STORYMIRROR

Nityananda Nandi

Classics Inspirational

4  

Nityananda Nandi

Classics Inspirational

ସରଳରେଖା

ସରଳରେଖା

6 mins
13

ବଡ କରି ନ କହିଲେ ସୁମିତ୍ରାଙ୍କୁ ପ୍ରାୟ ଶୁଭେନି... କାନର ଶୁଣିବା କ୍ଷମତା ସଂପୂର୍ଣ୍ଣ ହ୍ରାସ ପାଇଛି ବୋଲି ଡାକ୍ତର କହୁଥିଲେ।

ନୀଳକଣ୍ଠ ବାବୁ ପୁଅ ସୁଧିରକୁ କହି ତା ବୋଉ ପାଇଁ ଶ୍ରବଣ ଯନ୍ତ୍ରଟିଏ ଆଣିବେ ବୋଲି ସିଦ୍ଧାନ୍ତ ନେଲେ। ଦଶ ପନ୍ଦର ହଜାର ଲାଗିବ।

ପୁଅ ଅସ୍ଥାୟୀ ସୁପରଭାଇଜର ଭାବେ କାମ କରେ ଜଣେ ବିଲଡରଙ୍କ ପାଖରେ। ଡିପ୍ଲୋମା ପାସ୍ । ନା ଗାଆଁରେ କିଛି କାମ ମିଳିଲା, ନା ଓଡିଶା ଭିତରେ। ସୁଦୂର ଆଜମିର୍ ଯାଇ କାମ କରୁଛି। ପ୍ରଥମେ ତାକୁ ଦିଲ୍ଲୀ ଯିବାକୁ ହୁଏ। ତା ପରେ ଜୟପୁର ହୋଇ ଆଜମିର୍। ବାହା ହେଇଛି କିଛି ଦିନ ତଳେ। ଆର୍ଥିକ ପରିସ୍ଥିତି ଆଦୌ ଭଲ ନୁହେଁ ପୁଅର।

ମକର ସଂକ୍ରାନ୍ତିକୁ ଏକା ଆସିଛି ସେ ଗାଆଁ କୁ। ଟ୍ରେନରେ ଯାତାୟାତ ଖର୍ଚ୍ଚ ବଢିଯିବ ବୋଲି ସ୍ତ୍ରୀକୁ ଛାଡି ଆସିଛି ଆଜମିର୍ ରେ। ଘର ମାଲିକ ଭାରି ଭଦ୍ରଲୋକ ବୋଲି କିଛି ଭୟ ନାହିଁ। 

ଦୁଇ ଚାରିଦିନ ଘରେ ରହିବ ବୋଲି ଭାବି ଆସିଛି ସେ..


ନୀଳକଣ୍ଠ ବାବୁ ସୁମିତ୍ରାଙ୍କୁ ନେଇ ଭାରି ବ୍ୟସ୍ତ। ପନ୍ଦର ହଜାର ଯୋଗାଡ କରିବା ତାଙ୍କ ପାଇଁ ବି ଏତେ ସହଜ ନୁହେଁ। ସାରା ଜୀବନ ସିକ୍ୟୁରିଟି ଗାର୍ଡ ହିସାବରେ କାମ କରି ଖାଲି ପେଟ ପୋଷିବା କଥା।

ଅବସର ପରେ ଆଉ ସମ୍ବଳ କାହିଁ। ବାଡ଼ିରୁ ଆମ୍ବ, ନଡ଼ିଆ ବିକି ଗୁଜୁରାଣ ମେଣ୍ଟାଇବା ଛଡା କିଛି ଆଉ ବିକଳ୍ପ ନ ଥିଲା ତାଙ୍କ ପାଖରେ। ବାହାଘର ପରେ ସୁଧିର ବି କିଛି ପଠେଇବାକୁ ସମର୍ଥ ନୁହେଁ। ବାହାଘର ଆଗରୁ କେବେ କେମିତି ହଜାରେ, ଦୁଇ ହଜାର ପଠଉଥିଲା। ଏମିତି ପରିସ୍ଥିତିରେ କଣ କରିବେ ବୋଲି ନୀଳକଣ୍ଠ ବାବୁ ବିଚଳିତ ହେଇ ପଡିଲେ।  ସିଆଡେ ସୁମିତ୍ରାଙ୍କୁ ବହୁତ୍ ଭଲ ପାଆନ୍ତି ସେ। ସ୍ନେହ , ମମତାର ସ୍ୱଳ୍ପ ଉଷ୍ମତାରେ ସଙ୍କୋଚିତ ବୟସ୍କ ମନଟି ବେଳେ ବେଳେ ଧୀରେ ହେଲେ ବି ହିମବାହ ପରି ଗତିଶୀଳ ହୁଏ। ପୁଅକୁ ମୁହଁ ଖୋଲି କହିବେ ବୋଲି ସିଦ୍ଧାନ୍ତ ନେଲେ। କହିବେ ତୋ ବୋଉ ପାଇଁ ଶ୍ରବଣ ଯନ୍ତ୍ରଟିଏ କିଣି ଦେ, ସେ ଯା ହେଉ ପଛକେ।


ପୁଅ କାଲି ରାଜସ୍ଥାନ  ଫେରିଯବ । ଠାରା ଠୁରି ହୋଇ ବାପା ବୋଉ ଯାଇ ବସିଲେ ପୁଅ ଶୋଇଥିବା କୋଠରୀ ଭିତରେ। ବହୁତ୍ କଥା ହେଲେ ସେମାନେ। ବହୂ କଥା, ସେମାନଙ୍କ ସହର କଥା। ଦୁଇଘଣ୍ଟା ଏମିତି କଟିଗଲା ଗପୁ ଗପୁ। ଶ୍ରବଣ ଯନ୍ତ୍ର କଥା କହିବାକୁ ସଙ୍କୋଚ କଲେ ସେ। କେମିତି ଆରମ୍ଭ କରିବେ ଭାବି ପାରୁ ନ ଥିଲେ।


ସୁମିତ୍ରା ନୀଳକଣ୍ଠ ବାବୁଙ୍କୁ ଠାରି ଦେଇ କହିଲେ ମୁଖ୍ୟ କଥାଟି କୁହ।

ସୁମିତ୍ରା ଙ୍କୁ ଲାଜ ଲାଗିଲା ବୋଧେ, ଉଠି ଚାଲି ଗଲେ ସେ। ବାହାରେ ଘୁରି ବୁଲି ହେଲେ ସୁମିତ୍ରା। ବାର ବାର ଚେଷ୍ଟା କରି ବି କାହିଁକି କେଜାଣି ସମ୍ଭବ ହେଲାନି। ସ୍ଵାଭିମାନର ଚାପରେ ଭାରାକ୍ରାନ୍ତ ହେଇଯାଏ ମନଟା । କାହାକୁ କିଛି ନ ମାଗି ମୁଣ୍ଡ ଉଠେଇ ଚାଲିହୁଏ। ଜୀବନ ସଫଳ ହେଲା ବୋଲି ଲାଗେ... ସେଇଥି ପାଇଁ ବୋଧେ କିଛି କହିଲେ ନାହିଁ ସେ।


ଆଉଥରେ ସେ ଘରକୁ ଆସୁ, ସେତେବେଳେ ତାକୁ କହିବି। ଶୋଇପଡ୍ କହି ବାହାରି ଆସିଲେ ନୀଳକଣ୍ଠ ବାବୁ। 


ସୁଧିର ରାଜି ହେଲା ତ ? ସୁମିତ୍ରା ଆଖି ବଡ ବଡ କରି ପଚାରିଲେ।


ନା କହିଥିଲେ ହୁଏତ ସୁମିତ୍ରା ଭାଙ୍ଗି ପଡ଼ିଥାନ୍ତେ। ମୁଁ ହସି ଦେଇ ହଁ କହିଲି। ମିଛର ଆବରଣରେ କଥାର  ଭାବଭଙ୍ଗୀ ବିକୃତ ଲାଗେ ଜାଣି ସୁଦ୍ଧା ନୀଳକଣ୍ଠ ବାବୁ ଅଭିନୟକୁ ଏକ ବିକଳ୍ପ ଭାବେ ଆପ ଣେଇ ନେଲେ। ମଲା ଜହ୍ନକୁ ଆଲୁଅ ଦେଇ ସଜେଇବା ଏତେ ସହଜ ନୁହେଁ। ନିରୁପାୟ ନୀଳକଣ୍ଠ ମିଛକୁ କିନ୍ତୁ ଅସ୍ଥାୟୀ ଭାବେ ସଜେଇ ଦେଇ ଉପସ୍ଥାପନା କଲେ  ସୁମିତ୍ରାଙ୍କ ଆଗରେ।


ନୀଳକଣ୍ଠ ବାବୁଙ୍କୁ କୁଣ୍ଢେଇ ଧରିଲେ ସୁମିତ୍ରା। ତା ପରେ ମୁଁ ସେମିତି ଶୁଣି ପାରିବି ନା...। ସୁମିତ୍ରାଙ୍କ ବାହୁ ବନ୍ଧନ ରେ ଥାଇ ତାଙ୍କ କାନ୍ଧ ଉପରେ ମୁଣ୍ଡ ଉପର ତଳ କରି ସମ୍ମତି ପ୍ରଦାନ କଲେ ନୀଳକଣ୍ଠ ବାବୁ। ପୁଅ ପଇସା ଦେବ ତ  !!!! ପୁଣି ଥରେ ଛାତି କୁ ପଥର କରି ମିଛ କହିଲେ, ହଁ...


ସୁମିତ୍ରାଙ୍କ ଖୁସି  କହିଲେ ନ ସରେ। ଉଦାସ ମନରେ ତଳକୁ ମୁହଁ ମାଡି ଶୋଇବାକୁ ଚେଷ୍ଟା କରୁଥିଲେ ନୀଳକଣ୍ଠ। ପନ୍ଦର ହଜାର କେମିତି ଯୋଗାଡ କରିବେ। ସୁମିତ୍ରା କିନ୍ତୁ ଅତି ଖୁସିରେ ଗୁଣୁ ଗୁଣୁ କରି ମନ ଭିତରେ ଗୀତ ଗାଉଥିଲା ଯେମିତି। ଗରମ ସୋରିଷ ତେଲ ନେଇ ଆସି ନୀଳକଣ୍ଠ ବାବୁଙ୍କ ପାଦରେ ମାଲିସ କଲା। ଭାବନା ରାଇଜରେ ଡୁବିଗଲେ ନୀଳକଣ୍ଠ।


"କେତେ ସରଳ ଏଇ ସୁମିତ୍ରା। ଶୁଣି ପାରେନି ବୋଲି ପୁଅ ସାଥିରେ ମୁଁ କଣ କଥା ହେଇଛି ଜାଣେନି। ତା ବିଶ୍ଵାସ ଉପରେ ମୁଁ କୋଠାରଘାତ କରିଛି। ତା ଅସହାୟତାର ସୁଯୋଗ ଉଠେଇ ମିଛ କହିଲି। ମୁଁ ବି ନିରୁପାୟ, କଣ କରିବି କେଜାଣି। 


ସେତେବେଳେ ମୁଁ କୋକାକୋଲା କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲି। ଯୌବନ ଅବସ୍ଥା। ଭାରି ଡଉଲ ଡାଉଲ ଥିଲି ମୁଁ ଦେଖିବାକୁ। ସୁମିତ୍ରା ବି ନୂଆ ବୋହୂ ହୋଇ ଆସିଥାଏ ଆମ ଘରକୁ। ଦିନେ ମୋତେ ଅଚାନକ ଏଇ ନବରତ୍ନ ମୁଦି ପିନ୍ଧେଇ ଦେଇ କାନ୍ଦିବାକୁ ଲାଗିଲା ସେ।  ମୁଁ କିଛି ବୁଝି ପାରିଲି ନାହିଁ।


ପଚାରିଲି, କାହିଁକି ସୁମିତ୍ରା ??? 


ତୁମ ଅଫିସ ଭିତରେ ଜଣେ ମହିଳା ଗାର୍ଡ ତମ ପ୍ରେମରେ ପଡିଛି। ଶୁଣିଲି ତମେ କୁଆଡେ ତାକୁ ବାହା ହେବାକୁ କଥା ଦେଇଛ। 


ମୋ ମୁଣ୍ଡ କାମ କଲାନାହିଁ କିଛି ମୁହୂର୍ତ୍ତ ପାଇଁ। କେମିତି ଜାଣିଲା ସେ। ସତ କଥାର ଆଘାତ ଅଜଗର ସାପର ଦଂଶନ ପରି। କିଛି ମୁହୂର୍ତ୍ତ ପାଇଁ ବେହୋସ୍ କରିଦିଏ। ଦେହ ସାରା ଜଡେଇ ଗୁଡେଇ ଗଲେ କଥା ଶେଷ। କଡ ମଡ ହୁଏ ମେରୁଦଣ୍ଡଟା। ସତ କଥାର ଓଜନ ଆକାଶ ଠୁ ବି ଅଧିକ।


ସ୍ଥାଣୁ ହେଇଗଲି ମୁଁ। ଅଚାନକ ଦୁଇ ତିନିଟି  ବରଡା ଖସିଗଲେ ନିଃସ୍ଵ, ଅସହାୟ ହେଇଯାଏ ତାଳଗଛଟି। ରାତି ଝଡ଼ରେ ହେନାଫୁଲ ଝଡିଗଲେ ସକାଳର ବାସ୍ନା ଉଭେଇଯାଏ ଘର ଅଗଣାରୁ। ମୁଁ ଚୁପ୍ ରହିବାକୁ ଶ୍ରେୟ ମନେ କଲି।


ମୋ ପାଇଁ ତା ମନ ଭିତରେ ଗଚ୍ଛିତ ପ୍ରେମ, ମୋ ଖରାପ ନକ୍ଷତ୍ର ଖଣ୍ଡନ ଉଦ୍ଦେଶ୍ୟରେ ତା ବାପା ମାଆଙ୍କୁ କହି ମୋ ପାଇଁ ନବରତ୍ନ ମୁଦି ଯୋଗାଡ କରିବାର ପ୍ରୟାସ ମୋତେ ବିଚଳିତ କଲା। ମୁଁ କୋକାକୋଲା କମ୍ପାନୀ ଛାଡ଼ିଦେଇ ଅତି ସାଧାରଣ କମ୍ପାନୀରେ ଚାକିରୀ କଲି ସାରା ଜୀବନ ପାଇଁ।


ଭୂସ୍ଖଳନ ପରେ ପାହାଡ ଧ୍ବସ୍ତ ବିଧ୍ବସ୍ତ ହୁଏ, ଅନାବନା ଭରିଯାଏ ପାହାଡିଆ ଚଲାପଥରେ। ମୋ ଚାରିତ୍ରିକ ଭୂସ୍ଖଳନ ପରେ ସୁମିତ୍ରା ସବୁ ରାସ୍ତା ହରେଇ ବି ବିଚଳିତ ହେଇ ନ ଥିଲା। ରାସ୍ତାକୁ ସଜାଡି  ଦୁର୍ଗମ ପରିସ୍ଥିତି ସହ ମୁକାବିଲା କଲା ସେ ନିରନ୍ତର। ମୋ ହାତ ଧରି ନିରାପଦରେ ସେ ନେଇ ଆସିଲା ମୋତେ ବାହାରକୁ ଭୟଙ୍କର ସେଇ ଚକ୍ରବ୍ୟୁହରୁ। 


ସୁମିତ୍ରା ର  ପ୍ରେମ ମୋତେ ରାସ୍ତା ଦେଖେଇଲା। ଛିଡା ହେଇ ରହିଲି ବରଂ ଜୀବନର ସେଇ ଦିଛକି ଉପରେ, କିନ୍ତୁ ଭୁଲ ରାସ୍ତାରେ ଯିବାକୁ ସାହାସ କଲିନାହିଁ। କାକଳି  କବଳରୁ ବାହାରିବା ବହୁତ୍ କଷ୍ଟ ଥିଲା ମୋ ପାଇଁ। ସଦ୍ୟଜାତ ବନହରିଣୀ, କଥା ଭିତରେ ଲୁଚି ରହିଥିବା କୁହୁକ ,  ତା ସୌନ୍ଦର୍ଯ୍ୟ ର ମାୟାଜାଲ ଏବଂ କପୋଳ କଳ୍ପିତ ସ୍ୱପ୍ନର ଚକ୍ରବ୍ୟୁହ ଭିତରେ ମୁଁ ଫସି ଯାଇଥିଲି। ମୁଁ ମନେ ମନେ ସିଦ୍ଧାନ୍ତ ନେଇଥିଲି କାକଳିକୁ ଦ୍ୱିତୀୟ ସ୍ତ୍ରୀ କରି ରଖିବି। ସୁମିତ୍ରା ମୋତେ ବଞ୍ଚେଇଥିଲା ସେଦିନ। ଅଚାନକ ଅନାବଶ୍ୟକ କୋଣଟି ଅଦୃଶ୍ୟ ହେବା ପରେ ତ୍ରିଭୁଜ ତା ସ୍ଥିତି ହରେଇ ଦେଇ ସରଳରେଖା ପାଲଟି ଯାଏ। ଆମେ ଦୁଇ ଜଣ ଧାଉଁଛୁ ସେଇ ସରଳରେଖା ଉପରେ। କିଛି ଦିନ ପରେ ଜାଣିଲି ଏଇ ନବରତ୍ନ ମୁଦି ପାଇଁ ତା ବାପା ଦୁଇ ଗୁଣ୍ଠ ଜମି ବିକ୍ରି କରିଥିଲେ। ମୁଁ ଭାରି କୃତଜ୍ଞ ଥିଲି ସେମାନଙ୍କ ଉପରେ।


ସେଇ ଦିନଠୁ ନା ପଛକୁ ଅନେଇଛି, ନା କାକଳିକୁ ନେଇ କିଛି ସ୍ବପ୍ନ ଦେଖିଛି।  କିଛି ଅନାବଶ୍ୟକ ସ୍ବପ୍ନ ସବୁ ପାଉଁଶ ହେଲେ  ଜୀବନର ସତ ଗଳ୍ପ ସବୁ ବୋଧେ ଅଙ୍କୁରିତ ହୁଅନ୍ତି । ସୁଡ଼ଙ୍ଗ ଶେଷର ସୂର୍ଯ୍ୟୋଦୟ ଆଶାର କିରଣ ବିଛେଇ ଦେଲା ମୋ ଚଲା ପଥରେ। ଆମେ ଦୁହେଁ ମୁକ୍ତ ବିହଙ୍ଗ ପରି ଆକାଶରେ ଉଡିଲୁ" ।


ସକାଳୁ ସୁଧିରକୁ ନେଇ ସହରକୁ ଗଲେ ନୀଳକଣ୍ଠ ବାବୁ। ଗାଆଁରେ ବୟସ୍କ ବିଚାରକ ହିସାବରେ  ବେଶ୍ ଖ୍ୟାତି ଥାଏ ତାଙ୍କର। ସମସ୍ତେ ତାଙ୍କ ବୟସକୁ ସମ୍ମାନ ଦିଅନ୍ତି। ନୀଳକଣ୍ଠ ବାବୁ ବୋଲି ସମସ୍ତେ ଡାକନ୍ତି।

ଟ୍ରେନ ପାଞ୍ଚ ଘଣ୍ଟା ବିଳମ୍ବ ଥିଲା। ପୁଅକୁ ଛାଡି ସହରର ସବୁଠୁ ବଡ ମେଡିକାଲ ସର୍ଜରୀ ଇକ୍ୟୁପମେଣ୍ଟ ଦୋକାନ ଭିତରକୁ ଯାଇ ଶ୍ରବଣ ଯନ୍ତ୍ରଟିଏ କିଣିଲେ ନୀଳକଣ୍ଠ ବାବୁ। ପଚିଶ ହଜାର ଟଙ୍କା ମୂଲ୍ୟର। ଅତି ଅନ୍ତରଙ୍ଗ, ଅତି ନିଜର କାହା ପାଇଁ କିଛି ଉପହାର କିଣିଲା ବେଳେ ଦର ଦାମ ଗୌଣ୍ୟ ଲାଗେ। ତଉଲୁ ତଉଲୁ କେତେ ଓଜନିଆ ଲାଗେ ସ୍ନେହ, ମମତା ଓ ପ୍ରେମ ମିଶ୍ରିତ ଅନୁରାଗ ସବୁ । ତରାଜୁଟା ନଇଁ ଆସେ ପୃଥିବୀ ଆଡକୁ। କୁଣ୍ଠା ବୋଧ ନ କରି ଯନ୍ତ୍ରଟା ନେଇ ଆସିଲେ ସେ ଘରକୁ।


ସୁମିତ୍ରା ଆଜି କାଲି ବହୁତ ଖୁସି। ନୀଳକଣ୍ଠ ବାବୁଙ୍କୁ ଆଉ ଗର୍ଜନ ତର୍ଜନ କରିବାକୁ ପଡୁନି। ଆସ୍ତେ କହିଲେ ବି ସବୁ ଶୁଣି ପାରୁଛନ୍ତି ସୁମିତ୍ରା।  ଭାସି ଯାଇଥିବା ସବୁ ଅଭିମାନ ଓ ଅନୁରାଗ ସମୁଦ୍ର କୂଳରେ ଆସି ଲାଖି ଯାଇଛି ଓଲଟା ଢେ଼ଉରେ। ସୁମିତ୍ରା ଆଜି ଠିକ୍ ପୂର୍ବ ପରି।

ନୀଳକଣ୍ଠଙ୍କ ପ୍ରେମ ଭରା ଚୁପ୍ ଚୁପ୍ କଥାରେ ଆଜି ମଜଗୁଲ୍ ହେଇ ଯାଉଥାନ୍ତି ସୁମିତ୍ରା। କାନ ପାଖରେ ଧିରେ ଧୀରେ କିଛି କହିଲେ ଶିହରିତ ହେଇ ଉଠନ୍ତି। ବୟସ ଗୋଟାଏ ସଂଖ୍ୟାର ଖେଳ ମାତ୍ର। ଜୀବନକୁ ଭରପୁର ଉପଭୋଗ କରିବେ ସେ। କାନ କିନ୍ତୁ ବଧିର ହେଲେ ଅଭିଶପ୍ତ ଲାଗେ ଜୀବନଟା।


ମାସେ ବିତିଗଲାଣି ଏହା ଭିତରେ। ହଠାତ୍ ଦିନେ ସୁମିତ୍ରା କହିଲେ ତମ ହାତ ଆଙ୍ଗୁଠିରେ ମୁଦିଟା ନାହିଁ !!!

ନବରତ୍ନ ମୁଦି ?

ସିଧା, ପ୍ରତ୍ୟକ୍ଷ ଭାବେ ଧରା ପଡିଯାଇଛନ୍ତି ଯେତେବେଳେ କଣ ଆଉ କରିବେ !! କେତେ ଥର ଆଉ ମିଛ କହିବେ ସେଇ ଶ୍ରବଣ ଯନ୍ତ୍ର ପାଇଁ। ନୀଳକଣ୍ଠ ବାବୁ କୋଳେଇ ନେଲେ ସୁମିତ୍ରାଙ୍କୁ ନିରୁପାୟ ହୋଇ।

କୁହ, କଣ ହେଇଛି ?

କାନ ପାଖରେ ଆସ୍ତେ କି କହିଲେ ଶୁଣି ପାରୁଛ ସୁମିତ୍ରା। 

ହଁ..

ତମ ପ୍ରେମର ସନ୍ତକ ନବରତ୍ନ ମୁଦିଟାକୁ ମୁଁ ବିକି ଦେଇଛି ........!! ଶ୍ରବଣ ଯନ୍ତ୍ର କିଣିବି ବୋଲି ତମକୁ କଥା ଦେଇଥିଲି ନା..

ଦୁଇ ଜଣଙ୍କ ଦୁଇ କାନ୍ଧ ଭିଜି ଗଲାଣି କେତେ ବେଳଠୁ..। ଅଠା ଅଠା ଲାଗୁଥିଲା ଲୁହର ସାନ୍ଦ୍ରତା। ଲୁହରେ ଜଳ କମ୍, ଭାବ ପ୍ରବଣତା  ବେଶୀ ଥାଏ ବୋଲି ସୁମିତ୍ରା ଅନୁଭବ କରୁଥିଲେ.....ମନ ଭିତରେ କିନ୍ତୁ ଦୁଃଖ ନ ଥିଲା ......


Rate this content
Log in

Similar oriya story from Classics