Rajalaxmi Mohanty

Others

4  

Rajalaxmi Mohanty

Others

ବାତ୍ସଲ୍ୟ ପ୍ରେମ

ବାତ୍ସଲ୍ୟ ପ୍ରେମ

6 mins
330


ଗାଁ ଠାରୁ ଟିକେ ଛାଡିକି ସେଇ ଯେଉଁ ନୂଆଣିଆ ଚାଳ ଛପର ଘରଟି ସେଇଟା ହେଲା ସୁକାନ୍ତ ଆଉ ଶୋଭାର ଘର । ସଦସ୍ୟ କହିଲେ କେବଳ ସେଇ ଦୁଇଜଣଙ୍କୁ ଛାଡିଦେଲେ ଆଉ ଗୋଟେ ବିଲେଇ ଓ ଗୋଟେ କୁକୁର । କେତେଥର ସୁକାନ୍ତ ସେମାନଙ୍କ ଉପରେ ବିରକ୍ତ ହେଇ କହିଲାଣି ଏଗୁଡାଙ୍କୁ ଘରୁ ବାହାର କର । ଖାଇବା ଜିନିଷରେ ମୁହଁ ମାରିଦେଉଛନ୍ତି । କିନ୍ତୁ ଶୋଭାର ବିକଳିଆ ମୁହଁ ଦେଖି ପାଟିର କଥା ସେଇ ପାଟିରେ ରହେ । କେବେ କାର୍ଯ୍ୟରେ ପରିଣତ ହୁଏନି । ଶୋଭା ବିଚରା ସେଇମାନଙ୍କ ପାଇଁ ତ ଜୀବନ ଧରିଛି । ନହେଲେ କେବେଠାରୁ ସେ ଦୁନିଆ ଆଖିରୁ ହଜି ସାରନ୍ତାଣି । ଅନେକ ଥର ସୁକାନ୍ତ ତାକୁ ଠିକ୍ ସମୟରେ ଘରେ ପହଞ୍ଚି ରକ୍ଷା କରିଛି । ସେଦିନ ହଳୁଆ ପାଞ୍ଚଣଟା ଛାଡିଦେଇ ଯାଇଥିଲା । ବିଲରେ ବଳଦ ଯୋଡାକୁ ରମେଶ ଭାଇ ହାତରେ ଦେଇ ଘରକୁ ଆସି ଦେଖିଲା ବେଳକୁ ଶୋଭା ଘର ଓରାରେ ତା ପିନ୍ଧା ଲୁଗାରୁ ଗୋଟେ ବାନ୍ଧିକି ଫାଶ ଲଗଉଛି ବେକରେ । ଆଖିକୁ ବିଶ୍ୱାସ କରିପାରିଲାନି ସୁକାନ୍ତ । ଶୋଭା ପୁଣି ଏଇ ନିଷ୍ପତ୍ତି ନେଲା?ଦୌଡି ଯାଇ ହାତରେ ଧରିଥିବା ଦା'ରେ ଦି ଘୋରା ଦେଇ ପୁରୁଣା ଲୁଗାଟିକୁ ଦିଖଣ୍ଡ କରିଦେଲା । ସୁକାନ୍ତ କୁ କୁଣ୍ଢେଇ ଧରି ଭେଁ ଭେଁ ହେଇ କାନ୍ଦିଲା ଶୋଭା । ସୁକାନ୍ତ ତାକୁ ସେଇଦିନଠାରୁ ଉଁ କି ଚୁଁ କିଛି କହିଲାନି ଆଠ ଦିନ ଯାଏ । ଶେଷରେ ଶୋଭା ସୁକାନ୍ତର ଗୋଡଧରି କ୍ଷମା ମାଗିଲା । ଆଉ ଏଭଳି ଭୁଲ କେବେ କରିବନି ବୋଲି ଶପଥ କଲା । କିଛିଦିନ ପୁଣି ଭଲରେ ଚଳିଲେ ସ୍ବାମୀ ସ୍ତ୍ରୀ ଦୁଇଜଣ । ଘରେ ଝିଞ୍ଜଟ କରିବାକୁ କେହି ନାହାଁନ୍ତି । ଝଗଡା ଝାଟିର ପ୍ରଶ୍ନ ଉଠେନି ସେଥିପାଇଁ ଅନ୍ଯମାନଙ୍କ ପରିବାର ଭଳି । ତା ବୋଲି କ'ଣ ପରିବାରଟିକୁ ଭଗବାନ ଏମିତି ଶୂନ୍ୟତାରେ ଭରିଦେବେ । ସୁକାନ୍ତ ବଡିଭୋରୁ ବିଲକୁ ଚାଲିଗଲାପରେ ଘରେ ନୀରବତା ରାଜୁତି ଚାଲେ । କେବେ କେଉଁ ପଡୋଶୀମାନଙ୍କ ପାଖରେ ଯାଇ ବସେନି ଶୋଭା । ନୀରବତାରେ ବ୍ୟଥିତ ହେଇ ଆଉ କାହାପାଖରେ ଯାଇ ସମୟ ବିତେଇବା ବେଳକୁ ଗୁଡାଏ ଅନାବନା ଭାବନା ସାଙ୍ଗରେ ଧରି ଆସେ । ସେଥିପାଇଁ ସେ ତା ନିଜଘରେ ରୁହେ । ତା କାମ ଭଲ ତ ସେ ଭଲ । କୁଆଡେ ଯାଏନି ସିନା ଅନାବନା କଥା ସବୁ ମନକୁ ମନ ଅବାଞ୍ଛିତ ଅତିଥି ଭଳି ତା ଘରକୁ ପଶି ଆସନ୍ତି । ତାକୁ କଲବଲ କରିପକାନ୍ତି । କେତେଦିନ ଆଉ କଲବଲ ହେଇ ରହି ପାରନ୍ତା । ପୁଣିଦିନେ ସେ ଖରାବେଳଟାରେ ବାଡିପଟକୁ ଯାଇ ପୁଳାଏ କନିଅରି ମଞ୍ଜି ଆଣି ଶିଳରେ ବାଟି ବୁଟି ରଖିଲା ବେଳକୁ ସେଦିନ ସୁକାନ୍ତ ଜଲଦି ଘରକୁ ଚାଲିଆସିଥିଲା ମୁଣ୍ଡ ବୁଲେଇବା ଯୋଗୁ । ହଠାତ୍ ଆଖିଆଗରେ ସୁକାନ୍ତକୁ ଦେଖି ଭୟରେ ଶୋଭା ହାତରୁ କନିଅରି ମଞ୍ଜି ବଟା ତକ ତଳେ ପଡିଗଲା ସୁକାନ୍ତ ଆଁ କରି ଶୋଭାକୁ ଚାହିଁ ଛିଡା ହେଇଥିଲା । ପୁଣିଥରେ ଶୋଭା ସୁକାନ୍ତର ଗୋଡହାତ ଧରି ଭୁଲ କାଇଲି ମାଗି ପନ୍ଦର ଦିନ ପରେ ଯାଇ ମନେଇପାରିଲା । ଏଥର ସୁକାନ୍ତ ଶୋଭାକୁ ତା'ର ମୁଣ୍ଡ ଛୁଏଇଁ ଶପଥ ନେଲା ଆଉ ଏଭଳି ନିଷ୍ପତ୍ତି ନନେବା ପାଇଁ । ଶୋଭା ସିନା ସୁକାନ୍ତକୁ ହଁ କହିଲା ସେ ନିଜେ ବୁଝିପାରୁଥିଲା ସେ ଥିବା ଯାଏ ସୁକାନ୍ତ କେବେ ବାପା ହେଇପାରିବନି । ନିଜର ତ୍ରୁଟି ପାଇଁ ଆଉ ଜଣେ ଦଣ୍ଡ ପାଉ ସେ କଥା ବି ସେ ସହଜେ ଗ୍ରହଣ କରି ପାରୁନଥିଲା । ଦୁଇଆଡରୁ ସେ ମଝିରେ ପଶି ପେଶି ହେଇଯାଉଥିଲା । ସୁକାନ୍ତ ସିନା ତା ମୁଣ୍ଡ ଛୁଏଇଁ ଶପଥ କରିନେଇଛି ଆଉ ଏଭଳି ଭୁଲ କାମ ନକରିବା ପାଇଁ, କିନ୍ତୁ ତା ଆଖିର ଲୁହକୁ କ'ଣ ଶୁଖେଇ ପାରୁଛି । ସୁକାନ୍ତ ଚାଲିଗଲାପରେ ଦିନରାତି ଶୋଭା ଆଖିରୁ ଲୁହ ହିଁ ଲୁହ ବୋହି ଚାଲିଛି । ଦଶ ପୂରି ଏଗାର ବର୍ଷ ଚାଲିଲା ବାହାଘରକୁ । ଆଶାର ଆଲୋକଟି ଦିକିଦିକି ହେଇ ଜଳିଜଳି ଲିଭିଗଲାଣି । ଜୀବନଟା କିଟିକିଟି ଅନ୍ଧାରରେ ଭରିଗଲାଣି । ଆଉ ଲୋଭ ନାହିଁ ଏ ଜୀବନରେ । ସେ ହେଲେ ଚାଲିଯାଆନ୍ତା କି ସେ ପୁରକୁ, ବିଚରା ସୁକାନ୍ତର ଜୀବନଟା ଆଉଥରେ ଆଲୋକିତ ହେଇପାରନ୍ତା । କିନ୍ତୁ ଏଇ ସୁକାନ୍ତ କେଉଁ ତାକୁ କରେଇଦେଉଛି କି । ଆଜିକାଲି ବେଶି ବେଶି ତା ଉପରେ ନଜର ରଖୁଛି । କାମ ମଝିରେ ଏତେବଡ କିଆରୀ ଚାଲିଚାଲି ଆସି ତାକୁ ଥରେ ଦେଖିକରି ଯାଉଛି । ନହେଲେ କିଛି ନା କିଛି ବାହାନା କରି ସାହିର ଛୋଟ ପିଲାମାନଙ୍କୁ ତା ଘରକୁ ପଠଉଛି । କେତେବେଳେ ତାସ୍ ପାଇଁ, କେତେବେଳେ ବିଡି କଠାଏ ପାଇଁ ତ କେତେବେଳେ କ'ଣ ସଉଦା ଆସିବ ଘରକୁ ପଚାରି ଆସିବା ପାଇଁ । ତଥାପି ସବୁବେଳେ କ'ଣ ସେଇଟା ସମ୍ଭବ ହେଇପାରୁଛିକି । କ'ଣ ଗୋଟେ ବ୍ୟବସ୍ଥା କରିବାକୁ ପଡିବ ସବୁଦିନ ପାଇଁ । 


ସେଦିନ ବିଲରୁ ଫେରିଲା ବେଳେ ନାଳ ପାଖରେ କୁକୁର ଛୁଆଟେ ଥଣ୍ଡାରେ କୁଁ କୁଁ ହେଉଥିଲା । ଟିକେ ମଝିମଝିଆ ଛୁଆଟେ ହେବ । ମା କ୍ଷୀର ଛାଡି ସାରିବଣି । କ'ଣ ଭାବିଲା କେଜାଣି ସୁକାନ୍ତ ତାକୁ ଗାମୁଛାରେ ଗୁଡେଇ ଘରକୁ ଆଣିଲା । ଘରକୁ ଆସି ଶୋଭା ହାତକୁ ଅତି ଯତ୍ନରେ ବଢେଇଦେଲା ଗାମୁଛାଟିକୁ । ମାଲୋ, ଏ ଗାମୁଛା ଭିତରେ ଇଏ କ'ଣ?ଚମକି ପଡିଲା ଶୋଭା । ଠୋ ଠୋ ହେଇ ହସିଲା ସୁକାନ୍ତ । ଗାମୁଛା ଭିତରୁ ମୁଣ୍ଡ ଟେକି ଜୁଳୁଜୁଳୁ କରି ଅନେଇଥିଲା କୁକୁର ଛୁଆଟି ଶୋଭାର ମୁହଁକୁ । ପୋକ ସାଲୁବାଲୁ ମାଟିକାଦୁଅ ଜୁଡୁବୁଡୁ କୁକୁର ଛୁଆଟିକୁ ମୁହଁ ଲଗେଇ ଗେଲ କରି ପକେଇଲା ବହେ ଶୋଭା । ସୁକାନ୍ତ ମନେମନେ ଖୁସି ହେଉଥିଲା ତା ଯୋଜନା କାର୍ଯ୍ୟକାରୀ ହେଉଛି ଦେଖି । ଦିନ ଆଠଟାରେ ନାଳକଡର ଅଧାମଲା କୁକୁର ଛୁଆଟି ରାଜାଘର ପୁଅ ଭଳି ଡଉଲ ଡାଉଲ ହେଇଗଲା । ଯିଏ ଦେଖିବ ନଜର ପକେଇଲା ଭଳିଆ ହେଇଥିଲା ସେ । ଶୋଭା ତା ବେକରେ କେତେ କ'ଣ ବାନ୍ଧି ଦେଇଥିଲା । ତା ନାଁ ଦେଇଥିଲା ରାଜା । ରାଜା ବି ଦିନ ସାରା ଶୋଭାର ପଛେପଛେ ବୁଲୁଥାଏ । ସୁକାନ୍ତର ମନ ଖୁସିହେଇଗଲା ଦେଖିକରି । ସେ ତ ଏଇଆ ଚାହୁଁଥିଲା । ଆଗ ଅପେକ୍ଷା ଶୋଭାର ମୁହଁ କମ୍ କାନ୍ଦୁରା ଦିଶୁଛି । ସୁକାନ୍ତ ବି ରାଜା ଦାୟିତ୍ୱରେ ଶୋଭାକୁ ଛାଡି ବିଲରେ ବେଶ୍ କିଛି ଅଧିକ ସମୟ କାମ କରି ପାରୁଛି । ନଈ କୂଳିଆ ଚାଷ ଜମି ଦି'ମାଣେ । ତାକୁ ଭଲରେ ଚଷିଲେ ଦି ପ୍ରାଣୀ ଆନନ୍ଦରେ ବର୍ଷଟେ କଟେଇଦେଉଛନ୍ତି । 


ସଞ୍ଜ ହେବାକୁ ବସିଲାଣି । ଆଉ ଅଳ୍ପ ଟିକେ କାମ ସାରିଦେଲେ ଘରକୁ ପଳେଇବ ଭାବୁଛି ସୁକାନ୍ତ । ଏତିକିବେଳେ ପଛରେ ତା'ର ମିଆଁଉ ମିଆଁଉ ପାଟି ଶୁଭିଲା । ଦେଖିଲା ବେଳକୁ ନଈ ସେପଟର କେହିଜଣେ ବିଲେଇ ଛୁଆଟିକୁ ବିଲ ମଝିରେ ଗୋଡ ବାନ୍ଧିଦେଇ ପକେଇଦେଇ ପଳେଇଲା । ଆହା, କେତେ ସୁନ୍ଦର ହେଇଛି କଅଁଳ ଛୁଆଟି । ହେଲେ କ'ଣ ହେବ, ତା ଘରେ ତ ଏମିତି କେତେ ବିଲେଇ ଛୁଆ ଜନ୍ମ ହେଇ ଅଧିକ ଉତ୍ପାତ କରିଛି ବୋଲି ସେ ଆଣି ଛାଡି ଦେଇଗଲା । ତା ଘରେ କରୁ ମୋର କ'ଣ ଗଲା ଭାବି ପୁଣିଥରେ ବିଲେଇ ଛୁଆଟିକୁ ଗାମୁଛାରେ ଗୁଡେଇ ଘରକୁ ଆଣିଲା ସୁକାନ୍ତ । ଏଥର ଶୋଭା ସୁକାନ୍ତ ର ଗାମୁଛାକୁ ଦେଖି ଆଶ୍ଚର୍ଯ୍ୟ ନହେଇ ପଚାରିଲା ଏଥିରେ ପୁଣି କ'ଣ ଆଣିଛ ନା କ'ଣ?ସୁକାନ୍ତ ତା ହାତକୁ ଗାମୁଛାଟି ବଢେଇଦେଇ କହିଲା ଖୋଲିକି ଦେଖୁନୁ । 

ଖୋଲିବା ଆଗରୁ ହିଁ ବିଲେଇ ଛୁଆଟି ଜଣେଇଦେଇଥିଲା ତା ଆଗମନର ବାର୍ତ୍ତା । ତା ନାଁ ଶୋଭାଦେଲା 'ରାଣୀ' । ରାଜା ସାଙ୍ଗରେ ମେଳ ଖାଇଲା ଭଳି । ରାଜା ବି ଅତି ଆଗ୍ରହରେ ରାଣୀକୁ ଆଦେରେଇ ନେଲା । 


ଶୋଭା ଯୁଆଡେ ଯାଏ ତା ପଛେପଛେ ରାଜା ରାଣୀ ତା'ର ଅଙ୍ଗ ରକ୍ଷୀ ଭଳି ଚାଲନ୍ତି । ସୁକାନ୍ତ ଆଶ୍ୱସ୍ତ ହୁଏ । ଆଉ ଶୋଭା ପାଇଁ ସେ ବ୍ୟସ୍ତ ହୁଏନି । ଏମିତି ଖାଲି ମଝିରେ ମଝିରେ ଶୋଭାକୁ ଚିଡେଇବା ପାଇଁ କହେ ସିନା ତାଙ୍କୁ ଘରୁ ବାହାର କରିଦେବା ପାଇଁ, ପ୍ରକୃତରେ ସେ ନିଜେ କେଉଁ ସେମାନଙ୍କୁ ଛାଡି ରହିପାରିବ ଯେ । ଶୋଭା ଯେମିତି ରାଜା ରାଣୀଙ୍କର ମାଆ ହେଇଛି, ସୁକାନ୍ତ ବି ସେମିତି ସେମାନଙ୍କର ବାପା ହେଇଛି । ପେଟରୁ କାଟି ସେମାନଙ୍କୁ ଖାଇବାକୁ ଦିଅନ୍ତି । ଦେହ ଖରାପ ହେଲେ ପଶୁ ଡାକ୍ତର କୁ ଦେଖାନ୍ତି । ସେମାନେ ବି କେଉଁ କମ୍ ନଖରା ଦେଖାନ୍ତି କି ଖାଇଲା ବେଳେ । ଶୋଭା ସତ ମାଆଟିଏ ଭଳି ତାଙ୍କ ନଖରାକୁ ଆପଣେଇ ନେଇଛି । ନିଜ ହାତରେ ଖୁଏଇ ଦେଉଛି । ସେମାନଙ୍କୁ କୋଳରେ ପୂରେଇ ଶୁଏଇ ଦେଉଛି । 


ଗାଁ ଭିତରକୁ ପଶୁପଶୁ କିଆବୁଦା ଦିଧାଡି ମାଡି ଯାଇଛି । ସେଇଠି ଟିକେ ଜାଗା ଭାରି ନିଛାଟିଆ । ତରବର ହେଇ ଆଗକୁ ଆଗକୁ ବଡବଡ ପାହୁଣ୍ଡ ପକେଇ ଚାଲିଛି ସୁକାନ୍ତ । ଆଜି ଶୋଭାର ଜନ୍ମ ଦିନ । ତା ପାଇଁ ଛେନାପୋଡ ନେଇଆସିଛି ହାଟରୁ । ତା ମନ ବଦଳେଇବାକୁ ସୁକାନ୍ତ ଆଜିକାଲି ଶୋଭାର ଜନ୍ମଦିନ ପାଳୁଛି । ଏମିତି ଛୋଟଛୋଟ ଖୁସି ଭିତରେ ବଡ ଦୁଃଖଟିକୁ ଭୁଲିବାକୁ ସ୍ୱାମୀ ସ୍ତ୍ରୀ ଚେଷ୍ଟା କରନ୍ତି । ନହେଲେ କିଏ କାହାର ଜନ୍ମଦିନ ଆଗରୁ କାଇଁ କେତେବେଳେ କରିଥିଲେ ?ହଠାତ୍ ସେଇ କିଆ ବୁଦା ଭିତରୁ ସଦ୍ୟ ଜାତ ମଣିଷ ଛୁଆଟିର କାନ୍ଦ ଶୁଭିଲା । ନିଜ କାନକୁ ବିଶ୍ବାସ କରିପାରିଲାନି ସୁକାନ୍ତ । ଆଜିଯାଏ ଠାକୁର ତାକୁ କୁକୁର ଛୁଆ ବିଲେଇଛୁଆ ଦେଇ ଠକିଦେଇ ଆସୁଥିଲେ । ଆଜି କ'ଣ ସତରେ ମଣିଷ ଛୁଆର କାନ୍ଦ ଶୁଭିଲାଣି । ଟର୍ଚ୍ଚ ପକେଇଲା ସେ କିଆ ବୁଦା ଭିତରକୁ । ହଁ, ସତରେ । ଛୁଆଟେ ହାତ ଗୋଡ ହଲଉଛି ସେଇ ଅଳିଆ ବୁଦା ଭିତରେ କପଡା ଗୁଡିଆ ହେଇକି । ଆଖି ଦୁଇଟା ତା'ର ଚମକି ଉଠିଲା । ଆଣ୍ଠେଇ ପଡି ବୁଦା ଭିତରକୁ ପଶିଗଲା ସେ ଛେନାପୋଡ ଜରିଟାକୁ ତଳେ ଫୋପାଡି ଦେଇ । କୋଳେଇଆଣିଲା ଛୁଆଟିକୁ । ଝିଅ ଛୁଆଟେ ଥିଲା । ବହୁତ ସୁନ୍ଦର ଲାଲ୍ ଟୁକୁଟୁକୁ ଦିଶୁଥିଲା । ତା ପାଟି ଶୁଣି ଆଉ ଜଣେଅଧେ ବାଟୋଇ ବି ସେଇଠି ଜମାହେଲେ । ସାଙ୍ଗେ ସାଙ୍ଗେ ଜଣେକିଏ କହିଲା ପୋଲିସରେ ଦେଇଦେବା । ଏ ସବୁ କଥା ପୋଲିସ ଅଛି ବୁଝିବାକୁ । ସୁକାନ୍ତ ଧଡ୍ କରି ସେ ଲୋକମାନଙ୍କ ଗୋଡତଳେ ପଡିଗଲା । ମୋ ଝିଅକୁ କେହି ମୋ ଠାରୁ ଅଲଗା କରନି ବୋଲି ଅନୁରୋଧ କଲା । ତା ବିକଳ ପ୍ରାର୍ଥନାରେ ସମସ୍ତଙ୍କ ମନ ବଦଳିଗଲା । ସୁକାନ୍ତକୁ ଛୁଆଟିକୁ ନେବାପାଇଁ ଅନୁମତି ମିଳିଗଲା । ଗାଁ କଥା ଗାଁ ଭିତରେ ରହିଗଲା । 


ଛୁଆଟିକୁ ସବୁଥର ଭଳି ଗାମୁଛାରେ ଗୁଡେଇ ଘରକୁ ଫେରିଲା ସୁକାନ୍ତ । ଶୋଭା ସୁକାନ୍ତର ଗାମୁଛା ଗୁଡିଆ ଦେଖି ହସିଲା । ଏଥର ପୁଣି କ'ଣ ତା ଭିତରେ । କୁକୁର ବିଲେଇ ପରେ ସାପ ବେଙ୍ଗ ଆଣି ରଖିବନା କ'ଣ । ସୁକାନ୍ତ ହସିହସି ତା ହାତକୁ ଗାମୁଛାଟା ବଢେଇଦେଇ କହିଲା ନିଜେ ଦେଖୁନୁ । ସାପ ନାଁ ବେଙ୍ଗ ଜାଣିଯିବୁ । ଏଥର ସୁକାନ୍ତର ହସଟା ସବୁଦିନ ଠାରୁ ଅଲଗା ଲାଗୁଥିଲା ଶୋଭାକୁ । ସେ ଆଶ୍ଚର୍ଯ୍ୟ ହେଇ ଗାମୁଛା ଆଡକୁ ଲଣ୍ଠନ ଟେକି ଧରିଲା ବେଳକୁ ନିଜେ ଚମକି ପଡିଲା । ସେ ଆଉ ସ୍ୱପ୍ନ ଦେଖୁନିତ । ସୁକାନ୍ତ ହାତରୁ ଏକରକମ ଝିଙ୍କି ଆଣିଲା ଭଳିଆ ସେ ଝିଅଟିକୁ ନେଇଗଲା ତା ଶୋଇବା ଘର ଖଟ ଉପରକୁ । ସେଇଠି ବସିପଡି ତା ଶୁଖିଲା ଛାତିରେ ଆଉଜେଇ ଧରିଲା ତାକୁ । କୁନି ଛୁଆଟି ବି ସେଇ ଶୁଖିଲା ଛାତିକୁ ଚୁଚୁମି ଯାଉଥିଲା ମନ ଭରି । "ବାତ୍ସଲ୍ୟ ପ୍ରେମ"ରେ ଓଦା ହେଇଯାଉଥିଲେ ଉଭୟ ସୁକାନ୍ତ ଓ ଶୋଭା । ତାଙ୍କ ସାଥିରେ ସାମିଲ ଥିଲେ ରାଜା ଆଉ ରାଣୀ ନିଜ ନିଜର ଲାଙ୍ଗୁଡ ବାଡେଇ ବାଡେଇ । 


  



Rate this content
Log in