Nityananda Nandi

Inspirational Others

5  

Nityananda Nandi

Inspirational Others

ସୁଲୋଚନା

ସୁଲୋଚନା

6 mins
15


ଘର ଆଗ ସାହାଡ଼ା ଗଛ ଉପରେ ପେଚା ବସିଥିଲା ବୋଲି ସୁରେନ୍ଦ୍ର ବାବୁ  ପୁଅବୋହୂ ମାନଙ୍କୁ କହୁଥିଲେ। ଏମିତି ଅଘଟଣ ଘଟିବ ବୋଲି ତାଙ୍କୁ କୁଆଡେ ଆଗରୁ ଜଣାଥିଲା...ପିଲା ଦିନରୁ ତାଙ୍କ ହାତ ବାହୁରେ ବନ୍ଧା ଥିବା ଡେଉଁରିଆ ଗତ ସପ୍ତାହରେ କୁଆଡେ ଖସି ପଡିଛି। ଏଇଟା ବି ଅଶୁଭ ବୋଲି ସେ ଗପୁଥିଲେ।

ସଂଜ ଦେବାକୁ ବି ଭୁଲି ଯାଇଛନ୍ତି ସମସ୍ତେ। ଧୂପ, କର୍ପୂର ସୁଗନ୍ଧ ମହକୁଥାଏ ତୁଳସୀ ଚଉରା ପାଖରୁ ସବୁଦିନ ଏଇ ଗୋଧୂଳି ବେଳେ। ଛୋଟିଆ ଛୋଟିଆ ଦୁଇ ତିନିଟି ଶଙ୍ଖ ଶବ୍ଦ ପରେ ପଡୋଶୀଙ୍କ ମନ୍ଦିର ଘରୁ ଘଣ୍ଟା ବାଜିବାର ଶବ୍ଦ ଆସେ। ଆଜି  ବୋଧେ ସେମାନେ ମଧ୍ୟ ଭୁଲି ଯାଇଛନ୍ତି..... ନା ଘଣ୍ଟା ନା ହୁଳହୁଳି ଶବ୍ଦ।


ସବୁଦିନ ପରି ଗତକାଲି ପୁଅ, ବୋହୂ, ନାତି ନାତୁଣୀ ଭିଡିଓ କଲ୍ କରି ସୌଦାମିନୀଙ୍କ ସହ ମଜା ଥଟ୍ଟା କରିବା ପରେ ହିଁ ତାଙ୍କର ମଥା ବୁଲେଇଲା। ତା ପରେ ଅଚେତ୍ ହେଇଗଲେ। ଏକା ସୁରେନ୍ଦ୍ର ବାବୁ। କଣ କରିବେ ଭାବୁ ଭାବୁ ଗାଆଁ ଚଗଲା ଡାକ୍ତରକୁ ଫୋନ୍ ଲଗେଇଲେ। ତାଙ୍କର ଅତି ପ୍ରିୟ ଛାତ୍ର ଚଗଲା। ସରକାରୀ ଡ଼ାକ୍ତର। କଳାହାଣ୍ଡିରେ ପୋଷ୍ଟିଂ । ଛୁଟିରେ ଘରକୁ ଆସିଛି। ସେ ଆସି କହିଲା ବ୍ରେନ୍ ଷ୍ଟ୍ରୋକ ହେଇଛି ମାଉସୀଙ୍କର। ପ୍ରେସର୍ ଔଷଧ ଦେଲେ। ଚେତା ଆସିଲା କିନ୍ତୁ ଗୋଟାଏ ଗୋଡ କାମ କରୁନି। ଚଗଲା କହିଲା, ସାର୍ ଯାହା ହେବାର ଥିଲା ହେଇଗଲା।  ଔଷଧ ଲେଖି ଦେଇଛି , ତିନି ମାସ ପର୍ଯ୍ୟନ୍ତ ଖାଇବାକୁ ହେବ। ଏବେ ତାଙ୍କର ଯତ୍ନ ନେବାକୁ ହେବ। କିଛି ବ୍ୟାୟାମ ଓ ମାଲିସ୍ ପଦ୍ଧତି ମୁଁ ବତେଇ ଦେଉଛି। ମାସେ ଭିତରେ ଗୋଡରେ କିଛି ନା କିଛି ଶକ୍ତି ଆସିବ। ଧିରେ ଧିରେ ଚାଲି ବି ପାରିବେ। ଏମିତି ଅନେକ ରୋଗୀ ମୋ ପାଖକୁ ଆସନ୍ତି। ସଂପୂର୍ଣ୍ଣ ଠିକ୍ ନ ହେଲେ ବି ଆଂଶିକ ଠିକ୍ ହେଇ ଯାଆନ୍ତି। ଭଗବାନ୍ କରନ୍ତୁ, ମାଉସୀ ଶୀଘ୍ର ଠିକ୍ ହେଇଯିବେ। ଖାଲି ଟିକିଏ ଯତ୍ନ ନେବାକୁ ହେବ।


ଖବର ପାଇ ସମସ୍ତେ ଆସିଛନ୍ତି। ଆଲୋଚନା ଚାଲିଛି ତିନି ମାସ ପାଇଁ କିଏ ତାଙ୍କ ପାଖରେ ରହି ସୌଦାମିନୀଙ୍କ ଯତ୍ନ ନେବ। ତା ପରେ ପୁଣି କଣ ହେବ,କେଜାଣି। ମଝିଆଁ ବୋହୂ ସୁଲୋଚନା ସୁପରଭାଇଜର ରୂପେ କାମ କରନ୍ତି ଅଙ୍ଗନୱାଡ଼ି କେନ୍ଦ୍ରରେ । ଅଶି କିଲୋମିଟର ହେବ ତାଙ୍କ ଗାଁ'ରୁ। ମଝିଆଁ ପୁଅ କଲେକ୍ଟର ଅଫିସରେ କାମ କରୁଥିଲେ। ବଡ଼ବାବୁ। ରାସ୍ତା ଦୁର୍ଘଟଣାରେ ଅଚାନକ ମୃତ୍ୟୁ ପରେ ସରକାର ତାଙ୍କ ସ୍ତ୍ରୀଙ୍କୁ ଦୟାପରବଶ ହେଇ ଅଙ୍ଗନୱାଡ଼ିରେ ଚାକିରୀ ଦେଲେ। ସୁଲୋଚନା ବି ଆସିଛନ୍ତି ଶାଶୁଙ୍କୁ ଦେଖିବା ପାଇଁ। ଝିଅ ନନ୍ଦିନୀ ଆସି ବୋଉ ପାଖରେ ବସି ବହେ କାନ୍ଦିଲା। ସୁରେନ୍ଦ୍ର ବାବୁଙ୍କ କହିବାନୁଯାୟୀ ସେ ବୋଉକୁ ଔଷଧ ପତ୍ର ଖୁଆଇ ଦେଲା ଅତି ଯତ୍ନରେ। ବାରଣ୍ଡାରେ ଆଲୋଚନା ଚାଲିଥାଏ, କେମିତି ଥଇଥାନ କରିବେ ମା ସୌଦାମିନୀ ଙ୍କୁ। ସମସ୍ତଙ୍କର ସୁବିଧା,  ଅସୁବିଧା ଆଲୋଚନା ହେଲା। କଥା ଛିଣ୍ଡୁ ନ ଥାଏ। ସୁରେନ୍ଦ୍ର ବାବୁ ଏଇ ଅତିକ୍ରାନ୍ତ ବୟସରେ କଣ ସ୍ତ୍ରୀ ଙ୍କ ସେବା କରି ପାରିବେ। ଭାରି ସ୍ଵାଭିମାନୀ ସେ। ଆଦର୍ଶ ଶିକ୍ଷକ ହିସାବରେ ସାରା ଜିଲ୍ଲାରେ ତାଙ୍କର ଖ୍ୟାତି ଅଛି। ଗାଆଁରେ ବି ବିଶେଷ ସମ୍ମାନ ତାଙ୍କର।  ବାଉଁଶ ଯେତିକି ମୋଟା, ସେତିକି ପୋଲା। ସୌନ୍ଦର୍ଯ୍ୟ ବିମୋହିତ କରୁଥିବା ଗୋଲାପ ଗଛରେ ବି କଣ୍ଟା ଥାଏ। ମଣିଷ ଭାରି ସ୍ୱାର୍ଥପର ଆଉ ମତଲବି ମଧ୍ୟ। ମଣିଷ ଆଉ ଜଙ୍ଗଲ ଭିତରେ କୋଉ ଫୁଲ ଯେ । 


ନିଘଞ୍ଚ ଜଙ୍ଗଲର ଫୁଲଟିଏ  ପ୍ରଶଂସା କରିବାକୁ କେହି ନାହାନ୍ତି ବୋଲି ଜାଣିକି ମଧ୍ୟ ସୁଗନ୍ଧ ପ୍ରବାହିତ କରେ  ଆଖ ପାଖରେ। ଫୁଲମାନେ କେତେ ନିଃସ୍ଵାର୍ଥପର !!!


କାହା ଉପରେ  କିଛି ଚାପ ନ ପକେଇ ଚୁପ୍ ଚାପ୍ ବସି ଶୁଣୁଥିଲେ ସେମାନଙ୍କ କଥାସବୁ। ସେତେବେଳକୁ ରାତି ବାରଟା। ଚାଲ କାଲି କଥା ହେବା କହି ସୁରେନ୍ଦ୍ର ବାବୁ ଉଠି ଗଲେ। ଦ୍ୱିତୀୟ ମହଲାରେ ପୁଅ ବୋହୂ ମାନଙ୍କ କୋଠରୀ। ଘର ଭିତର ଦେଇ ପାହାଚ। ସମସ୍ତେ ଚୁପ୍ ଚାପ୍ ଉଠି ଯାଇ ଯେ ଯାହାର କୋଠରୀରେ ଶୋଇଲେ।


ରାତି ଧିରେ ଧିରେ ପାଦ ଚାପି ଚାଲିଥାଏ ଆଗକୁ। ଗାଆଁ ଚାଷ ଜମିରୁ କେଁ କଟର ରାବୁଥାନ୍ତି ବେଙ୍ଗ, ବେଙ୍ଗୁଲି। ଅସରାଏ  ଧୂଳି ଗୁଣ୍ଡି ପରି ବର୍ଷା ଭିତରେ ରାତିର ନିସ୍ତବ୍ଧତା ହାମୁଡି ପଡିଲା ପୃଥିବୀ ଉପରେ କିଛି କ୍ଷଣ ପାଇଁ । ବର୍ଷାର ଧୂଳି ଗୁଣ୍ଡି ଜମି ଯାଉଥାଏ ରଜନୀଗନ୍ଧା ପତ୍ର ଉପରେ। ଘର ଅଗଣାର ମଲ୍ଲି ଫୁଲ ଓ ଶେଫାଳୀ ଝଡି ଗଲେଣି ବର୍ଷାର ସୂକ୍ଷ୍ମ ଚୁମ୍ବନରେ, କାହିଁକି କେଜାଣି... ଦୁଃଖ ଆସିଲେ ଖାଲି ମନଟା ନୁହେଁ, ପରିବେଶ ବି ଜଞ୍ଜାଳ ପୂର୍ଣ୍ଣ ଲାଗେ।


ଶାଶୁ ଶଶୁରଙ୍କ କୋଠରୀକୁ ଲାଗି ମଝିଆଁ ବୋହୂ ସୁଲୋଚନାଙ୍କ କୋଠରୀ। ଶାଶୁଙ୍କ ପାଖରେ ବସି ମାଲିସ୍ କଲେ ତାଙ୍କ ଗୋଡକୁ। ସକାଳେ ହଠାତ୍ ଦେଖିଲା ବେଳକୁ ସୁଲୋଚନା ଘରେ ନାହାନ୍ତି। ଅଟୋରେ ବସି ଚାଲିଗଲେ ବୋଲି ନନ୍ଦିନୀ ଦେଖିଛି। ସୁଲୋଚନାଙ୍କ ଅନୁପସ୍ଥିତି କୁଆଡେ ଅତ୍ୟନ୍ତ ଦାୟିତ୍ଵହୀନତାର ପରିଚୟ ଦେଲା ବୋଲି  ଦୁଇ ଜା ଙ୍କ ଭତ୍ସନା, ଗାଳି, ଗୁଲଜ ଭିତରେ ଘରର ଶୋକାକୁଳ ପରିବେଶଟା  କାହିଁକି କେଜାଣି ଭିନ୍ନ ରୂପ ନେଲା। ଶାଶୁ ଙ୍କୁ ନେଇ କମ୍ ଆଲୋଚନା, ଅଚାନକ ଝଡ ତୋଫାନ ସୁଲୋଚନାଙ୍କୁ ନେଇ। ନୀଚ ଜାତିର ଝିଅ, ସଂସ୍କାର ଶିଖିବ କୁଆଡୁ। କାହାକୁ କିଛି କହନ୍ତି ନାହିଁ ସୁରେନ୍ଦ୍ର ବାବୁ। ଗାଳି ଗୁଲଜ ନୀଚ ଜାତି ପର୍ଯ୍ୟନ୍ତ ଯିବ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ। ରାତି ସାରା କୁଆଡେ  ପାଖରେ ବସି ସୁଲୋଚନା ତା ଶାଶୁ ଙ୍କୁ ଦୁଇ ଦୁଇ ଥର ବାଥ୍ ରୁମକୁ ନେଇ ଯିବାର ମୁଁ ଦେଖିଛି କହିବା ପରେ ସମସ୍ତେ ଚୁପ୍ ହେଇଗଲେ ଅନିଚ୍ଛା ସତ୍ତ୍ବେ। 

ମଧ୍ୟାହ୍ନ ହେଲା, ଯେ ଯୁଆଡେ ବାହାରିବା ଆଗରୁ ବଡ ବୋହୂ ନନ୍ଦିନୀ କୁ କହିଲେ, ଦେଖ ନନ୍ଦିନୀ। ଆମେ କାମବାଲିକୁ ବୁଝେଇ ଦେଇଛୁ। ସକାଳୁ ସଂଜ ଯାଏ ମାଆଙ୍କ କଥା ବୁଝିବ। ପାଖ ଗାଁ ରେ ତମ ଘର। ଦୁଇ ତିନି ଦିନରେ ଥରେ ଥରେ ଆସି ମାଆଙ୍କୁ ଦେଖିଯିବ। ଜାଣିଛ ତ ଆମେ କେତେ ଦୂରରେ ରହିଛୁ । ରାତି କଥା, ବାପା ବୁଝି ଦେବେ। ମାସେ ଦୁଇ ମାସରେ ଆମ ଥରେ ଥରେ ଆସିବୁ କହି ଯେ ଯା'ର ଅଟୋରେ ବସିଲେ।


ସଂଜ ନଇଁ ଆସିଲା। ମୁହଁ ଅନ୍ଧାର ଉପରେ ଦୁଃଖର ପରସ୍ତେ ପ୍ରଲେପ। ସୁରେନ୍ଦ୍ର ବାବୁଙ୍କ ଅଭିମାନକୁ ତାଛଲ୍ୟ କରୁଥିଲେ ସେମାନେ। "ସୌଦାମିନୀ ତମ ସ୍ତ୍ରୀ, ତା କଥା ତମକୁ ବୁଝିବାକୁ ହେବ"। 

ସୁରେନ୍ଦ୍ର ବାବୁ ଅନ୍ୟମନସ୍କ ହେଇ ଆକାଶରେ ତାରା ଗଣୁଥିଲେ।


ନନ୍ଦିନୀ କିନ୍ତୁ ଯାଇନି। ବୋଉକୁ ଧରି ଧରି କେତେଥର ୱାସ ରୁମ୍ ଭିତରକୁ ନେଇ ଗଲାଣି। ଲୋକେ କୁଆଡେ କହନ୍ତି, ସାନ ପୁଅ ଭାଗରେ ମା ପଡେ ବୋଲି। ଝିଅଟିଏ କିନ୍ତୁ ବିବାହ ପରେ ବି ମାକୁ କେବେ ନ ହରେଇବାର ଅଭିନୟ କରେ। ଭାବେ, ମାଆ ହିଁ ତା ଭାଗରେ । ତା ହୃଦୟ ଟା ଫାଟି ପଡେ ମାଆ ପାଇଁ। ମନେ ମନେ କାନ୍ଦୁଥିଲା ନନ୍ଦିନୀ।


ତା ବର ପାଖରୁ ଫୋନ୍ ଆସିଲାଣି କେତେଥର ଏଇ ଦିନକ ଭିତରେ। ଶୀଘ୍ର ଆସ। ଛୋଟ ଛୁଆକୁ ଜଗିବ କିଏ। ନନ୍ଦିନୀ ସାହାସ କରି ଗାଳି ବି କରିଛି ତା ବରକୁ, ତେଣିକି ଯା ହେଉଛି ହଉ !!!!


ନନ୍ଦିନୀ କହିଲା, ବାପା ! ବୋଉ କଥା କିଏ ବୁଝିବ। କଥାଟା ଯାଇ ସୁରେନ୍ଦ୍ର ବାବୁଙ୍କ ଗଳାରେ ଛନ୍ଦି ହେଇଗଲା। ଅନ୍ୟମନସ୍କ ହେଇ ଖାଲି କାଶି ଦେଲେ ସୁରେନ୍ଦ୍ର ବାବୁ। ସେ କଣ ଛୋଟ ପିଲା ଯେ ଏଇ ବୟସରେ କାନ୍ଦିବେ !


ଗୋଟାଏ ଅଟୋ ଆସି ଘର ଆଗରେ ଠିଆ ହେଲା। ମଝିଆଁ ବୋହୂ ସୁଲୋଚନା ପଶି ଆସିଲେ ଘର ଭିତରକୁ। ଶାଶୁଙ୍କ ପାଖରେ ଯାଇ ବସିଲେ ସେ। ଶାଶୁ ମା ହସିଦେଇ କହିଲେ, ଛୁଟି ନେଇ ଆସିଛୁ। ଦୁଇ ଚାରିଦିନ ରହିବୁ ତ।

ମାଆ ! ମୁଁ ସବୁଦିନ ଏଇଠି ରହିବି, ତମ ପାଖରେ।

ମାନେ...

ମାଆ ! ମୁଁ ରିଜାଇନ୍ କରିଛି ଚାକିରୀରୁ

ସୁଲୋଚନା !

ହଁ, ମାଆ ମୁଁ ରିଜାଇନ୍ କରିଛି। ଏମିତି ବି ତମ ଦୁଇ ଜଣଙ୍କୁ ଛାଡି ଦେଲେ କିଏ ଅଛି କହିଲ ଜୀବନରେ। ପଇସା କଣ ହେବ। ବାପାଙ୍କ ପେନସନ ପଇସାରେ ଆମ ଚଳି ଯିବାନି !! କାଲି ରାତିରେ ୱାସ୍ ରୁମ୍ ଭିତରୁ ତମକୁ ନେଇ ଆସିବା ପରେ ତମେ ମୋତେ ଦେଖି ମୁରୁକି ହସିଲ। ମୋ ଛାତିଟା ଫାଟିଗଲା।


ତମେ କହିଲ "ତୋ ଶଶୁର ମୋ ହାତ ଧରି ୱାସ୍ ରୁମ୍ ନେଇ ଯାଇଥିଲେ ମୋତେ କେତେ ଲାଜ ଲାଗିଥାନ୍ତା କହିଲୁ"। 


ଏକ ନିରାଟ ଅସହାୟତାର ଚକ୍ରବ୍ୟୁହ ଭିତରେ ମୁଁ ମୋ ନିଜ ମାଆକୁ ଦେଖୁଥିଲି ତମ ଭିତରେ। ତମ ପୁଅର ଅଚାନକ ମୃତ୍ୟୁ ପରେ ଜା ମାନେ ଥରେ ଦୁଇଥର ନୀଚ ଜାତିର ଝିଅ ବୋଲି ମୋତେ ଆକ୍ଷେପ କଲେ। ତମେ ସେମାନଙ୍କୁ ନାଲି ଆଖି ଦେଖେଇ ମୋର ବିଶ୍ବାସ ଭାଜନ ହୋଇଥିଲ ସେଦିନ। ତମକୁ ଏଇ ବିପଦ ସମୟରେ ସାହାରା ହେବା ମୋ କର୍ତ୍ତବ୍ୟ, ଯେତେ ଯା ହେଲେ ବି, ଶାଶୁ କିଏ ଆଉ ମାଆ କିଏ କହିଲ। ତମେ ବି ଠିକ୍ ମୋ ମା ପରି। ମୋତେ କିଏ ଗାଳି କଲେ ମୋ ମାଆ ଉଗ୍ରଚଣ୍ଡି ହେଇଯାଏ। ତମେ ସେଦିନ ମୋତେ ସୁରକ୍ଷା ଦେବା ପାଇଁ ମୋ ଜା ମାନଙ୍କୁ ନାଲି ଆଖି ଦେଖେଇଥିଲ। ପ୍ରତିଦାନରେ ମୁଁ ତୁମର ସେବା କରିବି। ସୁତରାଂ ମୋର ଚାକିରୀ ଦରକାର ନାହିଁ।


ବିଛଣା ଉପରେ ଥାଇ ସୁଲୋଚନାଙ୍କୁ କୋଳେଇ ନେବାର ଇଙ୍ଗିତ କଲେ ସୌଦାମିନୀ। ଦୁଇବାହୁ ବଢେଇ ଦେଲେ ସେ। ସୁଲୋଚନା ଶାଶୁମା ଙ୍କୁ କୋଳେଇ ନେଲେ। ନନ୍ଦିନୀ ବାପାଙ୍କୁ ଗଳାରେ ଲଗେଇ ଭୋ ଭୋ କାନ୍ଦୁଥିଲା। ସୁରେନ୍ଦ୍ର ବାବୁ ନ ବୁଝିଲା ପରି ଝର୍କା ଦେଇ ଅନେଇଥିଲେ ମୁକ୍ତ ଆକାଶ ଆଡେ। ଏମିତି ଏଇ ବାର୍ଦ୍ଧକ୍ୟ ରେ ସେଲ୍ୟୁଟ କରିବା ପାଇଁ ଚାହୁଁଥିଲେ ସୁଲୋଚନାକୁ। ଭାବୁଥିଲେ ବେଳେ ବେଳେ କୁଆଡେ ଅସହାୟତାର ଦମନ ପାଇଁ ଭୀଷଣ ମନ ବଳ ଦରକାର। ଚାକିରୀ, ଟଙ୍କା ପଇସା ସବୁ ତୁଚ୍ଛ !!!!!


Rate this content
Log in

Similar oriya story from Inspirational