(୧)* ନିଖୋଜ ନାୟକ ଗୁରୁ ଦତ୍ତ *
(୧)* ନିଖୋଜ ନାୟକ ଗୁରୁ ଦତ୍ତ *
ଧୂସର ପୃଥିବୀର ରଙ୍ଗାୟିତ ରଙ୍ଗ ମଞ୍ଚର ନିଖୋଜ ନାୟକ ସ୍ବର୍ଗତ ଗୁରୁ ଦତ୍ତ । ରଙ୍ଗୀନ କ୍ଯାନଭାସ୍ ଉପରେ ସ୍ବପ୍ନ ଦେଖିବାକୁ ଆଉ ଦେଖାଇବାକୁ ହୁଏତ ଯାହାର ଜନ୍ମ । ଯାହା ଆଖିର କଳ୍ପନାରେ ଲକ୍ଷେ ପ୍ରଶାନ୍ତ ମହାସାଗରର ଗଭୀରତା।ଅଳ୍ପାୟୁ ଅଥଚ ପ୍ରଭାବିତ ବ୍ୟକ୍ତିତ୍ବର ଅଧିକାରୀ ।ଜୀବନରେ କିଛି ନୂଆ କରିବାର ଅଭିଳାଷା ନେଇ ଜୀବନକୁ ଜିଇଁ ଥିଲା ଯେ ନାୟକଟେ ପରି ।
କେମିତି ଗୋଟେ ଛମ୍ ଛମ୍ ଭାବୁଥିଲା ତାଙ୍କ ଜୀବନ ରେ ।ବାଲ୍ୟକାଳରୁ ନୃତ୍ୟପ୍ରତି ଆଗ୍ରହ,ପରିଣତକଲା ଜଣେ ଗୁଣୀ କଳାକାରରେ । ଗୁରୁ ଉଦୟ ଶଙ୍କରଙ୍କ ନୃତ୍ୟ କଳାକୁ ପାଥେୟ କରି ପାଦ ଦେଲେ ଯେବେ ପୁନା ସହରରେ,ଧିରେ ଧିରେ ପ୍ରବେଶ କଲେ ସିନେମା ଜଗତର ରୂପେଲି ପରଦାରେ । ଜୀବନ ବଦଳି ବାକୁ ଆରମ୍ଭ କଲା ।ଭାରତୀୟ ସିନେମା ରେ ନୂଆ ସିତାରାଟେ ଚମକିଲା ।
ନୃତ୍ୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ହୋଇଥିବା ଜୀବନେ,ସମୟ କ୍ରମେ ଦେଖା ହୁଏ ଦେବ ସାହେବଙ୍କ ସାଥେ ଦିନେ। ବନ୍ଧୁତ୍ବ ବଢେ ଦୁହିଁଙ୍କ ଭିତରେ ।ସମୟ କଡ଼ ଲେଉଟାଏ । ଜୀବନ ଆରମ୍ଭ ହୁଏ ନିର୍ଦ୍ଦେଶକ ଭାବରେ ।ଗୁରୁ ଦତ୍ତ ପ୍ରସିଦ୍ଧି ଲାଭ କରନ୍ତି , ପ୍ରଯୋଜକ ନିର୍ଦ୍ଦେଶକ ଲେଖକ ନାୟକ ହୋଇ , ଦିନେ ଭାରତୀୟ ସିନେମାର ଅପହଞ୍ଚ ଆକାଶକୁ ଛୁଇଁ ।
ଏତେ କମ୍ ବୟସରେ , ଅଭିନୟର ଯାଦୁକରୀ ସ୍ପର୍ଶ ଦେଖିଲା ଦୁନିଆ ତାଙ୍କ ଠାରେ । ଅଦ୍ଭୁତ ସେ କଳାକାର । ଏକାଧାରରେ କେତେ ଯେ ଅବତାର । ଭାରତୀୟ ସିନେମା କୁ ଦେଲା ଯେ ପ୍ଯାସା , କାଗଜ କେ ଫୁଲ, ସାହିବ ବିବି ଓ୍ୱର ଗୁଲାମ, ଚଉଦୁମି କା ଚାନ୍ଦ ପରି ସଫଳ ଚଳଚିତ୍ରର ଭେଟି । ସମର୍ପିତ ଦେଇଥିଲା ଚଳଚ୍ଚିତ୍ର ଦୁନିଆକୁ ନିଜ ଜୀବନର କ୍ଷଣ ଗୋଟି ଗୋଟି ।
ସିନେମା ପରଦା ଉପରେ ତାଙ୍କର ସେ ନିର୍ଦ୍ଦେଶନା, ମନେ ହୁଏ ସେତେବେଳେର ସମୟର ପହଞ୍ଚ ବାହାରେ । ହୁଏତ ବୁଝି ବି ବୁଝି ପାରିନଥିଲା ସମାଜ ସହଜରେ ।ସତେ ଅବା ନିୟତି ଭରିଥିଲା କଳା ତାଙ୍କ ପ୍ରତିଟି ଅଙ୍ଗ ଅଙ୍ଗରେ । ଏଣେ ପାରିବାରିକ ଜୀବନ କୁ ବାଜି ରଖି, ସେ ଜିଇଁ ଗଲେ ଜୀବନ, ଅନ୍ଧାରକୁ ଦେହେ ମାଖି ।
ତଥାପି ମନେହୁଏ ସ୍ବପ୍ନ ଭଙ୍ଗ ହେବାର ଯନ୍ତ୍ରଣା ଭିତରେ ସେ ବଞ୍ଚୁଥିଲେ ଯେପରି ଆଉ କେଉଁ ଦୁନିଆରେ । ପ୍ରେମ ଥିଲା ,ପରିବାର ଥିଲା, ନା କିଛି ନଥିଲା ଜୀବନରେ !ଗୀତା ଦତ୍ତଙ୍କୁ ,ପ୍ରେମରେ ପଡି ବିବାହ କରିବା ପରେ ବି ସେ କ'ଣ ୱହିଦା ରେହମାନଙ୍କୁ ଭଲ ପାଇ ବସିଥିଲେ ! କାହାର ହୋଇ ନପାରିବାରୁ ସେ କ'ଣ ଭାଙ୍ଗି ପଡୁଥିଲେ ଦିନକୁ ଦିନକୁ । ହୋଇପାରେ ଗୀତା ଦତ୍ତ ତାଙ୍କୁ ଛାଡି ଯିବା ପରେ, କେହି ନଥିଲା ତାଙ୍କୁ ବୁଝିବାକୁ । ନା ସେ ଚାହୁଁ ନଥିଲେ ଜୀବନ ରଖିବାକୁ ! ବେଳେ ବେଳେ ଲାଗେ ତାଙ୍କ ଚରିତ୍ର କୁ ମିଛରେ କଦାର୍ଥ କରା ଯାଇଛି । ଯେ କଳାକୁ ଜୀବନକୁ ବେଶୀ ଭଲ ପାଇଛି , ସେ କେମିତି ମଦ ପିଇ ପିଇ ଜୀବନକୁ ସାରି ଦେଇଥିବ, ଭାବିଲେ ବେଳେ ବେଳେ ମିଛ ଲାଗୁଛି । ସିନେମା ପରଦା ବିନା ଯାହା ଜୀବନର ଅସ୍ତିତ୍ଵ ନାହିଁ , ସେ କ'ଣ ସାହାସ ସଞ୍ଚୟ କରିପାରିବ ,ଏପରି ଜୀବନକୁ ନଷ୍ଟ କରି ପାରିବା ପାଇଁ !
ନିୟତିର ଲେଖନୀ ବି ବଡ ବିଚିତ୍ର ।ଯିଏ ଯେଉଁ କଳ୍ପନାକୁ ସିନେମାରେ ଚରିତ୍ରର ରୂପ ଦେଇ ଥାଏ, ତାକୁ ବି ସେ କେବେ କେବେ କରିଦିଏ ସେଇ ବାସ୍ତବ ଚରିତ୍ର । ଲାଗେ ଚେଷ୍ଟା କରିଥିଲେ ଗୁରୁ ଦତ୍ତଙ୍କ ଭଳି ମହାନ କଳାକାରଙ୍କୁ ଆହୁରି ଅନେକ ବର୍ଷ ଯାଏ ଆଗାମୀ ପିଢ଼ିର ଧରୋହର ଭାବେ ସାଇତି ରଖା ଯାଇ ପାରିଥାନ୍ତା ।କିନ୍ତୁ କିଛି ସଂକୀର୍ଣ୍ଣ ମନା ବ୍ୟକ୍ତି ବିଶେଷଙ୍କ କୁତ୍ସିତ ମାନସିକତା, ଶ୍ୟାମଳ ତୃଣଭୂମିକୁ ମରୁଭୂମିରେ ପରିଣତ କରି ଦେଲା ।ମନକହେ ସେଭଳି କଳାକାର ଚାହିଁ ମଧ୍ୟ ମୃତ୍ୟୁ କୁ କୋଳେଇ ପାରେନା । ନିର୍ଜନ ମହଲରେ ବି ତା' ଜୀବନେ ନିଶାର୍ଦ୍ଧ ହୁଏନା ।
କଥା ଥିଲା କିଛି ଅଦ୍ଭୁତ ଘଟିଥାନ୍ତା । ଦୁନିଆ ଅନୁଭବ କରିଥାନ୍ତା ସେ ଜୀବନ ସତ୍ତା । ଫେରି ଥାନ୍ତା ସେ ପୁଣି ପାଦ ଶବ୍ଦ କରି । ଆଖିରେ ଆଖିଏ ଅଭୁଲା ସ୍ବପ୍ନକୁ ଧରି । ଚମକାଇ ଦେବାକୁ ରୂପେଲି ପରଦାରେ ସୁନେଲୀ କଳ୍ପନା କୁ । ପାଗଳପଣ ର ଆଉ କିଛି ସ୍ମୃତି ବାଣ୍ଟିବାକୁ ।
ଆଜି ବି ସମସ୍ତେ ଯେବେ ଖୋଜନ୍ତି ତାଙ୍କୁ , ଲାଗେ ସେ ଅଛନ୍ତି ଚରିତ୍ର ଭିତରେ । ନିରୁଦ୍ଦିଷ୍ଟ ହେବାର ଅଭିନୟରେ । ବିନା କ୍ୟାମେରାରେ ବିନା ସଂଳାପରେ । ଯୁଗ ଯୁଗ ଯାଏ ଆଗାମୀ ପିଢ଼ିକୁ ବାନ୍ଧି ରଖିବାକୁ , ରୂପେଲି ପରଦାର ରଙ୍ଗୀନ ମାୟାରେ ।