Rajalaxmi Mohanty

Others

4  

Rajalaxmi Mohanty

Others

ଦେଖାହେଲେ କହିବି ସେକଥା

ଦେଖାହେଲେ କହିବି ସେକଥା

8 mins
341


ଏଇ, ଦେଖୁଛୁ ନା,ରାତି ଆସି ଅନେକ ହେଲାଣି। ମୁଁ ଆସି ବସିଛି ଏଇ ଖୋଲା ଅଗଣାରେ।ନା କାହାର ଚିନ୍ତା ଅଛି, ନା କାହାର ଦକ ଅଛି।ଶରତ ଆକାଶରେ ରୂପେଲି ଜହ୍ନର ସୁନେଲି କିରଣ ବିଛାଡି ହେଇ ପଡିଛି ସାରା ପୃଥିବୀରେ ଏକା ମୋତେ ଅନ୍ଧାରରେ ଢାଙ୍କିଦେଇ।ଜହ୍ନ ପକ୍ଷର ଏଇ ତାରାଭର୍ତ୍ତି ଆକାଶରେ ଚନ୍ଦ୍ର ଯେତେବେଳେ ହସୁଥାଏ ତା ଚାନ୍ଦିନିକୁ ନେଇ, ବହୁତ ମନେପଡେ ତୋ କଥା।ମନେପଡେ ତୋର ସେଇ ମିଠାମିଠା ସ୍ବରରେ " ଏଇ ,ଚାନ୍ଦିନି" ଡାକଟି।ଆଜି କାହିଁ କେତେଦୂରରେ ସେ ସ୍ବର ।ଭଲରେ ଆଉ ମନେବି ପଡୁନି ମନେ ପକେଇଲେ ବି।ବହୁତ ଇଚ୍ଛା ହେଉଛିରେ, ଆଉଥରେ ଶୁଣିବାକୁ ସେଇ ସ୍ବର ତୋ ଓଠରୁ " ଏଇ ଚାନ୍ଦିନି"।


ମନେ ଅଛିନା, ଏମିତି ଜହ୍ନରାତି ଆସିଲେ ତୁ ଘରକୁ ଯିବାର ନାଁ ବି ଧରୁନୁ।କହୁ ଏମିତି ଆକାଶକୁ ଅନେଇ ଆମେ ସାରା ରାତି ତାରା ଗଣନ୍ତେ କି।ତୁ ଗଣୁ ତାରା , ଆଉ ମୁଁ ବି ଗଣେ।ଅସରନ୍ତି ତାରା ଗଣିବାର ଚେଷ୍ଟା ନିଷ୍ଫଳ ହୁଏ ଆମର।ମୁଁ ଘରକୁ ଯିବାକୁ ଚାହେଁ।କିନ୍ତୁ ତୁ ମନାକରୁ।ବୋଧେ ତୁ ଚାହୁଁ ଏ ରାତି ନପାହାନ୍ତା କି ତୋ ଖେଳ ନସରନ୍ତା କି। କିନ୍ତୁ ତୁ ହାର ମାନୁ।ତୋ ଆଈଙ୍କ ଠାରୁ କାନମୋଡା ଖାଇ କାନ୍ଦି କାନ୍ଦି ତୋ ମାମୁଁ ଘରକୁ ଯାଉ।ଆଉ ମୁଁ ଫେରିଆସେ ବିକଳ ନଜରରେ ତୋତେ ପଛକୁ ଚାହିଁ ଚାହିଁ।ଆକାଶରେ ଜହ୍ନ ସେମିତି ହସୁଥାଏ।କିନ୍ତୁ ଆମ ଦୁହିଁଙ୍କ ଆଖିରେ ଲୁହ।


ତୁ ପ୍ରଥମ ଶ୍ରେଣୀରେ ଯେତେବେଳେ ପଢିଲୁ ସେତେବେଳେ ତୋର ସାନ ଭଉଣୀର ଜନ୍ମ।ମାନୀ ପିଉସୀ ତୋର ଯତ୍ନ ଠିକ୍ ରେ ନେଇ ପାରିଲେନି ବୋଲି ଆଣି ତୋ ମାମୁଁ ଘରେ ,ମାନେ ଏଇଠି ଆମ ଗାଁରେ ଆଣିକି ଛାଡିଦେଇ ଗଲେ।ମୋର ଭଲ ହେଇକି ମନେଅଛି ,ମାନୀ ପିଉସୀ ତୋତେ ଛାଡିକି ଯିବାଦିନ ତୁ ବହୁତ କାନ୍ଦୁଥିଲୁ।ତୋ କାନ୍ଦ ଦେଖି ମାନୀ ପିଉସୀ ବି ବହୁତ କାନ୍ଦୁଥିଲେ।ତୋ କାନ୍ଦ ଶୁଣି ମୁଁ ଦୌଡିଲି ତୋ ମାମୁଁ ଘରକୁ।ତୋ ଆଈ ମୋତେ ଦେଖେଇ କହିଲେ " ଦେଖ୍ ତୋରି ବୟସର ଝିଅଟେ ସିଏ।ସେ ତ କାଇଁ ଏତେ କାନ୍ଦୁନି।ତୁ ପୁଅଟେ ହେଇ ଏମିତି କ'ଣପାଇଁ କାନ୍ଦୁଛୁ।ଏଠି ତୋର କିଛି ଅସୁବିଧା ହେବନି।ଆମ ଚାନ୍ଦିନି ଅଛି ,ତୁ ତା ସହିତ ଖେଳିବୁ।ତା ସହିତ ସାଙ୍ଗ ହେଇ ସ୍କୁଲ ଯିବୁ"।ହଠାତ୍ ଜଳୁଥିବା ନିଆଁ ଉପରେ ଯେମିତି ଅସରାଏ ବର୍ଷା ବରଷିଗଲା ଭଳି ଥମ୍ କରି ତୋ କାନ୍ଦ ବନ୍ଦ ହେଇଗଲା।ତୁ ମୋ ଆଡକୁ ଚାହିଁ ଫିକ୍ କରି ହସିଦେଲୁ।ମୁଁ ବି ତୋ ଆଡକୁ। ତୁ ସାଙ୍ଗେ ସାଙ୍ଗେ ତୋ ଆଈଙ୍କ ହାତମୁଠାରୁ ତୋ ହାତ ଖସେଇ ମୋ ପାଖକୁ ଚାଲି ଆସିଲୁ।ମୋ ଆଡକୁ ଚାହିଁ ଡାକିଲୁ "ଏଇ ଚାନ୍ଦିନୀ"।ଆଃ, ତୋର ସେଇ ଗୁଲୁ ଗୁଲୁ ସ୍ବରରେ କେତେ ମିଠାପଣ ସାଇତି ହେଇ ରହିଥିଲା କେଜାଣି , ମୁଁ ଏକଦମ ସମ୍ମୋହିତ ହେଇପଡିଲି।ତୋ ଆଡକୁ ହାତଟି ବଢେଇ ଦେଲି।ଆଉ ପଚାରିଲି " ତୋ ନାଁ କ'ଣ?"

ତୁ କହିଲୁ " ସ୍ବାଗତ"।

ମୁଁ କହିଲି ଚାଲେ , ଖେଳିବାକୁ ଯିବା।ତୁ ମୁଣ୍ଡ ଟୁଙ୍ଗାରିଲୁ ଆଉ ମୋ ସହିତ ଚାଲି ଆସିଲୁ ଏଇ ଆମ ଖୋଲା ଅଗଣାକୁ।ଏଇ ପଣସ ଗଛ ତଳେ ମୋ ବୋଉ ପକେଇଦେଲା ପୁରୁଣା ଚାଞ୍ଚ ଟିଏ।ଆମେ ତା ଉପରେ ବସି ଖେଳିଲେ ଦିନଯାଇ ସଞ୍ଜ ହେବା ପର୍ଯ୍ଯନ୍ତ।ସଞ୍ଜ ନଇଁଲେ ଜହ୍ନ ଉଇଁଲେ ତୁ ଭାରି ଖୁସିହେଉ, କାହିଁକିନା ଜହ୍ନ ରାତିରେ ଅନ୍ଧାରକୁ ଆଉ ଡର ନଥାଏ।ଦିନ ସରିଯିବାର ଭୟ ନଥାଏ।ଖେଳ ଏମିତି ଚାଲିଥିବ ଅସରନ୍ତି ବେଳ ଯାଏ।କିନ୍ତୁ ମଝିରେ ବାଧକ ସାଜନ୍ତି ତୋ ଆଈ।ସିଏ ଆସି ତୋ ହାତଧରି ତୋତେ ବୁଝେଇ ସୁଝେଇ ଘରକୁ ନେବାକୁ ଚେଷ୍ଟା କରନ୍ତି।ତୁ କିନ୍ତୁ କେବେ ବୁଝୁନା।ବାଧ୍ଯ ହେଇ ତୋ ଆଈ ତୋତେ ଆଖି ଦେଖେଇ ଡରେଇ ଧମକେଇ ନେଇ ଯାଆନ୍ତି।ତୁ ଗଲାବେଳେ ବହୁତ କାନ୍ଦୁ।ତୋ କାନ୍ଦ ମୁଁ ସହିପାରେନି।ସେମିତି କାନପାରି ବସିଥାଏ ଆମ ଝରକା ପାଖରେ।କେତେବେଳେ ତୋ ପାଟି ଚୁପ୍ ହେବ।ତୋ ପାଟି କିଛି ସମୟ ପରେ ଚୁପ୍ ହେଇଯାଏ।ମୋ ଉଦାସୀ ମନ ଶାନ୍ତ ହେଇଯାଏ।ଓଠରେ ଧାରେ ହସ ଖେଳେଇ ହେଇଯାଏ।


ସବୁଦିନ ସ୍କୁଲ ଗଲାବେଳକୁ ତୁ ଚାଲି ଆସୁ ଆମ ଘରକୁ।ଆମେ ଦୁହେଁ ସାଙ୍ଗ ହେଇ ହାତଧରାଧରି ହେଇ ସ୍କୁଲ ଯାଆନ୍ତି।ତୋ ଆଈ ଆମ ପଛେପଛେ ଯାଆନ୍ତି।ମୋ ବୋଉର କାମ ହାଲକା ହେଇଯାଏ।ଆମେ ଭାଇ ଭଉଣୀ ପାଞ୍ଚଜଣ ।ବୋଉକୁ ଟିକେ କାମ ଅଧିକ ପଡେ।ତୋ ଆଈସହିତ ମୁଁ ସ୍କୁଲ ପଳେଇଲେ ସେ ଭାରି ଉଶ୍ବାସ ହୁଏ।


ଧିରେ ଧିରେ ତୁ ତୋ ମାମୁଁ ଘରକୁ ବେଶି ଭଲ ପାଇ ବସିଲୁ।ତୁମ ଘରକୁ ଆଉ ଯିବାକୁ ଚାହିଁଲୁନି।ମାନୀ ପିଉସୀ ଅନେକ ଥର ନେବାକୁ ଆସିଲେବି ତୁ ଆଉ ରାଜି ହେଉନୁ।ଏକା ତୁ କାହିଁକି ,ମୋ ଭିତରଟା ବି ଦଳି ମକଚି ମନ୍ଥି ହେଇଯାଏ ତୋ ଯିବା କଥା ଶୁଣି।ଶେଷରେ ତୋରି ଜିଦି ରହିଲା।ତୁ ସବୁଦିନ ପାଇଁ ତୋ ମାମୁଁଘରେ ରହି ପଢିବାକୁ ବ୍ଯବସ୍ଥା କରାଗଲା।


ତୁ ଏତେ ଚଗଲା ହେଉ, ଏତେ ସମୟ ଖେଳରେ ବିତାଉ ତଥାପି ତୁ ସ୍କୁଲରେ ଭଲ ପଢୁ।ତୋ ମାମୁଁ ଆମଗାଁ ସ୍କୁଲରେ ଶିକ୍ଷକ ଥିଲେ।ସେ ତୋତେ ପାଖରେ ବସେଇ ପଢାନ୍ତି।ତୁ ସ୍କୁଲରେ ପ୍ରଥମ ହେଉ।କାହିଁକି କେଜାଣି ତୋର ସଫଳତାରେ ମୁଁ ଖୁସି ହେଇଯାଏ।ଯଦିବା ମୋ ସ୍ଥାନ ଶ୍ରେଣୀରେ ଶେଷ ଆଡୁ ଦଶନମ୍ବରରେ ଥାଏ।ତୋ ପଛ ପିଲା ଯଦି କେବେ କେବେ ତୋ ଯାଗା ନେଇଯାଏ ତୁ କେତେ ମନଦୁଃଖ କରୁ ମୋତେ ଜଣାନାଇଁ, କିନ୍ତୁ ସେଦିନ ମୁଁ ଖାଇବା ପିଇବା ଛାଡିଦିଏ।ତୋ ଓଠରେ କିନ୍ତୁ ସବୁଦିନ ଭଳି ସେଇ ତାଜା ତାଜା ହସ।ସେଇ ମିଠା ମିଠା ସ୍ବର।ମୁଁ ମନ ଦୁଃଖ କରି ଏଇ ପଣସ ଗଛ ତଳେ ବସିଥାଏ।ଆଉ ତୁ ପଛରୁ ଆସି ଡାକୁ ସବୁଥର ଭଳି " ଏଇ, ଚାନ୍ଦିନୀ" ।ସେତିକିରେ ମୋର ସବୁ ଦୁଃଖ କଷ୍ଟ କୁଆଡେ ଧୋଇହେଇ ଯାଏ।ମୁଁ ମୋ ମନ ଦୁଃଖର କାରଣ ତୋ ଆଗରେ ଖୋଲି କୁହେ।ମୁଁ ତୋତେ ସବୁବେଳେ ଶ୍ରେଣୀରେ ପ୍ରଥମ ହେବାର ଦେଖିବାକୁ ଚାହେଁ।


ବାସ୍, ତୁ ଆଉ କେବେ ବି ସେ ଯାଗା କାହାକୁ ଦେଇନାହୁଁ ସେବେଠାରୁ।ତୁ ଖୁସି, ମୁଁ ଖୁସି, ଆଉ ଆମ ଦୁଇପରିବାର ବି ବହୁତ ଖୁସି।ଧିରେ ଧିରେ ଆମର ଶ୍ରେଣୀ ବଢୁଥିଲା।ଆମର ବୟସ ବଢୁଥିଲା।ଆମ ଭିତରେ ଲାଜର ପାଚେରୀ ଟିଏ ଛିଡା ହେଉଥିଲା।ତୁ ରାଗୁଥିଲୁ, ସେଇ ପାଚେରୀ ଭାଙ୍ଗି ମୋ ଇଲାକାକୁ ଅବାଧରେ ପ୍ରବେଶ କରୁଥିଲୁ।ମୁଁ ବି ବୋଧେ ଚାତକ ଭଳି ଚାହିଁ ରହିଥାଏ କି କ'ଣ, ତୋତେ ପ୍ରତିବାଦ କରୁନଥିଲି।ଆମେ ସେମିତି ସାଙ୍ଗ ହେଇ ସ୍କୁଲ ଯାଉଥିଲେ, ଆମେ ସେମିତି ଜହ୍ନ ଆଲୋକରେ ଆମ ଅଗଣାରେ ଚୁପ୍ ହେଇ ବସୁଥିଲେ।ନୀରବରେ ଅନେକ କଥା କହିଯାଉଥିଲେ।ତୋ ଆଖିର ଭାଷା ମୁଁ ପଢୁଥିଲି, ଆଉ ମୋ ଆଖିର ଭାଷା ତୁ।ଆମର ଧୂଳିଖେଳିବାର ବୟସ ଗଡିଯାଇଥିଲା।ଆମେ କେବଳ ନୀରବରେ ପାଖାପାଖି ବସିରହିବାରେ ବି ବହୁତ ମଜା ଲାଗୁଥିଲା ।ପିଲାଦିନର ସେଇ ଧୂଳିଖେଳଠାରୁ ଆହୁରି ମଜା।ଚନ୍ଦ୍ରର ଚାନ୍ଦିନୀ ଆମ ଉପରେ ବିଛେଇ ହେଇ ପଡିଥାଏ।ତୋଫା ଜହ୍ନର ଆଲୁଅରେ ତୋମୁହଁ ଝଲସି ଉଠୁଥାଏ।କୈଶୋରର ପ୍ରାରମ୍ଭିକ ସୂଚନା ତୋ ମୁହଁରେ ବାରି ହେଇଯାଉଥାଏ।ମୋ ଭଳି କିଶୋରୀଟିଏର ମନପ୍ରାଣ ଚୋରିହେଇ ଯାଉଥାଏ ସେଇ ଚେହେରା ଦେଖି। କିଶୋର ସ୍ବର ତୋର ଆହୁରି ମିଠା ଲାଗୁଥାଏ ମୋ କାନକୁ।ପିଲାଦିନର ଗୁଲୁଗୁଲିଆ ସ୍ବରଠାରୁ କିଶୋର ସ୍ବରରେ ତୋର ସେଇ ଡାକ " ଏଇ ଚାନ୍ଦିନୀ" ମୋତେ ଆନମନା କରିଦିଏ। ଆହୁରି ମିଠାଲାଗେ ମୋତେ ସେଇ ସ୍ବର।ରୋମାଞ୍ଚିତ ହେଇଯାଏ ମୋର ସମଗ୍ର ସତ୍ତା ।କିନ୍ତୁ ଏ ସବୁର ମାନେ କିଛି ବୁଝିବା ଭଳି ମାନସିକତା ମୋର ଆସିନଥାଏ।


ଆଗକୁ ଥାଏ ଆମର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା।ସାଙ୍ଗ ହେଇ ପଢିଲେ ଆମେ ଅଧିକ ସମୟ ପଢିପାରିବା ଭାବି ତୁ ଆଉ ମୁଁ ଦିନରାତି ଆମରି ଏଇ ଅଗଣାରେ ବସି ପାଠପଢେ।ତୁ ପଢୁକି ନାଇଁ ମୋତେ ଜଣାନାଇଁ, ମୁଁ କିନ୍ତୁ ପଢୁଥାଏ ତୋର ମୁହଁରେ ଲେଖାଥିବା ଅନେକ ବିନ୍ଦୁ ରେଖା।ଏତେ ତନ୍ନତନ୍ନ କରି ପଢିଥାଏ ସେ ସବୁକୁ ଯେ, ଆଜିଯାଏ ବି ତୋ ମୁହଁର ପ୍ରତିଟି ଚିହ୍ନ ବିନ୍ଦୁ ମୋ ଆଖିରେ ଲାଖି ରହିଛି ସେମିତି ସ୍ପଷ୍ଟ ଭାବେ।


ଶେଷ ପରୀକ୍ଷା ଦିନ ଆମେ ପରୀକ୍ଷା ଦେଇସାରି ଘରକୁ ଫେରିଲେ।ଏକା ମୋ ମୁହଁ କାହିଁକି, ତୋ ମୁହଁବି ସାମାନ୍ଯ ଉଦାସ ଦିଶୁଥାଏ।କିନ୍ତୁ ଆମେ ଏକଦମ ନୀରବ ଥାଆନ୍ତି।ବୋଧେ ବହୁତ କିଛି କଥା କହିବାକୁ ଥାଏ, କିନ୍ତୁ କହି ହେଉନଥାଏ।ଆମେ ଦୁହେଁ ଚୁପ୍ ଚାପ ନିଜ ନିଜ ଘରକୁ ଚାଲିଗଲେ।ତା ପରଦିନ ତୋର ତୁମ ଗାଁକୁ ଚାଲିଯିବାର ଥାଏ।ଏଇକଥାଟି କାହିଁକି କେଜାଣି ମୋର ଅବୁଝାମନ ଗ୍ରହଣ କରିବାକୁ ନାରାଜ।ମୁହଁରେ ଘୋଟି ଯାଇଥାଏ ଅମାବାସ୍ଯାର କାଳିମାରୁ ଧାରେ। ଆକାଶରୁ ଯେତେ ଚାନ୍ଦିନୀ ବିଛାଡିହେଇ ପଡିଲେ ବି ମୋ ଉପରେ ତା'ର କିଛି ଫରକ ପଡୁନଥାଏ।ମୋ ଚେହେରାରେ ସେମିତି କଳାହାଣ୍ଡିଆ ବାଦଲ ଢାଙ୍କି ହେଇଥାଏ।ସମଗ୍ର ହୃଦୟକୁ ଆବୋରି ବସିଥାଏ।ମୁଁ ଚୁପ୍ ହେଇ ଆସି ବସିଥାଏ ଏଇଠି ଏଇ ଅଗଣାରେ।ତୁ ଚୁପି ଚୁପି ଆସିଲୁ।ପଛରୁ ମୋର ଦୁଇ ଆଖିକୁ ଚାପି ଧରିଲୁ।ପ୍ରଥମ କରି ମୋ ଦେହରେ ଗୋଟେ ତରଙ୍ଗ ଖେଳିଗଲା ଭଳି ଲାଗିଲା।କିନ୍ତୁ ମୋ କୁଆଁରୀ ଦେହକୁ ଭାରି ଅସହଜ ଲାଗୁଥାଏ ତୋର ସେଇ ମିଠା ହରକତ।ମୁଁ ଟିକେ ଛାଟିପିଟି ହେଲା ବେଳକୁ ତୁ ତୋର ସେଇ ଚିରାଚରିତ ପ୍ରୀତି ଭରା ମିଠା ସ୍ବରରେ ମୋ କାନପାଖରେ ଓଠ ରଖି କହିଲୁ " ଏଇ ,ଚାନ୍ଦିନି, ମୁଁ ପରା।ପାଟି କରନା ପ୍ଳିଜ"। ଏଥର ମୁଁ ଚୁପ୍ ପଡିଗଲି।ତୁ ହାତ ଖସେଇ ଆଣି ମୋ ସାମ୍ନାରେ ଛିଡାହେଲୁ ହସିହସି।

ମୁଁ ଚାହିଁଲି ଟିକେ କୃତ୍ରିମ ଅଭିମାନ ଭରା ଚାହାଁଣୀରେ।ତୁ ବୋଧେ ବୁଝି ପାରିଲୁ କି କ'ଣ।ମୋ ହାତକୁ ବଢେଇଦେଲୁ ଚାରିଚଉତା କାଗଜ ଖଣ୍ଡେ।ମୁଁ ତାକୁ ଜହ୍ନ ଆଲୁଅରେ ପଢିବାକୁ ଲାଗିଲି।ଓଠରୁ ମୋର ଶବ୍ଦ ବାହାରୁ ନଥାଏ ସେସବୁ ପଢିକି।ତୁ ଚାହିଁଥାଉ ପ୍ରଶ୍ନିଳ ଆଖିରେ ମୋତେ।ମୁଁ ଚାହିଁଥାଏ ଆଶ୍ଚର୍ଯ୍ଯ ହେଇ ତୋତେ।ଏତେସବୁ କଥା ତୋ ମନରେ କେବେଠାରୁ?


ହଠାତ୍ ତୋ ମାଇଁ ଆମ ପଛପଟେ ଛିଡାହେଇଗଲେ।ମୋତେ କେମିତି ଗୋଟେ କଟାକ୍ଷ ଫିଙ୍ଗିଦେଇ ତୋତେ ତମ ଘରକୁ ଡାକିନେଲେ।ଅନେକ କଥା ତୋତେ କହିବାର ଥିଲା, ଅନେକ କଥା ତୋ ଠାରୁ ଶୁଣିବାର ବି ଥିଲା।କିନ୍ତୁ ତାପରଦିନ ଅପରାହ୍ନରେ ତମ ଘରକୁ ଯିବାର ଯୋଜନା ବାତିଲ ହେଇ ସକାଳକୁ କାର୍ଯ୍ଯକାରୀ ହେଲା।ସେଦିନ ରାତି ସାରା ମୁଁ ଠିକ୍ ରେ ଶୋଇପାରିନଥିଲି ତୋ ଚିଠିପଢିସାରି।ଭୋରୁ ଭୋରୁ ନିଦ ଟିକେ ଜୋରରେ ଲାଗିଯାଇଥିଲା।ସକାଳୁ ବି ବୋଉ ଆଉ ଉଠେଇଲାନି ଜଲଦି ପରୀକ୍ଷା ସରିଛି ବୋଲି।ଡେରିରେ ଉଠି ବୋଉଠାରୁ ଶୁଣିବାକୁ ପାଇଲି ତୁ ତମ ଘରକୁ ଚାଲିଯାଇଛୁ।ମନଟା ହା ହୁତାସନରେ ଜଳି ଉଠିଲା।କାଲି ରାତିସାରା ଅନେକ କଥା ଭାବିଥିଲି ତୋତେ କହିବା ପାଇଁ।ଅନେକ ପ୍ରଶ୍ନ ତିଆରି କରି ରଖିଥିଲି ତୋତେ ପଚାରିବା ପାଇଁ।ସବୁକିଛି ସେମିତି ଅକୁହା ଅଶୁଣା ହେଇ ରହିଗଲା ଆଜିଯାଏ।କାହିଁକି କେଜାଣି ସେଇକଥା ଆଉ କାହାକୁ କହିବାକୁ ମନ ଟେକିଲାନି।ଆଉ କାହାଠାରୁ ଶୁଣିବାକୁ ବି ଇଚ୍ଛା ହେଲାନି।ଏକଦମ ଶୁଖିଲା ନଈଟିଏ ଭଳି ପଡିରହିଲି ଏଇ ଅଗଣାରେ ସେମିତି ସେଇଦିନୁ।


ଏଇ ଭିତରେ ବାପା ବୋଉ ଚାଲିଗଲେଣି।ତିନି ଭାଇ ଓ ଗୋଟେ ଭଉଣୀ ବାହା ହେଇଗଲେଣି।ଏକା ପଡିରହିଛି ମୁଁ ଏଇଠି ଏମିତି।ଭାଉଜମାନଙ୍କର ସବୁ ହତାଦରକୁ ସହିସହି।କୁଆଡେ ଯିବାକୁ ଆଉ ଉପାୟ ନାହିଁ କିମ୍ବା ରାସ୍ତା ନାହିଁ। ଯେଉଁ ଶେଷ ରାସ୍ତା ଗୋଟିକ ଅଛି ସେଇ ରାସ୍ତାରେ ଯିବାକୁ ଚାହିଁଲେ କେହିଜଣେ ପାଦ ଦୁଇଟିଧରି ଅଟକେଇ ଦେଉଛି।ମନ ଭିତରେ ଆଶାର କିରଣ ଟିଏ ଦିକିଦିକି ହେଇ ଜଳୁଛି ମନ ଚାହୁଁଛି ଟିକେ ଧୈର୍ଯ୍ଯ ଧରେ।ଧୈର୍ଯ୍ଯ ଧରିଛି କାହିଁକିନା "ଦେଖାହେଲେ କହିବି ସେକଥା"।

ତୁ ଚିଠିରେ ପଚାରିଥିବା ସେଇ ପଦିଏ କଥାର ପଦିଏ ଉତ୍ତର।


ଏଇ, ସ୍ବାଗତ!ଦେଖ୍ ।ଆଜିବି ଆକାଶରେ ଚାନ୍ଦିନି ବିଛେଇ ହେଇ ପଡୁଛି।କିନ୍ତୁ ମୋ ଆଖପାଖ ଏକଦମ ଅମା ଅନ୍ଧାକାର। ଆଗକୁ ଆସୁଛି କୁମାର ପୂର୍ଣ୍ଣିମା।ଭାଇମାନେ ନୂଆ ଡ୍ରେସ ଆଣିବାକୁ କହୁଥିଲେ।ଭାଉଜ ମାନେ ପ୍ରତିବାଦ କଲେ।ବୟସ ଆସି ତିରିଶିହେଲା।ମୋ ବୟସର ସବୁ ଝିଅମାନେ କୁଆଡେ ଦୁଇଦୁଇଟି ଛୁଆର ମାଆ, ହେଲେଣି।ଆଉ ମୁଁ ବୁଢୀକାଳେ କୁଆଁରୀ ମାନଙ୍କ ଓଷାକରୁଛି ଲାଜ ନାହିଁବୋଲି।କାହିଁକି କେଜାଣି କଥାଟି ଆଜି ଭାରି ଅସହ୍ଯ ହେଲା।ଆଖି ବୋଲ ମାନିଲା ନାହିଁ।ବାପା ବୋଉଙ୍କ କଥା ଭାରି ମନେପଡିଲା।ତା ସହିତ ତୋ କଥାବି।ତୁ କ'ଣ ମୋ ବାପା ବୋଉଙ୍କ ଭଳି ମୋତେ ଭଲ ପାଉଥିଲୁ?ନହେଲେ ବାପା ବୋଉଙ୍କ ପଛକୁ ଯଦି କାହାକଥା ମନେପଡିଲା ସିଏ ହେଲା ତୁ ।କାହିଁକି?


ସେ ଯାହା ହେଉ, ମୋ ଚାରିପଟେ ସିନା ଅମା ଅନ୍ଧକାର।ମୁଁ ଶୁଣିଛି ତୋ ଚାରିପଟେ ଆଲୋକର ରୋଷଣୀ।ତୁ ଏଇ ଭିତରେ ପାଠପଢି ବିଦେଶରେ ଜଣେ ଭଲ ଇଞ୍ଜିନିଅର।ମୋଟା ଅଙ୍କର ଦରମା।ଦାମୀ ଗାଡି।ସହରରେ ଘର।ବୋଧେ ତୋତେ ଆମ ଗାଁକୁ ଆସିବାକୁ କଡା କଟକଣା ଭିତରେ ରଖାଯାଇଛି।କିନ୍ତୁ ତୋ ଖବର ଆମ ଗାଁରେ ପହଞ୍ଚି ପାରୁଛି।ଏଇ ମାର୍ଗଶିରରେ ତୋର ବାହାଘର ହେଉଛି।ଝିଅଟି ଦେଖିବାକୁ କୁଆଡେ ବହୁତ ସୁନ୍ଦର।ତୋରି ଭଳି ସେ ବି ଜଣେ ଇଞ୍ଜିନିଅର।ଈଶ୍ବର ତୁମ ଦୁହିଁଙ୍କର ଦାମ୍ପତ୍ଯ ଜୀବନ ସୁଖମୟ କରନ୍ତୁ।ବହୁତ ସୁଖରେ ତୁ ରହ। ରାତି ଅନେକ ହେଲାଣି।ଅଳସ ଆଖିରେ ନିଦ ଖୁନ୍ଦିହେଇ ଆସିଲାଣି। ମୁଁ ଜାଣେ ,ମୋତେ ଏ ଘରେ କେହି ଖୋଜିବେନି କି ଲୋଡିବେନି।ଭଲ ହେବ ନିଜର ଅଭିମାନ ନିଜେ ଭାଙ୍ଗି ଶୋଇବାକୁ ଚାଲିଯାଉଛି।ଆହୁରି ଅନେକ କଥା ରହିଗଲା।"ଦେଖାହେଲେ କହିବି ସେକଥା"।ଶୁଭରାତ୍ରି।


ଅଚାନକ ସକାଳର ବାଳ ସୂର୍ଯ୍ଯଙ୍କର କୋମଳ କିରଣରେ ନିଦ ଭାଙ୍ଗିଲା ମୋର। ଦେଖିଲି ଆଜିର ସକାଳରେ ଚମକ ଖୁନ୍ଦି ହେଇଛି। ପବନରେ ବାସ୍ନା ଭରି ହେଇଛି।ଲାଗୁଛି ଯେମିତି କେହି ମୋ ପାଇଁ ସନ୍ଦେଶ ନେଇ ଆସୁଛି।ଉଠିକି ନିଜର ନିତ୍ଯକର୍ମ ସାରୁଛି।ବାହାରେ କାର୍ ର ହର୍ଣ୍ଣ ଶୁଭିଲା।ହଁ କିଏ ହେଇଥିବ ଗୋଟେ।ନିଜ କାମରେ ମନ ଦେଲି ମୁଁ।ଆଇନା ସାମ୍ନାରେ ଛିଡାହେଇ ନିଜର ରୁଖା ଶୁଖା ମୁହଁକୁ ଚାହିଁ ଭାବି ହେଉଛି କାଲି ରାତିର କଥା। କବାଟ ପାଖରୁ ଶୁଭିଲା ସେଇ ପରିଚିତ ସ୍ବର , ଏଇ ଚାନ୍ଦିନୀ।ଚମକି ପଡିଲି । କିଏ ଇଏ, କାହାର ଏ ସ୍ବର !ମୁଁ କ'ଣ ଆଉ ସ୍ବପ୍ନ ଦେଖୁଛି କି ?ନା, ନା, ମୁଁ ସମ୍ପୂର୍ଣ୍ଣ ଚେତନ ଅବସ୍ଥାରେ ଅଛି।ଇଏ ସ୍ବପ୍ନ ହେଇନପାରେ। ଆଇନାରେ ମୋ ପ୍ରତିବିମ୍ବ ପଛରେ ଆଉଜଣଙ୍କର ପ୍ରତିବିମ୍ବ। ମୋ ଆଖିରେ ଅମାନିଆ ଲୁହ ସେଇ ପ୍ରତିବିମ୍ବକୁ ଦେଖି। ମୋ ହାତରେ ଗୁଡେଇ ହେଇ ଯାଉଛି ଆଉ କାହାର ବଳିଷ୍ଠ ହାତ।ଲାଜରେ ଆଖି ବନ୍ଦ ହେଇଗଲା ମୋର।ମୋ କାନ ପାଖରେ ଚୁପିଚୁପି ହେଇ ଶୁଭୁଥିଲା ସ୍ବାଗତର କଣ୍ଠସ୍ବର, " କ'ଣ ଭାବିଲୁ, ଆଉ ଆସିବିନି ଶୁଣିବାକୁ ଅବଶିଷ୍ଟ କଥା ସବୁକୁ?"

ମୁଁ ସେମିତି ଆଖିବୁଜି କହିଲି, ଆଉ କ'ଣ ଲାଭ ଅଛି କହିକି।


ଥରେ କହିକି ତ ଦେଖ୍।। ହଁ , ନା ନାଁ।


ମୋ ପାଟିରୁ କିଛି କଥା ବାହାରୁ ନଥିଲା। ସ୍ବାଗତର ମାଇଁଙ୍କ ଠାରୁ ଶୁଣିଥିଲି ସ୍ବାଗତର ବାହାଘର ଠିକ୍ ହେଇଯାଇଛି।ଏ ସମୟରେ ଆଉ ସେ କଥା କାହିଁକି।


ଆଉଥରେ ସ୍ବାଗତର ସେଇ ମିଠା ସ୍ବର, "ଏଇ ଚାନ୍ଦିନୀ " କହ କିଛି।


ଆପେ ଆପେ ପାଟିରୁ ବାହାରି ଆସିଲା "ହୁଁ"। ସ୍ବାଗତର ଚେହେରାରେ ଖୁସିର ଫୁଆରା। ଏଥରକ ଘର ଭିତରକୁ ପଶିଆସିଲେ ମାନୀ ପିଉସୀଙ୍କ ସହ ମୋ ବଡ ଭାଇ, ମାନୀ ପିଉସୀ ମୋ ହାତରେ ତାଙ୍କ ହାତରୁ କଙ୍କଣ କାଢି ପିନ୍ଧେଇଦେଇ କହିଲେ " ଏଥର ମୋର ଗୋଟେ ବଡ ବୋଝ ହାଲକା ହେଲା।ଏ ଟୋକା ମୋତେ କମ୍ ନାକେଦମ କଲାଣି।ପରେ ଆମେ ସବୁ ଫୋନ ରେ କଥା ହେବା।ଏଥର ଆମେ ଆସୁଛୁ"।


ମୋତେ ତ ସବୁ ସ୍ବପ୍ନ ଭଳି ଲାଗୁଥାଏ।ଅଚାନକ ଇଏ ସବୁ ସମ୍ଭବ ହେଲା କେମିତି। ସ୍ବାଗତ ମୋର ଆଶ୍ଚର୍ଯ୍ଯ ଚକିତ ମୁଖମଣ୍ଡଳକୁ ଦେଖି ସବୁ ବୁଝିପାରି ଯିବା ପୂର୍ବରୁ ମୋ କାନରେ ଆଉଥରେ କହିଦେଇଗଲେ " ଦେଖାହେଲେ କହିବି ସେକଥା"। 



Rate this content
Log in