Nityananda Nandi

Drama Romance Inspirational

4  

Nityananda Nandi

Drama Romance Inspirational

ଇଭିନ୍ ଏ ମୋମେନ୍ଟ ଅଫ ବ୍ରେକ୍

ଇଭିନ୍ ଏ ମୋମେନ୍ଟ ଅଫ ବ୍ରେକ୍

5 mins
6



"ପ୍ରାୟ ତିରିଶ ବର୍ଷ ପରେ ଦେଖା ହେବ, ରବିବାର ସନ୍ଧ୍ୟା ୬.୩୦ ଫ୍ଲାଇଟ୍। ଆଶା କରେ ଦୁଇ ଜଣ ହିଁ ଘରେ ରହିବ। କେତେ କଷ୍ଟରେ ତମ ନମ୍ୱର୍ ଓ ଠିକଣା ପାଇଛି। ହଁ, କିଛି ବାହାନାବାଜି ଚଳିବନି।"


ୱାଟସପ୍ ମେସେଜ....


ଆଉ ମାତ୍ର ଗୋଟାଏ ଦିନ। କାଲି ସନ୍ଧ୍ୟାରେ ମିତା ଆସିବ। ୱାଟସପ୍ ମେସେଜ ଦେଖିବା ପରେ ମୋ ପାଦ ତଳ ପୃଥିବୀଟା ଧସି ଧସି ଯାଉଥିଲା ଆହୁରି ତଳକୁ। ଛ ମାସ ହେଲା। ଅଧିରଙ୍କ ସହିତ ମୋର ସମ୍ପର୍କ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ମିତା ଆସିବ ବୋଲି କହିବାକୁ ସତ୍ସାହ ନାହିଁ। ସେ କଥା ହୁଅନ୍ତି ନାହିଁ, ସେଇ ରାଗରେ ମୁଁ କଥା ହୁଏନି। ଝିଅ ସ୍ଵର୍ଣ୍ଣ ଆଇଆଇଟି ଧାନବାଦରେ ପଢୁଛି। ସେମିଷ୍ଟାର ବ୍ରେକ ହେଲେ ଆସିବ। ଘରେ ବାପା ମା କେମିତି ଅଛନ୍ତି ତା ପାଖରେ ସମୟ କାହିଁ ଯେ ବୁଝିବ। 


ମିତା, ମୁଁ ଓ ଅଧିର ସାଥିରେ ପଢୁଥିଲୁ ବ୍ୟାସନଗର ଜୁନିଅର କଲେଜରେ। ଗୋଟାଏ ସମବାହୁ ତ୍ରିଭୁଜ। ସମାନ ଆକର୍ଷଣ ଥିଲା ଆମ ଭିତରେ। ଉଚ୍ଚଶିକ୍ଷା ପାଇଁ ମିତା ହଠାତ୍ ଆମେରିକା ଯିବା ପରେ କାହିଁକି କେଜାଣି ଅଧିରଙ୍କ ସହ ଘନିଷ୍ଠତା ବଢିଗଲା। ଅଚାନକ ମୁଁ ନିଜେ ଆଚମ୍ବିତ ହେଇଗଲି । ମୋ ସିନ୍ଥିରେ ସିନ୍ଦୂର ଘାଣ୍ଟି ହେଇ ମୁହଁସାରା ବୋଳି ହେଇଯାଇଛି। ଦର୍ପଣ ଆଗରେ ଛିଡା ହେଇ ମୋ ମୁହଁକୁ ମୁଁ ଦେଖି ପାରୁ ନ ଥିଲି ଲାଜରେ। ଅଧିର ମୋ ପଛରେ ଛିଡା ହେଇ ହସୁଥଲେ। ମୁଁ ଅଧୀରଙ୍କ ସ୍ତ୍ରୀ ହେବି ବୋଲି ସ୍ୱପ୍ନରେ ବି ଭାବି ନ ଥିଲି। ମିତା କିନ୍ତୁ ମୋ ପାଇଁ ପ୍ରସ୍ତାବ ଆଣିଥିଲା ତା ଗାଆଁ ରୁ। ସେତେବେଳେ କିଏ କଣ ବାହାଘର କଥା ଚିନ୍ତା କରେ। ଆଜି ବେଳେ ବେଳେ ଭାବେ ମିତା ଭିତରେ ଆଉ କିଛି ଉଦ୍ଦେଶ୍ୟ ଛୁପି ନ ଥିଲା ତ ! ଏଇଥର ତାକୁ ନିଶ୍ଚୟ ପଚାରିବି , "ଅଧିରଙ୍କ ପାଇଁ ତୋର ଦୁର୍ବଳତା ଥିଲା ନା....ସେଇଥିପାଇଁ ବୋଧେ ମୋ ବାହାଘର ପାଇଁ ତୁ ବ୍ୟସ୍ତ ଥିଲୁ !!"


ମିତା ଆସିବା କଥା ଶୁଣିଲେ ଅଧିର ନିଶ୍ଚୟ ଖୁସି ହେବେ। କିନ୍ତୁ କେମିତି କହିବି !!! 


ସଂପୂର୍ଣ୍ଣ ଥଇଥାନ ହେବା ପୂର୍ବରୁ, ସମ୍ଭାବ୍ୟ ଭୂମିକମ୍ପର ଭୟ ବାର ବାର ବ୍ୟଥିତ କରେ ପୃଥିବୀକୁ। ଆଉ ଫାଟ ନ ହେଉ। ଶାନ୍ତି କିଏ ବା ନ ଚାହେଁ...


ଏତେ ବର୍ଷ ପରେ, କାହାଠୁ  ନମ୍ବର ପାଇଲା କେଜାଣି। ଫେସବୁକ୍ ପେଜ୍ କୁ ଯାଇ ମିତାକୁ ଦେଖିଲି ମୁଁ ଅନେକ ବର୍ଷ ପରେ। ସମୟର ବ୍ୟବଧାନ ଓ ଚାପରେ କିଛି ସାଙ୍ଗ ସାଥିକୁ ଭୁଲି ଯିବାକୁ ହୁଏ ବୋଧେ। ମିତାକୁ ସଂପୂର୍ଣ୍ଣ ଭୁଲି ଯାଇଥିଲି ମୁଁ। ହୀନମନ୍ୟତା ସଂସ୍କୃତି ହୀନ କରିଦିଏ ମଣିଷକୁ। ସେଇଥିପାଇଁ ବୋଧେ ବିଦେଶରେ ସେଟେଲ୍ ହେଇଥିବା ମିତା ପାଇଁ ଆଉ ସେତେ ଆନ୍ତରିକତା ନ ଥିଲା। ପ୍ରୋଫାଇଲରୁ ଜାଣିଲି, ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର। "ଇଭିନ୍ ଏ ମୋମେନ୍ଟ ଅଫ ବ୍ରେକ୍ ... ମାଟରସ୍" ଏକ ସ୍ଵଲିଖିତ ଉପନ୍ୟାସ ପାଇଁ ମିତା ଜଣେ ପୁରସ୍କାର ପ୍ରାପ୍ତ ଲେଖିକା। ତା ବାବଦରେ ଆଉ ବେଶି କିଛି ଜାଣିବାକୁ ପାଇଲି ନାହିଁ।


ତାର ପ୍ରିୟ କୋଲ୍ଡ ଡ୍ରିଙ୍କସ, କିଛି କଳା ରଙ୍ଗର ଅଙ୍ଗୁର ଆଣି ଫ୍ରିଜ୍ ରେ ରଖିଲି। ଆଖୁ କାମୁଡି କାମୁଡି ଚୋବେଇବାକୁ ଭାରି ଭଲ ପାଉଥିଲା ସେ। ଭୁବନେଶ୍ୱର ରାସ୍ତାକଡ଼ରେ ଆଖୁ ରସ ବିକୁଥିବା ଜଣେ ଭାଇନା ଙ୍କ ପାଖରୁ ଆଖୁଟିଏ କିଣି ଆଣିଲି ମିତା ପାଇଁ। ଲୁଚେଇକି ରଖିଲି ଫ୍ରିଜ ଭିତରେ, ନ ହେଲେ ଅଧିର ସନ୍ଦେହ କରିବେ କାହା ପାଇଁ ଆଖୁ ଆସିଛି। ଆମେ ଦୁଇ ଜଣ ଡାଏବେଟିକ। ସାଧାରଣ ଭାବେ ମିଠା ଜାତୀୟ କିଛି ଆମେ ଖାଉନା। 


ଅଧିର କ୍ରାବ ଓ ଚିକେନ ଫ୍ରାୟ ଆଣି ରଖିଛନ୍ତି ଫ୍ରିଜ ଭିତରେ। ମିତା କ୍ରାବ୍ ଖାଇବାକୁ ବହୁତ୍ ଭଲ ପାଏ। ସେ ବାଥରୁମ୍ ଭିତରେ ପଶି ଥିବା ବେଳେ ମୁଁ ଯାଇ ଅଧିରଙ୍କ ମୋବାଇଲ ଚେକ୍ କଲି। ସେମ୍ ମେସେଜ ମିତା ପାଖରୁ। ସେ ବି ମନେ ମନେ ପ୍ରସ୍ତୁତ ହେଉଛନ୍ତି ବୋଧେ ମିତା ପାଇଁ। ଯେମିତି ମୁଁ..


ସମ୍ପର୍କର ଜାଲ ଭିତରେ ଅନ୍ତରଙ୍ଗ କେଇ ଜଣ ବାରି ହେଇ ପଡନ୍ତି। ମିଶ୍ରିତ ଘନ ଜଙ୍ଗଲରେ ବଣ ମଲ୍ଲିର ବାସ୍ନା ନିଆରା। ମଧୁମକ୍ଷୀ ଆଉ କୋଉ ଫୁଲ ଉପରେ ବସେନା ବୋଧେ ସେଇଥି ପାଇଁ। ଯେତେ ଯାହା ହେଲେ ବି ମିତା ସହ ଆମ ଉଭୟଙ୍କ ବନ୍ଧୁତା ଗୋଟାଏ ଅନ୍ୟ ଶ୍ରେଣୀର।


ଆଉ ଦୁଇ ଘଣ୍ଟା, ମିତା ଆସିବ। ଆମେ ଯଦି ଏମିତି ଗମ୍ଭୀର ରହୁ ସେ କଣ ଭାବିବ....


ହିମାବାହ ଅନେକ ରାସ୍ତା ବହିବା ପରେ ଶିଥିଳତା ହରେଇ ବସେ। ଭୂଇଁ ସହ ଘର୍ଷଣ ଜନିତ ଉତ୍ତାପ ରେ ତରଳି ଯାଏ। ବେଗ ବଢେଇ ଚାଲେ ଆଗକୁ, ମୁଁ ଟିକେ ତରଳି ଗଲି।


ମୁଁ ଗମ୍ଭୀର ହେଇ କହିଲି ଆଜି ଆମ ସାଙ୍ଗ ମିତା ଆସିବ।ଅଧିର ବି ଗମ୍ଭୀର ହୋଇ କହିଲେ, ଜାଣିଛି...

ମୁଁ ବି ଚୁପ୍ ରହିଲି। 


ମୋ ସାଙ୍ଗ ମିତା ପାଇଁ। ଆମ ସମ୍ମାନ ପାଇଁ, ଆମ ସଂସ୍କୃତି ପାଇଁ। କହିଲି, ଆଛା ଅଧିର ! ଚାଲ, ଆମେ ଗୋଟାଏ ରାତି ପାଇଁ ଆପାତତଃ, ଅଡୁଆ ଲାଗୁ ପଛକେ ଭଲ ବ୍ୟବହାର କରିବା। ମିତା ଯେମିତି ଭାବିବ, ଆମେ ଠିକ୍ ସେମିତି ଅଛୁ, ଯେମିତି କଲେଜ ଦିନରେ ଥିଲୁ। ଆମ ସଂପର୍କ କୁ ଦେଖି ହୁଏତ ସେ ଗର୍ବ କରିବ, ଈର୍ଷା ବି କରିବ।


ଅଧିର ବି ବେଶ ଗମ୍ଭୀର ଥିଲେ, କହିଲେ ଠିକ୍ ଅଛି


ଘର ବେଶ୍ ଚକ୍ ଚାକ୍ ଲାଗୁଥିଲା, ମୁଁ ନିଜେ ସଜେଇଛି। ଛ ମାସର ଏଇ ସମ୍ପର୍କର ଅଳୁନ୍ଦି ଭିତରେ ଘର ଅସଜଡା ହେଇ ପଡ଼ିଥିଲା। କଲେଜ ନ ଯାଇ ସବୁ ସଫା କରିଛି। ଆମେରିକା ଫେରନ୍ତା ମିତା କଣ ଭାବିବ। ଟିକେ ମନ ଦେଇ ସଫା କଲେ ସମ୍ପର୍କଟା ବୋଧେ ସତେଜ ଲାଗେ। ନ ହେଲେ ଅଳୁନ୍ଦି ଲାଗିବ ହିଁ ଲାଗିବ। ମାତ୍ର ଚପଳ ମତି ମନକୁ ବୁଝାଇବାକୁ ସମୟ କା ପାଖରେ ଯେ। 


ଆମେ ଦୁହେଁ ବସି କଫି ପିଉଥିଲୁ ବାଲ କୋନିରେ ବସି। ଇଚ୍ଛା ନ ଥାଇ କି ବି। ଗୋଟାଏ କଲେଜରେ ଆମେ ଦୁଇଜଣ ପ୍ରଫେସର। କଲେଜ କେଣ୍ଟିନରେ ଦେଖା ହେଲେ ବି କଥା ହେଉ ନ ଥିଲୁ, ଛ ମାସ କେମିତି ବିତିଗଲା କେଜାଣି। ଗୋଟାଏ ଛୋଟ କଥାରୁ, ମହାଭାରତ। ତା ପରେ କଣ ହେଲା କେଜାଣି, ସମ୍ପର୍କଟା ପାହାଡ ପରି ହଲିଗଲା, ମୂଳଦୁଆ ହଲିଗଲେ ଘର ଭୁଷୁଡି ପଡେ। ସମ୍ପର୍କ ଥରେ ହଲିଗଲେ ସନ୍ଦେହ ଅଜଗର ପରି ଫଁ ଫଁ କରେ, ସମ୍ପର୍କର ସେଇ ଉଇ ହୁଙ୍କା ଭିତରେ।


ମିତା ଠୁ ଫୋନ୍ ଆସିଲା, ବୋଧେ ଏଆର ପୋର୍ଟ ଯିବାକୁ ହେବ।


ସଂଘମିତ୍ରା ! "ଆଇ ଆମ୍ ଭେରି ସରି, ମୁଁ ସିଙ୍ଗାପୁର ଯାଉଛି, ଆଉ ଗୋଟାଏ ଫ୍ଲାଇଟ ଧରି କି। ମୋର ଗୋଟାଏ ନଭେଲ "ଇଭିନ୍ ଏ ମୋମେନ୍ଟ ଅଫ ବ୍ରେକ୍..ମାଟରସ" କୁ ନେଇ ସିଙ୍ଗାପୁର ବିଶ୍ଵ ବିଦ୍ୟାଳୟରେ ପ୍ରେଜେଣ୍ଟେସନ୍ ଦେବାକୁ ହେବ। ହଠାତ୍ କାର୍ଯ୍ୟକ୍ରମ।  ମାସେ ପରେ ଦିଲ୍ଲୀ ଆସିବି। ନିଶ୍ଚୟ ଦେଖା କରିବି ତମ ଦୁଇ ଜଣଙ୍କୁ। ରହୁଛି, ପ୍ଲିଜ୍ ବିଅର୍ ୱିଥ ମି।"


ଅଧିର ଶୁଣି ପାରିଲେ ବୋଧେ। ଠିକ୍ ଅଛି କହି ଲାପଟପ୍ ଧରି ରୁମ୍ ଭିତରକୁ ପଶିଗଲେ। ମୁଁ ଅନ୍ୟମନସ୍କ ହେଇ ଲାପଟପରେ ବହୁତ୍ ଗୁଡ଼ାଏ ସାଇଟ୍ ଖୋଲି ବସିଲି। ଇଭିନ୍ ଏ ମୋମେନ୍ଟ ଅଫ ବ୍ରେକ୍.. ମାଟରସ୍" ଇ ବୁକ୍ ଖୋଜିଲି ଗୁଗୁଲ୍ ସାଇଟ୍ କୁ ଯାଇ।

ଶହେ ପୃଷ୍ଠା ଦୁଇ ଘଣ୍ଟାରେ ପଢି ପକେଇଲି, ଜାଣି ହେଲାନି। ଉପନ୍ୟାସର ଶେଷ ପାରାଗ୍ରାଫ ଦୁଇଥର ପଢିଲି, ଆଉ ଥରେ ପଢିବାକୁ ଚାହିଁଲି, ଅକ୍ଷର ଆଉ ଦେଖା ଯାଉନି। ମୋ ସାଙ୍ଗ ମିତାର ନିଜ କାହାଣୀ ଉପରେ ଆଧାରିତ ଉପନ୍ୟାସ ଟି। ଶେଷ ପାରାଗ୍ରାଫ୍ କଷ୍ଟ କରି ଆଉ ଥରେ ପଢିଲି..(ଓଡ଼ିଆ ଅନୁବାଦ)


" ମୋ ମୃତ ହଜବେଣ୍ଡଙ୍କ ମୋବାଇଲ ଭିତରୁ ଅନସେଣ୍ଡ ମେସେଜ କୁ ପୁନରୁଦ୍ଧାର କରିଥିଲେ କାଲିଫର୍ଣ୍ଣିଆ ର ପୋଲିସ। ଲେଖା ଥିଲା କାଲି ସନ୍ଧ୍ୟାରେ ତମ ଉପରେ ରାଗିବା ଅନାବଶ୍ୟକ ଥିଲା, ପ୍ରତି ମୁହୁର୍ତ୍ତକୁ ଟିକି ଟିକି କରି ଯୋଡିଲେ ହିଁ ସଂପୂର୍ଣ୍ଣ ଜୀବନ ଟା। ଝଗଡା ଝାଟିରେ କାଟି ଯିବା ସମୟକୁ ବିୟୋଗ କରିଦେଲେ କେତେ ଆଉ ସମୟ ରହିଲା ଯେ ଆମ ପାଇଁ... ସରି, କ୍ଷମା କରି ଦବ ନା..., ପୋଷ୍ଟ ମରଟମ ରିପୋର୍ଟ କହୁଥିଲା, ଏକସିଡେଣ୍ଟ ବେଳେ ତାଙ୍କ ଗାଡି ଦୁଇ ଶହ କିଲୋମିଟର ବେଗରେ ଯାଉଥିଲା ଓ ସେ ଅନ୍ୟ ମନସ୍କ ଥିଲେ, ....ମୁଁ ସବୁଦିନ ପାଇଁ ଏକା ହେଇଗଲି"


ଅଧିର ଶୋଇଥିବା ଘର ଭିତରକୁ ପଶିଗଲି। ତାଙ୍କ ଆଖିରୁ ଦୁଇଟୋପା ଲୁହ ବହି ଯାଇ ଶୁଖି ଗଲାଣି।  ଏଁ, ଅଧିର କାନ୍ଦୁଛନ୍ତି କାହିଁକି। ତାଙ୍କ ଲାପଟପ୍ ପେଜ ଅନ୍ କରି ଦେଖିଲି ସେ ବି ପଢୁଥିଲେ, ଇଭିନ୍ ଏ ମୋମେନ୍ଟ ଅଫ ବ୍ରେକ୍...ମାଟରସ୍। ସେଇ ଶେଷ  ପାରାଗ୍ରାଫ....

କୋଳେଇ ନେଲି ଅଧିରଙ୍କୁ, ଆଉ କେବେ ରାଗିବ ନାହିଁ କୁହ। ଅଧିର ଅନ୍ୟମନସ୍କ ହେଇ ମୋତେ ଅନେଇଥିଲେ...



Rate this content
Log in

Similar oriya story from Drama