KSHIRADRI SAHU

Drama Romance Tragedy

4.5  

KSHIRADRI SAHU

Drama Romance Tragedy

ଅଭୁଲା ରଜ

ଅଭୁଲା ରଜ

9 mins
439



 

 ଝର୍କା ବାଟ ଦେଇ ନିବେଦିତା ବାହାରର ବର୍ଷା କୁ ଉପଭୋଗ କରୁଥାଏ। ଏ ବର୍ଷା ଟା ତାକୁ କେମିତି ଗୋଟେ ଭାବପ୍ରବଣ କରିଦିଏ। ହଠାତ୍ ମୋବାଇଲ୍ ରିଙ୍ଗ ରେ ତା'ର ଧ୍ୟାନ ଭଙ୍ଗ ହେଲା।ସାଙ୍ଗ ଶୁଭ୍ରାର ଫୋନ୍।ଫୋନ ରିସିଭ୍ କଲାପରେ ସେପଟୁ ଶୁଭ୍ରାର ସ୍ବର ଭାସି ଆସୁଛି,


--ନିବୁ ତୋର ରଜରେ କିଛି ପ୍ରୋଗ୍ରାମ ନାହିଁ ତ??ଆଉ ଜାଣିଛୁ ତ କାଲି ପ୍ରଥମ ରଜ।


-- ନା ନା ମୋର ସେମିତି କିଛି ପ୍ରୋଗ୍ରାମ ନାହିଁ।ତୁ ତ ମତେ ଆଗରୁ କହିଥିଲୁ କିଛି ପ୍ରୋଗ୍ରାମ ନ ରଖିବାକୁ।ଆଉ କାଲି ରଜ ବୋଲି ମୁଁ ଜାଣିଛି।ଦିହି ପହରେ ୟାଙ୍କୁ ଓ ପୁଅକୁ ଖାଇବାକୁ ଦେଇସାରି ମୁଁ ଯିବି।


--ତୁ ତାହେଲେ କାଲି ଦୁଇଟା ବେଳକୁ କମ୍ୟୁନିଟି ହଲକୁ କୁ ଚାଲି ଆସିବୁ।ଅନ୍ୟ ସମସ୍ତେ ବି ଆସିବେ।


-"ହଁ ଯିବି "କହି ନିବେଦିତା ଫୋନ ରଖିଲା।


 ବର୍ଷର ସବୁ ପର୍ବ ଭିତରେ ରଜ ପର୍ବ ତା'ର ଅତି ପ୍ରିୟ।ଏଇ ପର୍ବ ତ ତା ଜୀବନର ଗତି ପଥ ରେ ନୂଆ ମୋଡ଼ ଆଣିଥିଲା।। କେମିତି ସେ ଏ ପର୍ବକୁ ଭୁଲି ଯିବ ଯେ!!


 ଦଶ ବର୍ଷ ଆମେରିକାରେ ରହି ନିବେଦିତା ଓଡ଼ିଶା ଫେରିଛି। ସ୍ବାମୀ ତା'ର ଭୁବନେଶ୍ୱର ଇମ୍ଫୋସିସ୍ କମ୍ପାନୀରେ ଜଏନ କରିଛନ୍ତି।। ଆମେରିକାରେ ବି ଥିବାବେଳେ ରଜ ରେ ସେ ପୋଡ଼ ପିଠା କରେ,ପାନ ଯୋଗାଡ଼ କରି ଖାଏ। । ଅବଶ୍ୟ ଏକା ଏକା ପାଳନ କରେ, କିନ୍ତୁ ଭୁଲେନି କେବେ ।ଏବେ କାନନ ବିହାର ରେ ଗୋଟିଏ ଆପାର୍ଟମେଣ୍ଟରେ ରହୁଛନ୍ତି।ସେଇ ଆପାର୍ଟମେଣ୍ଟରେ ପିଲା ଦିନର ସାଙ୍ଗ ଶୁଭ୍ରା ବି ରହୁଛି। ସେମାନଙ୍କ ସୋସାଇଟିର ସ୍ତ୍ରୀ ଲୋକମାନେ ରଜ ପର୍ବ ପାଳନ କରନ୍ତି ବୋଲି ଶୁଭ୍ରା କହୁଥିଲା।ସବୁ ସ୍ତ୍ରୀ ଲୋକ କମ୍ୟୁନିଟି ହଲରେ ଏକାଠି ହୋଇ ରଜ ପର୍ବ ପାଳନ କରନ୍ତି।ଘରୁ କିଛି ପିଠା କରି ନିଅନ୍ତି ,ସେଠି ମିଶି ଖାନ୍ତି।ତାସ ଖେଳି ମସ୍ତି କରନ୍ତି ବୋଲି ଶୁଭ୍ରା କହୁଥିଲା।। ସେଥିପାଇଁ ଆଜି ଶୁଭ୍ରା ତାକୁ ମନେ ପକାଇ ଦେଇଛି।


 ରଜ କଥା କହିଲେ ତା ପିଲାଦିନ କଥା ମନେ ପଡେ। ସେଦିନ ର ରଜ କଥା ମନେ ପଡିଲେ ଏବେବି ନିବେଦିତା ର ମନ ଉତଫୁଲ୍ଲିତ ହୋଇଯାଏ।ଏଇ ଭୁବନେଶ୍ଵରରେ ଗୋଟିଏ କଲୋନୀ ରେ ତା'ର ପିଲା ଦିନ କଟିଛି।ବିଭିନ୍ନ ଜିଲ୍ଲା ରୁ ଆସିଥିବା ଲୋକ ଗୋଟିଏ କଲୋନୀ ରେ ରହିଲେ ବି ସେତେବେଳେ କଲୋନୀ ର ଚଳଣୀ ନିଆରା ଥିଲା।ସବୁ ପର୍ବ ତ ଆନନ୍ଦ ଦେଉଥିଲା।ସବୁଠୁ ବେଶି ମଜ୍ଜା ଲାଗେ ରଜ ଓ ଖୁଦୁରୁକୁଣୀ ରେ ।


 । ରଜ ଦିନ ସକାଳୁ ଉଠି ମୁଣ୍ଡ ଧୋଇ ଗାଧୋଇ ପଡେ।ବୋଉ ଗୋଡ଼ରେ ଅଳତା ଲଗାଇ,କପାଳରେ କୁଙ୍କୁମ ଟିପା ଦେଇ ସଜ କରିଦିଏ।ନୂଆ ଜାମା ପିନ୍ଧି ବୋଉ କରିଥିବା ପୋଡ ପିଠା ଖଣ୍ଡେ ପାଟିରେ ପୁରାଇ ଘରୁ ବାହାରି ପଡେ। ସେଦିନ ତା'ର ଖାଇବାରେ ଟିକେ ବି ମନ ନଥାଏ।ସବୁ ସାଙ୍ଗ ଏକାଠି ହୋଇଯାନ୍ତି ଦୋଳି ପାଖରେ।ତାକୁ ବେଶ୍ ମଜ୍ଜା ଲାଗେ ଦୋଳିରେ ଠିଆ ହୋଇ ପେଙ୍ଗା ମାରି ଖେଳିବାକୁ। ସେତେବେଳେ ତାକୁ ଲାଗେ ତା'ର ଦୁଇଟି ଡେଣା ଲାଗି ଯିବା ଭଳି।ଦୋଳି ଯେତେବେଳେ ଆକାଶ ଛୁଏଁ ତା ସହିତ ମନ ବି ଆକାଶ ଛୁଉଁଥିଲା। ଓହଃ କି ଆନନ୍ଦ।ଜଳଛବି ପରି ପିଲା ବେଳର ଦୃଶ୍ୟ ଆଖି ଆଗରେ ନାଚି ଯାଉଛି।ମନ କୁହେ ,ଆଃ ସେଇ ପିଲା ଦିନ ଟା ଫେରି ଆସନ୍ତା କି!!!




 ରଜର,ସବୁଠୁ ବଡ଼ ଆକର୍ଷଣ ଥିଲା କଣ୍ଢେଇ ବାହାଘର କଥା।କଲୋନୀ ସାରା ପିଲା ମିଶି କଣ୍ଢେଇ ବାହାଘର ଆୟୋଜନ କରୁଥିଲେ। ସେମାନଙ୍କ ଭିତରେ ବର ର ବାପାମାଆ , କନ୍ୟାର ବାପା ମାଆ ,ବ୍ରାହ୍ମଣ , ବରଯାତ୍ରୀ ଓ କନ୍ୟାଯାତ୍ରୀ ବଛା ହୁଏ।ପୁରୀ,ଖିରି ଓ

ଆଳୁ ଦମ ଭୋଜି ମଧ୍ୟ ହୋଇଥାଏ।।ସେ ଭୋଜି ବଡ଼ ଅମୃତ ଭଳି ଲାଗୁଥାଏ। ବାହାଘର ଭଳି ମାଇକ୍ ର ଆୟୋଜନ ମଧ୍ୟ ହେଉଥିଲା।


ଗୋଟେ ପଡିଆକୁ ଲୁଗାରେ ଘେରେଇ ଦିଆ ଯାଏ।ତା ଭିତରେ ତାଙ୍କର କଣ୍ଢେଇ ବାହାଘର ଉତ୍ସବ ଚାଲେ। ସନ୍ଧ୍ୟା ରେ ହାଲିଆ ହୋଇଗଲା ପରେ ଖେଳ ସରିଯାଏ।




 ପ୍ରଥମ ବର୍ଷ ଯେତେବେଳେ କଲୋନୀରେ ନାନୀମାନେ ବାହାଘର ଆୟୋଜନ କରିଥିଲେ ସେ ଖୁବ୍ ଛୋଟ ଥିଲା।ବୋଧ ହୁଏ ତିନି ଚାରି ବର୍ଷର ।ସେ ବର୍ଷ ନାନୀମାନେ ତାକୁ କନିଆଁ ଓ ଆମୁ ଭାଇକୁ ବର କରି ବାହାଘର କରିଥିଲେ।ଅମୁ ଭାଇ ତାଠୁ ଦୁଇ ବର୍ଷ ବଡ଼ ଥିଲେ।


ସେମାନେ ଦୁଇ ଜଣ ଥିଲେ ନାନୀମାନଙ୍କ ର କଣ୍ଢେଇ।


।ପରେ ତା ବୋଉ ଓ ଆମୁ ଭାଈଙ୍କ ମା" ନାନୀମାନଙ୍କୁ ଖୁବ୍ ଗାଳି ଦେଇଥିଲେ।ତା' ପର ବର୍ଷ ଠାରୁ କଣ୍ଢେଇ ବାହାଘର ହୋଇଥିଲା। କଣ୍ଢେଇ ବାହାଘର ପାଇଁ ସମସ୍ତେ ରଜକୁ ଅପେକ୍ଷା କରି ଥାନ୍ତି।


 ଏମିତି କଣ୍ଢେଇ ବାହାଘର କରୁ କରୁ ନାନୀମାନଙ୍କର ବିବାହ ବୟସ ଆସି ଯାଇଥିଲା। ସମୟାନୁକ୍ରମେ ନାନୀମାନଙ୍କ ପରେ ସେମାନଙ୍କ ଉପରେ କଣ୍ଢେଇ ବାହାଘର ଦାୟିତ୍ଵ ପଡ଼ିଥିଲା।କଣ୍ଢେଇ ବାହାଘର ଭିତରେ ତା'ର ବି ବିବାହ ବୟସ ଉପନୀତ ହୋଇଥିଲା।


**************


 ବି.ଏ ପାସ୍ କରୁକରୁ ବୋଉ ବାହାଘର ଖୋଜିବା ଆରମ୍ଭ କରି ଦେଇଥିଲା।ଅନେକ ପ୍ରସ୍ତାବ ଆସିଥିଲେ ବି ବୋଉ ଅନେକ ବାଛିବୁଛି ତା ଗେହ୍ଲା ଝିଅ ପାଇଁ ଡାକ୍ତର ପ୍ରସ୍ତାବ ଠିକ୍ କରିଥିଲା।ଏବେ ବି ମନେ ପଡୁଛି ପିଲାବେଳେ ତାକୁ ଯିଏ ପଚାରେ,


-- ବଡ଼ ହେଲ ତୁ କ'ଣ ହେବୁ।


ସେ କହୁଥିଲା,


--ମୁଁ ବଡ଼ ହେଲେ କିଛି ହେବିନି, ଗୋଟେ ଡାକ୍ତରକୁ ବାହା ହେବି।


 ସମସ୍ତେ ତା କଥା ଶୁଣି ହସନ୍ତି।ବୋଉ ବି ତା ଇଛାକୁ ପୂରଣ କରିବାକୁ ଚେଷ୍ଟା କରିଥିଲା। କେମିତି କରିବନି ଯେ ,ସେ ତ ବୋଉର ଗୋଟାଏ ବୋଲି ଗେହ୍ଲା ଝିଅ।


 ଡଃ ଅଜିତାଭ ମହାପାତ୍ର।ବାପା ମା'ଙ୍କ ର ଗୋଟିଏ ପୁଅ।କଟକ ପାଖ କୋଉ ଗୋଟେ ପବ୍ଲିକ ହେଲତ୍ ସେଣ୍ଟର୍ ରେ ନୂଆ କରି ପୋଷ୍ଟିଙ୍ଗ୍।


କଟକ ସହରରେ ଓକିଲ ବାପାଙ୍କର ବିଶାଳ ଆଖିଦୃଶିଆ କୋଠା।


ଚାକର ବାକର କୋଉଥିରେ ଅଭାବ ନାହିଁ।ବୋଉ ତା'ର କୋଉଥିରେ ଉଣା ଦେଖି ବାହା ଦେଉ ନଥିଲା।ନିର୍ବନ୍ଧ ରେ ଶାଶୁଘର ଭାର ,ବୋହୂ ଗହଣା ଓ ପାଟ ଶାଢ଼ୀକୁ ଦେଖି ସମସ୍ତେ ନିବେଦିତା ର ଭାଗ୍ୟକୁ ପ୍ରଶଂସା କରୁଥିଲେ। କେତେ ସାଙ୍ଗ ତ ଈର୍ଷା କରୁଥିଲେ। ସାଙ୍ଗ ଲିସା କହିଥିଲା,


-- ଦେଖରେ ନିବୁର ଭାଗ୍ୟକୁ। ସମସ୍ତଙ୍କର କ'ଣ ତା ପରି ଭାଗ୍ୟ ହେବ!!


ତା'କଥା ଭିତରେ ନିବେଦିତା ଈର୍ଷାର ଭାବକୁ ପଢ଼ି ପାରିଥିଲା।


ବୋଉ ବାପା ବି ଦବା ନେବାରେ କମି ରଖି ନଥିଲେ।ଭାଇ ବି ବୋଉକୁ କହୁଥିଲା ,


--ବୋଉ ଦେଖେ ମୋର ଭଉଣୀକୁ କୋଉଥିରେ କମି କରିବୁନି।ମୋର କିଛି ଦରକାର ନାହିଁ, ତୁ ନିବୁକୁ ସବୁ ଦେଇଦେ।ନିବୁ ଖୁସିରେ ରହିଲେ ମୁଁ ଖୁସି।


ବୋଉ ବାପାଙ୍କୁ କହି ସବୁଠୁ ସବୁ ଯୋଗାଡ଼ କରିଥିଲା। ବାହାଘର ଦିନ ଶାଢ଼ୀ ଗ‌ହଣା ପିନ୍ଧି ନିବୁ ଗୋଟିଏ କଣ୍ଢେଇ ଭଳି ଦିଶୁଥିଲା।ଭାଇ କହୁଥିଲା,


--ବୋଉ ଦେଖିଲୁ! ଆମ ନିବୁ ଗୋଟିଏ କଣ୍ଢେଇ ଭଳି ଦିଶୁଛି ନା!!


ଭାଇକୁ ବୋଉ ଗାଳି ଦେଇ କହିଥିଲା,


--ହେ! ଏମିତି ଦୃଷ୍ଟି ପକାନା।


 ବାଣ ରୋଷଣୀ ନେଇ ବର ଯେତେବେଳେ ଆସିଲା।ସମସ୍ତେ ତାକୁ ଛାଡି ବର ଦେଖିବାକୁ ଦୈାଡି ଥିଲେ।ଲିସା ଆସି କହିଥିଲା,


--ନିବୁ ତୁ ଯେତିକି ସୁନ୍ଦର ଦେଖା ଯାଉଛୁ,ତୋ ବର ତାଠୁ ଅଧିକ ସୁନ୍ଦର ଦେଖା ଯାଉଚି।


ତାକୁ ପାଳିଧରି ଅନ୍ୟମାନେ ମଧ୍ୟ ଥଟ୍ଟା କରିଥିଲେ।


କୁତ୍ରିମ ରାଗ ଦେଖାଇଥିଲେ ବି ,ମନେ ମନେ ବରର ପ୍ରଶଂସା ଶୁଣି ସେ ଖୁସି ହୋଇଥିଲା।


ବାହାଘର ର ବିଦାୟ ସମୟରେ ବାପା , ବୋଉ ଓ ଭାଇ ବହୁତ କାନ୍ଦିଥିଲେ।ଆଦରର ନିବୁକୁ କେମିତି ଛାଡି ରହିବ ଭାବି ବୋଉର ତ ଚେତା ବୁଡ଼ି ଯାଉଥିଲା। ଭାଇ ତ ତା ସାମ୍ନାକୁ ଜମା ବି ଆସୁ ନଥିଲା । କୋଉଠି କେଜାଣି ମୁହଁ ଲୁଚାଇ କାନ୍ଦୁଥିଲା। ବାପା କାନ୍ଦୁଥିଲେ ବି ଧୈର୍ଯ୍ୟ ର ସହ ତାକୁ ଗାଡ଼ିରେ ଆଣି ବସେଇ ଥିଲେ। ତା'ର ବି କାନ୍ଦି କାନ୍ଦି ତଣ୍ଟି ଶୁଖି ଯାଉଥିଲା।ସାଥିରେ ମାଉସୀ ପୁଅ ଭାଇ ଲୁନା ତାକୁ ଛାଡିବାକୁ ଆସିଥିଲା।


 ତାଙ୍କ ଘରେ ବି ବେଶ୍ ଗହଳିଥିଲା।। କିନ୍ତୁ କାହିଁକି କେଜାଣି ତାକୁ ଲାଗୁଥିଲା କାହା ମନରେ ଯେମିତି ଖୁସି ନଥିଲା। ଚତୁର୍ଥୀ ଦିନ ତାଙ୍କର ଭୋଜି।ସେଦିନ ସକାଳେ ଚତୁର୍ଥୀ ହୋମ। ଚାରିଦିନ ଭିତରେ ଡାକ୍ତର ବାବୁଙ୍କ ଦର୍ଶନ ସେ ପାଇନି।ବୋଧ ହୁଏ ବନ୍ଧୁବାନ୍ଧବ ଗହଳିରେ ତାଙ୍କୁ ଲାଜ ଲାଗୁଥିବ ସାମ୍ନାକୁ ଆସିବାକୁ ବୋଲି ଭାବୁଥିଲା।ହୋମ ପରେ ଟିକିଏ ବିଶ୍ରାମ ନେଇ ସେମାନେ ବାହାରିଲେ ଭୋଜି ଦିଆ ଯାଉଥିବା ହୋଟେଲକୁ।ତାକୁ ଖୁବ୍ ସୁନ୍ଦର ଭାବେ ସଜେଇ ଦେଇଥିଲେ।ଜଣେ ସ୍ତ୍ରୀ ଲୋକ କାହିଁକି କେଜାଣି ତା ଗାଲକୁ ଧରି ଆହାଃ ବୋଲି କହିଥିଲା।ତାକୁ ଟିକେ କେମିତି ଖରାପ୍ ଲାଗିଥିଲା। ଭୋଜି ସାରି ବନ୍ଧୁ ବାନ୍ଧବ ଙ୍କୁ ବିଦା କରି ଘରକୁ ଫେରୁ ଫେରୁ ରାତି ବାରଟା। ସଂପର୍କ ର ନଣନ୍ଦ ତାକୁ ନେଇ ତା ରୁମରେ ଛାଡିଥିଲେ।


ଜୀବନର ବହୁ ପ୍ରତୀକ୍ଷିତ ଦୁର୍ଲ୍ଲଭ ସମୟ ଟି ଆସିଥିଲା।ବହୁ ବିଳମ୍ବରେ ଅଜିତାଭ ରୁମ୍ କୁ ଆସିଥିଲେ।ଅପେକ୍ଷା କରି କରି ବିରକ୍ତି ଭାବ ଆସିଯାଇଥିଲା। ଏ କ'ଣ!! ତାଙ୍କ ପାଦ କ'ଣ ଟଳ ଟଳ।


କଥା ଅସ୍ପଷ୍ଟ।କଥା କହିବା ଅବସ୍ଥା ରେ ସେ ନଥିଲେ।ହଲି ହଲି ଆସି ଖଟ ଉପରେ ଲଥ୍ କିନା ପଡି ଯାଇଥିଲେ।କଥା ତାଙ୍କ ପାଟିରୁ ବାହାରୁ ନଥିଲା।ନିବେଦିତା ର ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା।ବୋଉ ଉପରେ ପ୍ରଚଣ୍ଡ ରାଗ ଓ ଅଭିମାନ ଆସୁଥିଲା। ଭବିଷ୍ୟତ କଥା ସେ କଳ୍ପନା କରିପାରୁ ନଥିଲା।ଅଜିତାଭ ସୈାଖିନ୍ ରେ ମଦ୍ୟ ପାନ କଲା ଭଳି ଲାଗୁ ନଥିଲା। ସେଦିନ ରାତିରେ ସେ ଶୋଇ ପଡ଼ିଥିଲେ। କିନ୍ତୁ ନିବୁର ଆଖିର ନିଦ ହଜିଯାଇଥିଲା।


 ତା ପରଦିନ ସେ ସକାଳୁ ଉଠି ଗାଧୋଇ ପାଧୋଇ ଠାକୁର ଘରେ ମୁଣ୍ଡିଆ ମାରି ବହୁତ କାନ୍ଦିଥିଲା। ବେଡରୁମ୍ ଆଡ଼କୁ ତାର ଆଉ ପାଦ ପଡୁ ନଥିଲା। ସେତେବେଳକୁ ଘରେ କେହି ଉଠି ନଥିଲେ ତେଣୁ ବାଧ୍ୟ ହୋଇ ନିଜ ରୁମ୍ କୁ ଆସିଲା। ସେ ପର୍ଯ୍ୟନ୍ତ ଅଜିତାଭ ସେମିତି ଶୋଇଥାନ୍ତି।ସାତଟା ରେ ଉଠିଲେ।ତାଙ୍କର ବ୍ୟବହାର ରୁ ଗତ ରାତିରେ ସେମିତି କିଛି ଅସଙ୍ଗତି ଘଟିଥିଲା ପରି ମନେ ହେଉନଥିଲା।ନିବୁ ମନେ ମନେ ଭାବୁଥିଲା,


"କି ଆଶ୍ଚର୍ଯ୍ୟ ଲୋକ!! ଏ ଲୋକ ବାହା ହଉଥିଲେ କାହିଁକି ଓ ୟାଙ୍କୁ କିଏ ବାହା କଲା ବି କାହିଁକି!!! " 


ତାକୁ ଗଳା ଫଟେଇ ଚିତ୍କାର କରିବାକୁ ଇଚ୍ଛା ହେଉଥିଲା। ଇଚ୍ଛା ହେଉଥିଲା ବୋଉକୁ ଯାଇ ସବୁ କହି ଦେବାକୁ। ଏଠି ସେ କାହାକୁ କହିବ , କ'ଣ ବା କହିବ! !ଘରେ ସମସ୍ତେ ନଜାଣିଲା ପରି ବ୍ୟବହାର କରୁଥାନ୍ତି।ସେ ସମୟରେ ମୋବାଇଲ୍ ବି ନଥିଲା।


 ନିବେଦିତା ଧୀରେ ଧୀରେ ଜାଣିପାରିଲା ଅଜିତାଭ ପୁରା ନିଶାଖୋର ଲୋକଟିଏ। ଚବିଶ ଘଣ୍ଟା ନିଶାରେ ଚୁର୍ ରୁହନ୍ତି।


ଆଶ୍ଚର୍ଯ଼୍ୟ ହୋଇ ଭାବେ ସେ ଲୋକଟି କେମିତି ରୋଗୀ ଦେଖେ!! ଭୋଜି ପରେ ଘର ଖାଲି ହୋଇଯାଇଥିଲା ।ଘରେ ଖାଲି ସେ ଶାଶୁ ଶ୍ଵଶୁର ଓ ଅଜିତାଭ। ଦିନ ରେ ଅଜିତାଭ ବାହାରେ ରୁହେ, ଆଉ ରାତିରେ ବେହୋସ୍। ଦିନେ ସକାଳୁ ସାହସ ସଞ୍ଚୟ କରି ପଚାରିଲା,


--ତୁମେ ବିବାହ କରିଥିଲ କାହିଁକି??


ଉତ୍ତର ପାଇଥିଲା,


 --ଯାଅ ମା'କୁ ପଚାରିବ। ମୁଁ ତ ଚାହିଁ ନଥିଲି ; ସେ କରିଛି।


ତାକୁ ପଚାର। 


ଶାଶୁଙ୍କ ମୁହଁ ଦେଖିଲେ ନିବେଦିତା କୁ ଭୀଷଣ ଡର ମାଡେ।


କାହାକୁ ସେ କହିବ ତା ହୃଦୟର କଥା।ଖାଲି ଗୁମୁରି ଗୁମୁରି କାନ୍ଦିବା ସାର୍ ହୁଏ।


ଆଠୁଆରୀ ଭାର ଧରି ବାପା ଓ ଭାଇ ଯାଇଥିଲେ କିନ୍ତୁ ଶାଶୁସେମାନଙ୍କ ସହିତ ତାକୁ କଥା ହେବା ପାଇଁ ସୁଯୋଗ ହିଁ ଦେଲେନି। ଗୋଡ ଗୋଡ଼ ଜଗିଥାନ୍ତି।ସେ କେବଳ ବାପାଙ୍କୁ କହିଲା,


--ମୁଁ ଘରକୁ ଯିବାକୁ ଚାହୁଁଚି ବାପା । ମତେ ନେଇଯାନ୍ତୁ।


ଶାଶୁ ବାପାଙ୍କୁ ତାଙ୍କ ଘରେ ମାସେ ନଗଲେ ଯାନ୍ତି ନି ବୋଲି କହି ଛାଡିଦେଲେ।


ବାପା ଫେରିଲା ବେଳେ ସେ କାନ୍ଦିଥିଲା।ବାପା" ମାସେ ପରେ ଆସି ନେଇଯିବି କହି " ଫେରିଥିଲେ।


ମାସେ ଭିତରେ ଅଜିତାଭଙ୍କର କୈାଣସି ପରିବର୍ତ୍ତନ ର ଲକ୍ଷଣ ନ ଦେଖି ସେ ରୁନ୍ଧି ହୋଇଯାଉଥାଏ ।ମାସେ ପରେ ଭାଇ ଆସିଲା। ଶାଶୁଙ୍କର ବୋଧେ ଇଚ୍ଛା ନଥାଏ। ସେ କିନ୍ତୁ ଯିବା ପାଇଁ ବ୍ୟଗ୍ର ଥାଏ।ମାସେ ଭିତରେ ସେ ଅଣନିଃଶ୍ବାସୀ ହୋଇଯାଇଥିଲା।ଭାଇ କୁ ଶୀଘ୍ର ଶୀଘ୍ର ବାହାରିବାକୁ ଈସାରା ଦେଉଥାଏ।ଶାଶୁ ଆଠ ଦିନ ପାଇଁ କଣ୍ଟ କରୁଥାନ୍ତି।ଭାଇ ତାଙ୍କ କଥାରେ ରାଜି ହୋଇ ନିବୁକୁ ବାହାରିବାକୁ କହିଲା। ଶାଶୁଶଶୁର ଙ୍କୁ ମୁଣ୍ଡିଆ ମାରି ନିବେଦିତା ଏକା ମୁହାଁ ରେ ଗାଡ଼ି ପାଖକୁ ଧାଇଁଲା ।ଗାଡ଼ିରେ ବସି ଦୀର୍ଘଶ୍ଵାସ ଛାଡିଥିଲା।


  ବାଟରେ ଭାଇ ସହିତ ପଦେ ବି କଥା ହୋଇ ନଥିଲା।ଘରେ ପହଞ୍ଚି ବୋଉକୁ ଧରି ଭୋ ଭୋ କାନ୍ଦିଥିଲା। ହଠାତ୍ ବାପା ବୋଉ ତା କାନ୍ଦିବାର କାରଣ ଜାଣି ପାରି ନଥିଲେ।ଭାବିଲେ ପ୍ରଥମ ଥର ଘରକୁ ଆସିଛି ବୋଲି କାନ୍ଦୁଛି।ବୋଉ କହିଥିଲା,


--ନୂଆ ନୁଆ ସବୁ ଝିଅଙ୍କୁ ଏମିତି ଟିକେ ଅଡ଼ୁଆ ଲାଗେ।ଦେଖିବୁ ସେ ଘର ତତେ କେତେ ନିଜର ଲାଗିବ ଆଉ ଆମେ ପର ଲାଗିବୁ।




ସେମାନେ ବା କେମିତି ଜାଣିବେ ତାଙ୍କ ପ୍ରିୟ ନିବୁ ର ଉପରେ କ'ଣ ବିତିଛି।ବୋଉ ଉପରେ ରାଗିଯାଇ କହିଥିଲା


-- ଚୁପ୍ କର।କିଛି ନବୁଝି ଝିଅ କୁ କେମିତି ବାହା ଦେଇଦେଲୁ ବୋଉ? ଆଗରୁ ଥରେ ସେ ପିଲା ବିଷୟରେ ବୁଝିଲୁନି??


ଏମିତି ମତେ ନର୍କକୁ ଠେଲି ଦେଲୁ।ଅଜିତାଭ୍ ଗୋଟେ ବୃଦ୍ଧ ମଦୁଆ।ତା ସହିତ ବ୍ରାଉନ ସୁଗାର ମଧ୍ୟ ନିଏ।


ତା ପାଟିରୁ ଏପରି କଥା ଶୁଣି ବାପା ବୋଉ ଓ ଭାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 


 ସେଦିନ ବୋଉ ନିବୁର କଥା ଶୁଣି ନିଜକୁ ଦାୟୀ କରି ମୁଣ୍ଡ କୋଡି କାନ୍ଦିଥିଲା ।ବାପା ମୁଣ୍ଡରେ ହାତ ଦେଇ ବସି ଯାଇଥିଲେ।ଭାଇ ରାଗରେ ଲାଲା ପଡି ଅଜିତାଭର ପରିବାରକୁ ଗାଳି ବର୍ଷଣ କରୁଥିଲା।


।ଆଠ ଦିନ ପରେ ଶାଶୁ ଲୋକ ପଠେଇ ଥିଲେ ନବା ପାଇଁ। ବୋଧ ହୁଏ ନିଜର ସତ୍ ସାହସ ନଥିଲା ଆସିବା ପାଇଁ।


ବାପା ମନା କରି ଶ୍ଵଶୁର ଙ୍କ ପାଖକୁ ଗୋଟିଏ ଲମ୍ବା ଚିଠି ପଠାଇ ଦେଇଥିଲେ।ବାପା କହିଥିଲେ,


--ଭୂଲି ଯା ନିବୁ ସେ ବାହାଘରକୁ।ଭୂଲି ଯା ତୁ ବାହା ହେଇଥିଲୁ ବୋଲି। ।ତୁ ଯାହା ପଢିବାକୁ କହିବୁ ମୁଁ ପଢେଇବି। କିନ୍ତୁ ସେ ନର୍କକୁ ଯିବୁନି।ତୁ ଚାକିରି କରିବୁ।


ସେ ଦିନ ଠୁ ବୋଉ କିନ୍ତୁ ନିଜ ଝିଅର ଦୁର୍ଭାଗ୍ୟ ଦେଖି ଗୁମ୍ ସୁମ୍ ହୋଇଗଲା।କାହାକୁ ଭଲରେ କଥା କହୁନଥିଲା।ଭିତରେ ଭିତରେ ଦୁଃଖରେ କୁହୁଳୁଥିଲା।ଭାଇ ଚାହୁଁଥିଲା ଶାଶୁ ଶ୍ଵଶୁର ଙ୍କୁ ଗାଳି ଦେଇ ଆସିବାକୁ। ବାପା କିନ୍ତୁ ବାରଣ କରିଥିଲେ। କଥା ପ୍ରଚାର ହୋଇଗଲା। ସୁନିତା ମାଉସୀ ସମବେଦନା ଦେଇ କହୁଥିଲେ,


--ଆହା ! ନିବୁର ଭାଗ୍ୟ କେତେ ଖରାପ ।ଝିଅଟା କୋଉ କୂଳରେ ହେଲାନି।ବାପା ବୋଉ ଆଗରୁ ସିନା ବୁଝି ଥାନ୍ତେ। ଝିଅ ଟାକୁ ଭସେଇ ଦେଲେ।


 ଦୁନିଆଁ ରେ ଏମିତି ଅନେକ ଲୋକ ଥାନ୍ତି ସହାନୁଭୂତି ନାଁ ରେ କଟା ଘା'ରେ ଲୁଣ ହିଁ ଦିଅନ୍ତି।


ନିବୁ ଦୁଃଖ କୁ ଆଦରି ପଡ଼ିଥାଏ।କ୍ରମେ ବାହାରକୁ ଯିବା ବନ୍ଦ କରିଦେଲା।


************


।ପ୍ରାୟ ଦୁଇ ମାସ ପରେ ଦିନେ ଦିହି ପହରେ ,ଦାଣ୍ଡ ଦୁଆରେ ଠକ୍ ଠକ୍ ଶବ୍ଦ ଶୁଣା ଗଲା।ସେ ଦାଣ୍ଡ ଦୁଆରେ ଖୋଲି ଦେଖେ ଭାଇର ସାଙ୍ଗ ଅମୁ ଭାଇ।ତା ବାହାଘର ବେଳେ ଅମିୟକୁ ତାଙ୍କ କମ୍ପାନୀ ଛଅ ମାସ ପାଇଁ ବାହାରକୁ କୁଆଡ଼େ ପଠାଇଥିଲା।ତେଣୁ ସେ ଆସି ପାରି ନଥିଲେ। କେହି ଆସିବାର ଶବ୍ଦ ଶୁଣି ବୋଉ ବି ଦାଣ୍ଡ ଘରକୁ ଆସିଲା। ସମସ୍ତେ ନୀରବ ହୋଇ ବସିଥାନ୍ତି।କିଛି ସମୟ ପରେ ନୀରବତା ଭଙ୍ଗ କରି ଅମିୟ କଥା ଆରମ୍ଭ କଲେ,


--ଅଜୁ (ନିବୁ ଭାଇ) ସହିତ ଦୁଇ ଦିନ ତଳେ ମୋର ଦେଖା ହୋଇଥିଲା ମାଉସୀ।ସେ ନିବୁ ବିଷୟରେ ମତେ ସବୁ କହିଛି।ଏ ଛ'ମାସ ଭିତରେ ଏତେ କଥା ହୋଇଗଲା ।।ଯାହା ବିତି ଯାଇଛି ସେ ବିଷୟରେ ଆଉ ଚିନ୍ତା କରନ୍ତୁନି ମାଉସୀ।ଦୁଃସ୍ବପ୍ନ ଭାବି ଭୂଲି ଯାଆନ୍ତୁ।


 ବଡ଼ ହେଲା ପରେ ଅମିୟଙ୍କୁ ଦେଖିଲେ ନିବେଦିତା କୁ କାଇଁ ଲାଜ ଲାଗେ। ସେ କେବେ ବି ତାଙ୍କ ସହିତ କଥା ହୋଇ ପାରେନି। ତାଙ୍କୁ ଦେଖିଲେ କାଇଁ ନିବୁ କୁ ପିଲାବେଳ କଥା ମନେ ପଡେ।


 ବୋଉ କହିବାରୁ ନିବେଦିତା ଅମିୟଙ୍କ ପାଇଁ ଚା" କରିବାକୁ ଆସିଲା।


ରୋଷେଇ ଘରେ ଚା କରିବା ଭିତରେ ବୋଉ ଓ ଅମିୟର କଥାବାର୍ତ୍ତା ତା କାନରେ ଟିକେ ଟିକେ ପଡୁଥାଏ। ଦାଣ୍ଡ ଘର ଓ ରନ୍ଧା ଘର ମଧ୍ୟରେ ଗୋଟିଏ କାନ୍ଥ।


 ଅମୀୟର କଥା ତାକୁ ସ୍ପଷ୍ଟ ଶୁଣା ଯାଉଥାଏ।


--ମାଉସୀ! ଆପଣଙ୍କୁ ଗୋଟେ କଥା କହିବି ବୋଲି ଭାବୁଛି।


-- କ'ଣ ଅମୀୟ କହୁନ।


--ନା ମୁଁ କ'ଣ କହୁଥିଲି କି,ଆପଣ ଯଦି ଚାହିଁବେ ନିବୁ କୁ ମୋ ହାତରେ ଦେଇ ପାରନ୍ତି। ମୁଁ ଆପଣଙ୍କର ଜାତି ଅବଶ୍ୟ ନୁହେଁ। ସେଥିପାଇଁ ମୁଁ ସଂକୋଚ କରୁଥିଲି। ମୁଁ ପ୍ରତିଶ୍ରୁତି ଦେଉଛି ମାଉସୀ!! ନିବୁ କୁ ମୁଁ ବେଶ୍ ଭଲରେ ରଖିବି।


କଥାବାର୍ତ୍ତା ଭିତରେ ବାପାବି ସେତେବେଳେ କୁ ଆସି ସାରିଥିଲେ।ଅମିୟ ଙ୍କ କଥା ଶୁଣି।ବାପା ବୋଉଙ୍କ ଆଖିରୁ ଧାର ଧାର ଲହୁ ବୋହି ଯାଉଥିଲା।


 ନଦୀ ସ୍ରୋତରେ ଭାସି ଯାଉଥିବା ଲୋକଟିକୁ କୁଟା ଟିଏ ସାହାରା ମିଳିଗଲା ଭଳି ବୋଉ ପୁଲକିତ ହୋଇ ଯାଇଥିଲା।ଭାବରେ କହି ପକାଇଲା,


--ଜାତିରେ ଝିଅକୁ ଦେଇ ଆମେ କ'ଣ ପାଇଲୁ ଅମୁ।ତୁମେ ଯେ ଆମ ଝିଅକୁ ନୂଆ ଜୀବନ ଦେବାକୁ ଚାହୁଁଛ ୟାଠୁ ଭଳି ବଡ଼ କଥା କିଛି ନାହିଁ। ।ତୁମେ ଆମକୁ ଆଜି ଏକ ବିରାଟ ଚିନ୍ତାରୁ ମୁକ୍ତ କଲ ଅମୁ।କିଭଳି ତୁମକୁ ଧନ୍ୟବାଦ ଜଣାଇବି ଭାବି ଭାଷା ପାଉନି।




--ହେଲେ ଆପଣ ନିବୁକୁ ପଚାରନ୍ତୁ ମାଉସୀ।ସେ ଏ ପ୍ରସ୍ତାବରେ ରାଜି କି ନୁହେଁ।ପିଲା ବେଳେ କଣ୍ଢେଇ ବାହାଘରରେ ନାନୀମାନେ ଯେତେବେଳେ ଆମର ବାହାଘର କରିଥିଲେ , ସେଦିନ ର ପ୍ରଭାବ ମୋ ମନରେ ଏ ପର୍ଯ୍ୟନ୍ତ ଅଛି। କିନ୍ତୁ ମୁଁ ଅନ୍ୟ ଜାତି ହୋଇଥିବାରୁ କିଛି କହି ପାରିନଥିଲି ।ଆଜି ଯେତେବେଳେ ନିବୁ ର ଏକ ଅବସ୍ଥା ଶୁଣିଲି ସେତେବେଳେ ମୁଁ ରହି ପାରିଲିନି।


--ନିବୁ କ'ଣ ଆଉ ଅଧିକ କହିବ ଅମୁ।ଆମେ ବୁଝି ସୁଝି ଏମିତି


 ଧୋକ୍କା ଖାଇଲୁ।ତୁମକୁ ତ ଆମେ ପିଲାଟି ଦିନରୁ ଜାଣିଛୁ। ।ହେଲେ ତୁମ ଘରେ ରାଜି ହେବେ ତ??


--ଆପଣ ଚିନ୍ତା କରନ୍ତୁ ନି ମାଉସୀ , ମୁଁ ବାପା ବୋଉଙ୍କୁ ସବୁ ଜଣେଇଲା ପରେ ଆସିଛି। ସେମାନେ ଏଥିରେ ସନ୍ମତି ପ୍ରଦାନ କଲେ ବୋଲି ଆସିଛି।


 ଅମିୟ ଙ୍କ କଥା ଶୁଣି ନିବେଦିତା ର ଅମିୟ ଙ୍କ ପ୍ରତି ସମ୍ମାନ ବୋଧ


ବଢ଼ି ଯାଇଥିଲା।ଭାବୁଥିଲା କି ଆଦର୍ଶ ବ୍ୟକ୍ତିତ୍ବ !!! ଚା' କପ୍ ଟି ଆଣି ଥୋଇଲା ବେଳେ ତା ଆଖିର ଲୁହକୁ ସେ ଲୁଚାଇ ପାରୁ ନଥିଲା।ଏତେ ଦିନ ଧରି ସେ ତାଙ୍କ ବାହାର ଟା ଦେଖିଥିଲା।ଆଜି ସେ ତାଙ୍କ ବିଶାଳ ହୃଦୟକୁ ଦେଖାଇ ଥିଲେ।ତାଙ୍କର ଉଦାରତା ଦେଖାଇବା ପାଇଁ ପିଲା ବେଳର ସେ ଘଟଣା ଟି ମାତ୍ର ଏକ ଅବଲମ୍ବନ ଥିଲା।ସମ୍ଭ୍ରମତାରେ 


ନିବୁର ମୁଣ୍ଡ ଲଇଁ ଯାଇଥିଲା।




 ଅମିୟ ଙ୍କ ଇଚ୍ଛାରେ ଖୁବ୍ ନିରାଡମ୍ବର ଭାବେ ତାଙ୍କର ବାହାଘର ହୋଇଥିଲା। ବୈବାହିକ ଜୀବନର କୋଡିଏ ବର୍ଷ ଅତିକ୍ରାନ୍ତ କରିଥିଲେ


ବି କୈାଣସି ଦିନ ଅମିୟ ନିବୁକୁ ଦୁଃଖି ରଖି ନାହାନ୍ତି ବା ବିବାହ କରି ଦୟା କଲା ମନୋଭାବ ଦେଖାଇ ନାହାନ୍ତି। ବରଂ ସ୍ତ୍ରୀର ମର୍ଯ୍ୟାଦା ରୁତିଳେ ମାତ୍ର କ୍ଷୁର୍ଣ୍ଣ କରିନାହାନ୍ତି। ଶାଶୁ ଶ୍ଵଶୁର ବି ବେଶ୍ ସ୍ନେହ ଦେଇଛନ୍ତି।


 ରଜ ଆସିଲେ ପିଲା ଦିନ ର ସ୍ମୃତି ଉଙ୍କି ମାରେ ଆଉ ପୁଲକିତ କରେ। କେମିତି ବା ସେ ଭୂଲି ଯିବ ତା' ଜୀବନରେ ରଜର ଭୂମିକା କୁ!!!ତା' ପିଲା ବେଳର ସେଇ କଣ୍ଢେଇ ଖେଳକୁ!!




Rate this content
Log in

Similar oriya story from Drama