ତଳ ପାହାଚ
ତଳ ପାହାଚ
ସେ ଦିନ ଛବିଶ ଜାନୁୟାରୀ ର ପ୍ରସ୍ତୁତି ଚାଲିଥିଲା- ।ସମସ୍ତେ ଚଳ ଚଞ୍ଚଳ । ଆଜି ଭାରତ ଭଳି ଗଣରାଜ୍ଯ ରେ ସଂବିଧାନ ଲାଗୁ ହେଇଥିଲା । ସାଂବିଧାନିକ ଅଧିକାର ଓ ଲୋକଙ୍କ ସୁରକ୍ଷାର ମହାମନ୍ତ୍ର ସମ୍ବିଧାନରେ ଲେଖା ଯାଇଛି । ପ୍ରଦତ୍ତ ନିୟମ କାର୍ଯ୍ଯକାରି ହେଇଥିଲା ଆଜିର ପବିତ୍ର ଦିବସରେ । ଏଣୁ ଗାଁ ଠାରୁ ସହର ସଭିଏଁ କର୍ମ ତତ୍ପର । ସାଧାରଣ ଲୋକଟି ସାଧାରଣତନ୍ତ୍ର ବିଷୟରେ ଜାଣି ନପାରିଲେ ବି ସେ ଏତିକି ବୁଝି ପାରୁଥିଲା । ଏଇ ଦିନ ଆମେ ବିଦେଶୀ ଗଲା ପରେ ଆମଦେଶର ଶାସନ ନିଜ ହାତକୁ ନେଲୁ ।ଏକଥାଟି ଭୀମାକୁ କେମିତି କେମିତି ଲାଗୁଥିଲା । ଆମ ଦେଶ କଣ ଦି' ଥର ସ୍ବାଧିନ ପାଇଥିଲାଯେ, ଆମ ପଂଚାୟତ ରେ ଦି' ଥର ପତାକା ଉଡୁଛି । ସରପଂଚ ତାଙ୍କ ପଂଚାୟତ ଲୋକମାନଙ୍କ ସହିତ କିଛି ଭାଷଣରେ ଲୋକହିତକର କଥା କହି ପତାକାଟି ଉଡେଇ ମିଠା ନେଇ ଘରକୁ ଯାଉଛନ୍ତି । କାଇଁ ଆମ କଥା ଭାବୁ ନାହାନ୍ତି । ଚାରି ଦିନ ହେବ ଶୀତ କାକରରେ ପଡି ଉଠି ସଫାସୁତୁରା କରି ରଙ୍ଗବୋଳି ତୋରଣ କରି ପତକା ସଜେଇବାରୁ ଆଜି ଜାତୀୟ ପତାକା ଫର ଫର ହେଇ ଉଡୁଛି। କାଇଁ, ମିଠା ପକେଟ ଟିଏ ବି ଦେଲେନି । ଦେଶଟି ତେବେ ଏଇମାନଙ୍କ ପାଇଁ,ଏଇମାନଙ୍କ ଦ୍ବାରା ଆଉ ଏଇମାନଙ୍କ ର ବୋଧେ । ହେଇଥାଉ କିଏ ଏଇ ମିଠା ଟିକେ ଖାଇବା କଥା କହିବ । କହିଲେ ଖାଇବା ଚାଉଳ ବନ୍ଦ କରିଦେବେ କାଳେ। ପାଚଂଖଣ୍ଡ ଗାଁ'ର ସରପଂଚ ଟି । କାନ୍ଥ ବାଡର କାନ ଅଛି । ଅନ୍ନପୂର୍ଣ୍ଣା ଚାଉଳ ଗଣ୍ଡେ ଏ କରୋନା ମହାମାରୀ ସମୟରେ ମିଳୁଛି । ପିଲା ବଞ୍ଚି ଯାଉଛନ୍ତି । ଏ କଥା ଭାବି ତୁନି ହେଇଗଲା।
ଢିପଖାଲ ଭରା ମାଳ ଭୂଇଁ ଭିତରେ ଭୀମା ର ଘର ।ଶଙ୍ଖଚିଲ ଉଡିଗଲେ ଶୁଭଙ୍କର ବୋଲି ବିଶ୍ବସ କରନ୍ତି ସେମାନେ । ନିହାତି ମଫସଲ ଗାଁ'ର ଲୋକ ଭୀମା । ଖାଦ୍ଯ ନିରାପତ୍ତା ନିୟମରେ ଖାଇବାକୁ ମିଳୁଛି ବୋଲି ସେ ନିରବ ରହି ଚଳି ଯାଉଚି । ଘରେ ତା ତିର୍ଲା ଦି'ଟା ପିଲା ଓ ସେ । ତା' ପିଲା ସରକାରୀ ସୁବିଧା ପାଇ ସରକାରୀ ବିଦ୍ୟାଳୟରେ ପଢନ୍ତି । ସେ ଦେଖେ ଗାଁ' ର ଶରତ ବାବୁଙ୍କ ପୁଅ ଓ ଝିଅ ଘରୋଇ ବିଦ୍ୟାଳୟରେ ପଢିବାକୁ ଟାଉନ ଆସନ୍ତି । ବେକରେ ଟାଇ,ପାଦରେ ଯୋତା ଓ ବିଦ୍ୟାଳୟର ପୋଷାକ କାନ୍ଧରେ ସୁନ୍ଦର ବ୍ଯାଗରେ ଲେଖାଯାଇଛି ସେ ସ୍କୁଲର ନାଆଁ । ପାଠ ପଢାରେ ଏମିତି ପାତର ଅନ୍ତର କାହିଁକି ? ପାଠ ପଢା ରେ ସମାନତା ନାହିଁ । ସରପଂଚେ ସମାନତା ଆମ ସଂବିଧାନ ଦେଇଥିବା କଥା କହୁଥିଲେ । ସେ ଦିନେ ଏଇ କଥା ଶରତ ବାବୁଙ୍କୁ ପଚାରି ଅପଦସ୍ତ ହେଇଥିଲା । ଶେଷରେ ଶରତ ବାବୁ କହିଲେ-ଆମ ପିଲାଙ୍କ ସାଥୀରେ ପଢେଇବାକୁ ଧନ ଅଛି ତୋ' ପାଖରେ ମାସକୁ ପାଞ୍ଚ ହଜାର ଗଣୁଛି । ଗାଡିରେ ଯା'ଆସ ଖର୍ଚ୍ଚ ଆଉ ଟିଫିନ ଖାଇବାକୁ କ୍ୟାଣ୍ଟିନ ଖର୍ଚ୍ଚ ଅଛି । ନିଜ ଜିଭ କାମୁଡି ପକାଇଥିଲା ଭୀମା। ସେ ଭାବୁଥିଲା- ଏଇ ପାତର-ଅନ୍ତର ନୀତି କାହିଁକି ???
ମନଟା ଭାରି ଭାରି ଲାଗୁଥିଲା ବେଳେ କୁଆଡେ ଥିଲା ବଗୁଲିଆ ଚଗଲା ଆସି ପହଞ୍ଚି ଗଲା । କହିଲା-ଭୀମା ନା ! ଚାଲ କାଲିଠୁ ଧାନ କାଟିବା ଡକରା ପଡିଲାଣି ଚାଲ ପଟ୍ଟନାୟକ ବାବୁଘର ଧାନ କଟାଯିବ । ଆମେ ଠିକାନେଇ ଚନ୍ଦ୍ର ପକ୍ଷ?ରାତିରେ କାଟି ଦେବା । ଜାଡତ କମିଛି । ବେଶି ଶୀତ ହେଲେ ନଡାଜାଳି ସେକି ହେବା ।
-କେତେ ଦେବେ ?ପଚାରିଲା ଭୀମା ।
-ଯାହା ହେଇଥିବ । ସେଇଆ ଦେବେ ।
- ହଉ କହି ନିରବ ରହିଲା ଭୀମା ।
ଭାବୁଥିଲା ତା ଗରିବୀ ପାଇଁ ଦାୟୀ କିଏ? ଆଉ ପଟ୍ଟନାୟକ ବାବୁଙ୍କ ଧନୀ ହେବା ମୂଳରେ କାରଣ କଣ ? ଆଉ ଆମ ସରପଂଚ ସେଦିନ ଭାଷଣରେ କହୁଥିବା କଥା ଜଦି ସତ ତେବେ ଏଇ ଦେଶ ସମସ୍ତଙ୍କ ପାଇଁ ସମାନ ଅଧିକାର ଓ ଆଇନ କାହିଁକି ହେଇନି ?ଜଦି ହେଇଛି ତେବେ କାର୍ଯ୍ଯକାରୀ ନ କରୁଥିବା ଏତେ ପ୍ରଶାସକଙ୍କ ଆବଶ୍ୟକତା ଦେଶ ପାଇଁ କଣ ଦରକାର ? ଆମ ଭଳି
ଗରିବ ମାନଙ୍କ ସହିତ ସବୁ କ୍ଷେତ୍ରରେ ପକ୍ଷପାତିତା । ଉପରେ ଚକ୍ର କାଟି ଉଡିଯାଉଥିବା ବ୍ଯୋମଜାନ ଦେଖି ଭାବେ କେବେ ସୁଯୋଗ ମିଳନ୍ତା ନାହିଁ ଏଇ ଜାହାଜରେ ବସି ବୁଲିବାକୁ । ଏତେ ବଡ ବଡ ହୋଟେଲରେ ଯାଇ ଦେଖିବାକୁ । କେତେ କଣ ଭଲ ଭଲ ତୀର୍ଥସ୍ଥାନ ଓ ପର୍ଯ୍ୟଟନ କ୍ଷେତ୍ର ଅଛି ଏଇ ଦେଶରେ ଓ ରାଜ୍ଯରେ ଆମେ ଗରିବ ବୋଲି ତାହା ଦେଖିବା ସାତ ସ୍ବପ୍ନ ।
କ୍ରମଶଃ ସକାଳର ସୂର୍ଯ୍ଯ ବେଶ ଉପରକୁ ଉଠି ଗଲେଣି । ଦେଶର ସର୍ବୋଚ୍ଚ ନିଶାନ୍ ଓ ଜାତିର ଶ୍ରେଷ୍ଠ ସମ୍ମାନ ମା' ଭାରତୀର ପଣତ ଭଳି ଉଡୁଛି ତ୍ରିରଙ୍ଗା । ଶାନ୍ତି,ମୈତ୍ରୀ ଓ ପ୍ରୀତିର ସମୀରଣ ଛୁଇଁଯାଉଛି । ବୀରତାର ନିଦର୍ଶନ ଅଶୋକ ଚକ୍ର ବେଶ ସୁଶୋଭିତ ଦେଖା ଯାଉଛି । ଆଜି ତ ସରପଂଚେ ଭାଷଣରେ କହୁଥିଲେ ଶକ୍ତି ଓ ସାହସର ପ୍ରତୀକ କମଳା ରଂଗ । ଧଳା ସତ୍ଯ ଓ ଶାନ୍ତି ତା ଭିତରେ ଥିବା ଅଶୋକଙ୍କ ଚକ୍ର ବୀରତା ପ୍ରତୀକ ଆଉ ବାକି ତଳ ସବୁଜ ରଂଗ ଆମ ଚାଷୀ ମୂଲିଆ ପାଇଁ ଦିଏ ସଂକେତ। ଆମ ଶ୍ରମରେ ଦେଶର ବୃଦ୍ଧି,ଉର୍ବର,ଏହାର ଅଖଣ୍ଡ ଭୂମିର ପବିତ୍ରତା ରକ୍ଷା କରିବା କାମ୍ଯ । ସରପଂଚ କହିଲେ ଭାରି ଭଲ ଲାଗିଲା । ଏମିତି କଥା ଶୁଣିଲେ କେତେ କଥା ବୁଝି ହୁଅନ୍ତା । ସବୁବେଳେ ପଡିଶା ଘର ଟିଭି.ରେ ଏଣୁ ତେଣୁ କଣ ସବୁ ଦେଖାଉଛି । ଏବିଷୟ କେବେ କୋଉ ଟିଭି. ଦେଖାଉ ନାହିଁ । ସେଥିରେ କଣ ପାତର ଅନ୍ତର । ଚଗଲା କେତେବେଳୁ ଚାଲି ଗଲାଣି । ମୁଣ୍ଡ ଉପରକୁ ସୁରୁଜ ଉଠିଲେଣି ।
ଧଳା ରଂଗର କାରଟିଏ ଆସି ପଞ୍ଚାୟତ ଗେଟ ପାଖରେ ଲାଗିଲା । ଗାଡିରୁ ଜଣେ ତରୁଣୀକୁ ଦେଖି ସଂଭ୍ରମେ ନମସ୍କାର କରି ଭୀମା ଦେଖିଲା ସେ ତାଙ୍କ ବଡ ଆଟାଚଟି ଉଠାଇ ପାରୁ ନାହାନ୍ତି । ଗାଡିର ପଛ ଡିକିରୁ ଦିଟା ଆଟାଚ ବାହାର କଲେ ବି ସେ ଭୀମାକୁ ସହାୟତା ପାଇଁ ଡାକୁ ନାହାନ୍ତି । ସେପଟୁ ସରପଂଚ ଝାଳ ନାଳ ହେଇ ଧାଇଁଛନ୍ତି । ଭୀମାକୁ ଇସାରା କରି ସରପଂଚ କହିଲେ, ଭୀମା ମାଡାମଙ୍କ ବ୍ଯାଗ ନେବାପାଇଁ ସାହାର୍ଯ୍ଯ କର । ବ୍ଯାଗଟି ଉଠେଇ ନେବାକୁ ବାରମ୍ବାର ଚେଷ୍ଟା କରି ବି ସେ ନେବାରେ ଅକ୍ଷମତା ଦେଖି ଭୀମା ଧାଇଁ ଯାଇ ଦୁଇଟି ବଡ ଆଟାଚ ନେଇ ପଞ୍ଚାୟତ ବାରଣ୍ଡାରେ ରଖିଦେଲା ।
ସରପଂଚ ଆସି ନମସ୍କାର ଟିଏ କରି ଠିଆ ହେଲେ । ଭୀମାକୁ ଦେଖେଇ କହିଲେ- ଏଇ ହେଉଛନ୍ତି ତମମାନଙ୍କ ଜୀବନ ଦାତା ଅନ୍ନପୂର୍ଣ୍ଣା । ଆମ ବ୍ଲକର ଉନ୍ନୟନ କମିଶନର। ଚାହିଁଛ କଣ ଯାଅ କଣ କିଛି ଫଳ, ମିଠା ଓ କଫି ନେଇ ଆସ । ସରପଞ୍ଚ ଶହେ ଟଙ୍କିଆ ନୋଟଟି ବଢେଇଦେଲେ । ମାଡାମଙ୍କ ଅନିଛା ସତ୍ତ୍ବେ ଭୀମା ଖୁସିରେ ମାଡାମଙ୍କ କଥା ନ ଶୁଣି ଚାଲିଲା ବଜାରକୁ।
ପଞ୍ଚାୟତ ଅଫିସରେ ମାଡାମ ମିଟିଂ କଲେ । ସମସ୍ତ ମେମ୍ବର ଓ ସେକ୍ରେରୀ ଉପସ୍ଥିତ ଥାନ୍ତି । ଲଗେଜ ଭରା ଗାଡିରୁ ବଡ ବଡ ବ୍ଯାଗ ଖୋଲି ଗାଁ' ର ସମସ୍ତଙ୍କ ପାଇଁ ଆଣିଥିବା କମ୍ବଳ ବାଣ୍ଟିବାକୁ ଡେଙ୍ଗୁରା ଦିଆଗଲା । ସରପଂଚ ପଚାରିଲେ- ମାଡାମ !!ଏସବୁ ସରକାରୀ ଅନୁଦାନରେ କେବେ କିଣା ଯିବାକୁ ବ୍ଲକ ସ୍ତରୀୟ ମିଟିଂ ହେଇନି କି ଆପଣ ଆଜି ଗଣତନ୍ତ୍ର ଦିବସରେ ଆସିବାର ନୋଟିସ ହେଇନି।
- କଥା ଛଡେଇ ନେଇ ମାଡାମ କହିଲେ-ଏ ସବୁ ମୋ ନିଜ ପଇସାରେ କିଣା ଯାଇଛି । ତା ଛଡା, ସରକାରୀ ଟଙ୍କାର ଅନିୟମିତତାର ଫଳତ ଦେଖୁଛ । ସବୁ ସରକାର କଲେ ଆମେ ଆମ ସ୍ତରରେ କଣ କରିବା ଆମର ବି କର୍ତ୍ତବ୍ଯ ଅଛି ଆମ ଲୋକମାନଙ୍କର ଯେତେ ସଂଭବ ମଙ୍ଗଳ କରିପାରିବା । କିଛି ସମାଜକୁ ଫେରେଇ ଦେଲେ ଅନ୍ତତଃ ଆମ ଦେଶର ଲୋକେ ଉପକୃତ ହେବେ । ଭୀମା ଆଡକୁ ହାତ ଦେଖେଇ କହିଲେ-
ଏଇମାନଙ୍କ ପାଇଁ ଆମେ ଆଜି ସମାଜରେ ପରିଚିତ।
ଭୀମା ସବୁ ନେଇ ଆସି ଜଳଖିଆ ପ୍ରସ୍ତୁତି କରିଦେଲା । ଖାଇବା ପରେ କପ-ପ୍ଲେଟ ଉଠାଇବା ବେଳକୁ ତା ହାତ ଧରି ପକେଇ କମିଶନର ମାଡାମ କହିଲେ-ନା, ଭୀମା ବାବୁ ! ମୁଁ ଖାଇଲି ମୋ କାମ ମୁଁ କରିବି । ତୁମେ କାହିଁକି ? ସରପଂଚ କହିଲେ-ସେ କରିଦେବ ଆପଣ ଛାଡି ଦିଅନ୍ତୁ ।
-କାହିଁକି ? ସେ ଏସବୁ କରିବା ପାଇଁ କଣ ପାରିଶ୍ରମିକ ପାଉଛନ୍ତି ? ନାଇଁ-ନା !! ତେବେ ପାରିଶ୍ରମିକ ନ ଦେଇ କୋଉ ଅଧିକାରରେ ଆମ କାମ କରେଇବାରେ ଆମେ ଏଇ ଭଳି ନିରୀହ ଜନତାଙ୍କ ଉପରେ ନିଜ ଆତ୍ମ-ପ୍ରଭୁତ୍ବ ଦେଖେଇ କାମ କରେଇବା- କେଉଁ ଅଧିକାରରେ । ସେ ଆମ ପାଇଁ ଯେତେ କାମ କଲେ ସେ ସବୁର ପରିଶ୍ରମ ଦେଖିଲେ ଦିନକର ମଜୁରୀ ହେବ । ଅଥଚ ଆମେ ଦେଉଛେ କଣ ? ଏକାମ ଜଦି ଆପଣ ନିଜେ କରି ନ ପାରିବେ ଅନ୍ଯ ଉପରେ ନିର୍ଭର କରି ତା ବ୍ଯକ୍ତିଗତ ସ୍ବାଧୀନତାରେ ଆଞ୍ଚ ଆଣିବା କୋଉ ଅଧିକାରରେ । ଏସବୁ ଆମ ପୁରୁଣା ପରମ୍ପରାର ଗତ ଚାଲିଚଳନ ର ରୂଢିବାଦୀ ଓ ସାମନ୍ତବାଦୀ ପ୍ରଥାକୁ ବିଲୋପ କରିବା ଆମର ପ୍ରାଥମିକତା ହେବା ଉଚିତ । ଆମେ ସ୍ବାବଲମ୍ବନ ହେବା ଯେତିକି ଅପରିହାର୍ଯ୍ଯ, ସେତିକି ଆତ୍ମନିର୍ଭରଶୀଳ। ତେବେ ଯାଇ ଆଜି ଦିନର ମହତ୍ବକୁ ଅନୁଭବ କରିହେବ । ନଚେତ ଆମ ସଂବିଧାନର ପ୍ରଦତ୍ତ ଅଧିକାରକୁ କେମିତି ଉପଭୋଗ କରି ପାରିବ । ସଂବିଧାନ ସଂସଦ ମନ୍ଦିର ପବିତ୍ର ଗ୍ରନ୍ଥ ।ଏହାର ଲେଖକ ବିଶ୍ବର ଚର୍ଚ୍ଚିତ ଚେହେରା । ଯାହାଙ୍କୁ ବିଶ୍ବ ଜ୍ଞାନର ପ୍ରତୀକ କହନ୍ତି । ତାଙ୍କ ଦ୍ବାରା ଲିଖିତ ଶାସନର ଦସ୍ତାବିଜ ଅବିସ୍ମରଣୀୟ। ସିଏ ନାରୀକୁ ସଫଳ ପାହାଚରେ ପହଞ୍ଚାଇବାକୁ ନ ଲେଖିଥିଲେ ହୁଏତ ଆଜି ମୁଁ ଏ ସ୍ତରରେ ପହଞ୍ଚି ପାରି ନଥାନ୍ତି । ତା ପାଇଁ ଆପଣଙ୍କୁ ସରପଂଚ ପଦବୀ ମିଳିଛି । ଭୀମାକୁ କଣ ମିଳିଛି । ସେ କେବଳ ତଳ ପାହାଚରେ ଠିଆ ହେଇ ଆମ ମାନଙ୍କ ଜୟ ଜୟକାର କରୁଛି । ଆମର ସେବା, ଆମର ନାଲି ଆଖିତଳେ, ସେ ବଞ୍ଚିବାର ଆଶ୍ରୟ ନେଇଛି । ଏମାନଙ୍କ ସରଳ ପଣିଆକୁ ଠକି କେତେକ ନିଜ ସ୍ବାର୍ଥରେ ବ୍ଯବହାର କରୁଛନ୍ତି । ସେମାନଙ୍କୁ ନେଇ ହରତାଳ ରାସ୍ତା ବନ୍ଦ କରାଯାଏ । ଦିନକର ମଜୁରୀ ଯାଏ । ସେମାନଙ୍କର ଗାଡି ନ ଥାଉ ପଛେ ପେଟ୍ରୋଲ ଦାମ ବଢିବାର ପ୍ରତିବାଦ କରାଯାଏ । ଚାଷ ଜମି ନଥାଉ ପଛେ କୃଷି ଋଣ ଛାଡ ପାଇଁ ସରକାରୀ ଅଫିସ ଘେରାଉ କରାଯାଏ । ଆଉ ଏଇମାନେ ସେଇ ସରକାର ବାଛନ୍ତି ଯିଏ ତାଙ୍କୁ ଅଧିକାର ଓ ସାମାଜିକ ସମ୍ମାନ ଦିଏନା । ଏଇ ମାନଙ୍କ ଭାଗ ଜମିରୁ ଆୟକର କଟାଯାଇ ଘରୋଇ ଶିକ୍ଷା ଓ ପ୍ରଶିକ୍ଷଣ ଦିଆଯାଏ ହେଲେ ଏମାନଙ୍କର ପିଲା ସ୍କୁଲରେ କେହି ଫି-ମୂକ୍ତ ଶିକ୍ଷା ଦିଅନ୍ତି ନାହିଁ । ଅଭାବ ଗ୍ରସ୍ତ ପିଲା ଭଲରେ ପାଠ ପଢିପାରନ୍ତି ନାହିଁ । ନିଜର ଗରିବୀ ପଛ ଛାଡେନି । ଯିଏ ପଢନ୍ତି ସେ ପିଲା ବିଦେଶରେ ଯାଇ ଚାକିରୀ କଲାପରେ ଭାରତ ଫେରନ୍ତି ନାହିଁ । ଆଜି ଦେଶରେ ଗଢି ଉଠିଥିବା ସମସ୍ତ ବେସରକାରୀ ଅନୁଷ୍ଠାନର ସଂପତ୍ତିରେ ସମାନ ଭାଗ ଭୀମା ଭଳି ଲୋକର ଥାଇ ବି ସେମାନେ ଘରୋଇ ଶିକ୍ଷାନୁଷ୍ଠାନଗୁଡିକରେ ଫି ବୃଦ୍ଧି ହେତୁ ପଢେଇ ପାରନ୍ତି ନାହିଁ । ଏଇ ବଞ୍ଚିତ ମାନେ ସମାଜର ସେଇ ମାଫିଆଙ୍କ ଦ୍ବାରା ଲାଞ୍ଛିତ । ଯିଏ ନିଜ ସୁଖ ପାଇଁ ଏମାନଙ୍କୁ ଦୁଃଖ ରଖିଥାନ୍ତି । ଅଗଷ୍ଟ ପନ୍ଦର ଦେଶ ସ୍ବାଧିନ ହେଲା ଆଉ ଆଜି ସଂବିଧାନ କାର୍ଯ୍ଯକାରି ହେଲା । ଏକଥା ଏ ମାନେ ଜାଣନ୍ତି ନାହିଁ !। ଯିଏ ଜାଣିଛି ସେ କହନ୍ତି ନାହିଁ ।ଜଣେ ସାଧାରଣ ଲୋକ କାହଁକି ନିଜ ଦେଶ ବିଷୟରେ ଜାଣିବ ନାହିଁ । କେବେ ପ୍ରଚାର ଓ ପ୍ରସାରଣ ସଂସ୍ଥା ଜଣେଇଁବ ନାହିଁ । ଏଥିରୁ ଜାଣ ସତରେ ଆମେ କଣ ସଭ୍ଯ ନାଗରିକ। ବୋଧ ହୁଏ ନା !! ଲୋକେ ସଂସ୍କୃତି ବିଷୟକ ଜ୍ଞାନ ଲଭି ସଂସ୍କାରିତ ହେଇ ପାରିଲା ଅଥଚ ସଂବିଧାନ ବିଷୟରେ ନ ଜାଣି ତା ସମସ୍ଯାର ସମାଧାନ କରି ପାରିଲା ନାହିଁ। ସମସ୍ଯାର ସମାଧାନ ସଂବିଧାନ ପାଠ । ସଂସ୍କୃତିରୁ ସଂସ୍କାର ମିଳେ ।
ଭୀମା ଭଳି ଲୋକ ଅଛନ୍ତି ବୋଲି ତାଙ୍କ ଉପରେ ପାଦଦେଇ ଉଠି ଗଲା ପରେ କହିଦେବା -ତଳ ପାହାଚ ନ ଥିଲେ ଉପରକୁ ଉଠିବା କଣ ସମ୍ଭବ ? ଭୁଲିଯିବା କେମିତି ଉଠିବା ପାଇଁ ତଳ ପାହାଚରେ ଥାପିଥିବା ପ୍ରଥମ ପାଦ । କେମିତି ଉପରକୁ ଉଠିବାର ପ୍ରତିଯୋଗିତା ।
ଅବଶ୍ଯ ତଳ ପାହାଚର ଜନ୍ମ ସାର୍ଥକ ହେଇଛି କି ସେ' ଉଚ୍ଚ ସୋପାନରେ ପହଞ୍ଚାଇ ପାରିଛି । ଭୀମା ଶୁଣୁଥିଲା ତା ଭଳି ଅନେକ ଭୀମାଙ୍କ ଏଇ ଦୁର୍ଦ୍ଧଶାର କଥା । ଗରିବ ଚିଠାରେ ଭୀମା ନାଆଁ ପଢି କମ୍ବଳଟିଏ ନିଜ ହାତରେ ବ୍ଲକ କମିଶନର ଭୀମାକୁ ଦେଲାବେଳେ ଭୀମା ଆଖିରୁ ବହୁଥିଲା ଆନନ୍ଦାଶ୍ରୁ ବାକି କମ୍ବଳ ସେକ୍ରେଟେରୀ ବାଣ୍ଟି ସାରି ଚିଠାଟି କମିଶନର ମାଡାମଙ୍କୁ ଦେଉଥିଲେ ।
ବେଳ ରତ ରତ ସଂଜ ନୂଆଁ ବେଳ । ଜାତୀୟ ପତାକା ଉତ୍ତୋଳନ କରିବାକୁ ଅନ୍ୟମନସ୍କ ଭାବେ ସରପଂଚ ଭୀମାକୁ କହୁ କହୁ କମିଶନର ମାଡାମ ନିଜେ ପତାକା ଉତ୍ତୋଳନ କରି କହୁଥିଲେ-ଆଜି ଏ ସେବା ମୋତେ ମିଳିଛି ମୋତେ କରିବାକୁ ଦିଅ । ଜାନୁଆରୀ ମାସ ସଂଜୁଆ ଶୀତର କୁହୁଡି ଧୀରେ ଧୀରେ ମାଡି ଆସୁଥିଲା । ସମସ୍ତଙ୍କୁ ଧନ୍ୟବାଦ ଜଣେଇଁ କମିଶନର ମାଡାମଙ୍କ ଗାଡି ବହଳ ଅନ୍ଧାରକୁ ଚିରି ଗାଁ କେନାଲ ବନ୍ଧ ପାର ହୋଇ ଚାଲି ଯାଇ ଥିଲା । ଭୀମା ଦେହକୁ ଶୀତ ସରୁ ଚୁମା ମାରି ଗେଲ କରୁଥିଲା ।