STORYMIRROR

suchismita Panda

Fantasy Inspirational Others

4  

suchismita Panda

Fantasy Inspirational Others

ଭିଟାମାଟିର ମୋହ

ଭିଟାମାଟିର ମୋହ

3 mins
278


        ଅଫିସରୁ ଫେରି ହାଲିଆ ହୋଇପଡିଥିବା ସମୀର ବସିପଡେ ପଙ୍ଖାର ପବନ ତଳେ । ହୁର ହୁର ପବନ ଗ୍ରୀଷ୍ମ ଦିନର ଝାଞ୍ଜି ପବନରେ ପୋଡି ଯାଇଥିବା ଦେହକୁ ଶାନ୍ତି ଦେଉଥାଏ ସାମାନ୍ୟ । ପତ୍ନୀ ମଞ୍ଜୁ ହାତର କପେ ଚା' କୁ ଅପେକ୍ଷା କରି ଚୁପ୍ ଚାପ୍ ଆଖି ବନ୍ଦ କରି ବସିଥାନ୍ତି । ମଞ୍ଜୁ କପେ ଚା' ସହ ବାଜୁଥିବା ମୋବାଇଲକୁ ମଧ୍ୟ ବଢେଇ ଦିଅନ୍ତି ସମୀରଙ୍କ ହାତକୁ । 


     ଗାଁରୁ ଆସିଥିବା ଫୋନ ସମୀରଙ୍କୁ ବିଚଳିତ କରିଦିଏ । ଚା' କପେ ସାରି ଦେଇ ସେ ସଂଗେ ସଂଗେ ବାହାରି ପଡନ୍ତି ଗାଁ ଯିବା ପାଇଁ । ଛଅ ମାସର କୁନି ଝିଅ ମାଳିନୀକୁ ଶୋଇଥିବା ବେଳେ ଗେଲ କରିଦେଇ ସେ ଚାଲିଯାନ୍ତି । ତାଙ୍କ ତରବର ଏବଂ ହାବଭାବରୁ ବୁଝି ହେଉଥାଏ ଯେ କଥାଟି ନିଶ୍ଚୟ କିଛି ବଡ ନହେଲେ ଏମିତି ଅବେଳରେ ସେ ଯାଇନଥାନ୍ତେ । ହେଲେ ଯିବା ପୂର୍ବରୁ ପଦେ ହେଲେ ଯେଉଁ କିଛି କହିଲେ ନାହିଁ ତାହା ମଞ୍ଜୁର ହୃଦୟକୁ ଅଧିକ ମାତ୍ରାରେ ବିଚଳିତ କରୁଥାଏ । 


      ଗାଁ କହିଲେ ସମୀରଙ୍କ ବାପାଙ୍କ ଗାଁକୁ ନୁହେଁ ବରଂ ମାଆଙ୍କ ଗାଁକୁ ବୁଝାଯାଏ । ଅର୍ଥାତ୍ ସମୀରଙ୍କ ମାମୁଁଘର ଗାଁରେ ହିଁ ସମୀରଙ୍କ ଗାଁ । ସେଇଠି ସେ ବଢିଛନ୍ତି ବାଲ୍ୟକାଳରୁ । ବାପାଙ୍କୁ ସେ କେବେ ଦେଖିନାହାନ୍ତି । ମାଆଠୁ ଯାହା ଶୁଣିଥିଲେ ସେତକ ତାଙ୍କ ମନରେ ବାପାଙ୍କ ଚିତ୍ର ଆଙ୍କିଦେଇଛି । ତେଣୁ ମାଆ ହିଁ ତାଙ୍କ ପାଇଁ ଉଭୟ ବାପା ଓ ମାଆ । ମାଆଙ୍କ ଦେହ ବୋଧେ କିଛି ଖରାପ ହୋଇଥିବ ଭାବି ମଞ୍ଜୁ ଅପେକ୍ଷା କରିରହିଲେ ସମୀରଙ୍କ ଫୋନକୁ ।


     ସେପଟେ ସଞ୍ଜ ହେବାକୁଥାଏ ଏବଂ ସମୀର ଗାଁ ପାଇଁ ଯିବାକୁ ବାହାରିଥିଲେ । ସକାଳେ ଯିବାକୁ ଯେତେ ସାଧନ ମିଳେ ସଞ୍ଜ ବେଳକୁ ଆଉ ସେତେ ନଥାଏ । ହେଲେ ଭାଗ୍ୟକୁ ଗାଁକୁ ଫେରୁଥିବା ଶେଷ ଟ୍ରେନଟା ଡେରି କଲାରୁ ମିଳିଗଲା ସହଜେ । କିନ୍ତୁ ଦୂର ବାଟ ଯାଏଁ ବିନା ରିଜେବେଷନ । ଏଠି ସେଠି ଠିଆ ହୋଇ କିମ୍ବା କେଉଁଠି ଟିକେ ବସିବାକୁ ପାଇ ରାତି ବିତେଇବାକୁ ପଡିଲା । ପାହାନ୍ତିଆ ସକାଳୁ ସେ ପହଞ୍ଚି ଗଲେ ଗାଁରେ । ଦୁଇ ଦିନ ପୂର୍ବରୁ ସହରୁ ଗାଁକୁ ଫେରିଥିବା ମାଆ ମନ ହଠାତ୍ ପୁଅକୁ ଆଖିଆଗେ ଦେଖି ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇପଡେ । ଅନ୍ୟ ପଟେ ମଞ୍ଜୁର ମନ ମଧ୍ୟ ଗୋଳେଇ ହେଉଥାଏ ସମୀରଙ୍କ ଏପରି ଅଚାନକ ଗାଁ ଯିବାର ରହସ୍ୟ ଜାଣିବାକୁ । 


     କିଛି ଲୋକେ ଯେବେ ଗାଁର ଘର ଖଣ୍ଡକୁ କିଣିବା ପାଇଁ ଆସନ୍ତି ଏବଂ ବାଲ୍ୟକାଳର ଶେଷ ସ୍ମୃତି ଭାବେ ସମୀର ସେଇ ଘରକୁ ବିକ୍ରି କରିବେ ନାହିଁ ବୋଲି ଜିଦ୍ ଧରି ରହନ୍ତି ସେତେବେଳେ ସଭିଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ଆପେ ମିଳିଯାଏ । ପାଟିତୁଣ୍ଡ ହୁଏ, କିଣିବା ଲୋକଙ୍କ ରାଗ ଦେଖି ମାଆର ଛାତି ଥରିଉଠେ । ସେ ଘରଟିର ଲୋଭ ଛାଡିଦିଅନ୍ତି ପୁଅକୁ ସୁଖରେ ଦେଖିବା ପାଇଁ ହେଲେ ପୁଅ ସମୀର ପଛକୁ ଫେରେନାହିଁ । ସେ ଜୀବନ ପ୍ରତି ଭୟନକରି ତୀବ୍ର ପ୍ରତିକ୍ରିୟା ଜଣାଏ । ଯେଉଁ ଘରେ ସେ ବଢିଛି, ଯେଉଁଠି ତାର ବାଲ୍ୟକାଳ ଯୌବନ ପାଇଛି, ମଞ୍ଜୁ ବୋହୂ ସାଜି ଯେଉଁ ଅଗଣାରେ ପାଦ ଦେଇଛନ୍ତି ସେଇ ଘରକୁ ସେ କେମିତି ବିକ୍ରି କରିଦେବ । ଏତେ ବଡ ଅନର୍ଥ କେବେହେଲେ ସେ କରିବ ନାହିଁ । ତେଣୁ ସେ ନିଜ ହକର ଲଢେଇ ଲଢେ । ପାଟିତୁଣ୍ଡ ଜୋର ଧରେ । ଗାଁ ଲୋକଙ୍କ ସହମତି ରହିଥାଏ ସମୀର ସହ ତେଣୁ କ୍ରେତାଙ୍କ ହାତରେ ନିରାଶା ଲାଗେ । ବାଧ୍ୟ ହୋଇ ଫେରିଯାନ୍ତି । 


      ସମୀର ଧନ୍ୟବାଦ ଜଣାଏ ଇଶାନକୁ । ଇଶାନ ସମୀରଙ୍କ ମାଉସୀ ପୁଅ, ହେଲେ ସେମାନଙ୍କ ଭାଗ୍ୟ ଏକ ପ୍ରକାରର ଓ ଦୁହେଁ ଗୋଟିଏ ପରିବାରର ଦୁଇ ତାରା । ସମୀର ପେଟରେ ଥିଲାବେଳୁ ହରେଇଥିଲେ ବାପାଙ୍କୁ ଏବଂ ଇଶାନ ପାଞ୍ଚ ବର୍ଷ ବେଳକୁ ମାଆଛେଉଣ୍ଡ । ବାପା ଥାଇ ମଧ୍ୟ ସେ ପାଇନାହିଁ ବାପାଙ୍କ ହାତର କୋମଳ । ମାଆ ଚାଲିଗଲା ପରେ ବାପା ଦ୍ୱିତୀୟ ପତ୍ନୀ ଆଣିଥିଲେ ନିଜ ପାଇଁ କିନ୍ତୁ ସେ କେବେ ଦ୍ୱିତୀୟ ମାଆ ହୋଇପାରିଲେ ନାହିଁ, ସାବତ ମାଆ ହୋଇରହିଲେ । ଇଶାନର ଦୁଃଖ ଦେଖିନପାରି ତାକୁ ନେଇଆସିଲେ ଘରକୁ । ସମୀର ଓ ଇଶାନ ଦୁଇ ଭାଇ ହୋଇ ବଢିଲେ ଗୋଟିଏ ମାଆ କୋଳରେ । 


   ମାମୁଁମାନେ ମିଶି ଘରବିକ୍ରି କଥା ହେଉଥିବା ଜାଣି ଫୋନ୍ କରି ଜଣେଇଦିଏ ସମୀରଙ୍କ । ସମୀର ସଂଗେ ସଂଗେ ବାହାରି ଆସେ ନିଜ ଘରକୁ ବଂଚେଇବା ପାଇଁ । ଇଶାନ, ସମୀରଙ୍କୁ ସହଯୋଗ କରନ୍ତି ଗାଁ ଲୋକେ । ସେମାନେ ନିଜ ଲଢେଇ ନିଜେ ଲଢି ଗାଁ ଘରକୁ ବଂଚେଇ ରଖନ୍ତି । 


    ଏତେ ସବୁ କଥା ଜାଣି ମଞ୍ଜୁ ଭାରି ଗର୍ବ କରେ ସମୀରଙ୍କ ଉପରେ । ମନରେ ମନରେ ଠାକୁରଙ୍କୁ ଧନ୍ୟବାଦ ମଧ୍ୟ ଜଣାଏ । ସମୀରଙ୍କୁ ସ୍ବାମୀ ରୂପେ ପାଇ ସେ ନିଜକୁ ଭାଗ୍ୟବତୀ ମାନେ । ନିଜ ଘର, ଗାଁ, ପରିବାର ପାଇଁ ଯିଏ ଛିଡା ହୁଏ ସେ ହିଁ ଦେବତା ସମ ମଣିଷ ବୋଲି ସେ ପୂର୍ବରୁ ଶୁଣିଥିଲା । ସମୀରଙ୍କୁ ପାଇ ସେଇ ସାକ୍ଷାତ ଦେବତାଙ୍କ ଦର୍ଶନ ମଧ୍ୟ ପାଇଯାଇଥିଲା । ଭିଟାମାଟିର ମୋହରେ ଦୌଡି ଆସିଥିବା ସମୀର ସବୁକିଛିର ସମାଧାନ କରି ଫେରିଯାଏ ସହରକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy