Amit Bal

Tragedy Classics Inspirational

4.5  

Amit Bal

Tragedy Classics Inspirational

ଆଲୋକିତ ଅନ୍ଧାର

ଆଲୋକିତ ଅନ୍ଧାର

3 mins
467


    

ବାହାରେ ମେଘ ମଦୁରିତ ଆକାଶ । ତୁହାକୁ ତୁହା ଝଡିବର୍ଷା ଲାଗି ରହିଛି । ରାତି ଆସି ଏତେ ହେଲାଣି । ତନୁଜା ଆଖିରେ କିନ୍ତୁ ନିଦ ନାହିଁ । ସେ ଖାଲି ଏକଡ଼ ସେକଡ ହେଉଛି । ସନ୍ଧ୍ୟା ପୂର୍ବରୁ ଠିକ୍ ଥିଲା । କିନ୍ତୁ ପରେ ପରେ ସେ ବିଚଳିତ ହୋଇ ଉଠିଛି । ବୋଧହୁଏ ହଠାତ୍ ଜୀବନର କଳା ଧଳା ଛାଇ ଦେଖି । ସମୟ ପ୍ରକୃତରେ ବଡ଼ ବଳବାନ । କେତେ ବେଳେ କେଉଁ ଘଟଣା ଘଟାଇବ କହି ହେବ ନାହିଁ । ଏଇ ଯେମିତି ଆଜି ତାଙ୍କ ପଛ ପାଖ କଲୋନୀର ଘଟଣା । ଠିକ୍ ରେ କହିଲେ ଘଟଣା ତ ନୁହେଁ ଦୁର୍ଘଟଣା ।

କାମବାଲୀ ମିନୁ ଆସି କହିଲା ସେପାଖ କଲୋନୀରେ କରୋନା ରୋଗୀ ବାହାରିଛି । କେବଳ ବାହାରିନି, ଜଣକର ମୃତ୍ୟୁ ମଧ୍ୟ ହୋଇ ସାରିଲାଣି । ମୁଁ କହିଲି, ଆରେ କାହାର । ସେ କଣ ଜାଣି ପାରିଲେନି । ସରକାର ଏତେ କଥା କହୁଛନ୍ତି, କରୁଛନ୍ତି । ଟିଭି, ଖବରକାଗଜରେ ସଚେତନ କରାଯାଉଛି । ତାପରେ ବି ଲୋକେ ଜାଣୁ ନାହାନ୍ତି, ବୁଝୁ ନାହାଁନ୍ତି ।

ମିନୁ କହିଲା, ଦିଦି ସେମାନେ ବୁଢ଼ା ବୁଢ଼ୀ ଦିଜଣ । ଘରେ ଆଉ କେହି ରହୁ ନଥିଲେ । ପୁଅବୋହୁ, ଝିଅଜୋଇଁ ନାତି-ନାତୁଣୀ ସବୁ ବିଦେଶରେ ରହନ୍ତି । ଆଖ ପାଖରେ ନିଜର ବୋଲି ବି କେହି ନାହିଁ । ତେଣୁ କେହି କିଛି ଜାଣି ପାରିଲେ ନାହିଁ । ପାଖ ପଡେ଼ାଶୀ ଜାଣିଲା ବେଳକୁ ଡେରି ହୋଇ ସାରିଥିଲା । ବୁଢ଼ା ବାବୁ ଚାଲିଗଲେ । ମିନୁ ଯିବା ପରେ ତନୁଜା ଖୁବ୍ ଅନ୍ୟ ମନସ୍କ ହୋଇ ପଡିଥିଲା । ମନଟା କେମିତି ଗୋଳେଇ ଘାଣ୍ଟି ହେଲା । ଅନିମେଷଙ୍କୁ ଫୋନ କରି ପଚାରିଲା ଅଫିସରୁ ବାହାରିଲଣି ନା ନାହିଁ । 

ଫୋନ ରଖିଦେଇ ଯାଇ ଦାଣ୍ଡ ଘରେ ବସିଲା । ଅନିମେଷ କହିଲେ ସେ ସକାଳୁ ସକାଳୁ ପହଞ୍ଚିବେ । ଅଫିସ କାମରେ ଦୁଇ ଦିନ ହେଲା ବାହାରକୁ ଯାଇଥିଲେ, ଆଜି ଫେରୁଛନ୍ତି ।

ସେ ନ ଚାହିଁଲେ ବି ରହି ରହି ମିନୁର କଥା ଗୁଡିକ ତା'ର ମନେ ପଡି ଯାଉଥିଲା । ବଡ ହୃଦୟ ବିଦାରକ ଘଟଣା । ଦୁଇ ଦିନ ଧରି ଡେଡ୍ ବଡ଼ି ପଡ଼ି ରହିଲା, ଅଥଚ କେହି ଜାଣି ପାରିଲେନି । ଶବ ସତ୍କାର ହୋଇ ଗଲା ନିଜର କେହି ଆସି ପାରିଲେନି । କେଜାଣି ଆସି ପାରିଲେନି ନା ଆସିବା ପାଇଁ ଚାହିଁ ଲେନି । ହଁ ହୋଇଥିବ, ଆସି ପାରିନଥିବେ । ଏବେ ତ ସବୁ ଫ୍ଲାଇଟ୍ ବନ୍ଦ ଅଛି । ସେ ଯାହା ବି ହେଉ ବୁଢ଼ା ଚାଲିଗଲେ । ଜାଣି ପାରିଲେ ନାହିଁ, ସେ ଗଲା ପରେ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା କ'ଣ ହୋଇଥିବ ।

ପୁଅ ବୋହୁ ଝିଅ ଜୋଇଁ ନିଜ ନିଜର ମଜବୁରି ଦେଖାଇ ରହିଗଲେ । କିନ୍ତୁ ସେ ବୁଢ଼ୀ ଲୋକ ! ସେ କେମିତି ଘଟଣାବହୁଳ ଦିନ ଗୁଡିକ କାଟିଥିବେ ।

ନିୟତି ବି ବେଳେ ବେଳେ ମଣିଷକୁ କିଂକର୍ତ୍ତବ୍ଯ ବିମୂଢ କରି ପକାଏ । ମଣିଷ ଲାଚାର ହୋଇଯାଏ । ପିଲାଙ୍କ ଭବିଷ୍ୟତ ପାଇଁ, ଖୁସି ପାଇଁ ତାକୁ କିଛି ଏପରି ପଦକ୍ଷେପ ଉଠାଇବାକୁ ପଡେ, ଯାହା ପର ଜୀବନରେ ତା' ଲାଗି ବଡ଼ କଷ୍ଟ ଦାୟକ ହୋଇ ଥାଏ ।

ସେ ବି ତ ଅନିମେଷଙ୍କ ଇଚ୍ଛା ବିରୁଦ୍ଧରେ ଚାହୁଁଛି ତା ଝିଅ ଆମେରିକା ଯାଉ । ସେଇଠି ଚାକିରୀ କରୁ । ଆଉ ସମ୍ଭବ ହେଲେ ସେଇଠି ରହି ଯାଉ । ଅନିମେଷଙ୍କ ଯୁକ୍ତି, କ'ଣ ଭାରତରେ କୈାଣସି ଭଲ ପିଲା ରହୁ ନାହାଁନ୍ତି । ବଡ ଚାକିରୀ ପାଉ ନାହାଁନ୍ତି । କ୍ୟାରିୟର ଗଢୁ ନାହାଁନ୍ତି ! ଯଦି ହଁ , ତେବେ ବାହାରକୁ ଯିବାର ଆବଶ୍ୟକତା କ'ଣ । ସବୁରେ ଟିକିଏ କମ୍ ହେଲେ, କଣ ଏଠାରେ ଜୀବନ ଖୁସିରେ ଅତିବାହିତ କରି ହେବନାହିଁ ! ନିଜ ଲୋକଙ୍କୁ ନେଇ ଚଳିବାରେ ଖୁସି ବି ଅଲଗା । ଜୀବନରେ ସମସ୍ତଙ୍କୁ ଏହା ମିଳି ନଥାଏ । ଆମର ସମାଜ ଅଛି, ସଂସ୍କୃତି ଅଛି । ପାରିବାରିକ ମୂଲ୍ୟ ବୋଧ ରହିଛି । ଯାହା ସମସ୍ତଙ୍କୁ ନେଇ ଚଳିବା ଶିକ୍ଷା ଦେଇଥାଏ ।

ଆଜି ଅନିମେଷଙ୍କ ସବୁକଥା ତନୁଜାକୁ ଯୁକ୍ତି ଯୁକ୍ତ ମନେ ହେଉଥିଲା । ସେ ବୁଝି ପାରୁଥିଲା ତାଙ୍କ ମନର ଭାବନା କୁ । ଉତ୍ତର ମିଳି ସାରିଥିଲା ତାକୁ ତା' ଦ୍ବନ୍ଦ୍ବର ।

ଏଥର ନିଜର ହତାଶ ମନକୁ ସେ ପୁଣି ଦୃଢ଼ କରି ନେଉଥିଲା, ଆସନ୍ତା କାଲିର ସକାଳ ପାଇଁ । ଆଉ ଅଜାଣତରେ ତା' ଆଖିକୁ ନିଦ ଘୋଟି ଆସୁଥିଲା ଧିରେ ଧିରେ ଖୁବ୍ ସହଜରେ ।


Rate this content
Log in

Similar oriya story from Tragedy