Rajalaxmi Mohanty

Others

3  

Rajalaxmi Mohanty

Others

ଧୂଳିଘର

ଧୂଳିଘର

9 mins
154


ଆଜି କୁନି ଖେଳିବାକୁ ଆସିବନି । ତା ଦେହ ଭଲ ନାହିଁ । ଆଜି ରାଜାର କନିଆଁ ହେବ ନନ୍ଦିନୀ" । ଖେଳ ଆରମ୍ଭରେ ଘୋଷଣା କଲା ମୀରା । କୁନି ଖେଳିବାକୁ ଆସିବନି ଶୁଣି ରାଜା ପ୍ରଥମ ଧକ୍କା ପାଇଲା । କୁନିର ଦେହ ଭଲ ନାହିଁ ବୋଲି ଶୁଣି ଦ୍ୱିତୀୟ ଧକ୍କା । ତା ପରେ ପୁଣି କୁନି ଜାଗାରେ ନନ୍ଦିନୀ ତା କନିଆଁ ହେବ ଶୁଣି ତୃତୀୟ ଧକ୍କା ପାଇଲା । ପ୍ରଥମ ଦୁଇଟି ଧକ୍କା ସମ୍ଭାଳି ନେଇଥିଲେ ମଧ୍ୟ ତୃତୀୟ ଧକ୍କାଟି ସମ୍ଭାଳିବା ତା ପାଇଁ ମୁସ୍କିଲ ଥିଲା । ରାଗରେ ସେ ଧରିଥିବା ମିଛିମିଛିକା ପାଗ ପଗଡିକୁ ଫିଙ୍ଗିଦେଇ ସିଧା ଆସି ଘରେ ହାଜର । ଅନ୍ୟ ସାଙ୍ଗ ମାନେ ତାକୁ ଦେଖି ଆଚମ୍ବିତ । ଇଏ କ'ଣ ?ରାଜାର କ'ଣ ହେଲା?କେହି କିଛି ବୁଝିବା ଭଳି ମାନସିକ ପରିପକ୍ୱତା ଲାଭ କରିନଥିଲେ । କେବଳ ଏତିକି ବୁଝିଲେ ଏ ରାଜାଟା ଭାରି ଜିଦିଆ । ତା କଥାରୁ କିଛି ଏପଟ ସେପଟ ହେଲେ ସେ ଏମିତି ରାଗି ପାଚିଲା ଭଳିଆ ହେବ । 


ଦୁଇଦିନ ପରେ କୁନି ଖେଳରେ ଯୋଗଦେଲା । ସବୁକିଛି ଏଥର ଶାନ୍ତ ସରଳ ଥିଲା । ସତସତିକା ବାହାଘର ପରି ନଡିଆ ବରଡାରେ ବେଦୀ ବନ୍ଧା ହେଉଥିଲା, ଘରୁ ଅଳତା ଆଣି ସମସ୍ତେ ପାଦରେ ଲଗେଇଥିଲେ । କୁନି ତା ବୋଉର ହଳଦିଆ ଶାଢୀଟିଏ ପିନ୍ଧିଥିଲା ମଙ୍ଗନ ଲୁଗା ପିନ୍ଧିଲାଭଳି । ହାତରେ ପୁରୁଣା ଚୁଡିରୁ ମେଞ୍ଚେ । ନଇଁ ନଇଁ ଚାଲୁଥିଲା ନୂଆ ବୋହୂଟିଏ ଚାଲିଲାଭଳି । କଇଁକଇଁ କାନ୍ଦୁଥିଲା ଝିଅବିଦା ହେଲା ଭଳି । ରାଜା ବି ବେଶ୍ ଖୁସି ଆଉ ଆନନ୍ଦରେ ତାକୁ ସହଯୋଗ କରୁଥିଲା ସବୁ ପୁଅମାନେ ବାହାଘର ଦିନ ଯେମିତି ଗମ୍ଭୀର ଥାଆନ୍ତି ଠିକ୍ ସେମିତି । ଏଥର ଖେଳେ ଜମିଆସେ । ହୁଳହୁଳି ଶବ୍ଦରେ ବାଡିପଟ ଢିଙ୍କିଶାଳ ପ୍ରକମ୍ପିତ ହୁଏ । 


କୁନିକୁ ବାର ପୂରି ତେର ଚାଲିଲା । ଆଉ ବୋହୂବୋହୂକା ଖେଳ ପୁଅଟେ ସାଙ୍ଗରେ ଖେଳିବାକୁ ତାକୁ ଲାଜ ଲାଗେ । ଏଥର କେବଳ ନନ୍ଦିନୀ, ଲିଜା, ମୀରା ଓ ପ୍ରଭା ସାଙ୍ଗରେ ସେ ଖେଳିବାକୁ ଭଲ ପାଏ । ରାଜା ମନରେ ଅଭିମାନ ଘର କରେ । କୁନିକୁ ଦେଖିଲେ ନଦେଖିଲା ଭଳି ହୁଏ । କଥା ନକହି ବାଟ ଭାଙ୍ଗି ଚାଲିଯାଏ । କୁନି ବ୍ୟଥିତ ହୁଏ । ରାଜାକୁ ଏକୁଟିଆ ଦେଖି ତା ଅଭିମାନର କାରଣ ଜାଣିବାକୁ ଚେଷ୍ଟା କରେ । ରାଜା ଟିକେ ବିରକ୍ତ ହୁଏ । ସେଇ ବିରକ୍ତିଭରା କଥାରେ କିଛି କିଛି ଆପଣାପଣ ସ୍ପଷ୍ଟ ବାରିହେଇଯାଉଥାଏ । କୁନି ହସିପକାଏ ରାଜାର ରାଗ ଦେଖି । ଥରେ ନୁହେଁ, ବାରମ୍ବାର ପଚାରେ କାରଣ କ'ଣ? ରାଜା ତା ଉତ୍ତର ନିଜ ତୁଣ୍ଡରେ ନଦେଇ ନିଜକୁନିଜେ ପଚାରିବାକୁ କୁନିକୁ କହେ । କୁନି ମୁଣ୍ଡରେ ସେ କଥା କିଛି ପଶେନି । ରାଜା ତାଠାରୁ ଦୁଇବର୍ଷ ବଡ । ଦୁଇବର୍ଷର ଚିନ୍ତାଧାରା ତା'ର କୁନିଠାରୁ ଉନ୍ନତ । କୁନି କୁଆଡୁ ଏତେ କଥା ବୁଝି ପାରିବ । କୁନି ମୁଣ୍ଡରେ ସେକଥା ପଶିଲା ଯାଇ ସେଇଦିନ ଯେଉଁଦିନ ରାଜା କଲେଜରେ ପଢିବା ପାଇଁ ଘର ଛାଡି ଭୁବନେଶ୍ବର ଗଲା । ବାପା ବୋଉଙ୍କୁ ଛାଡି ଯାଉଛି ବୋଲି ଯେତିକି କାନ୍ଦୁଥିଲା କୁନିକୁ ଛାଡି ଯାଉଛି ବୋଲି ନକାନ୍ଦିଲେ ବି ତା ମୁହଁର ଭାବରୁ ବାରି ହେଇଯାଉଥିଲା । ହେ ଭଗବାନ୍, ଏ କଥା କୁନି ଯେମିତି ଭାବୁଛି ଆଉ କେହି ସେମିତି ଭାବୁ ନାହାଁନ୍ତି ତ?ଡରି ଡରି ଭାବୁଥିଲା କୁନି । ସେଦିନ ନଈପଠାରେ ନନ୍ଦିନୀ, ଲିଜା ମୀରା ଓ ପ୍ରଭାଙ୍କ ସାଥିରେ ବସିଥିବା ବେଳେ ଚଙ୍ଗଚଙ୍ଗି ନନ୍ଦିନୀ ପଚାରିଲା, "ରାଜା ଗଲାବେଳେ ତତେ କେମିତି ଚାହୁଁଥିଲା ଦେଖିଲୁ ଟି"?

ଚମକି ପଡିଲା କୁନି । ତଥାପି ମୁହଁ ଦମ୍ଭରେ କହିଲା ମୋତେ କେତେବେଳେ ସେ ଚାହିଁଥିଲା । ସେ ତତେ ଚାହିଁଥିଲା । 

ଉଁ, ମୋତେ ସେ କେବେ ଚାହେଁ ନା ଆଜି ଚାହିଁବ । ମୁଁ କନିଆଁ ହେଲେ ସେ ଖେଳିବାକୁ ବି ଆସେନି ପରା । ହସିହସି କହିଲା ନନ୍ଦିନୀ । ତା ସାଙ୍ଗରେ ପାଳିଧରିଲେ ଅନ୍ୟମାନେ । କୁନି ଲାଜେଇଗଲା । ପ୍ରଥମ କରି ତା ଦେହରେ କିଏ ଯେମିତି ଲାଜର ଓଢଣୀଟିଏ ଢାଙ୍କିଦେଲା । ଚାରିଆଡ ଦୁନିଆ ତାକୁ ନୂଆନୂଆ ଦିଶିଲା । କୋଇଲି କେଉଁଠି ବସିଥିଲା କେଜାଣି କୁହୁ କୁହୁ ହେଇ ରାବି ଉଠିଲା । ମଳୟ ପବନ ଦେହରେ ତା'ର ନେଶି ହେଇଗଲା । ମୁହଁଟା ରକ୍ତ ବର୍ଣ୍ଣ ହେଇଗଲା । ତା'ର ଏ ଅବସ୍ଥା ଦେଖି ସବୁ ସାଙ୍ଗ ଆହୁରି ଥଟ୍ଟା କରି ଆହୁରି ହସିବାକୁ ଲାଗିଲେ । 


ସେହିଦିନ ଠାରୁ କୁନି ଆନମନା ହେଇଗଲା । ନିଜକୁ ନିଜେ ପଚାରେ ସେ, ଇଏ ସବୁ ସତ ନାଁ ତା ମନର ଭ୍ରମ । ଯଦି ମନର ଭ୍ରମ ହେଇଥାଏ,ତାହେଲେ କ'ଣ ସମସ୍ତେ ସେଇ ଭ୍ରମରେ ପଡିଛନ୍ତି?ଯାହା ସିଏ ଭାବୁଛି ଅନ୍ୟ ସାଙ୍ଗ ମାନେ ବି ସେଇକଥା କେମିତି ଭାବୁଛନ୍ତି?ତଥାପି କୁନି ନିଶ୍ଚିତ ହେଇ ପାରେନି । ଯେ ପର୍ଯ୍ଯନ୍ତ ରାଜା ତାକୁ ସବୁ କଥା ଖୋଲି ନକହିଛି । 


ଏଥର ଛୁଟିରେ ରାଜା ଘରକୁ ଆସିଲା । ଆଗ ଠାରୁ ଭାରି ସୁନ୍ଦର ଆଉ ସ୍ମାର୍ଟ ଲାଗୁଥିଲା । ସେ ଆଉ ପୂର୍ବ ଭଳି କୁନିକୁ ଦେଖିଲେ ବାଟ ଭାଙ୍ଗି ଚାଲିଯାଉନଥିଲା ବରଂ କୁନି ସାଙ୍ଗରେ କଥା ହେବା ପାଇଁ ବିକଳ ହେଉଥିଲା । କୁନି ଲାଜରେ ନଇଁ ଯାଉଥିଲା ଯେମିତି । ଏ ରାଜା ତାକୁ ଏମିତି କ'ଣ ଦେଖୁଛି । ଛି, ଭାରି ଲାଜ ଲାଗୁଛି । କୁନି ବାଟ ଭାଙ୍ଗି ସେଠୁ ଚାଲିଆସେ । ଅନ୍ୟ ସାଥି ମାନେ ରାଜା ସହିତ ବେଶ୍ ଥଟ୍ଟାମଜା କଲା ବେଳକୁ କୁନି କେମିତି ଗୋଟେ ଅପ୍ରତିଭ ହେଇଯାଏ । ଇଏ କି ସମ୍ପର୍କ ତାଙ୍କ ଭିତରେ ଗଢି ଉଠୁଛି କେଜାଣି । କୁନିକୁ ଚାହିଁ ରାଜା ହସିପକାଏ । "ବୋକୀ, କେଉଁଦିନ ବୁଦ୍ଧି ହେବ କେଜାଣି" କହି ସେଠୁ ଚାଲିଯାଏ । 


ଛୁଟି ସରିଗଲା । ଏଥର ରାଜାର ବାହୁଡା ସମୟ ଆସିଲା । ଆଗ ଥର ଭଳି ଆଉ କାନ୍ଦୁନଥିଲା ସେ । ତଥାପି ମନ ଉଦାସ ଥିଲା । ଗଲାବେଳେ ସବୁ ସାଙ୍ଗମାନଙ୍କ ସହ ଦେଖା କରିବାକୁ ସେମାନଙ୍କ ଘରକୁ ଗଲା । କୁନି ଘରକୁ ବି ଗଲା । ଫେରିଲା ବେଳକୁ କୁନି ହାତରେ ଗୋଟେ ଲମ୍ବା ଚଉଡା ଚିଠି ଗୁଞ୍ଜି ଦେଇ ଆସିଲା । କୁନି ଛାତି ଭିତରେ ଯେମିତି ଭୂସ୍ଖଳନର ଅନୁଭୂତି ହେଉଥିଲା । ସେ ଚାରିଆଡକୁ ଚାହିଁଲା । କେହି କୁଆଡେ ଦେଖି ନାହାଁନ୍ତି ତ?ଦେଖିବେନି କେମିତି । ଏ ଚାରି ସଉତୁଣୀ ତକ ତାକୁ ଘେରି ରହିଛନ୍ତି ପରା । ସମସ୍ତେ ହସୁଥିଲେ ଚୁପିଚୁପି । ରାଜା ଚାଲିଗଲା ପରେ ଏଥର ଆକ୍ରମଣ କୁନି ଉପରେ । ଏକାଏକା ପଢିପାରିବୁନି କହିଦେଲୁ ଆମେ । ନହେଲେ....


ତାହେଲେ କେଉଁଠି କେତେବେଳେ?ପଚାରିଲା କୁନି । 


ସେଇ ନଈପଠାରେ । ସଞ୍ଜ ବେଳେ । ମିଳିତ ଉତ୍ତର । 


ଚିଠି ନୁହେଁ ତ, ଗୋଟେ ଲମ୍ବା ଚଉଡା ଭାଷଣ ଲେଖାଥିଲା ଯେମିତି । କେତେବେଳେ ରାଗରେ, କେତେବେଳେ ଅଭିମାନରେ, କେତେବେଳେ ପ୍ରେମରେ ତ ପୁଣି ଆଉ କେତେବେଳେ ସ୍ୱପ୍ନରେ । ବାପାରେ,ଏ ତଳମୁହାଁ ରାଜା ସହରକୁ ଯାଇ ପାଠ ପଢୁ କି ନପଢୁ ବଡ ରସିକ ଟିଏ ହେଇ ଫେରିଛିମ । ହସିହସି କହୁଥିଲେ ସାଥି ମାନେ । ଚିଠିଟିକୁ ମୁଠେଇଧରି ଲାଜରେ କେବଳ ମୁରୁକି ହସୁଥିଲା କୁନି । ମୁହଁଖୋଲି କିଛି ନକହିଲେ ବି ଭାଷା ଶବ୍ଦ ସବୁ ବାହାରି ଆସୁଥିଲେ ତା ମୁହଁର ଭାବ ଭଙ୍ଗୀରୁ । 


କଥା କାନରୁ କାନକୁ ମାଡି ଚାଲିଥିଲା । କୁନି ଏଥର ଏଘର ଝିଅ ସେଘର ବୋହୂ ଭଳି ଚଳୁଥିଲା । ରାଜାର ବାପା ବୋଉ ବି ତାକୁ ବୋହୂ ଭାବେ ସ୍ୱୀକାର କରିନେଲେ । କୁନିର ବାପା ବୋଉ ବି ରାଜାକୁ । ଏଥର ରାଜା ପାଇଁ ଆଉ କିଛି ପ୍ରତିବନ୍ଧକ ନଥିଲା । କୁନି ଚାଲିଗଲାବେଳେ ପଛରୁ ତା ଆଖି ଦୁଇଟି ବୁଜିଦିଏ କେବ କେବେ ତ ପଛରୁ ତା ଲମ୍ବା ବେଣୀକୁ ଧରି ଟାଣିଦିଏ । କୁନି ରାଗେ । ତା'ର ଏ ମିଛ ରାଗ ମିଛ ମୁହଁଫୁଲା ରାଜାକୁ ଭାରି ମଜାଲାଗେ । ବେଶି ବେଶି ଚିଡାଏ ସେ କୁନିକୁ । କୁନି ଏଥର ସତରେ ବିରକ୍ତ ହୁଏ । ହେ, ଏତେ ଗୋଟେ କ'ଣ ପାଖେପାଖେ ଘୁରିବୁଲୁଛି । ଲୋକେ ବୋଲିବେ କ'ଣ?ରାଜାର କାହା କଥାକୁ ଖାତିର ନଥାଏ । ସେ କେବଳ କୁନିର କଥାକୁ ଧ୍ୟାନ ଦିଏ । କେଉଁ କଥା କୁନିକୁ ଭଲ ଲାଗୁଛି କେଉଁ କଥାରେ କୁନି ରାଗି ଯାଉଛି । ଏତିକି ଜାଣିପାରୁଛି କୁନି ତା ବୋଉ ଠାରୁ ଯେତିକି ସଂସ୍କାର ଗୋଟେଇ ପୋଟେଇ ଠୁଳ କରିଛି ସେଥିରେ ରାଜାକୁ ତା'ର ନିକଟବର୍ତ୍ତୀ ହେବାକୁ ସୁଯୋଗ ଦେବ ହିଁ ନାହିଁ । ରାଜା ତୃର୍ଷାତ ଚାତକ ଭଳି କୁନି ଦୟାର ଟୋପିଏ ବିନ୍ଦୁକୁ ଚାହିଁଥାଏ । କେବେ କାଳେ କୁନି ବରଫ ଭଳି ତରଳି ଯିବ, ଆଉ ତା ଉପରେ ସାତ ମେଘମାଳାଧରି ବରଷି ଯିବ । ସେମିତି ହେବାର ସୁଯୋଗ ହିଁ ନାହିଁ । କେବେ କେବେ ରାଜାର ବୋଉ ତ କେବେ କେବେ କୁନିର ବୋଉ ବାଟ ଜଗି ଛିଡା ହୁଅନ୍ତି । କ୍ଷୁବ୍ଧ ହୁଏ ରାଜା । କୁନି ଉପରେ ଭାରିଗୋଟେ ଗରଗର ହୁଏ । ସବୁବେଳେ ବୋକିହେଇ ରହିଗଲୁ ବୋଲି କହେ । କୁନି ବୁଝାଏ ଆଉ ତ ଅଳ୍ପ ଦିନର କଥା । ପାଠପଢା ସରିଯାଉ ତମ ବୋକିକୁ ପାଖକୁ ନେଇ ସିଆଣି କରିଦେବନି । 


 ରାଜାର ଏ ବର୍ଷ ଇଞ୍ଜନିୟରିଂର ଶେଷ ବର୍ଷ । ଏବର୍ଷ ସରିଲେ ଆର ବର୍ଷକୁ ଦୁଇଜଣଙ୍କର ହାତକୁ ଦିହାତ କରିଦେବା ବୋଲି କଥା ହେଉଥିଲେ କୁନି ବୋଉ ଓ ରାଜାବୋଉ ବାଡିପଟେ ପୋଖରୀ କୂଳରୁ ସୁନୁସୁନିଆ ଶାଗ ଖୁଣ୍ଟୁଥିଲା ବେଳେ ତ ସେପଟେ ରାଜାବାପା ଓ କୁନିବାପା କାମସାରି ଗାଁ ଚତରା ଉପରେ ବସି ବିଶ୍ରାମ ନେଲାବେଳେ । କୁନି ବାପା କୁନି ପାଇଁ ପିଲାଦିନୁ ବ୍ୟାଙ୍କରେ ରଖିଥିବା ଟଙ୍କା ସବୁକୁ ଉଠେଇଆଣି ହିସାବ କଷୁଥିଲେ । ସୁନା ପାଇଁ କେତେ ଦରକାର, କାଠ ଜିନିଷ ପାଇଁ କେତେ ଯିବ, ଲୁଗାପଟାରେ କେତେ, ଭାରଥୋରରେ କେତେ । ଆହୁରି ନିଅଣ୍ଟ ପଡୁଛି କିଛି । ଜମିଖଣ୍ଡେ ବିକିଦେବି ପଛେ ଝିଅର ମୁଣ୍ଡ ତଳକୁ ହେବାକୁ ଦେବିନି ବୋଲି କୁନି ବୋଉ ଆଗରେ କହୁଥିଲେ କୁନିବାପା । ଗୋଟିଏ ବୋଲି ଝିଅ ତାଙ୍କର । କେଉଁଥିରେ ଊଣା ହେବନି ତା'ର । ଗୋଟିଏ ଗାଁରେ ଘର । ସେଇଠି କିଛି ଝିଅ ଶୁଣିଲେ ଏଠି ଏମାନେ ଜାଣିବେ । କେମିତି ସହିବେ ଯେ । ବାପା ବୋଉଙ୍କ କଥା ଶୁଣି କୁନି ଆମୋଦିତ ହୁଏ । ପୁଲ୍ଲକିତ ହୁଏ । ଆଖିରେ ଆଖିଏ ସ୍ୱପ୍ନ ନେଇ ନିଦ୍ରାଗତ ହୁଏ । 


ଏଥର ଘରକୁ ଆସିଲେ ରାଜାକୁ କହିଦେବା । ପାଠ ପଢା ତ ସରିଲା ଚାକିରି କେଉଁଠି ଗୋଟେ ସେ ଯୋଗାଡ କଲେ ଆମେ ଏପଟେ ବାହାଘରିଆ ଜିନିଷ ଯୋଗାଡରେ ଲାଗିବୁ । ସବୁ ଟଙ୍କା ତ ତା ପାଠ ପଢାରେ ଯାଇଛି । ବାହାଘର କରିବାକୁ ଟଙ୍କା ଆଉ ଆସିବ କେଉଁଠୁ?ଆମରି ଭାଇଟା ଠାରୁ କ'ଣ ଆଉ ଯୌତୁକ ମାଗିବା? ଲୋକେ ଶୁଣିଲେ କ'ଣ କହିବେ । ତା'ର ଯାହା ବଳ ପାଇବ ସେ ଦେଉ । ଆଉ ସାଡିକି ରାଜା ବୁଝିବ । ରାଜା ବୋଉ କଥାରେ ହଁ ଯୋଡୁଥିଲେ ରାଜାର ବାପା । 


ରାଜା ଆସିଲା ଘରକୁ । ଆଗରୁ ଆଲୋଚନା ହେଇ ନିଆଯାଇଥିବା ନିଷ୍ପତ୍ତି ତାକୁ ଶୁଣେଇଦିଆଗଲା । ତା'ର ସମ୍ମତିକୁ କେବଳ ଅପେକ୍ଷା । ରାଜା ଉଠି ଛିଡାହେଲା । ଏବେ ବାହାହେଲେ କେତେକ'ଣ ଅସୁବିଧା ଦର୍ଶେଇଲା । ଅପାଠୁଆ ବାପା ବୋଉ ବୁଝିଗଲେ । ସେଇକଥା କୁନିଘରେ ବି ଜଣେଇଦେଲେ । ସେମାନେ ସମସ୍ତଙ୍କର ରାଜା ଏକା ଭରସା । ତା କଥାରୁ କ'ଣ କିଏ ବାହାରି ଯାଇଥାନ୍ତା । ସମସ୍ତଙ୍କ ନିଷ୍ପତ୍ତି କାଟ୍ ଖାଇଲା । ରାଜାର ନିଷ୍ପତ୍ତି ସମସ୍ତେ ମାନିନେଲେ । ରାଜାର ଆଉ ଗୋଟେ ନିଷ୍ପତ୍ତି ବି ସମସ୍ତେ ସେଦିନ ଶୁଣିଲେ । ରାଜା ବିଟେକ୍ ପରେ ଏମ୍ ବି ଏ କରିବାକୁ ଚାହୁଁଛି । ସେ ପାଠ କ'ଣ କିଏ ବୁଝୁଛି । ରାଜା କହୁଛି ମାନେ ସମସ୍ତେ ହଁ ମାରିଲେ । କଥା ଅଟକିଲା ଟଙ୍କା ପାଖରେ । ଏତେ ଗୁଡିଏ ଟଙ୍କା ଆସିବ କେଉଁଠୁ?ସମସ୍ତଙ୍କର ସେଇ ଗୋଟିଏ ଚିନ୍ତା । ଏକା ଅଚିନ୍ତା ଥାଏ ରାଜା । ଅନ୍ୟ ମାନେ ଅଛନ୍ତି ନା ଚିନ୍ତା କରିବାକୁ । ତା'ର କେବଳ ଗୋଟିଏ ଚିନ୍ତା । ଏ କୁନି କେଉଁଦିନ ତା ମନର କଥା ବୁଝିବ । ସବୁବେଳେ ବୋକି ହେଇରହିଗଲା । ସହରରେ ଝିଅ ମାନେ କେତେ ଚାଲାକ ଚତୁର । ନିଜ ଲାଇଫକୁ କେତେ ସୁନ୍ଦର ଭାବେ ଏନ୍ଞ୍ଜୟ କରୁଛନ୍ତି । ଇଏ ବୋକି ସେଇ ବୋକି ହେଇ ରହିଗଲା । କୁନିର ବୋକାମୀ ପାଇଁ ରାଜା କଷ୍ଟ ପାଉଛି ବୋଲି ବି ଅନେକଥର ଜଣେଇସାରିଲାଣି । ହେଲେ କୁନି ଚାଲାକି ହେଇପାରୁନି । 


ରାଜାର ପଢାଖର୍ଚ୍ଚ ପାଇଁ ତା ବାପା ତାଙ୍କର ଶେଷ ସମ୍ବଳ ଦିମାଣେ ଜମି ବିକିଦେଲେ । କୁନିର ବାପା ଝିଅ ବାହାଘର ପାଇଁ ସାଇତି ରଖିଥିବା ଟଙ୍କା ଆଣି ବି ସେଥିରେ ଯୋଡିଲେ । ତଥାପି ଆଉକିଛି ନିଅଣ୍ଟ ପଡୁଛି । କୁନି ବୋଉ କହିଲା, "ଏଇଭଳି ଜ୍ବାଇଁଟିଏ ଆମେ ବାହାରେ ଖୋଜିଥିଲେ ସେମାନେ କେତେ କ'ଣ ଖୋଜିଥାନ୍ତେ । ଜମି ରହି ଆମର ଲାଭ କ'ଣ"? ଶେଷରେ କୁନିର ବାପା ବି ତାଙ୍କର କିଛି ଜମି ବିକିଦେଲେ । ରାଜା ଟଙ୍କା ନେଇ ପଢିବାକୁ ଗଲା । 


ଯାଇଛି ଯେ ଯାଇଛି । ଆସିବାର ନାଁ ଧରୁନି । ମନେମନେ ଭାବୁଛନ୍ତି ରାଜାର ବାପା ବୋଉ । ଫୋନ୍ ଟିକେ କରନ୍ତାନି । ସେତକ ବି କରୁନି । ଦେହ ମୁଣ୍ଡ କେମିତି ଅଛି କେଜାଣି, କିଛି ଜଣାପଡୁନି । 


ଦୁଇବର୍ଷ ପରେ ଫେରିଲା ରାଜା ଗାଁକୁ । ସାଙ୍ଗରେ ଥିଲା ତା'ର ଗୋଟେ ଝିଅ ସାଙ୍ଗ । କୁନି ଠାରୁ ଦେଖିବାକୁ ଭାରି ସୁନ୍ଦର । କୁନି ଭଳି ଆଦୌ ବୋକି ଥିଲା ଭଳି ଜଣାପଡୁନଥିଲା । କୁନି ଧଳା ମଲମଲ ମଲ୍ଲୀ ଫୁଲଟିଏ ହେଲେ ସେ ଗୋଲାପୀ ଗୋଲାପୀ କାଗଜ ଫୁଲ ପେନ୍ଥାଏ । ଆଖିକୁ ଭାରି ସୁନ୍ଦର ସତେ । କୁନି ବି ପ୍ରଶଂସା କରିପକେଇଲା ତା'ର ନିଜ ଆଖିରୁ ଲୁହ ପୋଛିପୋଛି । ରାଜାର ବାପା ବୋଉ ତିନିଦିନ ହେଲା ଖାଇନାହାଁନ୍ତି । ଘରେ ଏତେବଡ ଝିଅଟେ ଅଛି ବୋଲି ରାଜାକୁ କିଛି କହିବି ପାରୁ ନାହାଁନ୍ତି । ସେପଟେ କୁନିର ବାପା ବୋଉଙ୍କର ଘର କବାଟ ଫିଟୁନି । କାହାକୁ ମୁହଁ ଦେଖେଇବେ ଏବେ । ଦେଖେଇଲା ଭଳି ମୁହଁ ଆଉ କ'ଣ ଅଛି?


 ରାଜାର ସବୁ ନିଷ୍ପତ୍ତିକୁ ମାନି ନେଉଥିବା ତା ବାପା ବୋଉ ଏ ନିଷ୍ପତ୍ତିଟିକୁ ଏଥର ଆଉ ମାନିପାରିଲେନି । ଏତେ ବଡ ବେଇମାନ ସେମାନେ ହେଇପାରିବେନି ବୋଲି ସିଧାସିଧା କହିଦେଲେ । ରାଜା ରାଗରେ ସେଠୁ ଚାଲିଗଲା ତା ଝିଅ ସାଙ୍ଗକୁ ନେଇ । ଗଲା ଯେ ଗଲା ଦଶବର୍ଷ ହେଇଗଲା ଫେରିବାକୁ ମନ ହେଲାନି । ଆଜିବାପାଙ୍କ କଥା କାହିଁକି କେଜାଣି ଭାରି ମନେ ପଡୁଛି । କାହିଁକିନା ଦଶ ବର୍ଷ ପରେ କେତେ ଡାକ୍ତରଖାନା ଦୌଡିଦୌଡି ସେ ଆଜି ବାପା ହେଇପାରିଛି । ବାପା ହେବା ତାହେଲେ ଏତେ ସହଜ କଥା ନୁହେଁ? ସେପୁଣି ମାସକୁ ଦୁଇ ଲକ୍ଷ ଟଙ୍କା ରୋଜଗାର କରୁଥିବା ତା ଭଳି ପିଲା ପାଇଁ । ତା ବାପା ତାହେଲେ ତା ପାଇଁ କେତେ କଷ୍ଟ କରିଥିବେ । ସେକଥା ତ ଦିନେ କାଇଁ ସେ ଭାବିନି । ସ୍ତ୍ରୀ ପିଲା ତ ଶ୍ୱଶୂର ଘରେ ଅଛନ୍ତି । ସେହିଦିନ ସେ ଟିକେଟ୍ କରି ଘରକୁ ଆସିଲା । ଘରେ ତା ବୋଉର ପାଦ ପାଖରେ ବସି ତା ପାଦ ଘଷି ଦେଉଛି କୁନି । ବାପା ଆଉ ଗୋଟେ କଣରେ କାନ୍ଥକୁ ଆଉଜି ଖୁଁ ଖୁଁ ହେଇ କାଶୁଛନ୍ତି । ରାଜାକୁ ଦେଖି ତିନିଜଣ ଙ୍କର ଆଖି ଚମକି ଉଠିଲା । ସବୁଠୁ ବେଶି ଆଶ୍ଚର୍ଯ୍ୟ ହେଲା ରାଜା କୁନିକୁ ଦେଖି । କୁନି ମଥା ଏଯାଏ ଖାଲି ପଡିଛି!!ତା ମାନେ କୁନି କ'ଣ ଏଯାଏ ବାହା ହେଇନି?ରାଜାକୁ ଦେଖି କୁନି ସେଠୁ ବାହାରି ଆସିଲା ।  


ଘରେ କିଛି ସମୟ ବିତେଇବା ପରେ ତା ବାପା ବୋଉଙ୍କ ଠାରୁ କୁନି ବିଷୟରେ ସବୁ ଜାଣିପାରିଲା । କୁନିର ବାପା ବୋଉଙ୍କର ଦେହାନ୍ତ ହେଇ ସାରିଛି ଏଇ ଭିତରେ ଅତ୍ୟଧିକ ମାନସିକ ଚାପ ଯୋଗୁ । କୁନି ଗୋଟେ ସ୍କୁଲରେ ଶିକ୍ଷୟିତ୍ରୀ ଅଛି । ତା ନିଜ କଥା ସହ ରାଜା ବାପା ବୋଉଙ୍କର କଥା ବି ସେ ବୁଝୁଛି । କୁନିର ଘରକୁ ଗଲା ରାଜା । କୁନି ତାକୁ ଦେଖି ସେଠୁ ଚାଲିଯାଉଥିଲା । ଏବେ ବି ସେଇ ପୁରୁଣା ଅଧିକାରରେ କୁନିର ହାତକୁ ଧରି ପକେଇଲା ରାଜା । କୁନି, ତୁ ଏ ଯାଏ ବାହା ହେଇନୁ?


ରାଜାର ହାତ ନିଜ ହାତରୁ ଖସେଇଦେଇ କୁନି କହିଲା, ଏ ଯାଏ ବାହା ନହେଇ କିଏ କ'ଣ ଅଭିଆଡି ହେଇ ରହେ?


ତାହେଲେ ତୋର ଏଇ ଶୂନ୍ୟ ସୀମନ୍ତ?


 ଏ ବୋକୀ ଝିଅଟିକୁ ସ୍ୱାମୀ ପରିତ୍ୟାଗ କରି ସାରିଲା ପରେ ନିଜ ସିନ୍ଦୂର ଆଉ ଜଣେ ପିନ୍ଧିଲା ପରେ କେମିତି ଆଉ କାହାର ସିନ୍ଦୂର ମୁଁ ପିନ୍ଧିପାରିବି???


ତୁ କ'ଣ ସେଇ ପିଲା ଦିନର ଧୂଳି ଘରକୁ ସତ ବାହାଘର ବୋଲି ମାନିନେଲୁ?


କାହାପାଇଁ ସେ ଧୂଳିଘର ହେଇଥାଇପାରେ ମୋଭଳି ଗୋଟେ ବୋକି ଝିଅ ପାଇଁ ସେ "ଧୂଳିଘର" ନଥିଲା । ଥିଲା ସ୍ୱପ୍ନର ତାଜ୍ ମହଲ । 


ରାଜା ଚାହିଁଥିଲା କୁନିର ଆଖିକୁ । ସତରେ ଏଠି କିଏ ବୋକା ନିଜକୁ ନିଜେ ପ୍ରଶ୍ନ କରୁଥିଲା 



Rate this content
Log in