ ହୋଇପଡିଥାନ୍ତି । ତାଙ୍କ ଏକାକୀ ମୂହୁର୍ତ୍ତରେ ତାଙ୍କୁ ହାତ ଧରନ୍ତି । କିଛି ଦିନ ଅନ୍ତେ ପୂର୍ବବତ ପ୍ଲାଟଫର୍ମ ନମ୍ବର ଏକରେ ଦୀର୍ଘ ଦିନରୁ ବନ୍ଦ ପଡିଥିବା ଦୋକାନ ଖୋଲାଯାଏ ହେଲେ ସେଇ ଦୋକାନ ଓ ଦୋକାନୀ ଉଭୟଙ୍କ ଚମକ ସଂପୂର୍ଣ୍ଣ ବଦଳି ସାରିଥାଏ । 

      

       


Rate this content
Log in

Similar oriya story from Romance