Amit Bal

Drama Tragedy Action

4.5  

Amit Bal

Drama Tragedy Action

(୩୦)#ଯୋଶଦା ବିଳାପ#

(୩୦)#ଯୋଶଦା ବିଳାପ#

3 mins
239


    ରାତି ଆସି ଦଶଟା ହେବଣି । ଏବେଯାଏ ମିକୁନର ଦେଖା ନାହିଁ । ଫୋନ ମଧ୍ୟ ନଟ୍ ରିଚେବୁଲ୍ କହୁଛି । ସୁଜାତା ବ୍ୟସ୍ତ ହୋଇ ପଡୁଥିଲେ । ଏଇ ପିଲାଟା ସବୁ ଦିନ ଏମିତି । ଦାୟିତ୍ଵ ହୀନ । ଜୀବନରେ ସଂସ୍କାର ବୋଲି କିଛି ଶିଖିଲାନି । ସମସ୍ତଙ୍କୁ ଖାଲି ଟେନସନ୍ ହିଁ ଦେବ । ବାହର ଝମେଲା ଘରକୁ ଆଣିବ ।

ଇଂଜିନିୟରିଂ ପଢ଼ିବା ଦିନ ଠାରୁ ଏସବୁ ଘଟଣା ବେଶୀ ବଢ଼ି ଯାଇଛି । ଯାହାକି ତାଙ୍କୁ ଅଧିକରୁ ଅଧିକ ଚିନ୍ତିତ କରି ପକାଉଥିଲା ।

ପିକୁନ ଘର ଭିତରେ ବସି ବାପାଙ୍କ ସହିତ କଥା ବାର୍ତ୍ତା ହେଉଛି । ଭାବିଲେ ତାକୁ ଯାଇ କହିବେ , ମିକୁନ କୁଆଡେ ଗଲା ,ବାହାରେ ଯାଇ ଟିକେ ଦେଖି ଆସିଵ ।

ପିକୁନ୍ ବଡ଼ । ମିକୁନ୍ ସାନ । ସ୍ବଭାବରେ ଦୁହେଁ ପରସ୍ପର ବିପରୀତ । ପିକୁନ୍ ଖୁବ୍ ଶାନ୍ତ ଶିଷ୍ଟ । ବାଜେ କଥାରେ ମୁଣ୍ଡ ପୁରାଏନା । କଳି ଝଗଡାରୁ ବହୁ ଦୂରରେ ରହେ ।

ପାଠରେ ବି କିଛି ମନ୍ଦ ନଥିଲା । ହଠାତ୍ ଗ୍ରାଜୁଏସନ୍ ସାରି କହିଲା, ମା ମୁଁ ଆଉ ପାଠ ପଢିବିନି । ବିଜନେସ୍ କରିବି । ମୋତେ କିଛି ଟଙ୍କା ଦିଅ ।

ବାପା ବୁଝାଇଲେ ଆଗକୁ ପଢ଼ିବା ପାଇଁ । ସେ କିନ୍ତୁ ରାଜି ହେଲାନି । ଶେଷରେ ବାପାଙ୍କ ପାଖରୁ ଟଙ୍କା ନେଇ କମ୍ପ୍ୟୁଟର ଓ ମୋବାଇଲ ବ୍ୟବସାୟ ଆରମ୍ଭ କଲା ।

ଆଜି ଦୁଇ ବର୍ଷ ଭିତରେ ସେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରିଛି । ବିଜନେସ୍ ଖୁବ୍ ଭଲ ଚାଲିଛି । ତେଣୁ ତା' ଭବିଷ୍ୟତ କୁ ନେଇ କିଛି ଚିନ୍ତା ନଥିଲା । ସବୁ ଜଞ୍ଜାଳ ଥିଲା ସାନ ପୁଅକୁ ନେଇ ।

ରୋଷେଇ ଘରୁ ବାହାରି ସେ ପିକୁନ ପାଖକୁ ଯାଉଥିଲେ । ଏଇ ସମୟରେ ଶୁଣିଲେ ,ଦାଣ୍ତ ଘରେ କିଏ ଜଣେ କହୁଛି, ପିକୁନ୍ ଭାଇ ! ମିକୁନ ଆଉ ତା'ର ସାଙ୍ଗକୁ ପୋଲିସ ଆରେଷ୍ଟ କରିଛି ।

କଥାଟା ଶୁଣି ସୁଜାତାଙ୍କ ଯେମିତି ହୋସ ଉଡ଼ିଗଲା । ମନେ ମନେ କହିଲେ ହେ ଭଗବାନ ! ଏ ପିଲା ଆମକୁ ଆଉ ବଞ୍ଚିବାକୁ ଦେବନି । ଇଂଜିନିୟରିଂ ପଡୁନି ତ ଆମ ଜୀବନକୁ ନର୍କ କରି ସାରିଲାଣି ।

ତାଙ୍କୁ ଶୁଣା ଗଲା ,ଦାଣ୍ତ ଘରେ ସତ୍ୟଜିତ ପାଟି କରୁଛନ୍ତି । ସୁଜାତା ଜାଣିଛନ୍ତି, ସେ ହଠାତ୍ ଏମିତି ରାଗନ୍ତିନି। ହେଲେ ଥରେ ରାଗିଗଲେ ତାଙ୍କୁ ସମ୍ଭାଳିବା କାଠିକର ପାଠ । ଦୁନିଆ ଲୋକ ଜାଣିବେ । ସମାଜରେ ବଦନାମି ହେବ । ତେଣୁ ସେ ଦୈ।ଡି ଯାଇ ସତ୍ୟବ୍ରତ ଙ୍କୁ ସମ୍ଭାଳିଲେ ।

ପିକୁନ ଥାନାକୁ ଯାଇ ଫେରି ଆସିଲାଣି । ପୋଲିସ ସେମାନଙ୍କୁ ଛାଡିବନି । ଆସନ୍ତା କାଲି କୋର୍ଟ ଚାଲାଣ କରିବା । ତେଣୁ ବେଲ ହେଲାପରେ ଯାଇ ସେମାନେ ବାହାରିବେ ।

ସାରା ରାତି ଶୋଇ ପାରୁନଥିଲେ ସୁଜାତା ଓ ସତ୍ୟବ୍ରତ । ପିକୁନ୍ ଅନେକ ରାତି ଯାଏ ୟାକୁ ତାକୁ ଯୋଗାଯୋଗ କରୁଥିଲା । କେମିତି ସକାଳ ହେଲେ ମିକୁନ୍ କୁ ଜାମିନ ମିଳିବ ।

ମିକୁନ୍ ର ଏ ଅବକ୍ଷୟ ମୁଖି ଗତିବିଧି ଦେଖି ସମସ୍ତେ ଚିନ୍ତିତ ଥିଲେ । ଲୋକ ଲଜ୍ଜ୍ୟା ରେ ଭାଙ୍ଗି ପଡୁଥିଲେ ।

ମିକୁନ୍ କୁ ନେଇ ସମସ୍ତଙ୍କ ମନରେ କେତେ ଆଶା ଆକାଂକ୍ଷା ଭରି ରହିଥିଲା ।ଅଥଚ ସେ ନିଜ ସହ ପରିବାରକୁ ମଧ୍ୟ ଅବକ୍ଷୟ ମୁଖି କରାଇ ସାରିଥିଲା ।

ଇଂଜିନିୟରିଂ କଲେଜ ରେ ପାଠ ପଢ଼ିବାକୁ ଯାଇ , ନିଶା ଖାଇବା , ମାରପିଟ୍ କରିବା ତା ପାଇଁ ସାଧାରଣ କଥା ହୋଇ ପଡ଼ିଥିଲା । କଲେଜରେ ବି ତା ନାଁ ରେ ହଜାରେ କପ୍ଲେନ୍ । ଶେଷରେ ଆଜି ଥାନାରେ ବି ପାଦ ପଡ଼ିଲା ।

ସୁଜାତା ହତାସ ହୋଇ ଭାବୁଥିଲେ , ଯଦି ଇଂଜିନିୟରିଂ ପାଠପଢି ମଣିଷ ଏମିତି ହେଉଛି, ତେବେ ମଣିଷ ଆଉ କାହାକୁ କହିବ !

ଏତେ ଟଙ୍କା ପଇସା ଖର୍ଚ୍ଚ କରି ଲାଭ କ'ଣ । ଭଲ‌ ହୋଇଛି ପିକୁନ୍ ଇଂଜିନିୟରିଂ ନ ପଢିଛି । ଏ ଅବକ୍ଷୟ ମୁଖି ସ୍ରୋତରେ ନିଜକୁ ସାମିଲ ନ କରି, ବାପା ମା'ଙ୍କ ଶିକ୍ଷା ସଂସ୍କାର କୁ ଆପଣାର କରି ସମାଜରେ ମୁଣ୍ଡ ଟେକି ଛିଡ଼ା ହୋଇଛି ।

ଦୁଇ ପୁଅଙ୍କ ମଧ୍ୟରେ ତୁଳନା କରିବାକୁ ଯାଇ ଭାବ ପ୍ରବଣ ହୋଇ ପଡୁଥିଲେ ସୁଜାତା ।ସମୟ କୋଉଠି ଆଣି ଛିଡ଼ା କରେଇଛି ତାଙ୍କ ପରିବାରକୁ । ଆଗ କୁ ପ୍ରଭୁ ଜଗନ୍ନାଥଙ୍କ ଭରସା । ସେ ହିଁ ହୁଏତ ତାଙ୍କୁ ଏ ବିପଦରୁ ରକ୍ଷା କରିବେ ।

ରାତି ପାହି ଆସୁଥିଲା । ସତ୍ୟବ୍ରତଙ୍କ ଆଖି ଭୋର ଭୋର ଟିକିଏ ବୁଜି ଆସିଛି । ତେଣୁ ତାଙ୍କ ଉପରେ ଚାଦର ଘୋଡେ଼ଇ ଦେଇ କବାଟ ଆଉଜେଇ, ସେ ବାହାରକୁ ବାହାରି ଆସି ଥିଲେ । ଆଉ ଠାକୁର ଘରକୁ ଯାଇ ଦିନର ଆରମ୍ଭରେ , ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ହାତ ଟେକି ନିଜ ସଂସାର କୁ ସ୍ବାଭାବିକ କରିବା ପାଇଁ ପ୍ରାର୍ଥନା କରୁଥିଲେ ।



Rate this content
Log in

Similar oriya story from Drama