Rajalaxmi Mohanty

Others

3  

Rajalaxmi Mohanty

Others

ଲକ୍ଷ୍ମୀ ପ୍ରତିମା

ଲକ୍ଷ୍ମୀ ପ୍ରତିମା

15 mins
238


ନୂଆ କରି ଶାଶୁଘରେ ପଦ ରଖିଲା ଶେଫାଳୀ । ତା'ର ହଳଦୀଲଗା ହଳଦୀ ଗୁରୁଗୁରୁ ପାଦକୁ ନାଲି ଅଳତା, ଲାଗୁଥାଏ ଯେମିତି ସାକ୍ଷାତ ଲକ୍ଷ୍ମୀ ପାଦ ଦୁଇଟି । ମୁଣ୍ଡରେ ହାତେ ଓଢଣୀ ଟାଣିଥିବା ଶେଫାଳୀର ସେଇ ପଦ୍ମ ପାଖୁଡା ଭଳି ପାଦ ଦୁଇଟିକୁ ଦେଖି ମନେମନେ ଆନନ୍ଦରେ ବିହ୍ୱଳିତ ହେଇଗଲା ଅନୁପ । ବାହାଘର ବହୁତ ଜଲଦିରେ ଠିକ୍ ହେଇଥିଲା । ତେଣୁ ଝିଅ ଦେଖି ଆସିବାକୁ ଆଉ ଛୁଟି ପାଇନଥିଲା ସିଏ । ଏକାଥରକେ ବାହାଘର ପାଇଁ ଛୁଟି ଆଣି ସିଧା ବାହା ବେଦୀରେ ବସପଡିଲା । ମନରେ ଅନେକ ଆଶା ଓ ଆଶଙ୍କା । ଆଶା ଏଇଆ ଯେ ସିଏ ବିବାହ କରିବାକୁ ଯାଉଥିବା ତାଙ୍କର ଏଇ ଶେଫାଳୀ ନାମ୍ନୀ ପ୍ରଣୟିନୀଟି ଦେଖିବାକୁ ନିଶ୍ଚୟ ବହୁତ ସୁନ୍ଦର ହେଇଥିବ । ଠିକ୍ ତା ନାମ ଭଳି । ଶେଫାଳୀ ଭଳି ସୁନ୍ଦର ଆଉ ସୁକୋମଳ । ଆଶଙ୍କା ବି ସେଇଆଯେ, କିଏ ଜାଣେ, ତା ପୁରୁଣା କାଳିଆ ଚିନ୍ତାଧାରାର ବାପା ବୋଉ ତା ପାଇଁ କେଉଁ ଭଳି ଝିଅ ଠିକ୍ କରିଥିବେ । କଥା ଏତେ ବାଟ ଚାଲି ଆସିଲାଣି ଯେତେବେଳେ ଏବେ ଆଉ ମୁହଁ ଦେଖିଲେ ଲାଭ ବା କ'ଣ । ଘରର ବଡ ପୁଅ ହିସାବରେ ଘରର ମାନ ସମ୍ମାନ ତଳେ ପକେଇ ତ ଆଉ ବେଦୀ ଉପରୁ ଉଠି ଚାଲିଯିବନି । ତେଣୁ ଇଚ୍ଛା ବିରୁଦ୍ଧରେ ହେଉ ପଛେ ସିଏ ବେଦୀରେ ବସିଲା । ମନ ଖାଲି ସକସକ ହେଉଥାଏ କେମିତି ଟିକେ ଶେଫାଳୀ ମୁଣ୍ଡରୁ ଓଢଣା ଖସାନ୍ତା ଆଉ ସିଏ ତା'ର ଚେହେରା ଦେଖିପାରନ୍ତା । କିନ୍ତୁ ନା, ସବୁ ଇଚ୍ଛା ତାର ଫସର ଫାଟି ଯାଉଥାଏ । ବରଂ ଶେଫାଳୀ ମୁଣ୍ଡରୁ ଟିକିଏ ଓଢଣୀ ଖସି ଆସୁଆସୁ ଚଟ୍ କରି ପାଖରେ ଛିଡା ହେଇଥିବା ଶେଫାଳୀର ଭାଉଜ ଜଣେ ଓଢଣୀକୁ ଆଗଠାରୁ ଆହୁରି ତଳକୁ ଟାଣି ଆଣୁଥାନ୍ତି । ବିଚରା ଅନୁପର ଆଶା ପାଣିରେ ମିଶିଯାଉଥାଏ । ତଥାପି ଆଶାର କ୍ଷୀଣ ଆଲୋକ ଶୀଖା ଟିଏ ତା ସାମ୍ନାରେ ଧପଧପ ହେଇ ଜଳି ଉଠିଲା ଯେତେବେଳେ ଶେଫାଳୀର ହାତ ସହିତ ତା ହାତ ଗଣ୍ଠି ପଡିଲା । ଯେତେବେଳେ ପୁରୋହିତେ ତା ହାତ ଉପରେ ଶେଫାଳୀର ଚମ୍ପାଫୁଲ ଭଳି ହାତକୁ ରଖିଦେଲେ, ଶିହିରି ଉଠିଲା ମନେମନେ ଅନୁପ । ଦେହ ଭିତରେ ଏକ ମୃଦୁ ଭୂମିକମ୍ପ ଆସି ଚାଲିଗଲା । ପର ମୁହୂର୍ତ୍ତରେ ପୁଣିଥରେ କିଏ ଆସି ଯେମିତି ତା କାନରେ କହିଦେଇ ଗଲା " ଏକୁ ଦେଖି ଏତେ ଉଚ୍ଛ୍ୱସିତ ହେବା ଦରକାର ନାଇଁ, ଆଜିକାଲି ଯୁଗରେ ଏସବୁ ସମ୍ଭବ । ସିଲିଭର ଫେସିଆଲ, ଗୋଲ୍ଡେନ ଫେସିଆଲ, ଡାଇମଣ୍ଡ ଫେସିଆଲ ଓ ପର୍ଲ ଫେସିଆଲ । ତା ବାଦେ ଆହୁରି କେତେକ'ଣ ଥିବ ତୁ ପୁଅଟେ ଜାଣିନଥିବୁ । ଇଏ ସେଇ ମେକପର କମାଲ ହେଇପାରେ" । ପର ମୁହୂର୍ତ୍ତରେ ପୁଣି ଥରେ ଅନୁପର ମୁହଁଟି ଶୁଖିଗଲା । 


ସେ ଯାହାହେଉ, ବାହାଘର କାମ କିନ୍ତୁ ବହୁତ ଭଲରେ ଭଲରେ ସରିଗଲା । ଅନୁପର ଶଶୁର ବହୁତ କିଛି ଯୌତୁକ ଆକାରରେ ଦେଇଥିଲେ । ତାକୁ ଦେଖିସାରି ଅନୁପର ସନ୍ଦେହ ଦ୍ୱିଗୁଣିତ ହେଇଯାଉଥାଏ । ଯଦି ୟାଙ୍କ ଝିଅ ଦେଖିବାକୁ ଏତେ ସୁନ୍ଦର ହେଇଥିବ, ସିଏ ଏତେ ଯୌତୁକ ଦେଇ ବାହା କରିବାର କାରଣ କ'ଣ?ବୋଧହୁଏ କିଛି କମି ଅଛି ତାଙ୍କ ଝିଅଠାରେ । ମନଟା ଖଟା ଖାଇଲା ଭଳି ହେଇଗଲା ଅନୁପର । ମୁହଁଟା ଶୁଖେଇ ସିଏ ଆସି ଗାଡିରେ ବସିଲା । ତା ପାଖରେ ବସିଥାଏ ତା ନବବିବାହିତା ବଧୂ ଶେଫାଳୀ । କିନ୍ତୁ ଅନୁପର ମନରେ ସରାଗ ନାହିଁ । କେତେବେଳେ ମନ ଟିକେ ଉଚ୍ଚାଟ ହେଇଆସୁଥାଏ ତ କେତେବେଳେ ଭଟ୍ଟା ପଡିଯାଉଥାଏ । ଇଚ୍ଛା ହେଉଥାଏ ଏବେ ତ ଶେଫାଳୀ ତା ସ୍ତ୍ରୀ ହେଇଗଲାଣି, ଏଥର ତା ମୁଣ୍ଡରୁ ଓଢଣୀ ଟାଣି ସେ ତା ଚେହେରା ଦେଖି ପାରିବ । ପୁଣିଥରେ ନିଜର ମର୍ଯ୍ୟାଦା ଓ ଶେଫାଳୀର ସମ୍ମାନକୁ ଜଗି ନିଜ ଚିନ୍ତାରୁ କ୍ଷାନ୍ତ ହେଉଥାଏ ଅନୁପ । ମାତ୍ର ଅଧଘଣ୍ଟାର ରାସ୍ତା ଶେଫାଳୀର ଘର ଠାରୁ ତାଙ୍କ ଘରକୁ ଆସିବା ପାଇଁ । ଏମିତି ଅନେକ ଚିନ୍ତାରେ ଘାଣ୍ଟି ହେଉହେଉ ବରଗାଡି ଆସି ଦୁଆର ମୁହଁରେ ଲାଗିସାରିଥିଲା । ଘରର ଯେତେସବୁ କୁଣିଆ ମୈତ୍ର ଆସିଥିଲେ ବାହାଘରକୁ ଦୌଡାଦୌଡି ହେଇଯାଇ ସେମାନଙ୍କୁ ଗାଡି ଭିତରୁ ବନ୍ଦାପନା କରି ନେଇଆସିଲେ । ଶେଫାଳୀ ଏବେ ବି ସେମିତି ମଥାରେ ହାତେ ଓଢଣା ଢାଙ୍କି ନଇଁ ନଇଁ ହେଇ ଘରକୁ ପଶୁଥାଏ । ଅଚାନକ ପାଦ ତା'ର ଘରର ଏରୁଣ୍ଡିବନ୍ଧରେ ବାଜି ସାମାନ୍ୟ ଝୁଣ୍ଟି ପଡିଲା ସେ । ସାହିର କେହିଜଣେ ପାଟିକରି କହିଲେ " ନୂଆ ବୋହୂଟା, ନୂଆ ନୂଆ ଶାଢୀ ପିନ୍ଧିଛି । ମୁଣ୍ଡରେ ହାତେ ଓଢଣୀକୁ ପାଦ ତଳଯାଏ ଶାଢୀ ଘୁଷୁଡୁଛି । ସେ ଚାଲିବ କେମିତି ଏଥିରେ । ଏ ରାଣୀ, ଭାଉଜ ପାଦରୁ ଟିକେ ଶାଢୀ ଟେକିକି ଧରେ ତ ସେ ଘର ଭିତରକୁ ଯିବା ଯାଏ " । 

ଏତିକି ଶୁଣି ଅନୁପର ସାନ ଭଉଣୀ ରାଣୀ ନଇଁ ପଡି ଶେଫାଳୀର ପାଦ ଉପରୁ ଶାଢୀ ଟିକିଏ ଉପରକୁ ଉଠେଇଧରିଲା । ଏଥର ସାତ ସିନ୍ଧୁକ ଭିତରେ ସାଇତା ହେଇରହିଥିବା ଅମୂଲ୍ୟ ଚିଜଟି ବାହାରକୁ ବାହାରି ପଡିଲା ଭଳି ଚମକି ଚାହିଁଲା ଅନୁପ । ଆରେ ବାପରେ । ସତରେ ତ ସାକ୍ଷାତ ପଦ୍ମ କଢି ଭଳି ପାଦ ଦୁଇଟି । ନିଜ ଆଖିକୁ ସେ ବିଶ୍ୱାସ କରିପାରୁନଥିଲା । ନିଜ ପାଦକୁ କ'ଣ କିଏ ଆଉ ଏତେ ମେକପ କରେଇଥିବ କି?ନିଶ୍ଚୟ ଇଏ ଶେଫାଳୀର ଅସଲି ସୌନ୍ଦର୍ଯ୍ୟ ହେଇଥିବ । ଅନୁପର ଶୁଷ୍କ ପ୍ରାଣରେ ସାତ ମେଘର ଝର ବରଷି ଯାଉଥିଲା । 


ତିନିଦିନ ବିତିଗଲା ପରେ ଆସିଲା ଚତୁର୍ଥୀ । ବାହାଘରକୁ ଛାଡିଦେଲେ ମଝିରେ ଯେଉଁ ଦୁଇଦିନ କମ୍ ଛଟପଟ ହେଇଛି ଅନୁପ ଥରେ ଖାଲି ତା ଶେଫାଳୀକୁ ଭେଟିବା ପାଇଁ । କିନ୍ତୁ ସମ୍ଭବ ହେଇନି ଆଦୌ । ନିଜ ଘରେ ଯେତିକି ବନ୍ଧୁ ବାନ୍ଧବ ସେମାନଙ୍କୁ ବାଦ୍ ଦେଲା ପରେ ସାହିର ଯେତିକି ନଣନ୍ଦ ହେବେ ତାଙ୍କୁ ଗଣିବା କାଠିକର ପାଠ । ବଡରୁ ସାନ ଯାଏ ବୋଧହୁଏ ପନ୍ଦର ସରିକି ନଣନ୍ଦ ହେବେ । ସମସ୍ତେ ପାଳି କରି ଜଗିଲା ଭଳିଆ ଆସି ଶେଫାଳୀକୁ ଘେରିକି ବସିଥାନ୍ତି । ତାଙ୍କ ସାଥିରେ ଆଉ ଯେତେକ ଭାଉଜ ମାନ୍ୟ ହେବେ । ତାଙ୍କ କଥା ନକହିବା ଭଲ । ଭୁଲରେ ଯଦି ଅନୁପ ଶେଫାଳୀ ରହୁଥିବା ବଖରା ଆଡକୁ ନଜର ପକେଇ ଦେଉଛି ବିଚରାର ଅବସ୍ଥା ବାର ବାଜି ଯାଉଛି । ତେଣୁ ନିଜର ଅସ୍ତବ୍ୟସ୍ତ ମନକୁ ବୁଝେଇ ଅନୁପ କେବଳ ଥୟ ଧରି ରହିଥିଲା ଆଜିର ଦିନକୁ ଅପେକ୍ଷା କରି । ଶେଷରେ ସେହି ଦିନ ଆସି ପହଞ୍ଚିଲା । ସକାଳୁ ସକାଳୁ ବର ବଧୂ ଉଭୟେ ଗାଧେଇ ପାଧେଇ ସେଇ ଓଦା ଲୁଗାରେ ବସିଲେ କର୍ମ ପାଇଁ । ଏଥର ଶେଫାଳୀ ପିଣ୍ଡ ଚାଉଳ ବାଢିଦେଉଥାଏ ଅନୁପ ହାତକୁ । ଶେଫାଳୀର ଗୋରା ତକତକ ମଲ୍ଲୀ ଫୁଲିଆ ହାତରେ ନିଜ ହାତ ବାଜିଗଲା ବେଳକୁ ଅନୁପର ସାରା ଦେହରେ ବିଜୁଳି ଖେଳିଯାଉଥାଏ ଯେମିତି । ଏଥର ତ ଆଉ ସିଏ ଯାହା ଦେଖୁଛି ମିଛ ନୁହେଁ । ଏଥର ଶେଫାଳୀ ବାଥରୁମରୁ ସିଧା ଏଇଠିକି ଆସିଛି । ତେଣୁ ମେକପର ପ୍ରଶ୍ନ ହିଁ ଉଠୁନି । ଖୁସିରେ ମନେମନେ ଉଲସି ଉଠିଲା ଅନୁପ । ଦିନରେ ଚତୁର୍ଥୀ କର୍ମ ଓ ପିଣ୍ଡପକା କାମ ସରିଲା । ରାତିରେ ପ୍ରୀତି ଭୋଜନ କାମ ବି ସରିଲା । ଏଥର ଆସିଲା ସେଇ ପ୍ରତୀକ୍ଷିତ ମୁହୂର୍ତ୍ତ । 



 ଆଜି ବି ମୁଣ୍ଡରେ ହାତେ ଓଢଣୀ ଟାଣି ଥିରିଥିରି କରି ପାଦ ପକେଇ ଶେଫାଳୀ ଆସିଲା ଅନୁପର ଶୋଇବା ଘରକୁ । ବାସର ରାତି ପାଇଁ ଘରଟିକୁ ବେଶ୍ ସୁନ୍ଦର ଭାବେ ସଜେଇ ଦେଇଥିଲେ ଅନୁପର ସାନ ଭାଇ ସ୍ୱରୂପ ଓ ତା'ର ସାଙ୍ଗ ମାନେ । ଏତେସବୁ ଆଧୁନିକ ସଜବାଜ ତା ବାପା ବୋଉଙ୍କୁ ଜଣାନାହିଁ । ତେଣୁ ଏଇ କାମଟିକୁ ସ୍ୱରୂପ ଜିଦି କରି ତା ବୋଉ ଠାରୁ ଟଙ୍କା ନେଇ ସାଙ୍ଗମାନଙ୍କୁ ଡାକି କରିଥିଲା । ସେଥିପାଇଁ ସାନ ଭାଇଟି ପ୍ରତି ଅନୁପର ମନ କୃତଜ୍ଞତାରେ ଢଳି ପଡୁଥାଏ । ତାରି ପାଇଁ ଆଜି ତା ଫୁଲ ଶେଜର କଳ୍ପନା ସାର୍ଥକ ହେଇଛି । ମନେମନେ ଭାବୁଥିଲା ଅନୁପ, ନିଜ ବାହାଘରରେ ସିନା ନିଜକୁ ମୁହଁ ଖୋଲିବାକୁ ଲାଜ ଲାଗେ ବୋଲି ସେ ସବୁଥିରେ ନୀରବ ରହିଥିଲା, ତା ସାନ ଭାଇର ବାହାଘରରେ କିନ୍ତୁ ସେ ସବୁ ତା ଭାଇର ମନ ପସନ୍ଦରେ କରିବ । 


ଫୁଲର ଶେଜରେ ଫୁଲରାଣୀ ହେଇ ବସିଥିଲା ଶେଫାଳୀ । ଶେଫାଳୀ ମୁଣ୍ଡରୁ ଓଢଣୀ ଖୋଲିସାରି ଚମକି ପଡିଥିଲା ଅନୁପ । ଆରେ, ଇଏ କ'ଣ!!ସେତ ଯେତିକି ଆଶା କରିଥିଲା ପାଇଛି ତାଠାରୁ ଶହେଗୁଣ ଅଧିକ । ରୂପରେ ବୋଧହୁଏ ଶେଫାଳୀକୁ ଖୁଣିବାକୁ ବିଧାତା କାହାକୁ ସୁଯୋଗ ଦେବନାହିଁ ବୋଲି ଶପଥ କରି ଶେଫାଳୀକୁ ସୃଷ୍ଟି କରିଛି ନା କ'ଣ! ଆଶ୍ଚର୍ଯ୍ୟ ହେଇ ଅନୁପ ଚାହିଁରହିଥିଲା ଶେଫାଳୀର ମୁହଁକୁ । ଶେଫାଳୀ ବି ଆଶ୍ଚର୍ଯ୍ୟ ହେଇଯାଇଥିଲା ଅନୁପର ଏଭଳି ଆଚରଣ ଦେଖି । କିଛି ସମୟପରେ ଯାଇ ପ୍ରକୃତିସ୍ଥ ହେଲା ଅନୁପ । 


ମାତ୍ର ଦିନ କେଇଟାରେ ଘରେ ବାହାରେ ବନ୍ଧୁ ବାନ୍ଧବରେ ଶେଫାଳୀର ଭୂରିଭୂରି ପ୍ରଶଂସା । ବୋହୂଟି ରୂପରେ ଯେମିତି ଗୁଣରେ ବି ସେମିତି । ସାରା ପରିବାରଟିକୁ ଏକତା ସୂତ୍ରରେ ବାନ୍ଧି ରଖିପାରିଲା ଭଳି ଦକ୍ଷତା ତାଠାରେ ଅଛି । ମନ ଜାଣି ଘରର ପ୍ରତିଟି ସଦସ୍ୟଙ୍କର ସେବା ଯତ୍ନ ନେଉଥାଏ ଶେଫାଳୀ । ସ୍ୱରୂପ ଆଉ ରାଣୀଙ୍କୁ ନିଜ ସାନ ଭାଇ ଭଉଣୀ ପରି ସ୍ନେହ ମମତାରେ ବାନ୍ଧି ରଖିଲା ବେଳେ ଶାଶୁ ଶଶୁରଙ୍କୁ ନିଜର ବାପା ମାଆ ଭଳି ଭକ୍ତି ଓ ସମ୍ମାନ ଦେଇ ସେବା କରୁଥାଏ । ଆଉ ଅନୁପ କଥା ନକହିଲେ ଭଲ । ଅନୁପ ଏଇ ଭିତରେ ଟିକେ ସ୍ୱାର୍ଥପର ହେଇଯାଇଥାଏ କି କ'ଣ ସେ ତ ଚାହୁଁଥାଏ ତା ସ୍ତ୍ରୀ ଏକା ତା'ର ହୁଅନ୍ତା କି । ତାକୁ ଛାଡିକି ଘଡିଏ ବି କୁଆଡେ ଯାଆନ୍ତାନି । ଅନୁପର କାନକୁ ଧରି ଶାସନ କରି ଶେଫାଳୀ କହେ ଏଇଟା ସ୍ୱାର୍ଥପରଙ୍କ ଚିନ୍ତାଧାରା । ବିଚରା ଅନୁପ ସେତିକିରେ ଚୁପ୍ ରହିଥାଏ । କିନ୍ତୁ ଶେଫାଳୀ ତା ପତ୍ନୀଧର୍ମ ନିଭେଇବାରେ ଟିକେ ବି କାର୍ପଣ୍ୟ ଦେଖାଏନି । ଅନୁପର ମନ ଜାଣି ତା କଥାବି ବୁଝୁଥାଏ ଠିକରେ । ଶେଫାଳୀ ଆସିବା ଦିନରୁ ଅନୁପ ଭାରି ଅଳସୁଆ ହେଇଗଲାଣି । ଏମିତିକି ନିଜ ଗୋଡରେ ଜୋତା ବି ପିନ୍ଧି ପାରୁନାହାଁନ୍ତି ବାବୁ ଆଜିକାଲି । ତାକୁ ବି ଶେଫାଳୀକୁ କରିବାକୁ ପଡେ । ପ୍ୟାଣ୍ଟ ସାର୍ଟ ଇସ୍ତ୍ରୀ କରି ରଖେ । ପ୍ୟାଣ୍ଟ ପକେଟରେ ରୁମାଲ ଭାଙ୍ଗିକି ରଖେ । ପର୍ସ ନେଇକି ରଖେ । ସାର୍ଟର କଲାର ଭାଙ୍ଗି ସଜାଡିଦିଏ । ଘଣ୍ଟା ଆଣି ହାତରେ ଦିଏ । ଚଷମା ନେଇ ପିନ୍ଧେଇ ଦିଏ । ସୁ ପଲିସ କରି ଆଣି ରଖେ । ଶେଷରେ ଗେଟ୍ ପାଖରେ ଯାଇ ହାତକୁ ହେଲମେଟ ନଦେଲେ ସେଇଟାବି ଅନୁପ ଭୁଲିଯାଏ । ଏତେସବୁ ବଦଳରେ ଶେଫାଳୀକୁ ମିଳେ ମିଠା ମିଠା ସରୁ ଚୁମାଟିଏ । ସେତିକିରେ ଖୁସିହେଇ ଅଧାଲାଜୁଆ ହସରେ ଶେଫାଳୀ ନିଜ ରୁମ ଭିତରେ ପଶି କବାଟ ବନ୍ଦ କରିଦିଏ । ସେମାନଙ୍କର ଖୁସିରେ ସାରା ପରିବାରଟିରେ ଖୁସିର ବାତାବରଣ ଖେଳେଇ ହେଇଯାଇଥିଲା । କିନ୍ତୁ ସୁଖର ଦିନ ମାତ୍ର କେଇଟା ଦିନ ପାଇଁ । ଅନୁପର ଏଇଭିତରେ ଛୁଟି ସରିଯାଇଥିଲା । ସେ ତା'ର କର୍ମ କ୍ଷେତ୍ରକୁ ଯିବାପାଇଁ ବାହାରିଲା । ସାରା ପରିବାରରେ କାହାରି ମୁହଁରେ ଖୁସିନଥିଲା । ଖାସ୍ କରି ଶେଫାଳୀର । ରାତ୍ରୀର ଅଭିସାର ତା'ର ସରିଯାଇଥିଲା । ସକାଳୁ ବୃନ୍ତଚ୍ୟୁତ ଝରା ଶେଫାଳୀଟିଏ ଭଳି ତା ମୁହଁ ଶୁଖିଲା ଲାଗୁଥିଲା । ଅନୁପ ତାକୁ ଆଶ୍ୱାସନା ଦେଇ ଯାଇଥିଲା, ଆସନ୍ତା ମାସକୁ ଛୁଟି ନେଇ ନିଶ୍ଚୟ ଆସିବ । ଏଥର ଆସିଲେ ସିଏ ସବୁଦିନ ପାଇଁ ତା ଶେଫାଳୀକୁ ତା ପାଖକୁ ନେଇଯିବ । ଏଥର ଶେଫାଳୀର ମୁହଁରେ ଅଳ୍ପ ହେଉପଛେ ଚେନାଏ ହସ ଉକୁଟିଲା । ଅନୁପ ଘରେ ସମସ୍ତଙ୍କ ଠାରୁ ବିଦାୟ ନେଇ ଷ୍ଟେସନ ଗଲା । ସ୍ୱରୂପ ତାକୁ ଛାଡିବାକୁ ଯାଇଥିଲା ଷ୍ଟେସନ ଯାଏ । 


ପ୍ରଥମ କରି ଶାଶୁଘରେ ମନର ମଣିଷଟି ନଥିବାରୁ ଭାରି ମାଡିପଡୁଥାଏ ଶେଫାଳୀକୁ । ଦିଅର ସ୍ୱରୂପ ଓ ନଣନ୍ଦ ରାଣୀ ଲାଗିପଡିଥାନ୍ତି ଦିନରାତି ଭାଉଜର ମନ ଖୁସି ରଖିବାକୁ । ଟିକିଏ ହେଲେବି ସମୟ କେହି ତାକୁ ଏକୁଟିଆ ରହିବାକୁ ଦେଉନଥାନ୍ତି । କିନ୍ତୁ ଅନୁପ!ସିଏ ତ ସେଠି ସମ୍ପୂର୍ଣ୍ଣ ଏକୁଟିଆ ହେଇଗଲା । ଏଇ କେଇଟା ଦିନ ଭିତରେ ଏମିତି ମାୟା ମମତା ଭିତରେ ସେ ଛନ୍ଦି ହେଇଯାଇଥିଲା ଯେ ବର୍ତ୍ତମାନର ଏକୁଟିଆପଣ ସହିତ ଆଦୌ ସାଲିସ କରିପାରୁନଥିଲା । ତା ଛଡା ଶିଫାଳୀ ବି ତାକୁ ଏମିତି ଅଭ୍ୟସ୍ତ କରିଦେଇଥିଲା ଯେ ତା'ର ପୁରୁଣା ରୁଟିନ୍ ସବୁ ଏପେଟ ସେପଟ ହେଇଯାଉଥିଲା । ଘରେ ଥିଲାବେଳେ ସକାଳୁ ତାକୁ ଶେଫାଳୀ ଉଠେଇଲେ ସିଏ ଉଠୁଥିଲା । ଏଥର ଏକା ଏକା ଉଠିଲାବେଳକୁ ବହୁତ ଡେରି ହେଇଯାଏ । ତରବର ହେଇ ନଖାଇ ସେମିତି ଅଫିସ ପଳାଏ । ଏଇକଥା ଶୁଣି ଶୁଣି ଅନୁପର ବୋଉ କେତେଥର କହିଲେଣି ଆସିକି ବୋହୂକୁ ନେଇଯା । ଅନୁପ ବି ଛୁଟି ଆପ୍ଳାଇ କରିଛି । ଛୁଟି ମିଳିଗଲେ ଚାଲିଯିବ । ସବୁଦିନ ପାଇଁ ତା ଅସଜଡା ଜୀବନକୁ ସଜାଡିବା ପାଇଁ ତା ଶେଫାଳୀକୁ ନେଇ ଆସିବ । ଏଇ କଥା କହି ସେଦିନ ରାତିରେ ବହୁତ ବେଳଯାଏ ଶେଫାଳୀ ସହିତ କଥା ହେଲା ଫୋନରେ ଅନୁପ । ଶୋଇଲା ବେଳକୁ ରାତି ହେଲାଣି ଗୋଟାଏ । ସିଏ ପୁଣି ଶେଫାଳୀର ତାଗିଦ ପରେ ଯାଇ । ସକାଳୁ ଉଠିଲା ବେଳକୁ ଅଫିସ ସମୟ ହେଇଯାଇଥିଲା । ତରବର ହେଇ ବ୍ରସ କରି ଆଉ ଗାଧେଇପଡି ସେମିତି ଅଫିସ ପଳେଇଲା ଅନୁପ । ଭୁଲିଯାଇଥିଲା ହେଲମେଟ୍ ଟି ସାଙ୍ଗରେ ନେବା ପାଇଁ । ରାସ୍ତା ମଝିରେ ଯାଇ କଥାଟି ମନେପଡିଲା । ଆଉ ଫେରିବାକୁ ଉପାୟ ବି ନଥିଲା । ସେପଟେ ଅଫିସ ସମୟ ହେଇଯାଉଛି । ତେଣୁ ଆଗକୁ ଚାଲିଲା ଅନୁପ । ସବୁଦିନ ଠାରୁ ସେଦିନ ଗାଡିର ବେଗ ମଧ୍ୟ ଟିକେ ଅଧିକ ଥିଲା ବିଳମ୍ବ ହେବା କାରଣରୁ । ସାମ୍ନାରୁ ମାଡି ଆସୁଥିଲା ଏକ ଟ୍ରକ । ବାଇକର ସ୍ପିଡ୍ ଟିକେ ଅଧିକ ଥିବାରୁ ସାଇଡ ଦେଲା ବେଳକୁ ଗାଡିଯାଇ ମାଡ ହେଇଥିଲା ଡିଭାଇଡର ଦେହରେ । ମୁଣ୍ଡ ଯାଇ ପିଟି ହେଇଥିଲା ଡିଭାଇଡରରେ । ପ୍ରଚୁର ରକ୍ତସ୍ରାବ ଯୋଗୁ ବେହୋସ ହେଇ ପଡିଗଲା ଅନୁପ ସେଇଠି । କିଛି ଯାତ୍ରୀଙ୍କ ଉଦ୍ୟମରେ ସ୍ଥାନୀୟ ମେଡିକାଲକୁ ନିଆଗଲା । ଅଫିସ ଓ ଘରକୁ ଫୋନ କରି ଜଣାଇଦିଆଗଲା । ସମସ୍ତେ ଯାଇ ସେଠି ପହଞ୍ଚିଲା ବେଳକୁ ଅନୁପକୁ ଆଇସିୟୁ ଭିତରେ ରଖାଯାଇଥିଲା । ତା ଭିତରକୁ କାହାରିକୁ ଛାଡିବାକୁ ଅନୁମତି ମିଳୁନଥାଏ । କି ଦିନ କି ରାତି ଘରର ପ୍ରତ୍ୟେକ ସଦସ୍ୟ ସେମିତି ମେଡିକାଲର ବାରଣ୍ଡାରେ ପଡି ରହିଥାନ୍ତି । ଶେଫାଳୀ ଆଡକୁ ଚାହିଁ ଆଖିରୁ ଲୁହ ଝରଉଥାନ୍ତି ତା ଶାଶୁ । ଆହା, ବିଚାରୀ ବାହାଘରର କେଇଟା ଜମା ଦିନ ଯାଇଛି କି ନାଇଁ, ତା ମୁହଁ ଆଜିଯାଏ ଗାଁର କିଏ ଦେଖିଥିବେ କି ନାହିଁ, ସିଏ ଆସି କେଉଁ ଅବସ୍ଥାରେ ଏଇଠି ମେଡିକାଲର ବାରଣ୍ଡାରେ ପଡିରହିଛି । ଦିନେ ଗଲା,ଦୁଇଦିନ ଗଲା । ତୃତୀୟଦିନ ଡାକ୍ତର ଆସି ନିରାଶାର ବାଣୀ ଶୁଣେଇଦେଇ ଗଲେ । ତାପରର ଅବସ୍ଥା ଥିଲା ସବୁଠାରୁ ଭୟାନକ । ସବୁଠାରୁ ଛାତିଥରା ହୃଦୟବିଦାରକ ଦୃଶ୍ୟ ଥିଲା ଶେଫାଳୀ ଆଉ ତା'ର ଶାଶୁଙ୍କର ତଳେ ଗଡିଗଡି କାନ୍ଦୁଥିବାର ଦୃଶ୍ୟ । କିଏ କାହାକୁ ଏଇଠି ସାନ୍ତ୍ୱନା ଦେବେ ବୁଝି ହେଉନଥିଲା । ଅଫିସ ଷ୍ଟାଫମାନଙ୍କର ସାହାଯ୍ୟରେ ଘରକୁ ଫେରିବାର ବ୍ୟବସ୍ଥା କରାଗଲା । ମନ ଭଲ ଥାଉ କି ନଥାଉ, ପୁଅ ଆତ୍ମାର ସଦ୍ଗତି ପାଇଁ ଶୁଦ୍ଧିକ୍ରିୟା ସହିତ ବ୍ରାହ୍ମଣ ଭୋଜନ ସବୁ କରାଗଲା । ଏଇକିଛିଦିନ ତଳେ ଯେଉଁ ପୁଅର ବାହାଘର ଭୋଜି ସମସ୍ତେ ଖାଇକି ଯାଇଥିଲେ, ଏବେ ସେଇ ପୁଅର ଶୁଦ୍ଧଘର ଭୋଜି ଖାଇ ଫେରି ଯାଉଛନ୍ତି ସମସ୍ତେ ଅଶ୍ରୁଳ ନୟନରେ । 


ସବୁକିଛି ସରିଗଲା । ପରିବେଶ ଶାନ୍ତ ପଡିଗଲା ଝଡ ପରର ଅବସ୍ଥା ଭଳି । ଘରେ କାହାରି ପାଟିରୁ କଥା ପଦେ ଶୁଣିବାକୁ ମିଳୁନଥାଏ । ସମସ୍ତେ କେବଳ ନିଜ ନିଜ କର୍ତ୍ତବ୍ୟ କରି ଚାଲିଥାନ୍ତି । ଶେଫାଳୀ ମଧ୍ୟ । ସକାଳୁ ସକାଳୁ ଗାଧେଇସାରି ଶାଢୀ ବଦାଳିବାକୁ ଯାଉଛି ଦେଖିଲା ତା ଶୋଇବାଘର ଖଟ ଉପରେ ଧଳା ଶାଢୀଟିଏ ରଖା ଯାଇଛି । କିଏ ଏକୁ ଏଇଠି ରଖିଲା ବୋଲି ଭାବି ଏପଟ ସେପଟକୁ ଚାହିଁଲା ବେଳକୁ ଘର ଭିତରକୁ ପଶିଆସିଲେ ତା ଶାଶୁମା । ତା ହାତରୁ ତା'ର ପୁରୁଣା ଶାଢୀଟିକୁ ଟାଣିନେଇ ଧଳା ଶାଢୀଟିକୁ ବଢେଇଦେଇ କହିଲେ, "ଆଜିଠାରୁ ଏଇଆକୁ ପିନ୍ଧିବୁ" । ଏତକ ସିନା ସ୍ପଷ୍ଟ ଭାବରେ କହି ଦେଇ ଗଲେ, ଆହୁରି କିଛି ଅସ୍ପଷ୍ଟ ବାକ୍ୟ ତାଙ୍କ ପାଟିରୁ ଗଲାବେଳେ ବାହାରୁଥିଲା ଯେଉଁଟା ଶେଫାଳୀର କାନରେ ପଡିପାରୁନଥିଲା । ଶେଫାଳୀର ଆଖିରୁ ଲୁହ ଧାର ଧାର ହେଇ ବହି ଆସୁଥାଏ । ସେ ଅନୁପଙ୍କ ଫଟୋ ପାଖରେ ଛିଡାହେଇଥାଏ ସେମିତି କାଠଟିଏ ଭଳି । କିଛି ସମୟ ପରେ ବାହାରୁ ଶାଶୁଙ୍କର ପାଟି ଶୁଭିଲା, "ସେଇଠି ପଥର ହେଇଗଲୁ ନା କ'ଣ । ଘରେ କେତେ କାମ ପଡିଛି ଜଣା ପଡୁନି ପରା" । 


ତରବର ହେଇ ଶାଢୀଟିକୁ ଦେହରେ ଗୁଡେଇ ହେଇପଡି ଦୌଡିଲା ଶେଫାଳୀ । ନା ଅଛି ସଜବାଜ ନା ଅଛି ସାତ ଶୃଙ୍ଗାର । ସବୁ କିଛି ତା ଜୀବନରୁ ଚାଲିଯାଇଛି ବହୁତ ଦୂରକୁ । 


ସେଇ ଦିନ ପର ଠାରୁ ଟିକେ ଟିକେ କଥାରେ ଶେଫାଳୀର ଶାଶୁ ଶେଫାଳୀକୁ ଗାଳି କରିବା ଆରମ୍ଭ କରିଦେଇଥିଲେ । କାରଣ କିଛି ଥାଉ କି ନଥାଉ । ଆଗରୁ ଯେତେବଡ ଭୁଲ କଲେ ବି ଯେଉଁ ଶାଶୁ ହସିହସି କୋଳେଇ ନେଉଥିଲେ ଏବେ ଶାଶୁ ସାମାନ୍ୟ ଭୁଲକୁ ବଡ କରି ଏତେ ରଙ୍ଗ ଦେଇ ଶଶୁରଙ୍କ ଆଗରେ କହି ହେଉଛନ୍ତି ଯେ ଶଶୁରବି ସମାନଭାବେ ଗାଳିଦେବା ଆରମ୍ଭ କରିଦେଇଉଛନ୍ତି । ଏକା ସ୍ୱରୂପ ଆଉ ରାଣୀ ଭାଉଜଙ୍କ ମନ କଥା ପଢି ପାରନ୍ତି । ପାଖରେ ଛିଡା ହୁଅନ୍ତି । ଆଖିରୁ ଲୁହ ପୋଛି ଦିଅନ୍ତି । ସେଇଟା ବି ଧିରେଧିରେ ବନ୍ଦ ହେବାକୁ ଲାଗିଲା ସ୍ୱରୂପଙ୍କ ପାଇଁ । ସ୍ୱରୂପ ଭାଉଜର ପାଖକୁ ଗଲେ ତା ବୋଉ ତାକୁ ଆକଟ କରନ୍ତି । ଏଣୁତେଣୁ କହି ଶେଫାଳୀକୁ ଗାଳିମନ୍ଦ ବି କରନ୍ତି । ଧିରେ ଧିରେ ତାଙ୍କ ଅସ୍ପଷ୍ଟ ବାକ୍ୟ ସବୁ ସ୍ପଷ୍ଟ ହେବାକୁ ଲାଗିଲାଣି । ଶେଫାଳୀର ମୁହଁ ଚାହିଁଲେ କୁଆଡେ ଅମଙ୍ଗଳ । ସିଏ କୁଆଡେ ତାଙ୍କ ବଡପୁଅକୁ ଖାଇଛି । ସାନ ପୁଅ ଉପରେ ନଜର ପକଉଛି । ଏମିତି ଆହୁରି କେତେ ଅଭିଯୋଗ ତା ସହିତ ଆହୁରି କେତେ ନୀତି ନିୟମ ଶେଫାଳୀ ପାଇଁ ଘରେ ଦିନକୁ ଦିନ ଖଞ୍ଜି ହେଇଯାଉଛି । ଶେଫାଳୀ ସେ ସବୁକୁ ସହିଯାଉଛି । ସହିବାକୁ ବାଧ୍ୟ ହେଉଛି । କୁଆଡେ ଯିବାକୁ ତା'ର ଆଉ ଚାରା ନାହିଁ । ବାପଘରେ ଭାଇ ଭାଉଜଙ୍କ ସଂସାର ବଢିବଢି ଚାଲିଛି । ସିଏ ଆଉ ସେଠି ବୋଝ ହେବାକୁ ଚାହୁଁନି । ବରଂ ଏଇଠି ରହି ସବୁ ଦୁଃଖ କଷ୍ଟ ସହିଯିବାକୁ ସିଏ ପଣ କରିଛି । ଯାହା ଜୀବନରେ ସବୁଠାରୁ ବଡ ଦୁଃଖର ଦିନ ଆସି ସାରିଛି, ସିଏ ଆଉ ଏଇ ଛୋଟ ଛୋଟ କଥାକୁ ଧ୍ୟାନ ଦେଲେ ଚଳିବକି । 


ଏଇ ଭିତରେ ଗୋଟେ ବର୍ଷ ପୂରି ଗଲାଣି । ରାଣୀର ବାହାଘର ଠିକ୍ ହେଇ ଯାଇଛି । ଘର ପୁଣିଥରେ ଉତ୍ସବମୁଖର ହେଇଆସୁଛି । ବାହାଘର ଦିନ ସମସ୍ତେ ବାହାଘର କାମରେ ବ୍ୟସ୍ତ ଅଛନ୍ତି । ସ୍ୱରୂପ ବି ଦିନସାରା ବାହାଘରରେ ବ୍ୟସ୍ତ ରହିଥିଲା । ଦାଣ୍ଡରେ ବାହାଘର ଚାଲିଛି । ଏଇ ସମୟରେ ସ୍ୱରୂପକୁ ବହୁତ ଶୋଷ ଲାଗିବାରୁ ସେ ଘର ଭିତରକୁ ପାଣି ପିଇବାକୁ ଆସି ଶୁଣିଲା ଭାଉଜଙ୍କ ଘର ଭିତରୁ ସୁଁ ସୁଁ ଶବ୍ଦ ଆସୁଛି । ସ୍ୱରୂପ ତା ବୋଉ ଭୟରେ ଆଜିକାଲି ବେଶି ତା ଭାଉଜ ସହ ମିଳାମିଶା କରେନାହିଁ । ଆଜି କିନ୍ତୁ ନିଜକୁ ସମ୍ଭାଳି ନପାରି ଭାଉଜଙ୍କ କବାଟ ଠକ୍ ଠକ୍ କଲା । ଭିତରୁ ହସି ହସି କବାଟ ଖୋଲିଲା ଶେଫାଳୀ । କିନ୍ତୁ ମୁହଁର ଭାଷା କହୁଥାଏ ଅଲଗା କିଛି । ଆଖି ଦୁଇଟି ଫୁଲିଯାଇଥାଏ ଅସମ୍ଭବ ଭାବେ । ଦେହରେ ସବୁଦିନ ଭଳି ସେଇ ଧଳା ଶାଢୀ ଖଣ୍ଡକ । ବେଶଭୂଷା ଅସ୍ତବ୍ୟସ୍ତ । ଭାଇଙ୍କ ଫଟୋଟି ଥୁଆ ହେଇଛି ଖଟ ଉପରେ । ପାଖରେ ଟିପୟ ଉପରେ ସେମିତି ଥୁଆ ହେଇଛି ଖାଇବା ଥାଳି । ସେଥିରେ କେବଳ ଭାତ ଡାଲି ଆଉ କିଛି ସାଧା ତରକାରି । ଆଜି ଘରେ ସମସ୍ତେ ପାଟ ଗହଣାରେ ଚମକୁଥିଲା ବେଳେ ତା ଭାଉଜର ଏଭଳି ଅବସ୍ଥା ଦେଖି ନିଜକୁ ସମ୍ଭାଳି ପାରୁନଥାଏ ସ୍ୱରୂପ । ତା ଭାଉଜ ବାହା ହେଇ ଆସିଲା ଦିନରୁ ଘରେ ଜଣେଇଛି ଯେ ସେ ବହୁତ ଆଇଁଷ ପ୍ରିୟ ବୋଲି । ଭାଇ ଥିଲାବେଳେ ସବୁଦିନ ଭାଉଜଙ୍କ ପାଇଁ କିଛିନା କିଛି ଆଇଁଷ ଜିନିଷ ଆଣିଥାନ୍ତି । ସେ ଯିବାବେଳେ ସ୍ୱରୂପକୁ ଦେଇଯାଇଥିଲେ ଏଇ ଦାୟିତ୍ୱଟି । ତାପରେ ପରେ ଘଟିଗଲା ତାଙ୍କ ପରିବାରରେ ଏତେବଡ ଦୁର୍ଘଟଣା । ତା ମାନେ ତା ଭାଉଜ ସେଇଦିନଠାରୁ ଆଇଁଷ ନଖାଇ ରହିଛନ୍ତି । ସିଏ କ'ଣ ମଣିଷଟିଏ ନୁହଁନ୍ତି?ଭାଇ ତ କାହାର ପୁଅ ଥିଲେ, ପୁଣି କାହାର ଭାଇଥିଲେ । ସେମାନେ ଯଦି ଆଜି ଏତେ ସଜବାଜ ହେଇ ମଟନ ଚିକେନରେ ଭାସୁଛନ୍ତି ଭାଉଜଙ୍କ ପାଇଁ କାହିଁକି ଏତେ କଡା ନିୟମ । କିଛି କରିବାର ସାମର୍ଥ୍ୟ ନଥିଲା ସ୍ୱରୂପ ପାଖରେ । ନୀରବରେ ଆଖିରୁ ଲୁହ ପୋଛି ସେଇଠୁ ଚାଲି ଆସିଲା ସିଏ । 


ପୁଣି ବିତିଗଲାଣି ଆଉ ଗୋଟେ ବର୍ଷ ଏଇଭିତରେ । ଏଥର ସ୍ୱରୂପର ବାହାଘର ଠିକ୍ ହେଇଯାଇଛି । ବାହାଘର ଆଉ ଦିନ କେଇଟା ଜମା ଅଛି । ବାହାଘର ପାଇଁ ଘରେ ପ୍ରବଳ କାମ । ନଖାଇ ନପିଇ କାମରେ ଲାଗିଛି ଶେଫାଳୀ । ଯେମିତି ଏକ ମେସିନ । ସିଏ କେତେବେଳେ ଖାଉଛି ବୋଧହୁଏ କେହି ଦେଖୁନାହାଁନ୍ତି କି ପଚାରୁ ନାହାଁନ୍ତି । ରାଣୀ ଥିଲା ଟିକେ ଭାଉଜର ଭଲମନ୍ଦ ଖିଆଲ ରଖୁଥିଲା । ସେ ବାହାହେଇ ଯିବାର ବର୍ଷଟେ ବିତିଗଲାଣି । ଶେଫାଳୀ ସମ୍ପୂର୍ଣ୍ଣ ଏକୁଟିଆ ହେଇଯାଇଛି ଏଇ ଘରେ । ସ୍ୱରୂପ ସହିତ ତ ତା ଶାଶୁ କଥା ବି କରେଇଦିଅନ୍ତିନି । ବିଚାରି ନିଜ କାମରେ ବ୍ୟସ୍ତ ରଖିଥାଏ ସବୁବେଳେ ନିଜକୁ । ସେଦିନ ରାତିରେ ରୋଷେଇ ଘରେ ଖାଇବା ବାସନ ସବୁ ଧୋଇ ରଖୁଥାଏ ଶେଫାଳୀ । ସ୍ୱରୂପ ତା ବାହାଘର ପାଇଁ କିଣିଆଣିଥିବା ସେରୱାନିଟି ନେଇ ଶେଫାଳୀକୁ ଦେଖେଇ କହିଲା, ଦେଖତ ଭାଉଜ, ଏଇଟା ମୋତେ କେମିତି ଦିଶିବ । 


ଶେଫାଳୀ ଖୁସିରେ ସ୍ୱରୂପ ହାତରୁ ସେରୱାନିଟି ଆଣି ଦେଖି କହିଲା ବହୁତ ସୁନ୍ଦର ଦିଶିବ ମୋ ହୀରୋ ଭାଇକୁ । 


ଏଇ କଥାଟି ଶେଫାଳୀର ଶାଶୁଙ୍କ ନଜରରେ ପଡିଯିବାପରେ ଆଉ ନିଜକୁ ସମ୍ଭାଳି ପାରିନଥିଲେ ସିଏ । ଯାହା ପାଟିକୁ ଆସିଥିଲା ବକିଦେଇ ଯାଇଥିଲେ । ଏମିତିକି ଶେଫାଳୀର ଶଶୁର ବି ଶୋଇବା ଜାଗାରୁ ଉଠି ଆସି ଶାଶୁଙ୍କ ସହିତ ପାଳି ଧରିଥିଲେ । ରାତ୍ରିର ନିଃଶବ୍ଦତା ଭିତରେ ଘର ପଡୁଥାଏ ଉଠୁଥାଏ । ଆଉ ଯାହା ସବୁ ବାକିଆ ଦୋଷାରୋପ ଓ ଗାଳି ସବୁ ଅଜାଡି ହେଇ ପଡୁଥାଏ ଶେଫାଳୀ ଉପରେ । ପ୍ରାୟ ଘଣ୍ଟାଏ ପରେ ଯାଇ ଶେଫାଳୀର ଶାଶୁ ଚୁପ୍ ହେଲେ । ତାପରେ ସମସ୍ତେ ଚାଲିଗଲେ ନିଜ ନିଜ ଶୋଇବା ଘରକୁ । ସମସ୍ତଙ୍କ ବାସନ ଧୋଇସାରିବା ପରେ ଯାଇ ଶେଫାଳୀ ଖାଇଥାଏ । ଆଜି ସିଏ ଖାଇଲା କି ନାହିଁ କେହି ଜାଣିଲେନି । ନିଜ ଶୋଇବା ଘରେ ପଶିଯାଇ ଧଡ୍ କରି କବାଟ ବନ୍ଦ କରିଦେଲା ଶେଫାଳୀ । ଆଖିରୁ ଯେତେସବୁ ଲୁହ ଥିଲା ନିଗିଡିବା ଯାଏ କାନ୍ଦି ଚାଲିଥିଲା ଅନୁପର ଫଟୋକୁ ଧରି । ସେପଟେ ଘରେ ଯନ୍ତ୍ରଣାରେ ଛଟପଟ ହେଉଥାଏ ସ୍ୱରୂପ । ତା'ର ସାମାନ୍ୟ ଭୁଲଟିଏ ପାଇଁ ଆଜି ତା ଭାଉଜକୁ ଏତେ ସବୁ ଗାଳି ଖାଇବାକୁ ପଡିଲା ଆଉ ସିଏ ନିରୂପାୟ ହେଇ କେବଳ ତା ଭାଉଜର ଅସହାୟତାକୁ ଦେଖି ଚାଲିଥିଲା । ସ୍ୱରୂପ ଆଖିକୁ ଅନୁଶୋଚନାରେ ଆଉ ନିଦ ଆସୁନଥିଲା । ତାରି ଆଖି ଆଗରେ ତା ଭାଉଜ ଏତେ ଅତ୍ୟାଚାରିତ ହେଉଛନ୍ତି, ସିଏ ଜଣେ ଶିକ୍ଷିତ ପୁଅ ହେଇକି ବି କିଛି କରିପାରୁନି । ନିଜ ଉପରେ ଭୀଷଣ ରାଗ ହେଉଥିଲା ତା'ର । ଅନେକ ରାତିଯାଏ ସେ ଶୋଇନପାରି ଖାଲି ଛଟପଟ ଛଟପଟ ହେଉଥାଏ । କିଛି ସମୟ ପରେ ତାକୁ ଶୋଷ ଲାଗିବାରୁ ବାହାରକୁ ପାଣି ପିଇବାକୁ ଆସି ଦେଖିଲା ଭାଉଜଙ୍କ ଶୋଇବାଘରର କବାଟ ଖୋଲା ଅଛି । ଭିତରଟା ପୂରା ଅନ୍ଧାର । ସେ ରାତିହେଲେ ଭାଉଜଙ୍କ ରୁମ୍ ପାଖ ବି ମାଡେନି ତା ବୋଉ ଭୟରେ । ତେଣୁ ସେ କଥାକୁ ଧ୍ୟାନ ନଦେଇ ପାଣି ପିଇସାରି ଆସି ଶୋଇଗଲା ଖଟ ଉପରେ । କିନ୍ତୁ ନିଜ ଭିତରେ ପ୍ରବଳ କୋଳାହଳ । ସେଇ କୋଳାହଳ ଭିତରେ କିଏ ଯେମିତି ତାକୁ କହି ଯାଉଛି, ଏତେ ରାତିରେ ଭାଉଜ କୁଆଡେ ଗଲେ ପତା ଲଗେଇବୁନି? ଆଉ କ'ଣ ନେଡିଗୁଡ କହୁଣୀକୁ ବହିଗଲେ ମୁଣ୍ଡ ବାଡେଇ କାନ୍ଦିବୁ । ଚଟ୍ କରି ଉଠି ବସିଲା ସ୍ୱରୂପ । ପୁଣିଥରେ ବାହାରକୁ ଆସି ଦେଖିଲା ଏବେବି ଶେଫାଳୀ ରୁମର କବାଟ ଖୋଲା ପଡିଛି । ହାତରେ ଟର୍ଚ୍ଚ ଲାଇଟ ଟିଏ ନେଇ ଚାରିପଟକୁ ପକେଇ ଦେଖିଲା ସ୍ୱରୂପ । ଘରର ମେନ୍ ଗେଟ୍ ବି ଖୋଲା ପଡିଛି । ଭୟରେ ଶିହିରି ଉଠିଲା ସିଏ । ସେ ଆଉ ଯାହା ସନ୍ଦେହ କରୁଥିଲା ଭାଉଜ ସେଇଆ କରିଦେଇ ନାହାଁନ୍ତି ତ?ହାତରେ ଟର୍ଚ୍ଚ ଧରି ଦୌଡିଲା ସିଏ ଏଣେତେଣେ । କୁଆଡେ ଯିବ ସିଏ ଏତେ ରାତିରେ । କେଉଁଠି ଖୋଜିବ । କିଛି ବୁଦ୍ଧି ତା ମୁଣ୍ଡକୁ ଢୁକୁନଥାଏ । ସେପଟେ ଷ୍ଟେସନରେ ଏବେ ଲାଗିବାକୁ ଥିବା ଟ୍ରେନର ବିକଟ ଗର୍ଜନ ଶୁଭୁଥାଏ । ସେଇ ଗର୍ଜନବି କିଛି କିଛି ଇଙ୍ଗିତ ଦେଇ ସ୍ୱରୂପକୁ ଚେତେଇଦେଉଥାଏ । ସ୍ୱରୂପ ଆଉ କାଳ ବିଳମ୍ବ ନକରି ଦୌଡିଲା ସେଇ ଷ୍ଟସନ ଆଡକୁ । 


ରାତି ହେଲେ ସ୍ୱରୂପର ବୋଉ ସ୍ୱରୂପ ଉପରେ କଡା ନଜର ରଖିଥାଆନ୍ତି । ଯେତେ ଥର ସ୍ୱରୂପର କବାଟ ଖୋଲେ ସେତେ ଥର ସିଏ କାନପାରି ଥାନ୍ତି । ଆଜି ଲାଗ୍ ଲାଗ୍ ଦୁଇଥର କବାଟ ଖୋଲାହେବା ଆଉ ଶେଷ ଥରକ ବନ୍ଦ ନହେବା ଦେଖି ସିଏ ସ୍ୱରୂପର ବାପାଙ୍କୁ ନିଦରୁ ଉଠେଇ ଯାହା ଦେଖିଲେ ତାଙ୍କ ପାଦତଳୁ ମାଟି ଖସିଗଲା ଭଳି ଲାଗିଲା । ଉଭୟ ସ୍ୱରୂପ ଓ ଶେଫାଳୀର କବାଟ ଠିଆ ଖୋଲା । ମେନ୍ ଗେଟ୍ ବି ଖୋଲା । ଶେଫାଳୀର ଖଟ ଉପରେ ତା ମୋବାଇଲ ପଡିଛି ତା ତଳେ ଗୋଟେ ଭଙ୍ଗା ହେଇଥିବା କାଗଜ । ସେଇଟାକୁ ଉଠେଇ ସ୍ୱରୂପର ବାପାଙ୍କ ହାତକୁ ଦେଲେ ସିଏ । ସେଥିରେ ଲେଖାଥିଲା ମୋର ଏଇ ନିଷ୍ପତ୍ତି ମୁଁ ମୋର ଇଚ୍ଛାରେ ନେଉଛି । ଏଥିରେ ମୋର ଶାଶୁ ଶଶୁର କିମ୍ବା ଦିଅର କାହାରି ହାତ ନାହିଁ । ଚମକି ପଡିଲେ ଦୁହେଁ । କି ନିଷ୍ପତ୍ତି ଆଉ ସିଏ ନେଲା । ଏ ସ୍ୱରୂପ କୁଆଡେ ଗଲା । ଯଦି ଶେଫାଳୀର କିଛି ଭଲମନ୍ଦ ହେଇଯାଏ ତାହେଲେ ପୋଲିସ ଆସି ଏ ବୁଢାବୁଢୀ କାଳେ ଦୁହିଁଙ୍କୁ ବାନ୍ଧି ନେବ । କାହାକୁ କହିବେ ଏକଥା । କୁଆଡେ ଯିବେ । କିଛି ବୁଝି ନପାରି ଦୁହେଁ ମୁଣ୍ଡରେ ହାତ ଦେଇ ବସିଥାନ୍ତି । ସାରାରାତି ବିତିଗଲା । ନା ଶେଫାଳୀର ଦେଖା ଅଛି ନା ସ୍ୱରୂପର । ସ୍ୱରୂପ ବି ତା ମୋବାଇଲ ସାଙ୍ଗରେ ନେଇନି । ସିନ୍ଦୂରା ଫିଟି ଫିଟି ଆସିଲାଣି । ଦୂରରୁ ନାଲି ଓଢଣୀଟିଏ ମୁଣ୍ଡରେ ପକେଇ କେହି ଜଣେ ତାଙ୍କରି ଘର ଆଡକୁ ଆସିବାର ଦେଖାଗଲା । ଦୁହେଁ ନିରେଖି ଚାହିଁଲେ କିଏ ବୋଲି । ମୁଣ୍ଡରେ ଓଢଣୀ ପକେଇଥିବାରୁ ବୋହୂଟିର ମୁହଁ ଭଲ ହେଇ ଦିଶୁନଥାଏ । କିନ୍ତୁ ପଛରେ ବରଟିର ମୁହଁ ଟି ଦିଶୁଛି ଭଲଭାବେ । ଇଏ ତ ଆମ ସାନ ପୁଅ । ଚମକି ପଡିଲେ ଶେଫାଳୀର ଶାଶୁ ଶଶୁର ଦୁହେଁ ଏକାଥରକେ । ତୁ ଅଲକ୍ଷଣୀ ମରିବାକୁ ଯାଇଥିଲୁ, ନମରି ଆହୁରି ମୋ ସାନ ପୁଅକୁ ଖାଇବାକୁ ଫେରି ଆସିଛୁ । ଚିତ୍କାର କରି କହୁଥିଲେ ଶେଫାଳୀର ଶାଶୁ ଶଶୁର । ଏଥର ତ ଶେଫାଳୀର ଶାଶୁ ସୀମାପାର ହେଇ ହାତ ଉଠେଇବାକୁ ଚାଲି ଆସିଥିଲେ । କିନ୍ତୁ ଅଟକେଇ ଦେଲା ସ୍ୱରୂପ । ବୋଉର ହାତକୁ ଧରିପକେଇ କହିଲା, "ସେ ଭୁଲ ଜମା କରିବୁନି ବୋଉ, ସିଏ ଏଥର ଏକୁଟିଆ ନୁହଁନ୍ତି, ମୁଁ ଅଛି ତାଙ୍କ ସାଥିରେ । ତାଙ୍କ ଜୀବନ ସାଥି ହେଇ । ସବୁ ବିପଦରୁ ରକ୍ଷା କରିବା ପାଇଁ" । 


ହଁ ବୋଉ, ଏକା ଭାଇ ନୁହେଁ, ଆମେ ବି ଭାଉଜଙ୍କ ସହ ଅଛୁ କହି ଆସି ସାମ୍ନାରେ ଛିଡା ହେଲେ ରାଣୀ ଆଉ ତା ସ୍ୱାମୀ । ତୁ ଆଉ ଭାଉଜଙ୍କୁ ଅଲକ୍ଷଣୀ ଅମଙ୍ଗଳି ବୋଲି କହିପାରିବୁନି । ସେ ଏଥର ଏ ଘରର ଲକ୍ଷ୍ମୀ ପ୍ରତିମା । ଝିଅ ପୁଅ ଓ ଜ୍ୱାଇଁଙ୍କ ଠାରୁ ଏକଥା ଶୁଣି ବୁଢା ବୁଢୀଙ୍କର ପାଟି ଏକାଥରକେ ଚୁପ୍ । ନୀରବରେ ମୁଣ୍ଡ ତଳକୁ କରି ସେଠୁ ଚାଲିଗଲେ ଦୁହେଁ । ରାଣୀ ଘର ଭିତରକୁ ଯାଇ ଦୀପ ଲଗେଇ ତା ଭାଇ ଭାଉଜକୁ ବନ୍ଦାପନା କରି ଘର ଭିତରକୁ ନେଇଗଲା । ସ୍ୱରୂପର ହାତକୁ ଧରି କୃତ୍ୟ କୃତ୍ୟ ହେଇ କହୁଥାଏ ରାଣୀ, ମୋ ଲକ୍ଷ୍ମୀ ପ୍ରତିମା ଭାଉଜଙ୍କ ଜୀବନ ରକ୍ଷା କରିଥିବାରୁ ଭଗବାନ ତୁମର ସବୁବେଳେ ଭଲ କରିବେ ଭାଇ । 


ନା, ଇଏ ସବୁ ଏକା ମୋ ଦ୍ୱାରା ସମ୍ଭବ ହେଇନଥାନ୍ତା ତୁ ଯଦି ଠିକ୍ ସମୟରେ ସେଠି ପହଞ୍ଚିନଥାନ୍ତୁ । ତୋ ଠାରୁ ସାହସ ପାଇ ତ ମୁଁ ଏତେବଡ ନିଷ୍ପତ୍ତି ନେଇପାରିଲି । ନହେଲେ ଭାଉଜଙ୍କୁ ସମ୍ଭାଳିବା କାଠିକର ପାଠ ଥିଲା । ସାରା ରାତି ବୁଝେଇ ବୁଝେଇ ଥକି ପଡିଥିଲି ମୁଁ । ତୁ ଆଜି ବାହାଘର ପାଇଁ ଘରକୁ ଆସୁଥିଲୁ ବୋଲି ସିନା ଏ ସବୁ କରେଇଲୁ । ତୋରି ଶାଢୀ ଗହଣା ପିନ୍ଧେଇ ତୁ ତାଙ୍କୁ ତୋର ଭାଉଜ ଭାବେ ଗ୍ରହଣ କରିନେଇ ସେଇ ମନ୍ଦିରରେ ବାହାକରେଇପାରିଲୁ । ସେଥିପାଇଁ ତୋର ଏଇ ବଡ ଭାଇଟି ତୋ ନିକଟରେ ଚିରକୃତଜ୍ଞ ହେଇ ରହିବ । 


ହଉ ସେତିକି ଥାଉ । ସିଏ କେବଳ ମୋର ଭାଉଜ । ତମର ସ୍ତ୍ରୀ । ଆଜିଠାରୁ ଭାଉଜ ଡାକ ବ ନ୍ଦକର । ମୋ ଲକ୍ଷ୍ମୀପ୍ରତିମା ଭାଉଜଙ୍କୁ ଭଲରେ ରଖିବ ବୋଲି ଶପଥ କର । 

ହସୁଥିଲେ ସ୍ୱରୂପ ଓ ତାଙ୍କ ଭିଣେଇ ରାଣୀର କଥାରେ । ଶେଫାଳୀ ଚାହିଁରହିଥିଲା ସେମାନଙ୍କ ମୁହଁକୁ ସାମାନ୍ୟ ହସିହସି । 



Rate this content
Log in