Nityananda Nandi

Classics Inspirational

4  

Nityananda Nandi

Classics Inspirational

ଏକଲବ୍ୟ

ଏକଲବ୍ୟ

4 mins
399



ଆଜି ବୁଝିଲି, ନାଁ ଟା କାହିଁକି ତା ବାପା ମା ଏକଲବ୍ୟ 

ରଖିଥିଲେ। ନିୟନ୍ତ୍ରଣ କରିନେଲି ମୁଁ ନିଜକୁ। ଛୋଟ ବେଳଠୁ ମୋ ପାଖରେ ରହି ଧନୁର୍ବିଦ୍ୟା ଶିଖୁଛି ଏକଲବ୍ୟ, ମୋ ପୁଅ ସାଥିରେ।


ତା ବାପା କହୁଥିଲେ ସେତେବେଳେ ସେ ରିକେଟ ରୋଗରେ ଆକ୍ରାନ୍ତ ହେଇ ନ ଥିଲା। ବର୍ଷକର ହେଇଥାଏ ସେ। ଅଙ୍କା ବଙ୍କା ଭାବେ ଧୀରେ ଧୀରେ ପାଦ ଥାପି ଘର ଅଗଣାରେ ଦିନ ସାରା ଘୁରି ବୁଲୁଥିଲା ଏକଲବ୍ୟ। କୁଡିଆ ଘର ତାଟି ପାଖ ଦେଇ କେହି ଚାଲି ଯାଉ ଥିଲେ ଆ ଆ କରି ଡାକୁଥିଲା ସମସ୍ତଙ୍କୁ। ଗୁଲୁ ଗୁଲିଆ ଛୁଆକୁ ଦେଖି ଗୋଟାଏ ମୁହୂର୍ତ୍ତ ହେଲେ ବି ଅଟକି ଯାଉଥିଲେ ପଦାତିକ ମାନେ। କାହାକୁ ହାତ ପା'ନ୍ତା ରେ ଥିବା ମନ୍ଦାର ଫୁଲ ତୋଳି ଦେଉଥିଲା ତ କାହାକୁ ହାତ ଯୋଡି ନମସ୍କାର କରୁଥିଲା ସେ। ଆଉ କାହାକୁ ଉଡୁଥିବା ପ୍ରଜାପତିକୁ ଧରି ଉପହାର ଦେବାକୁ ଚାହୁଁଥିଲା । ଉଡୁଥିବା ପ୍ରଜାପତିକୁ କଣ ଧରି ହୁଏ, ନିଜକୁ ନିୟନ୍ତ୍ରଣ କରି ନ ପାରି ଭୂଇଁ ରେ ପଡ଼ିଯାଇ ହସି ହସି ଉଠି ପଡୁ ଥିଲା ସେ। ଦେହରେ ଲାଗି ଯାଇଥିବା ଧୁଳିକୁ ଝାଡି ହୁଏ। ଭିକାରି ଆସିଲେ କୁଡିଆ ଭିତରକୁ ଦଉଡି ଯାଇ ଚାଉଳ ହାଣ୍ଡିରୁ ମୁଠାଏ ଚାଉଳ ଦେଇ ଭିକାରୀକୁ ହାତ ଯୋଡି ନମସ୍କାର କରେ। ତା ବାପା ବୋଉ ଦୂରରୁ ଦେଖି ଖାଲି ହସନ୍ତି ବାସ୍। ତା ଭିତରେ ବୋଧେ ତ୍ୟାଗ ଗୁଣ ଭରି ହେଇଥିଲା, ବାପା ମା ତାକୁ ଏକଲବ୍ୟ ନାଆଁ ଦେଲେ.. ଅଟ୍ଟାଳିକା ଯେତେ ଉଚ୍ଚା ହେଲେ ବି ଆକାଶ କୁ ଅତିକ୍ରମ କରି ଯାଇ ପାରେନା, ଆକାଶର ତଳେ ହିଁ ରହେ। ଜଣେ ଗୁଣ ବାନ୍ ମଣିଷର ଡେଙ୍ଗୁରା କିନ୍ତୁ ଜହ୍ନ ପର୍ଯ୍ୟନ୍ତ ଶୁଭେ।


ଆଉ ନିୟନ୍ତ୍ରଣ କରିହେଲାଣି, ଆଖିରୁ ଦୁଇ ଟୋପା ଅମାନିଆ ଲୁହ ବହି ଆସିଲା।


ମୋ ପୁଅ ବି ତାରି ବୟସର ଥିଲା ସେତେବେଳେ। ଅଚାନକ ରିକେଟ୍ ରୋଗରେ ଆକ୍ରାନ୍ତ ହେଲେ ପ୍ରାୟ ଆମ ଆଦିବାସୀ ସାହିରେ ସବୁ ପିଲାମାନେ ସେଇ ବର୍ଷ, କାହିଁକି କେଜାଣି। ପାହାଡ଼ରେ ଚାରି ପାଞ୍ଚ ମାସ ବର୍ଷା ଲାଗି ରହିଥିଲା। ଭୁବନେଶ୍ୱର ରୁ ଡାକ୍ତର ଦଳ ଆସି କହିଲେ, ଖରା ନାହିଁ ବୋଲି ଭିଟାମିନ ଡି ଅଭାବରେ ଏମାନେ ସବୁ ଆକ୍ରାନ୍ତ ହୋଇଛନ୍ତି ଏଇ ରୋଗରେ।

ମୋ ଗୁରୁକୁଳ ଆଶ୍ରମରେ ସବୁ ଟିକେଟ ଆକ୍ରାନ୍ତ ପିଲାମାନେ ଧନୁର୍ବିଦ୍ୟା ଶିଖିଲେ। ପାଞ୍ଚ ସାତ ବର୍ଷ କଟିଗଲା ଏହା ଭିତରେ।


ପ୍ରାୟ କୋଡିଏ ଜଣ ଦିବ୍ୟାଙ୍ଗ ପିଲା ଧନୁର୍ବିଦ୍ୟା ଶିଖୁଥିଲେ ମୋ ପାଖରେ। ଏକଲବ୍ୟ ମଧ୍ୟ ଶିଖୁଥିଲା ସେମାନଙ୍କ ସହିତ। ଭାରି ବିଚକ୍ଷଣ ବୁଦ୍ଧି। ତୀର ମାରିବାରେ ଧୁରନ୍ଦର । ସମସ୍ତେ ଗରିବ, କାହାଠୁ ପଇସା ନେବି, ସୁତରାଂ ସମସ୍ତେ ମାଗଣାରେ ଶିଖୁ ଥିଲେ ମୋ ପାଖରେ। କଥାଟି ସରକାରଙ୍କ ଦୃଷ୍ଟିରେ ପଡିଲା। ଏତେ ଛୋଟ ପିଲାମାନେ, ସମସ୍ତେ ଦିବ୍ୟାଙ୍ଗ। ତଥାପି ପାରଙ୍ଗମ ଧନୁର୍ବିଦ୍ୟାରେ। ଏଇମାନେ ଦେଶର ଭବିଷ୍ୟତ। ଆଗେ ଯାଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ ଅଲିମ୍ପିକରେ ଭାଗ ନେଇ ପାରିବେ। ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ଗୋଟାଏ ପ୍ରତିଯୋଗିତାର ଆୟୋଜନ କଲେ।

ଯିଏ ପ୍ରଥମ ହେବ, ସରକାର ତାକୁ ପଚାଶ ହଜାର ଟଙ୍କା ପ୍ରଦାନ କରିବେ। ରାଜ୍ୟର ସବୁ ଖବର କାଗଜରେ ନାଁ ପ୍ରକାଶ ପାଇବ।


ମୋ ପୁଅ ନ ହେଲେ ଏକଲବ୍ୟ ପ୍ରଥମ ହେବ ବୋଲି ନିଶ୍ଚିତ ହୋଇଗଲି ମୁଁ। ଏକଲବ୍ୟ ଅତି ପାରଙ୍ଗମ ଧନୁର୍ବିଦ୍ୟାରେ। ମୋ ପୁଅ ବି ତା ସମକକ୍ଷ କିନ୍ତୁ ତାକୁ କେବେ ହରେଇ ପାରେନି। ମୋ ପୁଅର ଭାରି ଈର୍ଷ୍ୟା ହେଲା ଏକଲବ୍ୟ ଉପରେ। କେତେଥର ହାତ ଧରି ଅନ୍ତରଙ୍ଗ ସାଥୀ ପ୍ରତିଯୋଗୀ କୁ ସାହାରା ଦେଲେ ବି ମନ ଭିତରଟା ଆନ୍ଦୋଳିତ ହୁଏ ପ୍ରଥମେ ଯାଇ ଏଭାରେଷ୍ଟ ଚୁଟିକୁ ଛୁଇଁବା ପାଇଁ। ମୋ ପୁଅ ଭୁଲିଗଲା କିଛି କ୍ଷଣ ପାଇଁ ଯେ ଏକଲବ୍ୟ ତା'ର ଅନ୍ତରଙ୍ଗ ସାଥୀ ବୋଲି।


ଆଜି ଗୁରୁ ପୂର୍ଣ୍ଣିମା, ପ୍ରତିଯୋଗିତା ଆରମ୍ଭ ହେଲା ବେଳକୁ ଏକଲବ୍ୟ ଆସିନି ଶୁଣି ବସ୍ତି ଲୋକେ ସମସ୍ତେ ବ୍ୟତିବ୍ୟସ୍ତ ହେଲେ। କିଏ ଜଣେ କହିଲା ଯେ ଏକଲବ୍ୟ ର ଡାହାଣ ହାତ ବୁଢା ଆଙ୍ଗୁଠି ଟା କଟି ଯାଇଛି। ଅଭ୍ୟାସ ସମୟରେ ଧାରୁଆ ଶର ଲାଗିଛି ତା ଆଙ୍ଗୁଳିରେ। ସେ ଖେଳି ପାରିବ ନାହିଁ। ସୁତରାଂ ମୋ ପୁଅ ହିଁ ପ୍ରଥମ ହେଲା। ଗହଳି ଭିତରେ ଲୁଚି ଲୁଚି ପ୍ରତିଯୋଗିତା କୁ ଉପଭୋଗ କରୁଥିଲା ଏକଲବ୍ୟ। ହାତ ଆଙ୍ଗୁଳି ଉପରେ କନା ଗୁଡେଇଛି। ଖବର ପାଇ ଶିଷ୍ୟ ଏକଲବ୍ୟକୁ ମୋ ପାଖରେ ବସେଇଲି। ସଂପୂର୍ଣ୍ଣ ଆକାଶ କୁ ଜିତି ନେବାର ଦକ୍ଷତା ରଖିଥିବା ବାଳକ ନିଜେ ବି ଜାଣିନି ସେ ଏତେ ବଡ ଯୁଦ୍ଧା ବୋଲି। ଜହ୍ନ ନିଜେ ବି ଜାଣି ନ ଥାଏ, ସାରା ବିଶ୍ବ ତାକୁ ପସନ୍ଦ କରନ୍ତି...। 


ପ୍ରତିଯୋଗିତା ଶେଷ ହେଲା। ପୁରସ୍କାର ବିତରଣ ମୁହୂର୍ତ୍ତରେ କୋଳାହଳମୟ ହୋଇ ଉଠିଲା ଜାଗାଟି। ପ୍ରଥମ ପୁରସ୍କାର ପାଇଁ ମୋ ପୁଅର ନାଁ ଶୁଣି ଛାତିଟା କୁଣ୍ଢେ ମୋଟା ହେଇଗଲା ସିନା ମନଟା କିନ୍ତୁ ବୁଝୁ ନ ଥିଲା ଏକଲବ୍ୟ ପାଇଁ। ଯେତେ ଯାହା ହେଲେ ବି ମୋ ପ୍ରିୟ ଶିଷ୍ୟ ତ !!


ଏକଲବ୍ୟ, କଣ ହେଲା କହ ! କେମିତି କାଟିଲା ତୋ ଆଙ୍ଗୁଠି !

ହାତ ଧରି ତା ଘା ଉପରୁ କନା ପଟି ଉଠେଇ ଦେଖିଲି, ନା ତ ! କିଛି ଚୋଟ ଲାଗିନି ତୋ ଆଙ୍ଗୁଳିରେ ! ତେବେ ଏ ଅଭିନୟ କାହିଁକି ଏକଲବ୍ୟ ! କାନ୍ଦି ପକେଇଲା ସେ।


କହ , କଣ ହେଇଛି କହ ! 

ସେ ଖାଲି କାନ୍ଦୁଥାଏ। 

କଣ ହେଇଛି କହିବାକୁ ପଡିବ ଏକଲବ୍ୟ।


ଗୁରୁଦେବ ! କାଲି ସଞ୍ଜରେ ମୁଁ ଆପଣଙ୍କ ଘରକୁ ଆସିଥିଲି। ଆପଣଙ୍କ ପୁଅ ନଟବର କାନ୍ଦୁଥିଲା, କାହିଁକି କେଜାଣି। କାନ୍ଥ ପାଖରେ କାନ ଡେରି ଶୁଣିଲି, ସେ ଆପଣଙ୍କୁ କହୁଥିଲା "ବାପା ! ଡାକ୍ତର କହିଛନ୍ତି ରିକେଟ୍ ରୋଗଟା ମୋ ହାଡ ଭିତରେ ଏତେ ମାତ୍ରାରେ ବ୍ୟାପି ଯାଇଛି ଯେ କିଛି ଦିନ ଭିତରେ ମୁଁ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହେଇଯିବି। ମୋ ହାତ ଆଉ ଚାଲିବ ନାହିଁ। କାଲି ପ୍ରତିଯୋଗିତାରେ ମୁଁ ପ୍ରଥମ ହେବାକୁ ଚାହୁଁଛି, ଜୀବନରେ ଆଉ ଏଇ ସୁଯୋଗ ଆସିବ କି ନା ମୁଁ ଜାଣିନି। ପଚାଶ ହଜାର ଟଙ୍କା ପାଇଲେ ଆମ କୁଡିଆ ଘରଟା ତମେ ମରାମତି କରି ପାରିବ। କେତେଦିନ ଆଉ ଏଇ ଭଙ୍ଗା କୁଡ଼ିଆରେ ରହିବ ତମେ ??

ବାପା ! ଗୁରୁ ପୂର୍ଣ୍ଣିମାରେ ତୁମ ପାଇଁ ମୋ ତରଫରୁ ଏଇଟା ଉପହାର ଟିଏ ହୁଅନ୍ତା" !


ଗୁରୁଦେବ ! ତା ଆଖିରେ କୋହ ଦେଖି ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଲି। ମୁଁ ଯଦି ଭାଗ ନିଏ, ପ୍ରତିଯୋଗିତାରେ ସେ ହାରି ଯାଇପାରେ। ତା ଆଶା ସବୁଦିନ ପାଇଁ ଆଶାରେ ହିଁ ରହିଯିବ। 

ଗୁରୁଦେବ ! ଆପଣଙ୍କ ପୁଅ ନଟବର ପାଇଁ ମୁଁ ଏଇ ଅଭିନୟ କରିଛି। 


ଲୁହ ଆଉ ସମ୍ଭାଳି ହେଲାନି ! ହାରିବାର ଅର୍ଥ ଜାଣି ନ ଥିବା ମଣିଷ ର ହାରିଯିବା ପଛରେ ଏତେ ବଡ ତ୍ୟାଗ ଲୁଚି ରହିଛି ! ପ୍ରଥମ ଓ ଶେଷ ପ୍ରତିଯୋଗିତାରେ ଭାଗ ନେଇଥିବା ଟିକେଟ ରୋଗରେ ସମ୍ପୂର୍ଣ୍ଣ ଆକ୍ରାନ୍ତ ମୋ ପୁଅ କୁ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଦେଖିବା ପାଇଁ ଛୋଟ ବାଳକର ଏତେ ବଡ ଅଭିନୟ। ମୋ ପୁଅ ହୁଏତ ଜୀବନରେ ଆଉ କେବେ କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବ ନାହିଁ ବୋଲି ତିଳ ତିଳ ଅନୁଭବ କରିଛି ଏକଲବ୍ୟ।


ଏକଲବ୍ୟ ! ମୋ ପୁଅର ଗୁରୁ ଦକ୍ଷିଣା ଠାରୁ କେତେ ବଡ଼ ତୋ ଗୁରୁ ଦକ୍ଷିଣା। କୋଉ ବାପା ଚାହେଁନି କହିଲୁ ନିଜ ପୁଅ ପ୍ରତିଯୋଗିତା ଜିତୁ ବୋଲି ! କେତେ ସହଜ ତୁ କରିଦେଲୁ ମୋ ପୁଅ ପାଇଁ। ମିଛି ମିଚ୍ଛିକା ଆଙ୍ଗୁଳି କାଟି ତୁ ଆଜି ମୋତେ ଯାହା ଦେଇଛୁ, ତା ଠୁ ବଡ କିଛି କାହାଠୁ କେବେ ମୁଁ ପାଇନି। ଧନ୍ୟରେ ତୁ ଏକଲବ୍ୟ..... ସ୍ନେହରେ ତା ଗାଲ ଟାଣି ଦେଲି, ସର୍ବ ସମକ୍ଷରେ। ମୋ ପାଖରେ ବସିଥିବା ଆମ ବସ୍ତିର କିଛି ଲୋକ କରତାଳି ଦେଲେ ଏକଲବ୍ୟ ପାଇଁ, କିଛି ଲୋକଙ୍କ ଆଖି ବି ଓଦା ହେଇ ଆସୁଥିଲା ଧୀରେ ଧୀରେ...।


Rate this content
Log in

Similar oriya story from Classics