Rajalaxmi Mohanty

Others

4.1  

Rajalaxmi Mohanty

Others

ଦରଜାବନ୍ଦ

ଦରଜାବନ୍ଦ

7 mins
271


ମାଡାମ୍, 

ଡାକ ଶୁଣି ପଛକୁ ବୁଲି ଚାହିଁଲା ଅନୁଷ୍କା l ବୁଲେଟ୍ ଅଟକେଇ ପାଖରେ ଛିଡାହେଇଥିଲେ ଅନୁରାଗ l ଅନୁଷ୍କା ଅଟକିବା ଦେଖି ଟିକେ ହସିଦେଇ ପଚାରିଲେ "ଅଫିସ୍ ଯାଉଛନ୍ତି ନାଁ"?


ଅନୁଷ୍କା ବି ସମଭାବେ ଈଷତ୍ ହସିଦେଇ କହିଲା "ହଁ" l 


ତା ହେଲେ ଆସନ୍ତୁ ମାଡାମ୍ , ମୁଁ ଆପଣଙ୍କୁ ଡ୍ରପ୍ କରିଦେବି l 


ପ୍ରଥମେ ପ୍ରଥମେ ଅନୁଷ୍କା ଅମଙ୍ଗ ହେଉଥିଲା l ଅନୁରାଗଙ୍କର ବାରମ୍ବାର ଅନୁରୋଧ ଫଳରେ ରାଜିହେଇ ବସିଲା ଅନୁରାଗଙ୍କ ବୁଲେଟ୍ ପଛରେ l ଟିକେ ଅସହଜ ଲାଗୁଥାଏ ଉଭୟ ଦେହ ଓ ମନକୁ l ବାହାଘର ଆଗରୁ ଯାହା ସେ ନିଜ ଭାଇ ସ୍କୁଟରରେ ବସିଥିଲା l ବାହାଘର ପରେ ସ୍ୱାମୀ ପ୍ରବୀଣଙ୍କ ବାଇକରେ ବସିଛି l ତା ବ୍ୟତୀତ ଆଉ କେଉଁ ତୃତୀୟ ପୁରୁଷର ଗାଡି ପଛରେ ସେ ବସିବାକୁ ଚାହିଁନି କିମ୍ବା ସେ ସମୟ ଆସୁନଥିଲା l ଆଜି ଏମିତି ଅଚାନକ ତା ସହିତ ସମୟ ଖେଳ ଖେଳିବ ବୋଲି ସେ କେବେ ଭାବିନଥିଲା l ଯେଉଁଥିପାଇଁ ସେ ଆଜି ଆଉ କାହାର ଦୟାର ପାତ୍ରୀ l ନାଁ, ଆଜି ଶେଷ ଥର l ଆଉ କେବେ ବି କାହା ବ୍ୟକ୍ତିଗତ ଗାଡିରେ ଭୁଲରେ ବସିବିନି l ମନେମନେ ଶପଥ ନେଲା ଅନୁଷ୍କା l ଅନୁରାଗଙ୍କ ବୁଲେଟ୍ ଅଫିସ୍ ସାମ୍ନାରେ ଅଟକି ସାରିଥିଲା l ଅନୁଷ୍କା ଆଉ କାହାର ନଜରରେ ପଡିବା ଆଗରୁ ତରବର ହେଇ ଗାଡିରୁ ଓହ୍ଲେଇ ପଡି ଅଫିସ୍ ଭିତରକୁ ଚାଲିଗଲା l ମନେମନେ ଭାବୁଥାଏ ଯାହା ହେଉ ଏଥର ସେ ବଞ୍ଚିଗଲା l ସେ ସିନା ଏକଥା ଭାବୁଥାଏ, ବଞ୍ଚିଗଲା କେମିତି ଯେ?ସିକ୍ୟୁରିଟିଟା ପରା ଜଳଜଳ ହେଇ ତାକୁ ଆବାକାବା ହେଇ ଚାହିଁଥିଲା l ଦେହରୁ ଗମ୍ ଗମ୍ ହେଇ ଝାଳ ବାହାରିଗଲା ଅନୁଷ୍କାର l ନିଜ କେବିନ୍ ଭିତରକୁ ପଶିଯାଇ ବୋତଲରୁ ପଣି ବାହାର କରି ଢକଢକ କରି ପିଇଗଲା l ତା ପରେ ସ୍ୱସ୍ତିରେ ନିଃଶ୍ୱାସ ମାରିଲା l ବାଟରେ ନେଇଥିବା ଶପଥକୁ ଆଉଥରେ ମନେ ପକେଇ ନେଲା l ନାଁ, ଆଜି ପ୍ରଥମ,ଆଜି ହିଁ ଶେଷ l 


କିନ୍ତୁ ସତରେ କ'ଣ ଏମିତି ଶପଥର ମୂଲ୍ୟ କିଛିଥାଏ?ସେ ପୁଣି ଅନୁଷ୍କା ଭଳି ଅବଳା ଦୁର୍ବଳା ସ୍ୱାମୀ ପରିତ୍ୟକ୍ତାଟିଏ ପାଖରେ l ଯିଏ ସମୟର ସ୍ରୋତରେ ଭାସି ଆସି ଭଉଁରୀ ଭିତରେ ପଡିଗଲାଣି, ସେ ଏମିତି କେତେଥର ବୁଡିବ ଉଠିବ ପାଣିପିଇବ ନା, ସେମିତି କେମିତି ଯାଇ କୂଳରେ ଲାଗିବ l ସେଇଆ ହେଇଥିଲା ଅନୁଷ୍କା କ୍ଷେତ୍ରରେ l ଶପଥ ନେବାର ମାତ୍ର ଦୁଇଦିନ ପରେ ଝିଅ ସ୍କୁଲରୁ ଫୋନ୍ ଆସିଲା ଝିଅକୁ ପ୍ରବଳ ଜ୍ୱର,ଆସି ନେଇଯାଆନ୍ତୁ ଘରକୁ l ଚିନ୍ତାରେ ପଡିଗଲା ଅନୁଷ୍କା l ପ୍ରବୀଣଙ୍କ ପରେ ଏଇ ଝିଅ ଆଦ୍ୟାଶା ହିଁ ତା'ର ଶେଷ ସାହା ଭରସା l ବଞ୍ଚିବାର ଆଶା ଅଭିଳାଷା l ତାକୁ ଛାଡି ସେ ଗୋଟିଏ ମୁହୂର୍ତ୍ତ ମଧ୍ୟ ଜୀବନ ଧରି ରହିପାରିବନି l ତରବର ହେଇ ବଡବାବୁଙ୍କୁ କହି ବାହାରିଲା ସେ ଝିଅର ସ୍କୁଲ l ଯିବ କେମିତି ଏତେ ବାଟ ଯେ l ଉଦୁଉଦିଆ ଖରାବେଳ ଟାରେ ଗୋଟେହେଲେ ଅଟୋ ଦେଖାଯାଉନି l ରିଜର୍ଭ ଅଟୋରେ ଗଲେ ବହୁତ ପଇସା ସରିବ l ଲାଇନ ଅଟୋରେ ବେଶି ସମୟ ଲାଗିବ l ଝିଅର ସ୍ୱାସ୍ଥ୍ୟ ଚିନ୍ତା ଯେତିକି ଗୁରୁତ୍ୱପୂର୍ଣ୍ଣ ,ଟଙ୍କାର ଆବଶ୍ୟକତା ମଧ୍ୟ ତା ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ l ଆଜିକାଲି ଭାରି ହିସାବ କରି ଚଳିବାକୁ ପଡୁଛି ତାକୁ l ନହେଲେ ପ୍ରଥମରୁ ବଡ ସ୍କୁଲରେ ପଢେଇ ଆସୁଥିବା ଝିଅର ପଢାଖର୍ଚ୍ଚ କେମିତି ଉଠେଇବ ଏଇ ସ୍ୱଳ୍ପ ରୋଜଗାରରୁ l ତଥାପି ଅଟୋଟିଏ ରିଜର୍ଭ କରି ଯିବାପାଇଁ ଭାବିଲା ବେଳକୁ ଗୋଟେହେଲେ ଅଟୋର ଦେଖାନାହିଁ ରାସ୍ତା ଉପରେ l ଚିନ୍ତିତ ଅବସ୍ଥାରେ ଅଟୋକୁ ଚାହିଁ ଅଫିସ ଗେଟ୍ ସାମ୍ନାରେ ଏପଟ ସେପଟ ହେଉଥିବା ବେଳେ ପୁଣିଥରେ ଭେଟ ହେଲେ ଅନୁରାଗ l 


ମାଡାମ୍, ଭାରି ବ୍ୟସ୍ତ ଜଣାପଡୁଛନ୍ତି?କିଛି ସମସ୍ୟା ହେଇଛିକି?


ନାଁ କିଛି ନାହିଁ l ସଂକ୍ଷେପରେ କଥା ଟା ସାରିଦେଇ ସେପଟକୁ ମୁହଁ ବୁଲେଇ ଅଟୋକୁ ଚାହିଁରହିଲା ଅନୁଷ୍କା l 


ମାଡାମ୍, କିଛି ନିଶ୍ଚୟ ହେଇଛି l ଆପଣ କହୁନାହାଁନ୍ତି କାହିଁକି l ଜଣେ ସହକର୍ମୀ ଭାବେ ଏତିକି କ'ଣ ଜାଣିବାର ମୋର ଅଧିକାର ନାହିଁ l 


ଏଥର ଆଉ ଅନୁଷ୍କା ପାଖରେ ଦମ୍ଭ ନଥିଲା ଅନୁରାଗକୁ ଅଣଦେଖା କରିବାପାଇଁ l ତା ଛଡା ସେ ସେମିତିକା ସ୍ୱଭାବର ପିଲାଟିଏ l ସମସ୍ତଙ୍କ ସହିତ ମିଶେ ଆଉ ଗପେ l ଦରକାର ପଡିଲେ ସାହାଯ୍ୟ ମଧ୍ୟ କରେ l ବାଧ୍ୟ ହେଇ ଅନୁଷ୍କା ସତ କଥା ଖୋଲି କହିଲା ଅନୁରାଗଙ୍କ ସାମ୍ନାରେ l ସବୁ ଶୁଣି ସାଙ୍ଗେ ସାଙ୍ଗେ ଅନୁରାଗ ଗାଡିବୁଲେଇ ଛିଡାହେଲେ ଅନୁଷ୍କାର ଉଦ୍ଦେଶ୍ୟରେ l ଆଉ କିଛି ଉପାୟ ନଥିଲା l ଅଗତ୍ୟା ଅନୁଷ୍କା ପୁଣିଥରେ ବସିଲା ଅନୁରାଗଙ୍କ ବୁଲେଟ ପଛପଟେ ଅନୁରାଗଙ୍କ ପିଠିକୁ ଲାଗିକରି l 


ସ୍କୁଲରୁ ଝିଅକୁ ଆଣି ଗେଟ୍ ବାହାରେ ଆସି ପହଞ୍ଚିଲା ବେଳକୁ ସାମ୍ନାକୁ ଦେଖି ଚମକି ପଡିଲା ଅନୁଷ୍କା l ଏବେ ଯାଏ ସେଇ ଖରାରେ ସେମିତି ବୁଲେଟକୁ ଆଉଜି ଛିଡା ହେଇଛନ୍ତି ଅନୁରାଗ l ପ୍ରଥମେ ଅନୁଷ୍କା ଭାବିଲା ନଦେଖିଲା ଭଳି ଚାଲିଯିବ l କିନ୍ତୁ ବିବେକ ବାଧା ଦେଲା l ଏମିତି କ'ଣ କହା ସହ କରାଯାଏ?ସେ ଯାଇ ଅନୁରାଗଙ୍କ ପାଖରେ ଛିଡାହେଇ ପଚାରିଲା "ଆରେ, ଆପଣ ଏଯାଏଁ ଏଇଠି ଛିଡା ହେଇଛନ୍ତି, ମୁଁ ଅଟୋଭଡା କରି ଚାଲିଯାଇଥାନ୍ତି l ଆପଣ କାହିଁକି ଅଯଥାରେ ହଇରାଣ ହେଉଥିଲେ" l  


ଅଯଥାରେ କ'ଣ ମାଡାମ୍ l ତା ଛଡା ଦେଖନ୍ତୁ ତ ଏଠି କେଉଁଠି ଏତେବେଳେ ଅଟୋ ଗୋଟେ ଆଖିକୁ ଦିଶୁଛି?ଜରୁଆ ଛୁଆଟାକୁ ନେଇ କେମିତି ଘରକୁ ଯାଇଥାନ୍ତେ l 


ଅନୁରାଗଙ୍କ ସ୍ୱରରେ ଆନ୍ତରିକତା ସହ ତାଗିଦ ପଣ ବି ରହିଥିଲା ଭଳି ଲାଗିଲା ଅନୁଷ୍କାକୁ l ସେ ବାଧ୍ୟ ହେଇ ପୁଣିଥରେ ଝିଅକୁ ଧରି ଅନୁରାଗଙ୍କ ବୁଲେଟରେ ବସିଲା l 

ଆଶ୍ଚର୍ଯ୍ୟ, ଏ ଅନୁରାଗ କୁଆଡେ ଯାଉଛନ୍ତି?ଇଏତ ତାଙ୍କ ଘରକୁ ରାସ୍ତା ନୁହେଁ l ଜୋର କରି ପଚାରିଲା ଅନୁଷ୍କା"ଆପଣ କେଉଁଆଡେ ମୋତେ ନେଇଯାଉଛନ୍ତି "?


 ଅନୁଷ୍କାର କଥା ଶୁଣି ହସିଲା ଅନୁରାଗ ବହୁତ ଜୋରରେ l ଆପଣ ବି ନା ମାଡାମ୍, ଏତେ କ'ଣ ଗୋଟେ ନିଜ ଷ୍ଟାଫଙ୍କୁ କିଏ ଡରନ୍ତି l ଛୁଆଟିକୁ ଘରକୁ ନେଇ ପୁଣିଥରେ ମେଡିସିନ୍ ପାଇଁ ଆସିଥାନ୍ତେ l ସେଥିପାଇଁ ମୁଁ ଏକାଥରକେ ଆପଣଙ୍କୁ ମେଡିକାଲ ନେଇ ସେଠି ଡାକ୍ତରଙ୍କୁ ଦେଖେଇ ମେଡିସିନ୍ ନେଇ ଘରେ ଛାଡିଦେବି l 


ନିଜ ଭୁଲ ପାଇଁ ଲଜ୍ଜା ଅନୁଭବ କରୁଥିଲା ଅନୁଷ୍କା l ଏ ଅନୁରାଗ ସତରେ କେତେ ଭଲ l ଯେଉଁଠି ନିଜ ବାପା ଛୁଆଟିର ଭଲମନ୍ଦକୁ ଭୃକ୍ଷେପ ନକରି ତା ହାତ ଛାଡିଚାଲିଯାଇଛନ୍ତି, ସେଇଠି ଏ ପର ଲୋକଟି କିଛି ନ ହେଇ ବି କେତେ ଅଯାଚିତ ସାହାଯ୍ୟ କରୁଛନ୍ତି l ଅନୁରାଗଙ୍କ ପାଇଁ ତା ମନରେ ଅନୁରାଗ ଟିକେ ଆସୁଥିଲା l ଏଥର ସେ ସମ୍ଭାଳିହେଇ ଗାଡିରେ ବସିଲା l ଅନୁରାଗ ଆଦ୍ୟାଶାକୁ ଡାକ୍ତରଙ୍କୁ ଦେଖେଇ ମେଡିସିନ୍ ଆଣି ପୁଣିଥରେ ଅନୁଷ୍କାକୁ ନେଇ ତା ଘରେ ଛାଡିଦେଇ ଆସିଲେ l ମେଡିସିନ୍ ବାବଦରେ ଖର୍ଚ୍ଚ ଅନୁଷ୍କା ଯେତେ ଯାଚିକରି ଦେଲେ ମଧ୍ୟ ହାତରେ ଧରିଲେ ନାହିଁ l 


ଦୁଇଦିନ ପରେ ପୁଣିଥରେ ଅନୁଷ୍କା ଅଫିସକୁ ଆସିଲା l ଏଥର ଅନୁରାଗ ମଝିରେ ମଝିରେ ତା କେବିନକୁ ଆସନ୍ତି l ଗପସପ ହୁଅନ୍ତି l ପୁଣି ଚାଲିଯାଆନ୍ତି l ଅନେକ ସମୟରେ ଅନୁଷ୍କାର କାର୍ଯ୍ୟଭାର ହାଲକା କରିବା ପାଇଁ ତାକୁ କିଛି କିଛି ସାହାଯ୍ୟ କରିଦିଅନ୍ତି l କାମରେ ଭୁଲ ଥିଲେ ସଜାଡି ଦିଅନ୍ତି l ଏମିତି ବହୁତ କିଛି l ଆଉ ଅନୁଷ୍କା ମନରେ ଭୟ ନାହିଁ ଯେ, କାଳେ ସେମାନଙ୍କୁ କିଏ କେଉଁଠି ଲୁଚି ଦେଖୁଥିବ ବୋଲି l କେବେ ବର୍ଷା ପାଇଁ ହେଉ କିମ୍ବା ବସ୍ ମିସ୍ ପାଇଁ ହେଉ ଅନୁରାଗଙ୍କ ସହ ଅଫିସ୍ ହେଉ କିମ୍ବା ଘରକୁ ହେଉ ଯିବାକୁ ପଡେ ତାକୁ l ଆଗ ଭଳି ବାଟସାରା ଚୁପ୍ ଚାପ ଗାଡିରେ ନବସି କଥାବାର୍ତ୍ତା କରି ବାଟ ସାରିଦିଅନ୍ତି l 


କଥାବାର୍ତ୍ତାର ପରିସର ଅଫିସ, ୱାର୍କ ଲୋଡରୁ ଆରମ୍ଭ ହେଇ ହଠାତ୍ ଦିନେ ବ୍ୟକ୍ତିଗତ କଥାକୁ ଚାଲିଆସିଲା l ସେଦିନ ଅନୁରାଗ ପଚାରୁ ପଚାରୁ ପଚାରିଦେଲେ ଆଦ୍ୟାଶାର ବାବାଙ୍କ କଥା l ହଠାତ୍ ଅନୁଷ୍କାର ମୁହଁଟି ଗମ୍ଭୀର ହେଇଗଲା l ତାକୁ ଦେଖି ଅନୁରାଗ ଭୟଭୀତ ହେଇଗଲେ l କିଛି ଭୁଲକଥା ପଚାରିଦେଲେକି ଆଉ ସେ l ବାରମ୍ବାର ଅନୁଷ୍କା ଠାରୁ ସେଥିପାଇଁ କ୍ଷମା ମାଗିନେଉଥିଲେ ମଧ୍ୟ l ଏଥର ଅନୁଷ୍କା ଟିକେ ସହଜ ହେଇ କହିଲା "ଏଥିରେ ତମର ଭୁଲ କେଉଁଠି ଅନୁରାଗ l ଯିଏ ହେଲେ ବି ଦେଖିଲେ ମୋତେ ସେଇ ପ୍ରଶ୍ନ ପଚାରିବ l ଉତ୍ତର ଦେବାକୁ ମୁଁ ରାଜି l କିନ୍ତୁ ଆଜି ଏଇଠି ନୁହେଁ l ସେ ବହୁତ ବଡ ଲମ୍ବା କାହାଣୀ l କେବେ ସୁବିଧା ଦେଖି କହିବି" l ଯା ହେଉ ,ଏଥର ଅନୁରାଗ ନିଜକୁ ଦୋଷମୁକ୍ତ ଭାବିଲେ l ହସି ହସି କହିଲେ , "ତାହେଲେ ସେଇ କାହାଣୀ ଶୁଣିବାକୁ ମୁଁ ଆଜି କଫିସପରେ ଅଫିସ୍ ପରେ ଅପେକ୍ଷା କରିବି"? ମୁଣ୍ଡ ଟୁଙ୍ଗାରି ଅନୁଷ୍କା ହଁ କହିଲା l ଏଥର ଗାଡିଯାଇ ଅଫିସ୍ ସାମ୍ନାରେ ପହଞ୍ଚି ସାରିଥିଲା l ଦୁହେଁ ଅଫିସ୍ ଭିତରକୁ ପଶିଗଲେ l ନିଜ ନିଜ କାମରେ ବ୍ୟସ୍ତ ରହିଲେ l ତା'ରି ଭିତରେ ବାରମ୍ବାର ଘଣ୍ଟା ଦେଖୁଥାନ୍ତି କାହିଁକି କେଜାଣି ଦୁହେଁ l 


କଫି ସପରେ ଗୋଟେ ଚେୟାରରେ ଅନୁରାଗ l ଆଉ ଗୋଟେ ଚେୟାରରେ ଅନୁଷ୍କା l ଅନୁଷ୍କା ବର୍ଣ୍ଣନା କରୁଥିଲା ତା ଅତୀତର ପ୍ରେମଭରା ଜୀବନୀରୁ ପ୍ରତାରଣା ଯାଏ ସବୁକିଛି l ଅନୁରାଗ ଶୁଣୁଥିଲା ମନଧ୍ୟାନ ଦେଇ l ବିତିଗଲା କିଛି ସମୟ l ଅନୁଷ୍କା ଏଥର ଉଠିଲା l ଝିଅଟା କେତେବେଳୁ ସ୍କୁଲରୁ ଆସି ଏକା ବସିଥିବ l ଘର ମାଲିକଙ୍କ ମାଆ ବହୁତ ଭଲ ଲୋକ ବୋଲି ବେଳେବେଳେ ଅନୁଷ୍କାର ବିଳମ୍ବ ହେଲେ ସମ୍ଭାଳି ନିଅନ୍ତି l ତରବର ହେଇ ଉଠିଲା ଅନୁଷ୍କା l ଅନୁରାଗ ନିଜେ ଗାଡିରେ ବସେଇନେଇ ଛାଡିଆସିଲେ ଘରେ ବିଳମ୍ବ ହେବା କାରଣରୁ l 


ଏଥର ଅନୁରାଗଙ୍କ ନିକଟରେ ଆହୁରି ଖୋଲା ବହିଟିଏ ପାଲଟି ଯାଉଥିଲା ଅନୁଷ୍କା l ସବୁ ତ ଜାଣିସାରିଲେଣି ନିଜ ଜୀବନର ଦୁର୍ବଳତା l ଆଉ ଲୁଚେଇବ କ'ଣ l ସୁବିଧା ଅସୁବିଧା ବେଳେ ଅନୁଷ୍କା ସାହାଯ୍ୟ ଆଣେ ଅନୁରାଗ ଠାରୁ l ଅନୁରାଗ ମଧ୍ୟ ଖୋଲା ହାତରେ ସାହାଯ୍ୟ କରନ୍ତି ଅନୁଷ୍କାକୁ l ଆଜିକାଲି ଅନୁରାଗ ବି ଅନୁଷ୍କା ନିକଟରେ ନିଜରପଣିଆ ବେଶି ସାବ୍ୟସ୍ତ କରନ୍ତି l ଭଲ ମନ୍ଦ କିଛି ହେଲେ ଆକଟ କରନ୍ତି l ଅନୁଷ୍କାକୁ ଏସବୁ ବହୁତ ଭଲ ଲାଗୁଥାଏ l କିଏ ଜଣେ ତ ତାକୁ ସାହାଯ୍ୟ ଅନୁକମ୍ପା ଦେଖେଉଛି ବନ୍ଧୁ ଟିଏ ଭାବି l ଅନୁଷ୍କା ମନ ଦୁଃଖରେ ଥିଲେ ଅନୁରାଗ ତାକୁ ହସିହସି କୁହନ୍ତି "ତମେ ଏଇ ଅଧାଖୋଲା ଓଠରେ ଯେତିକି ସୁନ୍ଦର ,ଖୋଲା ଓଠରେ ଆହୁରି ସୁନ୍ଦର ଦିଶିବ l ଟିକେ ତ ହସିଦିଅ" l ବାସ୍ , ଅନୁଷ୍କା ଓଠରୁ ହସର ଝରଣାଟିଏ ଝରିଆସେ l ତା ହସରେ ନିଜକୁ ସାମିଲ କରି ହସିଦିଅନ୍ତି ଅନୁରାଗ l 


ଧିରେ ଧିରେ ଅନୁରାଗଙ୍କର ଆପଣାପଣର ମାତ୍ରା ବଢିବଢି ଯାଉଥାଏ l ସେଇ ସୁଅରେ ଅନୁଷ୍କା ବି ଭାସି ଭାସି ଯାଉଥାଏ l ପ୍ରାୟ ସବୁଦିନ ଅଫିସରୁ ଅନୁରାଗ ଅନୁଷ୍କାକୁ ନେଇଆସନ୍ତି l ବାଟରେ କିଛିନାକିଛି ଚଟ୍ ପଟି ଆଦ୍ୟାଶା ବାହାନରେ ଅନୁଷ୍କାକୁ ବି ଦିଅନ୍ତି l ଅନୁଷ୍କା ଯେତେ ମନାକଲେବି ଅନୁରାଗଙ୍କ ଅନୁରୋଧରେ ହାର୍ ମାନି ବାଧ୍ୟ ହୁଏ ଗ୍ରହଣ କରିବାକୁ l ଅନୁରାଗଙ୍କ ଭିତରେ ଗୋଟେ ଆତ୍ମ ବିଶ୍ୱାସ ବଢିବଢି ଯାଉଥିଲାଯେ ଅନୁଷ୍କା ପ୍ରଥମେ ନାଁ ନାଁ କହିଲେ ବି ସବୁ ହଁରେ ଶେଷ କରିବ l ସେଇ ଆତ୍ମ ବିଶ୍ୱାସକୁ ପାଥେୟ କରି ଗୋଟେଦିନ ରବିବାରରେ ହଠାତ୍ ଆସି ଅନୁରାଗ ଅନୁଷ୍କାର ଘରେ ପହଞ୍ଚିଗଲେ l ସାଥିରେ ହୋଟେଲରୁ ଖାଇବା ସବୁ ନେଇଆସିଥିଲେ l ତେଣୁ ଅନୁଷ୍କାକୁ ଆଉ ରୋଷେଇ କରିବାକୁ ପଡିଲାନି l ବହୁତ ସମୟ ସେମାନେ ସାଥିହେଇ ଗପ କରୁଥିଲେ ପ୍ରଗଳ୍ଭଙ୍କ ପରି l ହଠାତ୍ ଅନୁରାଗ ନିଜ ପକେଟରୁ ଗୋଲାପ ଫୁଲଟିଏ ବାହାରକରି ଅନୁଷ୍କା ହାତକୁ ଧରେଇଦେଲେ ହସିହସି l ଅନୁଷ୍କାର ହସହସ ମୁହଁଟି ହଠାତ୍ ଝାଉଁଳିବା ଆରମ୍ଭ କଲା l ଆଖି ଆଗରେ ତା'ର ନାଚି ଉଠିଲା ଗୋଟେ ପୁରୁଣା ଦୃଶ୍ୟ l ଯାହାକୁ ସେ ତା ସ୍ୱାମୀ ପ୍ରବୀଣଙ୍କ ମୋବାଇଲରେ ଦେଖିଥିଲା l ସେଇଦିନରୁ ସବୁକିଛି ତା ଜୀବନରୁ ସରିଯାଇଥିଲା l ଆଖିରେ ଲୁହର ସ୍ରୋତଟିଏ ନୂଆ ଝର ଫିଟେଇଥିଲା l ସେଇ ଝର ଏବେ ଅନୁରାଗଙ୍କ ସ୍ତ୍ରୀ ନନ୍ଦିନୀ ଆଖିରେ ସେ ଦେଖିବାକୁ ଲାଗୁଥିଲା l ଦୁଇଟି ଅମଣିଷଙ୍କ ପରକୀୟା ପ୍ରୀତି ପାଇଁ ଯେମିତି ତା ଜୀବନ ବଳିପଡିଲା ସେଇଭଳି ନନ୍ଦିନୀ ଆଜି ବଳିପଡିଯିବ ଭଳିଆ ତାକୁ ଲାଗିଲା l ଅନୁରାଗଙ୍କ ଜାଗାରେ ପ୍ରବୀଣ ତାକୁ ଦେଖା ଗଲା l ପ୍ରବୀଣଙ୍କ ସହକର୍ମୀ ଶ୍ୟାମଳୀଙ୍କ ଜାଗାରେ ନିଜକୁ ସେ ଦେଖୁଥିଲା l ନିଜକୁ ନିଜେ ଘୃଣା କରିବାକୁ ଲାଗିଲା ଅନୁଷ୍କା l ଧଡାସ୍ କରି ଉଠି ଛିଡାହେଇଗଲା l ହସିହସି ଅନୁରାଗଙ୍କ ହାତରୁ ଗୋଲାପ ଫୁଲଟି ନେଇ ଅନୁରାଗଙ୍କ ସାର୍ଟ ପକେଟରେ ଖୋସିଦେଲା l ଅନୁରାଗ ତା ପାଇଁ ଆଣିଥିବା ଖାଦ୍ୟ ପାର୍ସଲଟା ତାଙ୍କ ହାତରେ ଧରେଇଦେଇ କହିଲା"ଆଜି ରବିବାର ଅଛି, ନନ୍ଦିନୀକୁ ଟିକେ ଛୁଟି ଦେଲେ ହୁଅନ୍ତାନି l ନିଅ ଏକୁ, ମୋ ସାନ ଭଉଣୀ ପାଇଁ ମୋର ସ୍ନେହ ଉପହାର l ରବିବାରଟା ଏମିତି ଗୁଲିଗପରେ ନଷ୍ଟ ନକରି ନିଜ ପରିବାର ସହିତ ବିତେଇଲେ ବହୁତ ଭଲଲାଗିବ ଦେଖିବ " l ଅନୁରାଗ ଆଶ୍ଚର୍ଯ୍ୟ ହେଇ ଚାହିଁଥିଲେ ଅନୁଷ୍କା ମୁହଁକୁ l ଅନୁଷ୍କା ସେମିତି ହସିହସି ମୁଖ୍ୟ ଦରଜାକୁ ଧରି କହୁଥିଲା"ଜଲଦି ଯାଅ,ଖାଇବା ଥଣ୍ଡା ହେଇଯିବ ଯେ ,ହଁ, ଭଲ ମୁଭିଟେ ପଡିଛି,ଆଜି ତା'ର ମଜା ନିଅ" l ଅନୁରାଗ ଫେରିଆସିଲା ବେଳକୁ ବୁଲି ବୁଲି ଚାହୁଁଥିଲେ ଅନୁଷ୍କା ଆଡକୁ l କିନ୍ତୁ ଅନୁଷ୍କାର ଘର ଏବେ ଥିଲା "ଦରଜାବନ୍ଦ" l 


ସମାପ୍ତ l 



Rate this content
Log in