STORYMIRROR

KSHIRADRI SAHU

Abstract Inspirational

4  

KSHIRADRI SAHU

Abstract Inspirational

କାଶୀ ପଣ୍ଡିତ

କାଶୀ ପଣ୍ଡିତ

2 mins
278

ଅନନ୍ତ ନାମକ ଜଣେ ପଣ୍ଡିତ ଥା’ନ୍ତି । ସେ ତାଙ୍କ ପିଲାଟିଦିନରୁ ଘରୁ ଲୁଚି କାଶୀ ପଳାଇଥିଲେ । ସେଠାରେ କୌଣସି ପଣ୍ଡିତଙ୍କ ଦୟାରୁ କିଛି ଶାସ୍ତ୍ର ଅଧ୍ୟୟନ କରି ବହୁବର୍ଷ ପରେ ସେ ତାଙ୍କ ଗ୍ରାମକୁ ଫେରିଲେ । ତେଣୁ ଲୋକେ ତାଙ୍କୁ କାଶୀପଣ୍ଡିତ ବୋଲି କହୁଥା’ନ୍ତି । ତାଙ୍କର ଅଭ୍ୟାସ ଅନ୍ୟାନ୍ୟ ପଣ୍ଡିତଙ୍କୁ ସମାଲୋଚନା କରି ନିଜପାଇଁ ଗର୍ବ କରିବା ।

        ଥରେ ସେ ପାଖ ଗ୍ରାମରେ ଥିବା ନିଜର ଭଉଣୀ ଘରକୁ ଯାଇଥା’ନ୍ତି । ରାତ୍ରିଭୋଜନ ପରେ ଭଉଣୀ କହିଲା, “ଭାଇ, ଆଜି ମନ୍ଦିରରେ ସୀତାବିବାହ ଉତ୍ସବ ହେବ । ସୀତାବିବାହ ନାଟକ କଣ୍ଢେଇ ନାଚ ଦ୍ୱାରା ଦେଖା ହେବ । ତୁମ ଭିଣେଇ ସେଇଟା ଲେଖିଛନ୍ତି । ତମେ ଯାଇ ଦେଖି ଯଦି ପ୍ରଶଂସା କରିବ ତେବେ ତାଙ୍କର ମଧ୍ୟ ସୁଖ୍ୟାତି ବଢିବ ।”

        ଭଉଣୀର ଏଭଳି କଥାରେ ଅନନ୍ତ ଅଳ୍ପ ହସି ଚୁପ୍ ରହିଲେ । ଅଧିକ ରାତ୍ରି ହେବାରୁ ସେମାନେ ମନ୍ଦିର ପାଖକୁ ଗଲେ । ନାଟକ କରୁଥିବା ଯୁବକମାନେ ପଣ୍ଡିତଙ୍କୁ ଦେଖି କହିଲେ, “ମହାଶୟ, ଆମର ଜ୍ଞାନ ଅଳ୍ପ, ଆପଣଙ୍କ ପରି ମହାନ୍ ପଣ୍ଡିତଙ୍କୁ ଦେଖି, ଆମେ ଖୁବ୍ ଉତ୍ସାହିତ ହୋଇଛୁ । କିଛି ଦୋଷତୃଟି ଥିଲେ ଆପଣ ଆମକୁ ସହୃଦୟେ କ୍ଷମା କରିବେ ।”

        ଏକଥା ଶୁଣି ସେ ପଣ୍ଡିତ ଜଣକ ଗର୍ବର ସହିତ କହିଲେ, “ତୁମମାନଙ୍କର କଳା ପେଟ ପୋଷିବା ପାଇଁ । ତଥାପି ମୋର ଭିଣେଇ ତୁମ ଉପରେ ଦୟାକରି ଏଇଟି ଲେଖି ଦେଇଛନ୍ତି । ତେବେ କିଛି ଦୋଷ ତୃଟି ଥିଲେ ମୁଁ ପରେ ସୂଚନା ଦେବି ।”

        ଏହାପରେ ସେ ନାଟକ ଆରମ୍ଭ ହେଲା । ପୁତ୍ର କାମନା କରି ଦଶରଥ ଯଜ୍ଞ କରୁଥା’ନ୍ତି । ସୁତ୍ରଧର କହିଲା, “ଏକୋଇଶ ପ୍ରକାର କାଠରେ ଯଜ୍ଞର ସ୍ତମ୍ଭସବୁ ତିଆରି ହୋଇଛି; ଏହା ଶୁଣି ପଣ୍ଡିତ ଧଡପଡ କରି ଉଠିପଡି କହିଲେ, “କ’ଣ ହେଲା? ଯଜ୍ଞଶାଳାରେ ଏକୋଇଶ ପ୍ରକାର ଗଛର କାଠରେ ସ୍ତମ୍ଭ ହୋଇଛି? ଠିକ୍ ଅଛି ଏକୋଇଶ ପ୍ରକାର ନହେଲେ ଅନ୍ତତଃ ଦଶପ୍ରକାର ଗଛର ନାମ କୁହତ ଦେଖି?”

        ସୁତ୍ରଧର ଏକଥା ଶୁଣି ରାଗିଯାଇ କହିଲା, “ମହାଶୟ, ଜୀବିକାର୍ଜନ ପାଇଁ ଆମେ ନାଟକ କରୁଛୁ । ମାନୁଛି ଯେ ମୋ କଥାରେ ଅତିରଞ୍ଜନ ରହିଛି । ଆମେ ମୂର୍ଖ ଲୋକ ତ ଜାଣୁନା, ଆପଣ ଟିକିଏ କହିଦିଅନ୍ତୁ ଯେ ଏକୋଇଶିଟି ଗଛର ନାମ କ’ଣ । ତେବେ ଆମେ ଭବିଷ୍ୟତରେ ନାଟକ ଆରମ୍ଭରୁ କହି ଦେବୁ । ମାତ୍ର ଏଭଳି କଥା ଶୁଣି ସେ ପଣ୍ଡିତ ହଠାତ୍ ଚୁପ୍ ହୋଇଗଲେ । ବରଂ ତାଙ୍କର ଚିନ୍ତା ପଶିଲା ଯେ, ଏହି ଅବସ୍ଥାରୁ ମୁଁ କିପରି ମୁକ୍ତ ହେବି ।”

        ଭିଣେଇ ଦେଖିଲେ ଶ୍ୟାଳକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର । ଏଣୁ ସେ ସୂତ୍ରଧରଙ୍କୁ କହିଲେ, “ମୋ ସ୍ତ୍ରୀର ଭାଇ ବହୁ ଉଚ୍ଚସ୍ତରର କାଶୀପଣ୍ଡିତ, ଏମିତି କିଛି ବିଷୟ ନାହିଁ ଯାହା କି ସେ ଜାଣନ୍ତି ନାହିଁ । ଏହିସବୁ ସ୍ତମ୍ଭର ନାମ ତ ମୁଁ ତାଙ୍କଠାରୁ ଜାଣିଛି । ତୁମମାନଙ୍କୁ ମଧ୍ୟ କହିଦେଇ ପାରେ; ଗଛର ନାମ ତାଙ୍କ ପରି ଜଣେ ପଣ୍ଡିତଙ୍କୁ ପଚାରିବା ଅର୍ଥ ତାଙ୍କୁ ଅପମାନ କରିବା । ତାଙ୍କର ଇଚ୍ଛା ଥିଲା ଯେ ତମେମାନେ ଗଛର ନାମ କହିବ ଓ ସେ ତୁମମାନଙ୍କୁ ପ୍ରଶଂସା କରିବେ । ସେଥିପାଇଁ ସେ ତୁମକୁ ସେପରି ପ୍ରଶ୍ନ କଲେ ।” ତା’ପରେ ଗୋଟିଏ ପରେ ଗୋଟିଏ ଗଛର ନାମ ମନେ ପକାଇ ସୂତ୍ରଧର କହିବାରୁ ବହୁତ କରତାଳି ଦର୍ଶକମାନଙ୍କଠାରୁ ମିଳିଲା ।

        ଏହି ଘଟଣା ପରଠାରୁ କାଶୀପଣ୍ଡିତଙ୍କ ଗର୍ବଚୂର୍ଣ୍ଣ ହେଲା । ସେଦିନଠାରୁ ସେ ପଣ୍ଡିତମାନଙ୍କ ସହିତ ବିନୟରେ କଥା କୁହନ୍ତି । ସାଧାରଣ ଲୋକଙ୍କ ସହିତ ସ୍ନେହ ଆଦର ସହିତ କଥାବାର୍ତ୍ତା କରନ୍ତି । ଏହିଭଳି ଭାବେ ତାଙ୍କ ସ୍ୱଭାବରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract