KSHIRADRI SAHU

Drama Action

4  

KSHIRADRI SAHU

Drama Action

ମୁର୍ଖତା ର ଫଳ

ମୁର୍ଖତା ର ଫଳ

3 mins
288



ସୁନାମୀ ନାମକ ଗୋଟିଏ ସହର ଥିଲା। ସେହି ସହରରେ ଗରିବ ନାମରେ ଜଣେ ଧନୀ ଲୋକ ବାସ କରୁଥିଲା। ଏଭଳି ଏକ ସମୟ ଆସିଲା ଯେ ସତକୁ ସତ ତା’ର ନାମକରଣ ଅନୁଯାୟୀ ସେ ଗରିବ ହୋଇଗଲା। ସେଥିଲାଗି ତାକୁ ପୁଣି ବହୁତ କଷ୍ଟରେ ସମୟ ଅତିବାହିତ କରିବାକୁ ପଡ଼ିଲା। ଏପରି ଦୁଃଖ ଭୋଗ ହେବାରୁ ସେ ଦିନେ ଚିନ୍ତା କଲା ଯେ ତା’ର ଏପରି ଦରିଦ୍ର ଜୀବନ ରଖି ଲାଭ କ’ଣ? ବରଂ ଏପରି ଦୁଃଖ କଷ୍ଟ ସହ୍ୟ କରି ବଞ୍ଚିବା ଅପେକ୍ଷା ମରିଯିବା ଶ୍ରେୟସ୍କର ହେବ।

ପ୍ରତିଦିନ ଗରିବ ଏହିକଥା ଭାବୁଥାଏ। ଦିନେ ରାତ୍ରିରେ ଶୋଇଥିବା ଅବସ୍ଥାରେ ସେ ସ୍ୱପ୍ନ ଦେଖିଲା ଯେ ଜଣେ ସନ୍ନ୍ୟାସୀ ତାକୁ ପାଖରେ ବସାଇ ବୁଝାଇ କହୁଛନ୍ତି – ଆରେ ବାବୁ! ଯେଉଁ ମରିବା ବା ଆତ୍ମହତ୍ୟା କରିବା ନିମନ୍ତେ ତୁମେ ଚିନ୍ତା କରୁଛ, ସେପରି କରିବା କିନ୍ତୁ ମହାପାପ। ତୁମେ ମରିବ ନାହିଁ ତ ବରଂ ଆତ୍ମହତ୍ୟା କରି ଯେଉଁ ମହାପାପ ଅର୍ଜନ କରିବ ସେହି ପାପର ଫଳ ପୁଣି ତୁମକୁ ପରଜନ୍ମରେ ଭୋଗ କରିବାକୁ ହେବ। ସେଥିପାଇଁ କହୁଛି ତୁମ ମନ ମଧ୍ୟରୁ ସେହି ମରଣ କଥା ଯଥାଶୀଘ୍ର ଦୂର କର। ମୁଁ କିନ୍ତୁ ତୁମର ଦୁଃଖ ତଥା ଦାରିଦ୍ର୍ୟରୁ ଉଦ୍ଧାର ପାଇବାର ଉପାୟ ବତାଇବା ନିମନ୍ତେ ଆସନ୍ତାକାଲି ତୁମ ନିକଟକୁ ଯିବି। ଆଉ ତୁମେ ମଧ୍ୟ ଭଲଭାବରେ ମନେ ରଖିବ ଯେ ମୁଁ ଯେତେବେଳେ ତୁମ ନିକଟରେ ପହଞ୍ଚିବି ସେତେବେଳେ ତୁମେ ଆଗରୁ ଏକ ଠେଙ୍ଗା ଧରି ବସିଥିବ। ସେହି ଠେଙ୍ଗାରେ ମୋ ମୁଣ୍ଡକୁ ଏକ ପ୍ରହାର ଦେବ ଯେ ମୁଁ ସଙ୍ଗେ ସଙ୍ଗେ ଗୋଟିଏ ସୁବର୍ଣ୍ଣର ଗଦା ହୋଇଯିବି।

ସେଦିନ ଗରିବର ଏହି ସ୍ୱପ୍ନଟି ଦେଖିବା ପରେ ରାତ୍ରି ପାହିଗଲା। ସେହି ଗରିବ ନାମକ ବ୍ୟକ୍ତିଟି ସକାଳ ହେବାରୁ ସନ୍ନ୍ୟାସୀଙ୍କ ଆସିବା ପଥକୁ ଚାହିଁ ରହିଲେ। ସତକୁ ସତ ଗରିବର ରାତ୍ରିରେ ଦେଖିଥିବା ସ୍ୱପ୍ନ ବାସ୍ତବରେ ପରିଣତ ହେଲା। ସଠିକ୍ ସମୟରେ ସ୍ୱପ୍ନରେ ଦେଖିଥିବା ସନ୍ନ୍ୟାସୀ ଆସିଲେ। ଗରିବ ଗୋଟିଏ ଠେଙ୍ଗାକୁ ଆଗରୁ ସଜିଲ କରି ରଖିଥିଲା। ସନ୍ନ୍ୟାସୀଙ୍କର ଆସିବା ମାତ୍ରେ ଠେଙ୍ଗାରେ ସନ୍ନ୍ୟାସୀଙ୍କ ମୁଣ୍ଡକୁ ପ୍ରହାରଟିଏ ଦେବାରୁ ସନ୍ୟାସୀ ସଙ୍ଗେ ସଙ୍ଗେ ସୁବର୍ଣ୍ଣର ଗଦା ଗୋଟିଏ ହୋଇଗଲେ। ଏହାପରେ ଗରିବ ସେହି ଧନକୁ ଟେକି ନେଇ ନିଜ ଗୃହକୁ ଆନନ୍ଦରେ ପଳାଇଗଲା। କିନ୍ତୁ ଏ ସମସ୍ତ କାର୍ଯ୍ୟ କରିବା ବେଳକୁ ପାଖ ଘରର ଚାକରଟିଏ ମଧ୍ୟ ପାଖରେ ଥିଲା। ସେ କାଳେ ଏ ସମସ୍ତ କଥା କାହାକୁ କହିଦେବ ସେଥିପାଇଁ ଚାକରକୁ ମଧ୍ୟ ଗରିବ କିଛି ଧନ ଦେଇ ତାଗିଦ୍ କରିଦେଲେ ଯେ ଏକଥା ତୁ ଓ ମୁଁ ଜାଣିଲେ। ଯେପରି ତିନି କାନ ନହୁଏ ଏଥିଲାଗି ସାବଧାନ ରହିବୁ।

ଏହିପରି ଭାବରେ ଧନ ନେଇ ଯେ ଯାହାର ଗୃହକୁ ଚାଲିଗଲେ। ପରେ ଓଲା ବୁଦ୍ଧିଆ ଚାକରରର ମୁଣ୍ଡରେ ଆଉ ଏକ ମନ୍ଦଚିନ୍ତା ଆସି ପ୍ରବେଶ କଲା। ଚାକର ଭାବିଲା ୟେ ତ ଧନ ରୋଜଗାର କରିବା ନିମନ୍ତେ ସହଜିଆ ଉପାୟ। ପ୍ରତିଦିନ ଯଦି ଏହିପରି ଗୋଟିଏ ଗୋଟିଏ ସନ୍ନ୍ୟାସୀକୁ ଠେଙ୍ଗାରେ ବାଡ଼େଇ ମାରିଦେବି, ତାହାହେଲେ ଦେଶର ବହୁ ଭଣ୍ଡ ସାଧୁ ବୁଲୁଛନ୍ତି; ସମସ୍ତଙ୍କୁ ଶେଷ କରିବାକୁ ହେଲେ ବର୍ଷେ ଦୁଇବର୍ଷ ଲାଗିଯିବ। ଏହା ସହିତ ମୁଁ ଯେ କେତେ ବଡ଼ ହୋଇ ଯାଇଥିବି। ଆଉ ପୁଣି ବୁଦ୍ଧି ଖଟାଇ ରୋଜଗାର କରିବାରେ କି ଲାଭ? ତେଣୁ ଚାକର ସେଦିନ ସିଦ୍ଧାନ୍ତ କଲା ଯେ ଆସନ୍ତା କାଲିଠାରୁ ସେ ସେହି କାର୍ଯ୍ୟ ଆରମ୍ଭ କରିବ।

ତା’ ପରଦିନ ସକାଳୁ ଠେଙ୍ଗାକୁ ଭଲ ଭାବରେ ତେଲ ମାଲିସ କରିନେଇ ବେଶ ଭଦ୍ର ଲୋକଙ୍କ ପରି ଚାଲିଲା ରାସ୍ତାକୁ। ବହୁ ସମୟ ବିତିଲା ସିନା ଏଯାଏ ତ ଗୋଟିଏ ହେଲେ ସାଧୁଙ୍କର ଦର୍ଶନ ହେଲା ନାହିଁ। ଏହାଭାବି ପୁଣି ସେ କିଛି ମାର୍ଗ ଆଗକୁ ଗଲା। ସେଠାରେ ସେ ଯାହା ଦେଖିଲା ତାହା ସେହି ଚାକରକୁ ଆନନ୍ଦ ଲାଗିଲା। କାରଣ କିଛି ଦୂର ଚାଲିଯିବା ପରେ ସେ ଦେଖିଲା ଯେ ମାର୍ଗ ପାର୍ଶ୍ୱରେ ଥିବା ମଣ୍ଡପ ଉପରେ ଅନେକ ଗୁଡ଼ିଏ ସନ୍ନ୍ୟାସୀ ବସି ନାନା ପ୍ରକାର କଥା ପ୍ରସଙ୍ଗ ଭଗବତ୍ ଚର୍ଚ୍ଚାରେ ନିମଜ୍ଜିତ। ଏଥର ଚାକର ମନରେ ଥିବା ଆନନ୍ଦ କହିଲେ ନ ସରେ।

ତହୁଁ ସେ ଆଉ ବିଳମ୍ବ କଲା ନାହିଁ। ସଙ୍ଗେ ସଙ୍ଗେ ଯାଇ ସନ୍ନ୍ୟାସୀମାନଙ୍କର ପାଦତଳେ ପ୍ରଣାମ କରି ନିଜ ଘରକୁ ଆଗମନ କରିବା ନିମନ୍ତେ ନିବେଦନ କଲା। ସନ୍ନ୍ୟାସୀମାନେ ଚାକରର ଅନୁନୟ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ତା' ଘର ଭିତରକୁ ପ୍ରବେଶ ନିମନ୍ତେ ଗଲାବେଳକୁ ଚାକରଟି ସୁନ୍ଦର ଭାବରେ ଠେଙ୍ଗାଟି ଧରି ଗୃହ ଦୁଆର ମୁହଁରେ ବସିପଡ଼ିଲା। ସନ୍ନ୍ୟାସୀମାନେ ଏପରି ଦୃଶ୍ୟ ଦେଖି ଭୟରେ ପଳାଇଯିବାକୁ ଆରମ୍ଭ କରନ୍ତେ ଚାକର ଜଣ ଜଣ କରି ସମସ୍ତଙ୍କ ମୁଣ୍ଡକୁ ଠେଙ୍ଗାଦ୍ୱାରା ପିଟିବାକୁ ଆରମ୍ଭ କରିଦେଲା। ସେହି ଠେଙ୍ଗା ମାଡ଼ ଖାଇ କେତେକ ସନ୍ନ୍ୟାସୀ ମରିଗଲେ ତ ଆଉ କେତେକ ଦରମଲା ହୋଇ ତଳେ ପଡ଼ି ଅଚେତ ହୋଇଗଲେ। ଏ ସମ୍ବାଦ ସଙ୍ଗେ ସଙ୍ଗେ ଯାଇ ସେହି ରାଜ୍ୟର ରାଜାଙ୍କ କାନରେ ପଡ଼ିଲା। ରାଜାଙ୍କ ସୈନ୍ୟମାନେ ଚାକରକୁ ବାନ୍ଧି ନେଇ ରାଜଦରବାରରେ ହାଜର କରିଦେଲେ ।

ତା’ ପରଦିନ ଚାକରର ବିଚାର ହେଲା। ସନ୍ନ୍ୟାସୀମାନଙ୍କୁ ହତ୍ୟା କରିବା ଅପରାଧରେ ରାଜା ଚାକରକୁ ଫାଶି ଦଣ୍ଡ ଆଦେଶ ଦେଲେ। କଥାରେ ଅଛି; ସମସ୍ତ କଥାକୁ ଆଗ ବୁଝି ଶୁଝି କରିବାକୁ ହୋଇଥାଏ। ଚାକର କିନ୍ତୁ ନିଜର ବୋକାମି କାରଣରୁ ଫାଶି ଦଣ୍ଡରେ ଦଣ୍ଡିତ ହେଲା ।



Rate this content
Log in

Similar oriya story from Drama