STORYMIRROR

Nityananda Nandi

Tragedy Classics Inspirational

4  

Nityananda Nandi

Tragedy Classics Inspirational

ହେଲମେଟ୍

ହେଲମେଟ୍

5 mins
10


ଘରୁ ବାହାରି ମେଡ୍ ପ୍ଲସ ଦୋକାନଟା ଅତିକ୍ରମ କରୁ କରୁ ହେଲମେଟ କଥା ମନେ ପଡିଲା। ଫେରି ଆସି ହେଲମେଟ ପିନ୍ଧି ପୁଣି ଥରେ ବାହାରିଲି। ଏମିତି ବି ଆମ ସହରରେ ଏତେ ଭିଡ ଭାଡ ନାହିଁ। ନ ପିନ୍ଧିଲେ ବି ଚଳନ୍ତା। ତଥାପି କାହିଁକି କେଜାଣି ହେଲମେଟ୍ ସହିତ ଏତେ ଆନ୍ତରିକତା। କିଛି ଦିନ ତଳର କଥା, ମନଟାକୁ ବେଶ୍ ଆନ୍ଦୋଳିତ କଲା। 

ବାପା ସଂପୂର୍ଣ୍ଣ ଅନ୍ଧ ହୋଇ ଯାଇଥିଲେ ମୃତ୍ୟୁ ପୂର୍ବରୁ। ମୁଁ ଠିକ୍ ଅଫିସ ବାହାରିବା ବେଳକୁ  ତାଜା ହେଇ ତାଙ୍କ ବିଛଣାରେ ବସନ୍ତି ସେ। କାହିଁକି ବସନ୍ତି କେଜାଣି ! ରହସ୍ୟଟା ଜାଣିବା ପାଇଁ ମୋ ଭିତରେ ଆଗ୍ରହ ବଢିଲା। ମୁଁ ଦିନେ ଗେଟ୍ ପାଖକୁ ଯାଇ ପଛକୁ ଅନେଇଲି, ବାପା କାନ୍ଥ ଧରି ଧରି ଜୋତା ଷ୍ଟାଣ୍ଡ ଉପରେ କିଛି ଗୋଟାଏ ଖୋଜୁଥିଲେ। ପୁଣି ଯାଇ ବସିଲେ ତାଙ୍କ ଖଟ ଉପରେ। 


ସେ କଣ ଖୋଜୁଥିଲେ ତେବେ ଜୋତା ଷ୍ଟାଣ୍ଡ ଉପରେ। ହେଲମେଟ !! କିନ୍ତୁ କାହିଁକି  ????? 

ଆଗ୍ରହ ଆହୁରି ବଢିଲା। ତା ପରଦିନ ପୁଣି ଥରେ ଗେଟ୍ ପାଖରୁ ଅ ନେଇଲି ଘର ଆଡକୁ। ବାପା କାନ୍ଥ ଧରି ଧରି ପୁଣି ଥରେ ଜୋତା ଷ୍ଟାଣ୍ଡ ପାଖରେ।

ତା ପରଦିନ ବାପାଙ୍କ ଉଦ୍ଦେଶ୍ୟ ଜାଣିବାକୁ ଚାହିଁଲି। ହେଲମେଟ ନ ଆଣି ବାହାରି ଆସିଲି ଗେଟ ପାଖକୁ। ଗେଟ୍ ପାଖରେ ଛିଡା ହୋଇ ରହିଲି। ବାପା ପଛରୁ ଚିତ୍କାର କଲେ, ଜିଘ୍ନା !! ହେଲମେଟ ଛାଡି ଯାଇଛୁ।

ମୁଁ ଦୌଡ଼ି ଆସିଲି, ବାପାଙ୍କ ପାଖକୁ.. ସରି, ବାପା !!!

ତାଙ୍କ ହାତରୁ ହେଲମେଟ ଧରୁ ଧରୁ ଦୁଇଟୋପା ଲୁହ ବହି ଆସିଲା ମୋ ଆଖିରୁ। ତାଙ୍କୁ ଜାଣିବାକୁ ଦେଲିନି, ମୁଁ କାନ୍ଦୁଛି ବୋଲି। ସାପ ଦେଖି ପାରିବ ନାହିଁ ବୋଲି,  ଅଣ୍ଡା ଉପରେ ଶୁଖିଲା ପତ୍ର ଥାପି ଦେଇ ନିଶ୍ଚିନ୍ତରେ ଆକାଶରେ ଉଡୁଥିବା ପକ୍ଷୀର ଖୁସିକୁ କଳନା କରିବା ସମ୍ଭବ ନୁହେଁ। ମୋ ବାପା ବୋଧେ ମୋ ସୁରକ୍ଷା ପାଇଁ ଚିନ୍ତିତ ଥିଲେ.. 


ସେଇଥିପାଇଁ ବୋଧେ ହେଲମେଟ ସହିତ ମୋର ଆନ୍ତରିକ ସମ୍ବନ୍ଧ। ସେଦିନର ସେଇ ଘଟଣା ମନ ଭିତରେ ଏମିତି ଛାପି ଯାଇଥିଲା ଯେ ହେଲମେଟ ଛାଡି ଯାଇଥିଲେ ଆପେ ଆପେ ମନେ ପଡିଯାଏ।


ଆଜି ଅଫିସରୁ ଫେରିବା ପରେ କାହିଁକି କେଜାଣି ବାପାଙ୍କ କଥା ଭାରି ମନେ ପଡିଲା। ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ତାଙ୍କ ଖଟ ଉପରେ ବସି ପଡିଲି। ସେ ଯିବା ଦିନଠୁ ବୋଉ ବି ଶୋଏନି ତାଙ୍କ ଖଟରେ। ବୋଉକୁ କୁଆଡେ ଭୟ ଲାଗେ। ବୋଉ ମୋ ପାଖରେ ଶୋଏ । ବୟସ୍କ ଖଟଟି, ଜେଜେ ବାପାଙ୍କ ଅମଳର। ଖଟ ଟି ଖୁବ୍ ନିର୍ଭୀକ ଲାଗୁଥିଲା ଠିକ୍ ମୋ ବାପାଙ୍କ ପରି। ତାଙ୍କ ଦେହର ବାସ୍ନା ପରସ୍ତ ପରସ୍ତ ହେଇ ଲାଖି ରହିଛି ଏଇ ଖଟ ଉପରେ। କିଛି ସ୍ନେହ ଜମା ହେଇଗଲେ ହେଲେ ତରଳେନି ବୋଧେ। ବାସ୍ନା ସାଥିରେ ସ୍ନେହର ପ୍ରଲେପ, ଜୀବନ୍ତ ଲାଗୁଥିଲା ବାପାଙ୍କ ଏଇ ପୁରୁଣା ଖଟଟି, ଯେମିତି ବାପା ମୋ ପାଖରେ ବସି କିଛି ଅଡୁଆ ପ୍ରଶ୍ନ ପଚାରି ମୋତେ ଆକଟ କରୁଛନ୍ତି। ମୋର ବୟସ ହେଇଗଲାଣି ବୋଧେ। ମୁଁ କୁଆଡେ ଖରାପ ରାସ୍ତାରେ ଚାଲି ଯିବିକି ଆଉ.... !!!!


ତାଙ୍କ କପଡା ଥାକରେ କିଛି ଇଅର୍ ବଡ, ଦାନ୍ତ ଖୁଣ୍ଟା କାଠି ଏଣେ ତେଣେ ହୋଇ ପଡିଛି। ନୂଆ କଳା ଚଷମା, ଆଖିରେ ଲଗେଇ ବସୁଥି ଲେ ସେ ବାରଣ୍ଡାରେ। ରେକ୍ ରେ ସେମିତି ପଡ଼ି ରହିଛି। ଥରେ ଦୁଇଥର ବ୍ୟବହାର କରିଥିଲେ ସେ। ବୋଉ ବୋଧେ ଭୁଲି ଯାଇଛି ଚଷମାଟି ବାପାଙ୍କୁ ଦେବାକୁ, କାହିଁକି କେଜାଣି। ବାପା ଛ ମାସ ଆଗରୁ ସଂପୂର୍ଣ୍ଣ ଠିକ୍ ଥିଲେ। ହଠାତ୍ ଆଖି ଶୁଖି ଗଲା ଓ ଦୃଷ୍ଟି ଶକ୍ତି ହରେଇ ବସିଲେ। ହଁ ଏଇ ଚଷମା ପିନ୍ଧା ଫଟୋଟି କାନ୍ଥରେ ଝୁଲୁଛି। ବାପାଙ୍କ ଶେଷ ଫଟୋ। ନିୟନ୍ତ୍ରଣ କରି ପାରିଲିନି, ଆଖିରୁ ଦୁଇ ଟୋପା ଲୁହ ବହି ଆସିଲା।  ଶୁଣି ଥିଲି ଦଲ ଦଲ କାଦୁଅ ଭିତରେ ନିର୍ଜୀବ ଭାବେ ଛିଡା ହେବାକୁ ପଡେ ବୋଲି, ହଲଚଲ ହେଲେ ସଂପୂର୍ଣ୍ଣ ଦେହଟାକୁ ଗିଳି ଦିଏ ସେ। ଯନ୍ତ୍ରଣାର କାଦୁଅ ଭିତରେ ମୁଁ ନିରବ ନିଶ୍ଚଳ ହେଇଗଲି, ଭୟରେ।


କୁଞ୍ଚା ମୋଡା ହୋଇ କାଗଜଟିଏ ପଡ଼ିଥିଲା ତାଙ୍କ ଲୁଗା ଥାକରେ। ଖୋଲି ଦେଖିଲି। ହାତ ଲେଖା ଚିଠି,  ବାପା ମୋତେ ଲେଖିଛନ୍ତି !!! ୨୨.୦୮.୨୦୨୨। ସେତେବେଳେ ଚିକିତ୍ସାଧୀନ ଥିଲେ ବି ତାଙ୍କ ଦୃଷ୍ଟି ଶକ୍ତି ଆଂଶିକ ଠିକ୍ ଥିଲା।  ଆଗ୍ରହ ସହ ପଢିବାକୁ ବସିଲି ।


ଜିଘ୍ନା ବହୁତ ବଡ ଭୁଲ ହେଇ ଯାଇଛି। ଟିକେ ଅପେକ୍ଷା କର୍ । ସବୁ କହିବି। ବିନା ହେଲମେଟରେ ଡ୍ରାଇଭ୍ କରିବାର ଫଳ ମୁଁ ଏବେ ଭୁଗୁଛି। ଘରେ କାହାକୁ କହିନାହିଁ ଯେ ମୁଁ ସ୍କୁଟରରୁ ଖସି ପଡ଼ିଥିଲି। ଡାକ୍ତର କହିଲେ ଆଖି ସହିତ ମସ୍ତିଷ୍କର ଯୋଗାଯୋଗ ସଂପୂର୍ଣ୍ଣ ବିଛନ୍ନ ହେବା ଉପରେ। ଅତି ବେଶୀରେ ମାସେ, ତା ପରେ ସବୁଦିନ ପାଇଁ ମୁଁ ଦୃଷ୍ଟିଶକ୍ତି ହରେଇ ବସିବି। ମୁଁ ନେହୁରା ହେଲି ଡାକ୍ତରଙ୍କ ପାଖରେ। କହିଲି, ମୋ ଝିଅ ନାଚ ଅଡିସନ୍ ରେ ଯୋଗ୍ୟ ବିବେଚିତ ହେଇଛି। ଦୁଇମାସ ପରେ ଦୂରଦର୍ଶନର ଗୋଟାଏ  ପ୍ରତିଯୋଗିତାରେ ନାଚିବ। ମୁଁ ନିଜ ଆଖିରେ ମୋ ଝିଅର ସଫଳତାକୁ ଦେଖିବାକୁ ଚାହେଁ। ଡାକ୍ତର  ! କିଛି ଉପାୟ ଥିଲେ କୁହନ୍ତୁ। ମୁଁ ନେହୁରା ହେବା ଦେଖି ଡାକ୍ତର କହିଲେ ଗୋଟାଏ ଶକ୍ତିଶାଳୀ ଔଷଧ ଦେଇ ଦୁଇ ତିନି ମାସ ପର୍ଯ୍ୟନ୍ତ ଦୃଷ୍ଟିଶକ୍ତି କୁ ଅକ୍ଷତ ରଖା ଯାଇପାରେ, କିନ୍ତୁ ସେଇ ଔଷଧଟା ଆପଣଙ୍କ ପାଇଁ ଘାତକ ବି ହେଇପାରେ।  ଜୀଘ୍ନା ! ମୁଁ ଆଉ କଣ କରିଥାନ୍ତି ଯେ, ସଫଳତାର ଶୀର୍ଷରେ ମୁଁ ମୋ ଝିଅ ଜିଘ୍ନା କୁ ନିଜ ଆଖିରେ ଦେଖିବାକୁ ବ୍ୟଗ୍ର ଥିଲି। ହଁ ଭରିଲି ଡାକ୍ତରଙ୍କ ପାଖରେ, ଜୀବନକୁ ବାଜି ଲଗେଇ। 

ଡାକ୍ତର ଶକ୍ତିଶାଳୀ ଇଞ୍ଜେକସନ ଦେଲେ। ମନ ଭରି ଦୂରଦର୍ଶନରେ ତୋ ନାଚ ଦେଖିଲି, ତୁ ପ୍ରଥମ ପୁରସ୍କାର ପାଇଲୁ। ମୋ ନିଜ ଆଖିରେ ମୁଁ ତତେ ଦେଖିଲି। ଜଜ୍ ମାନେ ମତେ ଡାକିଲେ ମଞ୍ଚ ଉପରକୁ, ଛାତିଟା କାହିଁକି କେଜାଣି କୁଣ୍ଢେ  ମୋଟା ହେଇଗଲା।  ସ୍ବପ୍ନ ସତ ହେଲେ ଲାଗେ ଯେମିତି କିଛି ମିଛ ନୁହେଁ ଏଇ ଦୁନିଆରେ। ସବୁ କଥା ସୂର୍ଯ୍ୟ, ଚନ୍ଦ୍ର ପରି ସତ । ମିଥ୍ୟା ଏକ ଋଗ୍ଣ ମାନସିକତା ର କ୍ରୁର ଅବଶେଷ। ଜୀବାଶ୍ମ ପାଲଟି ଯାଏ ତାକୁ ଢାଙ୍କି ଦେଲେ। ସତ ଅଙ୍କୁରିତ ହୁଏ ଜୀବାଶ୍ମ ଭିତରୁ। ମୋ ସ୍ଵପ୍ନ ବି ସତ ହେଇଛି ଜିଘ୍ନା.. 


ମୋତେ ଆହୁରି ଭଲ ଲାଗିଲା ଯେତେବେଳେ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଆମ ସହରରେ ତାଙ୍କ ଦ୍ଵାରା ପରିଚାଳିତ ଗୋଟାଏ ନାଚ ଏକାଡେମୀ ରେ ତୋତେ ଚାକିରୀ ଦେଲେ। ତା ପରେ ମୋର ଅବଶୋଷ କୋଉଠି ! ସେଇ ଶକ୍ତିଶାଳୀ ଔଷଧ ପ୍ରଭାବରେ ଏବେ ଯଦି ମୋର କିଛି ହେଇଯାଏ ତେବେ ଆଉ ଚିନ୍ତା କାହିଁକି ? ଜଳୁଥିବା ସଲିତା ଅଚାନକ ଲିଭିଗଲେ କଣ ହେଲା, ପ୍ରଦୀପର କୋଳରେ ହିଁ ଚିର ନିଦ୍ରା ନିଏ। ମୁଁ ବି ତୋ ପାଖେ ପାଖେ ରହିବି, ତ ମନ ଭିତରେ, ତୋ ହୃଦୟ ଭିତରେ।


ତୋ ଇଚ୍ଛା, ଅଭିପ୍ସା ଠୁ ସଫଳତାର ଦୂରତା ମାପୁ ମାପୁ କେତେବେଳେ ଯେ ମୋ ବୟସ ତାଳ ବରଡା ପରି ଖସି ଗଲାଣି ଜାଣି ପାରିନି। ଅବଶିଷ୍ଟ ଜୀବନ ଅନିଶ୍ଚିତ। ଅଚାନକ ଚଡ଼କ ହିଁ ପଡେ ସେଇ ତାଳ ଗଛ ଉପରେ।


ମୋ ହାତ ଧରି ଗାଆଁ ଦାଣ୍ଡରେ ଚାଲୁଥିବା ବେଳେ ଥରେ ତୁ କହିଥିଲୁ ନା, ବାପା ! ମୋ ନାଚ ଶିକ୍ଷା ପାଇଁ ତମେ ଏତେ ଖର୍ଚ୍ଚ କରୁଛ, ଦିନେ ନା ଦିନେ ସଫଳତାର ଶୀର୍ଷକୁ ଛୁଇଁବି , ତମେ ଗାଲେରିରେ ବସି ତାଳି ମାରି ମାରି ବେଦମ୍ ହେଇଯିବ।

ମୁଁ କହିଥିଲି, ନିଶ୍ଚୟ ଦେଖିବି। ତତେ ସଫଳତାର ଶୀର୍ଷରେ ଦେଖିବାର ଇଚ୍ଛା ଏତେ ପ୍ରବଳତର ହେଇ ଉଠିଲା ଯେ ମୁଁ ଭୁଲ ସିଦ୍ଧାନ୍ତ ଟିଏ ନେବାକୁ ବାଧ୍ୟ ହେଲି ଡାକ୍ତରଙ୍କ ପାଖରେ। ସଂପୂର୍ଣ୍ଣ ଦୃଷ୍ଟିହୀନ ହେବା ପରେ କଣ ଆଉ ଦେଖିଥାନ୍ତି ଯେ...

ଜିଘ୍ନା ! ଏତେ ବଡ ରିସ୍କ ନେଇଛି, ଆଗକୁ କଣ ହେବ କେଜାଣି। ହଁ, ଏଇଟା ଯଦି ମୋର ଭୁଲ ହେଇଥାଏ, ତେବେ ମୋ ଝିଅ ପାଇଁ ଏମିତି ଭୁଲ ବାର ବାର କରିବି । ......"


ଏଁ, ମୋ ବାପା ତାହେଲେ ବଞ୍ଚି ଥାଆନ୍ତେ, ଆଖି ଓଦା ହୋଇ ଯାଇଥିଲା ଲୁହରେ, ଅଧା ଲେଖିବା ପରେ ସବୁ କଥା  ଲୁଚେଇ ରଖିବା ପାଇଁ ବୋଧେ ଉଚିତ୍ ମନେ କରିଥିଲେ ମୋ ବାପା। ଚିଠି ଟା ସଂପୂର୍ଣ୍ଣ ନ କରି କୁଂଚା ମୋଚା କରି ଫିଙ୍ଗି ଦେଇଥିଲେ ବୋଧେ ରେକ ଭିତରକୁ !!!


ଓଃ, ହେଲମେଟ ଘଟଣାଟି ବୋଧେ ସବୁବେଳେ ତାଙ୍କୁ ବିବ୍ରତ କରୁଥିଲା। ସେଇଥି ପାଇଁ ହୁଏତ ସବୁଦିନ ମୁଁ ଅଫିସ ଯିବା ସମୟରେ କାନ୍ଥ ଧରି ଧରି ଆସି ଦେଖୁଥିଲେ, ମୁଁ ହେଲମେଟ ନେଇଛି କି ନାହିଁ। ଆଉ ନିୟନ୍ତ୍ରଣ କରି ପାରିଲିନାହିଁ ମୁଁ  ନିଜକୁ।  ଦୁଇଟୋପା ଲୁହ ବହି ଆସିଲା ଗାଲ ଦେଇ ଅଜାଣତରେ। ବୋଉ ପଶି ଆସିଲା ଘର ଭିତରକୁ, ମୁଁ ବାପାଙ୍କ ସେଇ ଚିଠି ଟିକୁ ଲୁଚେଇ ଦେଲି ମୋ ହାତ ମୁଠାରେ। ବୋଉ ମୋତେ କୋଳେଇ ନେଲା, ଭାବୁଥିଲା ଜିଘ୍ନା ବାପାଙ୍କୁ ମନେ ପକେଇ କାନ୍ଦୁଛି ବୋଧେ। ମୁଁ କିନ୍ତୁ ବାପାଙ୍କ ମନଭିତରେ ଲୁଚି ରହିଥିବା ଅନେକ ଅକୁହା କଥା ବାବଦରେ ଭାବୁଥିଲି...।



Rate this content
Log in

Similar oriya story from Tragedy