Rajalaxmi Mohanty

Others

4  

Rajalaxmi Mohanty

Others

ପାଟ ଓଢଣୀ

ପାଟ ଓଢଣୀ

13 mins
379


ସକାଳୁ ସକାଳୁ ବହିଖ ଣ୍ଡେ ହାତରେ ଧରି ଝରକା ନିକଟରେ ବସି ପଡିଲା ମନୋଜ । ପାଠରେ କେତେ ଆଗ୍ରହ ତାକୁ ଏକା ଜଣା । ବହି ଧରି ବସିବାର କାରଣ କିନ୍ତୁ ଅଲଗା । ଏବେ ସକାଳ ଜମାରୁ ପାଞ୍ଚଟା ବାଜିଛି । ଏତେ ଜଲଦି ତା'ର କେଉଁ ନିଦ ଭାଙ୍ଗେ । ଏବେ କିଛିଦିନ ହେଲା କିନ୍ତୁ ଭାଙ୍ଗି ଯାଉଛି । ଡେରିହେଲେ ସୁବର୍ଣ୍ଣ ସୁଯୋଗଟି ହାତରୁ ଖସିଯିବଯେ । କିଛିଦିନ ହେଲା ସେ ଲକ୍ଷ୍ୟ କରୁଛି ଏଇ ପାଞ୍ଚରୁ ସାଢେ ପାଞ୍ଚ ଭିତରେ ଝରଣା ଗାଧେଇବାକୁ ଗଡିଆକୁ ଯାଉଛି । ସେଥିପାଇଁ ମନୋଜକୁ ଆଉ ରାତିରେ ଭଲରେ ନିଦ ହେଉନି । କେତେବଳେ ରାତି ପାହିବ ସକାଳ ହେବ, ଘଣ୍ଟାରେ ପାଞ୍ଚଟା ବାଜିବ,ସେ ଝରଣାର ଗାଧୁଆ ବାଟକୁ ଚାହିଁ ରହିବ । ଯମୁନା କୂଳରେ କୃଷ୍ଣ ରାଧାଙ୍କୁ ଜଗି ରହିଲା ଭଳି । 


ସତକୁ ସତ ଠିକ୍ ପାଞ୍ଚଟା କୋଡିଏ ବେଳକୁ ଝରଣା ବାଡିପଟ ପାହାଚ ଗୋଟିଏ ପରେ ଗୋଟିଏ ଓହ୍ଲେଇ ଆସୁଥିଲା । ତା ପାଉଁଜିର ମିଠା ସ୍ୱର ମନୋଜକୁ ପାଗଳ ବନେଇ ଦେଉଥିଲା । ସେ ଅତି ସନ୍ତର୍ପଣରେ ଏକା ଖଞ୍ଜରେ ଚାହିଁ ରହିଥାଏ ସେମିତି ଝରଣାର ବାଡି ପଟକୁ । ବାଡି ପାହାଚରୁ ସେମିତି ଲମ୍ବିଛି ବିରାଟ ବଡ ବାଡି । ତାକୁ ପାର ହେଲେ ଯାଇ ପଡିବ ଗଡିଆ । ବାଡି ପାର ହେବା ଯାଏ ଅପଲକ ନେତ୍ରରେ ସେମିତି ଚାହିଁରହିଥିଲା ମନୋଜ ଝରଣାର ଯିବା ବାଟକୁ । ତା ହଂସିନୀ ଚାଲିରେ ଲକ୍ଷେ ପଦ୍ମ ଫୁଟିଲା ଭଳି ଲାଗୁଥାଏ ମନୋଜକୁ । ଗୋଟେ ସ୍କର୍ଟ ଆଉ ଟପ୍ ପିନ୍ଧିଥାଏ ଝରଣା । ସ୍କାର୍ଟର ଘେର ପବନରେ ଉଡୁଥାଏ ଏଣେତେଣେ । ତାକୁ ସମ୍ଭାଳି ସମ୍ଭାଳି ଆଗକୁ ଆଗକୁ ଚାଲୁଥାଏ ଧିର ମନ୍ଥର ବେଗରେ ସେ । ମନୋଜର ପାଠ ପଢା ସେତିକିରେ ବନ୍ଦ । ବହି ବନ୍ଦ କରି ରଖିଦେଲା ସେ ଏଥର । କହିବାକୁ ଗଲେ କେଉଁ ବହି ଧରି ସେ ବସିଥିଲା,ନିଜେବି ଜାଣିନଥିଲା । କେବଳ ଥାକରୁ ସେମିତି ଗୋଟେ ଧରିପକେଇଥିଲା । ଏଥର ବହି ବଦଳରେ ଥାକରୁ ତା ପ୍ରିୟ ଡାଇରୀ ବାହାର କଲା । ନାଲି ନାଲି ଗୋଲ ଗୋଲ ଅକ୍ଷରରେ ସଜେଇଦେଲା ଧାଡି ପରେ ଧାଡି କବିତା । କେଉଁଠୁ ଆସେ କେଜାଣି ଏତେ ଭାବନା,ଏତେ ଶବ୍ଦ । ସେ ନିଜେବି ଜାଣେନା । କେବଳ ଏଇଠି ବସି ସେ ଝରଣାକୁ ଥରେ ଦେଖିଦେଲେ ହିଁ ଏଇ ସବୁ ଚିନ୍ତା ଭାବନା ଶବ୍ଦାବଳୀ ସବୁ ତା'ର ଛାତି ତଳୁ ବାହାରିଆସେ କଲମ ମୂନ ନିଃସୃତ ସ୍ୟାହିରେ ରୂପରଙ୍ଗ ନେଇ । 


ଏଇ ଭିତରେ ଛଅଟା ବାଜି ସାରିଥାଏ । ଏଥର ଝରଣାର ଗଡିଆ କୂଳରୁ ଫେରିବା ସମୟ ହେଇଗଲାକି କ'ଣ । ଟିକିଏ ଦୂରରୁ ରହିରହି ଶୁଭୁଛି ତା ପାଉଁଜିର ରୁଣୁଝୁଣୁ ଝଙ୍କାର । ମୁଣ୍ଡ ଟେକି ଚାହିଁଲା ମନୋଜ । ଏଇ ଭିତରେ ଏକ ଦୀର୍ଘ କବିତା ସେ ଲେଖି ସାରିଥାଏ । ଡାଇରୀ ବନ୍ଦ କରି ସାରି ସେ ସେମିତି ପ୍ରତିମା ମୁଦ୍ରାରେ ଚାହିଁରହିଲା ଝରଣାର ଫେରିବା ବାଟକୁ । ଝରଣା ଫେରୁଥିଲା । ଗାଧୁଆ ପୂର୍ବ ଠାରୁ ଗାଧୁଆ ପରର ଦୃଶ୍ୟ ଆହୁରି ମନଲୋଭା ଥିଲା । ଗୋରା ତକତକ ହଳଦୀ ମଖା ମୁହଁଟି ତା'ର ସୂର୍ଯ୍ୟ କିରଣ ପଡି ଆହୁରି ଚିକିମିକି କରୁଥିଲା । ଓଦା କେଶରୁ କିଛି ମୁହଁ ଉପରକୁ ଓହଳି ଆସିଥିଲା । ସେଥିରୁ ଟୋପେଟୋପେ ପାଣି ଝରି ପଡୁଥିଲା । ସେଇ ପାଣି ସିଧା ଆସି ଝରଣାର ମୁହଁରେ ପଡି ମୁକୁତା ଭଳି ଭ୍ରମ ସୃଷ୍ଟି କରୁଥିଲା । ଏଥର ଆଉ ଚଗଲା ପବନରେ ତା'ର ସ୍କର୍ଟ ଦୋଳି ଖେଳୁନଥିଲା । ଓଦା ଦେହରେ ଲାଖି ହେଇ ରହିଥିଲା ଅମାନିଆ ବାଳୁତ ଟି ମାଆ ଠାରୁ ଗାଳି ଖାଇ ଚୁପ୍ ପଡିଲା ଭଳି । ଏଥର ଝରଣା ତାଙ୍କର ପଥର ପାହାଚ ପରେ ପାହାଚ ଚଢି ଘର ଭିତରକୁ ଗଲା । ବାରି କବାଟ ଧଡ୍ କରି ବନ୍ଦ ହେଲା । ଧଡ୍ କରି ମନୋଜ ଛାତିରେ ଆବାଜ ଆସିଲା । ଏଥର ସେ ଫେରିଲା ଚେତନ ଅବସ୍ଥାକୁ । ଘଣ୍ଟାକୁ ଚାହିଁଲା । ଜମା ଛଅଟା ପନ୍ଦର ହେଇଛି । ଆଉ ଟିକିଏ ଶୋଇ ପଡିବି ଭାବି ଶୋଇପଡିଲା । ଏ ପାଠରୁ କ'ଣ ମିଳିବ ହେ । ଶୋଇପଡିଲେ ହେଲେ ସପନରେ ଟିକେ ଝରଣାକୁ ଛୁଇଁ ପାରିବ । ଚେତନ ଅବସ୍ଥାରେ କେବଳ ଦେଖିପାରୁଛି ଯାହା । କିନ୍ତୁ ଅବଚେତନ ମନରେ ସେ ଝରଣା ସାଥିରେ ସାଥିହେଇ କେତେ କୁଆଡେ ବହି ଯାଉଛି ତା'ର କୂଳ କିନାରା ନାହିଁ । 


ମନୋଜର ବୋଉ ଆସି ଦେଖିଲେ ମନୋଜ ଶୋଇ ପଡିଛି । ପାଠ ନା ଛେନାଟା ପଢୁଛି କେଜାଣି ଏ ପିଲା । ଏଇନା ବସି ପଢୁଥିଲା ଏତେ ମନ ଧ୍ୟାନରେ, ଏଇନା ଦେଖୁନ ଶୋଇଲାଣି । ଏ ମନୋଜ ଉଠ୍, ସମୟ ହେଲାଣି କଲେଜ ଯିବୁନି କି । ଉଠ୍ ଉଠ୍ କହି ମନୋଜକୁ ଧରି ହଲେଇଦେଇ ଉଠେଇଦେଲେ ତା ବୋଉ । ମନୋଜ ବୋଉ ଉପରେ ବିରକ୍ତ ହେଇ ପୁଣିଥରେ କଡ ବୁଲେଇ ଶୋଇପଡିଲା । 


 ଝରଣାର ଘର ଆଉ ମନୋଜର ଘର ଇଂଗ୍ରାଜିରେ ଏଲ୍ ସେପର ହେବ । ଦିନ ଠାରୁ ରାତି ଯାଏ ମନୋଜ ତା ଶୋଇବା ଘର ଝରକା ଦେଇ ଝରଣାର ବାଡି ଅଗଣା ଯାଏ ଦେଖି ପାରେ । ସେ ଯେତିକି ସମୟ ଘରେ ରହେ ସେତିକି ସମୟ ସେଇ ଝରକା ପାଖରୁ ଉଠେ ନାହିଁ ଆଦୌ । ତା ପାଇଁ ସେଇ ଝରକା ପାଖ ସ୍ୱର୍ଗର ନନ୍ଦନ ବିହାର ଠାରୁ କମ୍ ନୁହେଁ । ସେଇଠି ସେ ବସେ ସ୍ୱପ୍ନ ଦେଖିବା ପାଇଁ । ଦିନ ଦୁଇ ପ୍ରହରଟାରେ ମଧ୍ୟ ଆଖି ପତା ଖୋଲାରଖି କେତେ କ'ଣ ସେ ସପନରେ ଦେଖିଯାଏ । ସେଇ ଝରକା ପାଖରେ ବସି ସେ କବି ବନିଯାଏ । କେତେ କବିତା ଲେଖେ ତା'ର କଳନା ନାହିଁ । ଏଇ ଗୋଟିଏ ବର୍ଷରେ ସେ ବୋଧହୁଏ ପାଞ୍ଚଶହରୁ ଅଧିକ କବିତା ଲେଖି ସାରିବଣି । କେଉଁ ମଞ୍ଚରେ ଦେଇଥିଲେ ଏତେବେଳକୁ ଗୋଟିଏ ବିରାଟ ବଡ କବିଟିଏ ବୋଲି ଖ୍ୟାତି ଅର୍ଜି ସାରନ୍ତାଣି । କିନ୍ତୁ ତା କବିତାର ଆଜିଯାଏ କେହି ଜଣେ ବି ପାଠକ କିମ୍ବା ପାଠିକା ନାହାଁନ୍ତି । କେମିତି ହେବେ ଯେ, ସେ କ'ଣ କାହାକୁ କେବେ କହିଛି ତା'ର ଏଇ ଗୋପନ ପ୍ରତିଭା କଥା । କେବଳ ସେ ଓ ତା ପ୍ରିୟ ଡାଇରୀ ଛଡା ଆଉ କେହି ଏ ବିଷୟରେ ଜାଣନ୍ତି ନାହିଁ । ସମସ୍ତେ ଭାବନ୍ତି ମନୋଜ ଦିନ ରାତି ଘର କବାଟ ବନ୍ଦ ରଖି ପାଠ ପଢୁଛି ଆଉ ଲେଖୁଛି । କେବଳ ଏଇ କାରଣରୁ ଏଇ ବର୍ଷେ ହେବ ସେ ତା ସାନ ଭାଇକୁ ବି ସେ ରୁମରୁ ବାହାର କରିଦେଇଛି । ଘରେ କାରଣ ଜଣେଇଛି ଯେ ସେ ପାଖରେ ଶୋଇଲେ ତାକୁ ବି ନିଦ ଲାଗୁଛି । ଏକା ଶୋଇଲେ ସେ ରାତି ଅନିଦ୍ରା ହେଇ ପଢାପଢି କରି ପାରିବ । ତାଙ୍କର ଅଧିକ ବଖରା ନଥିଲା ସତ । ତଥାପି ତା ବାପା ତା କଥା ମାନି ସାନ ପୁଅ ପାଇଁ ଆଉ ବଖରାଏ ଘର ଯେମିତି ସେମିତି କରି ବଢେଇ କରି ତାକୁ ସେ ବଖରାକୁ ନେଇଗଲେ । ଏବେ ଏଇ ବଖରାର ଅଧିପତି ବନିଗଲା ମନୋଜ । କବାଟ ବନ୍ଦ ଥିଲା ବେଳେ ତା'ର ଶାସନ ଚାଲେ ସେ ବଖରା ଭିତରେ । 


ହେଇ ଝରଣା ଆସିଲା କବାଟ ଖୋଲି ବାଡିପଟକୁ । ନିଜକୁ ଝାଡିଝୁଡି ସଜାଡି ହେଇ ବସିଗଲା ମନୋଜ । ଝରଣା ହାତରେ କିଛି ଫୁଲଗଛର ଚାରା । ବୋଧହୁଏ ବାଡିରେ ସେସବୁ ଲଗେଇବାକୁ ଆଣିଛି ଝରଣା । ହଁ, ଝରଣା ସେମିତି ସ୍ୱଭାବର ଝିଅଟିଏ । କେବେ ଖାଲି ହାତରେ ବସେନି । ବୟସ ଜମାରୁ ପନ୍ଦର । ତଥାପି କେତେ ଦାୟିତ୍ବ ଏବେଠାରୁ ନେଇଗଲାଣି ସେ ତା ବୋଉ ଠାରୁ । ତା ବୋଉ ସାଙ୍ଗରେ ମିଶି ଗଛ ଲଗାଏ । ଗଛରେ ପାଣିଦିଏ । ଲୁଗା ଶୁଖାଏ । ଶୁଖିଲା କପଡା ଭାଙ୍ଗ ପକେଇ ଘରକୁ ତୋଳିନିଏ । ବାଡିପଟେ ତା ବୋଉ ସାଙ୍ଗରେ ମିଶି ବର୍ଷାଦିନ ପାଇଁ ଶୁଖିଲା ଜାଳ ସଜାଡି ରଖେ । ଏସବୁକୁ ବେଶ୍ ଉପଭୋଗ କରେ ମନୋଜ ଏଇ ଝରକା ନିକଟରେ ବସି । ଯେମିତି ଆଜି କରୁଛି । ଝରଣା ହାତରେ ଗୋଟେ ଦାଉଲି ଧରି ଓଦା ମାଟିକୁ ଟିକେ ଟିକେ କରି ଖୋଳୁଛି । ସେଇ ଭିତରେ ଗୋଟେ ଗୋଟେ ଚାରା ରଖି ପୋତୁଛି । ଝିପିଝିପି ବର୍ଷାରେ ଗଛ ଚାରା ପୋତିଲେ ଗଛ ବଞ୍ଚିଯାଏ । ସେଥିପାଇଁ ବୋଧହୁଏ ଆଜି ଦିନକୁ ବାଛିଚି ଝରଣା । ଝିପିଝିପି ବର୍ଷା ଗଛ ସହ ଝରଣାକୁ ବି ଭିଜେଉଛି । ଲାଗୁଛି ଯେମିତି ତାସହ ଖେଳୁଛି ଏଇ ଚଗଲି ବର୍ଷା । ବେଳେବେଳେ ରିମ୍ ଝିମ୍ ହେଇ ନାଚିନାଚି ବରଷି ଯାଉଛି । ତାକୁ ଦେଖି ଝରଣା ଜାଳଭାଡି ତଳେ ଯାଇ ଛିଡା ହେଇଗଲାବେଳକୁ ସେ ବି ବାଦଲ ଭିତରେ କେତେବେଳେ ଲୁଚିଯାଉଛି । ପୁଣି କେତେବେଳେ ବାଦଲ ଉହାଡରୁ ଉଙ୍କି ମାରି ତଳକୁ ଦେଖୁଛି । ଯେମିତି ଦେଖୁଛି ଝରଣା ତଳକୁ ମୁଣ୍ଡ କରି ଚାରା ପୋତୁଛି ସେମିତେ ଅସରାଏ ବରଷି ଯାଉଛି । ସେଇ ଭିଜାଭିଜା ଦେହରେ ବର୍ଷାକୁ ଆଉ ଖାତିର ନକରି ଝରଣା ଚାରା ପୋତି ଚାଲିଛି । ପାଣି ଝରଝର ହେଇ ତା କପାଳରୁ ବହି ଆସି ଓଠ ଉପର ଦେଇ ତଳକୁ ଗଡି ଆସୁଛି । ସର୍ବାଙ୍ଗ ଝରଣାର ଏବେ ବର୍ଷାରେ ଓଦା । ଏ ବର୍ଷା ଝରଣାର ଆଉ କେଉଁ ଜାଗା ବାକି ରଖିନି ନଛୁଇଁକରି । ସେ ଭଲା ଏଇ ବର୍ଷା ହେଇଯାଆନ୍ତା । ଝରଣାର ଅଙ୍ଗେଅଙ୍ଗେ ଲାଗିରହିଥାନ୍ତା । ତା ଦେହର ସବୁ ବାସ୍ନାକୁ ଆଘ୍ରାଣ କରିନେଇଥାନ୍ତା । ତା ଓଠର ସବୁ ମଧୁକୁ ଚୁମି ଯାଇଥାନ୍ତା । କିନ୍ତୁ ନାଁ, ଏମିତି ପଚାଶ ଫୁଟ ଦୂରରୁ ଲୁଚିଲୁଚି ଚାହିଁ ରହିବା ଛଡା ଆଉ ଉପାୟ ନାହିଁ । ଆଗରୁ ମଝିରେ ମଝିରେ ସେ ଯାଇପାରୁଥିଲା ଝରଣାର ଘରକୁ, ଯେତେବେଳେ ଝରଣାର ଭାଇ ଥିଲା । ଏବେ ବର୍ଷେ ହେବ ତା ଭାଇ ସୁରଟକୁ ଚାଲିଯାଇଛି କିଛି ଟଙ୍କା ରୋଜଗାରର ଉଦ୍ଦେଶ୍ୟରେ । ସେହିଦିନରୁ ଝରଣାର ଘର ଭିତରକୁ ଯିବାର ସବୁ ରାସ୍ତା ବନ୍ଦ । ସେ ବି ସେଇଭଳି ଝିଅଟେ । ଘରୁ କୁଆଡେ ବାହାରେନି କେବଳ ସ୍କୁଲ ଛଡା । ଏବେ ତ ସ୍କୁଲ ଛୁଟି ଅଛି । ଟିକେ ପଡିଶା ଘର ବୋଲି ବୁଲି ଆସିଲେ ହୁଅନ୍ତାନି । ନାଁ, ଜେମା ଦେଇଙ୍କର ଉପରେ କାହାର ନଜର କାଳେ ପଡିଯିବ । ନଆସେ ତୁ । ମୁଁ ଏମିତି ତୋତେ ଚାହିଁ ରହିଥିବି ଏଇ ଝରକା ଫାଙ୍କରୁ । ମନେମନେ ହାଲକା ରାଗିଯାଇ କହୁଥିଲା ମନୋଜ । ଝରଣାର ବୋଧହୁଏ ଚାରାଲଗା ସରିଗଲା । ସେ ଉଠି ଛିଡାହେଲା । କାଦୁଅ ହାତରେ ଆଗକୁ ପଡିଥିବା ଚୁଟିକେରାକ ପଛକୁ ଭିଡିନେଇ କାନ ସନ୍ଧିରେ ଖୋସିଦେଲା । କାଦୁଅ ହାତରୁ ଟିକେ କାଦୁଅ ତା ଗାଲରେ ଲାଗିଗଲା । ଆହାଃ, ଯେମିତି ତୋଫା ଚାନ୍ଦ ମୁହଁରେ କଳାଟୀକା ଟିଏ କିଏ ଆଙ୍କିଦେଲା । ହେଉ ପଛେ କଳା ଟୀକା, ତା ଝରଣା ଆହୁରି ସୁନ୍ଦର ଦିଶିଲା । ଯେମିତି ଚାନ୍ଦ ତା'ର କଳାଚିହ୍ନ ପାଇଁ ବେଶି ସୁନ୍ଦର ଦିଶେ ଠିକ୍ ସେମିତି । ଏଥର ଝରଣା ଚାରିପଟକୁ ବୁଲି ଚାହୁଁଥିଲା । ଚାରିପଟକୁ କହିଲେ ଠିକ୍ ହେବନି । କେବଳ ମନୋଜର ଘର ଆଡକୁ । ସେ ବି କ'ଣ ମନୋଜ ଭଳି ଲୁଚିଲୁଚି ମନୋଜକୁ ଦେଖୁଛି କି?ଚମକି ପଡିଲା ମନୋଜ । ଝରଣା ଆଖିରେ ଆଉ ଧରା ପଡିଯିବନି ତ?ତରବର ହେଇ ବହିଟିଏ ମୁହଁ ସିଧା ରଖିଦେଲା । ମନେମନେ ଭାବୁଥାଏ, ଧରାପଡିଲେ ପଡୁ । ସବୁ ଜାଣୁ ଝରଣା । ତା ମନ ତଳର ବ୍ୟଥା ବେଦନା ସବୁକିଛି ବୁଝୁ । ଦିନେ ହେଲେତ ସବୁ ତାକୁ ଖୋଲିକରି କହିବାକୁ ପଡିବ । ଯେବେ ଜାଣୁଛି ଜାଣୁ । ପୁଣି ଚମକି ଉଠିଲା ଘର ଭିତରେ ଝରଣା ବୋଉର ସ୍ୱର ଶୁଣି । ବାରିପଟକୁ ଚାହିଁଲା ସେ ଝରଣା ଚାଲିଗଲାଣି କେତେବେଳୁ ଘର ଭିତରକୁ । ଏଥର ସେ କବାଟ ଖୋଲି ବାହାରକୁ ଆସିଲା । ଝରଣାର ବୋଉ ମଝିରେ ମଝିରେ ତାଙ୍କ ଘରକୁ ଆସେ । ତା ବୋଉ ସହ ଗପସପ ହୁଏ । ତାପରେ ଚାଲିଯାଏ । ସେଇ ସମୟ ତକ ମନୋଜ ବି ଟିକେ ଦୂରରେ ରହି ସେମାନଙ୍କ କଥା ସବୁ ଶୁଣୁଥାଏ । କାହିଁକିନା ସେଇ କଥାବାର୍ତ୍ତାରେ ରହିଥାଏ ଝରଣା ସମ୍ପର୍କିତ ଅନେକ ତଥ୍ୟ । ଯେମିତି କି ସେ କ'ଣ ଖାଇବାକୁ ଭଲ ପାଏ କ'ଣ ଖାଇବାକୁ ଭଲ ପାଏନି । ସେ କେମିତି ସ୍ୱଭାବର । ସେ କେତେବେଳେ ରାଗେ କେମିତି ପୁଣି ବୁଝେ । ସେ ଘରେ କେତେ କ'ଣ କାମରେ ତା ବୋଉକୁ ସାହାଯ୍ୟ କରେ । ଏମିତି ଅନେକ କଥା । ଆଜି ବି କିଛି ତଥ୍ୟର ସନ୍ଧାନରେ ବାହାରକୁ ଆସି ଛିଡାହେଲା ମନୋଜ । ଚୁଲି ପାଖରେ ଗୋଟେ ପିଢା ପକେଇ ମନୋଜର ବୋଉ ଝରଣାର ବୋଉକୁ ବସିବାକୁ କହିଲେ । ଦୁଇଜଣ ଗୃହିଣୀଙ୍କର ସବୁଠୁ ଭଲ ବୈଠକ ଘର ହେଲା ସେମାନଙ୍କ ଚୁଲିମୁଣ୍ଡ । ସେଇଠି ଜଣେ କାମ କରୁଥିବ,ଆଉ ଜଣେ ଗପ ଯୋଡୁଥିବ । କଥାରେ କଥାରେ କାମର ବ୍ୟଥା ଜଣାପଡେନି । ମନୋଜର ବୋଉ ଆଉ ଝରଣାର ବୋଉ ସେଇମାନଙ୍କ ଭିତରୁ ଜଣେଜଣେ । 


ମନୋଜର ବୋଉ ପଚାରିଲେ "ଆଲୋ କମଳୀ, ତୋର କ'ଣ ଏତେ ଶୀଘ୍ର ରୋଷେଇ ସରିଗଲାଣି?"


ହଁ ଅପା,ଝରାଟା ହାତ ଲଗେଇଦେଉଛି ବୋଲି ସିନା । ତା'ର ସ୍କୁଲ ଖୋଲିଗଲେ ଆଉ କ'ଣ ଏତେ ଶୀଘ୍ର ସରିବ କି । 


ତୋର ବଡ ଭାଗ୍ୟ ଲୋ, ଝିଅଟେ ଅଛି ବୋଲି ତୋ ହାତରେ ହାତ ମିଶେଇ ଦେଉଛି । ମୋର ତ ହାତରୁ କେତେବେଳେ କାମ ଛିଡୁନି । ସେଥିରେ ପୁଣି ଏ ପିଲାଙ୍କର ଖାଇଲା ବେଳକୁ ଏତିକି ବାଗ । 


ସେ ସୁଖ ମୋର ଆଉ କେତେଦିନ ଅପା?ଝରା କ'ଣ ସବୁଦିନ ଏଇଠି ଏମିତି ମୋରି ପାଖରେ ଥିବ?ଝିଅ ଜନ୍ମ ତ ପର ଘରକୁ । ଯେମିତି ହେଲେ ସେ ଦିନେ ତା ଘରକୁ ଯିବ ନା ନାଇଁ । 


ହଁ ଯେ, ଏବେ ତ ତୋତେ ହାଲୁକା କରି ରଖିଛି ନା । ମୋର କେଉଁଦିନ ଏ ପିଲା ବାହା ହେବେ, ଘରକୁ ବୋହୂ ଆସିବେ । ସେମାନଙ୍କ ଉପରେ କେଉଁ ଗ୍ୟାରେଣ୍ଟି ଅଛି କାମରେ ସହଯୋଗ କରିବେ ବୋଲି । 


ହଁ ଯେ ଅପା, ସେ ମୋତେ ହାଲକା କରିବା ଅପେକ୍ଷା ସେ ନିଜେ ହାଲକା ହେବା ବେଶି ଜରୁରୀ । କେଉଁଠି କେମିତି ଭଲ ଘରେ ତାକୁ ଦେବି ସେଇ ଚିନ୍ତା ମୋର । ଯେମିତି ଆମ ପରେ ସେ ଆଉ କଥାକଥାକେ ଭାଇ ଭାଉଜ ଉପରେ ନିର୍ଭର କରିବନି । ତା ସୁଖ ନେଇ ସେ ରହିବ । ସେଥିପାଇଁ ତ ବଳିଆ ଟା ପାଠପଢା ଛାଡି ସୁରଟ ଗଲା । କିଛି ବର୍ଷ ସେଠି ରହି ଟଙ୍କା ପଇସା ଧରି ଆସିଲେ ଝରା କଥା ବିଚାର କରିବୁ । ଯେତେ ଟଙ୍କା ଲାଗୁ ପଛେ ମୋ ଝିଅକୁ ଚାକିରିଆ ଜ୍ୱାଇଁ ଦେଖି ଦେବି । ପଛେ ମୁଁ ବନ୍ଧା ପଡେ । 


ହଁ, ତୁ ଠିକ୍ କଥା କହିଛୁ । ବେରୋଜଗାରିଆ ଜ୍ୱାଇଁ ହାତରେ ଝିଅକୁ ଦେବା ଯାହା, ଘରେ ବାହା ନକରି ରଖିବା ତାଠାରୁ ଶହେଗୁଣେ ଭଲ । 


ଦୁଇ ଯାଆ ଆହୁରି ଅନେକ କଥା ହେଉଥିଲେ । ସେସବୁ କିଛି ମନୋଜ କାନରେ ପଶୁନଥିଲା । କେବଳ ଏତିକି କଥା ତା କାନରେ ବାରମ୍ବାର ଗୁଞ୍ଜରିତ ହେଉଥିଲା କି ଝରଣା ବାହାହେବ ତ ଚାକିରିଆ ପୁଅକୁ । ତେଣୁ ଝରଣାକୁ ପାଇବାକୁ ହେଲେ ପ୍ରଥମେ କିଛି ରୋଜଗାର କରିବାକୁ ପଡିବ । ବାପାଙ୍କର ତ ଯାହା ସମ୍ପତ୍ତିବାଡି ଅଛି ନିଜେ ଚଳିବା କଷ୍ଟ । ବ୍ୟବସାୟ ପାଇଁ ସେ କେଉଁଠୁ ଆଣି କ'ଣ ଦେବେ । ସରକାରୀ ଚାକିରି ପାଇଁ ତା ଭଳି ହଜାର ହଜାର ପିଲା ବେକାର ହେଇବସିଛନ୍ତି ପାଉନାହାଁନ୍ତି । ସେ କିଭଳି ଆଶା କରିବ । ତା'ର ପୁଣି ଯେଉଁ ପାଠ ପଢା । ଏଇ ଝରକା ପାଖରେ ବସିବସି ତ ସମୟ ସବୁ ଗଲା । ଏଥର ଯୁକ୍ତ ଦୁଇ ପରୀକ୍ଷା ଦେଇଛି । ରେଜଲ୍ଟ ବାହାରିଲେ ଜଣା ପଡିବ କ'ଣ ହେଇଛି । ପାସ୍ ତ କରିଥିବ । ଏତିକି ନମ୍ବର ଯଥେଷ୍ଟ ନୁହେଁ ସରକାରୀ ଚାକିରିପାଇଁ । ତା ଠାରୁ ଆହୁରି କେତେ ଉପରେ ପିଲାମାନେ ଅଛନ୍ତି ବେକାର ହେଇ । ତେଣୁ ସେ ଆଶା ଛାଡି ଆଉ କିଛି ଭାବେ ମନୋଜ । ନିଜକୁ ନିଜେ କହୁଥିଲା ମନୋଜ । ହଁ ମନେ ପଡିଲା । ତା'ର ଯେଉଁ ସ୍ୱାସ୍ଥ୍ଯ, ଯେଉଁ ଉଚ୍ଚତା, ସେ ଟିକେ ପରିଶ୍ରମ କଲେ ଭାରତୀୟ ସେନାରେ ନିଶ୍ଚୟ ନିଯୁକ୍ତି ପାଇଯିବ । ଝରଣାକୁ ପାଇବାକୁ ହେଲେ ଯେତେ ପରିଶ୍ରମ ପଡୁପଛେ ସେ କରିବାକୁ ପ୍ରସ୍ତୁତ । 


ତା ପରଦିନ ଠାରୁ ମନୋଜର ପ୍ରସ୍ତୁତି ଆରମ୍ଭ ହେଇଗଲା । ଡିଆଁ କୁଦା ଦୌଡା ଦୌଡି ଠାରୁ ଯେତେ ଯାହା ଚେଷ୍ଟା କରିବା କଥା କଲା । ତାଙ୍କ ଗାଁର ଆଉଜଣେ ଭାଇଙ୍କ ଠାରୁ ମଧ୍ୟ ପରାମର୍ଶ ଆଣିଲା । ଶେଷରେ ଦିନେ ସେ କୃତକାର୍ଯ୍ୟ ହେଲା । ଭାରତୀୟ ସେନାରୁ ତାକୁ ନିଯୁକ୍ତି ପତ୍ର ଆସିଲା । ତା'ର ସ୍ୱପ୍ନ ପୂରଣ ହେବାକୁ ଯାଉଛି । କିଛି ବର୍ଷର ଚାକିରି ପରେ ସେ ଘରକୁ ଆସିବ । ବଡ ଦମ୍ଭର ସହ ଝରଣାର ହାତ ତାଙ୍କ ଘରକୁ ଯାଇ ମାଗିବ । ହାତରେ ଏବେ ବହୁତ ସମୟ ଅଛି । ଝରଣା ଏବେ ମାତ୍ର ଷୋହଳ ବର୍ଷର ବାଳିକା । ଏତେ ଜଲଦି ତା'ର ବାହାଘର ହେବା ଅସମ୍ଭବ । ସେଇ ସମୟ ଭିତରେ ସେ ସେମାନଙ୍କ ପାଇଁ ସୁନ୍ଦର ଘରଟିଏ ବନେଇସାରିଥିବ । ବହୁତ ବଢିଆ ବଢିଆ ଜିନିଷରେ ତା ସ୍ୱପ୍ନର ମହଲକୁ ସଜେଇ ଦେବ । ଯେମିତି ଫିଲ୍ମରେ ସେ ଦେଖିଛି । ଶେଷରେ ତା ସ୍ୱପ୍ନର ରାଜକୁମାରୀକୁ ହାତଧରି ନେଇ ଆସିବ ସବୁଠାରୁ ଘରର ସୁନ୍ଦର ଜିନିଷ ଭାବେ । ତା ଘର ଅଗଣା ହସି ଉଠିବ । ଝରଣାର ପାଉଁଜି ସ୍ୱରରେ ତା'ର ସମଗ୍ର ଘର ଝୁମିଉଠିବ । ସେ ବି ଝୁମିବ ସେଇ ସ୍ୱରରେ । ମନେମନେ କେତେକଥା ଭାବି ଯାଉଥିଲା ମନୋଜ । 


ମନୋଜ ଯାଇ ଚାକିରିରେ ଯୋଗଦେବା ଦଶ ମାସ ହେଲାଣି । ଘରକଥା ଝରଣା କଥା ବହୁତ ମନେ ପଡୁଛି । ହେଲେ ସେ ନାଚାର । ସେଇ ଝରଣାକୁ ପାଇବାକୁ ହେଲେ ଏମିତି କିଛି ଦିନ ତା ଠାରୁ ଦୂରେଇ ରହିବାକୁ ପଡିବ । ଟ୍ରେନିଂ ପରେ କିଛିଦିନ ଘରକୁ ଆସିବ । ଝରଣାକୁ ଦେଖିକରି ଯିବ । ଭାରି ହୁସିଆର ଝିଅ ସେ । ପାଖକୁ କ'ଣ ଆସିବ ନାଁ ପାଖକୁ ଯିବାକୁ ଦେବ । ସେଇ ଝରକା ପଟୁ ଯାହା ଦେଖିବ । ଆଉ ଟିକେ ବଡ ହେଇଯିବଣି ତା ମନର ମାନସୀ । କେମିତି ଦିଶୁଥିବ କେଜାଣି । ଆଉ ଅଳ୍ପ ଦିନର କଥା ତ । ମନକୁ ବୁଝେଇଦେଲା ମନୋଜ । 


ଘରକୁ କିଛିଦିନ ପାଇଁ ଆସିଛି ମନୋଜ । ଆସିବା ଆଜିକୁ ଚାରିଦିନ ହେଲାଣି । କାଇଁ, ଝରଣାକୁ କେଉଁଠି ଦେଖିବାକୁ ପାଉନି?ମନଟା ଜମା ଭଲ ଲାଗୁନି । ଏତେ ଦୂରରେ ଥିଲା କିଛି ଲାଗୁନଥିଲା । ଏବେ ପାଖରେ ଅଛି ବୋଲି ଭାରି ବ୍ୟସ୍ତ ଲାଗୁଛି । ଏ ଝରଣା କୁଆଡେ ଗଲା କେଜାଣି । ସେଦିନ ଝରଣାର ବୋଉ ତାଙ୍କ ଘରକୁ ଆସିଥିଲେ । ତାଙ୍କ କଥାରୁ ଯାହା ବାରିଲା ଝରଣା କାଳେ ତା ମାମୁଁ ଘରକୁ ଯାଇଛି । ତା'ର ଏବର୍ଷ ଯୁକ୍ତ ଦୁଇ ପରୀକ୍ଷା ସରିଛି । ସେଥିପାଇଁ । ଛାତିଭିତରେ ଅତଡାଏ ନିଆଁ ଖସିଲା ଭଳି ଲାଗିଲା ମନୋଜକୁ । ଏବେ ଆଉ କରିବ କ'ଣ । ତା'ର ସବୁ ଆଶା ପାଣିରେ ପଡିଗଲା । ବହୁ କଷ୍ଟରେ ଛୁଟି ବିତେଇ ସାରି ସେ ଫେରିଗଲା ନିଜ କର୍ମସ୍ଥଳୀକୁ । ସେନାରେ ଚାକିରି । ବାରମ୍ବାର ଛୁଟି ନାହିଁ ବୋଲି କେତେ ଆଶା ନେଇ ଯାଇଥିଲା ଏଥର ଛୁଟିଟା ବଢିଆ ଭାବରେ କଟେଇବ ବୋଲି । ଦେଖିଲା ବେଳକୁ କିଛି ହେଲାନି । ପୁଣି କେବେ ଛୁଟି ମିଳିବ କିଏ ଜାଣେ । 


ମଝିରେ ମଝିରେ ମନୋଜ ଘରକୁ ଫୋନ୍ କରେ । ସପ୍ତାହକୁ ଥରେ । ଅନ୍ୟ ବେଳେ ପ୍ରାୟ ସମୟରେ ନେଟ୍ ୱର୍କ ପ୍ରାୟ ନଥାଏ ବୋଲି । ସେଦିନ ବି ଫୋନ୍ କରୁଥାଏ ତା ବୋଉ ପାଖକୁ ମନୋଜ । ମନୋଜର କଥା କିଛି ଶୁଭୁନଥାଏ ଭଲରେ ତା ବୋଉକୁ । 


କ'ଣ ହେଇଛି ବୋଉ, କଥା କିଛି ଶୁଭୁନି କି ମୋର ତୋତେ । 


ନାଇଁରେ ବାପା, ଏଠି ବାଜା ବାଛୁଛି ତ ସକାଳୁ କିଛି ଶୁଭୁନି । 


ବାଜା?କ'ଣ ହେଉଛି କି ଗାଁରେ?


ଆରେ ଆଜି ଝରଣାର ବାହାଘର । ସେଥିପାଇଁ ତୂରୀ ମହୁରୀ ବାଜୁଛି । କିଛି କଥା ଶୁଭୁନି । 


ଝରଣାର ବାହାଘର?ହାତରୁ ଫୋନ୍ ଖସି ପଡିଲା ତା'ର । ସେ ସତ ଶୁଣୁଛି ତ । ଫୋନ୍ କଟିଯାଇଥିଲା । ତା ବୋଉ ଭାବୁଥିଲେ ବୋଧହୁଏ ଟାୱାର ନାହିଁ ବୋଲି ଫୋନ୍ କଟିଗଲା । କଥା କିନ୍ତୁ ଅଲଗା ଥିଲା ସେକଥା ମନୋଜ ଛଡା ଆଉ କେହି ଜାଣିପାରିଲେନି । ହଁ ଆଉ ଜଣେ ଜାଣିଲା । ତା ପ୍ରିୟ ଡାଇରୀ । ଏଥର ପ୍ରେମର କବିତା ବଦଳରେ ବିରହ କବିତା ସବୁ ତା ଦେହରେ ଛାଇ ଯାଇଥିଲା । 


ବହୁତ କଷ୍ଟରେ ନିଜକୁ ବୁଝେଇ ସ୍ୱାଭାବିକ ହେଲା ମନୋଜ । କାରଣ ତା ଚାକିରି ହିଁ ସେମିତି । କିଛି ଦିନ ପରେ ପୁଣି ଥରେ ସେ ଘରକୁ ଫେରିଲା । ବର୍ଷକୁ ଦୁଇ ଥର ଘରକୁ ଆସିବାର ସୁଯୋଗ ତାକୁ ମିଳେ । ସେଥିପାଇଁ ସେ ସୁଯୋଗ ସେ ହାତ ଛଡା କରିବାକୁ ଚାହୁଁନଥିଲା । ଝରଣା ତ ଗଲା । ଏଥର ନିଜ ପରିବାର କଥା ତାକୁ ଭାବିବାକୁ ତ ପଡିବ ଯେମିତିହେଲେ । ଘରେ ପହଞ୍ଚିଲା ପରେ ଆଗର ସେ ଆଗ୍ରହ ଆଉ ତା ମନରେ ନଥିଲା । ଚାକିରିର ମୋହ ନଥିଲା । କେବଳ ଆବଶ୍ୟକତା ଥିଲା ବୋଲି କରୁଥିଲା ସେ । ସାଙ୍ଗ ସାଥି କେହି ଭଲ ଲାଗୁନଥିଲେ ତାକୁ । ସେମିତି ସେ ସେଇ ଝରକା ପାଖରେ ବସି ବିରହ କବିତା ମାନ ଲେଖେ । ନିଜେ ପଢେ । ନିଜେ ଲୁହ ଗଡାଏ । ସେଦିନ ବି କବିତା ଲେଖୁଲେଖୁ ଠିକ୍ ତାରି ଝରକା ପାଖରେ ପାଉଁଜିର ଛମଛମ୍ ସ୍ୱର ଶୁଭିଲା । ମୁଣ୍ଡ ଟେକି ଚାହିଁଲା ମନୋଜ । ଝରଣା!!ନିଜ ଆଖିକୁ ବିଶ୍ୱାସ କରି ପାରୁନଥିଲା ମନୋଜ । କାହିଁ କେତେଦିନ ପରେ ସେ ଝରଣାକୁ ଦେଖୁଛି । କେତେ ସୁନ୍ଦର ଦିଶୁଛି ସେ ଲାଲ୍ ଟୁକୁଟୁକୁ ସାଧବ ବୋହୂଟେ ପରି । ଏଥର ତା ଚାଲିରେ ତାଳ ମିଶେଇଥିଲେ ହାତର ଚୁଡି ଆଉ ପାଦରେ ଆଗଠାରୁ ମୋଟା ଓ ଅଧିକ ଘୁଙ୍ଗୁର ବାଲା ପାଉଁଜି । ଅଧିକ ଛନ୍ଦାୟିତ ଶୁଭୁଥିଲା ତା ଚାଲି । ମନୋଜ ଆଖିରେ ଲୁହ ବୋଲ ମାନୁନଥିଲା । ଘରେ ଆସି ପହଞ୍ଚି ସାରି ସେ ଜାଣି ପାରିଛି ଝରଣା ବାହାଘରର ତରବରିଆ ନିଷ୍ପତ୍ତିର କାରଣ । ଗୋଟେ ବହୁତ ଭଲ ଘରୁ ପ୍ରସ୍ତାବ ଆସିଥିଲା, ଯେମିତିକା ଜ୍ୱାଇଁ ଏମାନେ ଖୋଜୁଥିଲେ । ସେମାନଙ୍କର ମଧ୍ୟ ଝରଣା ଏକା ଥରକେ ପସନ୍ଦ ହେଇଯାଇଥିଲା । ଆଉ ପରିଣାମ ସ୍ୱରୂପ ବାହାଘର ଦଶ ଦିନରେ କରାଗଲା । ଏଥିରେ ନିଜ ଭାଗ୍ୟକୁ ଦୋଷ ଦେବା ଛଡା ମନୋଜ ନିକଟରେ କିଛି ଉପାୟ ନଥିଲା । କିଛି ଦିନ ଯେମିତି ସେମିତି ଛୁଟି କଟେଇସାରି ସେ ପୁଣିଥରେ ଫେରିଗଲା । 


ଏଥର ଫେରିଲା ପ୍ରାୟ ତିନିବର୍ଷ ପରେ । କାରଣ ଘରକୁ ଆସିବାର ଆଗ୍ରହଟା ତା'ର ମରିଯାଇଥିଲା । ବୋଉର ଦେହ ଖରାପ କଥା ଶୁଣି ବାଧ୍ୟ ହେଇ ଆସିଲା ଯାହା । ଘରେ ଆସି ବୋଉକୁ ନେଇ ଡାକ୍ତରଖାନା ଯିବା ଆସିବା ବ୍ୟସ୍ତତା ଭିତରେ ପୁରୁଣା କଥା ସେ ପାଶୋରି ଯାଇଥିଲା । କିନ୍ତୁ କଥା ପୁଣି ଥରେ ମନେପଡିବାକୁ ବାଧ୍ୟ ହେଲା ହଠାତ୍ ଝରଣାକୁ ବାରିପଟେ ଦେଖିକରି । ଏଥର ସବୁଠାରୁ ଆଶ୍ଚର୍ଯ୍ୟ ହେଲାଭଳି ଘଟଣା ଥିଲା । ଝରଣାର ନିଃଶବ୍ଦ ଚାଲି, ରଙ୍ଗହୀନ ବେଶଭୂଷା ଓ ପରିପାଟୀ ଦେଖିକରି । ଚଟ୍ କରି ଭିତର ଘରକୁ ଯାଇ ସେ ପଚାରିଲା ତା ବୋଉକୁ ଏହାର କାରଣ । ତା ବୋଉ କେବଳ ଏତିକି କହିଲେ, "କାହା ପାଇଁ ଆଉ ବେଶ ଭୂଷା ସଜବାଜ ହେବ ସେ । ଯାହା ପାଇଁ ହେଉଥିଲା ତା ଆଖିକୁ ତ ସେ ସୁନ୍ଦର ଦିଶିଲାନି, ଆଉ କାହା ପାଇଁ ହେବ" । 


ମାନେ ?ପଚାରିଲା ମନୋଜ । 


ସେ ପୁଅ କୁଆଡେ ଆଉ ଜଣକୁ ଭଲ ପାଇ ରଖିଛି । ଏକୁ ଆଡ ଆଖିରେ ବି ଚାହୁଁନି । ବିଚରା ଛୋଟ ପିଲାଟାର ଭବିଷ୍ୟତ ଅନ୍ଧାର କରିଦେଲା ସେ ପୋଡାମୁହାଁ । ବଳିଆ ଯାଇ ଏକୁ ନେଇ ଆସିଛି ଦୁଇବର୍ଷ ହେଲାଣି । ସେ ବି ସାଡେ ବାହାହେଇ ଗଲାଣି ଆଉ ଗୋଟେ । 


ସବୁକିଛି ଆଶ୍ଚର୍ଯ୍ୟ ଲାଗୁଥିଲା ମନୋଜକୁ । ଏସବୁ କାହିଁକି ହେଉଛି କିଛି ବୁଝିପାରୁନଥିଲା ସେ । ଏତିକି ବୁଝିଲା ଯାହା ହେଇଛି ଭଲ ହେଇଛି । ଭଗବାନ୍ ତାକୁ ଆଉଥରେ ସୁଯୋଗ ଦେଉଛନ୍ତି । ସେ ଏଥର ସୁଯୋଗ ହାତଛଡା କରିବନି କୌଣସି ମତେ । ତା ଆଖିରେ ଗୋଟେ ଚମକ୍ ଦିଶୁଥିଲା । ତାକୁ ପଢିନେଇଥେଲେ ତା ବୋଉ । ସେ ଚଟ୍ କରି ସେଠୁ ବାହାରି ଯାଇ ନିଜ ସୁଟକେଶରୁ ତା ବୋଉ ପାଇଁ ଆଣିଥିବା ପାଟ ଶାଢୀ ସହିତ ତା ବୋଉକୁ ଧରି ପହଞ୍ଚିଲା ଝରଣା ପାଖରେ । ତାକୁ କିଛି କହିବାକୁ ପଡିଲାନି । ସବୁ କହିଲେ ତା ବୋଉ । ସେ କେବଳ ପାଟ ଶାଢୀଟିକୁ ଝରଣା ମୁଣ୍ଡରେ ଢାଙ୍କି ଦେଇଥିଲା । ପୁଣିଥରେ "ପାଟ ଓଢଣୀ"ରେ ଝରଣା ଦିଶୁଥିଲା ଆଗଠାରୁ ଆହୁରି ସ୍ୱଚ୍ଛ, ଆହୁରି ସୁନ୍ଦର ଠିକ୍ କଳକଳ ଜଙ୍ଗଲୀ ଝରଣାଟିଏ ପରି । 



Rate this content
Log in