କିଛି ସ୍ବପ୍ନ
କିଛି ସ୍ବପ୍ନ
ଜୀବନ ସତରେ କେତେ ସୁନ୍ଦର, ଭଳିକି ଭଳି ଫୁଲ ପରି ଭିନ୍ନ ଭିନ୍ନ ରଙ୍ଗରେ ସଜ୍ଜିତ.ତା ଭିତରେ ଅନେକ ଚିକମିକ କରୁଥିବା ସ୍ବପ୍ନ. କୁହନ୍ତି ସ୍ବପ୍ନ କେବେ ପୁରା ହୁଏନି ଖାଲି ଯା ଗୋଟେ ଭ୍ରମ. କିଏ କହିଲା ସ୍ବପ୍ନ କେବେ ପୁରା ହୁଏନି ? ମୁଁ ଦେଖିଛି ନ ଦେଖିଥିବା ସ୍ବପ୍ନ ମଧ୍ୟ୍ୟ ପୂରା ହୁଏ, ବାସ ପୂରା କରିବାର ମନବୃତ୍ତି ଥିବା ଦରକାର.ମନ ଭିତରେ ନିଜ ସ୍ବପ୍ନ ପ୍ରତି ସେତକି ନିଷ୍ଠା ଏବଂ ପୂରା କରିବାର ଆଗ୍ରହ ଥିବା ଦରକାର.ସେଥିପାଇଁ ତ ସେ ଥିଲା ସବୁଠୁ ନିଆରା.
ପବିତ୍ର ଆଉ ନିତ୍ୟା ନାଁ କହିଲେ ଅନ୍ଧବି ଠିକଣା ଦେବ.
'ପବିତ୍ର' ଆଉ ମୁଁ ଆପଣଙ୍କ 'ନିତ୍ୟା' ପିଲାବେଳୁ ବନ୍ଧୁ.ଉଭୟଙ୍କ ପରିବାର ମଧ୍ୟ୍ୟ ପରସ୍ପରର ଶାଗ, ଲୁଣ ଦିଆନିଆ ପଡିଶା ମଧ୍ୟ୍ୟ ଥିଲୁ . ପିଲାବେଳ ବାଲିଖେଳ,ସ୍କୁଲ ଏବଂ ପରେ ପରେ କଲେଜ ପାଠ ପଢା ଭିତରେ କେବେ ଏତେ ପରସ୍ପରର ନିକଟତର ହୋଇଗଲୁ କି ଅନୁଭବ ହେଲା ବେଳକୁ ହୃଦୟର ବନ୍ଧନରେ ବାନ୍ଧି ହୋଇ ସାରିଥିଲୁ.ବୋଧେ ପ୍ରେମ ସାଗରରେ ଏତେ ଉବୁଟୁବୁ ହେଉଥିଲୁ କି, ଜଣେ ଆଉ ଜଣକୁ ଘଡିଏ ନଦେଖିଲେ ରହିବା ଅସମ୍ଭବ ଥିଲା.ଆମ ଉଭୟଙ୍କ ପ୍ରତ୍ୟେକ ଚିନ୍ତାଧାରା, ପସନ୍ଦ, ନାପସନ୍ଦ ମିଶୁଥିଲା.ଜଣକୁ ଆର ଜଣକର ମନ ପଢିବାକୁ କିଛି ହସ ଆଉ କିଛି ଲୁହର ଆବଶ୍ୟକ ପଢୁଥିଲା,କେମିତି କେଜାଣି ମୁଁ କିଛି କହିବା ଆଗରୁ ପବିତ୍ର ମୋ ହୃଦୟ ପଢି ନେଉଥିଲା. ଆମେ ଯେତେ ନିକଟତର ଥିଲୁ ଆମ ବାପା ମାନଙ୍କ ସେତେ ଅଲଗା ଚିନ୍ତାଧାରା ଥିଲା. ମୋ ବାପା ସରକାରୀ ପୋଲିସ ଅଧିକାରୀ ତା ବାପା ସରକାରୀ ଉଚ୍ଚବିଦ୍ୟାଳୟରେ ଶିକ୍ଷାବିତ.ଜଣେ ଖୁବ୍ ରାଗି ସ୍ବଭାବ ଆର ଜଣକ ଖୁବ୍ ନମ୍ର. ପବିତ୍ର ତା ବାପାଙ୍କୁ ତା ଆଦର୍ଶ ମନେ କରୁଥିଲା. ସେ ମଧ୍ୟ୍ୟ ପବିତ୍ରକୁ ବହୁତ ଭଲ ପାଉଥିଲେ, ତାର ପ୍ରତିଟି ସାମାଜିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ତାକୁ ସର୍ବଦା ପ୍ରୋତ୍ସାହନ ଏବଂ ପ୍ରେରଣା ଦେଉଥିଲେ. ନିଜ ତରଫରୁ ସବୁ ପ୍ରକାର ଆର୍ଥିକ ସାହାଯ୍ୟ ମଧ୍ୟ୍ୟ ପାରୁ ପର୍ଯ୍ୟନ୍ତ କରୁଥିଲେ. ଛୋଟବେଳୁ କାହା ଆଖିରେ ପବିତ୍ର ଟିକେ ଲୁହ ଦେଖିପାରେନି ସେ ଖୁବ୍ ସରଳ ହୃଦୟର ଥିଲା . ସେଥିପାଇଁ ସେ କଲେଜ ପରେ କିଛି ଯୁବ ସଂଗଠନ ଏବଂ କିଛି ସମାଜର ସାହାଯ୍ୟକାରୀ ବ୍ୟକ୍ତିତ୍ୱଙ୍କୁ ନେଇ "ଆଶ୍ରୟ" ନାମକ ଛୋଟ ଵୃଦ୍ଧାଶ୍ରମଟିଏ ଖୋଲିଥିଲା. ଏକା ଏକା ପାରୁ ପର୍ଯ୍ୟନ୍ତ ତାର ଦାୟିତ୍ୱ ନେଉଥିଲା.ବୋଧେ ତାର ଏହି ନିଷ୍କପଟ ହୃଦୟଭରା ଚିନ୍ତାଧାରା ମୋତେ ତା ପ୍ରତି ଆକୃଷ୍ଟ କରିଥିଲା.
ସମୟ ଗଡି ଚାଲିଥାଏ, ଆଶ୍ରମ ଦାୟିତ୍ୱ ମଧ୍ୟ୍ୟ ବଢ଼ି ଚାଲିଥାଏ, ପବିତ୍ରକୁ ସବୁବେଳେ ବ୍ୟସ୍ତତା ଘେରି ରହିବାକୁ ଲାଗିଥାଏ. ମୋର ମଧ୍ୟ୍ୟ ବୟସ ବଢିବା ସହ ବିଭାଘର ପ୍ରସ୍ତାବ ଜୋରେ ଆସୁଥାଏ. କେତେଦିନ ମିଛ, ସତ କହି ବିଭାଘର ଘୁଞ୍ଚାଇବି ଶେଷରେ ପବିତ୍ର ସହ ବିଚାର କରି ଆମେ ଦୁହେଁ ନିଷ୍ପତି ନେଲୁ ଘରେ ପରସ୍ପର ସମ୍ପର୍କ କୁ ନେଇ ସବୁ ସତକଥା କହିଦେବୁ.କଥାରହିଲା ସେ ଦିନ ରାତିରେ ଉଭୟ ନିଜ ନିଜ ଘରେ ପରସ୍ପର ବିଷୟରେ କହିବୁ, ହେଲେ ବୋଧେ ଭାଗ୍ୟ ଆମ ପାଇଁ ଆଉ କିଛି ଲେଖିଥିଲା.
ମୁଁ ବାପା, ବୋଉଙ୍କୁ ସେ ଦିନ ସବୁ କହି ସାରିଥିଲି, ଏବଂ ସଫା ସଫା କହି ଦେଇଥିଲି ପବିତ୍ର ବିନା ମୁଁ ଆଉ କାହା ସଙ୍ଗେ ବିଭାଘର ପାଇଁ ଅରାଜି. ପ୍ରଥମେ ବାପା ବହୁତ ରାଗିଲେ କିନ୍ତୁ ବଢିଲା ଝିଅକୁ କଣ କହିବ କହି ବୋଉ କହିଥିଲା ସେମିତି ପବିତ୍ରଟା ଆମର ଭଲ ପିଲାଟି. ଆମ ଝିଅ ତା ସହ ଖୁସିରେ ରହିବ, ପିଲା ଦୁଇଟି ଆମ ଆଖି ଆଗରେ ରହିବେ. ଏତିକି କହିଛି ହଠାତ କବାଟ ଜୋରେ ଜୋରେ ବାଡେଇବା ଶବ୍ଦ ଶୁଣି ବାପା, ବୋଉ କବାଟ ଖୋଲିବାକୁ ଯାଇ ଦେଖିଲେ ପବିତ୍ରର ବାପା......"କଣ ହୋଇଛି ମିଶ୍ର ବାବୁ "? ବାପା ପଚାରିବାରୁ ମଉସା କହିଥିଲେ ମହାପାତ୍ର ବାବୁ ପବିତ୍ର ଆଉ ନାହିଁ, ଆକ୍ସିଡେଣ୍ଟରେ ଆମକୁ ଛାଡି ପଳାଇଲା, ତା ବୋଉକୁ ଜଣା ନାହିଁ ଟିକେ ଦୟାକରି ମୋ ସହ ଡାକ୍ତରଖାନା ଚାଲନ୍ତୁ. ସ୍ଥାନୀୟ ଥାନା ଅଧିକାରୀଙ୍କ ଫୋନ ଆସିଥିଲା. ସମୟ ଯେପରି ଆମ ସମସ୍ତଙ୍କ ପାଇଁ ଅଟକି ଯାଇଥିଲା, କିଛି ନକହି ବାପା ମଉସାଙ୍କ ସହ ଡାକ୍ତରଖାନା
ବାହାରି ପଡ଼ିଥିଲେ. ମୁଁ ନିଶବ୍ଦ, ନିଷ୍କ୍ରିୟ ହୋଇପଡ଼ିଥିଲି.ଦୀର୍ଘ ସମୟ ଧରି ବାହାରୁ କନ୍ଦାକଟା ସ୍ୱର ଗୁଡିକ ଭାସି ଆସୁଥିଲା, ମୁଁ କିନ୍ତୁ ମୋ ରୁମ ବାହାରକୁ ଆସିବାକୁ ସାହସ କରି ପାରିନଥିଲି.
ଆଜିକୁ ପବିତ୍ର ଯିବାର ତିନି ମାସ ଚଉଦ ଦିନ ହୋଇଗଲାଣି. ମୋ ଅବସ୍ଥା ଦେଖି ବାପା, ବୋଉ ମଧ୍ୟ୍ୟ ନିରବ. ପ୍ରତିଦିନ ଝରକା ବାଟେ ଶୁଣେ ତା ବାପା, ବୋଉଙ୍କ କାନ୍ଦ ବୋବାଳି. ଲୁଚି ଲୁଚି ଝରକା ଫାଙ୍କରେ ଦେଖିବାକୁ ଚେଷ୍ଟା କରେ ସେ ଦୂର ଆକାଶରେ ମୋ ପବିତ୍ରର ହସ, ମଜାଳିଆ ଗପ, ଅନ୍ଧାର ଭିତରେ ଖୋଜେ ତା ପ୍ରେମଭରା ସ୍ପର୍ଶ. ଆଇନା ଆଗରେ ବସି ଘଣ୍ଟା ଘଣ୍ଟା ଦେଖେ ତାକୁ ଆଉ ମୋତେ, ବର ବଧୂ ବେଶରେ ସଜେଇ ହୁଏ, ଖୁଵ ସଜେଇ ହୁଏ କିନ୍ତୁ ଲୁହ ସବୁ ବହି ନେଇଯାଏ......ଆକାଶରେ ଖୋଜେ ସେ ତାରା ଗୁଡାକ ଭିତରେ ମୋ ପବିତ୍ରକୁ, ରାତି ପାହିଯାଏ ପାଏନି ତା ଠିକଣା.
ହଠାତ ଦିନେ ଶୁଣିଲି ବାପା, ବୋଉକୁ କହିବାର ପବିତ୍ର କରିଥିବା ଵୃଦ୍ଧାଶ୍ରମ ଦାୟିତ୍ୱ କେହି ନନେଲେ ଅନୁଷ୍ଠାନ ବନ୍ଦ ହୋଇଯିବ. ବିଚରା ଏତେ ବୟସ୍କ ଲୋକ ଗୁଡାକ ଏ ପରିଣତ ବୟସରେ କୁଆଡେ ଯିବେ କେଜାଣି? ଯେମିତି ଲାଗିଲା ପବିତ୍ର ମୋ କାନ ପାଖରେ କହିଗଲା ଏ ପାଗିଳି ନିତ୍ୟା ତୁ ଥାଉ ଥାଉ ମୋ ସ୍ବପ୍ନ କଣ ଅଧୁରା ରହିଯିବ???.....ଖୁବ ଭାବିଥିଲି ସେ ରାତି, ମୋ ଜୀବନକୁ ନୂଆ ଦିଶା ମିଳି ଯାଇଥିଲା, ମୁଁ ଲାଗି ପଡିଲି ଵୃଦ୍ଧାଶ୍ରମ କାମରେ. କିପରି ଅନୁଷ୍ଠାନକୁ ବଞ୍ଚାଇ ପାରିବି.
ଆଜି ପବିତ୍ର ଯିବାର ବରଷେ ଉପରେ ହେଲାଣି, ମୁଁ ଵୃଦ୍ଧାଶ୍ରମ ସହ ଖୁଵ ଜଡିତ ହୋଇଯାଇଛି. ସମସ୍ତଙ୍କ ମୁହଁରେ ହସ ଭରି ଦେବାକୁ ଚେଷ୍ଟା କରିଛି, କାରଣ ସେ ହସ ଭିତରେ ମୁଁ ପବିତ୍ରକୁ ହସୁଥିବାର ଦେଖେ. ପ୍ରତିଟି ଅସହାୟତାରେ ପବିତ୍ରକୁ ମୁଁ ଛାଇ ପରି ପାଖେ, ପାଖେ ପାଏ.
ଆଜି ବାପା, ବୋଉ, ମଉସା,ମାଉସୀଙ୍କ ବାଧ୍ୟ୍ୟ କରିବାରୁ ମୁଁ ବିଭାଘର ପାଇଁ ରାଜି ହୋଇଛି. କାରଣ ଏ ଦୁଃଖ ସମୟରେ ମୋ ବାପା, ବୋଉ, ପବିତ୍ରର ବାପା, ବୋଉ ବହୁତ କଷ୍ଟ ପାଇଛନ୍ତି କିନ୍ତୁ ସବୁବେଳେ ମୋ ପାଖେ ପାଖେ ମୋ ଦୁଃଖରେ ଦୁଃଖୀ ହୋଇ ଛିଡା ହୋଇଛନ୍ତି. ପବିତ୍ର ଗଲାପରେ ତା ଯିବା ଦୁଃଖ ଯେମିତି ସମସ୍ତଙ୍କୁ ଆନ୍ତରିକ ରୂପେ ବାନ୍ଧି ଦେଇଥିଲା.
ପ୍ରଥମ ଥର ଦେଖା ହୋଇଥିଲା ସେ ଦିନ ମୋର ସୌରଭ ଏବଂ ତାଙ୍କ ପରିବାର ସହ. କେଇପଦ କଥାରୁ ଜାଣିପାରିଥିଲି ତାଙ୍କ ଶାନ୍ତ, ଭଦ୍ର ଏବଂ ସରଳ ବ୍ୟକ୍ତିତ୍ୱ ବିଷୟରେ.କଥା କଥା ଭିତରେ ଜାଣି ପାରିଥିଲି ସୌରଭ ନିଜ ବିଜନେସ ସହ ଅନେକ ସାମାଜିକ ଉନ୍ନତି ମୂଳକ ସଂଗଠନ ସହ ଜଡିତ, କେତୋଟି ଏନ. ଜି.ଓ ର ସେ ଚେୟାରମ୍ୟାନ ଅଛନ୍ତି. ଆମ ଵୃଦ୍ଧାଶ୍ରମ ବିଷୟରେ ମଧ୍ୟ୍ୟ ସେ ଅବଗତ ଥିଲେ ଏବଂ ମୋତେ ତାର ଆହୁରି ଉନ୍ନତି ପାଇଁ ତାଙ୍କ ଆଡୁ ପ୍ରସ୍ତାବ ମଧ୍ୟ୍ୟ ଦେଇଥିଲେ. ମୁଁ ତାଙ୍କୁ ପବିତ୍ର ବିଷୟରେ ସବୁ ଜଣାଇବାକୁ ଚାହିଁଥିଲି କିନ୍ତୁ ଆଶ୍ଚର୍ଯ୍ୟ ସେ ଆଗରୁ ସବୁକିଛି ଜାଣିଥିଲେ.ବାକି ଘରଲୋକ ଗପସପ ସହ ସମସ୍ତେ ତଳେ ଗରମ ସିଂଘଡl, ଖାଇବାରେ ବ୍ୟସ୍ତ ଥିଲେ । ଆମ ଦୁଇ ଅପରିଚିତଙ୍କୁ ଛାତ ଉପରକୁ ପଠା ଯାଇଥିଲା ପରିଚିତ ହେବାକୁ । ମୁଁ କିନ୍ତୁ ଛାତ ଉପରୁ ଦେଖୁଥିଲି ପାଖ ଘର ଛାତକୁ, ଯୋଉଠି ଦୂରରେ ଛିଡା ହୋଇ ମୋତେ ପବିତ୍ର ସ୍ପଷ୍ଟ ରୂପେ ଦେଖାଯାଉଥିଲା, ସେଇ ହସ ହସ ମୁହଁ ମୋ କାନ ପାଖେ ପାଖେ କହି ଯାଉଥିଲା "ଆରେ ପାଗିଳି ନିତ୍ୟା ଦେଖ ବଂଚିବା ପାଇଁ ଜୀବନ ତୋତେ ପୁଣି ଡାକୁଛି ତା ଆଲିଙ୍ଗନ ଗ୍ରହଣ କର. ମୁଁ ସବୁବେଳେ ତୋ ସହିତ ଅଛି, ଛାଇପରି, ନିଶ୍ୱାସପରି.ମୋ ଖୁସିରେ ଯେମିତି ତୋ ଖୁସି ସେଇପରି ତମ ସମସ୍ତଙ୍କ ଖୁସିରେ ପା ମୁଁ ଖୁସି, ସୌରଭ ଭିତରେ ତୁ ମୋତେ ସବୁବେଳେ ଖୋଜି ପାଇବୁ............ ଆଖିରୁ ଅମାନିଆ ଲୁହ ଗୁଡିକ ଧାର ଧାର ହୋଇ ବହି ଚାଲିଥିଲା,କୋହ ଗୁଡାକ ବିନା ଅନୁମତିରେ ଫାଟି ଫାଟି ଯାଉଥିଲା, ସତରେ ସୌରଭ ଭିତରେ ମୋତେ ପବିତ୍ର ଦେଖା ଯାଉଥିଲା ଏବଂ ତା ସ୍ବପ୍ନ ଗୁଡିକ ପୁର୍ଣ ହେବାର ଆଶା ସ୍ପଷ୍ଟ ହୋଇ ସାରିଥିଲେ ସୌରଭଙ୍କ ବ୍ୟକ୍ତିତ୍ୱ ରୂପେ.