STORYMIRROR

Mr.GAGAN BIHARI NAYAK

Romance Fantasy

5.0  

Mr.GAGAN BIHARI NAYAK

Romance Fantasy

ବାସନ୍ତୀର ମଳୟ

ବାସନ୍ତୀର ମଳୟ

7 mins
596



ଶରଦ ଭିଜା ପୂନେଇଁର ଜହ୍ନରାତି - ଆକାଶକୁ ଚାହିଁ ରହିଛି ଶିପ୍ରା । ବିତି ଯାଇଥିବା ଅତୀତଟା ତା ଠାରୁ ବହୁତ ଦୂରରେ...। ଝାପସା ଝାପସା ମନେ ପଡୁଛି ବିଗତ ଦିନ ଗୁଡାକ । ଭାବନା ପରିଧିର କେନ୍ଦ୍ର ବିନ୍ଦୁରେ ଠିଆ ହୋଇ ସେ ମାପି ଚାଲିଥିଲା ଲାଭ କ୍ଷତିର କ୍ଷେତ୍ରଫଳ । ତା ଭିତରେ ନିଜେ ଅନୁଭବ କରୁଥିଲା ସେ ଗୋଟେ ଅଛିଣ୍ଡା ଅଙ୍କର ଭଗ୍ନାଂଶଟିଏ।


ଝରକା ବାଟ ଦେଇ ପଶି ଆସିଲା ଦଲକାଏ କାକର ଭିଜା କୋହଲା ପବନ-। ସେ ନିଜକୁ ଦେଖିଲା,  କାଲିର କୁଆଁରୀ ଆଜିର ବୋହୁ । କିଏ ଜାଣେ କାହା ଭାଗ୍ଯ ସହିତ ଆଉ କାହାର ଭାଗ୍ଯ ଜୋଡି ହୋଇ ବଦଳି ଯିବ ଜୀବନର ପରିପଥ। ଦିନେ ଚୁପି ଚୁପି ବସନ୍ତ ଆସିଲା ଭଳି ତା ଅଭିଆଡୀ ଜୀବନରେ ମଳୟ ଦେଖା ଦେଲେ । ମଳୟ ପ୍ରତି ଅହେତୁକ ଭଲ ପାଇବା ସହିତ ପାଠ ପଢା ସମୟଟା ଖୁବ ମଉଜ ସଜଲିସରେ କଟିଗଲା। ତା ମନର ମଣିଷଟିକୁ ସେ ବାସ୍ତବରେ ଆବିଷ୍କାର କରିଥିଲା ସେଦିନ। ତା ଭିତରେ ଥିବା ଭଲ ପାଇବାର ମନଟିକୁ ଧୀରେ ଧୀରେ ସେ ଉତ୍ସର୍ଗୀକୃତ କରି ଦେଇଥିଲା ତା ଉଦ୍ଦେଶ୍ଯରେ । ଆଉ କଥା ଦେଇଥିଲା ଜୀବନ ସାଥୀ ହୋଇ ଚିର ଦିନ ତା ସହିତ ଖୁସିର ମୁହୁର୍ତ୍ତ ଗୁଡାକ ଏମିତି ହସ ଖୁସିରେ କାଟିବ । କିନ୍ତୁ ବଦଳି ଗଲା ସବୁକିଛି । ଭାରତୀୟ ସଭ୍ଯତାରେ ଥିବା ଆଦିମ ବିଚାରଧାରାର ଶିକାର ହେଲା-ବାସନ୍ତୀ ।


ପୁରୁଣା ପରମ୍ପରା ସଂସ୍କୃତିର ଖଣ୍ଡାଧାରରେ ଦୁଇଖଣ୍ଡ ହେଇଗଲା ଦୁଇଟି ଜୀବନ। ବାସନ୍ତୀ ମନକୁ ଚୋରା ଚଇତାଳି ଛୁଇଁ ପାରିଲା ନାହିଁ। ଦୂରେଇ ଗଲା ମଳୟ ଠାରୁ ବାସନ୍ତୀର ଦୂରତା । ବାସନ୍ତୀର ଇଣ୍ଟର ପାଠପଢା ପରେ, ବାହାଘର ଠିକ ହୋଇଗଲା ଅନ୍ଯତ୍ର । ଘର ଲୋକଙ୍କୁ କହିଲେ ବି କେହି ଶୁଣି ନ ଥିଲେ ତା' କଥା । ଓଲଟି ମଳୟକୁ ମାରିଦେବାକୁ ଧମକ ଦେଲେ, ବଡ ବାଧିଥିଲା ବାସନ୍ତୀକୁ । କାରଣ, ବାସନ୍ତୀ ମଳୟକୁ ଖୁବ ଭଲ ପାଉଥିଲା । 


ଗ୍ରହ ନକ୍ଷତ୍ରର ହିସାବ ପୋଥିରେ ମଳୟ ଥିଲା ଗୋଟେ ଅମେଳକ ରାଶି । କାରଣ ସମାଜର ଜାତିଗତ ବ୍ଯବସ୍ଥାର ସାରଣୀ ଭିତରେ ମଳୟ ସବୁଠାରୁ ବହୁତ ତଳେ ରହିଥିଲା। ହେଲେ ମନପ୍ରାଣ ଓଜନିଆ ଥିଲା, ଭଲ ପାଇବାର ପବିତ୍ରତା ଓ ହୃଦୟର ସ୍ବଛ ଚିନ୍ତାଧାରା ପାଇଁ ଆଜି ସେ ତଳେ ଥିବାର ସେଇ ଦିନ ଅନୁଭବ କରୁଥିଲା । ସମାଜର ଉପରେ ଥିବା ବଡ ପଣ୍ଡାମାନେ ତାଙ୍କୁ ତଳେ ରଖିଦେଇ ଭାରତୀୟ ସଭ୍ୟତାକୁ ଅବକ୍ଷୟ କରି ପରମ୍ପରା ଓ ସଂସ୍କୃତିର ଅଛିଣ୍ଡା ଗଣିତରେ ସେ ଆଜି ଅବିଭାଜ୍ଯ । ସମାଜିକ ପର୍ଯ୍ଯବେକ୍ଷକଙ୍କ ମେଳକ ପୋଥିର ପୃଷ୍ଠ ପୋଷକଙ୍କ ମାନସିକ ବିବୃତିକୁ ସ୍ବୀକାର୍ଯ୍ଯ ବୋଲି ଭାବି ବାସନ୍ତୀ ଠାରୁ ନିଜକୁ ଦୂରେଇ ନେଲା ମଳୟ। କିନ୍ତୁ ସେ ନିରୋଳାରେ ବସି ଭାବେ ବାସନ୍ତୀର ପବିତ୍ର ଭଲ ପାଇବାକୁ। ବିଚାର କରେ ତା ବନ୍ଧୁ ଅଜୟକୁ ନେଇ ଏକ ସମାନ୍ତରାଳ ସରଳ ରେଖାରେ । ଯୋଗକରେ ଭାରତୀୟ ସଭ୍ଯତା ସହିତ ଅନ୍ଯ ଦେଶର ସଭ୍ଯତା ସହିତ । ସେ ଆଜି ତା ଜନ୍ମଭୂମିରେ ଏତେ ତଳେ କାହିଁକି ??? କିଏ ଛଡେଇ ନେଇଛି ତାର ସହଜାତ ଓ ମୂକ୍ତ ଭାବେ ମିଳିଥିବା ଈଶ୍ବର ଦତ୍ତ ଦି'ପାଦ ଭୂଇଁ ଓ ଚେନାଏ ଆକାଶ । ପ୍ରଶ୍ନ ପରେ ପ୍ରଶ୍ନ କରେ ନିଜେ ନିଜକୁ ଆଉ ତା ଉତ୍ତରରେ ସେ ହସେ, ବଦ୍ଧ ପାଗଳ ହସ । କହେ ସଭ୍ଯତା ସତରେ କେତେ ନୀଚରେ l କାରଣ,ତା ବନ୍ଧୁ ଅଜୟ ବିଦେଶରେ ସଫ୍ଟୱେର ଇଞ୍ଜିନିଅର କରି ସେଠାର ବିଦେଶିନୀକୁ ପସନ୍ଦ କରି ବିବାହ କଲା । ଆଜି ବେଶ ସୁଖ ସ୍ବାଛନ୍ଦ୍ୟ ଜୀବନ ବିତାଇ ଆସୁଛି । ସେ ଓ ତା' ବଂଶ ଆଭିଜାତ୍ଯ ପରମ୍ପରା ସବୁ ବିଦେଶିନୀ ଅର୍ଥ ର ଅନ୍ତରାଳେ ଚାପି ହେଇଗଲା । ଭାରତୀୟ ସଂସ୍କୃତି ପରମ୍ପରା କାଇଁ ଅଜୟକୁ ଆଖି ଉଠେଇ ଦେଖିଲା ନାହିଁତ । ସବୁ ଅର୍ଥର ଅନ୍ତରାଳେ ସମାଧିସ୍ଥ ନେଲା । ବୈଦିକ ନିତୀରେ ବିବାହ କରି ସେଇ ପୁଅ ବୋହୁର ମୋଟା ଅଙ୍କର ରୋଜଗାରରେ ଅଜୟ ବାପା ଆଜି ଶାସକ ଗୋଷ୍ଠୀର ସଚେତକ ପାଲଟି ଗଲା । ଅଜୟ ମା' ଆଜି ସାମାଜିକ କର୍ମୀ ହେଇ ସମାଜକୁ ପଢେଇ ଆସୁଛନ୍ତି ସଂସ୍କାର ସଂସ୍କୃତିର ଉପପାଦ୍ଯ । ଜଣେ ସଂସ୍କାରର ଜୟମାଲ୍ଯ ଧରି ସଂବିଧାନ ଗ୍ରନ୍ଥର ପ୍ରବଚକ ହେଲା ବେଳେ ଆଉ ଜଣେ ଅପସଂସ୍କୃତି ବୀଜ ବାହକ ହୋଇ ସମାଜକୁ କଳୁଷିତ କରୁଛନ୍ତି। କିନ୍ତୁ ସେ ଓ ତା ଭଲ ପାଇବା- ବାସନ୍ତୀ । ସମାଜର ପୁରୁଣା ପରମ୍ପରା ଓ ଅପସଂସ୍କୃତିର ଆଦିମ ବିଚାରଧାରାର ଶିକାର ହୋଇ ଆଜି ବାସନ୍ତୀ ମଳୟ ପରିବର୍ତ୍ତେ ହାତ ଧରିଲା ବିକ୍ରମ ରାୟର । ହତାଶାର ଦୀର୍ଘଶ୍ବାସରେ ଦୂର୍ବଳ ଅନୁଭବ କରେ ମଳୟ । କଣ ବା ସେ କରି ପାରିବ ନିଜ ଜୀବନ ଧାରାର ପରିବର୍ତ୍ତନ କରିବା ଛଡା....l


ବିକ୍ରମ ରାୟ ସହିତ ବାସନ୍ତୀର ବିବାହ ହେଇଗଲା କିନ୍ତୁ ଏବେ ବି ପତିର ସାନିଧ୍ୟତା ପାଇବାରୁ ବଞ୍ଚିତା ବାସନ୍ତୀ । ଆକଣ୍ଠ ମଦ୍ଯପାନ କରି ଫେରୁଛନ୍ତି ଅଧରାତିରେ । ବିଦେଶୀ ମଦର ଉତ୍କଟ ଗନ୍ଧରେ ଫାଟିପଡୁଚି ଦେହ । ବାସନ୍ତୀ ଡରରେ କିଛି କହେନା । ଆଖି ମଳିମଳି ଭିତରେ ଭିତରେ କାନ୍ଦେ । କୁରୁଳି କୁରୁଳି କୁହୁଳା ନିଆଁରେ ଜଳୁଥିବା କୁଟାଗଦାକୁ କାହିଁକି କିଏ ବା ପଚାରି ବୁଝିବ ତା ଜଳିବାର ଅନ୍ତରାଳର କଥା । ନିତିଦିନର ନିଦୁଆ ରାତି ତା ପାଇଁ ହୁଏ ଉଜାଗର। ସେ ବେକରେ ପିନ୍ଧା ମଙ୍ଗଳସୂତ୍ର ଓ ହାତର ଶଙ୍ଖାକୁ ଦେଖି ମଙ୍ଗଳ ମନାସେ । ନିଜକୁ ବୁଝେଇ ଦିଏ । କାହାକୁ ବା କହିବ । ସେ ଜାଣେ, ଯେତେବେଳେ ସବୁ ନିଜ କାମ ଅସଜଡା ହେଇଯାଏ, ସେତେବେଳେ ମଣିଷ ଅସହାୟ ହୋଇ ଭାଗ୍ୟକୁ ନିନ୍ଦା କରେ । ଭଗବାନକୁ ଦାୟୀକରି ଚତୁରତାର ସହିତ ଦୋଷ ଲଦି ନିର୍ଦ୍ଦୋଷ ହୋଇଯାଏ । କିନ୍ତୁ, ଯେତେବେଳେ ନିଜର ଉନ୍ନତିର ପାହାଚ ଚଢେ, ସେତେବେଳେ ଭାଗ୍ଯ ଓ ଭଗବାନଙ୍କୁ ଭୁଲି ନିଜ ସତ୍କର୍ମ ଫଳକୁ ଅଗ୍ରାଧିକାର ଦେଇଥାଏ । ସତରେ ମଣିଷ କେଡେ ସ୍ବାର୍ଥୀ । ଏମିତି ଅନେକ ଗୁଡିଏ ଜୀବନର ଜଟିଳ ମାନସାଙ୍କର ଉତ୍ତର ଖୋଜୁଖୋଜୁ ବାସନ୍ତୀର ରାତି ପାହିଯାଏ । ପତି ସାନ୍ନିଧ୍ୟ ପାଇବାରୁ ବଞ୍ଚିତା ବାସନ୍ତୀର ମିଳନ ରାତି ବିରହରେ ବିତେ । ଅହେତୁକ ଜୀବନ ଯୌବନର ଶୋଷ ମନରେ ମାରେ । ଏକାକିନୀ ଉନିଦ୍ର ରାତିରେ ବସି ବାସନ୍ତୀ, ନିଜକୁ ସମୀକ୍ଷା କରେ । ଦେଖେ, ବିକ୍ରମ ଆଉ ମଳୟର ସାମାଜିକ ଚଳଣି ଶୈଳୀରେ ଆକାଶ ପାତାଳ ତଫାତ ।


ସମୟର ଗତାନୁଗତିକ ନିୟମରେ ପାଦ ଦେଇ ଚାଲି ଚାଲି ମଳୟ ଜଣେ ସଫଳ ଡାକ୍ତର ହୁଏ। ବିକ୍ରମ ଗୋଟିଏ ପଦ୍ଯପ । ଜଣେ ସମାଜର ତଳ ପାହାଚରେ ଥାଇ ବି ବେଶ ପ୍ରତିଷ୍ଠିତ ଓ ସଫଳ ବ୍ଯକ୍ତିତ୍ବ । ଆଉ ବିକ୍ରମ ଜଣେ ଗଣିକା ଆସକ୍ତ ଓ କାମୂକ । ଅନ୍ତର୍ଦାହର ଦୀର୍ଘଶ୍ବାସ କେଇ

ଟା ବାହାରି ଆସେ । ଭାବନାର ବାଉଳା ପବନରେ ଆକ୍ତାମାକ୍ତା ହୋଇଯାଏ ସେ। ସାମାଜିକ ବାସନ୍ଦର ପ୍ରାଚୀର ଡେଇଁ ସେପଟକୁ ଯିବାର ସାହସ ତାର ନଥିଲା ବୋଲି ଆଜି ସେ' ସଧବା ହୋଇ ବିଧବା ସମ ଭୋଗୁଛି ବିରହ ଯନ୍ତ୍ରଣା । ସେ' ନିରୂପ୍ରାୟ ହୋଇ ନିରବୀ ଯାଇଥିଲା ବୋଲି ଆଜି ସାରା ଜୀବନ ତିଳତିଳ ପଳପଳ କରି ଜାଳୁଛି ନିଜକୁ । କିଛି କରିବାର ଜୁ' ନଥିଲା ନା ବଦଳେଇବାର ତାକତ ଥିଲା ସାମାଜିକ ବ୍ଯବସ୍ଥା ନା ସାହସ ଥିଲା କହିବାକୁ କାହାକୁ । ପରିବାର ଲୋକ କିଏ କେତେ କଥା କହିଯାଇଥିଲେ ସେଦିନ । ସେ ଅନୁଭବ କରୁଥିଲା ଶୂନ୍ୟତା । ସତରେ ସେ ଆଜି ଯାହା ନିଷ୍ପତ୍ତି ନେଲା ସବୁ ଓଲଟ ପାଲଟ ହୋଇଗଲା । ଆଜି ମଳୟକୁ ହଜେଇ ପାଇଲା କଣ ???


ପୂନେଇଁ ରାତିର ଜହ୍ନ କ୍ରମଶଃ ଉପରକୁ ଉଠିଲାଣି । ପ୍ରଚୁର ମଦ୍ୟପାନ କରି ଫେରିଛନ୍ତି ବିକ୍ରମ ହାତରେ ଧରିଛନ୍ତି ଗୋଟିଏ ସିଲ୍ଡ ବିଦେଶୀ ମଦ ବୋତଲ । ଆହତ ଆଖିରେ ଚାହିଁଲା ବାସନ୍ତୀ । ସାହସ ସଞ୍ଚୟ କରି, ବିକ୍ରମକୁ କିଛି କହିବା ଆଗରୁ ବିକ୍ରମ କହିବାକୁ ଲାଗିଲେ ଜମାଟ ବନ୍ଧା ମନର କ୍ଷୋଭ । ସେ କହିଲେ-ଦେଖ ବାସନ୍ତୀ, ମୁଁ ସବୁଦିନ ଭଳି ଆଜି ବି ଟିକେ ଅଧିକ ମଦ୍ୟପାନ କରିଛି ।ହେଲେ କେବେ ବି ପଦେ ତାଗିଦ କରି କହିନାହଁ କି କେବେ ପ୍ରତିବାଦର ସ୍ବର ମୋ ବିରୁଦ୍ଧରେ କରିନାହଁ ।


ଆଇ ନୋ, ୟୁ ଆର ମାଇଁ ବେଟର ହାଫ୍। ମୁଁ ଜାଣେ ସ୍ବାମୀ ସପକ୍ଷରେ ଯିବା ପତିଭକ୍ତା ସ୍ତ୍ରୀର ପରମ ଧର୍ମ । ସେ ସବୁବେଳେ ତାର ସତୀତ୍ଵର ପରାକାଷ୍ଠା, ଭକ୍ତି, ପ୍ରୀତି, ସେବା ଓ ଶାନ୍ତିରେ ଆବାହନୀ ଦେଇ ଆସିଥାଏ । ତେଣୁ ବହୁତ ଧନ୍ଯବାଦ ଦେଉଛି ତୁମକୁ । ତୁମ ଧର୍ଯ୍ଯକୁ ଶତ ପ୍ରସଂଶା କରୁଛି । କାରଣ, ବିବାହ ପର ଠାରୁ ମୁଁ କିଛି ବି ତୁମକୁ ଦେଇନି । ତଥାପି, ତୁମେ ମନ ଦୁଃଖ କରିନାହଁ । ହେଲେ ଜାଣିଛ, ମୁଁ ଆଉ ତୁମ ସହିତ ବେଶି ଦିନ ରହି ପାରିବିନି ।କାରଣ, ମୁଁ କେଉଁ ଏକ ଅଜଣା ରୋଗରେ ପ୍ରପିଡିତ। ଏକଥା ଶୁଣି ଆଖିରେ ବୁନ୍ଦାଏ ଅଶ୍ରୁ ଜକେଇ ଆସିଥିଲା ବାସନ୍ତୀର । ସେ ବିକ୍ରମକୁ ଶାନ୍ତନା ଦେଇ କହିଲା -ନା, ତୁମର କିଛି ହେବନି । ତାଛଡା, ମୁଁ ତମ ପାଖେ ପାଖେ କାୟାକୁ ଛାଇ ଭଳି ଲାଗି ରହିଛି । କିନ୍ତୁ ବିକ୍ରମ ହାତରେ ଧରି ଥିବା ପ୍ରେସ୍କ୍ରିପସନଟିକୁ ବାସନ୍ତୀ ହାତକୁ ବଢେଇ ଦେଇ ସେଇଠି ବସି ପଡିଥିଲେ । ଦେହରୁ ଗମଗମ ହୋଇ ବହିଯାଉଥିଲା ଝାଳ ।ଦେହଟି ଗୋଟିଏ ଅଜଣା କମ୍ପନରେ ଥରୁଥିଲା । ବାସନ୍ତୀ ପଢୁଥିଲା ବିକ୍ରମ ନିଦାନ ରିପୋର୍ଟ । ଫେରି ଚାହିଁଲା ବାସନ୍ତୀ,ବିକ୍ରମ ଦେହଟା ଜଡବତ ପଡି ରହିଛି । ସେ କାଳ ବିଳମ୍ବ ନକରି ଆମ୍ବୁଲାନସକୁ ଫୋନ କରି ଥିଲା । ସମୟରେ ଆମ୍ବୁଲାନ୍ସ ଆସି ପହଞ୍ଚି ଯାଇ ଥିଲା । ସିଟି ହସପିଟାଲର ଏମର୍ଜେନ୍ସି ବେଡରେ ବିକ୍ରମ ପଡି ରହିଛନ୍ତି । ଚିକିତ୍ସା ଚାଲିଛି ।କିଛି ସମୟ ପରେ ଡାକ୍ତର ଆସି କହିଲେ- ଓଃ!!! ନୋ, ଆମେ ଚେଷ୍ଟା କରି ହାରିଗଲୁ । ଆପଣ ଏବେ ଡେଡ୍ ବଡି ନେଇ ଯାଇ ପାର । ବାସନ୍ତୀ ନିର୍ବାକ ହୋଇ ଚାହିଁ ରହିଥିଲା ଡାକ୍ତରଙ୍କୁ । ଡାକ୍ତର ବାସନ୍ତୀକୁ ଦେଖୁଥିଲେ । ଆଖିରେ ଆଖିଏ ଲୁହ ପ୍ରତିବିମ୍ବିତ କରି ଅତୀତକୁ ମନେ ପକେଇ ଦେଉଥିଲା ।


ସେଦିନ ଡ୍ୟୁଟିରେ ଥିବା, ଡାକ୍ତରଙ୍କୁ ସେ ଯେମିତି ଚିହ୍ନିଚି । ହେଲେ କିଛି ନ କହି ଶାଶୁ ଘର ପରିବାର ସହିତ ନିରାଶରେ ଫେରିଥିଲା ବାସନ୍ତୀ। ।


ବିକ୍ରମ କଥା କିଛି ମନରେ ଭାବୁ ନଥିଲା ବାସନ୍ତୀ । ସେତ ସ୍ବାମୀ କର୍ତ୍ତବ୍ଯ କିଛି ବି କରି ନାହାନ୍ତି । ସବୁ ବେଳେ ସୂରାଶାକୀ ସହିତ ତାଙ୍କର ପରିଚୟ । ସେ କେଉଁ ସ୍ମୃତିକୁ ପାଥେୟ କରି ଭାବିବେ । 


ବିକ୍ରମ ଆରପାରିକୁ ଯିବାର ଏକ ମାସ ବିତି ଯାଇଛି । ଶାଶୁଘର ଲୋକେ କେତେ କଥା କହିଚାଲିଛନ୍ତି । ସବୁ ଉଲୁଗୁଣାକୁ ସେ ସହି ସହି କେବଳ ଆଖି ଓଦା କରୁଛି ।କେହି କେହି ଉଆଁସୀ କହି ତା କୋମଳ ହୃଦୟରେ କ୍ଷତ ସୃଷ୍ଟି କରିଛନ୍ତି । ତେଣୁ ସେ ଚାହିଁଛି ସଂପତ୍ତି ଅଲଗା କରି ନେବାକୁ । ତେଣୁ ଆଜି ସେ ବିକ୍ରମ ମୃତ୍ଯୁ ପ୍ରମାଣ ପତ୍ର ପାଇଁ ହସପିଟାଲ ଯାଇଛି । ସେ ଦେଖୁଛି ସେଦିନ ତାକୁ ଭେଟି ପ୍ରବୋଧନା ଦେଇଥିବା ଓ ଚିହ୍ନା ଚିହ୍ନା ଲାଗୁଥିବା ଡାକ୍ତର ଜଣକ ତା ଆଖି ଆଗରେ । ସେଇ ହସ ହସ ମୁହଁରେ ଚାହିଁରହିଥିଲେ ଏକଲୟରେ । କିଛି ସମୟ ପରେ କହିଲେ- ତୁମେ ବାସନ୍ତୀ !!! ଛୋଟ ହଁ'ଟି କରି ମୁଣ୍ଡକୁ ତଳକୁ କରି ଦେଲେ ବାସନ୍ତୀ । ଡାକ୍ତର ମଳୟ କହିଲେ-ଆରେ, ମୁଁ ପରା ମଳୟ। ଏଇ ହସ୍ପିଟାଲର ମେଡିକାଲ ଅଫିସର । ସେଦିନ ଲୋକଟିକୁ ମୁଁ ବଞ୍ଚେଇ ପାରିଲିନି । ସେ ତୁମ ସ୍ବାମୀ ହେବେ' ନା । ହଁ,'କହି ଭୋ ଭୋ ହୋଇ କାନ୍ଦି ଉଠିଲା ବାସନ୍ତୀ । ତା'କୁ ପ୍ରବୋଧନା ଦେଲେ ଡାଃ ମଳୟ, କହିଲେ-ତୁମେ ଜଦି କିଛି ନ ଭାବିବ । ତେବେ ମୁଁ ତୁମକୁ ପୁନଃ ବିବାହ କରିବି ବାସନ୍ତୀ। ଅନ୍ତତଃ ଆଉ ଥରେ ମୋତେ କଥା ଦିଅ । ଅନୁତାପର ଲୁହ ଗୁଡାକ ଝରି ପଡୁଥିଲା । କଥା ମୋଡ ବଦଳେଇ ବାସନ୍ତୀ କହିଲେ-ମୋ ଭଳି ବିଧବାକୁ ??? ଦୁଷ୍ମନ୍ତ କହିଲେ-ଥାଉ!!! ମୁଁ, ଜାଣିଚି ବାସନ୍ତୀ ତୁମେ ଯାହାକୁ ବାହା ହେଇଥିଲ ସେ କେବଳ ଜଣେ ମଦ୍ଯପ ନୁହେଁ, ସେ ସନ୍ତାନ ସୃଷ୍ଟି କରି ନପାରିବା ରୋଗୀଟିଏ ବି । ସେ' ମୋ' ପାଖରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ଯେତେବେଳେ ସେ ଜାଣିଲେ ମୁଁ କି ଚିକିତ୍ସାବିଜ୍ଞାନ ତାଙ୍କୁ କେବେ ସୁସ୍ଥ କରି ତାଙ୍କ ପୌରୁଷତ୍ଵକୁ ଫେରେଇ ପାରିବନି ସେତେବେଳେ ସେ ନିଜେ ଆତ୍ମହତ୍ଯା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମୁଁ ତାହା କରିବାକୁ ଦେଇ ନଥିଲି ସତ ହେଲେ କଣ ଯେ କେତେବେଳେ ଘଟିବ ସେ କଥା ଉପରେ ନିଶ୍ଚିତ ଥିଲି । ମୁଁ ତୁମକୁ ସେତେବେଳେ ଭଲ ପାଉଥିଲି ଆଜି ବି ଭଲ ପାଉଚି । ଏଇ ଦେଖ !!! ତୁମ ମଥାରେ କାଲି ବି ସିନ୍ଦୁର ନଥିଲା ଆଉ ଆଜି ବି ତୁମର ସେଇ ଅଭିଆଡୀ ବେଶ । ତୁମର ଜଦି କିଛି ଆପତ୍ତି ନ ଥାଇ ସେଇ ମଥାରେ ମୋ ସିନ୍ଦୁର ଟୋପାଏ ସାରା ଜୀବନ ଧରି ରଖିବାର ପ୍ରତିଶ୍ରୁତି ଦିଅ ବାସନ୍ତୀ । ତୁମ ସେ କୁଆଁରୀ ବେଶକୁ କାଲି ଭଲ ପାଉଥିବା ଲୋକଟି ଆଜି ତୁମ ଆଗରେ ଠିଆ ହେଇଛି। ବାସନ୍ତୀ ଦେଖୁଥିଲା ସେ ଆଉ ତାର ମୃତ ପରମ୍ପରା ସଂସ୍କୃତି ଭିତରୁ ଏକ ନବ କଳିକାର ନୂଆ ଉନ୍ମେଷର ହେଇଛି । ନବ ପଲ୍ଲବର ଶାଖାରେ ଶାଖାରେ ଭରି ଯାଉଛି ନୂଆ ଏକ ପରମ୍ପରା ସଂସ୍କୃତିର ଫୁଲ ପସରା । ଦହଗଞ୍ଜ ଜୀବନରୁ ଜନ୍ମ ନେଉଛି ନୂଆ ଏକ ସ୍ବପ୍ନିଳ ଦୁନିଆଁ। ସେ ଦୁନିଆଁ ଭିତରେ ଗୁଞ୍ଜରିତ ହେଉଥିଲା କେବଳ ଫୁଲ ଫଗୁଣର ଆଉ ବାସନ୍ତୀ ମଳୟର....।


Rate this content
Log in

Similar oriya story from Romance