Rajalaxmi Mohanty

Others

3  

Rajalaxmi Mohanty

Others

ବୟସର ଅପରାହ୍ନରେ

ବୟସର ଅପରାହ୍ନରେ

9 mins
143


ସାୟଂ ଭ୍ରମଣ ପରେ କିଛି ସମୟ ଏଇ ପାର୍କର ସିମେଣ୍ଟ ବେଞ୍ଚ୍ ଉପରେ ବସିସାରି ଘରକୁ ଫେରନ୍ତି ସୁଧାକର ବାବୁ । ଏତେ ଜଲଦି ଘରକୁ ଯାଇ କରିବେ ବା କ'ଣ । ଖାଇ ଗୋଡେଇଲା ଭଳିଆ ଲାଗେ ସେ ଘର ଭିତରଟା । ଏତେ ବଡ ଘର । ବାଡି ବଗିଚା ହେଇ କୁଆଡେ କେତେଯାଏ ଲମ୍ବିଛି । କେତେ ପ୍ରକାର ଚଢେଇ କିଚିରି ମିଚିରି ହେଇ ବଗିଚାରେ ଖେଳି ବୁଲନ୍ତି । ଖୁମ୍ପା ଖୁମ୍ପି ହୁଅନ୍ତି । ପୁଣି ଥଣ୍ଟରେ ଥଣ୍ଟ ଘଷି ଗେଲ ହୁଅନ୍ତି । ସବୁ ସୁଧାକର ବାବୁ ଦେଖନ୍ତି । ଆତ୍ମହରା ହୁଅନ୍ତି । ପୁଣି ଅଜଣାତରେ ଆଖିରୁ ଲୁହ ଗଡାନ୍ତି । ଆହା, ତାଙ୍କ ସାଙ୍ଗରେ କେହିଜଣେ ଏମିତି ଥାଆନ୍ତା କି,ଝଗଡା ପଛେ କରୁ ଏତେବଡ ଘରେ ମଣିଷ ପାଟି ଟିକେ ଶୁଣିବାକୁ ମିଳନ୍ତା । ସେତକ ସମ୍ଭବ ହୁଏନି ସେଇ ଘରେ । ବାଧ୍ୟ ହେଇ ସେ ଏଇ ପାର୍କକୁ ଚାଲି ଆସନ୍ତି । ପାର୍କରେ ତାଙ୍କ ସାଥିରେ ଆଉ ଜଣେ ଦିଜଣ ଚିହ୍ନା ହେଇଛନ୍ତି । ସମୟ ବିତିଯାଏ ନିଜ ନିଜର ଇତିହାସ ପଢିପଢି । ଆଜି ଟିକେ ବ୍ୟତିକ୍ରମ ଘଟିଛି । ବନ୍ଧୁ ଦୁଇଜଣ ଆସି ନାହାଁନ୍ତି । ତେଣୁ କିଛି ସମୟ ପାର୍କ ଭିତରେ ଚାଲି ସାରିଲା ପରେ ଏଇଠି ବେଞ୍ଚ ଉପରେ ବସିପଡିଲେ ସୁଧାକର ବାବୁ । ତାଙ୍କ ପାଖ ବେଞ୍ଚରେ ବସିଛନ୍ତି ଆଉ ଜଣେ ସମ ବୟସୀ ମହିଳା । ଚିହ୍ନିଲା ଭଳି ଲାଗୁଛନ୍ତି । ବହୁତ ମନେପକେଇବାକୁ ଚେଷ୍ଟା କଲେ ସୁଧାକର ବାବୁ । ନାଁ, ମନେପଡୁନି । ତଥାପି କେଉଁଠି ଦେଖିଲା ଭଳି ଲାଗୁଛି । ବୋଧହୁଏ ଦୂର ଅତୀତରେ । ସେଥିପାଇଁ ମନେପଡୁନି । ଛାଡ, ସେ ଯିଏ ହେଇଥାନ୍ତୁ । ଏଥର ଘରକୁ ଯିବା ପାଇଁ ଉଦ୍ୟତ ହେଲେ ସୁଧାକର ବାବୁ । ହଠାତ୍ ପଛରୁ କେହିଜଣେ ଡାକିଲେ ସୁଧା କିରେ?ଏ ସୁଧା ନାଁ ଧରି ପଇଁଚାଳିଶି ବର୍ଷ ଧରି ତାଙ୍କୁ କେହି ଡାକିନଥିଲେ । ଆଜି ହଠାତ୍!!ଟିକେ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଲେ ସୁଧାକର ବାବୁ । କାରଣ ସେଇ ମହିଳା ଜଣକ ହିଁ ତାଙ୍କୁ ଡାକୁଥିଲେ ସୁଧା ନାମ ଧରି । ସୁଧାକର ବାବୁ ସେହି ମହିଳା ଜଣଙ୍କ ପାଖକୁ ଯାଇ ପଚାରିଲେ "ମୋତେ ଆପଣ ଜାଣନ୍ତି?"

ହେ, ଆପଣ ଆପଣ କ'ଣ କହୁଛୁ ବା । ମୁଁ ପରା ତନୁଜା । ମନେପକା ଅଷ୍ଟମରୁ ଦଶମ ତିନିବର୍ଷ ଆମେ ସାଙ୍ଗ ହେଇ ପଢିଛେ । 


ଓହୋ, ତନୁ, ତୁ ଏଠି?ପୁଣି ଏତେବର୍ଷ ପରେ ମୋତେ ଏତେ ଜଲଦି ଚିହ୍ନିଦେଲୁ?ମୁଁ ତୋତେ ସେତେବେଳଠାରୁ ଦେଖି ମନେପକେଇବାକୁ ଚେଷ୍ଟା କରୁଛି ଅଥଚ ମନେପଡୁନଥିଲା । 


ହଁ ସେଇଟା ପୁରୁଷମାନଙ୍କ ମନ ପରା । ହଉ କହ ଏଥର କ'ଣ ସବୁ ଖବର ତୋର?ଏଇଠି କେବେଠାରୁ?

ଏମିତି କ'ଣ ଠିଆ ହେଇ ଗପ କରିବା । ଚାଲ୍ ମୋ ଘରକୁ । ଏଇଠୁ ଅଧ କିଲୋମିଟର ଦୂର ଜମା । ମୋ ସ୍କୁଟର ଅଛି । ନେଇଯିବି । ଘରେ ବସି କଥା ହେବା । ଘରେ ଟିକେ ଜଣେଇଦେ । ମୁଁ ପୁଣି ନେଇ ଛାଡି ଆସିବି ଯେ । 


ଘରେ ଆଉ କାହାକୁ ଜଣେଇବି । କହୁଛୁ ଯଦି ଚାଲେ ଯିବା । 

ସୁଧାକର ବାବୁଙ୍କ ଗାଡିରେ ବସି ତନୁଜା ଗଲେ ତାଙ୍କ ସାଥିରେ । ଗାଡି ଯାଇ ଅଟକିଲା ଘର ଗେଟ୍ ଆଗରେ । ତନୁଜା କହିଲେ ତୁ ଟିକେ ଆଗ ଭାଉଜଙ୍କୁ ଫୋନ୍ କରି ଜଣେଇଦେଇଥାନ୍ତୁ । ସେ ହଠାତ୍ ଦେଖି ବ୍ୟସ୍ତ ହେବେ । ଏତିକି କହିଲା ବେଳକୁ ଦେଖିଲେ ସୁଧାକର ବାବୁ ଗାଡି ଡିକିରୁ ଘର ଚାବି ବାହାର କରୁଛନ୍ତି । ଏବେ ତନୁଜାଙ୍କର ନଜରକୁ ଆସିଲା ଯେ ଘରେ ଏତେବଡ ତାଲାଟିଏ ଝୁଲୁଛି ବୋଲି । ସେ ପୁଣି ପଚାରିଲେ "ଘରେ କ'ଣ କେହି ନାହାଁନ୍ତି?"

ସୁଧାକର ବାବୁ ହସିହସି କହିଲେ, ଆରେ ଘରେ କଥା ହେବା ବୋଲି ଘରକୁ ଆସିଲେ ପରା । ଏତେ ଅସମ୍ଭାଳ ହେଉଛୁ କାହିଁକି । ଘର ଭିତରକୁ ତ ଚାଲେ ଆଗ । ଘର ଭିତରେ ପଶୁପଶୁ ଦାଣ୍ଡ ଘରେ ଟଙ୍ଗା ହେଇଥିଲା ଏକ ତୈଳଚିତ୍ର । ସେ ଥିଲା ଜଣେ ମହିଳାଙ୍କର । ଫଟୋରେ ଝୁଲୁଥିଲା ବଡ ଫୁଲ ହାରଟେ । ତା ମାନେ ଇଏ କିଏ ତାହେଲେ । ଫଟୋରୁ ଜଣା ପଡୁଛି ମହିଳାଙ୍କର ବୟସ ଅତି ବେଶିରେ ଚାଳିଶି ହେଇଥିବ । ତା ଠାରୁ ଅଧିକ ନୁହେଁ । ତେଣୁ ତନୁଜା କେମିତି ଭାବିବେ ଯେ ଇଏ ସୁଧାକର ବାବୁଙ୍କ ସ୍ତ୍ରୀ ହେଇଥିବେ ବୋଲି । ତେଣୁ ନିଶ୍ଚିନ୍ତ ହେବା ପାଇଁ ସୋଫା ଉପରେ ବସୁ ବସୁ ପଚାରିଲେ ଘରେ କ'ଣ କେହି ନାହାଁନ୍ତି?କୁଆଡେ ସବୁ ଯାଇଛନ୍ତି କି?

ସୁଧାକର ବାବୁ ମଧ୍ୟ ସୋଫା ଉପରେ ବସୁବସୁ କହିଲେ ସମସ୍ତେ ଅଛନ୍ତି । ହେଇ ଦେଖ କହି ସେଇ ଫଟୋ ଆଡକୁ ଅଙ୍ଗୁଳି ଦେଖେଇ କହିଲେ "ଇଏ ମୋ ସ୍ତ୍ରୀ ସୁମିତ୍ରା" । ଆଶ୍ଚର୍ଯ୍ୟ ହେଇଗଲେ ତନୁଜା । ସୁମିତ୍ରା ସତରେ ଏତେ ସୁନ୍ଦର ଥିଲେ । ଯେମିତିକା ଝିଅ ସୁଧାକର ଚାହେଁ ବୋଲି ସେଇ କିଶୋର ବୟସରେ ବି କଳ୍ପନା କରିଥିଲା । ଠିକ୍ ସେମିତିକା ସୁନ୍ଦରୀ । ହେଲେ କ'ଣ ହେଇଥିଲା ତାଙ୍କର । ମନ ଭିତରେ ପ୍ରଶ୍ନଗୁଡିକ ଆଉ ଚାପି ରଖିପାରିଲେନି ତନୁଜା । ପଚାରିଲେ ସୁଧାକର ବାବୁଙ୍କୁ ସବୁ କଥା । ସୁଧାକର ବାବୁ କହିଲେ, ଏମିତି ମଝିରେ ମଝିରେ ଖଣ୍ଡିଆ କରି ଶୁଣିଲେ କିଛି ବୁଝିପାରିବୁନୁ । ମୁଁ ତୋ ପାଇଁ ଚା' ତିଆରି କରି ନେଇଆସେ । ଚା' ପିଇ ପିଇ ସବୁ କଥା ହେବା । ଆରମ୍ଭରୁ ଶେଷ ଯାଏ । ଆଜି ନସରିଲେ କାଲି ପୁଣି ଆସିବୁ । ମୁଁ ସବୁବେଳେ ଫ୍ରି ଅଛି । ସୁଧାକର ବାବୁଙ୍କୁ ଅଟକେଇ ଦେଇ ନିଜେ ରୋଷେଇଘର କେଉଁଠି ପଚାରି ବୁଝି ଚା' ତିଆରି କରି ଆଣିଲେ ତନୁଜା । ଦୁଇ ଜଣ ଚା' ପିଉ ପିଉ ଫେରି ଯାଇଥିଲେ ପଇଁଚାଳିଶି ବର୍ଷ ତଳକୁ । 


ତୁ ଜାଣିଚୁ ତନୁଜା, ସ୍କୁଲରେ ମୋ ପଛରେ ଅନେକ ଝିଅ ପଡିଥିଲେ ବି ମୁଁ କାହା ପଛରେ ପଡିନଥିଲି । କାହିଁକିନା ମୋ ମନ ଖୋଜୁଥିଲା ଯାହାକୁ ସେଇଭଳି ଝିଅ ଆମ ସ୍କୁଲରେ ନଥିଲେ । 


ହଁ ହଁ ଠିକ୍ ମନେରଖିଛୁ । (ମନେମନେ ସେଇ ଝିଅମାନଙ୍କ ଭିତରୁ ମୁଁ ବି ଜଣେଥିଲି) । 


ମୋ ମନ ଖୋଜୁଥିବା ଭଳି ମାନସୀଟିଏ ପାଇଲି ମୁଁ କଲେଜ ସମୟରେ । ସେବେଠାରୁ ଆମ ସମ୍ପର୍କ ବଢିବଢି ବିବାହରେ ପରିଣତ ହେଲା । କୋଳକୁ ଆସିଲେ ପୁଅଟେ ଝିଅଟେ । ବହୁତ ଭଲରେ ଚାଲୁଥିଲା ଆମର ସଂସାର ଗାଡି । ହଠାତ୍ କାହାର ନଜର ଲାଗିଗଲା ଭଳି ସବୁ କିଛି ଭାଙ୍ଗି ରୁଜି ଛାରଖାର ହେଇଗଲା । ସୁମିତ୍ରାର ବୋନ୍ କ୍ୟାନସର ଡିଟେକ୍ଟ ହେବାର ପ୍ରାୟ ବର୍ଷେ ପରେ ସେ ଚାଲିଗଲେ ମୋତେ ଏକା କରି । ମାତ୍ର ଚାଳିଶି ବର୍ଷ ବୟସରେ । ଆଉ ବଞ୍ଚିବାର ଇଚ୍ଛା ନଥିଲେ ବି ମୋ ଗୋଡରେ ବେଡିଭଳି ବାନ୍ଧି ହେଇ ରହିଥିଲେ ଛୁଆ ଦୁଇଟି । ବହୁତ କଷ୍ଟରେ ସେମାନଙ୍କୁ ବାପା ଆଉ ମାଆ ହେଇକି ବଢେଇଲି । ଦ୍ୱିତୀୟ ମାଆ ଆଣୁଆଣୁ ସାବତ ମାଆଟେ ଚାଲିଆସିବ ଭାବି ସେଇ ବୟସରେ ଏକୁଟିଆ ରହିଗଲି ସିନା ପୁନର୍ବିବାହ କରିବାକୁ ଦିନେ ମନ ବଳେଇନି । ସବୁକିଛି ସମ୍ପୂର୍ଣ୍ଣ ଭଲରେ ନହେଲେ ବି ଅନେକାଂଶରେ ଭଲରେ ଚାଲିଆସିଥିଲା । ଆଗ ଝିଅ ବାହାଘର ତା ପରେ ପୁଅ ବାହାଘର ସବୁ ସାରିଦେଲି । ଏଇ ବର୍ଷ ରିଟାଏର୍ଡ ପରେ ଘରେ ବସିବା ପର ଠାରୁ କାହିଁକି କେଜାଣି ସମୟଟା ବହୁତ ଲମ୍ବା ଲାଗୁଛି । ପିଲାମାନେ ସମସ୍ତେ ବିଦେଶରେ । ପାଖକୁ ଡାକିଲେ ବି ସୁମିତ୍ରାଙ୍କୁ ଏକା ଏଘରେ ଛାଡି ଯିବାକୁ ଇଚ୍ଛା ହୁଏନି । ଏଇଠି ପ୍ରତ୍ୟେକଟି ଚିଜରେ ମୁଁ ତାଙ୍କର ସ୍ଥିତି ଅନୁଭବ କରୁଛି । ଏଇ ଘର ତାଙ୍କର ସ୍ୱପ୍ନର ମହଲ ଥିଲା । ସେ ଏଇ ଘର ଛାଡି କୁଆଡେ ବି ଯାଇନଥିବେ । ଆଉ ମୁଁ ବି ତାଙ୍କୁ ଛାଡି କୁଆଡେ ଯାଇ ରହିପାରିବିନି । କହୁକହୁ ଭାବପ୍ରବଣ ହେଇଗଲେ ସୁଧାକର ବାବୁ । ସୁଧାକର ବାବୁଙ୍କର କଥା ଶୁଣି ସାରିଲା ବେଳକୁ ତନୁଜାଙ୍କର ଆଖି ଲୁହରେ ଭର୍ତ୍ତି ହେଇସାରିଥିଲା । ସେ ଭାବୁଥିଲେ କ'ଣ । ଆଉ ଦେଖୁଛନ୍ତି କ'ଣ । ଦୂର ପରବତ ଦୂରକୁ ସୁନ୍ଦର ଭଳି ସମସ୍ତଙ୍କ ସୁଖଟି ଆମକୁ ଦେଖାଯାଏ । ଛାତି ତଳର ଅନ୍ତର୍ବେଦନା କାହାକୁ ଦେଖାଯାଏନି । ହଟାକଟା ଏତେ ବଡ ଲୋକଟିର ମନ ଭିତରେ ଯେ ଏତେ ଯନ୍ତ୍ରଣା ଢେଉ ପିଟୁଛି କିଏ ବା ବୁଝିବ । ନିଜର ଦୁଃଖ କୁଆଡେ ମିଳେଇଗଲା ସୁଧାକର ବାବୁଙ୍କ କଥା ଶୁଣି । ଏଥର ତନୁଜା ବାହାରିଲେ ଘରକୁ ଯିବା ପାଇଁ । ସୁଧାକର ବାବୁ କହିଲେ ଘରକୁ ଟିକେ ଫୋନ୍ କରିଦେ, ଘରେ ନହେଲେ ତୋ ମିଷ୍ଟର ବ୍ୟସ୍ତ ହେଉଥିବେ । ହସିଲେ ଏକ ଉଦାସୀ ହସ ତନୁଜା । ମିଷ୍ଟର କେଉଁଠୁ ଆଣିବି ତୋ ପାଇଁ ଏଇନା । 


ମାନେ?ପଚାରିଲେ ସୁଧାକର ବାବୁ । 


ସେ କଥା ରହିଲା ଆସନ୍ତା କାଲିକୁ । ଆଜିପାଇଁ ଏତିକି ହେଇଥାଉ କହି ବାହାରିଲେ ତନୁଜା । ସୁଧାକର ବାବୁ ଛାଡିବାକୁ ଆସୁଥିଲେ । ହେଲେ ମନାକଲେ ତନୁଜା । ରିକ୍ସା ଗୋଟେ ଡାକିକି ଚାଲିଗଲେ । ବାଟସାରା ଅତୀତକୁ ଖେଳେଇ ଖେଳେଇ ଚାଲୁଥିଲେ ସେ । 


ଏଇ ସୁଧାକର ଦିନେ ଶ୍ରେଣୀଟା ସାରା ଝିଅଙ୍କର ସ୍ୱପ୍ନ ନାୟକ ଥିଲା । ଆଦ୍ୟ ଯୌବନରେ ପାଦ ଦେଉଥିବା ପ୍ରତିଟି ବାଳିକା ପ୍ରଥମେ ସୁଧାକରକୁ ନେଇ ହିଁ ତାଙ୍କର ସ୍ୱପ୍ନର ମହଲ ଗଢିଥିଲେ । ସୁଧାକର କିନ୍ତୁ ଅଲଗା ଧରଣର ପିଲା ଥିଲା । କେବଳ ପାଠକୁ ବେଶି ଧ୍ୟାନ ଦେଉଥିଲା ତା ସହିତ ଭଲ ପଢୁଥିବା ପିଲାଙ୍କୁ ବି ଧ୍ୟାନ ଦେଉଥିଲା । ସେମିତିରେ ତାଙ୍କ ଶ୍ରେଣୀରେ ଝିଅମାନଙ୍କ ଭିତରେ କେହି ସେମିତି ଅଧିକ ଭଲ ପଢୁଥିବା ଝିଅ ନଥିଲେ । ତେଣୁ କେହି ଜଣେ ହେଲେ ବି ରୂପର ପ୍ରଲୋଭନ ଦେଖେଇ ସୁଧାକରର ମନଦରଜାକୁ ପାର ହେଇପାରିନଥିଲେ । ତନୁଜା ଦେଖିବାକୁ ବିଶେଷ ସୁନ୍ଦର ନଥିଲେ କି ପାଠପଢାରେ ନିପୂଣା ନଥିଲେ । ତେଣୁ ସେ କେବେ ସେହି ପ୍ରତିଯୋଗିତାରେ ସାମିଲ ହେଇନଥିଲେ ବି ମନେମନେ ଛୋଟିଆ ନୀଡଟିଏ ତିଆରି କରିଥିଲା । କିନ୍ତୁ ଦଶମ ଶ୍ରେଣୀ ପରେ ପରେ ଆଉ କାହାର କାହାରି ସହିତ ଭେଟ ହେବାର ସୁଯୋଗ ମିଳିନଥିଲା । ତାଙ୍କ ଶ୍ରେଣୀର ଅଳ୍ପ କେତେ ଜଣ ଝିଅ କେବଳ କଲେଜରେ ପଢିବାର ସୁଯୋଗ ପାଇଥିଲେ । ସେହି ବର୍ଷ ଆଉ କିଛି ବାହା ହେଇ ଯାଇଥିଲେ । ଯେଉଁ କେତେଜଣ ବଳିଥିଲେ ସେମାନେ ସେଇ ଦିନକୁ ଅପେକ୍ଷା କରି ରହିଥିଲେ । ତନୁଜାଙ୍କର ପାଳି ପଡିଲା ତା ପର ବର୍ଷ । ସେ ବି ପୁରୁଣା ସପନକୁ ମନରୁ ପରିହାର କରି ନୂଆ ସାଥିର ହାତ ଧରି ନୂଆ ନୂଆ ସ୍ୱପ୍ନ ସବୁ ଦେଖିଦେଖି ପିଲାଦିନର ମିଛସପନକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ । ଆଜି କିନ୍ତୁ ସୁଧାକରକୁ ଦେଖୁ ଦେଖୁ ଚିହ୍ନି ପାରିଥିଲେ ସେ ତାଙ୍କର ସିଧାସଳଖ ସାଢେଛଅ ଫୁଟିଆ ଉଚ୍ଚତା ଦେଖିକରି । ଆଜିବି ମୁଣ୍ଡରେ ସେଇ ଗହଳ କେଶ । କେମିତି ଚିହ୍ନି ନହେବ ଯେ । ନିଜେ ତନୁଜା ସିନା ପାଚିଲା ଚୁଟିକୁ ମୋଟାପଣ ପାଇଁ ଅଲଗା ଦିଶୁଛନ୍ତି । ସୁଧାକରଙ୍କର ଏଇ ବୟସରେ ବି ସେଇ ସମାନ ବେଶଭୂଷା । ସେହି ଠାଣି ମାଣି । ଯିଏ କେହି ହେଲେ ବି ଚିହ୍ନି ପାରିବ ।  


ରିକ୍ସା ଆସି ଲାଗିସାରିଥିଲା ହାପି ହୋମ୍ ସାମ୍ନାରେ । ତନୁଜା ରିକ୍ସାରୁ ଓହ୍ଲେଇପଡି ପର୍ସରୁ ଟଙ୍କା କାଢି ରିକ୍ସା ବାଲା ହାତକୁ ଦେଇ ଚାବିଖୋଲି ଘର ଭିତରକୁ ପଶିଲେ । ଘର ଭିତରଟା ଆହୁରି ଶୂନ୍ୟ ଶୂନ୍ୟ ଲାଗୁଥିଲା ସବୁଦିନ ଅପେକ୍ଷା । କିଛି ଦିନ ହେଲା ଭୁଲିଯାଇଥିବା ଘଟଣାଗୁଡା ପୁଣି ଥରେ ଆଖି ଆଗରେ ଘୂରି ବୁଲିଲା । ଦିନରୁ ରୋଷେଇ ହେଇ ଥୁଆ ହେଇଥିବା ବଳକା ଖାଦ୍ୟକୁ ଗରମ କରିବାକୁ ଆଉ ଧୈର୍ଯ୍ୟ ନଥିଲା ତାଙ୍କର । ସେମିତି ସେଗୁଡା ଗିଳିଦେଲା ଭଳିଆ ଖାଇଦେଇ ଶୋଇପଡିଲେ ସେ । ନିଦ କେଉଁ ଆସୁଛି ଯେ ଶୋଇବେ । ସେମିତି ଗଡପଡ ହେଇ ରାତି ପାହିଲା । ପୂର୍ବ ରାତିରୁ ବହୁତ ଗୁଡାଏ କାମ ବଳକା ରହି ଯାଇଛି । ସକାଳୁ ଉଠି କାମରେ ଲାଗିଲେ ତନୁଜା । କେତେ ଅର୍ଡର ସବୁ ଆଜି ଦେବାକୁ ପଡିବ । ତେଣୁ ତରବର ହେଇ କାମରେ ମନ ଦେଲେ ପୂର୍ବ ରାତିର କଥା ପଛରେ ପକେଇ । ଆଜି ତିନିଟା ବ୍ଳାଉଜ ସମ୍ପୂର୍ଣ୍ଣ କଲେ ଛଅଶହ ଟଙ୍କା ମିଳିବ । ଘରେ ସବୁ ଜିନିଷ ସରିଆସିଲାଣି । ମାସ ବି ପୂରିବ ଆଉ କେଇଦିନ ଗଲେ । ଘର ଭଡା ପୁଣି ଦେବାକୁ ପଡିବ । ଇତିହାସ ଆଉ ପଢୁଛି କିଏ । ବର୍ତ୍ତମାନ ତ ଅଧା ଜୀବନ ନେଲାଣି । ପୂରା ନେଇଯାଆନ୍ତା କି ଆଉ ଦହଗଞ୍ଜ ହେବାକୁ ପଡନ୍ତାନି । 


ଯାହାହେଉ ସନ୍ଧ୍ୟା ସୁଦ୍ଧା ସବୁ କାମ ସାରି ସେ ଟିକେ ପାର୍କ ଆଡେ ଯିବାକୁ ବାହାରିଲେ । ଦିନସାରାର କ୍ଳାନ୍ତି ସେଇଠି ଦୂର ହେଇଯାଏ ତାଙ୍କର । ପାର୍କ କଥା ମନେପଡିଲାରୁ ସୁଧାକରଙ୍କ କଥାଟି ମନେ ପଡିଗଲା । ସୁଧାକର ତାହେଲେ ଏବେ ପାର୍କ ଆସିଥିବେ । ତନୁଜା ଯାଇ ପହଞ୍ଚିଲେ ପାର୍କର ସେଇ ନିର୍ଦ୍ଦିଷ୍ଟ ଜାଗାରେ । ସତକୁ ସତ କିଛି ସମୟ ପରେ ସୁଧାକର ବି ଆସି ପହଞ୍ଚିଲେ । ଆଜି ବି ତାଙ୍କର ପୂର୍ବ ଦୁଇ ସାଥି ଆସିନଥିଲେ । ତେଣୁ ସେ ସିଧା ଆସି ତନୁଜାଙ୍କ ପାଖରେ ବସିପଡି ସିଧା କଥା ଆରମ୍ଭ କଲେ "ଏବେ କହ, ତୋ ପିଲା ଛୁଆ ତୋ ପରିବାର କଥା । ପିଲା ମାନେ କ'ଣ କରୁଛନ୍ତି । କେଉଁଠି ରହୁଛନ୍ତି । କ'ଣ ଚାକିରି ସବୁ କରୁଛନ୍ତି । ବାବୁଙ୍କ ଦେହ କେମିତି ଅଛି, ଆଉ..." । ରହ ରହ, ସେତିକି ହେଇଥାଉ ତୋ ପ୍ରଶ୍ନ । ଏକାବେଳକେ ଏତେ ଉତ୍ତର ମୁଁ ଦେଇପାରିବିନି । ଧିରେ ଧିରେ ଆରମ୍ଭରୁ କହୁଛି ରହ । ତନୁଜା ଆରମ୍ଭ କଲେ ନିଜର ପଇଁଚାଳିଶି ବର୍ଷ ପୂର୍ବର କାହାଣୀ । 


ଦଶମ ଶ୍ରେଣୀ ପରୀକ୍ଷା ପର ବର୍ଷ ତନୁଜାଙ୍କର ବାହାଘର ହେଇଯାଇଥିଲା ରବିନାରାୟଣ ବାବୁଙ୍କ ସହ । ବାହାଘଗରର ପ୍ରାୟ ପନ୍ଦର ବର୍ଷ ପର୍ଯ୍ୟନ୍ତ ସବୁ ଠିକ୍ ଚାଲିଥିଲା । ରବି ବାବୁ ବହୁତ ଭଲ ଦରମାରେ ଚାକିରି କରୁଥିଲେ । ଅଭାବ କ'ଣ ତନୁଜା ଜାଣୁନଥିଲେ । ହଠାତ୍ ପନ୍ଦର ବର୍ଷ ପରେ ତନୁଜା ଅନୁଭବ କଲେ ଆଗ ଅପେକ୍ଷା ଘରର ଖର୍ଚ୍ଚ କମି ଯାଉଛି । ଭଲ କଥା ତ । କିନ୍ତୁ ସେଭିଂ ବଢୁ ନାହିଁ । ଟଙ୍କା କୁଆଡେ ଅନ୍ୟ ବାଟେ ଚାଲିଯାଉନି ତ?ମନ ଭିତରେ ଛୋଟିଆ ସନ୍ଦେହଟିଏ ମୁଣ୍ଡ ଟେକିଲା ତାଙ୍କର । ରବିବାବୁ ଖାଲି ଘରର ଖର୍ଚ୍ଚ କମ୍ କରିଦେଇନଥିଲେ, ବରଂ ଘର ପାଇଁ ସମୟ ବି ଦେବା କମ୍ କରିଦେଇଥିଲେ । କାରଣ ଜାଣିବା ସହଜ ନଥିଲା ତନୁଜାଙ୍କ ପାଇଁ । କାରଣ ରବିବାବୁଙ୍କ ଚାକିରି ସେଇଭଳି । ଅଧିକାଂଶ ସମୟ ସେ ବାହାରେ ବିତାନ୍ତି । ସେଇ ସମୟଟା ଆଜିକାଲି ବହୁତ ବଢି ଯାଉଛି । ତନୁଜାଙ୍କର ସନ୍ଦେହ କରିବା ସ୍ୱାଭାବିକ କଥା । ବହୁତ ଖୋଳତାଡ ପରେ ସତ ଦିନେ ପଦାକୁ ଆସିଲା । ସେତେବେଳକୁ ତନୁଜାଙ୍କ ଜାଗା ମାଡି ବସିଥିଲା ଆଉ ଜଣେ । ଚାରିଆଡ ଅନ୍ଧାର ଦିଶିଲା ତାଙ୍କୁ । କେତେ ଗୋଡ ହାତ ଧରି ନେହୁରା ହେଲେ ରବି ବାବୁଙ୍କର ଖରାପ ରାସ୍ତାରେ ପାଦ ନଦେବା ପାଇଁ । ସବୁ ବ୍ୟର୍ଥ ହେଲା । ଜୀବନ ବଡ ଦୁଃସହ ହେଲା ଧିରେ ଧିରେ ରବି ବାବୁଙ୍କ ପାଖରେ । ବାଧ୍ୟ ହେଇ ସେଠୁ ଚାଲି ଆସିଲେ ନିଜର ତେର ବର୍ଷର ଝିଅକୁ ଧରି ଏଇ ସହରକୁ । ଆଉ ପଛକୁ ଚାହିଁ ନାହାଁନ୍ତି ସେ । ଅଧିକ ପାଠ ପଢିଥିଲେ କେତେ କାମରେ ଆସେ ସେଇଦିନ ସେ ଅନୁଭବ କଲେ । ଝିଅର ପଢା ବନ୍ଦ ନକରିବାକୁ ଶପଥ ନେଇ ନିଜେ ସିଲେଇ ଶିଖିଲେ । ସେଇ ଟଙ୍କାରେ ନିଜର ଖର୍ଚ୍ଚ ଉଠେଇଲେ । ବେଳେବେଳେ ଜୀବନର ବୋଝ ତଳେ ପକେଇଦେଇଛି ତାଙ୍କୁ, ତଥାପି ଉଠିପଡି ଝାଡିଝୁଡି ହେଇ ଚାଲୁଛନ୍ତି । ସବୁ ଠିକ୍ ଥିଲା । ହେଲେ ଏବେ ବୟସ ଆଉ ସାଥ୍ ଦେଉନି ଏକା ରହିବାକୁ । ଝିଅ ପାଖରେ ରହିବାକୁ ହେଲେ ଏ ସ୍ୱାଭିମାନୀ ମନ ସମୁଦୀ ସମୁଦୁଣୀଙ୍କ ତିରସ୍କାର ସହି ପାରୁନି । ସେମିତି ଗୁଡାଏ କିଛି ଝିଅକୁ ଦେଇ ପକେଇନି ଯେ ଜୋର କରି ଯାଇ ଝିଅ ଘରେ ରହିବି କହୁକହୁ ଆଖିରୁ ଲୁହ ପୋଛିଲେ ତନୁଜା । ସବୁ ଶୁଣି ଭାବୁଥିଲେ ସୁଧାକର ବାବୁ, ଜୀବନଟା ସତରେ କ'ଣ?କାହାକୁ ଆଣି କେଉଁ ମୋଡରେ ଠିଆ କରିବ କିଛି ଠିକ୍ ନାହିଁ । ସମୟ ହେଇ ଆସିଥିଲା ଘର ଲେଉଟାଣିର । ଦୁଇଜଣ ଫେରିଲେ ଘରକୁ କାଲି ପୁଣି ଏଇ ସମୟରେ ସାକ୍ଷାତର ପ୍ରତିଶୃତି ନେଇ । 


ସବୁ ଦିନ ସେଇ ସମୟରେ ତନୁଜାଙ୍କର ଦେଖା ହୁଏ ସୁଧାକର ବାବୁଙ୍କ ସହ । ଦୁହେଁ କେବେକେବେ ଅତୀତକୁ ଘାଣ୍ଟନ୍ତି ତ କେବେକେବେ ଭବିଷ୍ଯତକୁ ନେଇ ଅଜବ ଅଜବ କଳ୍ପନା କରନ୍ତି । ଯେମିତିକି ଦିନେ ଶୋଇଥିବା ଆଉ ରାତି ଆମ ପାଇଁ ପାହିବନି । ଆମେ ବାଥ୍ ରୁମ କବାଟ ଦେଇଥିବା ଆଉ ଖୋଲିପାରିବାନି । ଇତ୍ୟାଦି ଇତ୍ୟାଦି । ଏସବୁରୁ ବର୍ତ୍ତିବା ପାଇଁ ସାଥିଟିଏ ଦରକାର । ଦେହରେ ଯେତେବେଳେ କ୍ଷୁଧା ପ୍ରବଳ ସେଇ ସମୟରୁ ଦେହର ଭୋକ ମରିଯାଇଛି । ଏବେ କେବଳ ମନରେ ଆଶା ଆଶଙ୍କା ଓ ଭୟ । ସେଥିରୁ ବଞ୍ଚିବା ପାଇଁ ଦୁହେଁ ବାଟ ଖୋଜୁଥିଲେ ଏଣେତେଣେ । ହଠାତ୍ ସୁଧାକର ବାବୁ ଉଠିପଡି କହିଲେ ତନୁଜାକୁ "ତନୁଜା, ଆମେ କ'ଣ ଚାହିଁଲେ ଏବେ ବାହା ହେଇପାରିବାନି?ଏଥିରେ କାହାର ଅସୁବିଧା କ'ଣ?" ଏଇ ପରିଣତ ବୟସରେ ବି ତନୁଜା ଲାଜେଇ ଗଲେ ସୁଧାକର ବାବୁଙ୍କ କଥା ଶୁଣି ।  


କି କଥା କହୁଛ । ପିଲାମାନେ କ'ଣ ଭାବିବେ । 


ପିଲାମାନେ କ'ଣ ଆମ ପରିସ୍ଥିତି କଥା ଭାବୁଛନ୍ତି?ଆମେ କେବଳ ଗୋଟିଏ ଘରେ ସାଥି ହେଇ ରହିବା । ସେଇ ସମ୍ପର୍କକୁ ସ୍ୱୀକୃତି ଦେବାପାଇଁ ବାହାହେବାକୁ ପଡିବ ଆମକୁ । କ'ଣ କହୁଛ?


ତନୁଜା ବି ବୋଧହୁଏ ଭାସି ଯାଉ ଯାଉ କୁଟା ଖିଅଟିଏ ଆଶା କରୁଥିଲେ । କିନ୍ତୁ ତାଙ୍କୁ କୁଟା ଖିଅ ନୁହେଁ ସିଧା ମୋଟର ବୋଟର ସାହାଯ୍ୟ ମିଳୁଥିଲା ଦେଖି ସେ ବିଶ୍ୱାସ କରିପାରୁନଥିଲେ । ତେଣୁ ଦୁଇଦିନ ସମୟ ମାଗିନେଇଥିଲେ । 


ତୃତୀୟ ଦିନ ଠିକ୍ ସମୟରେ ସୁଧାକର ବାବୁଙ୍କ ଘରେ ପହଞ୍ଚିଥିଲେ ତନୁଜା । ସୁଧାକର ବାବୁ ବି କେବେବି ତନୁଜାଙ୍କ ଠାରୁ ନାସ୍ତି ବାଚକ ଉତ୍ତର ଆଶା କରିନଥିଲେ । ସେ ବି ଆଗରୁ ପ୍ରସ୍ତୁତ ହେଇଥିଲେ । ଗାଡି ଗଡୁଥିଲା କଚେରୀ ରାସ୍ତାରେ । "ବୟସର ଅପରାହ୍ନରେ"ହେଉପଛେ କୂଳ ପାଇଗଲେ ଦିଗହରା ନାବିକ ଦୁଇଜଣ । 


ସମାପ୍ତ



Rate this content
Log in