Rajalaxmi Mohanty

Drama Tragedy Others

4.6  

Rajalaxmi Mohanty

Drama Tragedy Others

ପାନଡବା

ପାନଡବା

6 mins
526


ବୋଉର ଦଶ ପରେ ଏକାଦଶାହ କାମ ସରିଲା। ରାତିରେ ସମସ୍ତେ କିଏ କୁଆଡେ ଦିନ ସାରାର କ୍ଳାନ୍ତି ଜନିତ ନିଦ୍ରା ଗଲେ।ମୋ ଆଖିରେ କିନ୍ତୁ ନିଦ ନଥାଏ।ବାପା ଆଜି ଘୋଷଣା କରିଛନ୍ତି, "କାଲି କେହି ଯାଇ ପାରିବନି।ସମସ୍ତେ ଏକାଠି ହେବ ଭାଇ ଭଉଣୀ ଛଅଜଣ ଯାକ।ବାରପତ୍ର ପଡିସାରିଲେ ବୋଉର ଯାହା ସବୁ ଜିନିଷ ଅଛି ଭାଗବଣ୍ଟା ହେବ"।ସମସ୍ତଙ୍କ ମନ ସେଥିପାଇଁ ଆଜି ବହୁତ ଖୁସି।ଦୁଇ ଅପା ପରସ୍ପରକୁ ଖେଞ୍ଚା ଖେଞ୍ଚି ହେଉଥିଲେ ଏକଥା ଶୁଣିକି ।ଆଉ ଗୋଟେ ବଖରାରେ ତିନି ଭାଉଜ ଟୁପ୍ ଟାପ୍ କଥା ହେଉଥିଲେ ମୁହଁକୁ ମୁହଁ ଯୋଡି ହେଇକି।କାଲିର ଭାଗବଣ୍ଟାକୁ ନେଇ ସମସ୍ତେ ଉତ୍ସୁକ ଥିଲେ କେବଳ ମୋତେ ଛାଡି ।ସମସ୍ତେ ଯାହା ମନେମନେ ଖୋଜି ହେଉଥିଲେ,କିନ୍ତୁ ମୁହଁ ଖୋଲି କହିପାରୁନଥିଲେ ଆଜି ସେଇ ଜିନିଷଟି ସେମାନଙ୍କୁ ବିନା ପ୍ରାର୍ଥନାରେ ମିଳି ଯାଉଛି।ଖୁସି କେମିତି ହେବିନି ଯେ।ମୁଁ ଲକ୍ଷ୍ଯ କରିଛି ଭଲ ଭାବେ,ବୋଉର କୋକେଇ ଉଠିଲା ପରେ ପରେ ବଡ ଭାଉଜ ମୁଣ୍ଡ ଧୋଇ ଗାଧେଇସାରି ଆସି ବୋଉର ପେଟେରା ଖୋଲୁଥିଲେ ପଚାରିବାରୁ କହିଲେ,ତରବର ହେଇ ବୋଉଙ୍କ କଥା ଶୁଣି ଚାଲିଆସିଥିଲିତ ସେଥିପାଇଁ ଲୁଗାପଟା କିଛି ଆଣିନଥିଲି।କାଳେ ବୋଉଙ୍କର କିଛି ଲୁଗାପଟା ଏଥିରେ ଥିବ ଭାବି ଖୋଜୁଥିଲି।ମଝିଆ ଭାଉଜର ଶୋଇବାଘର ଲାଇଟ୍ ବହୁତ ସମୟ ଯାଏ ସେଦିନ ରାତିରେ ଜଳୁଥିଲା।ଭାବିଲି ବୋଧେ ବୋଉର ଅବେଳରେ ଚାଲିଯିବାଟା ଭାଇ,ଭାଉଜଙ୍କୁ ବହୁତ କଷ୍ଟ ଦେଇଛି।ସେଥିପାଇଁ ଆଖିକୁ ନିଦ ଆସୁନି।ଦୁଃଖୀ ଲୋକଟିଏ ଆଉ ଗୋଟେ ଦୁଃଖୀକୁ ସାହା ଭରସା ହେଲାଭଳି ଭାବିଲି ଯାଇ ଟିକେ ଭାଇ ସହିତ ବସି ବୋଉର ପୁରୁଣା ସ୍ମୃତିପୃଷ୍ଠା ସବୁ ଖେଲେଇବି।ଲାଗିବ ଯେମିତି ବୋଉ ଆମ ଗହଣରେ ଅଛି ବୋଲି।ସେମାନଙ୍କ କବାଟ ପାଖରେ ହିଁ ପାଦ ଦୁଇଟି ଅଟକିଗଲା ମୋର ସେମାନଙ୍କ ଆଲୋଚନା ଶୁଣି।ଭାଇ ଭାଉଜଙ୍କୁ କହୁଥିଲେ "ମୁଁ କେମିତି କଥା ଆଗ ଆରମ୍ଭ କରିବି।ବଡ ଭାଇ ଓ ବାପା ଅଛନ୍ତି ସେକଥା ଆରମ୍ଭ କରିବାକୁ"।


ଯଦି କେହି ଆରମ୍ଭ ନକଲେ ତାହେଲେ?ବାପା ସବୁ ତାଙ୍କ ଗେହ୍ଲା ସାନ ପୁଅକୁ ଧରେଇଦେଲା ପରେ ଯାଇ ବୁଦ୍ଧି ପଶିବ ତମର।


ଯଦି ସେମିତି ହେଲା ମୁଁ କାହାକୁ ବି ଛାଡିବିନି ଜାଣିଥା କହୁଛି।


ସେତିକିରେ ମୁଁ ସେଇଠୁ ଫେରି ଆସିଲି।ସାନ ଭାଇର କ'ଣ ଚିନ୍ତା ।ସେ ଶୋଇଛି ଆରାମରେ ।ସେ ଭଲକରି ଜାଣିଛି ସେ ବାପା ବୋଉଙ୍କର ଗେହ୍ଲା ପୁଅ।ତା ଭାଗ କୁଆଡେ ବୁଡିଯିବନି।ତେଣୁ ନିଶ୍ଚିନ୍ତ ଅଛି ସେ।


ତା ପରଦିନ ସକାଳୁ ସକାଳୁ ବଡ ଦୁଇ ଭଉଣୀ ବାହାରିଲେ ତାଙ୍କ ଘରକୁ ଯିବାପାଇଁ।ସେମାନଙ୍କର ପିଲାମାନେ ବଡ ଶ୍ରେଣୀରେ ପଢୁଛନ୍ତି ,ତେଣୁ ସ୍କୁଲ ଛୁଟି କରି ପାରିବେନି। ମୋର ତ ଛୋଟ ଛୁଆଟେ, ତେଣୁ ମୋତେ ବାଧ୍ଯ କଲେ ଏଇଠିରହି ବାପାଙ୍କ କଥା ଟିକେ ବୁଝାବୁଝି କରିବାକୁ ,ତିନି ଭାଉଜଙ୍କ ଉପରେ ତାଙ୍କର ଭରସା ନଥିଲା ବୋଲି।ମୁଁ ରାଜି ହେଇଗଲି।ମୋ ସ୍ବାମୀ ମଧ୍ଯ ଅନୁମତି ଦେଇଦେଲେ।ଅପା ହେରିକେ ଗଲାବେଳେ ମୋତେ ପାଖକୁ ଡାକି ତୁନିତୁନି କହିଲେ "ଛୋଟୁ,ତୋ ଭରସାରେ ଆମେ ଯାଉଛୁ, ଭଲକରି ନଜର ରଖିଥିବୁ ବାପାଙ୍କ ଉପରେ।ପୁଅ ବୋହୂ ମାନଙ୍କୁ ସବୁ ଦେଇଦେବେ ନହେଲେ।ଆମେ ସବୁ ଭକୁଆ ହେଇ ଚାହିଁଥିବା ଲୋ।ଶାଶୁଘରେ ନାକ କଟିଯିବନି ଆମର?"ପାଦତଳୁ ମାଟି ଖସିଗଲା ମୋର।କାଲିର ଯେଉଁ ବାହୁନା କାନ୍ଦ, ତା ଭିତରେ ଯେ ଏତେ ଛଳନା ଥିଲା ମୋତେ ଜଣାନଥିଲା।


ସେଇଦିନଠାରୁ ବାପାଙ୍କ ଗୋଟିଏ ଡାକରେ ଭାଉଜ ମାନେ ଯାଇ ହାଜର ହେଇଯାଆନ୍ତି ବଡ ଆଶାବାଦୀ ମନ ନେଇ। କାଳେ ବାପା ଭାଗ ବଣ୍ଟା କଥା କିଛି ଉଠେଇବେକି?ନାଁ, ବାପା କେବଳ ପାଣିଟିକେ କିମ୍ବା ଗାମୁଛା ଟିକେ ମାଗନ୍ତି ଯାହା। ବାପାଙ୍କର ଗୋଟେ ବୋଲ କରିସାରି ପୁଣି ମୁହଁ ଶୁଖେଇ ଫେରିଆସନ୍ତି ସେଠୁ ଭାଉଜ ମାନେ।ସବୁଦିନ ରାତିରେ ବାପାଙ୍କ ଗୋଡ ଟିକେ ଘଷିଦେବାକୁ ମୁଁ ଯାଏ ।ଦିନେ ଦେଖିଲି କବାଟ ପାଖରେ କାହାର ଶାଢୀଧଡି ଟି ସାମାନ୍ଯ ଦିଶୁଛି।କିଏ ଆଉ ହେଇଥିବ ଯେ, ଭାଉଜମାନଙ୍କ ଭିତରୁ କିଏ ହେଇଥିବ।କିଛି କାମରେ ଆସିଥିବେ ଏପଟେ।ନାଁ, ମୋ ଅନୁମାନ ପୂରା ଭୁଲ ଥିଲା।ସେମିତି କିଛି କାମ ବିନା ଶବ୍ଦ ବ୍ଯୟରେ ଏତେ ରାତିରେ ଅସମ୍ଭବ।ଧିରେ ଉଠିକି ଯାଇ ଦୁଆର ବନ୍ଧ ପାଖରେ ପହଞ୍ଚିଲା ବେଳକୁ ମଝିଆଁ ଭାଉଜ କାନ ଡେରି ଛିଡା ହେଇଛି ସେଇଠି।କାଳେ ଅନ୍ଯମାନଙ୍କର ଅନୁପସ୍ଥିତିରେ ବାପା ମୋ ଆଗରେ କିଛି ଗୁପ୍ତ ତଥ୍ଯ ଖୋଲିଦେବେ କି ?ଏଇ ସନ୍ଦେହରେ।ତାଙ୍କର ସେମିତି ସନ୍ଦେହ କରିବା ସ୍ବାଭାବିକ।କାରଣ ତାଙ୍କର ସ୍ଥିତି ଘରେ ସେମିତି ବୋଲି ସେ ସବୁବେଳେ ଅସନ୍ତୋଷ ବ୍ଯକ୍ତ କରନ୍ତି।ବଡଭାଇ ବଡ ବୋଲି ତା'ର ବଡ ଭାଗ।ସାନ ଭାଇ କୋଳପୋଛା ବୋଲି ତା'ର ଗେହ୍ଲା ଭାଗ। , ଝିଅ ମାନେ ତ ମାଆର ସର୍ବସ୍ବ। ସିଏତ ମଝିଆଁ,ସବୁଥିରେ ଅଧାଭାଗ।ସେଥିପାଇଁ ତା'ର ସବୁବେଳେ ମନରେ ଭୟ ଓ ଆଶଙ୍କା।


ସବୁକାମ ଚାଲିଥିଲା ସୂଚାରୁ ରୂପେ।ବାପା ତାଙ୍କର ବୀମା ଟଙ୍କା ସବୁ ଆଗରୁ ଭାଗ କରି ରଖିଥିଲେ ବୋଉ ଓ ତାଙ୍କ କାମ ପାଇଁ।ବୋଉ ତ ଆଗ ଚାଲିଗଲା।ତେଣୁ ତା ଭାଗ ଟଙ୍କାରେ ସବୁ ଚାଲିଥିଲା।ପୁଅ ମାନଙ୍କୁ ହାତ ପତେଇବା ଦରକାର ପଡିଲା ନାହିଁ।ତଥାପି ଯେଉଁଠି ଯିଏ ଯେମିତି ପାଞ୍ଚ ପଚିଶି ଖର୍ଚ୍ଚ କରିଦିଅନ୍ତି, ସେଇଠି ବାପାଙ୍କୁ ବଙ୍କେଇ ତେଢେଇ ଜଣେଇଦିଅନ୍ତି।ବାପା ବି ସେମିତି ବଙ୍କେଇ ତେଢେଇ କିଛି ଟଙ୍କା ତାଙ୍କ ହାତକୁ ଦେଇ ଦିଅନ୍ତି।ଯାହା ହଉ ସବୁ କାମ ସେଇଥିରେ ସେଇଥିରେ ଭଲରେ ସରିଗଲା।ଏଥର ଆସିଲା ସେଇ ପ୍ରତିକ୍ଷିତ ସମୟ ସମସ୍ତଙ୍କ ପାଇଁ।ସମସ୍ତେ ପରସ୍ପର ଭିତରେ ଖେଞ୍ଚା ଖେଞ୍ଚି ହେଉଥାଆନ୍ତି କିଏ ଆଗ ସେ କଥା ଆରମ୍ଭ କରିବ।ସମସ୍ତଙ୍କ ଦ୍ବନ୍ଦକୁ ଟାଳି ବାପା ହିଁ ସେ କଥା ଆଜି ଆରମ୍ଭ କରିଦେଲେ।ତେଣୁ ସମସ୍ତଙ୍କ ମନ ଖୁସି।ଏକା ଖୁସି ନାହିଁ ମୋ ମନ । କିନ୍ତୁ କାହିଁକି?ମୋର ତ ଆଦୌ ଲୋଭ କେଉଁଥିରେ ନାହିଁ।ପୁଣି ଏ ଲୋଭ କାହିଁକି?କାହା ପ୍ରତି? ପଚାରିଲେ ମୋ ସ୍ବାମୀ।


ହଁ, ମୋର ଲୋଭ ଅଛି।ମୋ ବୋଉର ସ୍ମୃତିକୁ ସାଇତି ରଖିବାର ଲୋଭ।ମୋର ଲୋଭ ଅଛି ମୋ ବୋଉର ସେଇ ପାନଡବା ଟିରେ ଲୋଭ।ଯେଉଁଥିରେ ଭର୍ତ୍ତି ହେଇଛି ପୁଳା ପୁଳା ସ୍ନେହ ଆଉ ମମତାର ସ୍ମୃତି।ମୋ ବୋଉର ହାତର ଛୁଆଁ ସେଇଥିରେ ଅଛି।ବୋଉ ଦେହର ସେଇ ପାନୁଆ ବାସ୍ନା ସେଇଥିରେ ଅଛି।ବୋଉର ....ଆଉ କିଛି ଆଗକୁ କହିପାରିଲିନି। ଆଖିରୁ ଅମାନିଆ ଲୁହର ଧାର ବୋହି ଆସି ମୋତେ ଓ ମୋ ସ୍ବାମୀଙ୍କୁ ବ୍ଯସ୍ତ କରିପକେଇଲା।ଜୋର୍ କରି ସେ ମୋତେ ଶୋଇବାକୁ ବାଧ୍ଯ କଲେ।ଦେହଟା ସିନା ଖଟରେ ଲୋଟିପଡିଲା ଆଖିକୁ କ'ଣ ସହଜେ ନିଦ ଆସୁଥିଲା।ମନେପଡୁଥିଲା ବୋଉର ସେଇ ପାନଡବା କଥା। 


ସେ ପାନଡବା ପ୍ରକୃତରେ ମୋ ବୋଉର ନଥିଲା।ସେ ଥିଲା ତା ଶାଶୁ, ମାନେ ମୋ ଜେଜେମା'ଙ୍କର।ଜେଜୀ ମରିଗଲା ପରେ ବୋଉ ସେଇଟା ଉତ୍ତରାଧିକାରୀ ଭାବେ ପାଇଲା।ଜେଜୀଙ୍କର ସବୁ ସୁନା ଗହଣା ତାଙ୍କ ଝିଅମାନେ ବୋହିନେଲେ।ବୋଉ ଭାଗ ଏଇ ଗୋଟିକ ପଡିଲା।ଚାନ୍ଦି ରେ ନିର୍ମିତ ଏଇ ଡବାଟି।ବାପା ତାକୁ ବଣିଆ ଘରେ ସଫାକରି ଆଣିଦେଲେ ବୋଉକୁ।କହିଲେ "ନେ , ଏକୁ ରଖିଦେ, ବେଳଦେଖି ବଦଳେଇ ଦେଲେ ପାଉଁଜି ତିନିହଳ ହେଇଯିବ ତିନି ଝିଅଙ୍କର"।ମୋ ବୋଉ ବଦଳ କଥା ଶୁଣି ତାକୁ ନେଇ କେଉଁ ଗମ୍ଭୀରି ଭିତରେ ଲୁଚେଇ ରଖିଲା ତିନିମାସ ଯାଏ।ବାପା ଯେତେଥର କଟକ ଗଲାବେଳେ ମାଗନ୍ତି, "କେଉଁଠି ରଖିଦେଇଛି ପାଉନି ବୋଲି" ମିଛରେ କହଦିଏ। ତିନିମାସ ପରେ ବୋଉର ଦାନ୍ତ ସବୁ କାଳିଆ ପଡିଲା।ରହସ୍ଯ ବୁଝୁ ବୁଝୁ ପାନଡବାଟି ଏଇ ତିନି ମାସ ଭିତରେ ବୋଉର ସମଗ୍ର ସତ୍ତାକୁ କବଳିତ କରିସାରିଥିଲା।


ବାପା ସବୁବେଳେ ରାଗିଲେ ଗାଳିକଲେ।ତଥାପି କିଛି ପ୍ରଭାବ ପଡିଲାନି ବୋଉ ଉପରେ।ବରଂ ସେଇ ନାଲି କଳା ମିଶାମିଶି ଦାନ୍ତକୁ ଦେଖେଇ ହସିଦିଏ।ବାପାବି ରାଗନ୍ତି ସିନା ସବୁ ହାଟପାଳିରେ ପାନ ଗୁଆ ସାଙ୍ଗକୁ ବିଭିନ୍ନ ପାନ ମସଲା କିଣିଆଣି ବୋଉକୁ ଦିଅନ୍ତି ଆଉ ବହେ ଗାଳି ବି କରନ୍ତି।ଭାଇ ମାନେ ବଡ ହେଇଯାଇଥିଲେ।ସେମାନେ ବି ଯାଉଣୁ ଆସୁଣୁ ବୋଉ ଉପରେ ବିରକ୍ତ ହେଲେ।ଭାଇମାନେ ବୋଉ ଉପରେ ପାନଖିଆକୁ ନେଇ ରାଗିଲେ ବାପାଙ୍କ ମନ ଦୁଃଖ ହେଇଗଲା ଭଳି ମୋତେ ଲାଗେ।ସେ ସେବେଠାରୁ ପାନ ମସଲା ସବୁ ଲୁଚେଇ ଆଣି ବୋଉକୁ ଦେଲେ। ଗାଳି ବନ୍ଦ ସେଇଦିନରୁ।ସକାଳୁ ସକାଳୁ ସାରାଦିନକ ପାଇଁ ପାନ ଭାଙ୍ଗି ବୋଉ ସେଇ ଡବାରେ ରଖିଦିଏ।ମଝିରେ ମଝିରେ ଖଣ୍ଡେନେଇ ପାଟିରେ ପକେଇଦିଏ।ସେତିକିରେ ତା'ର ଭୋକ ଶୋଷ କୁଆଡେ ଚାଲିଯାଏ ଯେ ଦିନସାରା ସେମିତି କାମରେ ଲାଗିଥାଏ।


ବାପା ମଝିରେ ମଝିରେ ପାନଡବା ଟିକୁ ବଣିଆ ପାଖକୁ ନେଇ ସଫା କରି ଆଣନ୍ତି।ସେଦିନ ବୋଉର ମନ ଭାରି ଖୁସି।ଦିନସାର ଖାଲି ସେଇ ଚିକ୍ ମିକ୍ ହେଉଥିବା ଡବା ଟିକୁ ଦେଖିହେଉଥାଏ।ବାପା ଥରେ ବୋଉକୁ କହିଲେ "ଦେ ତାକୁ ଏଥର ବଦଳେଇ ଆଉ ଗୋଟେ ନୂଆ ପାନଡବା ନେଇ ଆସିବି"।ମୋ ବୋଉର ହାଲୁକ ଶୁଖିଗଲା ଶୁଣିକି ଏକଥା। 


"ଏଇ ପାନଡବା ପାଇଁ ମୁଁ ପାନ ଖାଇଲି।ପାନ ଖାଇଲି ବୋଲି ଡବା କରିନି ମୁଁ।ମୋର କେବଳ ଏଇ ଡବା ଦରକାର।ମୋ ଶାଶୁଙ୍କ ସ୍ମୃତି ଅଛି ଏଥିରେ"।ବୋଉ ବିକଳ ହେଇ କହେ।ଯେମିତି ତା ଦେହରୁ କିଏ ପ୍ରାଣ ବାହାର କରି ନେବାକୁ କହୁଛି।ମୋର ପିଲା ମନରେ ଏଇ ସ୍ମୃତି କଥା କିଛି ପଶେନି।ଏତିକି ଭାବେ ନୂଆ ବଦଳରେ ବୋଉ କାହିଁକି ଏଇ ପୂରୁଣା ଜିନିଷରେ ଲୋଭ କରୁଛି କେଜାଣି ।ସତରେ ବୋଉ ଭାରି ବୋକୀ।



ଭାଇ ଭଉଣୀ ମାନଙ୍କର ଗୋଟିଏ ପରେ ଗୋଟିଏ ବାହାଘର ସରିଲା ପରେ ମୋ ପାଳି ପଡିଲା।ଶାଶୁଘରେ ସବୁ ଜିନିଷ ଦାମୀ ଆଉ ନୂଆ ଚକାଚକ୍ ପୂରା।ସେଥିରେ ମୋ ଜିନିଷ ମିଶି ଯିବାରୁ ଆହୁରି ସୁନ୍ଦର ଦିଶିଲା।ହେଲେ ମୋ ମନ ଖୋଜୁଥିଲା ମୋ ବୋଉକୁ ତା ଶାଶୁଠାରୁ ମିଳିଲା ଭଳି ସେମିତି ଏକ ଦୁର୍ଲ୍ଲଭ ଚିଜ, କିନ୍ତୁ କେଉଁଠି କିଛି ନଥିଲା ସେ ଘରେ।ମୋ ଶ୍ବଶୂରଙ୍କର ପସନ୍ଦ ସବୁ ଆଧୁନିକ ଉପକରଣ।ଯାହାକୁ କୁହନ୍ତି ଲାଟେଷ୍ଟ।ତେଣୁ ସେଠି ଏଇଭଳି ଜିନିଷ ମିଳିବା କଠିନ କଥା।ଏବେ ମୁଁ ବୁଝିଲି ମୋ ବୋଉ କାହିଁକି ସେଇ ପୁରୁଣା ଡବାଟିକୁ ଏତେ ଆସକ୍ତ ଥିଲା।ଧିରେ ଧିରେ ମୁଁ ବି ଯେତେବେଳେ ଘରକୁ ଆସିଲି ସେ ଡବାଟିକୁ ଲୋଭକଲି।ମୋ ବୋଉ ମୋ ଲୋଭୀଲା ନଜରକୁ ପଢିପାରେ କି କ'ଣ ଫିକ୍ କିନା ହସିଦିଏ।ଦେବ କି ନାହିଁ କିଛି କହେନି।ମୁଁ ରାଗେ।ସାମାନ୍ଯ ଏଇ ପାନ ଡବାଟି ମୋ ବୋଉ ମୋତେ ମୁର୍ଛି ପାରୁନି।କେତେ ବଣିଆ ଦୋକାନ ବୁଲିଲି ।ସେଇଭଳି ଗୋଟେ ଅର୍ଡରଦେଇ କିଣିଲି ମଧ୍ଯ।ସେଥିରେ କିନ୍ତୁ ସେଇ ମହକ ପାଇଲିନି ଯାହା ମୋ ବୋଉ ପାନ ଡବାରେ ଥିଲା।ଖାଲି ଲୋକହସା ହେଲି ଯାହା ମୋ ସ୍ବାମୀଙ୍କ ନିକଟରେ। ଆଧୁନିକ ଯୁଗର ସ୍ତ୍ରୀ ହେଇ ପାନ ଡବା କିଣା ହେଉଛି ଦେଖ ବୋଲି କହି କେତେ ଚିଡେଇଲେ।କାଲି ରାତି ପାହିଲେ ବୋଉର ସବୁ ସୁନା ଗହଣା ବଣ୍ଟା କୁଣ୍ଟା ହେବ ।ଆଉ ବାଣ୍ଟି ହେଇଯିବ ସେଇ ପାନ ଡବା ଟି।ସେଇଟି କାହା ଭାଗରେ ପଡିବ କିଏ ଜାଣେ। ମୋ କଥା କିଏ ବା ଶୁଣିବ ଘରେ ଏତେ ବଡମାନେ ସବୁ ଥାଉ ଥାଉ।ସେଇ ଭୟ ଆଉ ଆଶଙ୍କାରେ ମୋତେ ଢେର୍ ରାତି ଯାଏ ନିଦ ହେଲାନି।


ସକାଳୁ ବାରପତ୍ର ଭିଡ ଲାଗିବା ଆଗରୁ ବାପା ବୋଉର ପେଡି ଆଣି ସମସ୍ତଙ୍କ ମଝିରେ ରଖିଲେ।ଅନେକ ଗୁଡିଏ ଗହଣାଠାରୁ ଆରମ୍ଭ କରି ଦାମୀ ଶାଢି ମାନ ବି ରହିଥିଲା।ସେଇ ଶାଢୀ ଭିତରେ ରହିଥିଲା ଗତବର୍ଷ ବୋଉ ପାଇଁ ସାନଭାଇ କରିଥିବା ଖଣ୍ଡୁଆ ପାଟ ଶାଢୀଟି।ଯେଉଁଟା କିଣା ହେଇଥିଲା ବୋଲି ଭାଉଜ କଳିକରି ଆଉଗୋଟେ ତାଠାରୁ ଦାମୀ ପାଟ କିଣିଥିଲେ।ବୋଉର ସେଇ ଶାଢୀଟି ସେମିତି ଅଭଙ୍ଗା ହେଇ ରହିଥିଲା।ବାପା ତାକୁ ସାନ ଭାଉଜ ହାତକୁ ବଢେଇଦେଲେ।ଆଉ ସବୁ ଶାଢୀ ଗୋଟିଗୋଟି କରି ସମସ୍ତଙ୍କ ହାତକୁ ବଢେଇ ଚାଲିଥିଲେ।ସମସ୍ତଙ୍କ ନଜର କିନ୍ତୁ ବୋଉର ଗହଣା ବାକ୍ସ ଉପରେ ଥିଲା।ଏଥର ପାଳି ପଡିଲା ଗହଣା ମାନଙ୍କର।ସୁନା ବଣ୍ଟା ହେଲାବେଳକୁ ସମସ୍ତେ ଝୁଙ୍କିପଡି ଚାହିଁଥାନ୍ତି।କାଳେ କାହାର କମ୍ ବେଶୀ ,ଛୋଟବଡ ହେଇଯିବ। ଧିରେଧିରେ ଝୁଙ୍କି ପଡିବାଟା ଝିଙ୍କାଝିଙ୍କି ଯାଏ ଚାଲିଗଲା।ବାପାଙ୍କ ସ୍ବର ତା ଭିତରେ କୁଆଡେ ମିଳେଇଗଲା ଭଳି ଲାଗିଲା।


ମୁଁ ଛିଡାହେଇଥାଏ ଟିକେ ପଛରେ। ବାପା ମୋତେ ଡାକି "କାହିଁକି ପଛରେ ଛିଡାହେଇଛୁ?ତୋର କ'ଣ ନେବାର ଅଛି ନେଇଯା"ବୋଲି କହିଲେ।ମୁଁ ଯେମିତି ସେଇ ସୁଯୋଗର ଅପେକ୍ଷାରେ ଥିଲି।ଭିଡକାଟି ଆଗକୁ ଆସିଲି ଆଉ ନଇଁ ପଡି ସବୁଠାରୁ ସୁରକ୍ଷିତ ଭାବେ ଓ ଅଣଦେଖା ହେଇ ପଡିଥିବା ମୋ ବୋଉର ପାନଡବାଟିକୁ ଉଠେଇ ଆଣିଲି। ମୋ ମନ ଖୁସିରେ ନାଚି ଉଠିଲା ଯେମିତି।ମୁଁ ସେଇଠୁ ନାଚି ନାଚି ଚାଲି ଆସିଲି।ପଛରେ ସମସ୍ତେ ମୋତେ ବୋକୀ ବୋଲି ନିମ୍ନ ସ୍ବରରେ କହୁଥିବାର ଶୁଣାଗଲା ଯେ ,କାରଣ ସେମାନେ ସବୁ ଦାମୀ ହାର, କଙ୍କଣ ଏମିତି ସବୁ ପାଇଥିଲେ।ମୁଁ କିନ୍ତୁ ବୋକୀ ନୁହେଁ,ବରଂ ଭାଗ୍ଯବତୀ ବୋଲି ନିଜକୁ ମନେକରୁଥିଲି।ମୋ ହାତରେ ଏବେ ମୋ ବୋଉର "ପାନଡବା"। ମୁଁ ଭାଗ୍ଯବତୀ ନୁହେଁତ ଆଉ କିଏ?




Rate this content
Log in

Similar oriya story from Drama