ରେଟ୍ ହୋଲ୍ ମାଇନର
ରେଟ୍ ହୋଲ୍ ମାଇନର


ଗେଟ୍ ପାଖରେ ଲୋକାରଣ୍ୟ, କେହି ଭିତରକୁ ଯିବା ପାଇଁ ସାହାସ କରୁ ନାହାନ୍ତି। ଛୋଟ ପୁଅଟିକୁ କୂଅ ଦେଖାଉ ଦେଖାଉ କୁଆଡେ ଖସି ପଡ଼ିଛି ଭିତରକୁ ମା ହାତରୁ। କାନ୍ଥରେ ବିସ୍ତାରିତ ବଟଗଛ ଡାଳରେ ଲାଖି ରହିଛି ସେ। ଟିକିଏ ହଲ ଚଲ ହେଲେ ସିଧା ପାଣି ଭିତରକୁ ଖସି ଯିବ। ଶୋକର ଛାୟା। ଜିଲ୍ଲାପାଳ ଅଗ୍ନିଶମ ବିଭାଗର କିଛି କର୍ମଚାରୀଙ୍କୁ ପଠେଇଛନ୍ତି। କୂଅ କାନ୍ଥରେ ଏତେ ଶିଉଳି, ସେମାନେ ସାହାସ କରୁ ନାହାନ୍ତି ଓଲ୍ହେଇବାକୁ। କ୍ରେନ୍ ଅଟକି ଯାଇଛି ଗାଆଁ ରାସ୍ତାରେ। ଅଗ୍ନିଶମ ବିଭାଗର ଏତେ ବଡ ଗାଡି ଯେ ଗାଆଁ ଗଳି ରାସ୍ତାରେ ପଶି ପାରି ନାହିଁ।
ଭାରି ଅଡ଼ୁଆରେ ପଡିଛନ୍ତି ତ୍ରିଭୁବନ ବାବୁ। ଦୁଇ ଘଣ୍ଟାରୁ ଅଧିକ ହେବ, ଛୁଆଟା ଲାଖି ରହିଛି କୂଅ ଭିତରେ। ବୋହୂ ମୁଣ୍ଡ ପିଟେଇ କାନ୍ଦୁଛନ୍ତି ଅସ୍ତବ୍ୟସ୍ତ ହୋଇ। ଶାଶୁ ନେହୁରା ହେଇ ସାହାଯ୍ୟ ପାଇଁ ନିବେଦନ କରୁଥାଆନ୍ତି ଗେଟ୍ ପାଖରେ ଛିଡ଼ା ହେଇ ରହିଥିବା ଗାଆଁ ଲୋକଙ୍କୁ।
କୂଅ ଭିତରକୁ ଓହ୍ଲେଇ ଛୁଆକୁ ଉଦ୍ଧାର କର !!!
ଭୁଲ ରାସ୍ତାରେ ନ ଯାଇ ବରଂ ତ୍ରିଛକ ଉପରେ ସାରା ଜୀବନ ଛିଡା ହେଇ ରହିବା ଯଥେଷ୍ଟ ଭଲ ବୋଲି ସମସ୍ତେ କହନ୍ତି। ଗାଆଁରେ ସମସ୍ତଙ୍କ ସହିତ ଏତେ ମିଳାମିଶା କରିବା ଠିକ୍ ନୁହେଁ ବୋଲି ନିଜ ଧର୍ମପତ୍ନୀ ଙ୍କ ପ୍ରରୋଚନାରେ ସଂପୂର୍ଣ୍ଣ ଏକମତ ହେଇଥିଲେ ତ୍ରିଭୁବନ ବାବୁ। ପରିଣତ ବୟସରେ ଭୁଲ ରାସ୍ତାକୁ ସେ କୋଳେଇ ନେଲେ। ସେଇଥି ପାଇଁ ବୋଧେ ଏମିତି ଦଶା, କେହି ଆସୁ ନାହାନ୍ତି ସାହାଯ୍ୟ ପାଇଁ।
ଆମେ ଜମିଦାର, ଆମେ କାହିଁକି ନିର୍ଭର କରିବା ଅନ୍ୟ ମାନଙ୍କ ଉପରେ। ଆମ ପାଖରେ କଣ ନାହିଁ, ସବୁ ହାତ ପାନ୍ତାରେ।
ସମସ୍ତଙ୍କ ପ୍ରତି ସାମାଜିକ ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖା ଦେଲା। ଘର ବାରଣ୍ଡାକୁ କେହି ଆସିବାକୁ ଆଉ ସାହାସ କଲେ ନାହିଁ। ହଠାତ୍ ଏତେ ପରିବର୍ତ୍ତନ ! କେହି ବୁଝି ପାରୁ ନ ଥିଲେ। ଧିରେ ଧିରେ ଲୋକେ ଦୂରେଇଗଲେ ସେମାନଙ୍କ ଜୀବନରୁ। ନୂଆ ବୋହୂ ପାଖରୁ ଗାଳି ଭର୍ତ୍ସନା ଖାଇ ବହୁ ପୁରୁଣା ଚାକର ଘର ଛାଡିଯିବା ପରେ ଦଶ ବର୍ଷ ବିତିଗଲାଣି ଏହା ଭିତରେ। ବୋହୂ ରାଗିଣୀ ନୀଚ ଜାତିର ରଘୁ କୁ ଘରୁ ତଡିବା ପାଇଁ ତା ଚରିତ୍ର ଉପରେ ଆକ୍ଷେପ କରି ଶାଶୁଙ୍କ ପାଖରେ ଅଭିଯୋଗ ବାଢିଲେ। ଶାଶୁ କିଛି ରାୟ ଦେବା ଆଗରୁ ରଘୁ ଘର ଛାଡି ଚାଲି ଯାଇଥିଲା ସୂର୍ଯ୍ୟାସ୍ତ ଆଗରୁ। ଏତେ ବଡ ଆରୋପ ମିଛରେ। ଗାଆଁ ଲୋକେ ଛି ଛା କରିବାକୁ ସୁଯୋଗ ପାଇଲେ ନାହିଁ। ମିଛ ନିଆଁ ରେ ଧୂଆଁ ଆସିବ କୁଆଡୁ ! କେହି କିଛି ଜାଣି ପାରିଲେ ନାହିଁ। ମିଛ କଥା ମାୟାମିରିଗ ପରି ଅସ୍ତବ୍ୟସ୍ତ ହୁଏ, ଆଖି
ପିଛୁଳାକେ ଗାଁର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଧାଇଁଯାଏ। ମିଛର ଗତି ଅତି ପ୍ରଖର। ସତ ଏତେ ମସଲା ଯୁକ୍ତ ନୁହେଁ ବୋଲି ବୋଧେ କେବେ ଆଦୃତ ହୁଏନି କାହା ପାଖରେ। ଝରଣାର ସ୍ୱଚ୍ଛ ପାଣି ପରି କିନ୍ତୁ ଆଗକୁ ବହି ଚାଲେ। ରଘୁ ଲୋକନିନ୍ଦା ରୁ ଅଳ୍ପକେ ରକ୍ଷା ପାଇଗଲା।
ସେଇ ଗାଁରେ ରହି ସୁଦ୍ଧା ତ୍ରିଭୁବନ ବାବୁଙ୍କ ଗେଟ୍ ଆଗ ଦେଇ କେବେ ଯିବାକୁ ସେ ସାହାସ କରିନି। ମନ ଭିତରେ ବହୁତ୍ ଘୃଣା, ବହୁତ୍ ରାଗ ସେମାନଙ୍କ ଉପରେ। କିଛି କାମ ଦାମ ନ ପାଇ ଧାନ କଟା ପରେ ଲୋକଙ୍କ ଚାଷ ଜମି ହିଡ ପାଖରେ ଥିବା ମୂଷା ଗାତ ଖୋଳି ଖୋଳି ମୂଷା ଲୁଚେଇ ରଖିଥିବା ଧାନକୁ ସଂଗ୍ରହ କର
ି ପରିବାର ଚଲାଉ ଥିଲା ସେ। ଭିଡ ଭିତରେ ପଛରେ ରହି ରଘୁ ଶୋକାକୁଳ ପରିବେଶ ଭିତରେ ସାମିଲ ହେଇ ଯାଇଥିଲା। ମାଲିକାଣୀଙ୍କୁ ଏମିତି ନେହୁରା ହେବା ଦେଖି ରଘୁ ସହି ପାରିଲା ନାହିଁ। ତାଙ୍କ ଘର କୂଅ ବାବଦରେ ସବୁ ଜାଣିଛି ସେ। କେତେଥର କୂଅ ଭିତରକୁ ଯାଇ ଭିତରେ ପଡି ଯାଇଥିବା ବାଲ୍ଟି ଉଠେଇ ଆଣିଛି। ମାଲିକାଣୀ ଭାରି ଦୟାଳୁ ଥିଲେ ସେତେବେଳେ। ଥରେ ଅତ୍ୟଧିକ ଖୁସି ହେଇ ନୂଆ ଲୁଙ୍ଗି ଉପହାର ଦେଇଥିଲେ, ଏବେ ବି ମନେ ଅଛି ରଘୁର। ଭଲ ପରିବାର, କେମିତି ସବୁ ବଦଳି ଗଲେ କେଜାଣି। ଭୋଳା ସଞ୍ଜ ହେଲେ ଘରକୁ ଫେରି ଆସେ। ତାକୁ ଲାଗୁଥିଲା ସେ ସେମିତି ଫେରି ଆସିଛି ତା ନିଜ ଘରକୁ। ହଜିଲା ସମ୍ପର୍କ ଇନ୍ଦ୍ରଧନୁର ରଂଗ ପରି, ଦିନେ ନା ଦିନେ ଆକାଶରେ ପୁଣି ଥରେ ଛାଇଯିବ।
ସବୁ ଭୁଲିଯାଇ ଭିଡ ଭିତରୁ ବାହାରି ଆସି କୂଅ ଅଭିମୁଖେ ଚାଲିଲା ସେ। କୋଉ ଜାଗାରେ ପାଦ ରଖି ଓହ୍ଲେଇବାକୁ ହୁଏ ରଘୁ ଜାଣିଛି। ପଶିଗଲା କୂଅ ଭିତରକୁ। ଗଛରେ ଲାଖି ରହିଥିବା କୁନି ପୁଅକୁ ଜାବୁଡି ଧରି ଛିଡାହେଲା କାନ୍ଥକୁ ଆଉଜି। ଗୋଟାଏ ପାଦ କାନ୍ଥରେ ଥିବା ଗାତ ଭିତରେ ଅଟକି ରଖି ସନ୍ତୁଳିତ କଲା ସେ ନିଜକୁ। ଦଉଡ଼ି ରେ ବାନ୍ଧି ଝୁଡିଟିଏ ଭିତରକୁ ଖସେଇ ଦେଲେ ଅଗ୍ନିଶମ ବିଭାଗର କର୍ମଚାରୀମାନେ। ରଘୁ ଛୁଆକୁ ଧରି ବସି ପଡିଲା ଝୁଡି ଭିତରେ। ଖୁସିର ଲହରୀ। ଛୁଆଟି ହସୁଥାଏ, ରଘୁ ହସିଦେଲା ଆତ୍ମତୃପ୍ତିରେ।
ବୋହୂ ଖୁସିରେ ପାଛୋଟି ନେଲେ ରଘୁକୁ। ସର୍ବସମକ୍ଷରେ ସମ୍ମାନିତ କଲେ ସେ ରଘୁକୁ। କରତାଳି ରେ ଭରି ଉଠିଲା ଘର ପ୍ରାଙ୍ଗଣଟା।
ଭିତରକୁ ଡାକି ନେଇ ତାକୁ ବସେଇ ଲେ ସେ ସୋଫା ଉପରେ। ବୋହୂ ଆଲ୍ମିରା ଭିତରୁ ପଚାଶ ହଜାର ଟଙ୍କା ନେଇ ଆସି ତା ହାତରେ ଧରେଇ ଦେଇ କହିଲେ ରଘୁଭାଇ ! ତମେ ନ ଥିଲେ କଣ ଆଜି ହେଇଥାନ୍ତା କହିଲ ??
ଟଙ୍କା ଫେରେଇ ଦେଲା ସେ । ବୋହୂ ମା, ଏତେ ଟଙ୍କା ନେଇ ମୁଁ କଣ କରିବି। ତମେ ଏ ଘରକୁ ଆସିବା ଆଗରୁ ମୁଁ ଏଇ ପରିବାର ର ଜଣେ ସଦସ୍ୟ ଥିଲି। ତମ ପୁଅ କଣ ମୋର କେହି ନୁହଁ ??? କଥାର ଓଜନ ଥିଲେ ମଣିଷ ବୋଧେ ଭାରସାମ୍ୟ ହରାଇ ବସେ। ଅଭିନୟର ଆବରଣରୁ ମିଛ ବାସ୍ନା ସବୁ ପ୍ରବାହିତ ହୁଏ। ଏକ ପାରିବାରିକ ପବିତ୍ର ସମ୍ପର୍କ ଅସ୍ତବ୍ୟସ୍ତ କଲା ରଘୁକୁ। ଆଖିରୁ ତାର ଦୁଇଟୋପା ଲୁହ ବହି ଆସିଲା। ବୋହୂଙ୍କ ଆଖିରୁ ନିରନ୍ତର ଲୁହ ବହିଆସି ପୃଥିବୀ ପୃଷ୍ଠରେ ଲୋଟି ପଡୁଥିଲା ଟୋପା ଟୋପା ହୋଇ। କିଛି ଲୁହ ପୁଅ ପାଇଁ ଖୁସିରେ, ଆଉ କିଛି ଲୁହ ରଘୁ ଉପରେ ଲଦି ଦେଇଥିବା ମିଛ ଦୋଷାରୋପ ପାଇଁ। ଅନୁତାପ ଜଙ୍ଗଲ ନିଆଁ ପରି, ମନ ଅରଣ୍ୟକୁ ଜାଳି ପୋଡି ପାଉଁଶ କରିଦିଏ।
ତ୍ରିଭୁବନ ବାବୁ ଟିଭି ଦେଖୁଥିଲେ, ଉତ୍ତରକାଶୀ ଟନେଲ ଭିତରୁ ମଜଦୂର ମାନଙ୍କୁ ରକ୍ଷା କରିଥିବା ରେଟ ହୋଲ୍ ମାଇନର ଭାଇମାନେ ପୁରସ୍କାର ରାଶି ସରକାରଙ୍କୁ ଫେରେଇ ଦେଇ କହୁଥିଲେ, ଆମ ଦେଶ ବାସୀଙ୍କୁ ରକ୍ଷା କରିବା ପାଇଁ ଆମେ ଯାହା କରିଛୁ , ତାହାଥିଲା ଆମ ପାଇଁ ଆମ କର୍ତ୍ତବ୍ୟ। ସେଥିପାଇଁ ଆମେ କଣ ପଇସା ନେବୁ !!!!
ତ୍ରିଭୁବନ ବାବୁ ବାଷ୍ପରୁଦ୍ଧ ହେଇ କହିଲେ, ଦେଖ୍ ରଘୁ ! ତୁ ଯିବାପରେ, ଆଜି ପର୍ଯ୍ୟନ୍ତ ଅନେକ କଥା ବଦଳି ଯାଇଛି ମୋ ଜୀବନରେ। ତୋ ପରି ଅମାୟିକ ମଣିଷକୁ ଫେରେଇ ଆଣିବା ପାଇଁ ଆମ ଭିତରେ ସତ୍ସାହାସ ନ ଥିଲା। କାହିଁକି କେଜାଣି, ଅନେକ ବଦଳି ଯାଇଥିଲୁ ଆମ ସବୁ। ରଘୁ ! ତୋତେ ଆଉ ମୂଷା ଗାତ ଖୋଳି ଧାନ ସଂଗ୍ରହ କରିବାକୁ ହେବନି, କାଲିଠୁ ପୁଣିଥରେ ତୁ ଆମ ଘର ସଦସ୍ୟ...