The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kanak Manjari Sahoo

Tragedy Drama

4.3  

Kanak Manjari Sahoo

Tragedy Drama

ଏକ ପଇସା

ଏକ ପଇସା

6 mins
21.6K


“ଆରେ ପୁଅ, ଟିକେ ରହ। ଶୁଣ ଟିକେ।“

      ପଛରୁ କାହାର ଡାକ ଶୁଣି ମୁଁ ପଛକୁ ବୁଲି ଚାହିଁଲି । ଦୁଇଜଣ ସ୍ତ୍ରୀଲୋକ ପଛରୁ ମୋ ଆଡକୁ ଧାଇଁ ଧାଇଁ ଆସୁଥିଲେ । ମୁଁ ପଛକୁ ଚାହିଁବା ଦେଖି ଜଣେ ସ୍ତ୍ରୀଲୋକ ମତେ ରହିଯିବା ପାଇଁ ହାତ ଠାରି  ଇସାରା କଲା । ସେ ହୁଏତ ମୋ ସହିତ କଥା ହେବାକୁ ଚାହୁଁଛନ୍ତି କାରଣ ସେ ବୋଡୋ ଭାଷାରେ ଡାକୁଥିଲେ ଏବଂ ଆମ ସାଙ୍ଗମାନଙ୍କ ମଧ୍ୟରେ ମୁଁ କେବଳ ବୋଡୋ ଥିଲି ।

      ସରକାରୀ ରାସ୍ତା ପାର ହେଇ ତାପରେ ପ।ହଡରେ ଚଢି କଳିତ।- କୁଚି ଗାଁ ମଝି ଦେଇ ବରପେଟା ପର୍ଯନ୍ତ ଯାଏ । ଦିନର ଆଲୋକ ଚାଲି ଯାଇଥିଲା ଏବଂ କିଛି କିଛି ଅନ୍ଧାର ଛାଇ ଯାଇଥିଲା । କାର୍ତ୍ତିକ ମାସ ,ଦିନ ଛୋଟ । ମୁଁ ଏହି ରାସ୍ତାରେ କଳିତା –କୁଚି ପାର ହେଇ ଅଧ କିଲୋମିଟର ରାସ୍ତା ଆସି ଯାଇଥିଲି । ମୋ ସାଙ୍ଗରେ ମୋ ସାଙ୍ଗ ମିରାଜନ ଏବଂ ଶାଫିର ଥିଲେ । ମିରାଜନ ମୋ ସହିତ ସପ୍ତମ ଶ୍ରେଣୀରେ ପଢୁଥିଲ। । ଶାଫିର ଅଷ୍ଟମ ଶ୍ରେଣୀରେ ପଢୁଥିଲା । ଆମେ ସବୁ ସ୍କୁଲରୁ ଥକ୍କା ହେଇ ଭୋକିଲା ପେଟରେ ଚାଲୁଥିଲୁ । ଆମେ ଆମ ଗାଁରେ କେମିତି ପହଞ୍ଚିବୁ ସେଇ ବ୍ୟସ୍ତରେ ଥିଲୁ । ସନ୍ଧ୍ୟାର କଳା ଅନ୍ଧାର ଆମ ଚାରିପଟେ ଘେରି ଗଲାଣି ।

      ଆମେ ସବୁ ରହିଗଲୁ ଏବଂ ପାଖକୁ ଆସିଥିବା ମହିଳାଙ୍କୁ ଚାହିଁ ରହିଲୁ  । ତାଙ୍କ ମଧ୍ୟରୁ ଯିଏ ସବୁଠୁ ବୟସ୍କା ଥିଲେ, ସେ ବାଡି ଧରି ଚାଲୁଥିଲେ। ତାଙ୍କର ଗୋଟିଏ ଆଖି ନଷ୍ଟ ହେଇ ଯାଇଥିଲା ଏବଂ ଅନ୍ୟ ଆଖିଟିରେ ହୁଏତ ଭଲ ଭାବେ ଦେଖିପାରୁ ନଥିଲେ । ଅନ୍ୟ ମହିଳା ଜଣଙ୍କ ପ୍ରାୟ ଚାଳିଶି ବୟସର ହେବେ ,ସେ ହାତ ଠାରି ମତେ ରହି ଯିବାକୁ କହୁଥିଲେ । ସେଇ ସ୍ତ୍ରୀ ଲୋକଙ୍କ ପୋଷାକ ଏବଂ ହାତରେ ଧରିଥିବା  ଜିନିଷକୁ ଦେଖି ମତେ ଟିକେ ଡର  ଲାଗିଲା ।

“ଏମାନେ ଭିକାରୁଣୀ ହେଇ ଥାଇ ପାରିଥାନ୍ତି” ମୁଁ ଅନୁମାନ କଲି । “ଏମାନଙ୍କ ସହିତ ମୋର ସମ୍ପର୍କ କଣ”?

      ସନ୍ଧ୍ୟା ବେଳ ହେଇଥିବାରୁ ତାଙ୍କ ମୁହଁ ବି ଠିକରେ ଦେଖି ହେଉନି। ଆଖପାଖ ଅଞ୍ଚଳରେ ଡାହାଣୀ ,ଯାଦୁକର ବିଚରଣ କରୁଥିବା କାହାଣୀ ମୁଁ ଶୁଣିଛି। ମୋର ସନ୍ଦେହ ହେଲା, “ଇଏବି ସେମିତି କିଏ ହେଇ ନଥିବତ! ତାପରେ ସେ ଆମକୁ ମୋହିନୀ –ମନ୍ତ୍ର କରି ଉଠେଇ ନେଇଯିବ ।

      ମଧ୍ୟ ବୟସ୍କା ମହିଳା ଜଣଙ୍କ ମୋ ଆଡକୁ ଏକ ପଇସାଟିଏ ବଢେଇ ଦେଇ କହିଲେ “ପୁଅ, ଏହି ପଇସା ରଖ”

 ମୁଁ ଆହୁରି ଡ଼ରିଗଲି । ମୁଁ ପଇସା ନନେଇ ମୋ ପଛରେ ଛିଡା ହେଇଥିବା ଶାଫିରକୁ ଆଡ କରି ଛିଡା ହେଲି ।

   ତାଙ୍କ ସାଙ୍ଗରେ ଥିବା ବୁଢୀ ଜଣଙ୍କ ବହୁତ ସ୍ନେହରେ କହିଲେ ,ନେ,ନେ ପୁଅ ! ପଇସା!”

      ଶାଫିର ବୋଡୋ ଜାଣି ନଥିଲା ।ସେ ଅ।ସାମିରେ ପଚାରିଲା “କଣ ହେଲା ? ତୁମେ କଣ ଦେଉଛ ?”

ସେମାନେ ତ ପ୍ରଶ୍ନର କିଛି ଉତ୍ତର ଦେଲେନି। ପଇସା ଦେଉଥିବା ମହିଳା ଜଣଙ୍କ ଲୁଗା କ।ନିରେ ଆଖି ପୋଛିଲେ । ସେ କାନ୍ଦୁଥିଲେ । ମୁଁ ଆଉ ଶାଫିର ପରସ୍ପରକୁ ଆଶ୍ଚର୍ଯ୍ୟରେ ଚାହୁଁଥିଲୁ । ଶାଫିର ଟିକେ ସାହସୀ ଥିଲା । ତେଣୁ ସେ ସେହି ମହିଳାଙ୍କ ପାଖକୁ ଯାଇ ସେମାନଙ୍କୁ ଭଲ ଭାବେ ଚାହିଁଲା,ତାପରେ ପଚାରିଲା, “ତୁମେ ମାନେ କିଏ ?ଦେଖିଲ। ଭଳି ଲାଗୁଛି ,ତୁମେ କାନ୍ଦୁଛ କାହିଁକି”?

      “ମୁଁ ତା ମା’ ରେ ପୁଅ”। ମୋ ଆଡକୁ ଇସାରା କରି କହିଲେ ।

“ସେ ମତେ ଚିହ୍ନେନି । ଛୋଟ ପିଲାଟିଏ ହେଇଥିଲା ତାକୁ ମୁଁ ଛାଡି ଚାଲି ଯାଇଥିଲି ! ସେ ଚିହ୍ନିବ କେମିତି ? ନିଜର ପରିଚୟ ଦେବାକୁ ଡରିବା ଯୋଗୁ ,ତାକୁ ଦେଖା କରିବାକୁ ମୋର କେବେ ସାହସ ହୁଏନି । ଏତେ ଦିନ ପର୍ଯ୍ୟନ୍ତ ଛାତିରେ ପଥର ଲଦି ନିଜକୁ ସମ୍ଭାଳି ଥିଲି । ନିଜର ଦୁଃଖ କଷ୍ଟକୁ ଚାପି ରଖିଥିଲି । କିନ୍ତୁ ଆଜି ତାକୁ ଦେଖି ମୋ ମନ ମାନିଲାନି”।

      ମୁଁ ତାଙ୍କୁ ଭଲ ଭାବେ ଚାହିଁଲି । ତାଙ୍କ କଥାକୁ ବୁଝିବାକୁ ଚେଷ୍ଟା କରୁଥିଲି । ସେ ପୁଣି କହିବାକୁ ଲାଗିଲେ ,”ମୋର ଏମିତି ଦୁଃଖ ଯେ କହି ହେବନି । ଏତେ ଦିନ ଯାଏ ମୁଁ ସେଇ ଦୁଃଖକୁ ମନ ଭିତରେ ଚାପି ଥିଲି ,ଲୁଚି ଲୁଚି ଗାଁ ରେ ଆଉ ଆଖ ପାଖ ଅଞ୍ଚଳରେ ଭିକ ମାଗି ଚଳୁଛି ଏବଂ ମୋ ପିଲାଙ୍କ ଖବର ନେଇ କୌଣସି ମତେ ବଞ୍ଚି ରହିଛି”।

      ଶାଫିର ଆଶ୍ଚର୍ଯ୍ୟ ହେଇ ପଚାରିଲା, “ନିଜର ପରିଚୟ ଲୁଚେଇ କାହିଁକି ତୁମେ ରହିଛ, କାହାକୁ ଡ଼ରୁଛ” ?

      “ତୁମେ ଜାଣିନ,ମୋ ସ୍ଵାମୀ ମାନେ ଏହି ପୁଅର ବାପା ମରିଯିବା ପରେ ମତେ ଘରୁ ବାହାର କରିଦେଲେ, ମୁଁ ଖରାପ ସ୍ତ୍ରୀ ଲୋକନା ,ନହେଲେ ମୋ ସ୍ଵାମୀ କେମିତି ମରିଥାନ୍ତେ ?ଘରର ସବୁ ଧନ ସମ୍ପତ୍ତି କେମିତି ନଷ୍ଟ ହେଇ ଥାନ୍ତା ?ଏସବୁ ବରବାଦ ହେବା ପାଇଁ ମୁଁ ହିଁ ଦାୟୀ, ସେମାନେ ଏୟା ଭାବୁଥିଲେ । ଦିନେ ସେମାନେ ମତେ ଜାବୁଡି ଧରିଥିବା ମୋ ଅବୋଧ ଶିଶୁଙ୍କୁ  ମୋଠୁ ଛଡେଇ ନେଇ ଗଲେ ଏବଂ ମୋ ଚୁଟିକୁ ଧରି ଘୋଷାଡ଼ି ଘରୁ ବାହାର କରି ଦେଲେ । ମତେ ପାଗଳ ହେଲା ଭଳି ଲାଗିଲା । କଣ କରିବି ବୁଝି ପାରୁ ନଥିଲି । ଭାଇ ଘରକୁ ଗଲି, ତାଙ୍କ ସାଙ୍ଗରେ ରହିବି ବୋଲି କିନ୍ତୁ ତାଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା ,ତଥାପି ସେ ତାଙ୍କ ଘର ପାଖରେ ଛୋଟିଆ ଜାଗା ଖଣ୍ଡେ ଦେଲେ । କାରଣ ସେଠାରେ ରହି ମୋ ନିଜ ଖାଇବା ପିଇବା କଥା ବୁଝି ପାରିବି । ଅନେକ ଦିନ ଯାଏ ମୁଁ କୁକୁଡା,ପ।ର। ଘୁଷୁରି ,ଛେଳି ପାଳି ଏବଂ ଲୁଗା ବୁଣି ତାକୁ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟଉ ଥିଲି । ଏବେ ବୟସ ବଢିଲା ଆଉ ସ୍ୱାସ୍ଥ୍ୟବି ଖରାପ ହେଲା,କୌଣସି କାମ କରି ପାରିଲିନି । ତେଣୁ ଏହି ମାଉସୀ ସାଙ୍ଗରେ ଭିକ ମାଗିବାକୁ ବାହାରିଲି । ସେଇ ଭିକରେ ନିଜର ଗୁଜୁରାଣ ମେଣ୍ଟୋଉଛି”

      ସେମାନେ ମତେ ଘରୁ ବିଦା କଲା ବେଳେ  ଚେତାବନୀ ଦେଇଥିଲେ ଯେ ମୋ ପିଲା ସାମନାକୁ ଯେମିତି ନ ଆସେ ଏବଂ ଫୁସୁଲା ଫୁସୁଲି କରି ସାଙ୍ଗରେ ଯେମିତି ନେଇ ଯିବାକୁ ଚେଷ୍ଟା ନକରେ । ସେମିତି କଲେ ପଶୁ ମାନଙ୍କୁ ବଳି ଦେବା ଛୁରୀରେ ମୋ ବେକକୁ କାଟି ଦେବେ ଏବଂ ମୋ ପିଲାଙ୍କୁ ବି ମାରି ଦେବାକୁ ଧମକ ଦେଲେ । ମୋ ପିଲାମାନେ କୌଣସି ଅସୁବିଧାରେ ନପଡନ୍ତୁ  ସେଥିପାଇଁ ସେବେଠୁ ଲୁଚି ଲୁଚି ଜୀବନ ବିତୋଉଛି । ମୋ ପିଲାମାନେ  ବଡ ହେଇ ବୁଝିବାର ହେବେ, ସେଇ ସମୟକୁ ଅପେକ୍ଷା କରିଛି । ସେ ମତେ ଭଲ ପାଉ କି ନ ପାଉ,ମୁଁ ଆଜି ମୋ ହୃଦୟର ସବୁ ଦୁଃଖ ଯନ୍ତ୍ରଣାକୁ ତ।  ସାମନାରେ ପ୍ରକାଶ କଲି । ମଣିଷ ଜୀବନ ଆଜି ଅଛି କାଲି ନ।ହିଁ ,ବୟସ ବି ଗଡି ଚାଲିଛି । ଭାବିଲି ଆଖି ବୁଜିବା ପୂର୍ବରୁ ତାକୁ ସବୁ କହି ଦେବି”।   

      ତାଙ୍କ କଥା ଶୁଣି ମୁଁ ସ୍ତବ୍ଧ ହେଇଗଲି । ମୋ ସଙ୍ଗର ଅବସ୍ଥା ମଧ୍ୟ ସେଇୟା । ଶାଫିର ମତେ ଧୀରେ କହିଲା, “ଆରେ ନେ,ନେ ପଇସା । ସେ ତୋ ମା’ ।  

      ମୁଁ ସଙ୍କୁଚିତ ହେଇ ତାଙ୍କ ହାତରୁ ପଇସା ନେଲି ।

ରାତିର ଅନ୍ଧକାରରେ ମା’ ମତେ ତା ଛାତିରେ ଜାକି ଧରିଲା,ତାପରେ କହିଲା, “ଯାରେ ପୁଅ,ଯା! ଜଲ୍ଦି ଯା ! କୌଣସି ସମୟରେ ବିପଦ ଆସି ପାରେ । ମୋ ସହିତ ଦେଖା ହେଇଥିବା କଥା ତୁମେ ଦୁହେଁ ଘରେ କହିବନି । ମୋ ମୁଣ୍ଡ ଆଉଁସି ଦେଇ କହିଲେ, ତୁ ବଡ ହେଇ ଯେମିତି ଭଲ ମଣିଷଟିଏ ହେବୁ । ମୋ କୋଳରେ ତୁ ବଢି ପାରିଲୁନି,ସେଥିପାଇଁ  ଦୁଃଖ ନ।ହିଁ,ତୁ ଯୋଉଠି ଥା ନିଜ ଗୋଡରେ ଠିଆ ହେଇ ବଡ ମଣିଷ ହୋ । ବାଲି ପଡିଆରେ ପଡି ରହିଥିବା କଇଁଛ ଅଣ୍ଡାରୁ ବାହାରିଥିବା ଛୁଆ ଭଳି ନିଜେ ବଡ ହେଇଯା ମୋ ଧନ ! ଏହା ହିଁ ମୋର ଆଶୀର୍ବାଦ ।  ମରିବା ପର୍ଯ୍ୟନ୍ତ ମତେ ଏହି ଦୁଃଖ,ଅବସୋସ ରହିବକି ମୁଁ ତୋ ପାଇଁ କିଛି କରି ପାରିଲିନି”।

      ଏହା କହି ସେ ମୋ ମଥାରେ ଚୁମାଟିଏ ଦେଇ ତାପରେ ତରବର ହେଇ ଦକ୍ଷିଣ ଦିଗକୁ ଯାଇଥିବା ସରକାରୀ ରାସ୍ତାରେ କୁଆଡେ ଅଦୃଶ୍ୟ ହେଇଗଲେ ।

      ସେଇ ସନ୍ଧ୍ୟାରେ ମା’ର ଏହି ଆଶୀର୍ବାଦକୁ ନିଜର ସମ୍ପତ୍ତି ଭାବି ମୁଁ ଘରକୁ ଫେରିଥିଲି। ମୋ ଛୋଟ ଭାଇ ମାନଙ୍କୁ ମା’ ବଞ୍ଚିଥିବା ଏବଂ ତା ସହିତ ସାକ୍ଷାତ ବିଷୟରେ ଚୁପ ଚୁପ କରି କହିଲି ।

“ମା ଏବେବି ବଞ୍ଚିଛି,ଅଥଚ ମା ମରିଯାଇଛି ବୋଲି ଆମକୁ କହିଥିଲେ । ସେମାନେ ସବୁ ମିଛ କହିଥିଲେ ?”

      ମା’ର କାହାଣୀ ଜାଣି ଆମ ଭାଇମାନଙ୍କ ମନରେ ବିଦ୍ରୋହ କରି ଉଠିଲା । ମୁଁ ପଣ କରିଥିଲି ଦିନେ ନା ଦିନେ ମା’କୁ ଫେରେଇ ଆଣିବି । ସମସ୍ତଙ୍କୁ ପ୍ରକୃତ ଘଟଣ।  କହିବି”।

      ପରେ ମୋ ସଂକଳ୍ପ ପୁରା କରିବା ପାଇଁ ମା’ ପାଖକୁ ଯାଇଥିଲି । ମୁଁ ତାକୁ ଘରକୁ ଫେରି ଯିବାକୁ କହିଲି । ସେ କାନ୍ଦିବାକୁ ଲାଗିଲା । ସେ ରୁଦ୍ଧ ସ୍ଵରରେ କହିଲା, “ତୁମ ମାନଙ୍କ ଜୀବନରେ ଯେଉଁ ଅବ୍ୟବସ୍ଥା ଅଛି, ତାହା ମୋର ପସନ୍ଦ ନୁହେଁ । ଏବେ ମୋ  ଜୀବନର ଏହି ସ୍ଵଚ୍ଛନ୍ଦ ମୋର ଅଭ୍ୟାସ ହେଇ ଗଲାଣି ପୁଅ । ଶେଷ ସମୟରେ ମୁଁ ଏହାକୁ ବଦଳେଇବାକୁ ଚାହୁଁନି”। ମା’ର ଉତ୍ତର ଶୁଣି ମୁଁ ମନ ଦୁଃଖରେ ଫେରି ଆସିଲି ।

      ମା’ ମରିଯିବାର ଆଜିକୁ ଅନେକ ଦିନ ହେଇ ଗଲାଣି । ସେବେ ମା’କୁ ଭିକରେ ମିଳିଥିବା ଏକ ପଇସା ଯାହା ସେ ମତେ ଦେଇଥିଲା ,ତାକୁ ଆଜିଯାଏ ମୋ ପୁରୁଣା ବାକ୍ସରେ ସାଇତି ରଖିଛି । ସେଦିନର ଦୁଇ ଅଣିର ସେଇ ପିତଳ ପଇସା, କମ୍ ଦାମ୍ ଜିନିଷ ହେଲେ ବି ମୋ ପାଇଁ ବହୁତ ପବିତ୍ର । ତେଣୁ ମୁଁ ତାକୁ ଆଜି ଯାଏ ପାଖରେ  ରଖିଛି । ଯେତେ ବେଳେ ମା’ କଥା ମନେ ପଡେ,ମୁଁ ସେଇ ପାଇସାଟିକୁ କାଢି ଦେଖେ ।

             ===================

ଅନୁବାଦ- କନକ ମଞ୍ଜରୀ ସାହୁ ,ଶ୍ରାବଣୀ ରେସିଡେନ୍ସି ,ନୟାପଲ୍ଲୀ ,ଭୁବନେଶ୍ବର -୧୨

  This is a translated story. The original writer is Madhuram Boro (Bodo)

          

         

                


Rate this content
Log in

More oriya story from Kanak Manjari Sahoo

Similar oriya story from Tragedy