Nityananda Nandi

Classics Inspirational

5  

Nityananda Nandi

Classics Inspirational

ପେନସିଲ୍ ଲେଖା ଚିଠି

ପେନସିଲ୍ ଲେଖା ଚିଠି

6 mins
471



ଆଜି ସ୍କୁଲ ନାହିଁ ଶୁଣିବା ପରେ ଖରାରେ ଟିକିଏ ବସି ପଡ଼ିଲି।ସମୟ ଆଉ ଆଗ ପରି ଚଳ ଚଞ୍ଚଳ ନୁହେଁ। ସମୟ କାଟିବା ମୁସ୍ମିଲ ହେଇ ଯାଉଛି, କାହିଁକି କେଜାଣି !!! ସମୟର ବି ବୟସ ହେଇଯାଏ ବୋଧେ...


ଘର ବାରଣ୍ଡାରୁ କିଛି ଦୂର ଆମ ତାଟି ପର୍ଯ୍ୟନ୍ତ କୋଡିଏ ଫୁଟ ଲମ୍ବା ହେବ ରାସ୍ତାଟି। ବେଶ୍ ଚଉଡା। ନାଲି ମାଟି, ରାସ୍ତା କଡେ କଡେ ନାଲି ଇଟାର ଧାଡି, ଟେବୁଲ ଗୋଲାପ ଫୁଲ ଓ କଅଁଳିଆ ଖରାର ଏକ ଅଦ୍ଭୁତ ମିଶ୍ରଣ। ଦୁଇଟି ବେତ ଚେୟାର ଉପରେ ବସି ଥାଆନ୍ତି ମୋ ଶାଶୁ ଶ୍ୱଶୁର, ସୂର୍ଯ୍ୟ ଆଡକୁ ମୁହଁ କରି। ପୌଷ ମାସର ଶୀତ ସହିବା ସେମାନଙ୍କ କ୍ଷମତାର ବାହାରେ। ଏ ଖରା କିଛି କାମକୁ ନୁହେଁ, ହାତରେ ଆଜି ସମୟ ଥିଲା ବୋଲି କିଛି କାଠ ଆଣି ଦୁହିଁଙ୍କ ଆଗରେ ଜଳେଇଲି। କିଛି ପ୍ରତିକ୍ରିୟା ନାହିଁ, ହାତକୁ ଖାଲି ନିଆଁ ଆଡକୁ ଦେଖାଉଥିଲେ ସେମାନେ। ଅପର୍ଯ୍ୟାପ୍ତ ବୟସ, କିଛି ମନେ ରହେନି। ସେମାନେ ପିନ୍ଧି ଥିବା ପୋଷାକ ପତ୍ରରେ କୁଆଡେ ନିଆଁ ଲାଗିଯିବ ସେଇଥିପାଇଁ ମୁଁ ବସି ରହିଲି ସେମାନଙ୍କ ପାଖେ ପାଖେ ନିଆଁ ଲିଭିବା ପର୍ଯ୍ୟନ୍ତ। 

ମୋ ଶାଶୁ ଶଙ୍ଖ ମଲମଲ ପଥର ପରି ଗୋରୀ, ମୁହଁର ଚମଡା କୁଞ୍ଚା ମୁଞ୍ଚା ଲାଗୁଥିଲେ ବି ନାକରେ ରୂପା ଚଣା, ହାତରେ ବଳା ପିନ୍ଧି ଭାରି ସୁନ୍ଦରୀ ଲାଗୁଥିଲେ ମୋ ଶାଶୁ। ବୟସର ଚାପରେ କେତେ ଦବି ଯାଇଛନ୍ତି ମୋ ଶ୍ବଶୁର।ଦେହ ସାରା ଓହଳା ଚମଡା। କିଛି ବୁଝନ୍ତିନି ସେ । କଥା କଥାକେ ଭାରି ହସନ୍ତି। ଦୁଇଟି ବେଦନା ଛଡେଇ ଖାଇବାକୁ ଦେଲି ସେମାନଙ୍କୁ। ଦୁଇ କପ୍ ଲିକର ଚା ଆଣି ଥୋଇ ଦେଲି ସେମାନଙ୍କ ଆଗରେ। ଚା କପରୁ ଉଠୁଥିବା ବାଷ୍ପ ଅସ୍ତିତ୍ବ ହରଉଥିଲା ଶୀତର ଘନ କୁହୁଡି ଭିତରେ, ମୋ ମନ ଭିତରେ ଛୋଟ ଛୋଟ ଦୁଃଖ ସବୁ ବରଫ ଖଣ୍ଡ ପାଲଟି ଯାଉଥିଲା ପ୍ରତି ମୁହୂର୍ତ୍ତରେ।  

କାମବାଲି ଆସିବନି ବୋଲି କହିଛି। ମୁଁ ସ୍କୁଲ ଚାଲି ଯାଇଥିଲେ କେତେ କଷ୍ଟ ପାଇଥାନ୍ତେ ସେମାନେ। ଗଡ ଇଜ ଗ୍ରେଟ୍ !! ମୁଁ ଅନେଇ ରହିଥିଲି ମୋ ଶାଶୁଙ୍କୁ, ତାଙ୍କ ଚା କପରୁ ଉଠୁଥିବା ବାଷ୍ପ ଭିତରେ ମୁଁ ହଜି ଗଲି...ଭାବନା ରାଇଜରେ ।

   

"ମୋ ବିବାହ ସମୟର କଥା। ନାଲି ଟୁକୁ ଟୁକୁ ନୂଆ ବୋହୂ ହେଇ ଶାଶୁ ଘରକୁ ଆସିବାଟା ମୋ ଭାଗ୍ୟରେ ନ ଥିଲା। ବିବାହ ପରେ ସେଇ କେତେଦିନ ଖୁସି ମୁହୂର୍ତ୍ତରୁ ଆରମ୍ଭ କରି ବୈଧବ୍ୟ ଯନ୍ତ୍ରଣା ଦେଇ ଆଜି ଅତିକ୍ରାନ୍ତ ବୟସରେ ଶାଶୁ ଶ୍ଵଶୁର ଙ୍କ ସହିତ କିଛି ସୁଖଦ ମୁହୂର୍ତ୍ତ ପର୍ଯ୍ୟନ୍ତ ମୋ ଜୀବନର ଖଟା ମିଠା ଉପନ୍ୟାସ କୁ କେବଳ ମୁଁ ହିଁ ଲେଖିଛି ଓ ମୁଁ ହିଁ ପଢ଼ିଛି। ଜୀବନଟା ସହଜ ବୋଲି ବୁଝୁ ବୁଝୁ ମିଶାଣ ଫେଡାଣର ଜଟିଳ ମୁହୂର୍ତ୍ତ ସବୁ ମୋ ମନକୁ ଖାଇବାକୁ ଲାଗିଲା। କାହା ସହିତ ସମ୍ପର୍କ ରଖିବାକୁ ହେବ ବୁଝିଲା ବେଳକୁ ଅତି ଆପଣାର କେଇ ଜଣ ଛାଡି ଚାଲି ଯାଉଥିଲେ ନିର୍ବିଘ୍ନ ରେ...


ତାଙ୍କ ପୁଅ ବିଜୟ ଓ ମୁଁ ଗୋଟାଏ ସ୍କୁଲରେ ଶିକ୍ଷକ ଥିଲୁ। ପ୍ରଥମ ଦେଖାରୁ ପ୍ରେମ ଓ ତା ପରେ ବିବାହର ପ୍ରସ୍ତାବ ରଖିଲେ ବିଜୟ। ମୁଁ ଅନ୍ୟ ଜାତିର ହେଇଥିବାରୁ ତାଙ୍କ ଘରେ ରାଜି ହେଲେନି ବୋଲି ବିଜୟ କାହା କଥା ନ ଶୁଣି ମୋତେ ସ୍ତ୍ରୀ ରୂପେ ସ୍ବୀକାର କରି ସ୍କୁଲ ପାଖରେ ଘରଟିଏ ନେଇ ରହିଲେ। ସବୁବେଳେ କିଛି କହିବେ କହିବେ ଭାବି କହିବାକୁ ସାହସ କରୁ ନ ଥିଲେ ବୋଧେ। ଦିନେ ପେନସିଲ୍ ଲେଖା କାଗଜଟା ଧରେଇ ଦେଇ ଲୁଚି ପଡିଲେ ରୋଷେଇ ଘର ଭିତରେ। 

"ବର୍ଷା ! ମନେ ଅଛି ଯୋଉ ଦିନ ତୁମକୁ ବିବାହର ପ୍ରତିଶୃତି ଦେଇ ତୁମ ଘରୁ ନେଇ ଆସିଲି, ଘରଟା ଅଦୃଶ୍ୟ ହେବା ପର୍ଯ୍ୟନ୍ତ ତୁମେ ବାର ବାର ପଛକୁ ଅନଉଥିଲ। ତୁମେ ଜମାରୁ ବ୍ୟସ୍ତ ହେବନି, ବଞ୍ଚିଥିବା ଯାଏଁ ତୁମ ବାପା ମାଆ ଙ୍କ ଭଲ ମନ୍ଦ ଦାୟିତ୍ଵ ମୋ ଉପରେ ନ୍ୟସ୍ତ ରହିଲା। ଆଉ ମୁଁ ଯଦି କେବେ ନ ରହେ, ପ୍ରତିଦାନରେ ମୋ ବାପା ବୋଉଙ୍କ ହାତ ଧରି ତୁମେ ସେମାନଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥାନ ପର୍ଯ୍ୟନ୍ତ ପହୁଞ୍ଚାଇ ଦେବ ନା। ଭାବିବ ସେମାନେ ବି ତମ ବାପା, ମା।"


ସେ ଶୀଘ୍ର ଚାଲିଯିବେ ବୋଲି ଆଭାସ ପାଇଥିଲେ ବୋଧେ। କିଛି ନ କହି ମୁଣ୍ଡ ଉପର ତଳ କରି ସମ୍ମତି ପ୍ରଦାନ କରିଥିଲି। ଆଖିରୁ ଦୁଇ ଟୋପା ଲୁହ ବହି ଆସିଲା, କାହିଁକି କେଜାଣି। ତାଙ୍କୁ ଜିଦ୍ କଲି, ଚାଲ ଯିବା ତୁମ ଘରକୁ। ଭାବିଲି, ଗ୍ରୀଷ୍ମ ଯିବା ବେଳକୁ ପଳାଶ ଫୁଲର ରଙ୍ଗ ବି ଫିକା ପଡିଯାଏ, ଆକାଶର ରଙ୍ଗ ବଦଳେ। କିଛି ଚିର ସ୍ଥାୟୀ ନୁହେଁ। ବାପା ବୋଉଙ୍କ ଅଭିମାନ ପୂର୍ଣ୍ଣ ରାଗରେ ମଧ୍ୟ ଶିଥିଳତା ଆସିବ...ଅଚାନକ ଦିନେ କହିଲି, ଚାଲ ଯିବା ତୁମ ଘରକୁ।


ବର୍ଷେ ପରେ ହଠାତ୍ ଦିନେ ସେ ମୋତେ ନେଇ ଆସିଥିଲେ ଏଇ ଘରକୁ। କେହି କିଛି ପ୍ରତିକ୍ରିୟା କରି ନ ଥିଲେ ବି ମୋତେ ଖୁସି ମନରେ କେହି ସ୍ବାଗତ କରି ନ ଥିଲେ। ନଣନ୍ଦ, ଦିଅରଠୁ ଆରମ୍ଭ କରି ଶାଶୁ, ଶ୍ୱଶୁର ପର୍ଯ୍ୟନ୍ତ କେହି ପ୍ରାୟ ମୋ ସହିତ କଥା ହେଉ ନ ଥିଲେ। ଲୁଗା କାଚିବା ଠୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ କାମ ରେ ଝାଳ ନାଳ ହେଇଗଲି, କାହାର ସହାନୁଭୂତି ନ ଥିଲା ମୋ ପାଇଁ। ସବୁ କାମ ଶେଷ କରି ସ୍କୁଲ ଯିବାଟା କଷ୍ଟସାଧ୍ୟ ଥିଲା । ମୋ ମନ ରଖିବା ପାଇଁ ଲୁଚି ଲୁଚି ଲୁଗା କାଚିବା ଠୁ ଆରମ୍ଭ କରି ରୋଷେଇରେ ସାହାଯ୍ୟ କରୁଥିଲେ ବିଜୟ। ଖାଲି ଶୁଣେଇଲେ ସମ୍ପର୍କଟା ବୋଧେ ଏକ ତରଫା ଲାଗେ। କିଛି ଶୁଣିବାକୁ ବି ହୁଏ। କାର୍ଯ୍ୟରତ କାହା ପିଠିରେ ହାତ ଥାପୁଡି ଦେଲେ ମଜବୁତ୍ ହୁଏ ସମ୍ପର୍କଟା । ମୋ ଭିତରେ ଦମ୍ଭ ଆସୁଥିଲା ବିଜୟ ଟିକେ ସାହାଯ୍ୟ କଲେ....


ମାସେ ରହିବା ଭିତରେ ଶାଶୁ ଦୁଇ ତିନି ପଦ କଥା ହେଇଥିଲେ ମୋ ସହିତ। ଗାଆଁରେ ସର୍କସ ପଡ଼ିଥିଲା। ବିଜୟ ସମସ୍ତଙ୍କ ପାଇଁ ଟିକେଟ କିଣିଥିଲେ। ସମସ୍ତେ ଆମେ ବାହାରି ଥାଉ ସର୍କସ୍ ଯିବାକୁ। ଯେ ଯାହାର ଚପଲ, ଜୋତା ପିନ୍ଧି ପ୍ରସ୍ତୁତ। ଶାଶୁ କିନ୍ତୁ ନିଜ ଜୋତା ପିନ୍ଧି ପାରୁ ନ ଥିଲେ। ହାଡ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଫୁଲ ସୁ ପିନ୍ଧିବାକୁ ହୁଏ। ତାଙ୍କ ପାଦ ପଶୁ ନ ଥିଲା ଜୋତା ଭିତରେ। ସମସ୍ତେ ଦେଖି ହସୁ ଥାଆନ୍ତି। ମୁଁ ବସି ପଡି ତାଙ୍କୁ ଜୋତା ପିନ୍ଧେଇ ଦେଲି। ସେ ଅବାକ୍ ହେଇ ମୋତେ ଅନେଇ ଥିଲେ। କଣ ହେଲା କେଜାଣି, ରିକ୍ସାରେ ତାଙ୍କ ସହିତ ବସିବାକୁ କହିଲେ। ସେଇ ଦିନଠୁ ଆଜି ପର୍ଯ୍ୟନ୍ତ ମୁଁ ତାଙ୍କ ଝିଅ ଠୁ ବି ଅଧିକ।

 

ସତକୁ ସତ, ବିଜୟ ଚାଲିଗଲେ। ଦଶ ବର୍ଷର ବୈବାହିକ ଜୀବନ ବିଲୁପ୍ତ ହେଇଗଲା ଅଚାନକ ଗୋଟାଏ ଭୁସ୍ଖଳନ ସାଥିରେ। ମୋ ବାପା ମା କହିଲେ ତୁ ଚାଲି ଆ ଆମ ଘରକୁ। ଛୁଆ ପିଲା ନାହାନ୍ତି, ସେଇଠି ଆଉ ତୁ ଏକା କଣ କରିବୁ। ମୁଁ ରାଜି ହେଇଗଲି। ଆମେ ଆମ ମନ କଥା ଶାଶୁ, ଶଶୁରଙ୍କୁ କହି ନ ଥିଲୁ । ଯିବାବେଳେ ଶାଶୁ କହିଲେ ଯା, ବାପା ଘରେ କିଛି ଦିନ ରହି କି ଆସିବୁ। ମନ ଟିକିଏ ହାଲୁକା ହେଇଯିବ। ମୋ ହାତ ଧରି ଶାଶୁ ମା କହିଲେ, ବୋହୂ ! ଆଠ ଦଶ ଦିନ ଭିତରେ ଆସିବୁ ତ ??? ମୁଁ ଚୁପ ରହିଲି। ଆଉ କେବେ ଆସିବିନି ବୋଲି ଶାଶୁ ଶ୍ଵଶୁରଙ୍କ ପାଦ ଧୂଳି ନେଉ ନେଉ ଦୁଇ ଟୋପା ଲୁହ ନିଗିଡ଼ି ଗଲା। ଶାଶୁ ଜାଣି ପାରି ଲୁଗା କାନିରେ ଲୁହ ପୋଛି ଦେଲେ। ମୋ ବାହୁରେ ତାବିଜ୍ ଟିଏ ବାନ୍ଧି ଦେଇ କହିଲେ, ଛୁଆ ବେଳେ ବିଜୟକୁ ଡର ଲାଗିଲେ ଏଇ ତାବିଜ୍ ଟା ପିନ୍ଧି ଦେଉଥିଲି। ତୋର କିଛି ହେବନି ଯା। ଶାଶୁଙ୍କ କଥା ବହୁତ ଛୁଇଁଲା ମୋ ମନକୁ। ଦୁଃଖର ପ୍ରକୋପ ରେ କାଲୁଆ ହେଇ ଯାଇଥିଲା ମନଟା । ଏତେ ବଡ ଶକ୍ତିଶାଳୀ କଥାର ପ୍ରଭାବ ପଡିଲାନି ମୋ ମନ ଉପରେ।

ପଛକୁ ନ ଅନେଇ ଚାଲିଲି ମୁଁ ବାପ ଘରକୁ। ବାପ ଘରୁ ସ୍କୁଲ ଯିବା ଆସିବା କଲି। ଦିନେ ବିଜୟଙ୍କ ଚିଠି କଥା ମନେ ପଡିଲା। ଏଟାଚି ଭିତରେ ସାଇତି ରଖିଥିବା ଚିଠିଟାକୁ ଖୋଲିଲି। ପେନସିଲ୍ ଲେଖା ଚିଠିରେ ଅକ୍ଷର ଗୁଡିକ ଅସ୍ପଷ୍ଟ ଦେଖା ଯାଉଥିଲା। ଦଶ ବର୍ଷ ତଳର କଥା। ଖାଲି ସ୍ପଷ୍ଟ ଭାବେ ପଢି ପାରୁଥିଲି "ମୁଁ ଯଦି କେବେ ନ ରହେ".. ତା ପରେ ଆଉ ସବୁ ମନେ ପଡିଗଲା। ଶାଶୁ, ଶ୍ୱଶୁର ଙ୍କ ହାତ ଧରି ଶେଷ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ମୋତେ ନେଇ ଯିବାକୁ ହେବ। ଲାଗୁଥିଲା ଯେମିତି ମହାଭାରତ ଯୁଦ୍ଧରେ ମୁଁ ହାରିଗଲି । କୁଢ଼ କୁଢ଼ ହେଇ ପଡ଼ିଥିବା ଶବ ଉପର ଦେଇ ଯିବାକୁ କୁଣ୍ଠାବୋଧ କରୁଥିଲା ମୋ ମନଟା। ମୁଁ କିନ୍ତୁ ଶବ ଉପର ଦେଇ ଡେଇଁ ଡେଇଁ ଆସିବାର ସିଦ୍ଧାନ୍ତ ନେଲି। କିଛି ଚକ୍ରବ୍ୟୁହରେ ମୁଁ ଫସି ନ ଥିଲି, ଫେରିବାର ରାସ୍ତା ମୋତେ ଜଳଜଳ ଦେଖା ଯାଉଥିଲା ମୋ ଆଗରେ.... ନା ହାରିବା ପାଇଁ ଇଚ୍ଛା ନା ଜିତିବା ପାଇଁ। ସବୁ ହିସାବ ସରିବା ପରେ କାହିଁକି କେଜାଣି ନିଜର ପ୍ରାପ୍ୟ ଦେଇଦେଲେ ଯାଇ ଶାନ୍ତି, ବାସ୍..


ବେଗ ଧରିଲି। ବାପା ବୋଉକୁ କହିଲି, ସାନ ଭାଇ ଭାଉଜ ଅଛନ୍ତି ତୁମର କିଛି ଅସୁବିଧା ହେବନି। ମୋ ଦିଅର କଲିକତାରେ ଚାକିରି କରନ୍ତି। ପ୍ରାୟ ବର୍ଷରେ ଥରେ ଆସନ୍ତି। ମୋତେ ଶାଶୁ, ଶ୍ୱଶୁର ଙ୍କ କଥା ବୁଝିବା ପାଇଁ ହେବ। ମୁଁ ବିଜୟଙ୍କୁ କଥା ଦେଇଥିଲି। ଆସୁଛି କହି ଚାଲି ଆସିଥିଲି ଯେ ପନ୍ଦର ବର୍ଷ ହେଲାଣି ବାପ ଘରକୁ ମୁଁ ଆଉ ଅନେଇ ନାହିଁ। ମୁଁ ଏଇଠି ବେଶ୍ ଖୁସିରେ ଅଛି, ପରିବାର ମାନେ ମୁଁ ଆଉ ମୋ ଶାଶୁ ଶ୍ଵଶୁର...."


ହଠାତ୍, କାହିଁକି କେଜାଣି ମେଘ ଘୋଟି ଆସିଲା। ଖରା ଗାଏବ ହେଇଗଲା ଆମ ବଗିଚାରୁ। ନିଆଁ ଲିଭି ଯାଇଥିଲା ସେତେବେଳକୁ। ଦୁହେଁ ଥରିବାକୁ ଲାଗିଲେ। ମୋଜା ଆଣି ଶାଶୁଙ୍କ ପାଦରେ ପିନ୍ଧେଇ ଦେଲି। ସେ ଜମାରୁ ଥଣ୍ଡା ସହି ପାରନ୍ତି ନାହିଁ। ସେଦିନ ଜୋତା ପିନ୍ଧାରୁ ସମ୍ପର୍କ ଆରମ୍ଭ ହେଇ ଆଜି ଏଇ ମୋଜା ପିନ୍ଧେଇ ଦେବା ଭିତରେ ସମୟର ଲମ୍ବା ଏକ ସିଡି ଉପରେ ଧୀରେ ଧୀରେ ପାଦ ରଖି ଆସିଛି, ଏକ ଲମ୍ବା ଅନୁଭବ। କେତେ ଜଣ ହାତ ଛାଡି ଦେଇଛନ୍ତି ତ ଆଉ କେତେ ଜଣଙ୍କର ହାତ ଛାଡ଼ିବାକୁ ଜମାରୁ ଇଚ୍ଛା ହୁଏନି । 

ଭାବ ପ୍ରବଣ ହେଇଗଲେ ମୋ ଶ୍ୱଶୁର, କହିଲେ 

ଜାତି କିଛି ନୁହେଁ ବୋହୂ, ମାନବିକତା ସବୁ କିଛି। ଜାତି ବୋଧେ ମନର ଏକ ଭ୍ରମ। 

ବୋହୂ ! ତୋ ଜାତି ଅଲଗା ବୋଲି ଆମେ ତୋତେ ଗ୍ରହଣ କଲୁନାହିଁ, ବର୍ଷଟିଏ ବହୁତ କଷ୍ଟ ପାଇ ଥିଲୁ ନା....ସାନ ପୁଅକୁ ସମାନ ଜାତିରେ ବାହା କରେଇ କଣ ଫାଇଦା ହେଲା ??? ବୋହୂ ତ କଲିକତାରେ ପୁଅ ସାଥିରେ ରହୁଛି। ଯାହା ସେବା କରିବା କଥା ତୁ ହିଁ କରୁଛୁ। ତା ନହେଲେ ତୋ ଶାଶୁ ମା କୁ ଏଇ ଥଣ୍ଡାରେ ମୋଜା କିଏ ପିନ୍ଧେଇ ଥାଆନ୍ତା କହିଲୁ !

ଜାତି ଫାତି ମୁଁ କିଛି ବୁଝେନା। ମୁଁ ଖାଲି ଶୁଣୁଥିଲି, ବାସ୍। ଶ୍ୱଶୁର ଙ୍କ କଥା ଶାଶୁ ବୁଝି ପାରିଲେ ବୋଧେ, ଶାଶୁଙ୍କ ଆଖିଟା କାହିଁକି କେଜାଣି ଓଦା ହେଇ ଆସିଲା। ବର୍ଷା ଟପ୍ ଟପ୍ ପଡ଼ିବା ଆରମ୍ଭ କଲା। ଦୁଇ ବାହୁରେ ଦୁହିଁଙ୍କୁ ଧରି ପିଣ୍ଡାକୁ ନେଇ ଯାଉଥିଲି ଧିରେ ଧିରେ, ବାହାରେ ମୁଖ୍ୟ ଦ୍ଵାର ଶୀର୍ଷରେ ଥିବା ବିଜୟଙ୍କ ଫଟୋ ଉପରେ ଅଚାନକ ନଜର ପଡିଲା, ଫଟୋ ଭିତରେ ବେଶ୍ ଖୁସି ଲାଗୁଥିଲେ ସେ। ଇଚ୍ଛା ହେଉଥିଲା କହିବାକୁ ଏତେ କଷ୍ଟ କାମ ଟିଏ ମୋତେ ଦେଇ ତମେ କିନ୍ତୁ ଚାଲିଗଲ....।


Rate this content
Log in

Similar oriya story from Classics