ମମତାର ନିଶୁଣି
ମମତାର ନିଶୁଣି
ମା'ର ମନକୁ ଆଜିଯାଏ କେ ପଢି ପାରିଛି ନା ପାରିବ । ଏତେ ସହଜ ନୁହେଁ ତା' ମମତାର, ଆତ୍ମୀୟତା ର ମୂଲ୍ୟାଙ୍କନ । ପାଗ ଭିଡୁ ଭିଡ଼ୁ ଜୀବନ ସରିଯିବ । ରଂଜନ ସହ ମୋର ସମ୍ପର୍କ ଅନେକ ଦିନର । କଲେଜ ପଢ଼ା ସମୟରୁ । ପାଠ ପଢ଼ାରେ ସେ ଏତେ ଭଲ ନଥିଲା । ହେଲେ ଦୁନିଆଦାରିରେ ମୁଁ ଦେଖିଛି ତା'ର ଖୁବ୍ ଜ୍ଞାନ । ଜୀରାରୁ ଶିରା କାଢିବା ତାକୁ ଭଲ ଭାବେ ଜଣା ।
କଲେଜ ପରେ ମୁଁ ଜୁଡିସିଆଲ ଚାକିରୀରେ ଯୋଗ ଦେଲି । ତାପରେ ରଂଜନ ସହ ମୋର ଆଉ କିଛି ବର୍ଷଯାଏ ଯୋଗା ଯୋଗ ନଥିଲା ।
ହଠାତ୍ ଦିନେ କଟକରୁ ଫେରିବା ସମୟରେ , ବସରେ ତା ସହ ଦେଖା । ଭଲ ମନ୍ଦ କଥା ବାର୍ତ୍ତା ହେଲୁ ।
ଆଲୋଚନା ରୁ ଜାଣିଲି ସେ ଏବେ ବିବାହିତା । ତିନୋଟି ପିଲାର ବାପ । ଦୁଇ ଝିଅ ଗୋଟିଏ ପୁଅ । ନିଜେ ସରକାରୀ ଚାକିରୀ ଟିଏ କରିଛି । ସ୍ତ୍ରୀ ମଧ୍ୟ ଚାକିରୀଆ । ପ୍ରାଇମେରୀ ସ୍କୁଲରେ ମାଷ୍ଟରାଣୀ ।
କହିଲା ଆଜିକାଲି ଗାଆଁ ରୁ ଆସି ସପରିବାର ସହର ରେ ରହୁଛି । ଘର ସହ ଜାଗାଟେ କିଣିଥିଲା । ତାକୁ ରିମଡେଲିଙ୍ଗ୍ କରିଛି ।
ବଡ ଝିଅ ବିଏ ପାସ୍ କରି ଘରେ ଅଛି । ସାନ ଝିଅ ଓ ପୁଅ ଦୁହେଁ ଇଂଜିନିୟରିଂ ପଢୁଛନ୍ତି । ସାନ ଭଉଣୀର ବାହାଘର ସରିଯାଇଛି ।
ରଂଜନର ଚାଲି ଚଳନ ବଦଳି ଯାଇଥିଲା । ଏବେ ଲାଗୁ ନ ଥିଲା କଷ୍ଟରେ ଚଳିବା ପରିକା ।
ପିଲା ଦିନ ତା'ର ଖୁବ୍ ଅଭାବ ଅସୁବିଧା ରେ କଟିଛି ।ବାପ ଛେଉଣ୍ଡ ପିଲାଙ୍କୁ ନେଇ ମାଉସୀ ବଡ଼ କଷ୍ଟରେ ମଣିଷ କରିଥିଲେ । ପଢିବା ପାଇଁ ବହି ନଥିଲା, ପିନ୍ଧିବା ଲାଗି ଜାମା, ଦିଓଳି ଖାଇବା ସେସମୟରେ ସ୍ବପ୍ନ ମନେ ହେଉଥିଲା ।
ତଥାପି ମାଉସୀ ବିପନ୍ନ ହୋଇ ପଡିଥିବା ଜୀବନରେ, ଯେନ ତେନ ପ୍ରକାରେ ପିଲା ଦୁଇଟିଙ୍କୁ ମଣିଷ କରି ଗଢି ତୋଳିଲେ ।
ସେଇଥିପାଇଁ ତ ମଥା ନଇଁ ଯାଉଥିଲା ମୋର କେବେ ଯଦି ସାମ୍ନା ସାମ୍ନି ହେଉଥିଲି ମୁଁ ତାଙ୍କର ।
ସତ କହିବାକୁ ଗଲେ ରଂଜନ ପାଇଁ ସାରା ଜୀବନ ସେ ଥିଲେ , ମମତାର ନିଶୁଣି । ଅଥଚ ସେଦିନ ମୁଁ କିଛି ବି ଭଲ ମନ୍ଦ ତାଙ୍କ ବିଷୟରେ ପାରିଲିନି ଜାଣି ।ରଂଜନ ବି ତ କାହିଁ ତାଙ୍କ ସମ୍ବନ୍ଧରେ କହିଲାନି କିଛି । କେଜାଣି ଲୋକଟି ମରିଛି ନା ବଞ୍ଚିଛି ।
ଏମିତି ରେ ବି ଜୀବନଟା ଗୋଟେ କମନୀୟ ଇମାରତ । ଆକସ୍ମିକ ଭାବେ ଭୁଷୁଡି ଯାଇପାରେ । ସଙ୍କୁଚିତ ସଂପର୍କ ର ଟିକିଏ ଝଡ ବର୍ଷାରେ ।
ଏଭିତରେ କିଛି ମାସ ଗଡି ଯାଇଛି । ଚାରି ଛଅ ଥର ରଂଜନ ସହିତ ମୋର ଦେଖା ଚାହାଁ ହୋଇଛି । ଆମେ ଅଳ୍ପ ବହୁତ ସୁଖ ଦୁଃଖ ବି ହୋଇଛୁ ।କିନ୍ତୁ ନା ସେ କେବେ ମୋତେ ମାଉସୀ ଙ୍କ ବିଷୟରେ କହିଛି , ନା ମୁଁ ତାକୁ ପଚାରି ପାରିଛି ।
ଦିନେ ତୁଳସୀ ପୁର ସାନ ବଜାର ଛକ ଦେଇ ମୁଁ ଘରକୁ ଫେରୁଛି ହଠାତ୍ ବୁଢୀ ଲୋକଟିଏ ରାସ୍ତା ପାରି ହେଉଥିବା ର ଦେଖିଲି ।
ଲୋକଟି ମୋତେ ଚିହ୍ନା ଜଣା ଲାଗିଲା । ହେଲେ ମନେ ପକାଇବାକୁ ଚେଷ୍ଟା କରି ମଧ୍ୟ ମନେ ପକେଇ ପାରିଲି ନାହିଁ , ସେ କିଏ , କେଉଁଠି ତାକୁ ଦେଖିଛି ,ମନେ ପଡିଲାନି କିଛି ବି ତା ବିଷୟରେ ।
ସେଦିନ ରାତିରେ ଖାଇବା ବେଳେ ଅକସ୍ମାତ ମନେ ପଡିଗଲା । ଆରେ ସେ ତ ରଂଜନର ମା' । ବୟସ ହୋଇ ଯାଇଥିବାରୁ ଏତେ ବର୍ଷ ପରେ ହଠାତ୍ ଦେଖି ଚିହ୍ନି ପାରିଲି ନାହିଁ ।
କିନ୍ତୁ ସେ ତୁଳସୀପୁର ରେ କ'ଣ କରୁଛନ୍ତି । ମୋର ଜାଣିବାରେ ରଂଜନର କେହି ବନ୍ଧୁ ବର୍ଗ ସେଠାରେ ତ ରହୁ ନଥିଲେ ।
ଘଟଣା ଟା କେମିତି ମୋତେ ଅଡ଼ୁଆ ଅଡ଼ୁଆ ଲାଗିଲା ।
କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମୁଁ ସେଦିନ ର କଥାକୁ ପାସୋରି ପକାଇଥିଲି । ହୁଏତ ମନେ ବି ପଡିନଥାନ୍ତା ସେ ଘଟଣା ଆଉ । ଧିରେ ଧିରେ ମୋ ମାନସ ପଟଳରୁ ଉଭେଇ ଯାଇଥାନ୍ତା ସେ ବିଷୟ ବସ୍ତୁ ।
ଯଦି ରମେଶ ସହିତ ମୋର ଦେଖା ହୋଇନଥାନ୍ତା ସିଟି ହସ୍ପିଟାଲର ଭିତରେ । ହଁ ରମେଶ ,ରଂଜନର ଦୂର ସଂପର୍କିୟ ଭାଇ । ମୋ ତଳ ବ୍ୟାଚରେ ପଢୁଥିଲା ।
କଥାବାର୍ତ୍ତା ରୁ ଯାହା ବୁଝିଲି , କାନକୁ ବିଶ୍ଵାସ ହେଲା ନାହିଁ । ଜୀବନଟା ମିଛ ମନେ ହେଲା ।ମନ ଟାଣି ହୋଇଗଲା ଅତୀତର ରଙ୍ଗ ଛଡା ସେ ସ୍ମୃତି ଆଡକୁ ।
ଯେଉଁ ଲୋକ ନିଜ ସାରା ଜୀବନର ସୁଖକୁ ଜଳାଞ୍ଜଳି ଦେଇ ପୁଅକୁ ମଣିଷ କଲା , ସେ ଆଜି ଚାକିରୀଆ ପୁଅର ସ୍ବାର୍ଥ ପରତାର ଶିକାର ହୋଇ ବୃଦ୍ଧାଶ୍ରମରେ ମୃତ୍ୟୁ କୁ ଅପେକ୍ଷା କରି ପଡି ରହିଛି ।
ଏମିତି କ'ଣ କିଏ ନିଜ ଜନ୍ମ କଲା ମା' ସହ କରିପାରେ ।
ରମେଶ କୁ ପଚାରିଲି ରଂଜନର ସାନ ଭଉଣୀ କଥା ।
ତା' କଥା ଶୁଣିବା ପରେ ମୋର ହୋଶ ଉଡିଗଲା । ସେ କୁଆଡେ ବାହାଘର ପରେ ଅନେକ ଅଭାବ ଅସୁବିଧା ଦେଇ ଗତି କରୁଥିଲା । ରଂଜନ ତାକୁ କୈାଣସି ପ୍ରକାର ସାହାଯ୍ୟ କଲାନାହିଁ । ଘରକୁ ମଧ୍ୟ ଆସିବା ପାଇଁ ମନାକଲା । ଅଳ୍ପ କିଛି ଯାହା ପୈତୃକ ସଂପତ୍ତି ଥିଲା ତାକୁ ଜୋର ଜବରଦସ୍ତି କରି ମାଉସୀଙ୍କ ଠାରୁ ଦସ୍ତଖତ କରାଇ ବିକି ଦେଲା ।
କିଛି ଟଙ୍କା ମାଉସୀ ନିଜ ଝିଅ କୁ ଦେବାକୁ କହିବାରୁ , ତାଙ୍କ ସହ ମାରପିଟ୍ କରି ତାଙ୍କୁ ଘରୁ ବାହାର କରିଦେଲା । ସେଇ ପରଠାରୁ ମାଉସୀ ବୃଦ୍ଧାଶ୍ରମରେ ରହୁଛନ୍ତି ।
ରମେଶ ଏଥିରେ ହସ୍ତକ୍ଷେପ କରିବାରୁ ରଂଜନ ତା' ଉପରେ ମଧ୍ୟ ପାଟିତୁଣ୍ଡ କଲା । ସେଦିନ ରୁ ତା ସହ ରମେଶ ର କଥା ବାର୍ତ୍ତା ବନ୍ଦ ।
ମାଉସୀ ଙ୍କ ଦୁଃଖ ସେତିକିରେ ଶେଷ ହୋଇନାହିଁ । ପରେ ପରେ ରଂଜନର ସାନ ଭଉଣୀର ଦେହ ବେଶୀ ଖରାପ ହେଲା ।ଆଉ ମାନସିକ ସ୍ତରରେ ସେ ଏପରି ହୋଇ ପଡ଼ିଲା ଯେ ତାକୁ ରାଞ୍ଚି ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଗଲା ।
ଆଜିକୁ ପାଞ୍ଚ ବର୍ଷ ହେଲାଣି , ସେ ସେଠାରେ ରହିଛି ।
ଆଗକୁ ଆଉ କିଛି ଶୁଣିବାକୁ ମୋର ଧୈର୍ଯ୍ୟ ନଥିଲା । ଅତୀତର ହଜାରେ ସ୍ମୃତି ଭିତରେ ମୁଁ ଛନ୍ଦି ହୋଇ ପଡ଼ୁଥିଲି । ରଂଜନ ମୋ ଆଖିରେ କ୍ରମଶଃ ଅମଣିଷ ପାଲଟି ଯାଉଥିଲା ।
କିଂକର୍ତ୍ତବ୍ଯ ବିମୂଢ ହୋଇ ମୁଁ ସେଠାରୁ ଫେରି ଆସିଥିଲି । କିଛି ଦିନ ମୋତେ ଖୁବ୍ ଖରାପ ଲାଗିଥିଲା । ବାରମ୍ବାର ମୋର ମନେ ପଡି ଯାଉଥିଲା ସେଇ କଥା ସବୁ । ମାଉସୀଙ୍କ ପାଇଁ କିଛି କରି ବାକୁ ଚାହିଁ ମଧ୍ୟ କ'ଣ କରିବି କିଛି ଠିକ୍ କରିପାରୁନଥିଲି ।
ସେଦିନର ଦେଖା ପରେ ପୁଣି ରମେଶ ସହ ମୋର ଦିନେ ଦେଖା ହେଲା । ଏହାରି ମଧ୍ୟରେ କାର୍ଯ୍ୟ ବ୍ୟସ୍ତତା ନେଇ ଦୁଇ ମାସ ବିତି ଯାଇଥିଲା ।
ଜାଣିବାକୁ ପାଇଲି ମାଉସୀ ଙ୍କ ମୃତ୍ୟୁ ହୋଇ ଯାଇଛି । ବଡ କରୁଣ ସେ ମୃତ୍ୟୁ ।ନିଜର ବୋଲି କେହି ଦେଖିବାକୁ ଯାଇ ନଥିଲେ । ଦୁର୍ଭାଗ୍ୟ କୁ ରମେଶ ବି ସହରେ ନଥିଲା ।
ରମେଶ ସହ ଅଳ୍ପ କିଛି ବାର୍ତ୍ତାଳାପ କରି ମୁଁ ଫେରି ଆସୁ ଥିଲି ଖୁବ୍ ଗୋଟେ ଭାରି ମନରେ । ଦିଗବଳୟରେ ସଂଜ ନଇଁ ଆସୁଥିଲା । ରହି ରହି ବୋଉ କଥା ମନେ ପଡ଼ୁଥିଲା । ପରଦିନ ଥିଲା ସେକେଣ୍ଡ ସଟର ଡେ ।
ଠିକ୍ କଲି ଏଥର ବୋଉ ବାପାଙ୍କ କଥା ଜମା ଶୁଣିବି ନାହିଁ, କି ସେମାନଙ୍କୁ ଆଉ ଗାଁ ରେ ରହିବାକୁ ଦେବି ନାହିଁ । ଆଣି ନିଜ ପାଖରେ ରଖିବି । ସବୁ କଥାର ଗୋଟେ ସମୟ ଅଛି, ବୟସ ଅଛି । ଯାହା ଖଟିଲେ ଖଟିଲେ । ଏବେ ବିଶ୍ରାମ ନେବାର ସମୟ ।ନାତି ନାତୁଣୀ ମାନଙ୍କ ସହ ଦିନ ବିତେଇବାର ବୟସ ।
ବୋଉ ବାପାଙ୍କୁ ଇଶ୍ଵର ଆଜିଯାଏ ସୁସ୍ଥ ରଖିଥିବାରୁ ,ଗଭୀର କୃତଜ୍ଞତା ବୋଧରେ, ସେଦିନ ଆପଣାଛାଏଁ ମୋ ହାତ ସେଇ ଜଗତକର୍ତ୍ତା ପରମପିତା ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇବାକୁ ଉଠି ଯାଇଥିଲା ଏବଂ କାହିଁକି କେଜାଣି, ପରେ ପରେ ମୋ ମନ ଭିତରେ ଦୁଇଦିନ ଧରି ଭରିଥିବା କୋହ କିଛିଟା ପ୍ରସମିତ ହେଲା ପରି ମୋର ଅନୁଭବ ହେଉଥିଲା ।