ସ୍ବୀକାରୋକ୍ତି
ସ୍ବୀକାରୋକ୍ତି
ବସ୍ତି ଲୋକଙ୍କ ଭିଡ ଆଜି ବାବୁଲା ଦୋକାନ ଆଗରେ।
ପୋଲିସଠୁ ଦୁଇ ଜାବୁଡ଼ା ଖାଇଲା ସେ । ଅଚାନକ କଣ ହେଲା କେହି ବୁଝି ପାରିଲେ ନାହିଁ। ନାଲି ଆଖି ଦେଖେଇ ପୋଲିସ ବସେଇଦେଲେ ଜିପ୍ ଭିତରେ ବାବୁଲାକୁ। ବାବୁଲାର ବାପା କାକୁତି ମିନତି କଲେ ପୋଲିସ ଆଗରେ।ବହୁତ୍ ଅନ୍ୟାୟ କରିଛି ତମ ପୁଅ। ଥାନାକୁ ଯାଇ ବଡ ବାବୁଙ୍କୁ ଭେଟ... ଜିପ୍ ଚାଲିଲା ଥାନା ଆଡକୁ। ଧୂଳି ଧୂସରିତ ବସ୍ତି ରାସ୍ତାରେ ଜିପ୍ କୁଆଡେ ଉଭେଇ ଗଲା କ୍ଷଣକ ଭିତରେ। ଲୋକେ ସବୁ ଭୁଟ ଭାଟ ହେଉଥାନ୍ତି। ସମସ୍ତଙ୍କ ମନ ଭିତରେ ଗୋଟାଏ ପ୍ରଶ୍ନ, ବାବୁଲାର ଦୋଷ କଣ ?
ବସ୍ତି ଭିତରୁ କିଛି ଲୋକ ଯାଇ ପହଞ୍ଚିଲେ ଥାନାରେ, ଘଟଣା ବାବଦରେ ଜାଣିବାକୁ ସମସ୍ତଙ୍କ ଆଗ୍ରହ। କେତେ ବିଚିତ୍ର କଥା !! ଭିଡ ଭିତରେ କେହି କାହାକୁ ଚିହ୍ନନ୍ତି ନାହିଁ। ଚରିତ୍ରକୁ ନେଇ କୋଳାହଳ ଶୁଣିଲେ କାହିଁକି କେଜାଣି ଭିଡର ପରିସୀମା ଦିଗୁଣିତ ହେଇଯାଏ, ଆଖି ପିଛୁଳାକେ।
ବଡ ବାବୁଙ୍କ ଆଗରେ ତଳକୁ ମୁହଁ କରି ଛିଡା ହୋଇଥାଏ ବାବୁଲା।
ବାବୁଲା ! କହ, କଣ କହିବାକୁ ଚାହୁଁଛୁ। ନ ହେଲେ ତୋ ବିରୁଦ୍ଧରେ ଆସିଥିବା ଆରୋପକୁ ଭିତ୍ତି କରି ତୋତେ ଜେଲରେ ଭର୍ତ୍ତି କରିଦେବି !!!
କଦଳୀ ପତ୍ର ପରି ଥରୁଥାଏ ବାବୁଲା।
କହ ! ହାବିଲଦାର ପଛ ପଟୁ ଜୋର୍ କରି ଧକ୍କା ଦେଲା ତା ପିଠିରେ।
ସାର୍ ! "ଆମେ ଗରିବ। ବାପା ଆଂଶିକ ପକ୍ଷପାତରେ ଆକ୍ରାନ୍ତ। ବୋଉ ବାତ ରୋଗୀ। ମୋ ପାଖରେ ବି କିଛି କାମ ନ ଥିଲା। ମୋତେ କିଛି କାମ ମିଳିଯାଉ ବୋଲି ବୋଉ ବାର ବାର ତ୍ରିନାଥ ମେଳା ପାଇଁ ମାନସିକ କଲା। ଆମ ବସ୍ତି ପାଖ ପାହାଡକୁ ଲାଗି ଶିବ ମନ୍ଦିର ଆଗରେ ଥିବା ଭୂଇଁ ଉପରେ ସାତ ରାତି ଶୋଇଲି। ବୋଉ କହିଲା, ଭୋଳା ମହେଶ୍ୱର ନିଶ୍ଚୟ ଶୁଣିବେ। ରାତିରେ ମୁଁ ଶୋଇଯିବା ପରେ ବାପା ବୋଉ ଭୋକ ଉପାସରେ ଶୋଇ ଯାଆନ୍ତି। ଧିରେ ଧିରେ ସବୁ କଥା ଜାଣିଲି। ମୋତେ କୁଆଡେ କଷ୍ଟ ହେବ ବୋଲି ମିଛ ସତ କହିବାକୁ ଆରମ୍ଭ କଲେ ସେମାନେ। ସେମାନଙ୍କୁ ଏମିତି ଭୋକିଲା ଶୋଇବା ଦେଖି ମୋତେ କଷ୍ଟ ହେଲା। ମୋ ବୟସ ପନ୍ଦର ମାତ୍ର। ନାବାଳକ ବୋଲି ସହରରେ କାମ ମିଳୁ ନ ଥାଏ। ପ୍ରତିଦିନ ସହରକୁ ଯାଇ ଠିକାଦାରଙ୍କୁ ହାତ ଯୋଡି ନେହୁରା ହୁଏ। କିଏ କେତେବେଳେ ଲୁଚି ଛୁପେଇ କାମ ଦିଏ । ଯାହା ପାଏ ସମୁଦ୍ରକୁ ଶଙ୍ଖେ ପାଣି ପରି, ବାସ୍ । ଅଧିକାଂଶ ଦିନ କାମ ନ ପାଇ ଫେରି ଆସେ ମୁଁ ଘରକୁ। ଛଅ ମାସ ତଳର କଥା। ଦିନେ ରାତିରେ ବାପା ବୋଉଙ୍କ ଉପାସରେ ଶୋଇବା ଦେଖି ମୁଁ କାନ୍ଦି ପକେଇଲି। ସକାଳୁ ଉଠି ବୋଉ କହିଲା ବାବୁଲା ! ଆଜି ସୋମବାର ଶିବ ମନ୍ଦିରରେ ମୁଣ୍ଡିଆ ମାରି ଆସ୍।
ମୁଁ ଭାବିଲି, ଅସହାୟ ମଣିଷର ବିଶ୍ଵାସ ଖାଣ୍ଟି ସୁନା ପରି। କଥାରେ ଅଛି ବୁଭୁକ୍ଷିତଃ କିଂ ନ କରୋତି ପାପ । କାଲି ରାତିରେ ଉପାସ ଜନିତ କଷ୍ଟ ପରେ ବି ମୋ ବୋଉ ଭିତରେ ପାପର ସାମ୍ରାଜ୍ୟ ବିସ୍ତାର କରିନି। ସେଇ ରାସ୍ତାରେ ଚାଲିଲେ ବୋଧେ ମଜା ଆସେ ଆଉ ସଫଳତା ମିଳେ ଯୋଉ ରାସ୍ତାରେ କେହି କେବେ ଚାଲିବାକୁ ସାହାସ କରେନି। ବୋଉ ବୋଧେ ଚାଲିଥିଲା ସେଇ ରାସ୍ତାରେ... ଧୈର୍ଯ୍ୟ ର ସହିତ।
ହଁ, ଆମେ କାଲି ଉପାସରେ ଥିଲୁ ବୋଲି କହିବୁନି ଠାକୁରଙ୍କୁ। ଖାଲି ଗୋଟାଏ କାମ ଧନ୍ଦା ପାଇଁ ମାନସିକ କରି ଆସିବୁ।
ଆଶା ବୋଧେ ମଣିଷକୁ ରାସ୍ତା ଦେଖାଏ, ତା ନ ହେଲେ ଜୀବନର ଦିଛକି ରେ ଭିଡ ହିଁ ଭିଡ ମିଳନ୍ତା। ଅସହାୟ ମୋ ବୋଉ ଭିତରେ ଆଶାର ଝଲକ ମୁଁ ଦେଖୁଥିଲି ସ୍ପଷ୍ଟ ଭାବରେ।
ମନ୍ଦିରରେ ମୁଣ୍ଡିଆ ମାରି ପାହାଡ ପାଖ ରାସ୍ତାରେ ବସିଥାଏ। ଦେଖିଲି, ଦୁଇ, ତିନିଜଣ ଛୁଆ ରାସ୍ତାରେ ପଡ଼ିଥିବା ପ୍ଲାଷ୍ଟିକ, କାଚ ବୋତଲ , ଜରି ଇତ୍ୟାଦି ଗୋଟାଉ ଥାଆନ୍ତି। ରାସ୍ତା କଡ ଗଛ ମୂଳରେ ଡେରି ହେଇ ରହିଥିବା ଦେବା ଦେବୀଙ୍କ ଅସଂଖ୍ୟ ଫଟୋକୁ କିନ୍ତୁ ଛୁଁ ନ ଥାଆନ୍ତି ସେମାନେ। କୁଡା ଗୋଟାଉଥିବା ଜଣେ ବାଳକ କାହିଁକି କେଜାଣି କାଳୀ ମାଆଙ୍କ ଫଟୋ ଆଗରେ ହାତ ଯୋଡ଼ି ନମସ୍କାର କଲା। ମୁଁ ଆଶ୍ଚମ୍ବିତ ହେଇ ଉଠିଲି। ଗଛକୁ ଡେରି ହେଇ ରହିଥିବା ପରିତ୍ୟକ୍ତ ଫଟୋ ଭିତରେ କଣ ଭଗବାନ୍ ଅଛନ୍ତି ??? କେତେ ସୁନ୍ଦର ସୁନ୍ଦର ଫଟୋ, ଦାଗ ବି ଲାଗିନି । ଯଦି ସେଇ କାଚ ଫ୍ରେମ୍ ଭିତରେ ଥିବା ଦେବା ଦେବୀ ଏବେ ବି ଜୀବିତ ତେବେ ଲୋକେ ସେମାନଙ୍କୁ ଏମିତି ଅବସ୍ଥାରେ ଛାଡି ଦେଇ ଯାଆନ୍ତି କ
ାହିଁକି। ଏମିତି ଅନେକ ପ୍ରଶ୍ନ ମୋତେ କ୍ଷତ ବିକ୍ଷତ କଲା। କିଛି ସମୟ ପାଇଁ ମୋ ମୁଣ୍ଡ କାମ କଲାନି ।
ସାର୍ ! ହଠାତ୍ ଗୋଟାଏ ଉପାୟ ଆସିଲା ମନ ଭିତରେ। ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଦେବା ଦେବୀଙ୍କ ଫଟୋସବୁ ଗୋଟାଇବା ଆରମ୍ଭ କଲି। ରାତି ରାତି ବସି ସଫା କଲି । ବସ୍ତିରେ ଥିବା ଗୋଟାଏ ଛକ ଉପରେ ଫଟୋ ସବୁ ସଜେଇ ରଖିଲି। ବେଶ୍ ବିକ୍ରି ହେଉଥାଏ ଫଟୋ ସବୁ। ଦୋକାନଟିଏ ସଜେଇଦେଲି ଫୁଟ୍ ପାଥ ଉପରେ।ସେଇ ଦିନଠୁ ସାର୍, ମୋ ବାପା ବୋଉ ଆଉ ଉପାସରେ ଶୋଇ ନାହାଁନ୍ତି । ପ୍ରତି ରବିବାର ସେଇ ସବୁ ଗଛ ମୂଳକୁ ଯାଇ ଦେବା ଦେବୀଙ୍କ ସୁନ୍ଦର ସୁନ୍ଦର ଫଟୋ ସଂଗ୍ରହ କରେ। ବେଶ୍, ବଢିଆ କାମ ମିଳିଗଲା ଭାବି ଭାରି ଖୁସି ହେଲି ମୁଁ।
ଗତ କାଲି ସହରରୁ ଆସିଥିବା ଜଣେ ଭଦ୍ର ଲୋକ ସାଇ ବାବାଙ୍କ ଫଟୋ ଦେଖି ମୋ ଦୋକାନ ଆଗରେ ଅଟକି ଗଲେ। ଫଟୋ ପସନ୍ଦ କରି ପେକ୍ କରିବାକୁ କହିଲେ। କୋଉଠି ଟିକିଏ କାଚ ଉପରେ ଦାଗ ଥିବାରୁ ମୋ ଉପରେ ବିରକ୍ତ ହେଲେ। ମୁଁ ଭୁଲରେ କହିପକେଇଲି ସେକେଣ୍ଡ ହେଣ୍ଡ ଭଗବାନ୍। ପ୍ରଥମରୁ ହିଁ ଫଟା ଅଛି, ମୁଁ କଣ କରିବି। କଥାଟି ବୋଧେ ଭାରି ବାଧିଲା ଭଦ୍ରବ୍ୟକ୍ତି ଙ୍କୁ। ସେ ବିରକ୍ତ ହେଇ ନାଲି ଆଖି ଦେଖେଇଲେ। ଗର୍ଜନ ତର୍ଜନ କଲେ। ସେକେଣ୍ଡ ହେଣ୍ଡ୍ ଭଗବାନଙ୍କୁ ବିକ୍ରି କରୁଛୁ। ରାସ୍ତା କଡ଼ରୁ ଗୋଟେଇ ଆଣିଛୁ ଏଇ ଫୋଟୋ ସବୁ। ଆମ ଧର୍ମ ବିଶ୍ଵାସ ସହିତ ତୁ ଖେଳୁଛୁ। ପୋଲିସ କୁ କହୁଛି ଦେଖ୍, ତେଣିକି ବୁଝିବୁ।ସେଇ ଭଦ୍ରଲୋକ ବୋଧେ ଅଭିଯୋଗ କରିଛନ୍ତି ଥାନାରେ।
କେତେ ପଇସାରେ ବିକ୍ରି କରୁ, ବଡ଼ବାବୁ ପଚାରିଲେ ବାବୁଲାକୁ।
ସାର୍, ଯେହେତୁ କିଛି ଖର୍ଚ୍ଚ ନାହିଁ କାହାକୁ କିଛି ରେଟ ନ କହି ଗରାଖ ଙ୍କ ବିବେକ ଉପରେ ଛାଡିଦିଏ । ବଡ ଫଟୋ ହେଲେ ଅତ୍ୟଧିକ କୋଡିଏ ଟଙ୍କା ପର୍ଯ୍ୟନ୍ତ ପାଏ। ନ ହେଲେ ଦେବା ଦେବୀଙ୍କ ପ୍ରତିଟି ଫଟୋ ପାଇଁ ପାଞ୍ଚ ଦଶ ଟଙ୍କା ବି ରଖିନିଏ। ବସ୍ତି ଭିତରେ ସମସ୍ତେ ଗରିବ। ଅଳ୍ପ ପଇସାରେ ସୁନ୍ଦର ସୁନ୍ଦର ଫଟୋ ପାଇ ସେମାନେ ବି ଖୁସି। ଯିଏ ଯାହା ଦିଏ ମନ ଖୁସିରେ ରଖି ନିଏ ମୁଁ ।"
ବଣ ମଲ୍ଲି ବଣ ଭିତରେ, ବସ୍ତି କଣ୍ଟା ବାଡ଼ରେ, ସହର ଲନ ଭିତରେ ବି ଫୁଟେ। ରଙ୍ଗ ଅଲଗା, ବାସ୍ନା ମାଟି ଅନୁସାରେ ବଦଳି ଯାଏ। ତଥାକଥିତ ସଭ୍ୟ ସମାଜ ଚିହ୍ନିବାକୁ ବୃଥା ପ୍ରୟାସ ବି କରେନି ସେଇ ବଣ ମଲ୍ଲି କୁ।
ଥାନା ବାବୁ ଭାବପ୍ରବଣ ହୋଇ ନିୟନ୍ତ୍ରଣ ହରେଇ ବସିଲେ ବାବୁଲା ର ସ୍ବୀକାରୋକ୍ତି ଶୁଣି।
ସାଧାରଣତଃ ପୋଲିସ ଅଫିସର ଏତେ ଦୁର୍ବଳ ହୁଅନ୍ତି ନାହିଁ। କାହିଁକି କେଜାଣି ଥାନାବାବୁ ବାବୁଲା ପାଇଁ ଟିକେ ନରମ ହେଇଗଲେ। କହିଲେ ବାବୁଲା ! ଯେଉଁମାନେ ଗଛମୂଳରେ ପରିତ୍ୟକ୍ତ ଅବସ୍ଥାରେ ଦେବା ଦେବୀଙ୍କୁ ଛାଡି ଦେଇ ଆସନ୍ତି ସେମାନେ ଠିକ୍ କରୁନାହାନ୍ତି। ବିସର୍ଜନ ପାଇଁ ଅନେକ ସୁନ୍ଦର ବିକଳ୍ପ ସବୁ ଅଛି। ଏହା ମୋର ବ୍ୟକ୍ତିଗତ ଭାବନା। ବିଚରା ମଣିଷ କାଚ ଫଟୋ ଫ୍ରେମ ଭିତରେ ଦେବା ଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଠାରୁ ଆରମ୍ଭ କରି ଗଛ ମୂଳରେ ପରିତ୍ୟକ୍ତ ଅବସ୍ଥାରେ ଭଗବାନଙ୍କୁ ଛାଡି ଆସିବା ଭିତରେ ଅନେକ ଥର ଭୟର ଶିକାର ହୁଏ। ଭାବେ, ମୁଁ ଯାହା କରୁଛି ଠିକ୍ କରୁଛି ତ !!
ହଁ ବାବୁଲା ! ଭଗବାନ୍ ପରିତ୍ୟକ୍ତ ଅବସ୍ଥାରେ ଗଛ ମୂଳରେ ଥାଆନ୍ତୁ କି ଘରେ , ସବୁଠି ତାଙ୍କର ଅସ୍ତିତ୍ବ ବିରାଜମାନ । ସେକେଣ୍ଡ ହେଣ୍ଡ ଭଗବାନ୍ କହି ଅକ୍ଷମଣୀୟ ଦୋଷ କରିଛୁ। ଭଗବାନ୍ ସବୁବେଳେ ଫାଷ୍ଟ ହେଣ୍ଡ ଆଉ ଭଗବାନ୍ ସବୁଠି , ସେ ଗଛ ମୂଳ ହେଉ ବା ଘର ହେଉ। ଭବିଷ୍ୟତରେ ଏମିତି କଥା କାହାକୁ କହିବୁନି .......। ଯେଉଁ ବ୍ୟବସାୟ କରି ବାପା ବୋଉଙ୍କ ମୁହଁରେ ହସ ସୃଷ୍ଟି କରିଛୁ , ସେ ବ୍ୟବସାୟ ଅନ୍ୟ କାହାରି କ୍ଷତି ନ କରୁଥିଲେ ପ୍ରସଂଶାଯୋଗ୍ୟ ମୋ ମତରେ... ।
ଏଇଠି ଗଛ ମୂଳରୁ ଭଗବାନ୍ ଙ୍କୁ ଉଠାଇ ଆଣି ଆଉ କାହାଘରେ ପ୍ରତିଷ୍ଠା କରିବା ଠୁ ବଡ କଥା ହେଲା ବାବୁଲା ଯାହା କରୁଛି ବାପା ବୋଉଙ୍କ ଖୁସି ପାଇଁ କରୁଛି। ଭଗବାନଙ୍କ ବ୍ୟବସାୟ ମାଧ୍ୟମରେ ଭଗବାନଙ୍କ ସେବା। ବାପା ମା ହିଁ ଭଗବାନ୍। ସୁତରାଂ ବାବୁଲା ର କିଛି ଭୁଲ ନାହିଁ।
ହାବିଲଦାର ! ତାକୁ ଛାଡି ଦିଅ
ବାପାଙ୍କ ଆଡକୁ ଅନେଇଥିଲା ବାବୁଲା। ହାତ ଯୋଡି ବୋଧେ ବଡ ବାବୁଙ୍କୁ ଧନ୍ୟବାଦ୍ କରୁଥିଲେ ବାବୁଲାର ବାପା, ଆଖି ଜଳ ଜଳ ହେଇ ଉଠୁଥିଲା ଖୁସିରେ....