ପ୍ରିୟ ପୌରାଣିକ ଚରିତ୍ର(ମାଣିକ ଗଉଡୁଣୀ)
ପ୍ରିୟ ପୌରାଣିକ ଚରିତ୍ର(ମାଣିକ ଗଉଡୁଣୀ)
ଆଜି ଖୁସିଲାଗେ ଓ ମନ ମଧ୍ୟରେ ଏକ ଆତ୍ମସନ୍ତୋଷ ଅନୁଭବ ହୁଏ।କାହିଁକି ତାର କାରଣ ମୁଁ ଜାଣି ପାରେନି।ମାତ୍ର ମନ ଭିତରେ ଏକ ପୂର୍ଣ୍ଣତାର ଅନୁଭବ ହୁଏ।ସତେ ଯେମିତି କିଛି ଏକ ଅପୂରଣୀୟ ଆଶା ପୂରଣ ହୋଇଯାଇଛି।ଜୀବନରେ ଆଉ ଆବଶ୍ୟକତା ବୋଲି କିଛି ନାହିଁ।ସତେ ଯେମିତି ମୋକ୍ଷ ପ୍ରାପ୍ତି ର ଅନୁଭବ।ଯେମିତି ମାଣିକ ଗଉଡୁଣୀ ଅନୁଭବ କରିଥିଲା କଳା ଧଳା ଘୋଡା ଚଢି ଯାଉଥିବା ଦୁଇ ଯୁବକଙ୍କୁ ଦହି ପିଆଇ।କଣ ଥିଲା ସେ ଅନୁଭୂତି।କାହିଁକି ଥିଲା ସେ ଆତ୍ମସନ୍ତୋଷ।ବାରମ୍ବାର ପିଲାଟି ଦିନରୁ ସେ ବହିଟି ପଢିଛି।ଯେବେଠାରୁ ମୋ ସାନ ଭାଇ ଗଜପତି ପୁରୁଷୋତ୍ତମ ଦେବଙ୍କ ଅଭିନୟ କରିଥିଲା "କାଞ୍ଚି ଅଭିଯାନ" ନାଟକରେ।
ଏବେ ବି ମୋର ଲୋମ ଟାଙ୍କୁରି ହୋଇଯାଏ ସେ ଦୃଶ୍ୟ ମନେ ପଡିଲେ,ଯେତେବେଳେ ମୋ ସାନ ଭାଇ ପର୍ଦ୍ଦା ଖୋଲିଲା ପରେ ଷ୍ଟେଜ ଉପରକୁ ଗଲା ଓ ପ୍ରଛଦ୍ଦ ପଟରୁ ଶୁଣାଗଲା " ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ରାଜାଧିରାଜ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ ର ଜୟ ହେଉ।
ସେତେବେଳେ ଶରୀରର ଲକ୍ଷାଧିକ ଲୋମ ଟାଙ୍କୁରି ଉଠୁଥିଲା।ନାଟକର ପ୍ରତିଟି ଦୃଶ୍ୟ ଏବେବି ମାନସପଟରୁ ଅବ୍ୟାହତ ନେଇନାହିଁ।ସବୁଠୁ ମନମୁଗ୍ଧକର ଥିଲା ମାଣିକ ଗଉଡୁଣୀର ଭଗବାନଙ୍କୁ ଦହି ସମର୍ପଣ।ଭଗବାନ ଯେ କିପରି ରୂପରେ ଭକ୍ତକୁ ଦର୍ଶନ ଦିଅନ୍ତି ତାହା ତାଙ୍କ ଛଡା କେହି କହିପାରିବେ ନାହିଁ।ସେବେଠୁ ସେ ଦୃଶ୍ୟ ଆଜି ପର୍ଯ୍ୟନ୍ତ ମୋର ହୃଦୟରେ ସ୍ଥାନ ପାଇଛି।
ଆଜିର ଘଟଣା ଉକ୍ତ ଦୃଶ୍ୟ କୁ ପୁଣିଥରେ ରୋମନ୍ଥନ କରିବାର ପ୍ରୟାସ କଲାପରି ଲାଗିଲା।ମୋର ପାଠପଢା ସରିଥାଏ।ଚାକିରୀ ଅନ୍ୱେଷଣରେ ମୁଁ ଏଣେତେଣେ ବୁଲୁଥାଏ।ପରିବାରର ସମସ୍ତ ଙ୍କ ଇଛା ପାଠପଢି ଚାକିରୀ କରିବା।ସେଥିପରକୁ ଘରର ଆର୍ଥିକ ପରିସ୍ଥିତି।କିଛି ତ ସାହାଯ୍ୟ ହୋଇଯିବ।ମାତ୍ର ଆଜିକାର ସମୟ।ପାଠ ପଢିବା ପାଇଁ ବିଦ୍ୟାଳୟ ର ଅଭାବ ନାହିଁ ମାତ୍ର ରୋଜଗାର ପନ୍ଥା ନାହିଁ।ବେରୋଜଗାରୀ ମଣିଷକୁ ପଙ୍ଗୁ କରିଦେଇଛି।ତା ଉପରେ ଯଦି କାହାଘରେ କାହାର ପୁଅ କି ଝିଅ କେଉଁଠି ଚାକିରି ପାଇଗଲା ତେବେ କଥା ସରିଲା।ଘରେ ତେଲ ଲୁଣ ସଉଦା ର ଆଲୋଚନା ଯେତେ ନଥିବ ସେ ପିଲା ଓ ତା ପରିବାରର ଚର୍ଚ୍ଚା ବେଶି ଥିବ।ସେତେବେଳେ ଲାଗେ ଜୀବନଟା ମାଟି ହୋଇଗଲା।ନିଜକୁ ଧିକ୍କାର କରେ ଯେ ପାଠପଢି କାହା ପାଇଁ କିଛି କରିପାରିଲି ନାହିଁ।ନିଜେ ନିଜ ପାଇଁ ମଧ୍ୟ କିଛି କରିପାରିଲି ନାହିଁ।ଦୁଇତିନି ଦିନ ଧରି ସେହି ଚର୍ଚ୍ଚାରେ ସମୟ କଟିଯାଏ।ତା ପରେ ଦୃଷ୍ଟି ନିକ୍ଷେପ କରିଚାଲେ ଖବରକାଗଜ ରେ "ପ୍ରାର୍ଥୀ ଆବଶ୍ୟକ" ସ୍ଥାନରେ।କାଳେ କିଛି ମିଳିଯିବକି।ମାତ୍ର କେତେବେଳେ ସ୍ଥାନ ଦୂରଥାଏ ତ କେତେବେଳେଅନୁଭୂତି ଓ ଅଭିଜ୍ଞତାର ଅଭାବ ଥାଏ।ତଥାପି ଖୋଜି ଖୋଜି ଏକ କମ୍ପାନୀ ର ନିଯୁକ୍ତି ବିଜ୍ଞାପନ ଟି ପାଇଲି।ମନକୁ ପାଇଲା ଓ ପ୍ରସ୍ତୁତ ହୋଇ ଗଲି।ଦୀର୍ଘ ରାସ୍ତା ଅତିକ୍ରମ କରି ଯଥା ସମୟରେ ପହଞ୍ଚି ଗଲି।ପିଲା ମାନଙ୍କର ଲମ୍ବାଲାଇନ।ତାକୁ ଦେଖି ଡର ଲାଗିଲା।ଅନେକ ସେଥିରୁ ବୟସରେ ବଡ।ସେମାନଙ୍କ ପୋଷାକ ପରିଛେଦ୍ଦ ଦେଖି ନିଜକୁ ନ୍ୟୁନ ମନେ କଲି ତଥାପି ଭଗବାନଙ୍କର ଧ୍ୟାନ କରି ସେଠାରେ ଥିବା ଫାଙ୍କା ଜାଗାରେ ବସିଲି।ପିଲାଟି ଦିନରୁ ମାଆଠୁ ଶୁଣିଛି ବିପଦରେ ଓ ସ୍ୱାର୍ଥରହିତ ମନରେ ଭଗବାନଙ୍କୁ ଡାକିଲେ ସେ ଶୁଣନ୍ତି।ସେଠି ବସି ବସି ମାଣିକ ଗଉଡୁଣୀର କଥା ମନେ ପଡିଗଲା।ସେହି ଜଗତର ନାଥ ଜଗନ୍ନାଥ ଙ୍କୁ ସ୍ମରଣ କରି କହିଲି ,ପ୍ରଭୂ ସମସ୍ତଙ୍କ ଦୁଃଖ ଶୁଣୁଛ ।ଯଦି ରାସ୍ତା ମଝିରେ ପ୍ରାପ୍ୟ ନଦେଇ ମାଣିକଠାରୁ ଦହି ପିଇପାରିଲ ତେବେ କାହିଁକି ମୋ କଥା ଶୁଣୁ ନାହଁ।ମୁଁ କଣ ଏତେ ଆଭାଗା।ମୋର କଣ ଟିକେ ଖୁସିରେ ରହିବାର ଅଧିକାର ନାହିଁ।ମୋର କଣ ବାପାମାଆଙ୍କୁ ସାହାଯ୍ୟ କରିବାର ଅଧିକାର ନାହିଁ।ତମେ କଣ କେବଳ ସେହି ପୁରୁଷୋତ୍ତମ ଦେବ ଭଳି ରାଜା ମହାରାଜା ଙ୍କର ସାହାଯ୍ୟ କରିବ।ମୋ ପରି ଦରିଦ୍ରକୁ ସାହାହେବାକୁ ତୁମ ମନ କହୁ ନାହିଁ।"ଏହିପରି ଅଶ୍ରୁଳ ଚକ୍ଷୁ ଓ ଅଭିମାନ ଭରା କଣ୍ଠରେ ସେଦିନ କିଛି କହିଦେଇଥିଲି।
କିଛି ସମୟ ପରେ ମୋ ନାଁ ଡକରା ପଡିଲା।ଭିତରକୁ ଗଲି।ଦେଖିଲି ସେଠାରେ କେହି ନାହାନ୍ତି । କିଛି କ୍ଷଣପରେ ଜଣେ କଳା ମଚମଚ ବ୍ୟକ୍ତି ସେଠାରେ ଆସି ପହଞ୍ଚିଲେ।ମୁଁ ଭାବିଲି ବୋଧେ ସେ ହିଁ ମୌଖିକ ପରୀକ୍ଷା ନେବେ।ପ୍ରଥମେ ଉଠି ନମସ୍କାର କଲି।ଉକ୍ତ ବ୍ୟକ୍ତି ଜଣକ କହିଲେ ,ମା ରେ ତୋ ପାଖରେ ପାଣି ଅଛି।ମୁଁ ହଁ ଭରିଲି।ପୁଣି କହିଲେ ଟିକେ ଦବୁ।ମୁଁ ସମୟ ନଦେଇ ସଙ୍ଗେସଙ୍ଗେ ପାଣି ବୋତଲ କାଢି ଉକ୍ତ ବ୍ୟକ୍ତି ଙ୍କୁ ଧରେଇଦେଲି।ଢଡ ଢଡ କରି ସବୁ ପାଣି ପିଇଦେଇ କହିଲେ ।ତତେ କୋଟିପରମାୟୁ ହୋଇଥାଉ।ପୁଣି କହିଲେ "ମୁଁ ବାଟରେ ଆସୁଥିଲି ଜଣେ ମତେ ବହୁଜୋରରେ ଗାଳିକଲା ତା କାମ ନକରିବାରୁ।ତାର ଗାଳିଦେବାର ଯଥାର୍ଥ ଏତେ ତିବ୍ରଥିଲାଯେ ମୁଁ ଶୁଣିଶୁଣି ଥକିଗଲି।ତେଣୁ ଶୋଷ ଲାଗିଲା।ହଉ ତୁ ବସ ମୁଁ ଆସୁଛି ।ଯେଉଁ କାର୍ଯ୍ୟ ପାଇଁ ଆସିଛୁ ଭଲରେ ସମ୍ପୂର୍ଣ୍ଣ କରି ଯାଆ।
ମୁଁ ବୋତଲଟି ତାଙ୍କ ହାତରୁ ଆଣି ବ୍ୟାଗରେ ରଖି ସାରି ଦେଖେତ ସେ ବ୍ୟକ୍ତି ଜଣକ ସେଠାରେ ନାହାନ୍ତି।ସାମ୍ନାରେ ଆଉ ଦୁଇଜଣ ବ୍ୟକ୍ତି ବସିଛନ୍ତି।ମୁଁ କିଛି ବୁଝିନପାରି ଆଶ୍ଚର୍ଯ୍ୟ ହେଲି।ଇତି ମଧ୍ୟରେ ମୋ କାଗଜପତ୍ର କେତେବେଳେ ମୁଁ ପରିକ୍ଷକଙ୍କୁ ଦେଇଛି ଜାଣିପାରିଲି ନାହିଁ।ସେମାନେ ହଠାତ କହିଲେ ତୂମ କାଗଜପତ୍ର ଆମେ ଦେଖିଲୁ ଯଦି ତୁମକୁ ଆମେ ଏ ଚାକିରି ଦେଉ ତୁମେ କରିବାକୁ ରାଜି ଅଛ ନା ଆଉ କୌଣସି ଭଲ ଚାକିରି ପାଇଲେ ଛାଡିଚାଲିଯିବ।
ମୁଁ ଦୋଦୋ ପାଞ୍ଚ ହୋଇ କହିଲି ଆପଣମାନେ ଯେମିତି ନିଜ କମ୍ପାନୀ ର ଉନ୍ନତି ପାଇଁ ସମୟ ସମୟରେ ଭଲ ପ୍ରାର୍ଥୀ ନିଯୁକ୍ତି କରୁଛନ୍ତି ତେଣୁ ମୋର ବି ଉନ୍ନତି କରିବାକୁ ଇଛା ଅଛି।ଏହାପରେ ଆଉ ମୁଁ କିଛି କହିବାକୁ ଚାହୁଁନାହିଁ। ଏହା ଶୁଣି ସେମାନେ କହିଲେ ତେବେ ଠିକ ହେଲା ତୁମେ କାଲିଠୁ ଚାକିରୀ ରେ ଯୋଗଦେଇପାର।ଏହା ଶୁଣି ପ୍ରଥମେ ତ ମୋ କାନକୁ ବିଶ୍ୱାସ ହେଲାନାହିଁ।ତା ପରେ ମୋ ଖୁସିର ସୀମା ରହିଲା ନାହିଁ।ଘରକୁ ଫେରିଲା ବେଳେ ବାଟରେ ଜଗନ୍ନାଥ ଙ୍କ ମନ୍ଦିର ଥିଲା।ସେଠାକୁ ଗଲି।ମନେ ମନେ ତାଙ୍କୁ କ୍ଷମା ମାଗିଲି ଓ ଧନ୍ୟବାଦ ଜଣାଇଲି ମତେ ଦ୍ୱିତୀୟ ମାଣିକ ଗଉଡୁଣୀର ସ୍ଥାନ ଦେଇଥିବାରୁ।ଜଗନ୍ନାଥ ଙ୍କ ମୁହଁକୁ ଚାହିଁଲି ।ସବୁଦିନ ଅପେକ୍ଷା ସେଦିନ କାହିଁକି ତାଙ୍କ ମୁହଁରେ ଏକ ଆନନ୍ଦ ର ହସ ଦେଖାଦେଉଥିଲା।ଆଜି ମୁଁ ଭଲରେ ଅଛି ଓ ବାପାମାଆଙ୍କ ସେବାକରି ପାରୁଛି।ତାଠୁ ବଳି ଆତ୍ମସନ୍ତୋଷ ଆଉ କଣ ଥାଇପାରେ।ଏବେ ଭାବେ ସେଦିନ ମୋଠାରୁ ପାଣିପିଇ ମତେ ବିଜୟର ଆଶିର୍ବାଦ ଦେଇଯାଇଥିଲେ।ଯାହା ପାଇଁ ମୁଁ ବାପାମାଆଙ୍କ ପରି ଜୀବନ୍ତ ଠାକୁରଙ୍କ ପାଦପୂଜା କରିପାରୁଛି।"ଧନ୍ୟ ତୁମେ ପ୍ରଭୁ ,ଧନ୍ୟ ତୁମ ମହିମା।"