STORYMIRROR

Banasmita Panda

Drama Tragedy Inspirational

3  

Banasmita Panda

Drama Tragedy Inspirational

ପୁନରାବୃତ୍ତି

ପୁନରାବୃତ୍ତି

2 mins
255

ସୁନନ୍ଦା ଭଉଣୀ "ଆମକୁ ଆପଣଙ୍କ ସାନ ଝିଅ ରିଆ ଖୁବ ପସନ୍ଦ, ଆଉ ସେମିତି ଆମ ମୋହିତକୁ ମଧ୍ୟ୍ୟ ରିଆ ପସନ୍ଦ " କହୁଥିଲେ ସରିତା ଦେବୀ l ହଠାତ ଏ ଶବ୍ଦ ଗୁଡିକ ଶୁଣି ମୁଁ ସ୍ଥାଣୁ ହୋଇଗଲି l ମନେ ମନେ ଯେତିକି ଆଶ୍ଚର୍ଯ୍ୟ ଥିଲି ସେତିକି ଦୁଃଖିତ ମଧ୍ୟ୍ୟ lକଣ ଭାବୁଥିବ ମୋ ବଡ଼ଝିଅ ପ୍ରିୟା ? ତାକୁ ଦେଖିବାକୁ ଆସି ସାନ ଭଉଣୀ ରିଆକୁ ପସନ୍ଦ କରିଥିଲେ ତା ଭାଵୀ ଶାଶୂଘର ଲୋକ l ଦୂରୁ ଦେଖି ଜାଣିପାରୁଥିଲି ତା ହସ ହସ ମୁହଁକୁ, କିପରି ନିରୀହ ମନ ଭିତରେ ଚାଲୁଥାଏ ଉତ୍ତପ୍ତ ଲାଭା ଗୁଡିକର କଡ଼ ଲେଉଟା, ଆଖି ଭିତରେ ଉଙ୍କି ମାରୁଥିଲା ସମୁଦ୍ରର ଅନେକ ଢେଉ l ଲାଗୁଥିଲା ସମୟ ଚକା ଚକା ଭଉଁରୀ ଖେଳ ଖେଳୁଥିଲା ମୋ ସହ l ଓଃ କି କଷ୍ଟ ଥିଲା ସେ ସମୟର ମାଡ, ଆଜି ମଧ୍ୟ୍ୟ ଭାବି ଦେଲେ ମୋର ସମ୍ପୂର୍ଣ ଅସ୍ତିତ୍ବ ଦୋହଲି ଯାଏ l ଠିକ ଆଜକୁ ପଚିଶ ବର୍ଷ ପୂର୍ବେ ଏହିପରି ମୋତେ ଦେଖିବାକୁ ଆସି ପସନ୍ଦ କରିଥିଲେ ମୋ ସାନ ଭଉଣୀ ଶୁଭଦ୍ରlକୁ ମୋ ଭାଵୀ ସ୍ୱାମୀ ଏବଂ ଶାଶୂଘର ଲୋକେ l ଭଲ ବର ଏବଂ ଘର ହାତଛଡା ନ କରିବା ଉଦେଶ୍ୟରେ ହଁ ଭରିଦେଇଥିଲେ ବାପା, ବୋଉ l କେହି ମୋ ବିଷୟରେ ତିଳେ ହେଲେ ଚିନ୍ତା କଲେନି l ଅନେକ ଦିନ ପର୍ଯ୍ୟନ୍ତ ମୁଁ ମନେ ମନେ ଭାଙ୍ଗି ପଡ଼ିଥିଲି l ହସ ଭିତରେ ଚାପି ଦେଇଥିଲି ହୃଦୟର କୋହକୁ lନିଜ ଭାଵୀ ସ୍ୱାମୀକୁ ଦେଖୁଥିଲି, ଭେଣେଇ ଜ୍ୱାଇଁ ଭାବେ l ବିଭାଘର ପରେ ମଧ୍ୟ୍ୟ ଅସହଜ ବୋଧ ହେଉଥିଲା ମୋତେ ମୋ ଭଉଣୀ ତା ସ୍ୱାମୀ ଏବଂ ତାଙ୍କ ପରିବାର ସାଥେ ମିଶିବାକୁ l ଅନେକ ଦିନ ପର୍ଯ୍ୟନ୍ତ ମୋର ଆସୁଥିବା ଅନେକ ବିଭାଘର ପ୍ରସ୍ତାବ ଭାଙ୍ଗି ଯାଉଥିଲା, ସଭିଙ୍କ ଭିତରେ ଗୁଜବ ଥିଲା ନିହାତି କିଛି ଗୁଣର ଅଭାବ ଥିବ ସେଥିପାଇଁ ସାନ ଭଉଣୀର ବିଭାଘର ଆଗ ହୋଇଗଲା ଏବଂ ବଡ଼ ବସିଛି l ଓଃ କେତେ କଷ୍ଟ ଭୋଗିବାକୁ ପଡିଥିଲା ମୋତେ ଏ ସମାଜର ଟାହିଟାପରା ସକାସେ l ନା...... ନା ମୁଁ ଏମିତି ହେବାକୁ ଦେବିନି ମୋ ପ୍ରିୟା ସହ, ସେତେବେଳେ ମୁଁ ଅସହାୟ ଥିଲି କିନ୍ତୁ ବର୍ତମାନ ମୋ ଝିଅ ନୁହେଁ l ଜାଣି ଜାଣି ଗୋଟେ ଝିଅର ଖୁସି ପାଇଁ ଆଉ ଗୋଟେ ଝିଅର ଖୁସି ବନ୍ଧା ପକେଇଦେବିନି l କାଲି ସିନା ମୋ ବାପା, ବୋଉ ମୋ ମନର ଦୁଃଖକୁ ବୁଝି ପାରିନଥିଲେ ମୁଁ କିପରି ସବୁ ଜାଣି ସୁଦ୍ଧା ମୋ ଝିଅ କୁ ଏକୁଟିଆ, ଅନ୍ଧାରିଆ କୋହ ଗୁଡିକ ସହ ଲଢ଼ିବାକୁ ଛାଡି ଦେବି?? ଏହା ଭାବୁ ଭାବୁ ସରିତା ଦେବୀ ପୁନର୍ବାର ପଚାରିଲେ କଣ ଭାବୁଛନ୍ତି ସୁନନ୍ଦା ଭଉଣୀ ଆପଣ ଏ ପ୍ରସ୍ତାବରେ ରାଜି ବୋଲି ଆମେ ଧରିନେବୁ? ହଠାତ ମୁଁ ପ୍ରକୃତିସ୍ଥ ହୋଇ କିଛି କହିବା ଆଗରୁ ମୋ ସାନ ଝିଅ ରିଆ ଛିଡା ହୋଇ ତା ବୁଦ୍ଧି ଏବଂ ବିବେକର ପରିଚୟ ଦେଇଦେଲା "କ୍ଷମା କରିବେ ଆଣ୍ଟି ମୁଁ କିନ୍ତୁ ଏ ପ୍ରସ୍ତାବରେ ରାଜି ନାହିଁ,ମୋର ଭବିଷ୍ୟତ ଯୋଜନା ଆହୁରି ଅନେକ ଅଛି ସେଥିପାଇଁ ବର୍ତମାନ ବିଭାଘର ବିଷୟରେ ମୋର କୌଣସି ଯୋଜନା ନାହିଁ "l ମୁଁ ରିଆ ଆଡେ ଅନାଇଥିଲି, ତା ଆଖିରେ ମୋ ପାଇଁ ସାନ୍ତ୍ୱନା ଭାବ ଥିଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama