Nityananda Nandi

Fantasy Inspirational

4  

Nityananda Nandi

Fantasy Inspirational

ନୀଳବର୍ଣ୍ଣ ଶୃଗାଳ

ନୀଳବର୍ଣ୍ଣ ଶୃଗାଳ

6 mins
5



କେତେ ନଗ୍ନ ଲାଗେ ଆକାଶଟା, ସମ୍ପୂର୍ଣ୍ଣ ଅବଶ। ବୟସ ହେଇ ଗଲାଣି ବୋଧେ। ଠିକ୍ ମୋ ପରି। ଲୁଗା ପଟା ସଜାଡ଼ିବା ପାଇଁ ନା ମୋ ଦେହରେ ବଳ ଅଛି, ନା ଏଇ ପରିଣତ ବୟସରେ ଆଉ ସ୍ପୃହା ଅଛି ସୌନ୍ଦର୍ଯ୍ୟ ପାଇଁ । ସକାଳଠୁ ବାରଣ୍ଡାରେ ବସି ଆକାଶ ଆଡେ ଚାହିଁ ରହିଛି। ଭସା ବାଦଲ ସବୁ ମଝିରେ ମଝିରେ ଆସି ଜଡି ହେଇଯାଏ ଆକାଶ ଦେହରେ। ସୁନ୍ଦର ଲାଗେ ଆକାଶଟା। ନଗ୍ନତା ଆପାତତଃ ଲୁଚିଯାଏ କିଛି ମୁହୂର୍ତ୍ତ ପାଇଁ। ବୟସ ହେଲେ କେତେ ଶିଥିଳ ହେଇ ଯାଏ ହାତ ଗୋଡ। ଇଚ୍ଛା କରି ବି କିଛି କରି ହୁଏନି। ରୁଗ୍ଣ ଆକାଶ, ଇଚ୍ଛା କଲେ କଳା ଧଳା ମେଘ ମାଳାକୁ ଜାବୁଡି ଧରନ୍ତା ତା ବକ୍ଷ ଉପରେ। କିନ୍ତୁ ହାୟ, କେତେ ଅସହାୟ ସେ। ମୁଁ ବି ତ ସେମିତି। ଝିଅଟା କୁଆଡେ ବଜାରକୁ ଯାଇଛି ଯେ ନ ଧରିବା ଯାଏ ମୁଁ କଣ ଉଠି ପାରିବି।


ଏଣ୍ଡୁଅକୁ ମୋର ଭାରି ଭୟ। ମୋ ପାଖକୁ ଲାଗି ଘର ଆଗ ବଗିଚାରେ ଥିବା ଲେମ୍ବୁ ଗଛ ଡାଳରେ ବସି ଏଣ୍ଡୁଅଟା ମୋ ଆଡକୁ ଅନେଇ ଥାଏ। ମୁଁ ସେତବେଳକୁ ଝାଳେଇ ଗଲିଣି। ଚାହିଁଲେ ବି ମୁଁ ଉଠି ପାରୁନି। ମୁହଁ ବୁଲେଇ ଆଉଥରେ ଦେଖିଲି, ଏଣ୍ଡୁଅଟା କୁଆଡେ ଗଲା କେଜାଣି। ଦେହରେ ଦମ୍ ପଶିଲା। ମୁଁ ବସିଥିବା ଚେୟାର ଆଖ ପାଖରେ ଅନେଇଲି। ଯା ହେଉ, ଏଣ୍ଡୁଅ ଟା କୁଆଡେ ଉଭେଇ ଗଲା। ହେ ଭଗବାନ୍, ଲାଗୁଥିଲା ଯେମିତି ମୋ ଉପରକୁ ଡେଇଁବ। 

ଅନ୍ନପୂର୍ଣ୍ଣା ଆସିଲେ କହିବି, "ତୁ ବଜାରକୁ ଗଲେ ମୁଁ ଘର ଭିତରେ ବସି ରହିବି। ତୁ ବାହାରୁ ଚାବି ଲଗେଇକି ଯା.. ଘର ବାହାରେ କେତେବେଳେ କୋଉ କଥା"


ମୁଁ ଚାହୁଁଥିଲି  ଅନ୍ନପୂର୍ଣ୍ଣା କେବେ ବାହା ନ ଯାଉ। ସତକୁ ସତ ଝିଅଟା ଅବାହା ହେଇ ରହିଗଲା ସବୁଦିନ ପାଇଁ ମୋ ସହିତ। ମୁଁ  ଚେଷ୍ଟା କଲିନି, କାହିଁକି କେଜାଣି। ତା ବିନା ମୁଁ ବଞ୍ଚିବି କେମିତି ! ଏଇ ପ୍ରଶ୍ନ ଟା ହନ୍ତସନ୍ତ କରୁଥିଲା ମୋତେ ପ୍ରତି ମୁହୂର୍ତ୍ତରେ। ଏଇ ଯେମିତି ବିଶାଳ ଆକାଶ ବି ଏକା ରହି ପାରେନା, କେତେବେଳେ ଜହ୍ନ ସହ ତ  କେତେବେଳେ ସୂର୍ଯ୍ୟ ସାଥିରେ ସମୟ ବିତାଏ । ନ ହେଲେ ମେଘ ସାଥିରେ.....। ମୁଁ ବି ସ୍ୱାର୍ଥପର ହେଇଗଲି। ଅନ୍ନପୂର୍ଣ୍ଣା ମୋ ସାଥିରେ ରହିବ, ମୁଁ ଆଉ କେମିତି ପର ଯେ। ମୁଁ ତ ତାର ଅତି ନିଜର, ଅତି ଅନ୍ତରଙ୍ଗ। ସେ ବାହା ନ ଯାଉ, ଏମିତି ଗୋଟାଏ ଅମଙ୍ଗଳ ଚିନ୍ତା ମୋତେ କାବୁ କରିନେଲା, କାହିଁକି କେଜାଣି। ତା ସହିତ ବଞ୍ଚିବାର ଆବଶ୍ୟକତା ମୋ ପାଇଁ ବୋଧେ ତା ବିବାହ ସୁଖ ଠାରୁ ଓଜନିଆ ଲାଗିଲା ଅନ୍ୟାୟ ତରାଜୁରେ....। ବିଚାରୀ ମନ ଖୋଲି କେବେ କିଛି କହେନି।


ଆଜି କାହିଁକି ମନଟା ଜମାରୁ ବୁଝୁନି । ମୁଁ ପାପୀ, ମୋତେ ପ୍ରାୟଶ୍ଚିତ କରିବାକୁ ପଡିବ। ଆଜି କହିବି, "ଅନ୍ନପୂର୍ଣ୍ଣା ! ଚାଳିଶ ଟପିଲାଣି,  କେତେଦିନ ତୁ ଆଉ ରହିବୁ ମୋ ସହିତ। ବାହା ସାହା ହେଇଯା..ମୋ ପାଇଁ ତୁ କାହିଁକି କଷ୍ଟ ପାଇବୁ।"


ଅନେଇଲି ଆଉଥରେ ଆକାଶ ଆଡେ। ମେଘ ସବୁ ଉଡି  ଗଲେଣି। ସଂପୂର୍ଣ୍ଣ ଫୁଙ୍ଗୁଳା ଦେହ, ଆକାଶରେ ଉଡୁଥିବା ଛୋଟ ବାଇ ଚଢେଇ  ସ୍ପଷ୍ଟ ବାରି ପଡୁଥାଏ। ବିନ୍ଦୁଏ ମେଘ ଛିଟା ବି ନାହିଁ ଆକାଶରେ। ସେଇଥି ପାଇଁ ବୋଧେ ଆକାଶ ବେଳେ ବେଳେ କାନ୍ଦେ। ବିରହ ବେଦନା ଓ ନିର୍ବାସନର ଦୁର୍ଦ୍ଦଶା, ବନ୍ୟଜନ୍ତୁ ପରି ଆକ୍ରମଣ କରନ୍ତି ବିଚରା ଆକାଶକୁ। ନିର୍ଜନତା କେତେ କଷ୍ଟ ଦାୟକ !!! 


ଆକାଶକୁ ଅନେଇ ଅନେଇ ଅନ୍ୟମନସ୍କ ହେବାକୁ ଚେଷ୍ଟା କରୁଥିଲି। ମନ କିନ୍ତୁ ଅତୀତର ଏକ କୃତ୍ରିମ ଚକ୍ରବ୍ୟୁହ ଭିତରେ ମୋତେ ବାନ୍ଧି ରଖୁଥିଲା ପ୍ରତି ମୁହୂର୍ତ୍ତରେ। ମୁଁ ନାଚାର ହେଇ ଯାଉଥିଲି। ବାହାରି ପାରୁ ନ ଥିଲି ତା ଭିତରୁ। ତା ବାପା ବୋଧେ ଭାବି ନ ଥିଲେ ଏତେ ଶୀଘ୍ର ତାଙ୍କୁ ଚାଲି ଯିବାକୁ ହେବ ।  ମଉଜ ମଜଲିସ୍ ଭିତରେ କଟୁ ଥିବା ସମୟ ଏକ ଅଦ୍ଭୁତ ମୋଡ ନିଏ । ମୋଡ ଶେଷରେ ଅଚାନକ ସୂର୍ଯ୍ୟାସ୍ତ। ଦୁଃଖର ଦିନ ଅଜଗର ପରି ଲମ୍ବା ଓ ଶିଥିଳ। ଜୀବନଟା ମ୍ୟୁଜିକ ଚେୟାର ପରି, ବସିବାକୁ ଜାଗା ନ ମିଳିଲେ ଖେଳରୁ ବାହାରି ଯିବାକୁ ହୁଏ।


ତା ବି ନୁହେଁ ଯେ ହଠାତ୍ ତାଙ୍କର ମୃତ୍ୟୁ ହେଲା। କିଛି ଦିନ ସେ ପଡି ରହିଥିଲେ ରୋଗ ଶଯ୍ୟାରେ। ତାଙ୍କର ଶେଷ ଇଚ୍ଛା ମୋତେ କହିଲେ ନାହିଁ କାହିଁକି। ତାଙ୍କର କଣ ଏତେ ଭରସା ଥିଲା ମୋ ଉପରେ, ତାଙ୍କ  ଅନୁପସ୍ଥିତିରେ ମୁଁ ଅନ୍ନପୂର୍ଣ୍ଣା କଥା ବୁଝିବି !!!!!!  ବିଶ୍ଵାସ ପାଚିଗଲେ ବୋଧେ ଭରସା ଜନ୍ମନିଏ ତା ଭିତରୁ। କିଛି କଥା ଭାବଭଙ୍ଗିରୁ ହିଁ ସ୍ପଷ୍ଟ  ହେଇଉଠେ। କହିବାର ଆବଶ୍ୟକତା ନ ଥାଏ। ଅତି ନିବିଡ଼ତାର ଗଳ୍ପ ସବୁ ବୋଧେ ଏମିତି !


ମୁଁ ତା ବାହାଘର କଥା ଭୁଲିଗଲି, ନା ସେ ମୋତେ ତା ମନ କଥା କିଛି କହିଲା। ସ୍ବାର୍ଥରେ ଅନ୍ଧ ହୋଇ କେବଳ ମୋ କଥା ମୁଁ ଚିନ୍ତା କଲି। ତା ମଉସା ଗୋଟାଏ ଦୁଇଟା ପ୍ରସ୍ତାବ ଆଣି ଆସିଥିଲେ ଆମ ଅନ୍ନପୂର୍ଣ୍ଣା ପାଇଁ। ମୁଁ ଚୁପ୍ ରହିଲି। ବାପ ଛେଉଣ୍ଡ ଝିଅ ପାଇଁ କିଏ କାହିଁକି ଏତେ ମଥା ପୁରେଇବ ଯେ..., ମଥା ପୁରେଇବା ମାନେ ହିଁ ଦାୟିତ୍ଵ। ଦାୟିତ୍ଵ ବହନ କରିବା ପାଇଁ ସତ୍ସାହାସ ଦରକାର। ସୁତରାଂ ସମସ୍ତେ ଚୁପ୍ ରହିଲେ ଅନ୍ନପୂର୍ଣ୍ଣାର ବାହାଘରକୁ ନେଇ।


ସକାଳୁ ଉଠି ଆମେ ଦୁହେଁ ସାଥିରେ ବସି ନାଲି ଚା ପିଉ। ତା ପରେ ପୁଣି ଥରେ ସଂଜକୁ ଭେଟ ହୁଏ। ତାକୁ ଆଉ ସମୟ କାହିଁ ଯେ ??  ବଗିଚାରୁ ଫୁଲ ତୋଳି ଗାଧୋଇ ପାଧୋଇ ପୂଜା କରେ ସେ। ବାଡିରୁ ଶାଗ ପନିପରିବା ଆଣି ନାନା ରକମର ତରକାରୀ ରାନ୍ଧେ ଅନ୍ନପୂର୍ଣ୍ଣା। ମଝିରେ ମଝିରେ ଆସି ମୋ ହାତରେ ବ୍ରସ, କଲଗେଟ୍ ଧରେଇ ଦିଏ। ମୋତେ ଗାଧୋଇ ଦେଇ ପୋଷାକ ପତ୍ର ବଦଳେଇ ଦିଏ। ମୋ ହାତରେ ଆଗ ପରି ଆଉ ଶକ୍ତି ନାହିଁ ବୋଲି ମୋତେ ଖୁଆଇ ଦିଏ ଅନ୍ନପୂର୍ଣ୍ଣା। ରୋଷେଇ ଘରୁ ବାସନ କୁସନ ର ଶବ୍ଦ ଆସୁଥାଏ ଦିନ ସାରା। ରାତି ପାଇଁ ପୁଣି ରୋଟି ତରକାରୀ ଅନେକ କିଛି। ତା ଭିତରେ ସମୟ ବାହାର କରି ଘର ପାଖ ହାଟକୁ ଯାଇ ସଉଦା ପତ୍ର, ଚୁନା ମାଛ ଆଣେ । ଚୁନାମାଛ ମୋର ଭାରି ପସନ୍ଦ। ସଂଜରେ ବସି ଅଧାଘଣ୍ଟା ମନ ଭରି କଥା ହେଉ।


ପଛରୁ ଆସି ଚିତ୍କାର କଲା ଅନ୍ନପୂର୍ଣ୍ଣା, ମା ! କେତେ ବଡ ଏଣ୍ଡୁଅ ଦେଖ, ବସିଛି ଲେମ୍ବୁ ଗଛ ଉପରେ। ଏହା ଭିତରେ ଏଣ୍ଡୁଅଟା ରଙ୍ଗ ବଦଳେଇ ସାରିଛି। 

ଅନ୍ୟମନସ୍କ ହେଇ କହିଲି, ତୁ ଅଛୁ ଯେତେବେଳେ ଏଣ୍ଡୁଅ ମୋର କଣ କରିବ !!!!

ଅନ୍ନପୂର୍ଣ୍ଣା ! "ବସ୍ ମୋ ଆଗରେ, ତୋ ମଥାରେ ଉକୁଣୀ ଦେଖିବି। ଖାଲି କାମ, କାମ ଆଉ କାମ "। ମୋ ହାତ ସଂପୂର୍ଣ୍ଣ କାମ କରେନି। ତଥାପି ଗୋଟାଏ ପ୍ଲାଷ୍ଟିକ ପାନିଆ ଧରି ଅନ୍ନପୂର୍ଣ୍ଣାର କହରା ନୁଖୁରା ଚୁଟିକୁ କୁଣ୍ଡାଉ କୁଣ୍ଡାଉ ପଚାରିଲି ତୁ ବାହା ସାହା ହେଇ ଚାଲି ଯା, ମୁଁ  ଚାକରାଣୀ ଟିଏ ରଖି ନେବି, ମୋ କଥା ସେ ବୁଝିବ...

ଅନ୍ନପୂର୍ଣ୍ଣା ଆଖିରୁ ଲୁହ ନିଗିଡ଼ି ଆସିବ ବୋଲି ଭାବି ନ ଥିଲି।

କଣ ହେଲା ଅନ୍ନପୂର୍ଣ୍ଣା ! କାନ୍ଦିଲୁ ଯେ।

ମାଆ ! ଜୀବନକୁ ବୁଝିବା ଆଗରୁ ଚଲାପଥ ଯେତିକି ଅଙ୍କା ବଙ୍କା, ବୁଝିବା ପରେ ବି ଠିକ୍ ସେତିକି। ସହଜ ଓ ଜଟିଳତା ଭିତରେ ପୃଷ୍ଠା ପୃଷ୍ଠା ଅନୁଭବ ଆଉ ଦୁଃଖର ସମାହାର ଏବଂ ତା ଭିତରୁ ହିଁ ଅମୃତକୁ ଖୋଜିବାକୁ ହୁଏ ବୋଲି ବୋଧେ ମୁଁ ଜାଣି ନ ଥିଲି। କିଛି କଥାକୁ ଲୁଚେଇ ଆତ୍ମତୃପ୍ତି ପାଇବା ହିଁ ସର୍ବଶ୍ରେଷ୍ଠ କଳା ବୋଧେ ଜୀବନରେ !!! 

ଗୋଟାଏ କଥା କହିବି  ! 

କହ, ଅନ୍ନପୂର୍ଣ୍ଣା। ମୁଁ କହିଲି

" ଏତେ ବଡ କଥା ଆମେ ଦୁହେଁ ଲୁଚେଇ ରଖିଛୁ। ତମେ ମୋ ମା ନୁହଁ, ବଡ ମା । ମୁଁ ତୁମର ଝିଅ ନୁହେଁ ବୋଲି କେବେ ଯେମିତି ଅନୁଭବ ନ କର, ସେଇଥିପାଇଁ ବୋଧେ ମୁଁ ତୁମକୁ ମାଆ ବୋଲି ଡାକି ଆସିଛି।

ଅନ୍ନପୂର୍ଣ୍ଣା !!!!!!

ତମେ ଯେମିତି ମୋ ମା ପରି ଅଭିନୟ କରି ଆସିଛ, ମୁଁ ସେମିତି ଅଭିନୟ କରିଛି ତମ ଝିଅ ପରି। ଅଭିନୟ କରୁ କରୁ କେବେଠୁ ଆମ ସତ ସତିକା ମା ଝିଅ ହେଇଗଲୁ, ଜାଣି ହେଲାଣି"


ମୋ ଗଳା ବାଷ୍ପରୁଦ୍ଧ ହେଇ ଉଠିଲା, ଅସ୍ପଷ୍ଟ ଭାବେ ପୁଣିଥରେ କହିଲି, ଅନ୍ନପୂର୍ଣ୍ଣା !


"ହଁ ବଡ ମା, ମୋ ଜନ୍ମ ପରେ କୁଆଡେ ମୋ ବୋଉର ମୃତ୍ୟୁ ଘଟିଥିଲା। ଆମେ ସମସ୍ତେ ଗାଆଁ ଛାଡି ଚାଲି ଆସିଛୁ। ବାପା ସବୁକଥା କହିଥିଲେ ତାଙ୍କ ମୃତ୍ୟୁ ଶଯ୍ୟାରେ। ସେତେବେଳେ ମୋତେ ପନ୍ଦର ବୟସ। ଠିକ୍ ପ୍ରାଣବାୟୁ ଉଡିବା ବେଳକୁ ମୋତେ ତାଙ୍କ କୋଳକୁ ଟାଣି ନେଇ କହିଲେ, ତୋ ବଡ ମାଆଙ୍କ ର କେହି ନାହାନ୍ତି ଏଇ ଦୁନିଆରେ। ସେ ତୋ ବୋଉଠୁ ଅଧିକ। ତାଙ୍କର ସବୁ ଦାୟିତ୍ଵ ତୋ ଉପରେ ନ୍ୟସ୍ତ କରି ଯାଉଛି...

ମୋ ଆଡକୁ ଅନେଇ ମୋ ଆଖି ପୋଛିଦେଲା ଅନ୍ନପୂର୍ଣ୍ଣା।

ମାଆ ଜାଣିଛ ! ଏତେ ବଡ ଇଲିସି ଆଜି ଦେଖିଲି ହାଟରେ। କଣ୍ଟା ବାହାର କରି ତମେ ଖାଇ ପାରିବ କି ନା ସନ୍ଦେହରେ ପଡିଲି। ଚାରା ପହଣା ନେଇ ଆସିଛି, ତେଲରେ ଛାଣିଦେବି, ଖାଇବ ତ !

ହେଇ ଦେଖ !!! ଶାଗୁଆ ଏଣ୍ଡୁଅ ଟା କେମିତି ହଳଦିଆ ଦେଖା ଗଲାଣି ...। ହଁ, ବାହାଘର କଥା କହୁଥିଲ ନା .. ପ୍ରାଥମିକତା ଦେଖିବାକୁ ହୁଏ ମା...ସମସ୍ତେ କହନ୍ତି: ବାହା ହେବା ନିହାତି ଦରକାର, ବାହାଘର କିନ୍ତୁ ସବୁକିଛି ନୁହେଁ। ବାପା  ତମ ହାତ ଧରେଇ ଦେଇ ଚାଲିଗଲେ, ମୁଁ ଆଉ କଣ କରନ୍ତି ଯେ..! 

ହଁ, ମୋତେ କେବେ ମୋ ବୋଉର ଆବଶ୍ୟକତା ଅନୁଭବ କରିବାକୁ ଦେଇନ। ମୁଁ କାହିଁକି ଅନୁଭବ କରିବାକୁ ଦେବି, ତମର କେହି ନାହିଁ ବୋଲି.... 


ଅନ୍ନପୂର୍ଣ୍ଣା କୁ କୋଳକୁ ଟାଣି ଆଣିଲି, ଭାବୁଥିଲି... "ଠିକ୍ ଏଇ ଏଣ୍ଡୁଅ ର ରଙ୍ଗ ପରି ଆମେ ବି ଲୁଚେଇ ଦେଉ ଅନେକ ସତ କଥା ଆମ ଜୀବନରେ.. ଏଣ୍ଡୁଅ  ନିଜ ରଙ୍ଗ ଉପରେ ଯେମିତି ନିୟନ୍ତ୍ରଣ ରଖି ପାରେନି, "ସତ" ଯେତେ ଅଭିନୟ କଲେ ବି ଭିନ୍ନ ଏକ ନୀଳବର୍ଣ୍ଣ  ଶୃଗାଳ ପରି ଧରା ପଡିଯାଏ, ଯିଏ ରୂପ ବଦଳେଇ ଥାଏ ଜଙ୍ଗଲର ରାଜା ପାଇଁ ନୁହେଁ, ବରଂ ଅସ୍ତିତ୍ବ  ପାଇଁ.....ଆଦେଶ ଅନୁପାଳନ ପାଇଁ।" 

ଆଖି ଶୁଖି ଗଲାଣି କେତେବେେଳୁ, ଗନ୍ଧରାଜ ଫୁଲଟିଏ ଗେଞ୍ଜିଦେଇ ଜୋର୍ କରି ବାନ୍ଧି ଦେଲି ତା ଚୁଟିକୁ...।



Rate this content
Log in

Similar oriya story from Fantasy