ଆକାଶର ଛାଇ
ଆକାଶର ଛାଇ
ବସନ୍ତ ଋତୁର ଏକ ସୁନ୍ଦର ସକାଳ। ରଚକାଏ ଥଣ୍ଡା ପବନ ସାଥିରେ କୋଇଲିର କୁହୁ କୁହୁ ରାବ ଏକ ମନୋରମ ପରିବେଶ କୁ ଜନ୍ମ ଦେଇ ସାରିଥିଲା ଆମ ଘର ଅଗଣାରେ।
ଟାଣି ଖିଚି ବୟସକୁ ଏତେ ବାଟ ନେଇ ଆସିଛି, ଅତି କଷ୍ଟରେ। ଅତିକ୍ରାନ୍ତ ବୟସ। ଦୁଇ ଝିଅ, ଉଭୟେ ଭିନ୍ନକ୍ଷମ। ଆମ ତିନି ଜଣଙ୍କ ଦେଖାଶୁଣା ପାଇଁ ମୁଁ ସୁମିତ୍ରା କୁ ରଖିଛି ଆମ ଘରେ। ଦଶ ବର୍ଷରୁ ଅଧିକ ହେବ ସେ ଆମ ଘରେ କାମ କରେ। ପରିବାରର ସଦସ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ।
ମୋ ସ୍ବାମୀ ଙ୍କ ଦେହାନ୍ତ ପରେ କିଛି ଦିନ ପର୍ଯ୍ୟନ୍ତ ଦୁଇ ଭିନ୍ନକ୍ଷମ ଝିଅଙ୍କ ଯତ୍ନ ନେଲି। ତା ପରେ କାହିଁକି କେଜାଣି ମୋତେ ଅବଶ ଲାଗିଲା। ଯଦିଓ ଦଶ ବାର ଘଣ୍ଟା ହୁଇଲ ଚେୟାର ଉପରେ ବସନ୍ତି ସେମାନେ, ତଥାପି ସେମାନଙ୍କୁ ଟଣା ଟାଣି କରିବା ପାଇଁ ମୋ ଦେହରେ ଆଗ ପରି ଆଉ ବଳ ନ ଥିଲା। ଗୋଟାଏ ନର୍ସିଂ ସେଣ୍ଟର ଯାଇ ସୁମିତ୍ରାକୁ ନେଇ ଆସିଲି। ସେଇ ଦିନଠୁ ଆମ ଘରେ ତା ଚାକିରୀ ସ୍ଥାୟୀ କହିଲେ ଅତ୍ୟୁକ୍ତି ହେବ ନାହିଁ।
ସୁମିତ୍ରା ର ଘର ସହରର ଅପର ପ୍ରାନ୍ତରେ। ରବିବାର ଗୋଟାଏ ଦିନ ଛୁଟି ନିଏ। ଛୁଆ ପିଲା ଓ ବର ସାଥିରେ ସମୟ କଟେଇ ପୁଣି ଥରେ ସୋମବାର ସକାଳେ ଆସି ପହଞ୍ଚିଯାଏ।
ଅନେକ ଦିନ ପରେ ସାହସ କରି ପଚାରିଲା, ଦିଦି ଏତେ ଦିନ ହେଲା ତମ ଘରେ କାମ କରୁଛି, ହେଲେ ତମ ଘର ବାବଦରେ କିଛି ଜାଣିନି। ତମ ପରିବାର ତଥା ତମର ଏଇ ଦିବ୍ୟାଙ୍ଗ ଝିଅ ବାବଦରେ କିଛି କୁହ ନା ସେଦିନ ଟାଳି ଦେଲି ତା କଥାକୁ।
ଦିନେ ମୋତେ ନାଲି ଚା ଦେଉ ଦେଉ କହିଲି, ସୁମିତ୍ରା ବସ୍। ଶୁଣ ଆମ ଘର କଥା। ଅତି ଆଗ୍ରହ ସହ ବସି ପଡିଲା ମୋ ପାଖରେ। ମୁଁ କିଛି କହିବା ଆଗରୁ ସୁମିତ୍ରା କହିଲା ଦିଦି ! ରାଧା ଦେଖିବାକୁ ଠିକ୍ ତମ ପରି। କିନ୍ତୁ ବର୍ଷା ! ଦାଦାଙ୍କ ଦେହର ରଙ୍ଗ କଣ ଏମିତି ଶ୍ୟାମଳ ଥିଲା।
"ନା ରାଧା ଆମ ଝିଅ, ନା ବର୍ଷା !
ଆମେ ତାଙ୍କୁ ଅନାଥ ଆଶ୍ରମରୁ ଆଣି ପାଳିଛୁ। କଥାଟି ଶୁଣିବା ମାତ୍ରେ ତା ଆଖି ଜଳ ଜଳ ହୋଇ ଉଠିଲା। ସୁମିତ୍ରା ! ଜାଣିଛୁ, ସେମାନଙ୍କ ବାହାଘର ବି ଠିକ୍ ହେଇ ଯାଇଛି। ଦୁଇ ଭିନ୍ନ କ୍ଷମ ଯୁବକ। ଦୁଇ ଭାଇ ସେମାନେ। ପ୍ରସ୍ତାବ ପଠେଇଛନ୍ତି ବିବାହ ପାଇଁ। ବଡ ବଡକୁ ଆଉ ସାନ ପୁଅ ସାନ ଝିଅ କୁ। ମୁଁ ହସି ଦେଲି, ସୁମିତ୍ରା ବି ହସିଦେଲା। ନିଜକୁ ନିୟନ୍ତ୍ରଣ କରିନେଲା ବୋଧେ।
ତା ବାପାଙ୍କର ଦୁଇଟି ଅମୂଲ୍ୟ ରତ୍ନ ଥିଲେ ସେମାନେ। କିଛି ଜିନିଷର ଅଭାବ ଅନୁଭବ କରିବା ପାଇଁ ଦେଉ ନ ଥିଲେ ସେ ସେମାନଙ୍କୁ। ଛାଇ ଆଲୁଅ ପରି ତା ବାପାଙ୍କ ପାରିପାର୍ଶ୍ଵ କୁ ଅତି ଜୀବନ୍ତ କରି ରଖିଥିଲେ ସେମାନେ। କିଏ କାନ୍ଧରେ ତ କିଏ କୋଳରେ। ସ୍ନେହ ଶ୍ରଦ୍ଧାର ହାଟ ଭିତରେ ଏକ ଅସରନ୍ତି ଭଣ୍ଡାର। ସେ ସମ୍ପୂର୍ଣ ଭୁଲି ଯାଇଥିଲେ ଏମାନଙ୍କୁ ଛାଡି ଆଉ ଗୋଟାଏ ସୁନ୍ଦର ପୃଥିବୀ ଅଛି ବୋଲି। ପ୍ରତିଦିନ ଅଲଗା ଅଲଗା ମିଠା ଖାଇବାକୁ ବରାଦ କରନ୍ତି । ଅଫିସରୁ ଫେରିଲା ବେଳକୁ ନାନା ରକମର ଖଜା, ଗଜା, ତେଲପୁଆ ନେଇ ଆସୁ ଥିଲେ ସେ। କାମ ଦାମ, ଚଲା ବୁଲା କରି ପାରନ୍ତି ନାହିଁ ସେମାନେ। ଛୋଟ ଦେଖା ଯାଉଥିଲେ ବି ବଡ ଝିଅ ରାଧା ର ବୟସ ଚାଳିଶ ରୁ ଟିକିଏ ଅଧିକ ହେବ। ସାନ ଝିଅକୁ ଚାଳିଶ ହେବ, ଆଉ ଦୁଇ ମାସ ପରେ।
ବିବାହର ଦଶ ବର୍ଷ ପର୍ଯ୍ୟନ୍ତ ପିଲା ପିଲି ନ ହେବାରୁ ଆମେ ଅନାଥାଶ୍ରମ ଯାଇ ଗୋଟାଏ ପିଲାକୁ ଏଡୋପ୍ଟ କରିବା ପାଇଁ ଚାହିଁଲୁ। ଅପର୍ଯ୍ୟାପ୍ତ ସୁନ୍ଦରୀ ଦେଖାଯାଉଥିବା ରାଧା ପାଖରେ ମନ ଲାଖି ରହିଲା। ତାକୁ ନେଇ ଆସିଲୁ ଆମେ ଆମ ଘରକୁ। ବର୍ଷକର ହେଇଥାଏ ରାଧା। ତାର ହାତ ଗୋଡ ବଙ୍କା ଥିଲା ବୋଲି ଆମକୁ ଜଣା ନ ଥିଲା। ପରେ ଜାଣିବାକୁ ପାଇଲୁ, ସେ ନିଜେ ଚାଲିବାକୁ ଅକ୍ଷମ। ସମ୍ପର୍କର ଅନେକ ଗଳ୍ପ ଭିତରେ ଆମର ଏଇ ଗଳ୍ପ ଯୋଡ଼ିଗଲା। ଦୁଃଖ ସୁଖ ଗୋଟାଏ ମୁଦ୍ରାର ଦୁଇ ପାର୍ଶ୍ଵ ପରି। କିନ୍ତୁ ଆଗେ ଦୁଃଖ ନା ଆଗେ ସୁଖ ଏଇ ପ୍ରଶ୍ନର ଉତ୍ତର ଅପେକ୍ଷାରେ ଆମ ଜୀବନର ଏକ ବୃହତ୍ତମ ଅଂଶ ଆମ ଆଖି ଆଗରେ ଜଳି ପୋଡି ପାଉଁଶ ହେଇ ଯିବାର ଯନ୍ତ୍ରଣା ମୁଁ ଅତି ପାଖରୁ ଦେଖିଛି ସୁମିତ୍ରା । ଆମ ଭାଗ୍ୟ ବୋଧେ ଏମିତି। ନିବିଡ଼ତାର ଶେଷ ସୀମା ଅତିକ୍ରମ କରି ଯାଇଥିଲୁ ଆମେ ରାଧା ସହିତ। ସୁତରାଂ ତାକୁ ନେଇ ଦୁଃଖ କରିବା ଆଉ ସମ୍ଭବ ହେଲା ନାହିଁ। ଦିନ ସାରା ଏକା ଏକା କାହା ସହ ଖେଳିବ। ନା ପାଖ ପଡୋଶୀ ଘର ପିଲା ମାନେ ଖେଳିଲେ ତା ସହିତ। ତୋ ଦାଦା କହିଲେ ତା ପାଇଁ ଆଉ ଗୋଟେ ଛୁଆକୁ ଆଡୋପ୍ଟ କରିବାକୁ ହେବ। ମୁଁ ହସିଦେଇ ହଁ ଭରିଲି।
ଅନାଥାଶ୍ରମକୁ ଯିବା ବେଳେ ତୋ ଦାଦା କାନ ପାଖରେ କହିଲି, ସମ୍ଭବ ହେଲେ ପୁଅଟିଏ ଆଣିବ। ହସିଦେଲେ, ବାସ୍ ଜାଣିଛୁ ସୁମିତ୍ରା ! ଆଶା ନିରାଶା ର ଖେଳ ଭିତରେ ହିଁ ଜୀବନର ସୀମା ନିର୍ଦ୍ଧାରିତ ହେଇଯାଏ। ଅଳ୍ପ ଭିତରେ ଆଉ ଅଳ୍ପ ପାଇବାର ଇଛା ତ୍ୱରାନ୍ୱିତ କରିଦିଏ ମନର ଗତିକୁ। ନିଜର ନ ହେଲେ ବି ପୁଅଟିଏ ଆସିଲେ ସମ୍ପୂର୍ଣ୍ଣ ଲାଗନ୍ତା ଆମ ପରିବାରଟି। ଆମେ ତ ମଣିଷ। ବିଶାଳକାୟ ସମୁଦ୍ର ବି ଛୋଟ ଛୋଟ ଝରଣା କୁ ଆଶ୍ରା କରେ ସମ୍ପୂର୍ଣ୍ଣତା ପାଇଁ ଦାଦାଙ୍କ ରାସ୍ତାକୁ ଅନେଇ ରହିିଲି ଦିନ ସାରା।
ରାତିରେ ହଠାତ୍ ଦେଖିଲି, ପାଞ୍ଚ ବର୍ଷର ଶ୍ୟାମଳ ରଙ୍ଗର
ଦିବ୍ୟାଙ୍ଗ ଝିଅ ବର୍ଷାକୁ କୋଳରେ ନେଇ ତୋ ଦାଦା ଛିଡା ହେଇଛନ୍ତି ଆମ ଗେଟ୍ ପାଖରେ। ମୁଁ ବାକଶୂନ୍ୟ ହେଇଗଲି କିଛି ମୁହୂର୍ତ୍ତ ପାଇଁ। ସେ ତାକୁ ଧୋଆ ଧୋଇ କରି ନୂଆ ପୋଷାକ ପିନ୍ଧେଇ ଦେଇ ରାଧା ସହିତ ଖେଳିବାକୁ ଛାଡ଼ିଦେଲେ। ମୋ ମନ କିନ୍ତୁ ବୁଝୁ ନ ଥାଏ। ମୋର ସେମିତି କିଛି ପ୍ରତିକ୍ରିୟା ନ ଥାଏ। ମନ ଦୁଃଖରେ ଶୋଇବାକୁ ଗଲି।
ତୋ ଦାଦା ମୋ ମନ କଥା ବୁଝି ପାରି କହିଲେ, ଶୁଣ ! ଦୁଃଖ କରନି। ରାଧା ତା ଆଗରେ ଆଉ ଜଣେ ଭିନ୍ନକ୍ଷମ ମଣିଷକୁ ଦେଖିଲେ ନିଜ ଦୁଃଖ ଭୁଲିଯିବ। ମୋ ଭଳି ଆହୁରି ଦୁଃଖୀ ଏଇ ପୃଥିବୀ ରେ ଅଛନ୍ତି ଭାବି ସେ ଏକ ମାନସ୍ତାତ୍ୱିକ ନିୟନ୍ତ୍ରଣ ଭିତରେ ନିଜକୁ ଆବିଷ୍କାର କରିବ। ଅନେକ ଡଉଲ ଡାଉଲ ପୁଅ ମିଳୁଥିଲେ। ଭାବି ଦେଖିଲି ପୁଅଟା ବଡ ହେବା ପରେ ଆଖି ଆଗରେ ଅକର୍ମଣ୍ୟ ରାଧାକୁ ଦେଖି ପସନ୍ଦ କରିବ ବୋଲି କିଛି ନିଶ୍ଚିତ ନୁହେଁ। ସିଆଡେ ରାଧା ହୀନମାନ୍ୟତା ର ଶିକାର ହେଇ ପୁଅକୁ ଘୃଣା ବି କରିପାରେ। ସେଇଥିପାଇଁ ଏମିତି ଗୋଟେ ଅଦ୍ଭୁତ ସିଦ୍ଧାନ୍ତ ନେଇଛି ମୁଁ ମୁଁ ତାଙ୍କୁ ସେଦିନ କୋଳେଇ ନେଲି, ଆତ୍ମ ବିଭୋର ହୋଇ।"
ଦେଖୁଥାଏ, ସୁମିତ୍ରା ଆଖିରୁ ଦୁଇଟୋପା ଲୁହ ଟପ୍ କରି ଭୂଇଁ ଉପରେ ପଡିଲା। ସୁମିତ୍ରା ! ତୋ ଦାଦାଙ୍କ ମୃତ୍ୟୁ ପରେ ବଜ୍ର ପଡ଼ିଲା ମୋ ଉପରେ। ଏତେ ବଡ ଆକାଶର ଛାଇ ଭିତରେ ମୁଁ ଆବଦ୍ଧ ହେଇଗଲି। ଖାଲି ଦୁଃଖ ହିଁ ଦୁଃଖ। ସବୁବେଳେ ଗୋଟାଏ ପ୍ରଶ୍ନ ମୋତେ ଆହୁରି ଆହତ କରେ। ମୁଁ ଯଦି ମରିଯାଏ, ଯଦି ସେମାନଙ୍କ ବାହାଘର ଭାଙ୍ଗିଯାଏ କିମ୍ବା ବାହାଘର ପରେ ସେମାନେ ଛାଡି ଦିଅନ୍ତି ତେବେ କିଏ ବୁଝିବ ଏମାନଙ୍କ କଥା। ନିସ୍ତବ୍ଧତା ର ଏକ କ୍ରୁର ଆବରଣ ଆମକୁ ଘୋଡେଇ ଦେଲା କିଛି ମୁହୂର୍ତ୍ତ ପାଇଁ.. ସୁମିତ୍ରା କିଛି କହିବ ଚାହିଁଲା । ମୁଁ ଅନେଇ ରହିଲି ତା ମୁହଁ କୁ
ଦିଦି ! ମୁଁ ବୁଝିବି। ସେମାନଙ୍କ ସେବା କରୁ କରୁ ସେମାନଙ୍କ ଅସହାୟତା କାହିଁକି କେଜାଣି ଏକ ମାତୃତ୍ଵ କୁ ଜନ୍ମ ଦେଇ ସାରିଲାଣି ମୋ ଭିତରେ। ମୋ ବୟସ ବି ଆଉ କେତେ ଯେ ମୁଁ ମରିଯିବି ସେମାନଙ୍କ ଆଗରୁ ! ତମେ କିଛି ଚିନ୍ତା କରନି, ମୋ ଉପରେ ଛାଡି ଦିଅ ସେମାନଙ୍କ କଥା। ମନ ଭିତରଟା ଯେତିକି ଥଣ୍ଡା ହେଲା, ସେତିକି ନୀରବ। ଜରୁରୀ ନୁହେଁ ଯେ ସବୁ ନିରବତା ଝଡ ବର୍ଷାକୁ ସ୍ଵାଗତ କରେ। ସବୁ ମାତ୍ର ସମୟର ଲୁଚକାଳି ଖେଳ। ଏତେ ବଡ ସମସ୍ୟାକୁ ନେଇ ସମାଧାନର ସୂତ୍ରପାତ ହେଲା। ମୁଁ କୋଳେଇ ନେଲି ସୁମିତ୍ରାକୁ। ଉପରକୁ ଅନେଇଲି, ଆକାଶର ଛାଇ ଓହରି ଗଲାଣି ମୋ ଉପରୁ !
ଘର ଅଗଣାରେ ବସି ସିଆଡେ ବର୍ଷା ବେଣି ବାନ୍ଧୁ ଥାଏ ରାଧାର ସ୍ନେହ ଶ୍ରଦ୍ଧାର ଜାଲ ଭିତରେ ଛନ୍ଦି ହେଇ ଯାଇଛନ୍ତି ସେମାନେ। ବାହାରକୁ ମୁକୁଳିବା ପାଇଁ ରାସ୍ତା ନାହିଁ। ଅସହାୟ ମଣିଷଟା ନିଜେ ବି ଜାଣିବାର ସୁଯୋଗ ପାଏନି, ନିଘଞ୍ଚ ଜଙ୍ଗଲ ଭିତରେ ସେ ରାସ୍ତା ହରେଇ ବସିଛି। ଅନନ୍ୟ ଖୁସିରେ ନିଃସହାୟ ପଥିକର ଅସହାୟତା ପ୍ରସ୍ଫୁଟିତ ହୁଏ। କିଛି ବୁଝି ନାହାନ୍ତି ସେମାନେ। ମଲ୍ଲି ଫୁଲ ପରି ହସ ଚହଟୁ ଥାଏ ଦୁହିଁଙ୍କ ମୁହଁ ଉପରେ ।